ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏନଏକ୍ସଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ
ନ୍ୟୁଜ ଏକ୍ସ ୱାର୍ଲଡ଼ ଚ୍ୟାନେଲକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀର ଭାରତକୁ ସମଗ୍ର ବିଶ୍ୱ ଦେଖୁଛି : ପିଏମ
ଭାରତର ସର୍ଜନାତ୍ମକ ସାଙ୍ଗଠନିକ ଦକ୍ଷତାକୁ ସାରା ବିଶ୍ୱ ନୀରିକ୍ଷଣ କରୁଛି : ପିଏମ
ଭୋକାଲ ଫର ଲୋକାଲ ଓ ଲୋକାଲ ଫର ଭୋକାଲ ଆହ୍ୱାନ ମୁଁ ଦେଇଥିଲି : ପିଏମ
ବିଶ୍ୱର ନୂଆ ଫ୍ୟାକ୍ଟ୍ରି ଭାବରେ ଆମ ଭାରତ ଉଭା ହୋଇଛି ; ବାର୍କଫୋର୍ସରୁ ଆମେ ବାର୍ଲଡ ଫୋର୍ସକୁ ଉନ୍ନୀତ ହୋଇପାରିଛୁ : ପିଏମ
ସୁଶାସନ ପାଇଁ ମିନମମ ଗଭର୍ଣ୍ଣମେଂଟ ଓ ମାକ୍ସିମମ ଗଭର୍ଣ୍ଣାନ୍ସର ଆବଶ୍ୟକତା ରହିଛି : ପିଏମ
ଅଗଣିତ ସର୍ଜନାର ପୁଣ୍ୟ ଭୂମିରେ ଭାରତ ରୂପାନ୍ତରିତ ହେଉଛି : ପିଏମ
ଭାରତର ଯୁବକମାନେ ଆମର ପ୍ରଥମ ଅଗ୍ରାଧିକାର : ପିଏମ
ଜାତୀୟ ଶିକ୍ଷାନୀତି ଯୁବକମାନଙ୍କୁ ପାଠ୍ୟ ବହି ବାହାରେ କିଛି ଚିନ୍ତା କରିବାକୁ ସୁଯୋଗ ଦେଇଛି : ପିଏମ
Posted On:
01 MAR 2025 12:36PM by PIB Bhubaneshwar
ଶନିବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଥିବା ଏନଏକ୍ସଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ନ୍ୟୁଜ ଏକ୍ସ ୱାର୍ଲଡ଼ ଚ୍ୟାନେଲ ଶୁଭ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ସମବେତ ଜନତାକୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନିଜ ହୃଦୟରୁ ସଭିଁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଆଂଚଳିକ ଭାଷାରେ ନିଜ ନେଟବାର୍କ ଖୋଲିଥିବା ଏହି ସଂସ୍ଥା ଏବେ ଏକ ବୈଶ୍ୱିକ ଚ୍ୟାନେଲରେ ପରିଣତ ହୋଇପାରିଛି । ବିଭିନ୍ନପ୍ରକାର ସ୍କଲାରସିପ ଓ ଫେଲୋସିପ ଆରମ୍ଭ କରାଯାଇଥିବାରୁ ସେ ଏଥିପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଆଗରୁ ବିଭିନ୍ନ ମିଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ଯାହା ଦେଖିବାକୁ ମିଳିନଥିଲା ତାହା ଏହି ନ୍ୟୁଜ ଏକ୍ସ ବାର୍ଲଡର ଶୁଭ ଉନ୍ମୋଚନ ଉତ୍ସବରେ ଦେଖିବାକୁ ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏପରି ମିଡିଆ କାର୍ଯ୍ୟକ୍ରମ ପ୍ରାୟ ପୁରୁଣା ହୋଇଥିବା ବେଳେ ନ୍ୟୁଜ ଏକ୍ସ ବାର୍ଲଡ ଏହାକୁ ଅଲଗା ରୂପ ଦେବାରେ ଏବେ ସଫଳ ହୋଇପାରିଥିବା ମୋଦୀ କହିଛନ୍ତି । ଏହି ସମ୍ମିଳନୀ ପଲିଟିକ୍ସ ସେଂଟ୍ରିକ ନହୋଇ ପଲିସି ସେଂଟ୍ରିକ ହେବାରେ ସଫଳତା ଲାଭ କରିଛି । ଏହି ସମ୍ମିଳନୀରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ଏହାକୁ ପୁଷ୍କଳ କରିଛନ୍ତି ।
ଏକବିଂଶ ଶତାବ୍ଦୀର ଭାରତକୁ ସମଗ୍ର ବିଶ୍ୱ ଅତି ନିରିଖେଇ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସାରା ବିଶ୍ୱର ଲୋକେ ଏଠାକୁ ଆସିବାକୁ ଓ ଦେଖିବାକୁ ଚାହୁଁଛନ୍ତି । ଭାରତ ଏକମାତ୍ର ଦେଶ ଯେଉଁଠି କିଛି ଭଲ ଖବର ଲେଖାଯାଏ, ପ୍ରତିଦିନ ନୂଆ ରେକର୍ଡ ସ୍ଥାପନା ହେଉଛି ଓ ପ୍ରତିଦିନ କିଛି ନା କିଛି ନୂଆ ହେଉଛି । ୨୬ ଫେବୃୟାରୀରେ ପ୍ରୟାଗରାଜରେ ଅନୁଷ୍ଠିତ ହୋଇଥିବା ମହାକୁମ୍ଭ ଅବସରରେ ଅଭୂତପୂର୍ବ ଜନ ସମାଗମ ଏକ ନୂଆ ରେକର୍ଡ । ନଦୀକୂଳରେ ଏହ ଅସ୍ଥାୟୀ ସହରରେ କୋଟି କୋଟି ଲୋକ ସ୍ନାନ କରିବା ନିଶ୍ଚିତପକ୍ଷେ ଏକ ମାଇଲଖୁଂଟ । ଭାରତବର୍ଷର ସାଙ୍ଗଠନିକ ଓ ସର୍ଜନାତ୍ମକ ଦକ୍ଷତାକୁ ସମଗ୍ର ବିଶ୍ୱ ଦେଖିଲା । ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ଏୟାରକ୍ରାଫ୍ଟ କ୍ୟାରିୟର ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ଏହି ଦେଶରେ ତିଆରି ହେଉଛି । ଭାରତଠାରୁ ସାରା ବିଶ୍ୱ କିଛି ନା କିଛି ଶିଖିବାକୁ ଚାହୁଁଥିବା ବେଳେ ନ୍ୟୁଜ ଏକ୍ସ ବାର୍ଲଡ ପାଇଁ ଏହା ଏକ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
କିଛି ମାସ ପୂର୍ବରୁ ଦେଶରେ ନିର୍ବାଚନ ସରିଛି । ଏହା ବିଶ୍ୱର ସବୁଠାରୁ ବଡ ନିର୍ବାଚନ । ତେବେ ଷାଠିଏ ବର୍ଷ ଭିତରେ ତୃତୀୟ ଥର ଶାସନକୁୁ ଫେରିବାରେ ଏହା ପ୍ରଥମ ଘଟଣା । ଗତ ଏଗାର ବର୍ଷ ଭିତରେ ଦେଶରେ ହୋଇଥିବା ଉଲ୍ଲେଖନୀୟ ସଫଳତା ପାଇଁ ଜନତା ପୁଣିଥରେ ଏହି ଦଳକୁ ଜିତାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ତେବେ ନ୍ୟୁଜ ଏକ୍ସ ବାର୍ଲଡ ପରି ନୂଆ ଚ୍ୟାନେଲ ଦେଶର ଅସଲ ଛବିକୁ ସାରା ବିଶ୍ୱ ଆଗରେ ପ୍ରଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକଟ କରିଥିଲେ ।
କିଛି ବର୍ଷ ତଳେ ଭୋକାଲ ଫର ଲୋକାଲ ଓ ଲୋକାଲ ଫର ଭୋକାଲର ନାରା ମୁଁ ଦେଇଥିଲି । ଏବେ ତାହା ବାସ୍ତବରେ ରୂପାନ୍ତରିତ ହୋଇଛି । ଭାରତର ଆୟୁଷ ଜିନିଷ ଓ ଯୋଗ ଏବେ ସାରା ବିଶ୍ୱରେ ଲୋକାଦୃତି ଲାଭ କରିଛି । ଅନ୍ୟପକ୍ଷରେ ଭାରତର ସୁପର ଫୁଡ, ମଖାନା, ଶ୍ରୀଅନ୍ନ ପରି ମାଣ୍ଡିଆ ଏବେ ବିଶ୍ୱର ଆକର୍ଷଣ ପାଲଟିଛି । ଅତୀତରେ ତାଙ୍କ ବନ୍ଧୁ ତଥା ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍ଟ ଦିଲ୍ଲୀ ହାଟରେ ନିଜେ ମାଣ୍ଡିଆ ଖାଇ ତାଙ୍କୁ ଖୁସି କରାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
କେବଳ ଭାରତର ମାଣ୍ଡିଆ ନୁହେଁ ବରଂ ହଳଦୀକୁ ବି ବିଦେଶାନୁମୁଖୀ କରାଯାଇଛି । ସାରା ବିଶ୍ୱକୁ ଭାରତ ପକ୍ଷରୁ ୬୦ ପ୍ରତିଶତ ହଳଦୀ ଯୋଗାଇ ଦିଆଯାଉଛି । ସେହିପରି କଫି ରପ୍ତାନୀ କ୍ଷେତ୍ରରେ ସାରା ବିଶ୍ୱରେ ଭାରତର ସ୍ଥାନ ସପ୍ତମ । ଲୋକାଲ ଫର ଭୋକାଲକୁ ଗୁରୁତ୍ୱ ଦିଆଯାଇ ଏନେଇ ବିଶେଷ ଉଦ୍ୟମ କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି । ସେହିପରି ଫ୍ରାନ୍ସରେ ଆୟୋଜିତ ଏଆଇ ଆକ୍ସନ ସମ୍ମିଳନୀରେ ଭାରତ ସହ ଆୟୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲା । ପରେ ଏପରି ଏଆଇ ସମ୍ମିଳନୀକୁ ନିଜେ ଭାରତ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବା ଉଲ୍ଲେଖ କରାଯାଇଥିଲା । ନିଜ ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରି ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଭିତରେ ଏକ ଆର୍ଥନୀତିକ କରିଡର ଆମ ଦେଶ ସ୍ଥାପନ କରିପାରିଛି । ଦ୍ୱୀପ ଦେଶଗୁଡିକର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଭାରତ ଏବେ ଦକ୍ଷିଣ ବିଶ୍ୱ ପାଇଁ ନିଜ ସ୍ୱରକୁ ଶାଣିତ କରିଛି । ଜଳବାୟୁ ପରିବର୍ତନକୁ ଲକ୍ଷ୍ୟ ରଖି ଭାରତ ଏବେ ସାରା ବିଶ୍ୱକୁ ମିଶନ ଲାଇଫ ଦୃଷ୍ଟିକୋଣ ଦେଇଛି । ଅନ୍ତରାଷ୍ଟ୍ରୀୟ ସୌର ଚୁକ୍ତି ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ଗଠିତ ସହାନୁବନ୍ଧକୁ ଭାରତ ପକ୍ଷରୁ ନେତୃତ୍ୱ ଦିଆଯାଉଛି । ଅନେକ ଦେଶୀ ଉତ୍ପାଦ ଏବେ ବୈଶ୍ୱିକ ହୋଇଥିବା ବେଳେ ଭାରତର ଗଣମାଧ୍ୟମ ବି ଏଥିରୁ ଭରପୂର ଲାଭ ଉଠାଉ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ଦଶନ୍ଧି ଦଶନ୍ଧି ଧରି ଭାରତକୁ ବିଶ୍ୱ ସମୁଦାୟ ଏକ ପଛୁଆ କାର୍ଯ୍ୟ କ୍ଷେତ୍ର ବୋଲି ବିବେଚନା କରି ଆସୁଥିବା ବେଳେ ସମଗ୍ର ବିଶ୍ୱ ପାଇଁ ଭାରତ ଏକ ନୂଆ ଫ୍ୟାକ୍ଟ୍ରି ଭାବେ ଉଭା ହୋଇପାରିଛି । ବାର୍କ ଫୋର୍ସ ନୁହେଁ ବରଂ ବାର୍ଲଡ ଫୋର୍ସ ଭାବେ ଭାରତକୁ ଏବେ ବିବେଚନା କରାଯାଉଛି । ଯେଉଁ ଦେଶ ଦିନେ ଅନ୍ୟ ଦେଶରୁ ବିଭିନ୍ନ ଜିନିଷ ଆମଦାନୀ କରୁଥିଲା ତାହା ଏବେ ବିଭିନ୍ନ ଜିନିଷ ବାହାରକି ରପ୍ତାନୀ କରୁଛି । ସ୍ଥାନୀୟ ବଜାର ସହ ଯୋଡି ହୋଇ ରହିଥିବା ଆମ ଦେଶର କୃଷକ ନିଜ ଉତ୍ପାଦକୁ ବିକିବା ପାଇଁ ଏବେ ବିଶ୍ୱ ବଜାର ପାଉଛି । ପୁଲବାମାର ଧଳା ମଟର, ମହାରାଷ୍ଟ୍ରର ପୁରନ୍ଦର ଡିମ୍ବିରି, କାଶ୍ମୀରର ଝିଂଟିକା ପରି ବିଭିନ୍ନ ଜିନିଷର ବୈଶ୍ୱିକ ଆଦର ବଢିବାରେ ଲାଗିଛି । ଭାରତର ପ୍ରତିରକ୍ଷା ଉତ୍ପାଦ ସାରା ବିଶ୍ୱକୁ ଭାରତୀୟ ଜ୍ଞାନ କୌଶଳକୁ ପରିଚିତି କରାଇଛି । ଇଲେକ୍ଟ୍ରୋନିକ୍ସଠାରୁ ଆରମ୍ଭ କରି ଅଟୋ ମୋବାଇଲ ଯାଏ ବିଭିନ୍ନ କ୍ଷେତ୍ରରେ ଭାରତର ଦକ୍ଷତାକୁ ସାରା ବିଶ୍ୱ ମାପି ପାରିଛି । ସାରା ବିଶ୍ୱକୁ ଭାରତ ଯେ କେବଳ ବିଭିନ୍ନ ଉତ୍ପାଦ ଯୋଗାଉନାହିଁ ବରଂ ବିଶ୍ୱର ଯୋଗାଣ ଶୃଙ୍ଖଳରେ ଏକ ନିର୍ଭର ଯୋଗ୍ୟ ଅଂଶୀଦାର ଭାବେ ଭାରତ ନିଜକୁ ଛିଡା କରାଇପାରିଛି ।
ଗତ ଦଶ ବର୍ଷର ଅଗ୍ରଗତିକୁ ଦେଖିଲେ ବର୍ଷ ବର୍ଷର କଠିନ ପରିଶ୍ରମ ସହ ବ୍ୟବସ୍ଥିତ ଯୋଜନା ଭାରତକୁ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବାକୁ ସୁଯୋଗ ଦେଇଛି ବୋଲି ଜଣାପଡିଥାଏ । ଅସମ୍ପୂର୍ଣ୍ଣ ପୋଲ ଓ ଖରାପ ରାସ୍ତା ଏବେ ଏକ୍ସପ୍ରେସ ବେ ଓ ଭଲ ରାସ୍ତାରେ ପରିଣତ ହୋଇଛି । କମିଯାଇଥିବା ଗସ୍ତ ସମୟ ଓ ଖର୍ଚ୍ଚ ବିଭିନ୍ନ ଶିଳ୍ପକୁ ଏବେ ବିଭିନ୍ନ ଲଜିଷ୍ଟିକ ଖର୍ଚ୍ଚ କମାଇବାରେ ସହାୟକ ହୋଇ ଅଟୋ ମୋବାଇଲ କ୍ଷେତ୍ରକୁ ଆହୁରି ବ୍ୟାପକ କରିପାରିଛି । ଇଭି ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ଭାରତକୁ ଅଟୋ ମୋବାଇଲ କ୍ଷେତ୍ରରେ ଏକ ପ୍ରମୁଖ ଉତ୍ପାଦନକାରୀ ଓ ରପ୍ତାନୀକାରୀ ଦେଶ ଭାବରେ ଗଢି ତୋଳିଛି ।
ସେହିପରି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ମରାମତି କରିବା କ୍ଷେତ୍ରରେ ଅନୁରୂପ ପରିବର୍ତନ ଘଟିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଗତ ଦଶନ୍ଧିରେ ପ୍ରଥମକରି ୨.୫ କୋଟି ପରିବାର ପାଖରେ ବିଜୁଳି ପହଂଚିପାରିଛି । ଫଳରେ ଇଲେକ୍ଟ୍ରୋନିକ୍ସ ଉପକରଣର ଚାହିଦା ବୃଦ୍ଧି ପାଇ ଉତ୍ପାଦନ ବି ବୃଦ୍ଧି ପାଇଛି । ଡାଟା ଯୋଗାଣ କ୍ଷେତ୍ରରେ ସୁଲଭତା ବି ମୋବାଇଲ ଫୋନର ଚାହିଦା ବଢେଇ ପାରିଛି । ମୋବାଇଲ ସେବା ବୃଦ୍ଧି ହେତୁ ବି ଡିଜିଟାଲ ଯନ୍ତ୍ରପାତି ବ୍ୟବହାର ବଢିଛି । ପିଏଲଆଇ ଯୋଜନା ପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏପ୍ରକାର ଚାହିଦାକୁ ଏକ ସୁଯୋଗରେ ପରିଣତ କରାଯାଇ ପାରିଛି । ଫଳରେ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ରପ୍ତାନୀକାରୀ ରାଷ୍ଟ୍ର ଭାବେ ଭାରତ ଏକ ପ୍ରମୁଖ ସ୍ଥାନ ଅକ୍ତିୟାର କରିପାରିଛି । ମିନିମମ ଗଭର୍ଣ୍ଣମେଂଟ ଓ ମାକ୍ସିମମ ଗଭର୍ଣ୍ଣାନାନ୍ସ ନ୍ୟାୟରେ ଭାରତ ବଡ ବଡ ଲକ୍ଷ୍ୟ ସାଧିତ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ବ୍ରିଟିଶ ଶାସନ କାଳରୁ ରହିଆସିଥିବା ପ୍ରାୟ ଦେଢ ହଜାର ପୁରୁଣା ଆଇନକୁ ଗତ ଦଶନ୍ଧି ଭିତରେ ପରିବର୍ତନ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଡ୍ରାମାଟିକ ଫରଫର୍ମାନ୍ସ ଆକ୍ଟ ଅନୁସାରେ ସର୍ବସାଧାରଣ ଜାଗାରେ ନାଚୁଥିବା ବ୍ୟକ୍ତି ଗିରଫ ହୋଇପାରୁଥିଲେ । ହେଲେ ଏବେ ଏଥିରେ ପରିବର୍ତନ କରାଯାଇଛି । ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ହେଲା ରହିଆସିଥିବା ଏହି ଆଇନକୁ ତାଙ୍କ ସରକାର ଉଚ୍ଛେଦ କରିଛନ୍ତି । ସେହିପରି ବାଉଁଶ କାଟିଲେ ଦଣ୍ଡିତ ହେବାକୁ ପଡୁଥିଲା କାରଣ ଏହା ଗଛ ଶ୍ରେଣୀରେ ଆସୁଥିଲା । ହେଲେ ଏହାକୁ ନୂଆ ଆଇନରେ ଘାସ ବୋଲି ଦର୍ଶାଯାଇ ଲୋକେ ଏହାକୁ ବିନା ବାଧାରେ ଏବେ କାଟି ପାରୁଥିବା କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଆଦିବାସୀ ଓ ଉତର-ପୂର୍ବାଂଚଳ ଲୋକଙ୍କ ପାଇଁ ବାଉଁଶ ଜୀବନରେଖା । ତେବେ ରହିଆସିଥିବା ଏପରି ପୁରୁଣା ଆଇନ ପ୍ରତି ପୂର୍ବ ନେତା ଓ ବୁଦ୍ଧିଜୀବୀମାନେ କପରି ନିରବତା ଅବଲମ୍ବନ କରୁଥିଲେ ସେନେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏବେ ଏପ୍ରକାର କିଛି ପୁରୁଣା ଆଇନକୁ ତାଙ୍କ ନେତେୃତ୍ୱାଧୀନ ସରକାର ଉଚ୍ଛେଦ କରିପାରିଥିବା ସେ ଉଲ୍ଲେଖ କରିଛନ୍ତି ।
ଦଶବର୍ଷ ପୂର୍ବେ ଆଇଟିଆର ଦାଖଲ କରିବାକୁ ଲୋକଙ୍କୁ ନାକେଦମ ହେବାକୁ ପଡୁଥିଲା । ତେବେ ଏହାକୁ ଏବେ ଖୁବ ସରଳ କରାଯାଉଛି । କିଛି କ୍ଷଣ ଭିତରେ ଏହାକୁ ଦାଖଲ କରି ଜଣେ ବ୍ୟକ୍ତି ରିଫଣ୍ଡ ପାଇପାରୁଛି । ଆୟକର ଆଇନର ସରଳୀକରଣ ଉପରେ ଏବେ ସଂସଦରେ କାମ ଚାଲୁଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ୧୨ ଲକ୍ଷ ଯାଏ ଆୟକର ଛାଡ କରିବା ଚାକିରିଆମାନଙ୍କୁ ସୁହାଇଥିବା ବେଳେ ଅଧିକା ଜମା ରଖି ଯୁବ ଗୋଷ୍ଠୀ ନିଜ ଅଭିଳଷିତ ସ୍ୱପ୍ନକୁ ଚରିତାର୍ଥ କରିପାରୁଛନ୍ତି । ଭଲରେ ଚଳିବା ଭଲ ବେପାର କରିବା ସହ ନିଜ ସ୍ୱପ୍ନକୁ ସାକାର କରିବା ହେଉଛି ଏହାର ପ୍ରକୃତ ଲକ୍ଷ୍ୟ । ଡାଟା ବ୍ୟବହାର କରି ବହୁ ଷ୍ଟାର୍ଟ ଅପ ଉପକୃତ ହେଉଛନ୍ତି । ମ୍ୟାପ ତିଆରି କରିବା ପାଇଁ ଆଗରୁ ସରକାରୀ ଅନୁମତି ଦରକାର ହେଉଥିଲା । କିନ୍ତୁ ଏବେ ଏହା ପରିବର୍ତନ କରାଯାଇ ଉଭୟ ଷ୍ଟାର୍ଟ ଅପ ଓ ଘରୋଇ କମ୍ପାନୀକୁ ଏହି ଡାଟାର ସୁବିନିଯୋଗ କରିବା ପାଇଁ ଅନୁମତି ଦିଆଯାଇଛି ।
ଏକଦା ଶୂନ୍ୟ ସଂଖ୍ୟାର ଜନକ ରାଷ୍ଟ୍ର ଭାବରେ ଭାରତବର୍ଷର ସୁଖ୍ୟାତି ରହିଥିଲା । କିନ୍ତୁ ଏବେ ଏହା ଅନେକ ଉଦଭାବନ ଓ ସର୍ଜନାତ୍ମକ କାର୍ଯ୍ୟର କର୍ମ ଭୂମି ଭାବରେ ପରିଗଣିତ ହୋଇଛି । ଇନୋଭେଟିଙ୍ଗ ନୁହେଁ ବରଂ ଇଣ୍ଡୋଭେଟିଙ୍ଗ ଆମ ଦେଶ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାର ଅର୍ଥ ଭାରତୀୟ ଉପାୟରେ ସର୍ଜନା କରିବା । ବିଭିନ୍ନ ସମସ୍ୟାର ସମଧାନ ପାଇଁ ଭାରତ ସରଳ, ସୁବିଧା ଓ ସୁଲଭ ଉପାୟ ବାହାର କରୁଛି । ୟୁପିଆଇ ପ୍ରଚଳନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ନିଭାଇ ଆସିଛି । ଫ୍ରାନ୍ସ, ୟୁଏଇ, ସିଙ୍ଗାପୁର ପରି ଦେଶ ନିଜ ଆର୍ଥିକ ପରିସୀମାରେ ଆମ ଦ୍ୱାରା ବିକଶିତ ହୋଇଥିବା ୟୁପିଆଇ ସିଷ୍ଟମକୁ ଆପଣେଇ ନେଇଛନ୍ତି । ଭାରତର ଡିଜିଟାଲ କ୍ଷେତ୍ର ଇଣ୍ଡିଆ ଷ୍ଟାକ ସହ ଯୋଡି ହେବା ପାଇଁ ଏବେ ବିଶ୍ୱର ଅନେକ ଦେଶ ଆଗ୍ରହ ପ୍ରକାଶ କରୁଥିବା ପରିଲକ୍ଷିତ ହୋଇଛି । କୋଭିଡ ମହାମାରୀ ବେଳେ ଭାରତ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟୀକା ଭାରତର ସ୍ୱାସ୍ଥ୍ୟଜନିତ ଗୁଣବତାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିପାରିଛି । ଆରୋଗ୍ୟ ସେତୁ ପ୍ରଚଳନ ପରେ ସାରା ବିଶ୍ୱରେ ଲୋକେ ଖୁବ ଉପକୃତ ହୋଇପାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ନିଭାଉଥିବା ବେଳେ ଅନ୍ୟ ଦେଶଗୁଡିକୁ ଭାରତ ମହାକାଶ ସମ୍ବନ୍ଧିତ ବିଭନ୍ନ କ୍ଷେତ୍ରରେ ସହଯୋଗ କରିଆସୁଛି । ସେହିପରି ଏଆଇ କ୍ଷେତ୍ରରେ ଭାରତ ମଧ୍ୟ ବିକଶିତ ହେବାରେ ଲାଗିଛି । ରହିଥିବା ଜ୍ଞାନ କୌଶଳକୁ ଭାରତ ଅନ୍ୟ ଦେଶ ସହ ବି ବିନିମୟ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ଅନେକ ଫେଲୋସିପ ପ୍ରଚଳନ କରିଥିବା ଆଇଟିଭି ନେଟବାର୍କକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ବିକଶିତ ଭାରତର ପ୍ରମୁଖ ଅଂଶୀଦାର ହେଉଛନ୍ତି ଯୁବ ଗୋଷ୍ଠୀ । ଜାତୀୟ ଶିକ୍ଷା ନୀତି ପିଲାମାନଙ୍କୁ ପାଠ୍ୟ ବହି ବାହାରକୁ ଯିବାକୁ ଅନୁମତି ଦେଇଛି । ଏଆଇ ଓ ଡାଟା ସାଇନ୍ସ ପାଇଁ ମାଧ୍ୟମିକ ପିଲାମାନେ କୋଡିଂ ଶିଖିବା ଆରମ୍ଭ କଲେଣି । ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା ଉପରେ ଅଟଳ ଟିଙ୍କରିଙ୍ଗ ଲାବରେ ପିଲାମାନଙ୍କୁ ତାଲିମ ଦିଆଯାଉଛି । ଚଳିତ ବଜେଟରେ ପଚାଶ ହଜାର ନୂଆ ଅଟଳ ଚିଙ୍କରିଙ୍ଗ ଲାବ ହେବା ନେଇ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।
ବର୍ତମାନର ନ୍ୟୁଜ ଯୁଗରେ ବିଭିନ୍ନ ସୂତ୍ରରୁ ଖବର ପାଇଲେ ଜଣେ ସମୃଦ୍ଧ ହୋଇପାରିବ । ସେହିପରି ଗବେଷଣା ଯୁଗରେ ବିଭିନ୍ନ ସୂଚନା ପାଇବା ଆବଶ୍ୟକ । ତେବେ ପୂର୍ବରୁ ଅଧିକା ପଇସା ଖର୍ଚ୍ଚ କରି ଗବେଷକମାନେ ଏପରି ଜର୍ଣ୍ଣାଲ ମଗାଇଥାନ୍ତି । କିନ୍ତୁ ଏସବୁକୁ ଏବେ ସରକାର ସରଳ କରିଛନ୍ତି । ବାନ ନେସନ ବାନ ସବସ୍କ୍ରିପନ ନ୍ୟାୟରେ ଦେଶର ସବୁ ଗବେଷକମାନଙ୍କ ପାଖରେ ମାଗଣାରେ ଭଲ ଭଲ ଜର୍ଣ୍ଣାଲ ଏବେ ପହଂଚିପାରୁଛି । ଏନେଇ ପ୍ରାୟ ଛଅ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ମହାକାଶ ଗବେଷଣା, ବାୟୋଟେକ ଗବେଷଣା କିମ୍ବା ଏଆଇ ସବୁ କ୍ଷେତ୍ରରେ ଉନ୍ନତମାନର ଗବେଷଣା କରିବା ପାଇଁ ସରକାର ଭଲ ବ୍ୟବସ୍ଥା କରିଛନ୍ତି । ଆଇଆଇଟି ଛାତ୍ରମାନଙ୍କ ସହ ଡ. ବ୍ରିଆନ ଗ୍ରୀନଙ୍କ ସାକ୍ଷାତ ଆଲୋଚନା ଓ କେନ୍ଦ୍ରୀୟ ସ୍କୁଲ ପିଲାମାନଙ୍କର ମହାକାଶ ବିଜ୍ଞାନୀ ମାଇକ ମାସିମିନୋଙ୍କ ସହ ଆଲୋଚନାରୁ ଅତ୍ୟନ୍ତ ପ୍ରସନ୍ନତା ବ୍ୟକ୍ତ କରି ଭାରତବର୍ଷର ଏକ ଛୋଟିଆ ସ୍କୁଲରୁ ଅଭିନବ ସୃଜନ ସଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକଟ କରିଥିଲେ ।
ବିଶ୍ୱ ଦରବାରରେ ଭାରତର ନାଁକୁ ଉଚ୍ଚକିତ କରିବା ପାଇଁ ନିମ୍ନ ମାନସିକତାରୁ ଓହରି ସକରାତ୍ମକ ମାନସିକତା ଆଣିବା ଆମ ଲକ୍ଷ୍ୟ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦଶବର୍ଷ ତଳେ ଆଗରୁ ଦେଶ ଭିତରେ ନେଟବାର୍କ ଚଳାଉଥିବା ଏହି ସଂସ୍ଥା ଏବେ ବୈଶ୍ୱିକ ହୋଇଛି । ଦେଶର ପ୍ରତି ନାଗରିକ ଓ ଉଦ୍ୟୋଗପତିଙ୍କ ପାଖରେ ଏଭଳି ବିକାଶନୋନ୍ମୁଖୀ ମାନସିକତା ରହିବା ଦରକାର । ପ୍ରତି ବଜାର, ଡ୍ରଇଁ ରୁମ, ଖାଇବା ଜାଗାରେ ମେଡ ଇନ ଇଣ୍ଡିଆର ଛାପ ରହିବା ଉଚିତ । ଅସୁସ୍ଥ ବେଳେ ହିଲ ଇନ ଇଣ୍ଡିଆ, ବିବାହ ବେଳେ ବେଡ ଇନ ଇଣ୍ଡିଆ ସହ ପର୍ଯ୍ୟଟନ, ପ୍ରଦର୍ଶନୀ, କନସର୍ଟ, କନଫରେନ୍ସ କ୍ଷେତ୍ରରେ ଭାରତକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ସାହାସର ସହ ଏ ଦିଗରେ ସମ୍ପୃକ୍ତ ନେଟବାର୍କ ଓ ଚ୍ୟାନେଲ କାମ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଥିଲେ ।
ଆସନ୍ତା ୨୫ ବର୍ଷ ଭିତରେ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତି ହେବାକୁ ଯାଉଛି । ତେବେ ଏକ୍ଷେତ୍ରରେ ବିଶ୍ୱ ଦରବାରରେ ଆଇଟିଭି ଉଲ୍ଲେଖନୀୟ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ଏହି ଉତ୍ସବରେ ଅନ୍ୟ ମାନ୍ୟ ଗଣ୍ୟ ଅତିଥିମାନଙ୍କ ସହ ଆଇଟିଭି ମିଡିଆ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ କାର୍ତିକେୟ ଶର୍ମା, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍ଟ, ଶ୍ରୀଲଙ୍କାର ପୂର୍ବ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଉପସ୍ଥିତ ଥିଲେ ।
PBD
(Release ID: 2107442)
Visitor Counter : 7
Read this release in:
Marathi
,
English
,
Urdu
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam