ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରୋଜଗାର ମେଳାରେ ୫୧, ୦୦୦ରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 26 APR 2025 1:08PM by PIB Bhubaneshwar

ନମସ୍କାର !

ଆଜି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୫୧୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ସ୍ଥାୟୀ ସରକାରୀ ଚାକିରିର ନିଯୁକ୍ତି ପତ୍ର ଦିଆଯାଇଛି। ଆଜି ଭାରତ ସରକାରଙ୍କ ଅଲଗା ଅଲଗା ବିଭାଗରେ ଯୁବକଯୁବତୀଙ୍କ ନୂଆ ଦାୟିତ୍ୱର ଆରମ୍ଭ ହୋଇଛି। ଆପଣମାନଙ୍କ ଦାୟିତ୍ୱ ହେଉଛି ଦେଶର ଆର୍ଥିକ ସ୍ଥିତିକୁ ମଜଭୁତ କରିବା, ଆପଣମାନଙ୍କ ଦାୟିତ୍ୱ ହେଉଛିଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜଭୁତ କରିବା, ଆପଣମାନଙ୍କ ଦାୟିତ୍ୱ ହେଉଛି ଦେଶରେ ଆଧୁନିକ ଭିତ୍ତିଭୂମିର ନିର୍ମାଣ କରିବା, ଆପଣଙ୍କ ଦାୟିତ୍ୱ ହେଉଛି ଶ୍ରମିକମାନଙ୍କ ଜୀବନରେ ଆମୂଳଚୁଳ ପରିବର୍ତ୍ତନ କରିବା। ଆପଣମାନେ ନିଜ କାମକୁ ଯେତିକି ସଟ୍ଟୋଟତାର ସହିତ ସଂପୂର୍ଣ୍ଣ କରିବେ, ତାର ସେତିକି ସକରାତ୍ମକ ପ୍ରଭାବ ବିକଶିତ ଭାରତର ଯାତ୍ରାରେ ଦୃଶ୍ୟମାନ ହେବ। ମୋର ବିଶ୍ୱାସ ଅଛି, ଆପଣମାନେ ନିଜର ଦାୟିତ୍ୱ ପୁରା ନିଷ୍ଠାର ସହିତ ସଂପାଦନ କରିବେ।   

ବନ୍ଧୁଗଣ,

କୌଣସି ଦେଶର ପ୍ରଗତି ଓ ଏହାର ସଫଳତାର ମୂଳଦୁଆ ସେହି ଦେଶର ଯୁବବର୍ଗ ହୋଇଥାନ୍ତି। ଯେତେବେଳେ ଯୁବପୀଢ଼ି ଦେଶ ଗଠନରେ ଅଂଶୀଦାର ହୁଅନ୍ତି, ସେତେବେଲେ ଦେଶ ଦ୍ରୁତ ଗତିରେ ବିକାଶ କରିଥାଏ ଓ ବିଶ୍ୱରେ ନିଜର ପରିଚୟ ବି ସୃଷ୍ଟି କରିଥାଏ। ଭାରତର ଯୁବ ପୀଢ଼ି ଆଜି ନିଜର ପରିଶ୍ରମ ଓ ନବସୃଜନରେ ଦୁନିଆକୁ ଏହା ଦେଖାଉଛି ଆମର କେତେ ସାମର୍ଥ୍ୟ ଅଛି। ଆମର ସରକାର ପ୍ରତ୍ୟେକ ପଦକ୍ଷେପରେ ଏହା ସୁନିଶ୍ଚିତ କରୁଛି, ଦେଶର ଯୁବବର୍ଗ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ବୃଦ୍ଧି ହେଉ। ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟ ଅଫ୍, ଡିଜିଟାଲ ଇଣ୍ଡିଆ ପରି ଅନେକ କାର୍ଯ୍ୟକ୍ରମ ଏ ଦିଗରେ ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛି। ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ଭାରତର ଯୁବବର୍ଗଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଖୋଲା ମଞ୍ଚ ପ୍ରଦାନ କରିଛୁ। ଏହାର ପରିଣାମ ହେଉଛି ଏହି ଦଶକରେ ଆମର ଯୁବବର୍ଗ ଟେକ୍ନୋଲଜି, ଡାଟା ଓ  ନବସୃଜନ କ୍ଷେତ୍ରରେ ଭାରତକୁ ଦୁନିଆର ବହୁତ ଆଗରେ ପହଞ୍ଚାଇ ଦେଇଛି। ଆଜି ୟୁପିଆଇ, ଓଏନ୍‌ଡିସି ଓ ଜିଇଏମ୍‌, ଗଭର୍ଣ୍ଣେଣ୍ଟ ଇ ମାର୍କେଟପ୍ଲେସ୍ ପରି ଡିଜିଟାଲ ପ୍ଲାଟଫର୍ମ, ଏହାର ସଫଳତା ଏହା ଦେଖାଉଛି ଯେ, ଆମର ଯୁବବର୍ଗ କିପରି ଡିଜିଟାଲ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନର ନେତୃତ୍ୱ ନେଉଛନ୍ତି। ଆଜି ଭାରତରେ ସବୁଠୁ ଅଧିକ ରିୟଲ ଟାଇମ୍ ଡିଜିଟାଲ ଟ୍ରାଞ୍ଜାକ୍‌ସନ ହେଉଛି। ଏହାର ବଡ଼ ଶ୍ରେୟ ଆମର ଯୁବାବର୍ଗକୁ ଯାଉଛି।

 

ବନ୍ଧୁଗଣ,

ଏଥର ବଜେଟରେ ସରକାର ମ୍ୟାନୁଫ୍ୟାକଚରିଂ ମିଶନର ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି-ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଓ ଭାରତର ଯୁବଗୋଷ୍ଠୀକୁ ବିଶ୍ୱସ୍ତରର ଉତ୍ପାଦ ନିର୍ମାଣ କରିବାର ସୁଯୋଗ ଦେବା। ଏଥିରେ କେବଳ ଦେଶର ଲକ୍ଷ ଲକ୍ଷ ଏମ୍‌ଏସ୍‌ଏମ୍‌ଇକୁ, ଆମର ଲଘୁ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିବ ତାହା ନୁହେଁ, ବରଂ ସାରା ଦେଶରେ ନିଯୁକ୍ତିର ନୂଆ ବାଟ ଫିଟିବ। ଆଜିର ଏହି ସମୟ ହେଉଛି ଭାରତର ଯୁବାବର୍ଗଙ୍କ ପାଇଁ ଅପୂର୍ବ ସୁଯୋଗର ସମୟ। କିଛି ଦିନ ତଳେ ଆଇଏମ୍‌ଏଫ୍‌ କହିଛି ଭାରତ ବିଶ୍ୱର ସବୁଠୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଥିବାର ଅର୍ଥନୀତି ହୋଇ ରହିବ। ଏହି ବିଶ୍ୱାସର, ଏହି ଅଭିବୃଦ୍ଧିର ଅନେକ ଦିଗ ରହିଛି। ଏବଂ ସବୁଠାରୁ ବଡ଼ କଥା ହେଲା-ଆଗାମୀ ଦିନରେ ପ୍ରତ୍ୟେକ କ୍ଷେତ୍ରରେ ନିଯୁକ୍ତି ବଢ଼ିବ, ରୋଜଗାର ବଢ଼ିବ। ଏଇ କିଛି ଦିନରେ ଅଟୋମୋବାଇଲ ଓ ଫୁଟଓ୍ୱେର ଶିଳ୍ପରେ ଆମର ଉତ୍ପାଦନ ଓ ରପ୍ତାନୀ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ସେକ୍ଟର ବହୁତ ସଂଖ୍ୟାରେ ଯୁବାବର୍ଗଙ୍କୁ ନିଯୁକ୍ତି ଦେଉଛି। ପ୍ରଥମ ଥର ପାଇଁ ଖଦୀ ଓ ଗ୍ରାମୋଦ୍ୟୋଗ ଓ ଏହାର ଉତ୍ପାଦ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟବସାୟ କରିଛି। ପ୍ରାୟ ଦୁଇ ଲକ୍ଷ କୋଟି । ଏହା ଦ୍ୱାରା ବିଶେଷ କରି ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ଏଇ କିଛି ଦିନ ତଳେ ଆନ୍ତଃ ଜଳ ପରିବହନରେ ମଧ୍ୟ ଦେଶର ଏକ ସଫଳତା ସାମ୍ନାକୁ ଆସିଛି। ୨୦୧୪ ଆଗରୁ ଆମ ଦେଶରେ ଗୋଟିଏ ବର୍ଷରେ ଆନ୍ତଃ ଜଳ ପରିବହନ ଦ୍ୱାରା ପ୍ରାୟ ୧୮ ମିଲିୟନ ଟନ୍ ମାଲ ପରିବହନ କରାଯାଉଥିଲା, ମାତ୍ର ୧୮ ମିଲିୟନ ଟନ। ଏ ବର୍ଷ ଆନ୍ତଃରାଜ୍ୟ ଜଳ ପରିବହନ ଦ୍ୱାରା ମାଲ୍ ପରିବହନ ୧୮ ମିଲିୟନ ଟନରୁ ବୃଦ୍ଧି ପାଇ ୧୪୫ ମିଲିୟନ ଟନରୁ ଅଧିକ ହୋଇ ଯାଇଛି। ଭାରତକୁ ଏହି ସଫଳତା ଏଥିପାଇଁ ମିଳିଛି , କାରଣ ଭାରତ ଏହି ଦିଗରେ ଲଗାତର ନୀତି ପ୍ରସ୍ତୁତ କରିଛି, ନିଷ୍ପତ୍ତି ନେଇଛି। ଆଗରୁ ଦେଶରେ ଜାତୀୟ ଜଳପଥର ସଂଖ୍ୟା ମାତ୍ର ୫ ଥିଲା। ଏବେ ଭାରତରେ ଜାତୀୟ ଜଳପଥର ସଂଖ୍ୟା ୫ରୁ ବୃଦ୍ଧି ପାଇ ୧୧୦ ଅତିକ୍ରମ କରିଛି। ପ୍ରଥମ ଏହି ଜଳପଥର ଅପରେସନାଲ ଦୈର୍ଘ୍ୟ ପ୍ରାୟ ୨୭୦୦ କିଲୋମିଟର ଥିଲା। ଅର୍ଥାତ ମୋଟାମୋଟି ଭାବେ ୨୫୦୦ କିଲୋମିଟରରୁ ଟିକେ ଅଧିକ ଥିଲା। ବର୍ତ୍ତମାନ ଏହା ମଧ୍ୟ ବୃଦ୍ଧି ପାଇ ପ୍ରାୟ ୫୦୦୦ କିଲୋମିର ହୋଇ ଯାଇଛି। ଏପରି ସଫଳତା ସବୁ ଯୋଗୁଁ ଦେଶରେ ଯୁବବର୍ଗଙ୍କ ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି ହେଉଛି।                       

ବନ୍ଧୁଗଣ,

କିଛି ଦିନ ପରେ ମୁମ୍ୱାଇରେ ବିଶ୍ୱ ଅଡିଓ ଭିଜୁଆଲ୍ ଓ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ ଅର୍ଥାତ ଓ୍ୱେଭସ୍ ୨୦୨୫ (WAVES 2025) ଆୟୋଜିତ ହେବାକୁ ଯାଉଛି। ଏହି ଆୟୋଜନର କେନ୍ଦ୍ରରେ ମଧ୍ୟ ଦେଶର ଯୁବବର୍ଗ ଅଛନ୍ତି। ଦେଶର ଯୁବ କ୍ରିଏଟର୍ସଙ୍କୁ ପ୍ରଥମ ଥର ଏପରି ମଞ୍ଚ ମିଳୁଛି। ମିଡିଆ, ଗେମିଂ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ରରେ ନବପ୍ରବର୍ତ୍ତକଙ୍କ ପାଇଁ ପ୍ରତିଭା ପ୍ରଦର୍ଶନର ଏହା ହେଉଛି ଅଭୂତପୂର୍ବ ସୁଯୋଗ।  ଏହା ଏମିତି ଏକ ମଞ୍ଚ ହେବ, ଯେଉଁଠି ମନୋରଂଜନ ସହିତ ଜଡ଼ିତ ଷ୍ଟାର୍ଟଅପ୍ କୁ ନିବେଶକାରୀ ଓ ଏହି କ୍ଷେତ୍ରର ନାମୀଦାମୀ ଲୋକଙ୍କ ସହିତ ସଂପର୍କ ଯୋଡ଼ିବାର ସୁଯୋଗ ମିଳିବ। ଦୁନିଆ ଆଗରେ ନିଜର ଭାବନା ପ୍ରଦର୍ଶନ କରିବାର ଏହା ହେବ ସବୁଠାରୁ ବଡ଼ ମଞ୍ଚ। ଯୁବବର୍ଗଙ୍କୁ ଏଆଇ, ଏକ୍ସ-ଆର୍ ଓ ଇମର୍ସିଭ୍ ମିଡିଆକୁ ଜାଣିବାର-ବୁଝିବାର ସୁଯୋଗ ମିଳିବ। ଏଥିପାଇଁ ଅନେକ ପ୍ରକାରର କର୍ମଶାଳା ଆୟୋଜନ କରାଯିବ। WAVES ରୁ ଭାରତର ଡିଜିଟାଲ କଣ୍ଟେଣ୍ଟ ଫ୍ୟୁଚରକୁ ନୂଆ ଶକ୍ତି ମିଳିବାକୁ ଯାଉଛି।

 

 

ବନ୍ଧୁଗଣ,

ଆଜି ଭାରତର ଯୁବବର୍ଗଙ୍କ ସଫଳତାରେ ସବୁଠାରୁ ପ୍ରଶଂସନୀୟ କଥା ହେଲା-ଏହାର ଅନ୍ତର୍ଭୁକ୍ତି, ସର୍ବସମାବେଶୀ ଭାବନା। ଭାରତ ଆଜି ଯେଉଁ କୀର୍ତ୍ତିମାନ ଗଢୁଛି, ସେଥିରେ ପ୍ରତ୍ୟେକ ବର୍ଗର ଭାଗିଦାରୀ ବୃଦ୍ଧି ପାଉଛି !ଏବଂ ଆମର ଝିଅମାନେ ଦୁଇ ପାଦ ଆଗରେ ଚାଲୁଛନ୍ତି। ଏଇ କିଛି ଦିନ ଆଗରୁ ୟୁପିଏସ୍‌ସିର ଫଳାଫଳ ଆସିଛି। ସେଥିରେ ମଧ୍ୟ ଦୁଇଟି ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଝିଅମାନେ। ଟପ୍-୫ ରେ ୩ ଜଣ ଟପ୍ପର ହେଉଛନ୍ତି ଝିଅ। ଆମର ନାରୀ ଶକ୍ତି ବ୍ୟୁରୋକ୍ରାସିରୁ ଆରମ୍ଭ କରି ମହାକାଶ ଓ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂଆ ଶିଖରକୁ ସ୍ପର୍ଶ କରୁଛନ୍ତି। ସରକାରଙ୍କ ବିଶେଷ ଧ୍ୟାନ ଗ୍ରାମାଞ୍ଚଳର ମହିଳାଙ୍କ ସଶକ୍ତିକରଣ ଉପରେ ବି ରହିଛି। ସ୍ୱୟଂ ସହାୟକ ଗୋଷ୍ଠୀ, ବୀମା ସଖୀ, ବ୍ୟାଙ୍କ ସଖୀ ଓ କୃଷି ସଖି ପରି ପଦକ୍ଷେପ ଗ୍ରାମାଞ୍ଚଳର ମହିଳାଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଆଜି ଦେଶର ହଜାର ହଜାର ମହିଳା ଡ୍ରୋନ ଦିଦି ହୋଇ ନିଜ ପରିବାର ଓ ଗାଁର ସମୃଦ୍ଧି ସୁନିଶ୍ଚିତ କରୁଛନ୍ତି। ଆଜି ଦେଶରେ ୯୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି ହୋଇଛି ଏବଂ ସେଥିରେ ୧୦କୋଟିରୁ ଅଧିକ ମହିଳା ଜଡ଼ିତ ହୋଇ କାମ କରୁଛନ୍ତି। ଏହି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ଆମର ସରକାର ସେମାନଙ୍କ ବଜେଟରେ ୫ ଗୁଣା ବୃଦ୍ଧି କରିଛନ୍ତି। ଏହି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା କୌଣସି ଗ୍ୟାରେଣ୍ଟିରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ମୁଦ୍ରା ଯୋଜନାରେ ମଧ୍ୟ ମହିଳାମାନେ ହିଁ ସବୁଠାରୁ ଅଧିକ ହିତାଧିକାରୀ ଅଟନ୍ତି। ଆଜି ଦେଶରେ ୫୦ ହଜାରରୁ ଅଧିକ ଷ୍ଟାର୍ଟଅପ୍‌ରେ ମହିଳାମାନେ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଏପରି ପରିବର୍ତ୍ତନ ବିକଶିତ ଭାରତର ସଂକଳ୍ପକୁ ଶକ୍ତି ପ୍ରଦାନ କରୁଛି, ରୋଜଗାର ଓ ଆତ୍ମନିଯୁକ୍ତିର ସୁଯୋଗ ବୃଦ୍ଧି କରୁଛି।  

ବନ୍ଧୁଗଣ,

ଆପଣମାନେ ସମସ୍ତେ ନିଜର ପରିଶ୍ରମ ଓ ନିଷ୍ଠା ବଳରେ ଏହି ପଦବୀ ହାସଲ କରିଛନ୍ତି। ଏବେ ସମୟ ଆସିଛି ନିଜ ଜୀବନର ପରବର୍ତ୍ତୀ ପର୍ଯ୍ୟାୟକୁ କେବଳ ନିଜ ପାଇଁ ନୁହେଁ ବରଂ ଦେଶ ପାଇଁ ମଧ୍ୟ ସମର୍ପିତ କରନ୍ତୁ। ଜନସେବାର ଭାବନା ସବୁଠାରୁ ଉପରେ ରହିବା ଉଚିତ। ଯେତେବେଳେ ଆପଣ ନିଜର ସେବାକୁ ସର୍ବୋଚ୍ଚ ମନେ କରି କାମ କରିବେ, ସେତେବେଳେ ଆପଣଙ୍କ କାମରେ ସେହି ଶକ୍ତି ଆସିବ ଯାହା ଦେଶକୁ ନୂଆ ଦିଗ ଦେଖାଇବ। ଆପଣଙ୍କ କର୍ତ୍ତବ୍ୟ ପାଳନ, ଆପଣଙ୍କ ନବସୃଜନ ଓ ଆପଣଙ୍କ ନିଷ୍ଠାରେ ହିଁ ଭାରତର ପ୍ରତ୍ୟେକ ନାଗରିକଙ୍କ ଜୀବନ ଉନ୍ନତ ହେବ।  

ବନ୍ଧୁଗଣ,

ଆପଣ ଯେତେବେଳେ କୌଣସି ଦାୟିତ୍ୱସମ୍ପନ୍ନ ପଦରେ ପହଞ୍ଚିବେ, ତ ଜଣେ ନାଗରିକ ଭାବେ ମଧ୍ୟ ଆପଣଙ୍କ କର୍ତ୍ତବ୍ୟ, ଆପଣଙ୍କ ଭୂମିକା ଆହୁରିଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଆପଣ ସମସ୍ତେ ଏହି ଦିଗରେ ମଧ୍ୟ ସଚେତନ ରହିବା ଉଚିତ। ଏବଂ ଆମକୁ ବି ଏକ ନାଗରିକ ଭାବେ ଯୋଗଦାନ ଦେବାରେ ପଛରେ ରହିବା ଅନୁଚିତ। ଏବେ ଯେପରି ମୁଁ ଏକ ଉଦାହରଣ ଦେଉଛି, ଏହି ସମୟରେ ଦେଶରେ “ମାଆ ନାଁରେ ଗଛଟିଏ ” ନାଁରେ ଏକ ବହୁତ ବଡ଼ ଅଭିଯାନ ଚାଲିଛି। ଆପଣ ଆଜି ଯେଉଁଠି ପହଞ୍ଚିଛନ୍ତି, ଆପଣ ଜୀବନର ଯେଉଁ ନୂଆ ଶୁଭାରମ୍ଭ କରୁଛନ୍ତି, ସେଥିରେ ଆପଣଙ୍କ ମାଆଙ୍କ ସବୁଠୁ ଅଧିକ ଅବଦାନ ରହିଛି। ଆପଣ ମଧ୍ୟ ଆପଣଙ୍କ ମାଆଙ୍କ ନାଁରେ ଗଛ ଲଗାନ୍ତୁ, ପ୍ରକୃତିର ସେବା କରି ଆପଣଙ୍କ କୃତଜ୍ଞତା ଜ୍ଞାପନ କରନ୍ତୁ। ଆପଣ ଯେଉଁ ଅଫିସ୍‌ରେ କାମ କରିବେ, ସେଠାରେ ଅଧିକରୁ ଅଧିକ ଲୋକଙ୍କୁ ଏହି ଅଭିଯାନରେ ଯୋଡ଼ନ୍ତୁ। ଆପଣଙ୍କ ସେବାକାଳର ଆରମ୍ଭ ହିଁ ଜୁନ ମାସରେ ଅନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ଆସୁଛି। ଏହା ଏକ ବହୁତ ବଡ଼ ସୁଯୋଗ। ଏତେ ବଡ଼ ଅବସରରେ ଆପଣ ସଫଳ ଜୀବନର ଶୁଭାରମ୍ଭ ସହିତ ଯୋଗ ମାଧ୍ୟମରେ ସୁସ୍ଥ ଜୀବନର ମଧ୍ୟ ଶୁଭାରମ୍ଭ କରନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ତ ନିହାତି ଜରୁରୀ, ଏହା ଆପଣଙ୍କ କାର୍ଯ୍ୟ ଦକ୍ଷତା ଓ ଦେଶର ଉତ୍ପାଦିକତା ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ।      

ଆପଣ ନିଜର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ମିଶନ କର୍ମଯୋଗୀର ମଧ୍ୟ ଭରପୁର ସାହାଯ୍ୟ ନେଉଥାନ୍ତୁ। ଆପଣଙ୍କ କାମର ଉଦ୍ଦେଶ୍ୟ କେବଳ ପଦପଦବୀ ହାସଲ କରିବା ନୁହେଁ। ଆପଣଙ୍କ ପଦ ଭାରତର ପ୍ରତ୍ୟେକ ନାଗରିକଙ୍କ ସେବା କରିବାର ଓ ଦେଶର ପ୍ରଗତିରେ ନିଜର ଯୋଗଦାନ ଦେବା ପାଇଁ ଉଦ୍ଦିଷ୍ଟ। ଏଇ କିଛି ଦିନ ଆଗରୁ ସିଭିଲ ସର୍ଭିସେସ୍ ଦିବସରେ ମୁଁ ଏକ ମନ୍ତ୍ର ଦେଇଥିଲି ଏବଂ କହିଥିଲି, ଆମର ସରକାରରେ ଯେତେ ବି ଲୋକ ଅଛନ୍ତି, ଆମ ପାଇଁ ତ  ଗୋଟି ମନ୍ତ୍ର ହିଁ ସର୍ବୋପରି ହେବା ଉଚିତ ଏବଂ ସେହି ମନ୍ତ୍ରଟି ହେଲା – ନାଗରିକ ଦେବୋ ଭବଃ ନାଗରିକ ଦେବୋ ଭବଃ। ନାଗରିକଙ୍କ ସେବା ହିଁ ଆପଣଙ୍କ ପାଇଁ, ଆମ ସମସ୍ତଙ୍କ ପାଇଁ ଦେବପୂଜା ସମାନ ଅଟେ। ଏହି ମନ୍ତ୍ରକୁ ମଧ୍ୟ ସଦାସର୍ବଦା ମନେ ରଖନ୍ତୁ। ମୋର ବିଶ୍ୱାସ ଅଛି ଆମେ ନିଜର ସାମର୍ଥ୍ୟ ଓ ସଚ୍ଚୋଟତାରେ ଏପରି ଏକ ଭାରତ ନିର୍ମାଣ କରିବା ଯାହାକି ବିକଶିତ ବି ହେବ ଓ ସମୃଦ୍ଧ ବି ହେବ।

        

ଆପଣ ସମସ୍ତଙ୍କୁ ମୋର ବହୁତ ବହୁତ ଶୁଭକାମନା, ଆପଣଙ୍କ ପରିବାରବର୍ଗଙ୍କୁ ମଧ୍ୟ ବହୁତ ବହୁତ ଶୁଭକାମନା ଓ ଯେପରି ଆପଣଙ୍କ ସ୍ୱପ୍ନ ଅଛି ସେହିପରି ୧୪୦ କୋଟି ଦେଶବାସୀଙ୍କର ମଧ୍ୟ ସ୍ୱପ୍ନ ଅଛି। ଯେପରି ଆପଣଙ୍କ ସ୍ୱପ୍ନ ପାଇଁ ସୁଯୋଗ ମିଳିଛି, ବର୍ତ୍ତମାନ ଏହି ସୁଯୋଗର ଉପଯୋଗ ୧୪୦କୋଟି ଦେଶବାସୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସହିତ ଜଡ଼ିତ ଅଛି। ମୋର ପୂରା ବିଶ୍ୱାସ, ଆପଣ ପଦବୀର ଶୋଭା ବୃଦ୍ଧି କରିବେ, ଦେଶବାସୀଙ୍କର ଗୌରବ ବୃଦ୍ଧି କରିବେ ଓ ଆପଣଙ୍କ ଜୀବନକୁ ଧନ୍ୟ କରିବା ପାଇଁ ଆପଣ ସମୟ ଓ ଶକ୍ତିର ସଦୁପଯୋଗ କରିବେ। ଏହି ଶୁଭକାମନା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ।

 

 

BSP

 

 


(Release ID: 2160030) Visitor Counter : 5