ସହଯୋଗ ମନ୍ତ୍ରଣାଳୟ
azadi ka amrit mahotsav

ଭାରତର ପ୍ରଥମ ସମବାୟ-ଭିତ୍ତିକ ଟ୍ୟାକ୍ସି ସେବା ‘ଭାରତ ଟ୍ୟାକ୍ସି’ର ଶୁଭାରମ୍ଭ କଲେ ଅମିତ ଶାହ

ପୋଷ୍ଟ କରାଯିବା ଦିନାଙ୍କ: 05 FEB 2026 8:01PM by PIB Bhubaneshwar

 

  • ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅସଂଗଠିତ କ୍ଷେତ୍ରକୁ ସଶକ୍ତ କରିବା ପାଇଁ ସମବାୟ ମାଲିକାନା ମଡେଲ୍ ପ୍ରସ୍ତୁତ
  • ତିନି ବର୍ଷ ମଧ୍ୟରେ କାଶ୍ମୀରରୁ କନ୍ୟାକୁମାରୀ ଓ ଦ୍ୱାରକାରୁ କାମାକ୍ଷା ପର୍ଯ୍ୟନ୍ତ ‘ଭାରତ ଟ୍ୟାକ୍ସି’ ହେବ ଟ୍ୟାକ୍ସି ଚାଳକଙ୍କ କଲ୍ୟାଣର ପ୍ରମୁଖ ଆଧାର 
  • ସମବାୟ ଟ୍ୟାକ୍ସିରେ ୫୦୦ ଟଙ୍କାରେ ଚାଳକମାନଙ୍କୁ ପ୍ରକୃତ ମାଲିକଙ୍କ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଭାରତର ପ୍ରଥମ ସମବାୟ ଭିତ୍ତିକ ଟ୍ୟାକ୍ସି ସେବା 'ଭାରତ ଟ୍ୟାକ୍ସି' ର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁର୍ଜର ଏବଂ ଶ୍ରୀ ମୁରଲୀଧର ମୋହୋଲ ଏବଂ ସମବାୟ ସଚିବ ଡ. ଆଶିଷ କୁମାର ଭୁଟାନୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଐତିହାସିକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ୧,୨୦୦ ରୁ ଅଧିକ "ସାରଥି" (ଡ୍ରାଇଭର ଅଂଶୀଦାର) ଯୋଗ ଦେଇଥିଲେ, ଯାହା ଡ୍ରାଇଭର ସଶକ୍ତିକରଣ ଏବଂ ଭାରତ ଟ୍ୟାକ୍ସିର ସମବାୟ ମାଲିକାନା ଆଧାରିତ ମଡେଲ ପ୍ରତି ବ୍ୟାପକ ସମର୍ଥନକୁ ପ୍ରତିଫଳିତ କରେ । 

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଅମିତ ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମବାୟ ମନ୍ତ୍ରଣାଳୟ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ମାଲିକାନାର ଏକ ମଡେଲ ପ୍ରସ୍ତୁତ କରୁଛି। ସେ କହିଥିଲେ ଯେ ତିନି ବର୍ଷ ମଧ୍ୟରେ କାଶ୍ମୀରରୁ କନ୍ୟାକୁମାରୀ ଏବଂ ଦ୍ୱାରକାରୁ କାମାକ୍ଷା ପର୍ଯ୍ୟନ୍ତ ସମବାୟ ଟ୍ୟାକ୍ସି ଆମର ଟ୍ୟାକ୍ସି ପରିଚାଳକମାନଙ୍କ କଲ୍ୟାଣ ପାଇଁ ଏକ ବଡ଼ ମାଧ୍ୟମ ହେବ। ଶ୍ରୀ ଶାହ କହିଥିଲେ ଯେତେବେଳେ ସେ ପ୍ରଥମ ଥର ପାଇଁ ସମବାୟ ଟ୍ୟାକ୍ସି ପ୍ରସଙ୍ଗକୁ ସଂସଦ ସମ୍ମୁଖରେ ଆଣିଥିଲେ, ସେତେବେଳେ ଅନେକ ଲୋକ, ବିଶେଷ କରି ଟ୍ୟାକ୍ସି ପରିଚାଳନା ସହିତ ଜଡ଼ିତ କମ୍ପାନୀମାନେ ପ୍ରଶ୍ନ କରିଥିଲେ ଯେ ସରକାର କାହିଁକି ଟ୍ୟାକ୍ସି କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ସେ କହିଥିଲେ ଯେ ଏଭଳି ଲୋକମାନେ 'ସମବାୟ’ ଏବଂ ' ସରକାର’ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ । ଶ୍ରୀ ଶାହ କହିଥିଲେ ଯେ ସରକାର ଟ୍ୟାକ୍ସି କ୍ଷେତ୍ରରେ ପ୍ରବେଶ କରୁନାହାନ୍ତି, ବରଂ ସମବାୟ ଟ୍ୟାକ୍ସି କ୍ଷେତ୍ରରେ ପ୍ରବେଶ କରୁଛନ୍ତି।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ବୋଧହୁଏ ସମଗ୍ର ବିଶ୍ୱରେ ପ୍ରଥମ ଥର ପାଇଁ ଏପରି ଏକ ଅନନ୍ୟ କମ୍ପାନୀ ଅସ୍ତିତ୍ୱରେ ଆସୁଛି, ଯାହାର ପ୍ରକୃତ ମାଲିକ ଜଣେ ବ୍ୟକ୍ତି କିମ୍ବା ବାହ୍ୟ କମ୍ପାନୀ ନୁହେଁ, ବରଂ ଟ୍ୟାକ୍ସି ଚଳାଉଥିବା ଡ୍ରାଇଭର । ସମବାୟ ଟ୍ୟାକ୍ସି ସହିତ ଜଡିତ ଚାଳକ ଭାଇ ଓ ଭଉଣୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ହେଉଛନ୍ତି ଏହି ସମବାୟ ଟ୍ୟାକ୍ସି ସମିତିର ପ୍ରକୃତ ମାଲିକ। ସେ କହିଛନ୍ତି ଯେ ଏହି ଧାରଣା ସମବାୟ ଟ୍ୟାକ୍ସି ସହିତ ଜଡିତ ଚାଳକ ଲୋକଙ୍କ ଜୀବନ, ଆତ୍ମବିଶ୍ୱାସ ଏବଂ ଆର୍ଥିକ ସ୍ଥିତିରେ ଏକ ଆମୂଳ ଚୂଳ ପରିବର୍ତ୍ତନ ଆଣିବାକୁ ଯାଉଛି। ଶ୍ରୀ ଶାହ ଏହା ମଧ୍ୟ କହିଥିଲେ ଯେ ପୂର୍ବରୁ ଆମ ଦେଶରେ ଏଭଳି ଅନେକ ମଡେଲ ସଫଳ ହୋଇସାରିଛି। ମାତ୍ର ୧୧ ଜଣ ଦୁଗ୍ଧ ଉତ୍ପାଦନକାରୀ ଅମୁଲ ଆରମ୍ଭ କରିଥିଲେ। ଆଜି ଗୁଜରାଟରେ ୩୬ ଲକ୍ଷରୁ ଅଧିକ ଗୋପାଳନକାରୀଙ୍କ ଏକ ବିଶାଳ ବଟବୃକ୍ଷ ସୃଷ୍ଟି ହୋଇଛି । ଏହି ପଶୁପାଳନ କରୁଥିବା ମହିଳାମାନେ ୧ ଲକ୍ଷ ୨୫ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥାନ୍ତି। ସେ କହିଥିଲେ ଯେ ଏହି ମଡେଲ ଦର୍ଶାଉଛି ଯେ ଯେତେବେଳେ ସାଧାରଣ ଲୋକ ନିଜେ ମାଲିକ ହୁଅନ୍ତି, ସେତେବେଳେ ଛୋଟ ଛୋଟ ଆରମ୍ଭ ମଧ୍ୟ ବହୁତ ବଡ଼ ଫଳାଫଳ ଦେଇପାରେ। ସେ କହିଥିଲେ ଯେ ଆଜି ଗାଈ ପାଳନ କରୁଥିବା ଭଉଣୀମାନେ କ୍ଷୀର ବିକ୍ରି କରି ବାର୍ଷିକ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି, ଯାହା ସମବାୟ ମଡେଲର ଚମତ୍କାର।

ଶ୍ରୀ ଶାହ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ଟ୍ୟାକ୍ସି ଚଳଉଛନ୍ତି, ସମବାୟ ଟ୍ୟାକ୍ସିରେ ଯୋଗଦେବା ପରେ ମଧ୍ୟ ଟ୍ୟାକ୍ସି ଚଳାଇବେ, କିନ୍ତୁ ଉଭୟଙ୍କ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିବ। ସେ କହିଥିଲେ ଯେ ବର୍ତ୍ତମାନ ଟ୍ୟାକ୍ସିର ଚକ ଅନ୍ୟ କାହାରି ପକେଟରେ ଟଙ୍କା ରଖିଥାଏ, କିନ୍ତୁ ଏବେ ଟ୍ୟାକ୍ସି ଚାଳକଙ୍କ ଟ୍ୟାକ୍ସିର ଚକରୁ ଉପାର୍ଜନ ରଥ ସେମାନଙ୍କ ପକେଟକୁ ଯିବ। ସେ କହିଥିଲେ ଯେ ଏହି ବିଚାର ସମବାୟର ଭାବନାରୁ ଉତ୍ପନ୍ନ ହୋଇଛି। ସମବାୟ ସମିତିର ପ୍ରକୃତ ଅର୍ଥ ହେଉଛି ଯେ ଯେତେବେଳେ ଅନେକ ଛୋଟ ପୁଞ୍ଜି ଥିବା ଲୋକମାନେ ସେମାନଙ୍କର ଶକ୍ତି ସଂଗ୍ରହ କରନ୍ତି, ସେମାନେ ଏକାଠି ମହାନ କାର୍ଯ୍ୟ କରିପାରିବେ । ଯେଉଁମାନଙ୍କ ପାଖରେ ବହୁତ ବଡ଼ ପୁଞ୍ଜି ଅଛି ସେମାନେ ଏକା ବଡ଼ କାମ କରନ୍ତି ଏବଂ ଲାଭ ମଧ୍ୟ ଅଳ୍ପ କିଛି ଲୋକଙ୍କ ମଧ୍ୟରେ ସୀମିତ । ଶ୍ରୀ ଶାହ କହିଥିଲେ ଯେ ଆଜି ଯେଉଁ ସମବାୟ ମଡେଲ ବିଷୟରେ ଆଲୋଚନା କରାଯାଉଛି, ତାହା ଆଜିର ସମୟର ସବୁଠାରୁ ନୂତନ ଏବଂ ସଫଳ ପଦକ୍ଷେପ। ସେ କହିଥିଲେ ଯେ ଏବେ ଟ୍ୟାକ୍ସିର ଚକ ଅନ୍ୟ କାହାରି ରୋଜଗାର ପାଇଁ ନୁହେଁ, ବରଂ ଟ୍ୟାକ୍ସି ଡ୍ରାଇଭରମାନଙ୍କ ସମୃଦ୍ଧି ଏବଂ କଲ୍ୟାଣ ପାଇଁ ଗତି କରିବ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ଅମୁଲ, ଇଫକୋ, କ୍ରିଭକୋ ଭଳି ଅନୁଷ୍ଠାନ ସମେତ ଭାରତରେ ଅନେକ ବିଶ୍ୱସ୍ତରୀୟ ସମବାୟ ମଡେଲ ବିକଶିତ ହୋଇଛି। ସେ କହିଥିଲେ ଯେ ଏହି ସମବାୟ ସମିତିଗୁଡ଼ିକ ମଧ୍ୟରୁ କୌଣସିଟିରେ ପ୍ରାରମ୍ଭିକ ପୁଞ୍ଜି ଅଧିକ ନଥିଲା। ସେହିଭଳି, ସମବାୟ ଟ୍ୟାକ୍ସିରେ, ସବୁଠାରୁ ବଡ଼ ସେୟାର ପୁଞ୍ଜି ମାତ୍ର ୫୦୦ ଟଙ୍କା ଏବଂ ସେହି ୫୦୦ ଟଙ୍କା ଟ୍ୟାକ୍ସି ଚାଳକମାନଙ୍କୁ ପ୍ରକୃତ ମାଲିକଙ୍କ ମାନ୍ୟତା ଦେଉଛି। ସେ କହିଥିଲେ ଯେ ଏହି ଅଳ୍ପ ପରିମାଣର ଅର୍ଥ ଟ୍ୟାକ୍ସି ଡ୍ରାଇଭରମାନଙ୍କ କଠିନ ପରିଶ୍ରମ, ଆତ୍ମସମ୍ମାନ ଏବଂ ଆର୍ଥିକ ସ୍ୱାଧୀନତାର ମୂଳଦୁଆ ହେବାକୁ ଯାଉଛି।

ଶ୍ରୀ ଶାହ କହିଥିଲେ ଯେ ପ୍ରତି ପାଞ୍ଚ ବର୍ଷରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ପରେ ଟ୍ୟାକ୍ସି ଡ୍ରାଇଭରମାନଙ୍କ ଦ୍ୱାରା ନିର୍ବାଚିତ ଦୁଇ ଜଣ ପ୍ରତିନିଧି ବୋର୍ଡରେ ବସିବେ। ସେମାନେ ହିଁ ସେମାନଙ୍କ ସ୍ୱାର୍ଥର ଯତ୍ନ ନେବେ ଏବଂ ସେମାନଙ୍କ ପାଇଁ ନିଷ୍ପତ୍ତି ନେବେ। ଏହା ହେଉଛି ସମବାୟର ଭାବନା ଏବଂ ପ୍ରକୃତ ମାଲିକାନାର ଭାବାବେଗ । ସେ କହିଛନ୍ତି ଯେ ସମବାୟ ଟ୍ୟାକ୍ସି ମୋଟ ଲାଭର ମାତ୍ର ୨୦ ପ୍ରତିଶତ ବଜାୟ ରଖିବ, ଅର୍ଥାତ୍ ୧୦୦ ଟଙ୍କା ମଧ୍ୟରୁ ୨୦ ଟଙ୍କା ସମବାୟ ଟ୍ୟାକ୍ସି ଦ୍ୱାରା ରଖାଯିବ, ଯାହାର ମାଲିକ ହେଉଛନ୍ତି ଚାଳକ । ଶ୍ରୀ ଶାହ କହିଛନ୍ତି ଯେ ସମସ୍ତ ଲାଭାରତ ଟ୍ୟାକ୍ସି ସହିତ ଜଡିତ ଚାଳକଙ୍କ ଆକାଉଣ୍ଟକୁ ଯିବ। ସେ କହିଛନ୍ତି ଯେ ଭାରତ ଟ୍ୟାକ୍ସିର ପୁଞ୍ଜି ଆକାଉଣ୍ଟରେ ଥିବା ୨୦ ଟଙ୍କାର ମାଲିକ ମଧ୍ୟ ଚାଳକ ହେବେ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଚାରି ଚକିଆ ଟ୍ୟାକ୍ସି, ତିନି ଚକିଆ ଏବଂ ଦୁଇ ଚକିଆ ସମେତ ସମସ୍ତ ତିନୋଟି ବିଦ୍ୟମାନ ପ୍ରକାରର ଟ୍ୟାକ୍ସି ଯାନକୁ ଏକତ୍ର କରି ଭାରତ ଟ୍ୟାକ୍ସିର ପରିକଳ୍ପନା କରାଯାଇଛି। ସେ ଦେଶର ମାତୃ ଶକ୍ତିକୁ ଏକ ବାର୍ତ୍ତା ଦେଇଥିଲେ ଯେ ଭାରତ ଟ୍ୟାକ୍ସି ସେମାନଙ୍କ ସୁରକ୍ଷାକୁ ସର୍ବାଗ୍ରେ ରଖିବ। ସେ କହିଥିଲେ ଯେ ଆମେ 'ସାରଥି ଦିଦି ’ ର ଏକ ସ୍ୱତନ୍ତ୍ର ମଡେଲ ପ୍ରସ୍ତୁତ କରିଛୁ, ଯାହା ଅଧୀନରେ ଆଗାମୀ ସମୟରେ ଏହି ଆପରେ' ସାରଥି ଦିଦି’ ପାଇଁ ଏକ ଅଲଗା ୱିଣ୍ଡୋ ରହିବ, ଯେଉଁଥିରେ ପଞ୍ଜୀକରଣ କରୁଥିବା ଯେକୌଣସି ମହିଳାଙ୍କୁ କେବଳ 'ସାରଥି ଦିଦି ’ ନେବାକୁ ଆସିବେ। ଶ୍ରୀ ଶାହ କହିଥିଲେ ଯେ 'ସାରଥି ଦିଦି ’ ଏକ ଦୁଇ ଚକିଆ ଯାନ ଆଣିବ ଏବଂ ଅତି କମ୍ ଭଡ଼ାରେ ଏହାକୁ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ। ସେ କହିଥିଲେ ଯେ ଏହି ସୁବିଧା ମହିଳାମାନଙ୍କ ପାଇଁ ଏକ ବଡ଼ ଏବଂ ବ୍ୟବହାରିକ ଆଶ୍ୱସ୍ତି ବୋଲି ପ୍ରମାଣିତ ହେବ। ଆଗାମୀ ଦିନରେ 'ସାରଥି ଦିଦି ’ଜରିଆରେ ଦେଶର ମାତୃଶକ୍ତି ପାଇଁ ଏକ ନିରାପଦ, ଆର୍ଥିକ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଯାତ୍ରାର ବିକଳ୍ପ ଉପଲବ୍ଧ ହେବ। ଏହା କେବଳ ଏକ ସେବା ନୁହେଁ ବରଂ ମହିଳାଙ୍କ ସୁରକ୍ଷା, ଆତ୍ମନିର୍ଭରଶୀଳତା ଏବଂ ମର୍ଯ୍ୟାଦା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଭାରତ ଟ୍ୟାକ୍ସି ଦିଲ୍ଲୀ ଟ୍ରାଫିକ୍ ପୋଲିସ୍, ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍, ବିମାନବନ୍ଦର କର୍ତ୍ତୃପକ୍ଷ, ଇଫକୋ ଟୋକିଓ ବୀମା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ମୋଟ ନଅଟି ପ୍ରମୁଖ ସଂସ୍ଥା ସହିତ ବୁଝାମଣା ସ୍ୱାକ୍ଷର କରିଛି। ଏହି ରାଜିନାମା ଜରିଆରେ ଭାରତ ଟ୍ୟାକ୍ସିର ଗ୍ରାହକମାନଙ୍କୁ ଅନେକ ଅତିରିକ୍ତ ସୁବିଧା ମିଳିବ ଏବଂ ଭାରତ ଟ୍ୟାକ୍ସିର ସେବା ଏହି ସମସ୍ତ ସଂସ୍ଥାକୁ ସହଜରେ ଉପଲବ୍ଧ ହେବ। ସେ କହିଥିଲେ ଯେ ଏହି ସଂସ୍ଥାଗୁଡ଼ିକ ଏବେ ସମବାୟ ଟ୍ୟାକ୍ସିର ସଫଳତାରେ ଅଂଶୀଦାର ହୋଇପାରିଛନ୍ତି। ମାଲିକାନା ମଡେଲ ଉପରେ ଆଧାରିତ ଏହି ନୂତନ ଟ୍ୟାକ୍ସି ଧାରଣା ଆଜି ପ୍ରଥମ ଥର ପାଇଁ ଭାରତରେ ଆରମ୍ଭ ହୋଇଛି, ଯାହା କେବଳ ଚାଳକମାନଙ୍କ ପାଇଁ ମାଲିକାନାର ଭାବନା ଆଣି ନଥାଏ ବରଂ ଯାତ୍ରୀ ଏବଂ ବିଭିନ୍ନ ସଂସ୍ଥା ପାଇଁ ଏକ ବିଶ୍ୱସନୀୟ ଏବଂ ସୁବିଧାଜନକ ବିକଳ୍ପ ମଧ୍ୟ ଉପସ୍ଥାପନ କରେ ।

ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସି ଦ୍ୱାରା ନିର୍ଦ୍ଧାରିତ ଶୁଳ୍କ ଚାଳକଙ୍କ ଆକାଉଣ୍ଟରୁ ଅଲଗା ରହିବ। ଏହା ବ୍ୟତୀତ, ଭାରତ ଟ୍ୟାକ୍ସି ଡ୍ରାଇଭରମାନଙ୍କ ପରିଶ୍ରମର ଆୟରୁ ଗୋଟିଏ ପ୍ରତିଶତ ମଧ୍ୟ କମିଶନ କାଟିବ ନାହିଁ, ଯାହା ସେମାନଙ୍କ ସମୃଦ୍ଧିକୁ ଦ୍ରୁତ ଗତିରେ ବୃଦ୍ଧି କରିବ। ସେ କହିଥିଲେ ଯେ ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ କମ୍ପାନୀର ପୁଞ୍ଜି ବୃଦ୍ଧି କରିବା ନୁହେଁ, ବରଂ ଭାରତ ଟ୍ୟାକ୍ସିର ପ୍ରକୃତ ମାଲିକ, ଚାଳକ ଭାଇ ଓ ଚାଳକ ଭଉଣୀମାନଙ୍କ ଲାଭ ଓ ଆୟ ବୃଦ୍ଧି କରିବା। ଶ୍ରୀ ଶାହ କହିଛନ୍ତି ଯେ ଗ୍ରାହକଙ୍କ ଦ୍ୱାରା କରାଯାଇଥିବା ଦେୟ ତୁରନ୍ତ ସିଧାସଳଖ ଚାଳକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ଏଥିପାଇଁ ଆପଣଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଉପଯୁକ୍ତ ଶୁଣାଣି ବିନା କୌଣସି ଚାଳକଙ୍କ ଆକାଉଣ୍ଟ ବନ୍ଦ ହେବ ନାହିଁ। ତଥାପି, ଗ୍ରାହକମାନଙ୍କୁ ଭଲ ଭାବରେ ବ୍ୟବହାର କରିବା, ସେମାନଙ୍କ ଟ୍ୟାକ୍ସିର ସଦ୍ଭାବନା ବଜାୟ ରଖିବା ଏବଂ ସେବାର ଗୁଣବତ୍ତା ଉପରେ ଧ୍ୟାନ ଦେବା ମଧ୍ୟ ଟ୍ୟାକ୍ସି ଚାଳକଙ୍କ ଦାୟିତ୍ୱ । ସେ କହିଛନ୍ତି ଯେ ଅଭିଯୋଗଗୁଡ଼ିକର ଶୁଣାଣି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ଏବଂ ନିରପେକ୍ଷ ଶୁଣାଣି ପରେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ବୁକିଂ ଫି, ପ୍ଲାଟଫର୍ମ ଫି ଏବଂ ମୋଟା କମିଶନ ଭଳି ଜିନିଷ କମ୍ପାନୀର ବାଲାନ୍ସ ସିଟ୍‍କୁ ମୋଟା କରୁଥିଲା ଏବଂ ଚାଳକଙ୍କ ଆୟ ହ୍ରାସ କରୁଥିଲା। ଭାରତ ଟ୍ୟାକ୍ସିର ଏପରି କୌଣସି ଶୁଳ୍କି କିମ୍ବା କମିଶନ ନାହିଁ ଏବଂ ଚାଳକ ଏହାର ମାଲିକ ହେବେ। ଏହି ବିଚାର ହୁଏତ ପାଶ୍ଚାତ୍ୟ ଚିନ୍ତାଧାରାର ଲୋକମାନେ ବୁଝିପାରିବେ ନାହିଁ, କିନ୍ତୁ ଏହା ସମବାୟ ସମିତିର ପ୍ରକୃତ ଶକ୍ତି ।

ଶ୍ରୀ ଅମିତ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସିର ଶୁଭାରମ୍ଭ ମଧ୍ୟ ସମବାୟ କ୍ଷେତ୍ର ପାଇଁ ନୂତନ ଦିଗ ଉନ୍ମୁକ୍ତ କରିବାର ଆରମ୍ଭ। ଭାରତରେ ଗତ ୧୨୫ ବର୍ଷ ଧରି ସମବାୟ ଆନ୍ଦୋଳନ ଚାଲିଛି, କିନ୍ତୁ ଏବେ ସମୟ ଆସିଛି ସମବାୟ ମଡେଲକୁ ନୂଆ କ୍ଷେତ୍ରକୁ ନେଇ ଯିବାର। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମବାୟ ମନ୍ତ୍ରଣାଳୟ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ଏକ ମାଲିକାନା ମଡେଲ ପ୍ରସ୍ତୁତ କରୁଛି। ଆଗାମୀ ସମୟରେ ଆମେ ଏହି ମଡେଲକୁ ଏଭଳି ତିନି-ଚାରିଟି କ୍ଷେତ୍ରରେ ଆଗକୁ ନେବୁ, ଯେଉଁଠି ପରିଶ୍ରମୀ ବ୍ୟକ୍ତି ନିଜର ଝାଳବୋହିବା ଏବଂ ପରିଶ୍ରମର ଫଳ ପାଇପାରିବ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଭାରତ ଟ୍ୟାକ୍ସିର ଚାରୋଟି ମୌଳିକ ମନ୍ତ୍ର ରହିଛି-ମାଲିକାନା, ସୁରକ୍ଷା, ମର୍ଯ୍ୟାଦା ଏବଂ 'ସବକା ହୁଇଲ ’, ' ସବକା ପ୍ରଗତି ’, ଅର୍ଥାତ୍ ସମସ୍ତଙ୍କୁ ଲାଭାଂଶର ଉଚିତ ବଣ୍ଟନ। ଏହି ଚାରୋଟି ଉଦ୍ଦେଶ୍ୟ ସହିତ ଭାରତ ଟ୍ୟାକ୍ସି ଆରମ୍ଭ ହୋଇଛି ଏବଂ ଆଗାମୀ ସମୟରେ ଏହା ଏକ ବହୁତ ସଫଳ ପରୀକ୍ଷା ବୋଲି ପ୍ରମାଣିତ ହେବ। ଏହା ୬ ଜୁନ୍ ୨୦୨୫ ରେ ସ୍ଥାପିତ ହୋଇଥିଲା ଏବଂ ଆଜିଠାରୁ ବ୍ୟବସାୟିକ ଭାବରେ ଆରମ୍ଭ କରାଯାଉଛି ବୋଲି ସେ କହିଛନ୍ତି। ମାତ୍ର ୮ ମାସ ମଧ୍ୟରେ, ଦିଲ୍ଲୀ ଏବଂ ଗୁଜରାଟର ଅନ୍ୟ କୌଣସି ଟ୍ୟାକ୍ସି କମ୍ପାନୀ ତୁଳନାରେ ଅଧିକ ଚାଳକ ଏବଂ ଗ୍ରାହକ ଭାରତ ଟ୍ୟାକ୍ସିରେ ଯୋଗ ଦେଇଛନ୍ତି। ଅନ୍ୟ କୌଣସି କମ୍ପାନୀ ଏତେ କମ୍ ସମୟ ମଧ୍ୟରେ ଏତେ ସଂଖ୍ୟକ ପଞ୍ଜିକରଣ କରିନାହାନ୍ତି। ସେ କହିଥିଲେ ଯେ ଆଗାମୀ ଦିନରେ ଆମର ଚାଳକ ଭାଇ ଓ ଭଉଣୀମାନେ ବୀମା, ସରକାରୀ ନିଯୁକ୍ତି ଯୋଜନା, ଋଣ, ସବସିଡି ଏବଂ ଗିଗ୍ ଶ୍ରମିକଙ୍କ ସହ ଜଡ଼ିତ ସମସ୍ତ ସରକାରୀ ଯୋଜନାର ଲାଭ ସ୍ୱୟଂକ୍ରିୟ ଭାବେ ପାଇବେ। ପ୍ରତ୍ୟେକ ଚାଳକଙ୍କୁ ପୂର୍ଣ୍ଣ ସମ୍ମାନ, ସୁରକ୍ଷା ଏବଂ ଆର୍ଥିକ ଶକ୍ତି ମିଳୁ, ସେଥିପାଇଁ ଆମେ ଏହି ଦିଗରେ ନିରନ୍ତର କାର୍ଯ୍ୟ କରୁଛୁ।

ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ (୨୦୨୦-୨୧) ଗିଗ୍ ଶ୍ରମିକଙ୍କ କଲ୍ୟାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଛନ୍ତି। ଏବେ ୨୦୨୫-୨୬ ବଜେଟରେ ଭାରତ ସରକାର ସାରା ଦେଶରେ ୧୨୫ କୋଟିରୁ ଅଧିକ ଗିଗ୍ ଶ୍ରମିକଙ୍କ ପାଇଁ ଅନେକ ଯୋଜନା ଏବଂ ସୁବିଧା ନେଇ ଆସିଛନ୍ତି। ପୂର୍ବରୁ, ଯେଉଁମାନଙ୍କ ପେନସନ କାଟି ଦିଆଯାଇଥିଲା କିମ୍ବା ଯେଉଁମାନେ ଆନୁଷ୍ଠାନିକ ଭାବେ ଜଣେ ସ୍ୱୀକୃତିପ୍ରାପ୍ତ ଶ୍ରମିକ ଭାବେ ପଞ୍ଜୀକୃତ ହୋଇଥିଲେ, କେବଳ ସେମାନଙ୍କ ପାଖରେ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିବାର ଅଧିକାର ଥିଲା। ଏବେ ଏହି ସୀମାକୁ ହଟାଇବା ଦ୍ୱାରା ଦେଶର ୧୨୫ କୋଟି ଗିଗ୍ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିପାରିବେ। ସେ କହିଥିଲେ ଯେ ଭାରତ ଟ୍ୟାକ୍ସି ସହିତ ଜଡ଼ିତ ସମସ୍ତ ଚାଳକ ଏବେ ଇ-ଶ୍ରମ ପୋର୍ଟାଲରେ ସହଜରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପରେ ସେମାନେ ସ୍ୱୟଂକ୍ରିୟ ଭାବେ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବେ। ଭାରତ ଟ୍ୟାକ୍ସିରେ ଯୋଗଦେବା ମାତ୍ରେ ଏହି ମାଗଣା ଚିକିତ୍ସା ସୁବିଧା ପାଇବା ଆରମ୍ଭ କରିବେ। ଏହା ବ୍ୟତୀତ, ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକମାନଙ୍କ ପାଇଁ ଉପଲବ୍ଧ ଅନ୍ୟ ଅନେକ ସାମାଜିକ ସୁରକ୍ଷା ଯୋଜନା ମଧ୍ୟ ଆପଣଙ୍କ ପାଇଁ ସ୍ୱୟଂକ୍ରିୟ ଭାବେ ସକ୍ରିୟ ହୋଇଯିବ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଭାରତ ଟ୍ୟାକ୍ସିର ମଡେଲ କେବଳ ଟ୍ୟାକ୍ସି ଚାଳକମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ ନାହିଁ, ବରଂ ସେମାନଙ୍କ ସମ୍ମାନ, ସୁରକ୍ଷା ଏବଂ ମାଲିକାନା ମଧ୍ୟ ସୁନିଶ୍ଚିତ କରିବ। ସେ କହିଛନ୍ତି ଯେ ଭାରତ ଟ୍ୟାକ୍ସିର ଆପରେ ଏସ୍ଓଏସ୍ ଆଲର୍ଟ ଉପଲବ୍ଧ କରାଯାଇଛି, ଯାହା ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସୁରକ୍ଷା ଏବଂ ସହାୟତା ପାଇପାରିବେ। ବର୍ତ୍ତମାନ ଦିଲ୍ଲୀ-ଏନସିଆରରେ ଆଠଟି ହେଲ୍ପଲାଇନ୍ ଏବଂ ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଛି ଏବଂ ଆଗାମୀ ଦିନରେ ସାରା ଦେଶରେ ଏହିପରି କେନ୍ଦ୍ରଗୁଡ଼ିକର ଏକ ବ୍ୟାପକ ନେଟୱାର୍କ ପ୍ରତିଷ୍ଠା କରାଯିବ। ସମ୍ପୂର୍ଣ୍ଣ ଅଭିଯୋଗ ସମାଧାନ ପ୍ରକ୍ରିୟା ତିନୋଟି ସ୍ତରରେ କାର୍ଯ୍ୟ କରିବ-ଆପ୍ ମାଧ୍ୟମରେ, ୱେବସାଇଟରେ ଏବଂ ଏକ ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ। ଏହା ସହିତ ଆମର ପ୍ରତିନିଧିମାନେ ନିୟମିତ ଭାବେ ଅଧିକାରୀମାନଙ୍କ ସହ ବୈଠକ କରିବେ, ଯାହାଦ୍ୱାରା ପ୍ରତ୍ୟେକ ସମସ୍ୟାର ଠିକ୍ ସମୟରେ ସମାଧାନ ହୋଇପାରିବ। ସେ କହିଥିଲେ ଯେ ଆଜିଠାରୁ ସାରଥି ଲୁଚାଛପା ଦେୟରୁ ସମ୍ପୂର୍ଣ୍ଣ ମୁକ୍ତ। ଏକ ଗୁପ୍ତ ଦର ନେବା ହେଉଛି ଚାଳକ ସହିତ ଏକ ପ୍ରକାରର ପ୍ରତାରଣା । ଟୋଲ, ପାର୍କିଂ ଏବଂ ଅନ୍ୟ ସମସ୍ତ ଅତିରିକ୍ତ ଶୁଳ୍କରୁ ମଧ୍ୟ ରିହାତି ମିଳିବ। ଆହୁରି ମଧ୍ୟ, ଅଭାବୀଙ୍କ ପାଇଁ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ୍ ସର୍ବଦା ଉପଲବ୍ଧ ରହିବ। ଏହା ବର୍ତ୍ତମାନ ଗୁଜରାଟ, ଦିଲ୍ଲୀ ଏବଂ ଏନସିଆରର କେତେକ ସହରରେ ଆରମ୍ଭ ହେଉଛି। କିନ୍ତୁ ତିନି ବର୍ଷରୁ କମ୍ ସମୟ ମଧ୍ୟରେ ଆମେ ଦେଶର ପ୍ରତ୍ୟେକ ରାଜ୍ୟରେ, ପ୍ରତ୍ୟେକ ବଡ଼ ସହରରେ ପହଞ୍ଚିବୁ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ଆଗାମୀ ଦିନରେ ଆମେ ଭାରତ ଟ୍ୟାକ୍ସିରେ ଅନେକ ନୂଆ ସେବା ଯୋଡ଼ିବୁ ଏବଂ ଏହାର ନିରନ୍ତର ସମ୍ପ୍ରସାରଣ କରିବୁ। ସେ ଦିଲ୍ଲୀ-ଏନସିଆରର ସମସ୍ତ ଗ୍ରାହକ ଏବଂ ଚାଳକଙ୍କୁ ବାର୍ତ୍ତା ଦେଇଥିଲେ ଯେ ଭାରତ ଟ୍ୟାକ୍ସି ଆଜିଠାରୁ ସେମାନଙ୍କ ସେବାରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହା କେବଳ ଏକ ଟ୍ୟାକ୍ସି ସେବା ନୁହେଁ, ବରଂ ଆମ ଦେଶର କୋଟି କୋଟି ନାଗରିକଙ୍କ ସମୃଦ୍ଧି, ଆତ୍ମସମ୍ମାନ ଏବଂ ଆର୍ଥିକ ଶକ୍ତି ବୃଦ୍ଧି ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେବାକୁ ଯାଉଛି। ଏ ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରରେ ୨.୫ ଲକ୍ଷରୁ ଅଧିକ ଡ୍ରାଇଭର ଭାରତ ଟ୍ୟାକ୍ସିରେ ଯୋଗ ଦେଇଛନ୍ତି, ୮.୫ ଲକ୍ଷରୁ ଅଧିକ ଯାତ୍ରୀ ଏହି ପରିବାରର ଅଂଶ ହୋଇଛନ୍ତି ଏବଂ ଅନେକ ବଡ଼ କମ୍ପାନୀ ସହିତ ଆମର ଚୁକ୍ତିନାମା ମଧ୍ୟ ଶେଷ ପର୍ଯ୍ୟାୟରେ ଅଛି ବୋଲି ସେ କହିଛନ୍ତି। ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଭାରତୀୟ ଟ୍ୟାକ୍ସିର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ।

ଏହାପୂର୍ବରୁ, ଭାରତ ଟ୍ୟାକ୍ସିର ଶୁଭାରମ୍ଭ ପ୍ରତୀକାତ୍ମକ ଭାବରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଜ୍ଞାନ ଭବନ ପର୍ଯ୍ୟନ୍ତ ୧୦୦ ଟି କାରର ଏକ ବିଶାଳ ରାଲି ହୋଇଥିଲା । ଏହି ରାଲି ଦେଶର ଟ୍ୟାକ୍ସି ଚାଳକଙ୍କ ଏକତା, ଆତ୍ମସମ୍ମାନ ଏବଂ ସାମୂହିକ ଶକ୍ତିର ଏକ ଶକ୍ତିଶାଳୀ ପ୍ରଦର୍ଶନ ଦେଇଥିଲା ।

ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପାଞ୍ଚଜଣ ଚାଳକଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ, ଡ୍ରାଇଭର ମାଲିକାନାକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ମଡେଲ ଅଧୀନରେ ଅଂଶଗ୍ରହଣ ପାଇଁ ପୁରସ୍କୃତ କରାଯାଇଥିଲା। ପ୍ରତ୍ୟେକ ସମ୍ମାନିତ ଚାଳକଙ୍କୁ ବ୍ୟକ୍ତିଗତ ଦୁର୍ଘଟଣା ବୀମା ପ୍ରମାଣପତ୍ର ଏବଂ ୫ ଲକ୍ଷ ଟଙ୍କାର ପାରିବାରିକ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଇଥିଲା, ଯାହା ଡ୍ରାଇଭର କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ପ୍ରତି ଭାରତ ଟ୍ୟାକ୍ସିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଏହି କାର୍ଯ୍ୟକ୍ରମ ସମୟରେ, ପରିଚାଳନାଗତ ସମନ୍ୱୟ, ଡିଜିଟାଲ୍ ସାମର୍ଥ୍ୟ ଏବଂ ସେବାର ଗୁଣବତ୍ତା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମାନ୍ୟବର କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଅଗ୍ରଣୀ ସରକାରୀ ଏବଂ ଘରୋଇ ଅଂଶୀଦାରମାନଙ୍କ ସହିତ ନଅଟି ବୁଝାମଣା ପତ୍ର (ଏମ୍.ଓ.ୟୁ.) ମଧ୍ୟ କରାଯାଇଥିଲା।

ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ଏବଂ ସମବାୟ ଟ୍ୟାକ୍ସି କୋଅପରେଟିଭ୍ ଲିମିଟେଡ୍ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା (ଏମଓୟୁ) ଅନୁଯାୟୀ, ଭାରତ ଟ୍ୟାକ୍ସିକୁ ଦିଲ୍ଲୀର ୨୧ ଟି ସ୍ଥାନରେ ଅବସ୍ଥିତ ୩୪ ଟି ପ୍ରି-ପେଡ୍ ଟ୍ୟାକ୍ସି ବୁଥକୁ ଡିଜିଟାଲ୍ ପରିଚାଳନା କରିବାକୁ ଅନୁମତି ଦିଆଯିବ, ଯାହା ଦ୍ୱାରା ଯାତ୍ରୀ ସୁରକ୍ଷା, ସ୍ୱଚ୍ଛତା, ଡ୍ରାଇଭରଙ୍କ ଆୟ ଏବଂ ସେବାର ଗୁଣବତ୍ତା ବୃଦ୍ଧି ପାଇବ। ଭାରତ ଟ୍ୟାକ୍ସି, ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ସହଯୋଗରେ ଏକ ଯୁଗ୍ମ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରିଛି, ଯେଉଁଥିରେ ରିଅଲ୍ ଟାଇମ୍ ରାଇଡ୍ ମନିଟରିଂ, ଏସ୍ଓଏସ୍ ଆଲର୍ଟ ଏବଂ ଦ୍ରୁତ ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀ ଅନ୍ତର୍ଭୁକ୍ତ ଯାହା ସଡକ ସୁରକ୍ଷା, ନିୟାମକ ଅନୁପାଳନ ଏବଂ ଯାତ୍ରୀ ସୁରକ୍ଷାକୁ ପ୍ରୋତ୍ସାହିତ କରିବ।

ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ (ଏନ. ଇ. ଜି. ଡି.) ସହିତ ହୋଇଥିବା ଏମ. ଓ. ୟୁ. ଅଧୀନରେ, ଡିଜିଟାଲ ଇଣ୍ଡିଆ ଫ୍ରେମୱାର୍କ ଅଧୀନରେ ଭାରତ ଟ୍ୟାକ୍ସିକୁ ପରାମର୍ଶ ଏବଂ ବୈଷୟିକ ସହାୟତା ପ୍ରଦାନ କରିବ, ଯାହା ଡିଜିଲକର, ଉମଙ୍ଗ ଏବଂ ଏ. ପି. ଆଇ. ସେତୁ ସହିତ ଏକୀକରଣକୁ ସକ୍ଷମ କରିବ। ଏହା ଅପରେଟରମାନଙ୍କୁ କାଗଜବିହୀନ ଅନ୍-ବୋର୍ଡିଂ, ସରକାରୀ ସେବାଗୁଡିକରେ ଏକୀକୃତ ପ୍ରବେଶ, ସୁରକ୍ଷିତ ଆନ୍ତଃ-କାର୍ଯ୍ୟକ୍ଷମ ପରିଚାଳନା, ନଗଦବିହୀନ ଦେୟ ଏବଂ ଉନ୍ନତ ପରିଚାଳନା ଦକ୍ଷତାର ଲାଭ ଉଠାଇବାରେ ସହାୟକ ହେବ।

ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡି. ଏମ. ଆର. ସି.) ସହ ଭାଗିଦାରୀରେ ୧୦ଟି ପ୍ରମୁଖ ମେଟ୍ରୋ ଷ୍ଟେସନରେ ଦୁଇ ଚକିଆ ଟ୍ୟାକ୍ସି, ଇ-ଅଟୋ/ସି. ଏନ. ଜି. ଅଟୋ ଏବଂ କ୍ୟାବ ଜରିଆରେ ଶେଷ-ମାଇଲ ସଂଯୋଗ ଉପଲବ୍ଧ କରାଯିବ, ଯାହାଦ୍ୱାରା ଯାତ୍ରୀମାନେ ଗୋଟିଏ ପ୍ଲାଟଫର୍ମରେ ସମଗ୍ର ଯାତ୍ରା ପାଇଁ ଯୋଜନା ଏବଂ ଦେୟ ଦେବାକୁ ସକ୍ଷମ ହେବେ।

ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏ. ଏ. ଆଇ.) ସହିତ ଏହି ଏମ. ଓ. ୟୁ. ସାରା ଦେଶରେ ଏ. ଏ. ଆଇ. ବିମାନ ବନ୍ଦରରେ ଭାରତ ଟ୍ୟାକ୍ସିର ପରିଚାଳନାକୁ ନିୟନ୍ତ୍ରଣ କରିବ, ଯେଉଁଥିରେ ପିକ୍-ଅପ୍ ଜୋନ୍, ସାଇନେଜ୍ ଅନୁମତି ଏବଂ କଠୋର ସୁରକ୍ଷା ଏବଂ ସେବା ମାନକ ରହିବ, ଯାହା ସମଗ୍ର ଭାରତରେ ନିୟନ୍ତ୍ରିତ ବିମାନ ବନ୍ଦର ପରିଚାଳନାକୁ ସକ୍ଷମ କରିବ।

ଦିଲ୍ଲୀ ପର୍ଯ୍ୟଟନ ଏବଂ ପରିବହନ ବିକାଶ ନିଗମ/ଦିଲ୍ଲୀ ବିମାନ ବନ୍ଦର ପାର୍କିଂ ସେବା (ଡିଏପିଏସ-ଜିଏମଆର ସମର୍ଥିତ) ସହିତ ହୋଇଥିବା ଚୁକ୍ତିନାମା ଅନୁଯାୟୀ, ଭାରତ ଟ୍ୟାକ୍ସିର ହ୍ୱାଇଟ କ୍ୟାବ ସେବାକୁ ଆଇଜିଆଇ ବିମାନ ବନ୍ଦର ଟର୍ମିନାଲରେ ଏକାଧିକ ପାର୍କିଂ ସ୍ଥାନରେ ଅନୁମତି ଦିଆଯାଇଛି। ଡି. ଏ. ପି. ଏସ୍. ପ୍ରଥମ ବର୍ଷ ପାଇଁ ପ୍ରତି ଟ୍ରିପ ପିଛା ୨୪୫ ଟଙ୍କାର ପିକ୍-ଅପ୍ ଫି 'ଉପରେ ୨୦ ପ୍ରତିଶତ ରିହାତି ପ୍ରଦାନ କରିବ, ଯାହା ଭାରତ ଟ୍ୟାକ୍ସିର କାଲି-ପିଲି ସେବାକୁ ପରିପୂରକ କରିବ ଏବଂ ବିମାନ ବନ୍ଦରରେ ଯାତ୍ରା ଏବଂ ରାଜସ୍ୱ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି କରିବ।

ଇଫକୋ ଟୋକିଓକୁ ଭାରତ ଟ୍ୟାକ୍ସିର ବୀମା ଅଂଶୀଦାର ଭାବରେ ନିୟୋଜିତ କରାଯାଇଛି, ଯାହା ଡ୍ରାଇଭରମାନଙ୍କୁ ନାମମାତ୍ର ହାରରେ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ପ୍ରଦାନ କରିବା ସହିତ ଦୀର୍ଘକାଳୀନ ଡ୍ରାଇଭର କଲ୍ୟାଣ ଏବଂ ବୀମା ସମାଧାନ ଉପରେ ପରାମର୍ଶ ସହାୟତା ପ୍ରଦାନ କରିବ।

ପେଟିଏମ୍ ସହିତ ଏହି ଏମଓୟୁ ଡିଜିଟାଲ ପେମେଣ୍ଟ, କୋ-ବ୍ରାଣ୍ଡେଡ ଅଫର୍ ଏବଂ ଫିନ୍‍ଟେକ୍‍ ସାମର୍ଥ୍ୟକୁ ସକ୍ଷମ କରିବ, ଯେଉଁଥିରେ ପେମେଣ୍ଟ ଗେଟୱେ ଏକୀକରଣ ଏବଂ ପେଟିଏମ୍ ର ଅଂଶୀଦାର ଇକୋସିଷ୍ଟମକୁ ପ୍ରବେଶ ଅନ୍ତର୍ଭୁକ୍ତ । ପେଟିଏମ୍ ପାରିବାରିକ କଭରେଜ୍ ସମେତ ଡ୍ରାଇଭର ଗ୍ରୁପ୍ ସ୍ୱାସ୍ଥ୍ୟ ବୀମା ପାଇଁ ମଧ୍ୟ ସହାୟତା କରୁଛି।

ଜି. ଏମ୍. ଆର୍. ସହିତ ଏହି ଭାଗିଦାରୀ ଦ୍ୱାରା ଆଇ. ଜି. ଆଇ. ବିମାନ ବନ୍ଦର ଟର୍ମିନାଲରେ ଭାରତ ଟ୍ୟାକ୍ସିର ନିୟନ୍ତ୍ରିତ ପ୍ରସାର ଏବଂ ସେବା ସମ୍ପ୍ରସାରଣକୁ ସୁଦୃଢ଼ କରିବା ସହିତ ବିମାନ ବନ୍ଦର ଗତିଶୀଳତା ପରିଚାଳନାକୁ ଆହୁରି ସୁଦୃଢ଼ କରିବ।

ଏସବିଆଇ ସହିତ ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଭଳି ଯୋଜନା ଅଧୀନରେ ବାଣିଜ୍ୟିକ ଯାତ୍ରୀବାହୀ ଯାନ ପାଇଁ ପ୍ରାଥମିକତା ଭିତ୍ତିରେ ଆର୍ଥିକ ସହାୟତା ଉପଲବ୍ଧ କରାଯିବ। ସମବାୟ ଟ୍ୟାକ୍ସି ଯୋଗ୍ୟ ଡ୍ରାଇଭର-ମାଲିକମାନଙ୍କୁ ଚିହ୍ନଟ କରିବ ଏବଂ ସହାୟତା କରିବ, ଯେତେବେଳେ କି ଏସବିଆଇ ଏହାର ପ୍ରଚଳିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଶୀଘ୍ର ବିଚାର ନିଶ୍ଚିତ କରିବ।

HS


(ରିଲିଜ ଆଡି: 2224174) ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Gujarati , Kannada