ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

‘ବିକଶିତ ଭାରତ ବିଲ୍ଡାଥନ - ୨୦୨୫’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

Posted On: 23 SEP 2025 5:25PM by PIB Bhubaneshwar

 

 

  • ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ରିପୋର୍ଟ ଉନ୍ମୋଚିତ
  • ନୀତି ଆୟୋଗର ରିପୋର୍ଟ "ପ୍ରଗତିର ପଥ: ଭାରତର ନବସୃଜନ କାହାଣୀରେ ବିଶ୍ଳେଷଣ ଏବଂ ଅନ୍ତର୍ଦୃଷ୍ଟି" ଭାରତର ଅଭିବୃଦ୍ଧିର ଦର୍ପଣ
  • ଟ୍ରାଇ ସର୍ଭିସେସ୍ ଏକାଡେମି ଟେକ୍ନୋଲୋଜି ସିମ୍ପୋଜିୟମ ସମାରୋହରେ ହେଲେ ସାମିଲ
  • ବିକଶିତ ଭାରତ ବିଲ୍ଡାଥନ୍ ହେବ ନବସୃଜନ ପୁନର୍ଜାଗରଣର ସ୍ମାରକ
  • ଅପରେସନ ସିନ୍ଦୁର ; ଗବେଷଣା, ନବସୃଜନ ଏବଂ ଶିକ୍ଷାଗତ ଶକ୍ତିର ବିଜୟର ଶକ୍ତିଶାଳୀ ଉଦାହରଣ

 

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୩ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ସାରା ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ବଢାଇବା ଲକ୍ଷ୍ୟରେ ବିକଶିତ ଭାରତ ବିଲ୍ଡାଥନ – ୨୦୨୫(Viksit Bharat Buildathon) ଶୁଭାରମ୍ଭ କରିଛନ୍ତି । ଏହାବ୍ୟତୀତ ଶ୍ରୀ ପ୍ରଧାନ ପୃଥକ କାର୍ଯ୍ୟକ୍ରମରେ ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ଏକ ରିପୋର୍ଟ ଉନ୍ମୋଚନ କରିବା ସହ ଟ୍ରାଇ ସର୍ଭିସେସ୍ ଏକାଡେମି ଟେକ୍ନୋଲୋଜି ସିମ୍ପୋଜିୟମର ଉଦଯାପନୀ ସମାରୋହରେ ଯୋଗଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ବିକଶିତ ଭାରତ ବିଲ୍ଡାଥନ୍ - ୨୦୨୫ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଅଟଳ ଇନୋଭେସନ ମିଶନ, ନୀତି ଆୟୋଗ ଏବଂ ଏଆଇସିଟିଇ ସହଯୋଗରେ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ବିକଶିତ ଭାରତ ବିଲ୍ଡାଥନର ଜିଙ୍ଗଲ୍ ଏବଂ ଲୋଗୋର ମଧ୍ୟ ଶୁଭାରମ୍ଭ କରିଥିଲେ । ସେ କହିଛନ୍ତି, ବିକଶିତ ଭାରତ ବିଲ୍ଡାଥନ୍ ନାମକ ଏକ ବଡ଼ ସ୍କୁଲ ହାକାଥନ୍ ଆରମ୍ଭ କରାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଏବଂ ଉତ୍ପାଦ ବିକାଶ କରିବାର କ୍ଷମତାକୁ ବଢ଼ାଇବା । ଏଥିରେ ଛାତ୍ରଛାତ୍ରୀମାନେ 'ଭୋକାଲ୍ ଫର୍ ଲୋକାଲ’, 'ଆତ୍ମନିର୍ଭର ଭାରତ', 'ସ୍ୱଦେଶୀ', ଏବଂ 'ସମୃଦ୍ଧି' ପରି ଚାରୋଟି ବିଷୟବସ୍ତୁ ଉପରେ କାମ କରିବେ । ଏହି କାର୍ଯ୍ୟକ୍ରମ ଦେଶରେ ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ ଏବଂ ଯୁବପିଢ଼ିଙ୍କୁ ଏକ ଉନ୍ନତ, ବିକଶିତ, ଓ ଆତ୍ମନିର୍ଭର ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରିବ

ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିକଶିତ ଭାରତ ବିଲ୍ଡାଥନ୍ ପୋର୍ଟାଲ୍ (https://vbb.mic.gov.in/) ରେ ପଞ୍ଜିକରଣ କରିବା ପାଇଁ ଏକ ୱିଣ୍ଡୋ ରହିବ ବିଭିନ୍ନ ତାରିଖ ଅନୁସାରେ ଅନ୍ୟାନ୍ୟ କାର୍ଯ୍ୟ ନିର୍ଦ୍ଧାରଣ ହୋଇଥିବା ବେଳେ ଏହି ବିଲ୍ଡାଥନ କାର୍ଯ୍ୟକ୍ରମ ଅକ୍ଟୋବର ୧୩ରୁ ଆରମ୍ଭ ହେବ । ଏହାର ଶେଷ ପର୍ଯ୍ୟାୟ ୨୦୨୬ ଜାନୁଆରୀରେ ଆୟୋଜନ ହୋଇ ଫଳାଫଳ ଘୋଷଣା ହେବ ଏବଂ ଶ୍ରେଷ୍ଠ ୧୦୦୦ରୁ ଅଧିକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଆଉ ଏକ ପୃଥକ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କେନ୍ଦ୍ର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଓ ନୀତି ଆୟୋଗର ସଦସ୍ୟ ଡକ୍ଟର ଭିକେ ସାରସ୍ୱତଙ୍କ ଉପସ୍ଥିତିରେ ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ଏକ ରିପୋର୍ଟ ଉନ୍ମୋଚନ କରିଥିଲେ । ଏହି ରିପୋର୍ଟର ଶୀର୍ଷକ ହେଉଛି ପଥଓ୍ୱେଜ୍ ଟୁ ପ୍ରୋଗ୍ରେସ ଆନାଲିସିସ ଆଣ୍ଡ ଇନସାଇଟ୍ସ ଇନଟୁ ଇଣ୍ଡିଆ ଇନୋଭସନ ଷ୍ଟୋରୀଅର୍ଥାତ୍ "ପ୍ରଗତିର ପଥ: ଭାରତର ନବସୃଜନ କାହାଣୀରେ ବିଶ୍ଳେଷଣ ଏବଂ ଅନ୍ତର୍ଦୃଷ୍ଟି" । ସେ କହିଛନ୍ତି, ଏହା କେବଳ ଏକ ରିପୋର୍ଟ ନୁହେଁ ବରଂ ଭାରତର ଅଭିବୃଦ୍ଧିର ଦର୍ପଣ । ୨୦୪୭ ସୁଦ୍ଧା ସମୃଦ୍ଧ ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ହାସଲ କରିବା ପାଇଁ ଆମେ କିପରି ନବସୃଜନକୁ ବ୍ୟବହାର କରିବୁ ତାହାର ଏକ ରୋଡମ୍ୟାପ୍ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରନ୍ତର ପ୍ରୋତ୍ସାହନ ଯୋଗୁଁ ଗତ ଦଶନ୍ଧିରେ ନବସୃଜନକୁ ପ୍ରାଥମିକତା ଦିଆଯାଉଛି । ଅନୁକୂଳ ନୀତି ଏବଂ ଆମର ଯୁବପିଢ଼ିଙ୍କ ନବସୃଜନ ଏବଂ ଉଦ୍ୟୋଗୀ ମନୋଭାବ ଯୋଗୁଁ ଦେଶରେ ଷ୍ଟାର୍ଟ-ଅପ୍ ବିପ୍ଳବ ଆରମ୍ଭ ହୋଇଛି ବୋଲି ସେ କହିଥିଲେ ।

ଅପରପକ୍ଷରେ ଶ୍ରୀ ପ୍ରଧାନ ଟ୍ରାଇ ସର୍ଭିସେସ୍ ଏକାଡେମି ଟେକ୍ନୋଲୋଜି ସିମ୍ପୋଜିୟମର ଉଦଯାପନୀ ସମାରୋହରେ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ସେଠଙ୍କ ସହ ଯୋଗଦେଇଥିଲେ । ସେ କହିଥିଲେ ଆମର ସଶସ୍ତ୍ର ବାହିନୀ ଆମର ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ ଅତୁଟ ଭରସା ରଖିଛନ୍ତି ଆଧୁନିକ ଯୁଦ୍ଧର ପ୍ରମୁଖ ବାହକ ଭାବରେ ଏଆଇ, ଡ୍ରୋନ୍ ଏବଂ ସଠିକ୍ ଅସ୍ତ୍ରଶସ୍ତ୍ର ସହିତ ଆମର ସଶସ୍ତ୍ର ବାହିନୀ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗୀତା ଆହୁରି ଅତ୍ୟାବଶ୍ୟକ ହୋଇପଡିଛି । ଅପରେସନ ସିନ୍ଦୁର ; ଗବେଷଣା, ନବସୃଜନ ଏବଂ ଶିକ୍ଷାଗତ ଶକ୍ତି କିପରି ଯୁଦ୍ଧକ୍ଷେତ୍ରରେ ନିର୍ଣ୍ଣାୟକ ବିଜୟରେ ଯୋଗଦାନ ଦେଇପାରେ ତାହାର ଏକ ଶକ୍ତିଶାଳୀ ଉଦାହରଣ ଶିକ୍ଷା ମନ୍ତ୍ରଣାଳୟ ଆମର ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ଷ୍ଟାର୍ଟ-ଅପ ସହଯୋଗରେ ଆମର ସୈନିକଙ୍କ ହାତକୁ ମଜବୁତ କରିବ ଆମର ସଶସ୍ତ୍ର ବାହିନୀର କ୍ଷମତା ଏବଂ ପହଁଚକୁ ବିସ୍ତାର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ ବୋଲି ସେ କହିଥିଲେ ।

***


(Release ID: 2170406)