ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି


ଜାମ୍ମୁ ଓ କାଶ୍ମୀରରେ ବିମାନ ଚଳାଚଳ କ୍ଷେତ୍ରରେ ଏକ ନୂତନ ଯୁଗ

ପୋଷ୍ଟ କରାଯିବା ଦିନାଙ୍କ: 24 FEB 2026 3:29PM by PIB Bhubaneshwar

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି ଆଜି ଶ୍ରୀନଗର ନ୍ତର୍ଜାତୀୟ ବିମାନବନ୍ଦରରେ ୧,୬୭୭ କୋଟି ଟଙ୍କାର ଆନୁମାନିକ ବ୍ୟୟରେ ପ୍ରସ୍ତାବିତ ସିଭିଲ୍ ଏନକ୍ଲେଭ ବା ବେସାମରିକ କୋଠାର ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି। କାଶ୍ମୀର ଉପତ୍ୟକାରେ ବିମାନ ଚଳାଚଳ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ସୁଦୃଢ଼ କରିବା ଦିଗରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ପ୍ରକଳ୍ପର ପରିସର ମଧ୍ୟରେ ସୁରକ୍ଷା କର୍ମୀଙ୍କ ପାଇଁ ବାରାକ୍ ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଭାରତୀୟ ବାୟୁସେନାର ବୁଡଗାମ୍ ଏୟାରବେସ୍ ମଧ୍ୟରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଦ୍ୱାରା ପରିଚାଳିତ ଏହି ବିମାନବନ୍ଦର ୨୦୦୫ ମସିହାରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ନାମିତ ହୋଇଥିଲା, ଯାହା ଶ୍ରୀନଗର ସହରଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ।

ସମୁଦାୟ ୭୩.୧୮ ଏକର ପରିମିତ ଅଞ୍ଚଳରେ ବ୍ୟାପ୍ତ ହୋଇଥିବା ଏହି ନୂତନ ସିଭିଲ୍ ଏନକ୍ଲେଭ ପ୍ରକଳ୍ପରେ ୭୧,୫୦୦ ବର୍ଗ ମିଟର (ବର୍ତ୍ତମାନର ୨୦,୬୫୯ ବର୍ଗ ମିଟର ଭିତ୍ତିଭୂମି ସମେତ) ବିଶିଷ୍ଟ ଏକ ଅତ୍ୟାଧୁନିକ ଟର୍ମିନାଲ୍ ବିଲଡିଂ ରହିବ, ଯାହା ଗହଳି ସମୟରେ ୨,୯୦୦ ଯାତ୍ରୀ ଏବଂ ବାର୍ଷିକ ୧୦ ନିୟୁତ ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ପରିକଳ୍ପନା କରାଯାଇଛି। ସମ୍ପ୍ରସାରିତ ଆପ୍ରୋନ୍‌ରେ ଗୋଟିଏ ୱାଇଡ୍‌ବଡି (କୋଡ୍ ଇ) ସମେତ ୧୫ଟି ଏୟାରକ୍ରାଫ୍ଟ ପାର୍କିଂ ବେ’ ରହିବ (୯ଟି ବିଦ୍ୟମାନ ଏବଂ ୬ଟି ପ୍ରସ୍ତାବିତ)। ଏଥିସହିତ ବାୟୁ ସେନା ଦ୍ୱାରା ପରିଚାଳିତ ୩,୬୫୮ ମିଟର x ୪୫ ମିଟର ରନ୍‌ୱେ ପୂର୍ବ ଭଳି ବାୟୁସେନା ଦ୍ୱାରା ପରିଚାଳିତ ହେବା ଜାରି ରହିବ। ଏହି ପ୍ରକଳ୍ପରେ ୧,୦୦୦ଟି କାର୍ ରହଣୀ ପାଇଁ ବହୁସ୍ତରୀୟ କାର୍ ପାର୍କିଂ ସୁବିଧାର ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ ହେବ।

ସ୍ଥାପତ୍ୟ ଦୃଷ୍ଟିକୋଣରୁ, ନୂତନ ଟର୍ମିନାଲ୍ ଆଧୁନିକ ଡିଜାଇନ୍ ଏବଂ କାଶ୍ମୀରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ସୁନ୍ଦର ସମନ୍ୱୟ ପ୍ରଦର୍ଶନ କରିବ। ଏଥିରେ ଜଟିଳ କାଠକାମ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅନୁପ୍ରାଣିତ ପାରମ୍ପରିକ ଉପାଦାନଗୁଡ଼ିକୁ ସାମିଲ କରାଯିବ, ଏଥିସହିତ ସୁବ୍ୟବସ୍ଥିତ ଯାତ୍ରୀ ପ୍ରକ୍ରିୟାକରଣ କ୍ଷେତ୍ର, ପ୍ରଶସ୍ତ ଲାଉଞ୍ଜ ଏବଂ ଉନ୍ନତ ସୁରକ୍ଷା ତଥା ଚେକ୍-ଇନ୍ ସୁବିଧା ମାଧ୍ୟମରେ କାର୍ଯ୍ୟକ୍ଷମ ଦକ୍ଷତା ବଜାୟ ରଖାଯିବ।

ସ୍ଥାୟୀତ୍ୱ ଏହି ବିକାଶର ଏକ ମୁଖ୍ୟ ଆଧାର ହୋଇ ରହିଛି, ଯେଉଁଥିରେ ଉନ୍ନତ ଜଳ ଅମଳ ପ୍ରଣାଳୀ, ଶକ୍ତି ବ୍ୟବହାର ହ୍ରାସ କରିବା ପାଇଁ ସର୍ବାଧିକ ପ୍ରାକୃତିକ ଆଲୋକ ଏବଂ କାର୍ବନ ଫୁଟପ୍ରିଣ୍ଟ କମାଇବା ପାଇଁ ସ୍ଥାନୀୟ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର ଭଳି ବୈଶିଷ୍ଟ୍ୟ ରହିଛି। ଏହି ପ୍ରକଳ୍ପ ଏକ ପ୍ରତିଷ୍ଠିତ ୫-ଷ୍ଟାର୍ ଗୃହ ( GRIHA) ରେଟିଂ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ଭିତ୍ତିଭୂମି ବୃଦ୍ଧି ବ୍ୟତୀତ, ଏହି ପ୍ରକଳ୍ପ ରାଜ୍ୟର ବିଶେଷ ପର୍ଯ୍ୟଟନ ସ୍ଥଳୀ ଯେମିତି: ଡାଲ୍ ହ୍ରଦ, ଶଙ୍କରାଚାର୍ଯ୍ୟ ମନ୍ଦିର ଏବଂ ମୋଗଲ ଉଦ୍ୟାନ ସମେତ ପ୍ରମୁଖ ଆକର୍ଷଣଗୁଡ଼ିକ ସହିତ ସଂଯୋଗୀକରଣରେ ଉନ୍ନତି ଆଣି ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଯଥେଷ୍ଟ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ପୁଞ୍ଜି ବିନିଯୋଗ ଉତ୍ସାହିତ ହେବ ଏବଂ ଏକ ପ୍ରମୁଖ ପର୍ଯ୍ୟଟନ ତଥା ଅର୍ଥନୈତିକ ଗନ୍ତବ୍ୟ ସ୍ଥଳ ଭାବରେ ଶ୍ରୀନଗରର ସ୍ଥିତିକୁ ସୁଦୃଢ଼ କରିବ। ସିଭିଲ୍ ଏନକ୍ଲେଭର ବିକାଶ ଏହିପରି ଭାବରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରଦାନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି, ଯାହା ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁବିଧା ଏବଂ ସଂଯୋଗୀକରଣ ପ୍ରଦାନ କରିବା ସହିତ କାଶ୍ମୀରର ସାଂସ୍କୃତିକ ଏବଂ ପ୍ରାକୃତିକ ଶୋଭାକୁ ବିଶ୍ୱ ଆଗରେ ପ୍ରଦର୍ଶନ କରିବ।

 HP


(ରିଲିଜ ଆଡି: 2232418) ପରିଦର୍ଶକ କାଉଣ୍ଟର : 10