ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରୋଜଗାର ମେଳା ଅଧୀନରେ ନିଯୁକ୍ତି ପତ୍ର ବଣ୍ଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର
प्रविष्टि तिथि:
24 JAN 2026 12:36PM by PIB Bhubaneshwar
ସବୁ ଯୁବ ବନ୍ଧୁମାନଙ୍କୁ ମୋର ଶୁଭାଭିବାଦନ,
୨୦୨୬ ବର୍ଷ ଆରମ୍ଭ ଆମ ଜୀବନରେ ନୂଆ ଆନନ୍ଦର ଅୟମାରମ୍ଭ । ଏହାସହ ଗତକାଲି ବସନ୍ତ ପଞ୍ଚମୀ ସରିବା ପରେ ଆପଣମାନଙ୍କ ଜୀବନରେ ଏକ ନୂଆ ବସନ୍ତ ଆସିଛି । ସମ୍ବିଧାନ ପ୍ରତି ଆପଣମାନଙ୍କ କର୍ତ୍ତବ୍ୟବୋଧତା ବି ଏହି ସମୟ ସୂଚିତ କରୁଛି । କାକତାଳୀୟ ନ୍ୟାୟରେ ଏବେ ଦେଶରେ ସାଧାରଣତନ୍ତ୍ର ଦିବସର ମାହୋଲ ରହିଛି । ଗତକାଲି ଜାନୁୟାରୀ ୨୩ ତାରିଖରେ ସୁଭାଷ ବୋଷଙ୍କ ଜୟନ୍ତୀରେ ଆମେ ପରାକ୍ରମ ଦିବସ ପାଳନ କରିଛେ । ଆସନ୍ତାକାଲି ଜାନୁୟାରୀ ୨୫ ତାରିଖରେ ଆମେ ଜାତୀୟ ମତଦାତା ଦିବସ ପାଳନ କରିବାକୁ ଯାଉଛେ । ତାପରେ ଜାନୁୟାରୀ ୨୬ରେ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରିବା । ଆଜି ମଧ୍ୟ ଏକ ସ୍ୱତନ୍ତ୍ର ଦିବସ । ଆଜିର ଦିନରେ ଜନ ଗଣ ମନକୁ ଜାତୀୟ ସଙ୍ଗୀତ ଓ ବନ୍ଦେ ମାତରମକୁ ଜାତୀୟ ଗୀତ ଭାବେ ସମ୍ବିଧାନ ଗ୍ରହଣ କରିଥିଲା । ଏହି ମହତ୍ୱପୂର୍ଣ୍ଣ ଦିନରେ ୬୧ ହଜାରରୁ ଊର୍ଦ୍ଧ୍ୱ ଯୁବକ ସେମାନଙ୍କର ନୂଆ ଜୀବନ ଆରମ୍ଭ କରିଛନ୍ତି ।
ଆଜି ଆପଣମାନେ ସରକାରୀ ଚାକିରି ପାଇଁ ବିଧିବଦ୍ଧ ଭାବେ ନିଯୁକ୍ତି ପତ୍ର ପାଇଛନ୍ତି । ପ୍ରକାରାନ୍ତରେ ଦେଶ ନିର୍ମାଣ ଲାଗି ଏହା ଏକ ନିମନ୍ତ୍ରଣ ପତ୍ର । ବିକଶିତ ଭାରତର ସମ୍ବିଧାନକୁ ପ୍ରମୂର୍ତ କରିବାର ଏହା ଏକ ସ୍ୱୀକୃତି ପତ୍ର । ଆପଣମାନଙ୍କ ଭିତରୁ ଅନେକ ଏହି ଦେଶର ସୁରକ୍ଷାକୁ ମଜଭୂତ କରିବେ । ଶିକ୍ଷା ଓ ସ୍ୱାସ୍ଥ୍ୟ ଇକୋ ସିଷ୍ଟମକୁ ଏହା ଆହୁରି ସଶକ୍ତ କରିବ । ଆର୍ଥିକ ସେବା, ଊର୍ଜ୍ଜା ନିରାପତା, ସରକାରୀ କମ୍ପାନୀର ବିକାଶ ପରି ବିଭିନ୍ନ କ୍ଷେତ୍ରରେ ଅନେକ ଯୁବକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିପାରିବେ । ମୁଁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜ୍ଞାପନ କରୁଛି ।
ବନ୍ଧୁଗଣ,
ଯୁବକମାନଙ୍କୁ ଦକ୍ଷତା ସହ ଯୋଡିବା, ସେମାନଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଆମ ସରକାରଙ୍କର ଲକ୍ଷ୍ୟ । ମିଶନ ମୋଡରେ ସରକାରୀ ନିଯୁକ୍ତି ସୃଷ୍ଟି କରିବା ପାଇଁ ରୋଜଗାର ମେଳା ଆରମ୍ଭ କରାଯାଇଛି । ଗତ କିଛି ବର୍ଷ ଧରି ରୋଜଗାର ମେଳା ଏକ ଅନୁଷ୍ଠାନରେ ପରିଣତ ହୋଇଛି । ଏହା ମାଧ୍ୟମରେ ଲକ୍ଷା ଲକ୍ଷ ଯୁବକ ଯୁବତୀ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଉଛନ୍ତି । ଏହି ମିଶନକୁ ଆଗକୁ ନେବା ଲକ୍ଷ୍ୟରେ ଆଜି ସାରା ଦେଶର ୪୦ଟି ସ୍ଥାନରେ ରୋଜଗାର ମେଳା ହେଉଛି । ଏସବୁ ସ୍ଥାନରେ ଉପସ୍ଥିତ ରହିଥିବା ଯୁବକମାନଙ୍କୁ ମୁଁ ସ୍ୱାଗତ କରୁଛି ।
ବନ୍ଧୁଗଣ,
ଆଜି ସାରା ବିଶ୍ୱରେ ଭାରତ ସବୁଠାରୁ କନିଷ୍ଠତମ ଦେଶ । ଭାରତର ଯୁବଶକ୍ତିଙ୍କ ପାଇଁ ଆମ ସରକାରଙ୍କ ନେତୃତ୍ୱରେ ଆଜି ଦେଶରେ ଓ ସାରା ବିଶ୍ୱରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଅନେକ ଦେଶଙ୍କ ସହ ଆଜି ଭାରତ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷରିତ କରୁଛି । ଭାରତର ଯୁବଶକ୍ତିଙ୍କ ପାଇଁ ଏହି ରାଜିନାମା ସବୁ ନୂଆ ନବୀନ ସୁଯୋଗ ଆଣୁଛି ।
ବନ୍ଧୁଗଣ,
ଅତୀତରେ ଆଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ଭାରତ ପ୍ରଚୁର ପୁଞ୍ଜି ବିନିଯୋଗ କରିଥିଲା । ଏଇଥିପାଇଁ ନିର୍ମାଣ ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା । ଭାରତର ଷ୍ଟାର୍ଟଅପ ଇକୋ ସିଷ୍ଟମ ବି ଦ୍ରୁତ ଗତିରେ ଅଗ୍ରସର ହେଉଥିଲା । ଆଜି ଭାରତରେ ପ୍ରାୟ ଦୁଇ ଲକ୍ଷ ଷ୍ଟାର୍ଟଅପ ପଞ୍ଜିକୃତ ହୋଇଛି । ୨୧ ଲକ୍ଷରୁ ଊର୍ଦ୍ଧ୍ୱ ଯୁବକ ଏସବୁ ସେକ୍ଟରରେ କାମ କରୁଛନ୍ତି । ସେହିପରି ଡିଜିଟାଲ ଇଣ୍ଡିଆ ନୂଆ ଅର୍ଥନୀତି ସୃଷ୍ଟି କରିଛି । ଆନିମେସନ ଓ ଡିଜିଟାଲ ମିଡିଆ କ୍ଷେତ୍ରରେ ଭାରତ ଏକ ବୈଶ୍ୱିକ କେନ୍ଦ୍ରରେ ପରିଣତ ହେବାରେ ଲାଗିଛି । ଭାରତର କ୍ରିଏଟର ଅର୍ଥନୀତି ବି ଦ୍ରୁତ ଗତିରେ ବିକାଶ ଲାଭ କରିଛି ଯେଉଁଥିରେ ଅନେକ ଯୁବକ ନୂଆ ସୁଯୋଗ ପାଉଛନ୍ତି ।
ଯୁବ ବନ୍ଧୁଗଣ,
ଆଜି ଯେଉଁଭଳି ଭାବେ ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢିବାରେ ଲାଗିଛି ତାହା ଅନେକ ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିଛି । ସାରା ବିଶ୍ୱରେ ଭାରତ ହିଁ ଏକମାତ୍ର ବୃହତ ଅର୍ଥନୀତିର ଦେଶ ଯିଏ ଗୋଟିଏ ଶତାବ୍ଦୀ ଭିତରେ ଜିଡିପିକୁ ଦୁଇଗୁଣା କରିପାରିଛି । ଏଫଡିଆଇ ବା ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆଜି ଭାରତରେ ଶତାଧିକ ଦେଶ ପୁଞ୍ଜି ବିନିଯୋଗ କରୁଛନ୍ତି । ୨୦୧୪ ପୂର୍ବ ଦଶବର୍ଷ ସହ ତୁଳନା କଲେ ଅଢେଇ ଗୁଣା ଏଫଡିଆଇ ଭାରତକୁ ଆସିପାରିଛି । ଅଧିକ ଏଫଡିଆଇ ଅର୍ଥ ଭାରତବର୍ଷର ଯୁବକମାନଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି ।
ବନ୍ଧୁଗଣ,
ଆଜି ଭାରତ ମାନୁଫାକଚରିଂ କ୍ଷେତ୍ରରେ ଏକ ବୃହତ ଶକ୍ତି ଭାବେ ଉଭା ହୋଇଛି । ଇଲେକ୍ଟ୍ରୋନିକ୍ସ, ଔଷଧ, ଟୀକା, ପ୍ରତିରକ୍ଷା, ଅଟୋ ନିର୍ମାଣ ଓ ରପ୍ତାନୀ କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶ ଘଟିଛି । ୨୦୧୪ ପରଠାରୁ ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ କ୍ଷେତ୍ରରେ ଭାରତର ଛଅ ଦଫା ବିକାଶ ଘଟିଛି । ଆଜି ଏହା ୧୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଶିଳ୍ପରେ ପରିଣତ ହୋଇପାରିଛି । ଇଲେକ୍ଟ୍ରୋନିକ୍ସ ରପ୍ତାନୀରେ ଆମେ ଚାରି ଲକ୍ଷ କୋଟି ଟଙ୍କା ପାର ହୋଇପାରିଛେ । ଭାରତର ଅଟୋ ଶିଳ୍ପ ଏକ ଦ୍ରୁତ ବିକଶିତ ସେକ୍ଟରରେ ପରିଣତ ହୋଇପାରିଛି । ୨୦୨୫ରେ ଭାରତରେ ଦୁଇ ଚକିଆ ବାଇକ ବିକ୍ରିରୁ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମିଳିଛି । ଲୋକମାନଙ୍କର କ୍ରୟ ଶକ୍ତି ବଢିଥିବା ଏହା ସୂଚାଉଛି । ଆୟକର ଓ ଜିଏସଟି ରିହାତି କ୍ଷେତ୍ରରେ ଅନେକ ସୁଫଳ ମିଳିଛି । ସାରା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ବହୁ ଉଦାହରଣ ରହିଛି ।
ବନ୍ଧୁଗଣ,
ଆଜିର କାର୍ଯ୍ୟକ୍ରମରେ ଆଠ ହଜାରରୁ ଊର୍ଦ୍ଧ୍ୱ ଝିଅ ନିଯୁକ୍ତି ପତ୍ର ପାଇଛନ୍ତି । ଗତ ୧୧ ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ଦୁଇଗୁଣା ମହିଳା ଭାଗିଦାରୀ ଦେଖିବାକୁ ମିଳିଛି । ସରକାରଙ୍କର ମୁଦ୍ରା ଓ ଷ୍ଟାର୍ଟ ଅପ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଆମ ଝିଅମାନେ ବିପୁଳ ଭାବରେ ସୁଫଳ ପାଇଛନ୍ତି । ମହିଳାମାନଙ୍କ ଆତ୍ମ ନିଯୁକ୍ତି ୧୫ ପ୍ରତିଶତ ବୃଦ୍ଧି ପାଇଛି । ଯଦି ଏମଏସଏମଇ କିମ୍ବା ଷ୍ଟାର୍ଟ ଅପ କଥା ମୁଁ କୁହେ ତେବେ ଏଥିରେ ମହିଳା ପ୍ରତିଷ୍ଠାତା ଓ ନିର୍ଦ୍ଦେଶକମାନଙ୍କ ସଂଖ୍ୟା ଅଧିକ ରହିଛି । ସମବାୟ କ୍ଷେତ୍ର କିମ୍ବା ଗାଁରେ କାମ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକରେ ମହିଳାମାନଙ୍କ ଭାଗିଦାରୀ ଯଥେଷ୍ଟ ରହିଛି ।
ବନ୍ଧୁଗଣ,
ଆଜି ସଂସ୍କାର ଏକ୍ସପ୍ରେସରେ ଦେଶ ଯାତ୍ରା କରୁଛି । ଉଭୟ ଜୀବନ ଓ ବ୍ୟବସାୟକୁ ସରଳ କରିବା ପାଇଁ ଏହା ଅଭିପ୍ରେତ । ଜିଏସଟିର ନେକ୍ସଟ ଜେନେରେସନ ସଂସ୍କାର ସମସ୍ତଙ୍କୁ ଲାଭ ଦେଇଛି । ଏହା ମାଧ୍ୟମରେ ଆମ ଯୁବ ଉଦ୍ୟୋଗପତିମାନେ ଲାଭାନ୍ୱିତ ହେଉଛନ୍ତି । ଆମ ଏମଏସଏମଇ ବି ଲାଭାନ୍ୱିତ ହେଉଛି । ନିକଟରେ ଐତିହାସିକ ଶ୍ରମ ଆଇନରେ ଦେଶରେ ସଂସ୍କାର ଆସିଲା । ଏହା ମାଧ୍ୟମରେ ଶ୍ରମିକ, କର୍ମଚାରୀ, ବ୍ୟବସାୟୀ ଖୁବ ଉପକୃତ ହେବେ । ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ନୂଆ ଶ୍ରମ କୋଡ ସାମାଜିକ ସୁରକ୍ଷା ଆଣିଲା ।
ବନ୍ଧୁଗଣ,
ଯେବେ ସଂସ୍କାର ଏକ୍ସପ୍ରେସ କଥା ଚାରିଆଡେ ଚର୍ଚ୍ଚା ହେଉଛି ସେହି ସ୍ଥାନରେ ମୁଁ ଆପଣଙ୍କୁ ଏକ କାମ ଦେବି । ଗତ ପାଂଚ-ସାତ ବର୍ଷ ଭିତରେ କେଉଁ ବାଟରେ ବା କେଉଁ ମାଧ୍ୟମରେ ଆପଣ ସରକାରଙ୍କୁ ଯୋଗାଯୋଗ କରିଛନ୍ତି । ଆପଣ କୌଣସି ସରକାରୀ ଅଫିସରେ କାମ କରିଛନ୍ତି କି । ଅନ୍ୟ ମାଧ୍ୟମରେ କଥା ହୋଇଛନ୍ତି କି । ଆପଣ କେବେ ଅସୁବିଧା ଅନୁଭବ କରିଛନ୍ତି କି । ସେକଥା ଥରେ ଖାଲି ଭାବନ୍ତୁ । ଏବେ ଆପଣ ସେସବୁ କଥା ବିଚାର କରିବେ । ଆପଣଙ୍କ କାର୍ଯ୍ୟକାଳ ଭିତରେ ଅନ୍ୟ ନାଗରିକଙ୍କ ପ୍ରତି ତାହା ହେବାକୁ ଦେବେ ନାହିଁ । ସରକାରଙ୍କର ଏକ ଅଂଶ ହିସାବରେ ଆପଣ ଆପଣଙ୍କ ବାଟରେ ଆପଣ ବି କିଛି ସଂସ୍କାର କାର୍ଯ୍ୟକ୍ରମ କରିପାରିବେ । ଏଭଳି ଆଭିମୁଖ୍ୟ ନେଇ ଅଗ୍ରସର ହେଲେ ଅଧିକରୁ ଅଧିକ ଲୋକେ ଲାଭାନ୍ୱିତ ହେବେ ।
ସ୍ଥାନୀୟ କ୍ଷେତ୍ରରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ମନୋବୃତି ଓ ଇଜ ଅଫ ଡୁଇଙ୍ଗ ବିଜିନେସ ଓ ଇଜ ଅଫ ଲିଭିଂକୁ ଏହା ଆହୁରି ମଜଭୂତ କରିବ । ଆପଣ ଆଉ ଗୋଟିଏ କଥା ବି ମନେ ରଖିବା ଉଚିତ । ଦ୍ରୁତ ଗତିରେ ପରିବର୍ତନଶୀଳ ପ୍ରଯୁକ୍ତିଗତ ବିଦ୍ୟା କ୍ଷେତ୍ରରେ ଦେଶର ଆବଶ୍ୟକତା ଓ ପ୍ରାଥମିକତା ବି ଦ୍ରୁତ ଗତିରେ ବଦଳିବାରେ ଲାଗିଛି । ଏହି ପରିବର୍ତନଶୀଳ ସମୟରେ ଆପଣ ନିଜକୁ ଅପଡେଟ ରଖିବା ବି ଉଚିତ । ଆଇ ଗଟ କର୍ମଯୋଗୀ ପ୍ଲାଟଫର୍ମର ଆପଣ ସଦୁପଯୋଗ କରିବା ଉଚିତ । ଆଇ ଗଟ କର୍ମଯୋଗୀ ପ୍ଲାଟଫର୍ମରେ ଏତେ କମ ସମୟ ଭିତରେ ଦେଢ କୋଟି ସରକାରୀ କର୍ମଚାରୀ ତାଲିମ ନେବା ସହ ନିଜକୁ ସଶକ୍ତ କରିପାରିଛନ୍ତି ।
ବନ୍ଧୁଗଣ,
ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ସାଧାରଣ ସରକାରୀ କର୍ମଚାରୀ, ଆମେ ସମସ୍ତ ସେବକ ଓ ଆମ ସମସ୍ତଙ୍କର ଗୋଟିଏ ସାଧାରଣ ମନ୍ତ୍ର ରହିଛି । ତାହା ହେଲା ନାଗରିକ ଦେବୋ ଭବ ଅର୍ଥାତ ନାଗରିକଟିଏ ଦେବତାଙ୍କ ସହ ସମାନ । ଏହି ମନ୍ତ୍ରକୁ ନେଇ ଆମକୁ କାମ କରିବାକୁ ପଡିବ । ଆପଣଙ୍କ ଜୀବନରେ ନୂଆ ବସନ୍ତ ଆସିବା ପରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେଲା । ଆଉ ଆପଣମାନଙ୍କ ମାଧ୍ୟମରେ ହିଁ ୨୦୪୭ ସୁଦ୍ଧା ବିକଶିତ ଭାରତ ତିଆରି ହୋଇପାରିବ । ମୋ ପକ୍ଷରୁ ଆନ୍ତରିକ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।
PBD
(रिलीज़ आईडी: 2218973)
आगंतुक पटल : 4
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Telugu
,
Kannada
,
Malayalam