ଅର୍ଥ ମନ୍ତ୍ରଣାଳୟ
ବଜେଟ୍ ୨୦୨୫: ଜାହାଜ ଚଳାଚଳ ଏବଂ ବିମାନ ଚଳାଚଳ କ୍ଷେତ୍ରକୁ ଗୁରୁତ୍ୱ
୨୫୦୦୦ କୋଟି ଟଙ୍କାର ସାମୁଦ୍ରିକ ବିକାଶ ପାଣ୍ଠି ପ୍ରସ୍ତାବିତ
ସଂଶୋଧିତ ଉଡ଼ାନ ଯୋଜନାରେ ଆଗାମୀ ୧୦ ବର୍ଷ ମଧ୍ୟରେ ୧୨୦ଟି ନୂତନ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ଏବଂ ୪ କୋଟି ଯାତ୍ରୀଙ୍କୁ ପରିବହନ ଲକ୍ଷ୍ୟ
ବିହାର ପାଇଁ ଗ୍ରୀନଫିଲ୍ଡ ବିମାନବନ୍ଦର ଏବଂ ପଶ୍ଚିମ କୋଶୀ କେନାଲ ପ୍ରକଳ୍ପ
ପୋଷ୍ଟ କରାଯିବା ଦିନାଙ୍କ:
01 FEB 2025 1:11PM by PIB Bhubaneshwar
ସାମୁଦ୍ରିକ ଶିଳ୍ପର ବିକାଶ ଲାଗି ଦୀର୍ଘକାଳୀନ ପାଣ୍ଠି ପ୍ରଦାନ ଉଦ୍ଦେଶ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ଅଭିଭାଷଣରେ ଏକ ୨୫ ହଜାର କୋଟି ଟଙ୍କାର ସାମୁଦ୍ରିକ ବିକାଶ ପାଣ୍ଠି ଘୋଷଣା କରିଛନ୍ତି। ଏହି ପାଣ୍ଠିରେ ସରକାରଙ୍କ ୪୯ ପ୍ରତିଶତ ଅବଦାନ ରହିବ। ବାକି ଅଂଶଧନ ବନ୍ଦର ତଥା ଘରୋଇ କ୍ଷେତ୍ରରରୁ ସଂଗ୍ରହ କରାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ସମୟରେ କହିଛନ୍ତି। ସାମୁଦ୍ରିକ ଶିଳ୍ପର ବିକାଶ ଏବଂ ପ୍ରତିଦ୍ୱନ୍ଦ୍ୱିତାକୁ ସହଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।
ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି, ଜାହାଜ ନିର୍ମାଣ କ୍ଷେତ୍ରରେ ଖର୍ଚ୍ଚ ଅସୁବିଧାକୁ ଦୂର କରିବା ପାଇଁ ଜାହାଜ ନିର୍ମାଣ ଆର୍ଥିକ ସହାୟତା ନୀତିକୁ ସଂଶୋଧନ କରାଯିବ। ବୃତ୍ତାକାର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ୟାର୍ଡରେ ଜାହାଜ ଭାଙ୍ଗିବା ପାଇଁ କ୍ରେଡିଟ୍ ନୋଟ୍ ( ଜମାପତ୍ର) ପ୍ରଦାନ ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ହେବ। ଏହା ବ୍ୟତୀତ, ଏକ ନିର୍ଦ୍ଦିଷ୍ଟ ଆକାରରୁ ଅଧିକ ବଡ଼ ଜାହାଜକୁ ଭିତ୍ତିଭୂମି ହାର୍ମୋନାଇଜ୍ଡ ମାଷ୍ଟର ଲିଷ୍ଟ (HML) ରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ବଜେଟରେ ଜାହାଜର ଶ୍ରେଣୀ, ବର୍ଗ ଏବଂ କ୍ଷମତା ବୃଦ୍ଧି କରିବା ପାଇଁ 'ଜାହାଜ ନିର୍ମାଣ କ୍ଲଷ୍ଟର'କୁ ସହଜ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏଥିରେ ସମଗ୍ର ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ଅତିରିକ୍ତ ଭିତ୍ତିଭୂମି ସୁବିଧା, ଦକ୍ଷତା ଏବଂ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ ହେବ। ଜାହାଜ ନିର୍ମାଣପାଇଁ ଆବଶ୍ୟକ ଦୀର୍ଘ ଅବଧିକଥା କହିବା ସହ ଅର୍ଥମନ୍ତ୍ରୀ ଜାହାଜ ନିର୍ମାଣ ପାଇଁ କଞ୍ଚାମାଲ ଓ ଯନ୍ତ୍ରାଂଶ ଉପରେ ଆଉ ଦଶ ବର୍ଷ ପାଇଁ ସୀମା ଶୁଳ୍କ ଛାଡ଼ ଜାରି ରଖିବାକୁ ପ୍ରସ୍ତାବ ଦେଇଛନ୍ତି।
ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଉଡ଼ାନ୍ କୁ ପ୍ରଶଂସା କରି, ଶ୍ରୀମତୀ ସୀତାରମଣ କହିଥିଲେ ଯେ ଉଡ଼ାନ ୧.୫ କୋଟି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଦ୍ରୁତ ବିମାନ ଯାତ୍ରାର ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହୋଇଛି। ଏହି ଯୋଜନା ୮୮ ଟି ବିମାନବନ୍ଦରକୁ ସଂଯୋଗ କରିଛି ଏବଂ ୬୧୯ ଟି ରୁଟ୍ କାର୍ଯ୍ୟକ୍ଷମ ରହିଛି। ସେହି ସଫଳତାକୁ ଆଉ ପାଦେ ଆଗକୁ ନେବା ଲାଗି ଏକ ସଂଶୋଧିତ ଉଡା଼ନ ଯୋଜନା ଆରମ୍ଭ କରାଯିବ। ଏହା ୧୨୦ ଟି ନୂତନ ଗନ୍ତବ୍ୟସ୍ଥଳକୁ ଆଞ୍ଚଳିକ ସଂଯୋଗ ବୃଦ୍ଧି କରିବା ସହ ଆଗାମୀ ଏକ ବର୍ଷ ମଧ୍ୟରେ ୪କୋଟି ଯାତ୍ରୀଙ୍କୁ ପରିବହନ କରିବା ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ଅର୍ଥମନ୍ତ୍ରୀ ବଜେଟାରେ ପ୍ରସ୍ତାବ ଦେଇଛନ୍ତି। ଏହି ଯୋଜନା ପାହାଡିଆ, ଆକାଂକ୍ଷୀ ଏବଂ ଉତ୍ତର-ପୂର୍ବାଞ୍ଚଳର ଜିଲ୍ଲାଗୁଡ଼ିକରେ ହେଲିପ୍ୟାଡ୍ ଏବଂ ଛୋଟ ବିମାନବନ୍ଦରକୁ ବିକଶିତ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ ଗୃହକୁ ଏହା ମଧ୍ୟ ସୂଚନା ଦେଇଥିଲେ ଯେ ସରକାର ଉଚ୍ଚ ମୂଲ୍ୟର ନଷ୍ଟଶୀଳ ଉଦ୍ୟାନ କୃଷି ଉତ୍ପାଦ ସମେତ ବିମାନ କାର୍ଗୋ ପାଇଁ ଭିତ୍ତିଭୂମି ଏବଂ ଗୋଦାମର ବିକାଶ କରିବ। କାର୍ଗୋ ସ୍କ୍ରିନିଂ ଏବଂ କଷ୍ଟମ୍ ପ୍ରୋଟୋକଲକୁ ମଧ୍ୟ ସୁଗମ ଏବଂ ବ୍ୟବହାରକାରୀ-ଅନୁକୂଳ କରାଯିବ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀ ବିହାରରେ ଗ୍ରୀନଫିଲ୍ଡ ବିମାନବନ୍ଦର ବିକାଶ ପାଇଁ ପ୍ରସ୍ତାବ ଦେଇଛନ୍ତି। ପାଟନା ବିମାନବନ୍ଦରର କ୍ଷମତା ବୃଦ୍ଧି ସହ ବିହଟାରେ ଏକ ବ୍ରାଉନଫିଲ୍ଡ ବିମାନବନ୍ଦର ନିର୍ମାଣ ଏଥିରେ ଅନ୍ତର୍ଭୁକ୍ତ। ପଶ୍ଚିମ କୋଶୀ କେନାଲ ଇଆରଏମ୍ ପ୍ରକଳ୍ପ ପାଇଁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଯାହାଦ୍ୱାରା ବିହାରର ମିଥିଳାଞ୍ଚଳରେ ୫୦ ହଜାର ହେକ୍ଟରରୁ ଅଧିକ ଜମିରେ ଚାଷ କରୁଥିବା ବହୁ ସଂଖ୍ୟକ ଚାଷୀ ଉପକୃତ ହେବେ।
****
(ରିଲିଜ ଆଡି: 2098797)
ପରିଦର୍ଶକ କାଉଣ୍ଟର : 95
ଏହି ରିଲିଜ ପଢନ୍ତୁ :
Telugu
,
Khasi
,
English
,
Urdu
,
Marathi
,
हिन्दी
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam