ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୟା ରାୟପୁରରେ ଛତିଶଗଡ଼ ରଜତ ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
01 NOV 2025 7:31PM by PIB Bhubaneshwar
ଭାରତ ମାତା କି ଜୟ!
ଭାରତ ମାତା କି ଜୟ!
ମାଈ ଦନ୍ତେଶ୍ୱରୀ କି ଜୟ!
ମା’ ମହାମାୟା କି ଜୟ!
ମା' ବମ୍ଳେଶ୍ୱରୀ କି ଜୟ!
ଛତିଶଗଡ଼ ମହତାରୀ କି ଜୟ!
ଛତିଶଗଡ଼ର ରାଜ୍ୟପାଳ, ରାମେନ ଡେକା ଜୀ, ରାଜ୍ୟର ଲୋକପ୍ରିୟ ଏବଂ ଗତିଶୀଳ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ବରିଷ୍ଠ ସାଥି ଜୁଏଲ ଓରାମ ଜୀ, ଦୁର୍ଗା ଦାସ ଉଇକେ ଜୀ ଏବଂ ତୋଖାନ ସାହୁ ଜୀ, ରାଜ୍ୟ ବିଧାନସଭାର ବାଚସ୍ପତି ଅଧ୍ୟକ୍ଷ, ରମଣ ସିଂହ ଜୀ, ଉପମୁଖ୍ୟମନ୍ତ୍ରୀ ଅରୁଣ ସାହୁ ଜୀ, ବିଜୟ ଶର୍ମା ଜୀ, ଉପସ୍ଥିତ ମନ୍ତ୍ରୀଗଣ, ଜନ ପ୍ରତିନିଧିଗଣ ଏବଂ ବିଶାଳ ସଂଖ୍ୟାରେ ମୋର ପ୍ରିୟ, ଛତିଶଗଡ଼ର କୋଣ-ଅନୁକୋଣରୁ ଆସିଥିବା ସମସ୍ତ ପ୍ରିୟ ଭାଇ ଓ ଭଉଣୀମାନେ।
ଛତିଶଗଡ଼ର ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ, ପିଲାମାନଙ୍କୁ, ବୟସ୍କମାନଙ୍କୁ, ମାଆମାନଙ୍କୁ ହାତ ଯୋଡ଼ି ଜୟ ଜୋହର!
ଆଜି ଛତିଶଗଡ଼ ରାଜ୍ୟ ଗଠନ ହେବାର 25 ବର୍ଷ ପୂରଣ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ, ମୁଁ ଛତିଶଗଡ଼ର ସମସ୍ତ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।
ଭାଇ ଓ ଭଉଣୀମାନେ,
ଏହି ରାଜ୍ୟର ମୋର ଛତିଶଗଡିଆ ଭାଇ ଓ ଭଉଣୀମାନଙ୍କ ସହିତ ଛତିଶଗଡ଼ ଗଠନର ରୌପ୍ୟ ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରିବା ମୋ ପାଇଁ ଏକ ବଡ଼ ସୌଭାଗ୍ୟର ବିଷୟ। ଆପଣମାନେ ସମସ୍ତେ ଭଲ ଭାବେ ଜାଣନ୍ତି ଯେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ ଛତିଶଗଡ଼ ଗଠନ ହେବା ପୂର୍ବର ସମୟକୁ ମଧ୍ୟ ମୁଁ ଦେଖିଛି, ଏବଂ ସେବେଠାରୁ ମୁଁ ଏହାର 25 ବର୍ଷର ଯାତ୍ରାର ସାକ୍ଷୀ ମଧ୍ୟ ରହିଆସିଛି। ତେଣୁ, ଏହି ଗୌରବମୟ ମୁହୂର୍ତ୍ତର ଅଂଶବିଶେଷ ହେବା ମୋ ପାଇଁ ମଧ୍ୟ ଏକ ଅଦ୍ଭୁତ ଅନୁଭବ।
ବନ୍ଧୁଗଣ,
ଆମେ 25 ବର୍ଷର ଯାତ୍ରା ପୂରଣ କରିଛୁ। 25 ବର୍ଷର ଏକ ଅଧ୍ୟାୟ ସମାପ୍ତ ହୋଇଛି, ଏବଂ ଆଜି ଆମେ ଆଗାମୀ 25 ବର୍ଷର ସୂର୍ଯ୍ୟୋଦୟର, ଏକ ନୂତନ ଯୁଗର ସାକ୍ଷୀ ହେଉଛୁ। ଆପଣ ସମସ୍ତେ ମୋ ପାଇଁ ଗୋଟିଏ କାମ କରିବେ କି? କୁହନ୍ତୁ, ଆପଣ ଏହା କରିବେ କି? ହଁ? ଆପଣଙ୍କ ମୋବାଇଲ୍ ଫୋନ୍ ବାହାର କରନ୍ତୁ, ଫ୍ଲାସଲାଇଟ୍ ଅନ୍ କରନ୍ତୁ, କାରଣ ଆଗାମୀ 25 ବର୍ଷର ସୂର୍ଯ୍ୟଦୋୟ ହୋଇସାରିଛି! ଆପଣଙ୍କ ହାତରେ ଥିବା ପ୍ରତ୍ୟେକ ମୋବାଇଲ ଫୋନର ଫ୍ଲାସଲାଇଟ୍ ଅନ୍ କରନ୍ତୁ। ମୁଁ ଏହାକୁ ସବୁଆଡ଼େ ଦେଖିପାରୁଛି। ନୂତନ ସ୍ୱପ୍ନର ସୂର୍ଯ୍ୟ ଆପଣଙ୍କ ହାତରେ ଉଦୟ ହେଉଛନ୍ତି। ମୁଁ ଆପଣଙ୍କ ହାତରେ ନୂତନ ସଂକଳ୍ପର ଆଲୋକ ଦେଖିପାରୁଛି। ଆପଣଙ୍କ କଠିନ ପରିଶ୍ରମ ସହିତ ଜଡିତ ଆଲୋକ ଆପଣଙ୍କ ଭାଗ୍ୟକୁ ଗଢି ତୋଳିବ।
ବନ୍ଧୁଗଣ,
ପଚିଶ ବର୍ଷ ପୂର୍ବେ ଅଟଳଜୀଙ୍କ ସରକାର ଆପଣଙ୍କୁ ଆପଣଙ୍କ ସ୍ୱପ୍ନର ଛତିଶଗଡ଼ ଦାୟିତ୍ୱ ଦେଇଥିଲେ। ଏହା ସହିତ ସେ ପ୍ରତିଶ୍ରୁତି ମଧ୍ୟ ନେଇଥିଲେ ଯେ ଛତିଶଗଡ଼ ବିକାଶର ନୂତନ ଶିଖରରେ ପହଞ୍ଚିବ। ଆଜି ଯେତେବେଳେ ମୁଁ ଗତ 25 ବର୍ଷର ଏହି ଯାତ୍ରାକୁ ଦେଖୁଛି, ସେତେବେଳେ ମୋ ମୁଣ୍ଡ ଗର୍ବରେ ଉପରକୁ ଉଠି ଯାଇଥାଏ। ଛତିଶଗଡ଼ର ମୋର ସମସ୍ତ ଭାଇ ଓ ଭଉଣୀମାନେ ମିଳିତ ଭାବେ ସେମାନେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛନ୍ତି। 25 ବର୍ଷ ପୂର୍ବେ ଯେଉଁ ବୀଜ ବୁଣାଯାଇଥିଲା, ତାହା ଏବେ ବିକାଶର ଏକ ଶକ୍ତିଶାଳୀ ବୃକ୍ଷରେ ପରିଣତ ହୋଇଛି। ଛତିଶଗଡ଼ ଆଜି ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆଜି ମଧ୍ୟ ଛତିଶଗଡ଼କୁ ଗଣତନ୍ତ୍ରର ଏକ ନୂତନ ମନ୍ଦିର, ନୂତନ ବିଧାନସଭା ଭବନ ମିଳିଛି। ଏଠାକୁ ଆସିବା ପୂର୍ବରୁ ମୋତେ ଆଦିବାସୀ ସଂଗ୍ରହାଳୟର ଉଦଘାଟନ କରିବାର ସୁଯୋଗ ମଧ୍ୟ ମିଳିଥିଲା। ଏବଂ ଏହି ପର୍ଯ୍ୟାୟରୁ ପ୍ରାୟ 14 ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି। ବିକାଶର ଏହି ସମସ୍ତ ସଫଳତା ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
2000 ମସିହା ପରଠାରୁ ଏକ ସମ୍ପୂର୍ଣ୍ଣ ପିଢ଼ି ବଦଳି ଯାଇଛି । ଆଜି ଏଠାରେ ଏକ ନୂଆ ଯୁବା ପିଢ଼ି ଅଛନ୍ତି, ଯେଉଁମାନେ 2000 ମସିହା ପୂର୍ବର ସେହି ପୁରୁଣା ଦିନ ଦେଖିନାହାନ୍ତି। ଯେତେବେଳେ ଛତିଶଗଡ଼ ଗଠନ ହୋଇଥିଲା, ସେତେବେଳେ ଗାଁ ପର୍ଯ୍ୟନ୍ତ ପହଞ୍ଚିବା କଷ୍ଟକର ଥିଲା। ସେହି ସମୟରେ ଅନେକ ଗ୍ରାମରେ ରାସ୍ତାର ଚିହ୍ନ-ବର୍ଣ୍ଣ ମଧ୍ୟ ନ ଥିଲା। କିନ୍ତୁ ଆଜି ଛତିଶଗଡ଼ର ଗ୍ରାମଗୁଡ଼ିକ 40,000 କିଲୋମିଟର ଦୀର୍ଘ ସଡ଼କ ନେଟୱାର୍କ ଦ୍ୱାରା ସଂଯୁକ୍ତ। ଗତ ଏଗାର ବର୍ଷ ମଧ୍ୟରେ ରାଜ୍ୟରେ ଜାତୀୟ ରାଜପଥର ଅଭୂତପୂର୍ବ ସମ୍ପ୍ରସାରଣ ହୋଇଛି। ନୂଆ ନୂଆ ଏକ୍ସପ୍ରେସୱେ ଏବେ ଛତିଶଗଡ଼ର ଗୌରବର ପ୍ରତୀକ ଭାବେ ଉଭା ହେଉଛି। ପୂର୍ବରୁ ରାୟପୁରରୁ ବିଳାସପୁର ଯାତ୍ରା କରିବା ପାଇଁ ଅନେକ ଘଣ୍ଟା ଲାଗି ଯାଉଥିଲା। ଏବେ ସେହି ସମୟକୁ ଅଧା କରିଦିଆଯାଇଛି। ଏବଂ ଆଜି ମଧ୍ୟ ଏକ ନୂଆ ଚାରି ଲେନ ବିଶିଷ୍ଟ ରାଜପଥର ଶୁଭାରମ୍ଭ କରାଯାଇଛି। ଏହି ରାଜପଥ ଝାଡ଼ଖଣ୍ଡ ସହିତ ଛତିଶଗଡ଼ର ସଂଯୋଗକୁ ଆହୁରି ବୃଦ୍ଧି କରିବ।
ବନ୍ଧୁଗଣ,
ଛତିଶଗଡ଼ର ରେଳ ଏବଂ ବିମାନ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ହୋଇଛି। ଆଜି ଛତିଶଗଡ଼ରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି। ରାୟପୁର, ବିଳାସପୁର ଏବଂ ଜଗଦଲପୁର ଭଳି ସହରଗୁଡ଼ିକ ଏବେ ସିଧାସଳଖ ବିମାନ ସେବା ଦ୍ୱାରା ସଂଯୁକ୍ତ। ଏକଦା ଛତିଶଗଡ଼ କେବଳ କଞ୍ଚାମାଲ ରପ୍ତାନୀ ପାଇଁ ଜଣାଶୁଣା ଥିଲା, କିନ୍ତୁ ଆଜି ଏହା ଏକ ଶିଳ୍ପ ରାଜ୍ୟ ଭାବରେ ମଧ୍ୟ ଏକ ନୂତନ ଭୂମିକାରେ ଉଭା ହେଉଛି।
ବନ୍ଧୁଗଣ,
ଗତ 25 ବର୍ଷ ମଧ୍ୟରେ ଛତିଶଗଡ଼ ଯାହା ହାସଲ କରିଛି, ସେଥିରେ ଯୋଗଦାନ ଦେଇଥିବା ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ, ପ୍ରତ୍ୟେକ ସରକାରଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । କିନ୍ତୁ ଏହାର ବହୁତ ବଡ ଶ୍ରେୟ ଡ. ରମଣ ସିଂହ ଜୀଙ୍କୁ ଯାଉଛି। ସେତେବେଳେ ସେ ଛତିଶଗଡ ନେତୃତ୍ଵ ନେଇଥିଲେ, ମୁଁ ଖୁସି ଯେ ଆଜି ସେ ଯେତେବେଳେ ରାଜ୍ୟ ସମ୍ମୁଖରେ ଅନେକ ଆହ୍ଵାନ ଥିଲା, ବିଧାନସଭାର ଅଧ୍ୟକ୍ଷ ଭାବରେ ନିଜର ମାର୍ଗଦର୍ଶନ ଜାରି ରଖିଛନ୍ତି, ଏବଂ ବିଷ୍ଣୁ ଦେଓ ସାଇ ଜୀଙ୍କ ସରକାର ଛତିଶଗଡ଼ର ବିକାଶକୁ ଦ୍ରୁତ ଗତିରେ ଆଗକୁ ନେଉଛନ୍ତି।
ବନ୍ଧୁଗଣ,
ଆପଣମାନେ ସମସ୍ତେ ମୋତେ ଭଲ ଭାବେ ଜାଣନ୍ତି, ଆଜି ମଧ୍ୟ ଯେତେବେଳେ ମୁଁ ମୋ ଜିପ୍ ଦେଇ ବାହାରୁ ଥିଲି, ମୁଁ ଅନେକ ପରିଚିତ ଚେହେରା ଦେଖିଥିଲି, ଏବଂ ମୋର ହୃଦୟ ଖୁସିରେ ଭରି ଯାଇଥିଲା| ବୋଧହୁଏ ଏହି ମାଟିରେ ଏପରି କୌଣସି ଅଂଶ ନାହିଁ, ଯାହା ମୁଁ ଦେଖିନାହିଁ, ଏବଂ ସେଥିପାଇଁ ଆପଣମାନେ ମୋତେ ଏତେ ଭଲ ଭାବରେ ଜାଣନ୍ତି।
ବନ୍ଧୁଗଣ,
ମୁଁ ଦାରିଦ୍ର୍ୟକୁ ଅତି ନିକଟରୁ ଦେଖିଛି। ମୁଁ ଜାଣିଛି, ଜଣେ ଗରିବ ଲୋକର ଚିନ୍ତା କ’ଣ ଥାଏ, ଗରିବଙ୍କର ଏବଂ ଅସହାୟତା କ’ଣ ଥାଏ । ସେଥିପାଇଁ, ଯେତେବେଳେ ଦେଶ ମୋତେ ସେବା କରିବାର ସୁଯୋଗ ଦେଲା, ସେତେବେଳେ ମୁଁ ଗରିବଙ୍କ କଲ୍ୟାଣକୁ ଆମ କାର୍ଯ୍ୟର କେନ୍ଦ୍ରରେ ରଖିଥିଲି। ଗରିବ ଲୋକଙ୍କ ଔଷଧ, ଗରିବଙ୍କ ଜୀବିକା, ଗରିବଙ୍କ ଶିକ୍ଷା ଏବଂ ଗରିବଙ୍କ ପାଇଁ ଜଳସେଚନର ସୁବିଧା , ଏହା ଆମ ସରକାର ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି। ମୁଁ ଆପଣଙ୍କୁ ଗୋଟିଏ ଉଦାହରଣ ଦେଉଛି।
ବନ୍ଧୁଗଣ,
ପଚିଶ ବର୍ଷ ପୂର୍ବେ, ଆମ ଛତିଶଗଡ଼ରେ କେବଳ ଗୋଟିଏ ମେଡ଼ିକାଲ କଲେଜ ଥିଲା, ଆଜି ରାଜ୍ୟରେ 14ଟି ମେଡ଼ିକାଲ କଲେଜ ରହିଛି, ରାୟପୁରରେ ଆମର ଏକ ଏମ୍ସ ମଧ୍ୟ ରହିଛି। ମୋର ଏବେ ବି ମନେ ଅଛି, ସାରା ଦେଶରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଭିଯାନ ମଧ୍ୟ ଛତିଶଗଡ଼ରୁ ଆରମ୍ଭ ହୋଇଥିଲା। ଆଜି ଛତିଶଗଡ଼ରେ ସାଢେ ପାଞ୍ଚ ହଜାରରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟ କରୁଛି।
ବନ୍ଧୁଗଣ,
ଆମର ନିରନ୍ତର ପ୍ରୟାସ ହେଉଛି ଗରିବଙ୍କ ପାଇଁ ମର୍ଯ୍ୟାଦାର ଜୀବନ ସୁନିଶ୍ଚିତ କରିବା। ବସ୍ତି ଏବଂ କଚ୍ଚା ଘରେ ଗରିବଙ୍କ ଜୀବନ ପ୍ରାୟତଃ ନିରାଶା ଆଣିଥାଏ, ସେଥିପାଇଁ ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼ିବା ପାଇଁ ସେମାନଙ୍କର ସାହସ ନ ଥାଏ | ସେଥିପାଇଁ ଆମ ସରକାର ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କୁ ଏକ ସ୍ଥାୟୀ ପକ୍କା ଘର ପ୍ରଦାନ କରିବାର ସଂକଳ୍ପ ନେଇଥିଲେ। ବିଗତ 11 ବର୍ଷ ମଧ୍ୟରେ ସାରା ଦେଶରେ 4 କୋଟି ଗରିବ ପରିବାରକୁ ପକ୍କା ଘର ମିଳିଛି। ଏବେ ଆମେ ଆହୁରି ତିନି କୋଟି ନୂଆ ଘର ନିର୍ମାଣ କରିବାର ସଂକଳ୍ପ ନେଇ ଆଗକୁ ବଢ଼ୁଛୁ। ଆଜି ମଧ୍ୟ ଏହି ଦିନ ଛତିଶଗଡ଼ର ସାଢ଼େ ତିନି ଲକ୍ଷରୁ ଅଧିକ ପରିବାରକୁ ନିଜ ନୂଆ ଘରେ ଗୃହ- ପ୍ରବେଶ କରୁଛନ୍ତି। ପାଖାପାଖି ତିନି ଲକ୍ଷ ପରିବାରକୁ 1200 କୋଟି ଟଙ୍କାର କିସ୍ତି ମଧ୍ୟ ମିଳିଛି।
ବନ୍ଧୁଗଣ,
ଏହା ଦର୍ଶାଉଛି ଯେ ଛତିଶଗଡ଼ର ବିଜେପି ସରକାର ଗରିବଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ କେତେ ଗମ୍ଭୀରତାର ସହ କାର୍ଯ୍ୟ କରୁଛି। କେବଳ ଗତ ଏକ ବର୍ଷ ମଧ୍ୟରେ ଆମ ଛତିଶଗଡ଼ରେ ସାତ ଲକ୍ଷ ସ୍ଥାୟୀ ଗୃହ ନିର୍ମାଣ କରାଯାଇଛି। ଏବଂ ଏହା କେବଳ ସଂଖ୍ୟା ନୁହେଁ। ପ୍ରତ୍ୟେକ ଘର ପଛରେ ଥାଏ ପରିବାରର ସ୍ୱପ୍ନ, ପରିବାରର ସୁଖ। ମୁଁ ସମସ୍ତ ହିତାଧିକାରୀ ପରିବାରଗୁଡିକୁ ବହୁତ-ବହୁତ ଶୁଭକାମନା ଜଣାଉଛି।
ବନ୍ଧୁଗଣ,
ଆମ ସରକାର ଛତିଶଗଡ଼ର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ, ଆପଣଙ୍କ ଦୈନନ୍ଦିନ ଜୀବନର ଅସୁବିଧାକୁ ହ୍ରାସ କରିବା ପାଇଁ , ନିରନ୍ତର କାର୍ଯ୍ୟ କରୁଛନ୍ତି। ଆଜି ଛତିଶଗଡ଼ର ପ୍ରତ୍ୟେକ ଗ୍ରାମରେ ବିଦ୍ୟୁତ ପହଞ୍ଚିଛି। ଯେଉଁଠି କେବେ ବିଜୁଳି ସ୍ୱପ୍ନ ଥିଲା, ଆଜି ସେହି ଅଞ୍ଚଳରେ ଇଣ୍ଟରନେଟ ମଧ୍ୟ ପହଞ୍ଚିଛି। ଏକ ସମୟ ଥିଲା ଯେତେବେଳେ ରୋଷେଇ ଗ୍ୟାସ୍ ସିଲିଣ୍ଡର କିମ୍ବା ଏଲପିଜି ସଂଯୋଗ ଏକ ସାଧାରଣ ପରିବାର ପାଇଁ ଏକ ବଡ ସ୍ବପ୍ନ ଥିଲା | ଯଦି ଗୋଟିଏ ଘରକୁ ଗ୍ୟାସ୍ ସିଲିଣ୍ଡର୍ ମିଳେ, ତେବେ ଅନ୍ୟମାନେ ଦୂରରୁ ଚାହିଁ କହିବେ, "ଏହା ନିଶ୍ଚିତ ଭାବରେ ଜଣେ ଧନୀ ବ୍ୟକ୍ତିଙ୍କ ଘର ଥିବ । ଏହା କେବେ ଆମ ପାଖରେ ପହଞ୍ଚିବ? "ମୋ ପାଇଁ, ଦାରିଦ୍ର୍ୟ ସହ ଲଢ଼ୁଥିବା ପ୍ରତ୍ୟେକ ପରିବାର ମୋର ନିଜସ୍ୱ ପରିବାର ଏବଂ ସେଥିପାଇଁ ମୁଁ ଉଜ୍ଜ୍ୱଳା ଗ୍ୟାସ୍ ସିଲିଣ୍ଡର୍ ସେମାନଙ୍କ ଘରେ ପହଞ୍ଚାଇବା ସୁନିଶ୍ଚିତ କଲି। ଆଜି ସମଗ୍ର ଛତିଶଗଡ଼ରେ ଗରିବ, ଦଳିତ, ପଛୁଆ ବର୍ଗ, ଆଦିବାସୀ ପରିବାରଙ୍କ ଘରେ ଗ୍ୟାସ ସଂଯୋଗ ପହଞ୍ଚିଛି। ଆଉ ଏବେ ଆମର ପରବର୍ତ୍ତୀ ଲକ୍ଷ୍ୟ ହେଉଛି, ଯେପରି ପାଇପ୍ ଜରିଆରେ ରୋଷେଇ ଘରେ ପାଣି ପହଞ୍ଚିବ, ସେହିଭଳି ପାଇପଲାଇନ୍ ଜରିଆରେ ସୁଲଭ ମୂଲ୍ୟର ଗ୍ୟାସ୍ ମଧ୍ୟ ଯୋଗାଇ ଦିଆଯିବ। ଆଜି ନାଗପୁର-ଝାରସୁଗୁଡ଼ା ଗ୍ୟାସ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ମୁଁ ଛତିଶଗଡ଼ର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଛତିଶଗଡ଼ରେ ଦେଶର ଏକ ବିଶାଳ ଆଦିବାସୀ ଜନସଂଖ୍ୟା ରହିଛି । ଏହା ସେହି ଆଦିବାସୀ ସମାଜ ଅଟେ, ଯାହାର ଏକ ଗୌରବମୟ ଇତିହାସ ରହିଛି । ଯାହା ଭାରତର 'ବିରାସତ’ (ଐତିହ୍ୟ) ଏବଂ ‘ବିକାଶ’ (ପ୍ରଗତି) ରେ ବହୁତ ବଡ ଯୋଗଦାନ ଦେଇଛି। ଆମେ ନିରନ୍ତର କାର୍ଯ୍ୟ କରୁଛୁ ଯାହା ଦ୍ୱାରା ସମଗ୍ର ଦେଶ ଏବଂ ବିଶ୍ୱ ଆମର ଆଦିବାସୀ ସମ୍ପ୍ରଦାୟର ଅବଦାନକୁ ସ୍ୱୀକୃତି ଦେଇଥାଏ। ସମଗ୍ର ଦେଶରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସଂଗ୍ରହାଳୟ ନିର୍ମାଣ କରିବା ହେଉ କିମ୍ବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ 'ଜନଜାତି ଗୌରବ ଦିବସ’ ଭାବେ ଘୋଷଣା କରିବା ହେଉ, ଆଦିବାସୀ ସମାଜର ଯୋଗଦାନକୁ ସର୍ବଦା ଗର୍ବର ସହ ପାଳନ କରିବା ପାଇଁ ଆମର ପ୍ରୟାସ ରହିଛି।
ବନ୍ଧୁଗଣ,
ଏହି ଦିଗରେ ଆମେ ଆଜି ଆଉ ଏକ ବଡ଼ ପଦକ୍ଷେପ ନେଇଛୁ। ଆଜି ଦେଶକୁ, ସହିଦ ବୀର ନାରାୟଣ ସିଂହ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଗ୍ରହାଳୟ ମିଳିଛି। ଏହି ସଂଗ୍ରହାଳୟ ଦେଶର ସ୍ୱାଧୀନତା ପୂର୍ବରୁ 150 ବର୍ଷରୁ ଅଧିକ ସମୟ ଧରି ଆଦିବାସୀ ସମ୍ପ୍ରଦାୟର ସଂଘର୍ଷର ଇତିହାସକୁ ଦର୍ଶାଉଛି, ଉପସ୍ଥାପନ କରେ। ଦେଶର ସ୍ୱାଧୀନତା ପାଇଁ ଆମର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନେ କିପରି ସ୍ଵାଧୀନତା ସଂଗ୍ରାମରେ ଲଢ଼ିଥିଲେ, ତାହା ଏଥିରେ ବିସ୍ତୃତ ଭାବେ ଦର୍ଶାଯାଇଛି। ମୋର ବିଶ୍ୱାସ ଯେ ଏହି ସଂଗ୍ରହାଳୟ, ଆଗାମୀ ବର୍ଷଗୁଡ଼ିକ ପର୍ଯ୍ୟନ୍ତ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ।
ବନ୍ଧୁଗଣ,
ଗୋଟିଏ ପଟେ ଆମ ସରକାର ଆଦିବାସୀ ଐତିହ୍ୟର ସୁରକ୍ଷା କରୁଛନ୍ତି, ଏବଂ ଅନ୍ୟ ପଟେ ଆଦିବାସୀ ସମ୍ପ୍ରଦାୟର ବିକାଶ ଏବଂ କଲ୍ୟାଣ ଉପରେ ସମାନ ଗୁରୁତ୍ୱ ଦେଉଛନ୍ତି। ଧରତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ, ସମଗ୍ର ଦେଶରେ ହଜାର ହଜାର ଆଦିବାସୀ ଗ୍ରାମରେ ବିକାଶର ଏକ ନୂତନ ଆଲୋକ ଆଣୁଛି। ଏହା ପାଖାପାଖି ଅଶି ହଜାରେ କୋଟି ଟଙ୍କାର ଏକ ଯୋଜନା ରହିଛି । ଅଶି ହଜାର କୋଟି ! ସ୍ୱାଧୀନ ଭାରତ ପରଠାରୁ ଆଦିବାସୀ ଅଞ୍ଚଳରେ ଏତେ ବଡ଼ ଧରଣର କାର୍ଯ୍ୟ କେବେ କରାଯାଇ ନାହିଁ। ସେହିଭଳି, ପ୍ରଥମ ଥର ପାଇଁ ସର୍ବାଧିକ ପଛୁଆ ଜନଜାତିର ବିକାଶ ପାଇଁ ଏକ ଉତ୍ସର୍ଗୀକୃତ ଜାତୀୟ ଯୋଜନା ପ୍ରସ୍ତୁତ କରାଯାଇଛି। ପିଏମ-ଜନମନ କାର୍ଯ୍ୟକ୍ରମ ଅଧୀନରେ ଏହି ପଛୁଆ ଆଦିବାସୀ ସମ୍ପ୍ରଦାୟର ହଜାର ହଜାର ବସ୍ତିରେ ବିକାଶ କାର୍ଯ୍ୟ ଚାଲିଛି।
ବନ୍ଧୁଗଣ,
ପିଢ଼ି ପିଢ଼ି ଧରି ଆଦିବାସୀ ସମ୍ପ୍ରଦାୟମାନେ ବଞ୍ଚିବା ପାଇଁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଆସିଛନ୍ତି। ଏହା ହେଉଛି ଆମ ସରକାର ଯିଏ ଜଙ୍ଗଲ ଉତ୍ପାଦରୁ ଉନ୍ନତ ଆୟର ସୁଯୋଗ ପ୍ରଦାନ କରିବା ପାଇଁ ବନ-ଧନ କେନ୍ଦ୍ରମାନ ସୃଷ୍ଟି କରିଥିଲେ। ଆମେ ତେନ୍ଦୁ ପତ୍ର ପାଇଁ କ୍ରୟ ବ୍ୟବସ୍ଥାରେ ଉନ୍ନତି କରିଛୁ, ଏବଂ ଆଜି ଛତିଶଗଡ଼ରେ ତେନ୍ଦୁ ପତ୍ର ସଂଗ୍ରହକାରୀମାନେ ପୂର୍ବ ଅପେକ୍ଷା ବହୁତ ଭଲ ମୂଲ୍ୟ ପାଉଛନ୍ତି।
ବନ୍ଧୁଗଣ,
ମୁଁ ଆଜି ମଧ୍ୟ ବହୁତ ଖୁସି ଯେ ଆମର ଛତିଶଗଡ଼ ନକ୍ସଲବାଦ-ମାଓବାଦୀ ଆତଙ୍କବାଦର ବନ୍ଧନରୁ ମୁକ୍ତ ହେଉଛି। ନକ୍ସଲବାଦ କାରଣରୁ ଆପଣ 50-50 ବର୍ଷ ପର୍ଯ୍ୟନ୍ତ ଯାହା କିଛି ସହିଥିଲେ, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ଆଜି ଯେଉଁ ଲୋକମାନେ ବର୍ତ୍ତମାନ ସମ୍ବିଧାନର ପୁସ୍ତକ ପ୍ରଦର୍ଶନ କରୁଛନ୍ତି, ଯେଉଁମାନେ ସାମାଜିକ ନ୍ୟାୟ ନାମରେ କୁମ୍ଭୀର କାନ୍ଦଣା କରି ଲୁହ ବୁହାଉଛନ୍ତି, ସେମାନେ ରାଜନୈତିକ ସ୍ୱାର୍ଥ ପାଇଁ ଦଶନ୍ଧି ଦଶନ୍ଧି ଧରି ଆପଣଙ୍କ ବିରୋଧରେ ଅନ୍ୟାୟ ଜାରି ରଖିଛନ୍ତି।
ବନ୍ଧୁଗଣ,
ମାଓବାଦୀ - ଆତଙ୍କବାଦ କାରଣରୁ, ଛତିଶଗଡ଼ର ଆଦିବାସୀ ଅଞ୍ଚଳ ଦୀର୍ଘ ଦିନ ଧରି ସଡ଼କରୁ ବଞ୍ଚିତ ଥିଲା। ପିଲାମାନେ ସ୍କୁଲ ଯାଇପାରୁ ନ ଥିଲେ, ରୋଗୀମାନେ ଡାକ୍ତରଖାନା ପାଇପାରୁ ନ ଥିଲେ ଏବଂ ଯେଉଁଠି ଏସବୁ ଥିଲା, ସେଠାରେ ବୋମା ବିସ୍ଫୋରଣ ହେଉଥିଲା। ଡାକ୍ତର ଏବଂ ଶିକ୍ଷକମାନଙ୍କୁ ହତ୍ୟା କରାଯାଇଥିଲା, ଏବଂ ଦଶନ୍ଧି ଦଶନ୍ଧି ଧରି ଯେଉଁମାନେ ଦେଶକୁ ଶାସନ କରିଥିଲେ ସେମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ ଜୀବନ ଉପଭୋଗ କରୁଥିବାବେଳେ, ସେମାନଙ୍କୁ ସେମାନଙ୍କ ଅବସ୍ଥାରେ ଛାଡିଦେଉଥିଲେ|
ବନ୍ଧୁଗଣ,
ମୋଦି ନିଜର ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ହିଂସାର ଏହି ଖେଳରେ ନଷ୍ଟ ହେବାକୁ ଛାଡି ପାରିବେ ନାହିଁ। ନିଜ ପିଲାମାନଙ୍କ ପାଇଁ କାନ୍ଦୁଥିବା ଲକ୍ଷ ଲକ୍ଷ ମାଆ-ଭଉଣୀଙ୍କୁ ମୁଁ ଛାଡ଼ି ପାରିଲି ନାହିଁ। ସେଥିପାଇଁ 2014ରେ ଯେତେବେଳେ ଆପଣମାନେ ଆମକୁ ସୁଯୋଗ ଦେଲେ, ସେତେବେଳେ ଆମେ ଭାରତକୁ ମାଓବାଦୀ ଆତଙ୍କବାଦରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେଇଥିଲୁ। ଆଉ ଆଜି ଦେଶ ଏହାର ପରିଣାମ ଦେଖୁଛି। ଏଗାର ବର୍ଷ ପୂର୍ବେ, ଦେଶର ପ୍ରାୟ 125ଟି ଜିଲ୍ଲା, ମାଓବାଦୀ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିଲା ଆଜି, ସେହି 125ଟି ଜିଲ୍ଲା ମଧ୍ୟରୁ କେବଳ ତିନୋଟି ଜିଲ୍ଲା ବଞ୍ଚିଥିଲା, ଯେଉଁଠାରେ ମାଓବାଦୀ କାର୍ଯ୍ୟକଳାପ ଏବେ ମଧ୍ୟ ଅଳ୍ପ-ବହୁତ କିଛି ଉପସ୍ଥିତି ଦେଖାଇବାକୁ ମିଳୁଛି, କିନ୍ତୁ ମୁଁ ଦେଶବାସୀକୁ ମୋର ଗ୍ୟାରେଣ୍ଟି ଦେଉଛି ଯେ, ସେହି ଦିନ ଆଉ ଦୂର ନୁହେଁ , ଯେତେବେଳେ ଆମର ଛତିଶଗଡ଼, ଆମର ଭାରତ, ଏହି ଦେଶର ପ୍ରତ୍ୟେକ କୋଣରୁ ମାଓବାଦୀ ଆତଙ୍କବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବ ।
ବନ୍ଧୁଗଣ,
ଏଠିକାର ଛତିଶଗଡ଼ରେ ଯେଉଁ ସାଥି, ହିଂସାର ପଥରେ ବାହାରି ପଡିଥିଲେ, ସେମାନେ ଏବେ ଦ୍ରୁତ ଗତିରେ ଅସ୍ତ୍ରଶସ୍ତ୍ର ସମର୍ପଣ କରୁଛନ୍ତି। କିଛି ଦିନ ପୂର୍ବରୁ, 20ରୁ ଅଧିକ ନକ୍ସଲ କାଂକେରର ମୁଖ୍ୟଧାରାକୁ ଫେରିଥିଲେ। ଏହାପୂର୍ବରୁ, ଅକ୍ଟୋବର 17 ରେ, 200 ରୁ ଅଧିକ ନକ୍ସଲ ବସ୍ତରରେ ଆତ୍ମସମର୍ପଣ କରିଥିଲେ। କେବଳ ଗତ କିଛି ମାସ ମଧ୍ୟରେ, ସମଗ୍ର ଦେଶରେ ମାଓବାଦୀ ଆତଙ୍କବାଦ ସହ ଜଡ଼ିତ ଡର୍ଜନ ଡର୍ଜନ ଲୋକ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଏକଦା ଲକ୍ଷ-ଲକ୍ଷ, କୋଟି-କୋଟି ଟଙ୍କା ମୂଲ୍ୟର ପୁରସ୍କାର ରଖାଯାଇଥିଲା। ଏବେ ସେମାନେ ବନ୍ଧୁକ ଛାଡି, ଅସ୍ତ୍ରଶସ୍ତ୍ର ଛାଡି ଦେଶର ସମ୍ବିଧାନକୁ ଗ୍ରହଣ କରିଛନ୍ତି।
ବନ୍ଧୁଗଣ,
ମାଓବାଦୀ ଆତଙ୍କବାଦର ସମାପ୍ତି, ଯାହା ଏକଦା ଅସମ୍ଭବ ମନେ ହେଉଥିଲା, ତାହାକୁ ବାସ୍ତବତାରେ ପରିଣତ କରିଦେଇଛି। ଏକଦା ବୋମା ଏବଂ ବନ୍ଧୁକ ଭୟ ଦ୍ୱାରା କବଳିତ ସ୍ଥାନଗୁଡିକ ସମ୍ପୂର୍ଣ୍ଣ ବଦଳି ଯାଇଛି| ବିଜାପୁରର ଚିଲକାପଲ୍ଲୀ ଗ୍ରାମରେ ସାତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିଦ୍ୟୁତ ସଂଯୋଗ ହୋଇଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଅବୁଝାମାଡ ରେକାୱାୟା ଗ୍ରାମରେ ଏକ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଉ ଏକଦା ଆତଙ୍କବାଦର ଗଡ଼ ଭାବେ ପରିଚିତ ଥିବା ପୁବର୍ତି ଗାଁ ଏବେ ବିକାଶର ଏକ ତରଙ୍ଗ ଦେଖୁଛି,ଯେଉଁଠି ଦିନେ ଲାଲ ପତାକା ଉଡ଼ୁଥିଲା, ଆଜି ଗର୍ବର ସହ ତ୍ରିରଙ୍ଗା ଉଡୁଛି। ଏବେ ବସ୍ତର ଭଳି ଅଞ୍ଚଳରେ କୌଣସି ଭୟ ନାହିଁ, ଉତ୍ସବର ବାତାବରଣ ରହିଛି। ବସ୍ତର ପାଣ୍ଡୁମ ଏବଂ ବସ୍ତର ଅଲିମ୍ପିକ୍ସ ଭଳି ଉତ୍ସବ ଆୟୋଜନ କରାଯାଉଛି।
ବନ୍ଧୁଗଣ,
ଆପଣ କଳ୍ପନା କରିପାରୁଥିବେ, ଯଦି ନକ୍ସାଲବାଦର ଆହ୍ୱାନ ସତ୍ତ୍ୱେ, ଆମେ 25 ବର୍ଷରେ ଏତେ ପ୍ରଗତି କରିପାରିବା, ତେବେ ଏହି ଆହ୍ୱାନକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିବା ପରେ, ଆମର ଗତି ଆହୁରି ଅଧିକ ହୋଇଯିବ ।
ବନ୍ଧୁଗଣ,
ଆଗାମୀ ବର୍ଷଗୁଡ଼ିକ ଛତିଶଗଡ଼ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଆମକୁ ଏକ 'ବିକଶିତ ଭାରତ’ ନିର୍ମାଣ କରିବାକୁ ହେବ। ଏଥି ପାଇଁ ଛତିଶଗଡ଼ର ମଧ୍ୟ ବିକାଶ ହେବା ଜରୁରୀ। ଛତିଶଗଡ଼ର ଯୁବକମାନଙ୍କୁ ମୁଁ କହୁଛି ଯେ ଏଥର, ଏହି ଯୁଗ ଆପଣଙ୍କର। ଏପରି କୌଣସି ଲକ୍ଷ୍ୟ ନାହିଁ, ଯାହାକୁ ଆପଣ ହାସଲ କରିପାରିବେ ନାହିଁ। ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଏବଂ ଏହା ହେଉଛି ମୋଦୀଙ୍କର ଗ୍ୟାରେଣ୍ଟି ଯେ ଆପଣମାନଙ୍କ ପ୍ରତ୍ୟେକ ପଦକ୍ଷେପରେ, ଆପଣମାନଙ୍କ ପ୍ରତ୍ୟେକ ସଂକଳ୍ପରେ, ମୋଦୀ ଆପଣଙ୍କ ସହିତ ଠିଆ ହେବେ। ଆମେ ସମସ୍ତେ ମିଶି ଛତିଶଗଡ଼କୁ ଆଗକୁ ନେବା ଏବଂ ଦେଶକୁ ଆଗକୁ ନେବା। ଏହି ବିଶ୍ୱାସ ସହିତ, ମୁଁ ପୁଣିଥରେ ଛତିଶଗଡ଼ର ପ୍ରତ୍ୟେକ ଭାଇ-ଭଉଣୀଙ୍କୁ ହୃଦୟରୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ କରିବା ସହ ସମ୍ପୂର୍ଣ୍ଣ ଶକ୍ତି ର ସହିତ, ଆପଣଙ୍କର ଦୁଇ ହାତ ଉଠାନ୍ତୁ ଏବଂ ମୋ ସହିତ କୁହନ୍ତୁ, ଭାରତ ମାତା କି ଜୟ! ଭାରତ ମାତା କି ଜୟ! ଭାରତ ମାତା କି ଜୟ! ଭାରତ ମାତା କି ଜୟ! ଭାରତ ମାତା କି ଜୟ! ବହୁତ -ବହୁତ ଧନ୍ୟବାଦ!
*****
NS/SLP
(ରିଲିଜ ଆଡି: 2191530)
ପରିଦର୍ଶକ କାଉଣ୍ଟର : 23
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam