ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜରାଟରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର
ନିର୍ଦ୍ଧାରିତ ସମୟରେ ସମାପ୍ତି ପାଇଁ ଅହମ୍ମଦାବାଦ-ଧୋଲେରା ଏକ୍ସପ୍ରେସୱେ ନିରୀକ୍ଷଣ କଲେ ଡ. ମିଶ୍ର
ଏକ ବୈଶ୍ୱିକ ମାନର ସ୍ମାର୍ଟ ଶିଳ୍ପ ସହର ଭାବେ ଧୋଲେରାର ବିକାଶ ଲାଗି ଗୁଜରାଟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଲେ ଡକ୍ଟର ମିଶ୍ର
ଲୋଥଲସ୍ଥିତ ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସରର ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଡକ୍ଟର ମିଶ୍ର
Posted On:
16 JUN 2025 6:22PM by PIB Bhubaneshwar
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ଗୁଜରାଟର ଧୋଲେରା ଏବଂ ଲୋଥାଲରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିବା ସହ କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧିର ଦୃଷ୍ଟିକୋଣ ସହିତ ସମନ୍ୱିତ।
ଡକ୍ଟର ମିଶ୍ର ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ନିର୍ମାଣାଧୀନ ଅହମ୍ମଦାବାଦ-ଧୋଲେରା ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ପରିଦର୍ଶନ କରିଥିଲେ। ଅହମ୍ମଦାବାଦ ଏବଂ ଧୋଲେରା ମଧ୍ୟରେ ଯାତ୍ରା ସମୟକୁ ୪୫ ମିନିଟକୁ ହ୍ରାସ କରିବା ଲାଗି ଏକ୍ସପ୍ରେସୱେର ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ। ବିଶ୍ୱସ୍ତରୀୟ ସଡ଼କ ମାନକ ସହିତ ସମୟୋଚିତ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଧୋଲେରା ସ୍ୱତନ୍ତ୍ର ନିବେଶ କ୍ଷେତ୍ର (ଡିଏସଆଇଆର)ଠାରେ ଡ. ମିଶ୍ର ଧୋଲେରା ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗ୍ରଗତିର ମୂଲ୍ୟାଙ୍କନ କରିଥିଲେ। ଅଧିକାରୀମାନେ ତାଙ୍କୁ ସୂଚନା ଦେଇଥିଲେ ଯେ, ୨୦୨୫ ମସିହା ଅକ୍ଟୋବର ମାସ ସୁଦ୍ଧା ମାଲ ପରିବହନ କାର୍ଯ୍ୟ ଆରମ୍ଭ ହେବ। ସମୟସୀମାକୁ ଅନୁସରଣ କରିବା ଏବଂ ଏକ୍ସପ୍ରେସୱେ ସହିତ ନିରବଚ୍ଛିନ୍ନ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଡକ୍ଟର ମିଶ୍ର ଘରୋଇ ଚିପ୍ ଉତ୍ପାଦନରେ ଏକ ଫ୍ଲାଗସିପ୍ ପଦକ୍ଷେପ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ଫେବ୍ରିକେସନ୍ (ଫାବ୍) ପ୍ରକଳ୍ପ ନିରୀକ୍ଷଣ କରିଥିଲେ। ସେ ମୋବାଇଲ୍ ଉପକରଣ, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ୍ ଆପ୍ଲିକେସନ୍ ପାଇଁ ଚିପ୍ ସମେତ ଏହାର ଉତ୍ପାଦନ ପରିସର ସମୀକ୍ଷା କରିଥିଲେ। ସେ ଧୋଲେରା ଇଣ୍ଡଷ୍ଟ୍ରିଆଲ୍ ସିଟି ଡେଭଲପମେଣ୍ଟ ଲିମିଟେଡ୍ (ଡିଆଇସିଡିଏଲ) ଦ୍ୱାରା ବିକଶିତ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ-ବିଦ୍ୟାଳୟ, ଡାକ୍ତରଖାନା ଏବଂ ଆବାସିକ କମ୍ପ୍ଲେକ୍ସ ମଧ୍ୟ ପରିଦର୍ଶନ କରିଥିଲେ। ସେ ବ୍ୟବହାରକାରୀଙ୍କ ଅଭିଜ୍ଞତା ଉପରେ ଗୁରୁତ୍ୱ ଦେଇ ଅଂଶୀଦାରମାନଙ୍କ ମତାମତ ଏକୀକରଣ ପାଇଁ ଆହ୍ୱାନ କରିଥିଲେ।
ଡକ୍ଟର ମିଶ୍ର ଡିଆଇସିଡିଏଲ୍, ଡିଆଇଏସିଏଲ୍, ଏନଏଚଏଆଇ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏବଂ ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅହମ୍ମଦାବାଦ-ଧୋଲେରା ଏକ୍ସପ୍ରେସୱେ, ଭୀମନାଥ-ଧୋଲେରା ମାଲ ପରିବହନ ରେଳ ସଂଯୋଗ, ଅହମ୍ମଦାବାଦ-ଧୋଲେରା ସେମି-ହାଇସ୍ପିଡ ରେଳ ଲାଇନ, ଧୋଲେରା ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ପ୍ରମୁଖ ପ୍ରକଳ୍ପଗୁଡ଼ିକର ସେ ସମୀକ୍ଷା କରିଥିଲେ। ଶ୍ରୀ ମିଶ୍ର ଧୋଲେରାକୁ ଏକ ବିଶ୍ୱସ୍ତରୀୟ ସ୍ମାର୍ଟ ଶିଳ୍ପ ସହର ଭାବେ ବିକଶିତ କରିବା ଲାଗି ଗୁଜରାଟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସମୟୋଚିତ ଭାବେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା, କୁଶଳୀ ଶ୍ରମଶକ୍ତିର ଉପଲବ୍ଧତା ଏବଂ ସୁଦୃଢ଼ ଯୋଜନାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଡ. ମିଶ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଅଧୀନରେ ଏକ ଫ୍ଲାଗସିପ୍ ପଦକ୍ଷେପ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ (ଏନଏମଏଚସି) ପରିଦର୍ଶନ କରିଥିଲେ। ସେ ସେ ମନ୍ତ୍ରଣାଳୟର ସଚିବ ଶ୍ରୀ ଟି. ରାମଚନ୍ଦ୍ରନ ଏବଂ ମନ୍ତ୍ରଣାଳୟ, ଗୁଜରାଟ ସାମୁଦ୍ରିକ ବୋର୍ଡ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ଏନଏଚଏଆଇ ଏବଂ ଭାରତୀୟ ରେଳବାଇର ଅନ୍ୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ, ଏନଏମଏଚସି ଭାରତର ସାମୁଦ୍ରିକ ଅତୀତ ପ୍ରତି ଏକ ଉପଯୁକ୍ତ ସମ୍ମାନ ଭାବେ କାର୍ଯ୍ୟ କରିବା ଉଚିତ। ସେ ଗଭୀର ଗବେଷଣା, ଶୈକ୍ଷିକ ସହଯୋଗ ଏବଂ ଏକ ସୁଚିନ୍ତିତ ଯୋଜନାବଦ୍ଧ ପରିଦର୍ଶକ ଅଭିଜ୍ଞତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଡକ୍ଟର ମିଶ୍ର ସ୍ଥାନୀୟ ପ୍ରଜାତି ବୃକ୍ଷରୋପଣ ଏବଂ ଜଳ ପରିଚାଳନା ବ୍ୟବସ୍ଥା ସମେତ ପରିବେଶଗତ ଦୀର୍ଘସ୍ଥାୟୀତ୍ୱ ପଦକ୍ଷେପଗୁଡ଼ିକର ସମୀକ୍ଷା ମଧ୍ୟ କରିଥିଲେ। ସେ ଏନଏମଏଚସିର ଅତୁଳନୀୟ ପରିସର ଏବଂ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ହରପ୍ପା ସଭ୍ୟତାରୁ ଭାରତର ସାମୁଦ୍ରିକ ଐତିହ୍ୟକୁ ବର୍ଣ୍ଣନା କରୁଥିବା କଳାକୃତିଗୁଡ଼ିକୁ ସଂଗୃହୀତ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ । ଡକ୍ଟର ମିଶ୍ର ଛଅଟି ଗ୍ୟାଲେରୀ ସମେତ ପର୍ଯ୍ୟାୟ ଆଇ-ଏ ନିର୍ମାଣ କାର୍ଯ୍ୟ ମଧ୍ୟ ନିରୀକ୍ଷଣ କରିଥିଲେ ଏବଂ ଅଗଷ୍ଟ ୨୦୨୫ ସୁଦ୍ଧା ଏହାର ସମାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଡକ୍ଟର ମିଶ୍ରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ତରୁଣ କପୁର, ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପସଚିବ ଶ୍ରୀ ମଙ୍ଗେଶ ଘିଲଡିୟାଲ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
*****
P.S.
(Release ID: 2136818)