ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାମାଇକା ପ୍ରଧାନମନ୍ତ୍ରୀଙ୍କ ସହ ସଂଯୁକ୍ତ ପ୍ରେସ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି
Posted On:
01 OCT 2024 6:35PM by PIB Bhubaneshwar
ମହାମାନ୍ୟ ପ୍ରଧାନମନ୍ତ୍ରୀ ଆଣ୍ଡ୍ରୟୁ ହୋଲନେସ୍
ଦୁଇ ଦେଶର ପ୍ରତିନିଧିଦଳ
ଗଣମାଧ୍ୟମ ପ୍ରତିନିଧିଗଣ
ନମସ୍କାର
ପ୍ରଧାନମନ୍ତ୍ରୀ ହୋଲନେସ୍ ଓ ତାଙ୍କ ପ୍ରତିନିଧିଦଳଙ୍କୁ ଭାରତରେ ସ୍ୱାଗତ କରି ମୁଁ ବହୁତ ଖୁସି ହେଉଛି । ଜାମାଇକାର ପ୍ରଧାନମନ୍ତ୍ରୀ ପ୍ରଥମ ଥର ଆଜି ଦ୍ୱିପାକ୍ଷିକ ଗସ୍ତରେ ଆସିଛନ୍ତି । ତେଣୁ ଏହି ଯାତ୍ରା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ପ୍ରଧାନମନ୍ତ୍ରୀ ହୋଲନେସ୍ ଦୀର୍ଘ ବର୍ଷ ଧରି ଭାରତର ମିତ୍ର ରହିଛନ୍ତି । ତାଙ୍କ ସହ ମିଶିବାର ସୁଯୋଗ ମୋତେ ଅନେକ ଥର ମିଳିଛି । ପ୍ରତ୍ୟେକ ଥର ତାଙ୍କ କଥାରେ ଭାରତ ସହ ସମ୍ପର୍କକୁ ମଜବୁତ୍ କରିବାର ପ୍ରତିବଦ୍ଧତା ଅନୁଭବ କରିଛି । ମୋର ବିଶ୍ୱାସ ରହିଛି ତାଙ୍କର ଯାତ୍ରା ଫଳରେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ସହିତ କାରିବିଆନ ଅଞ୍ଚଳ ସହ ସମ୍ପର୍କକୁ ନୂତନ ଦିଶା ଦେବ ।
ବନ୍ଧୁଗଣ
ଭାରତ ଓ ଜାମାଇକାର ସମ୍ପର୍କ ଆମର ସମାନ ଇତିହାସ, ସମାନ ଲୋକତାନ୍ତ୍ରିକ ମୂଲ୍ୟବୋଧ ଏବଂ ମଜବୁତ୍ ଜନସମ୍ପର୍କ ଉପରେ ଆଧାରିତ । ଆମର ସହଭାଗିତାକୁ ଚାରୋଟି ସି କଲଚର, କ୍ରିକେଟ, କମନୱେଲଥ୍ ଏବଂ କେରିକମ୍ (Culture, Cricket, Commonwealth, and CARICOM) ରେ ଆମେ ବର୍ଣ୍ଣନା କରିପାରିବା । ଆଜିର ବୈଠକରେ ପ୍ରତି କ୍ଷେତ୍ରରେ ସମ୍ପର୍କ ଦୃଢ଼ କରିବା ଉପରେ ଆମେ ଆଲୋଚନା କରିଛୁ । ଏ କ୍ଷେତ୍ରରେ କେତେକ ନୂତନ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା ହୋଇଛି । ଭାରତ ଓ ଜାମାଇକା ମଧ୍ୟରେ ବାଣିଜ୍ୟ ଓ ନିବେଶ ବୃଦ୍ଧି ହେଉଛି । ଜାମାଇକାର ବିକାଶ ରାସ୍ତାରେ ଭାରତ ସର୍ବଦା ଏକ ବିଶ୍ୱସନୀୟ ଏବଂ ପ୍ରତିବଦ୍ଧ ସହଯୋଗୀ ହୋଇ ରହିଛି । ଏ ଦିଗରେ ଆମର ସମସ୍ତ ପ୍ରଚେଷ୍ଟା ଜାମାଇକାର ଲୋକଙ୍କ ଆବଶ୍ୟକତା ଉପରେ ଆଧାରିତ । ଆଇଟେକ୍ (ITEC) ଏବଂ ଆଇସିସିଆର ସ୍କଲାରସିପ୍ ମାଧ୍ୟମରେ ଆମେ ଜାମାଇକାର ଲୋକଙ୍କ ଦକ୍ଷତା ବିକାଶ ଏବଂ କ୍ଷମତା ଗଠନ ଦିଗରେ ଯୋଗଦାନ ଦେଇଛୁ ।
ଡିଜିଟାଲ ମୌଳିକ ଢାଞ୍ଚା, ଲଘୁ ଉଦ୍ୟୋଗ, ଜୈବିକ ଜାଳେଣି, ନବାଚାର, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଭଳି କ୍ଷେତ୍ରରେ ଆମେ ଆମ ଅନୁଭବ ଜାମାଇକା ସହ ବାଣ୍ଟିବାକୁ ପ୍ରସ୍ତୁତ ଅଛୁ । ପ୍ରତିରକ୍ଷା କ୍ଷେତ୍ରରେ ଜାମାଇକା ସେନାକୁ ପ୍ର୍ରଶିକ୍ଷଣ ଏବଂ କ୍ଷମତା ଗଠନ ଦିଗରେ ଆମେ ଆଗେଇବୁ । ସଙ୍ଗଠିତ ଅପରାଧ, ନିଶା ଚୋରାଚାଲାଣ, ଆତଙ୍କବାଦ ଆମ ଉଭୟଙ୍କ ପାଇଁ ଆହ୍ୱାନ । ଆମେ ମିଳିମିଶି ଏହି ଆହ୍ୱାନର ସମ୍ମୁଖିନ ହେବାକୁ ସହମତ । ଅନ୍ତରୀକ୍ଷା କ୍ଷେତ୍ରରେ ଆମର ସଫଳ ଅନୁଭବକୁ ଆମେ ଜାମାଇକା ସହ ବାଣ୍ଟିବାରେ ଖୁସି ହେବୁ ।
ବନ୍ଧୁଗଣ
ଆଜିର ବୈଠକରେ ଆମେ ଅନେକ ବୈଶ୍ୱିକ ଓ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ଆଲୋଚନା କଲୁ । ପ୍ରତ୍ୟେକ ଉତ୍ତେଜନା ଓ ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ହୋଇପାରିବ ବୋଲି ଆମ ଉଭୟଙ୍କ ବିଶ୍ୱାସ । ଆମେ ମିଳିମିଶି ବୈଶ୍ୱିକ ଶାନ୍ତି ଓ ସ୍ଥିରତା ପାଇଁ ଆମର ପ୍ରଚେଷ୍ଟା ଜାରି ରଖିବୁ । ଜାତିସଂଘ ନିରାପତ୍ତା ପରିଷଦ ସମେତ ସମସ୍ତ ବୈଶ୍ୱିକ ସଂସ୍ଥାରେ ସୁଧାର ଆବଶ୍ୟକ ବୋଲି ଉଭୟ ଭାରତ ଓ ଜାମାଇକା ସହମତ । ଏହାକୁ ସମକାଳୀନ ରୂପ ଦେବାକୁ ଆମେ ଉଭୟେ ମିଳିମିଶି କାମ ଜାରି ରଖିବୁ ।
ବନ୍ଧୁଗଣ
ଭାରତ ଓ ଜାମାଇକା ମଧ୍ୟରେ ଏକ ବିଶାଳ ମହାସାଗର ଥିଲେ ମଧ୍ୟ ଆମର ମନ, ସଂସ୍କୃତି ଓ ଇତିହାସ ଆମକୁ ପରସ୍ପର ସହ ଯୋଡ଼ିଛି । ପ୍ରାୟ ୧୮୦ ବର୍ଷ ପୂର୍ବେ ଭାରତରୁ ଯେଉଁମାନେ ଜାମାଇକା ଯାଇଥିଲେ ସେମାନେ ଆମର ଲୋକଙ୍କ ସହ ଲୋକଙ୍କର ମଜବୁତ୍ ସମ୍ପର୍କର ଆଧାର ରଖିଥିଲେ । ଏବେ ଜାମାଇକାକୁ ନିଜର ଘର ଭାବୁଥିବା ୭୦ ହଜାର ପ୍ରବାସୀ ଭାରତୀୟ ପାରସ୍ପରିକ ସମ୍ପର୍କର ବଡ଼ ଉଦାହରଣ । ପ୍ରବାସୀ ଭାରତୀୟଙ୍କୁ ସମର୍ଥନ କରୁଥିବାରୁ ମୁଁ ପ୍ରଧାନମନ୍ତ୍ରୀ ହୋଲନେସ୍ ଓ ତାଙ୍କ ସରକାରଙ୍କୁ କୃତଜ୍ଞତା ଜଣାଉଛି ।
ଯେପରି ଭାରତର ଯୋଗ ଓ ଲୋକ ସଙ୍ଗୀତକୁ ଜାମାଇକା ଗ୍ରହଣ କରିଛି,ସେହିପରି ଜାମାଇକାର ‘ରେଗେ’ ଏବଂ ‘ଡାନ୍ସହାଲ’ ଭାରତରେ ମଧ୍ୟ ଲୋକପ୍ରିୟ ହେଉଛି । ଆଜି ହେଉଥିବା ସାଂସ୍କୃତିକ ଆଦାନପ୍ରଦାନ କାର୍ଯ୍ୟକ୍ରମ ଯୋଗୁ ଆମର ପାରସ୍ପରିକ ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆମେ ଦିଲ୍ଲୀରେ ଜାମାଇକା ଦୂତାବାସ ସମ୍ମୁଖ ରାସ୍ତାର ନାମ ‘ଜାମାଇକା ମାର୍ଗ’ରଖିବାକୁ ନିଷ୍ପତ୍ତି ନେଇଛୁ । ଏହି ରାସ୍ତା ଆଗାମୀ ଦିନର ପିଢ଼ିଙ୍କ ପାଇଁ ଆମର ଗଭୀର ମିତ୍ରତା ଓ ସହଯୋଗର ମାର୍ଗକୁ ବ୍ୟାପକ କରିବ ।
କ୍ରିକେଟ ପ୍ରେମୀ ଦେଶ ଭାବେ କ୍ରିକେଟ ଆମ ଦୁଇ ଦେଶ ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ଲିଙ୍କ୍ । ‘କଟନୀ ୱାଲ୍ସ’ଙ୍କ କିମ୍ବଦନ୍ତୀ ଫାଷ୍ଟ ବୋଲିଂ ହେଉ କିମ୍ବା ‘କ୍ରିସ୍ ଗେଲ’ଙ୍କ ଧୂଆଁଧାର ବ୍ୟାଟିଂ ହେଉ ଭାରତୀୟଙ୍କ ଜାମାଇକାର କିକେଟରଙ୍କ ପ୍ରତି ସ୍ୱତନ୍ତ୍ର ଭାବନା ରହିଛି । କ୍ରୀଡା କ୍ଷେତ୍ରରେ ଆମର ସମ୍ପର୍କ ବଢ଼ାଇବା ପାଇଁ ଆମେ ମଧ୍ୟ ଆଲୋଚନା କରିଛୁ । ମୋର ପୁରା ବିଶ୍ୱାସ ଆଜିକାର ଚର୍ଚ୍ଚାର ଫଳ ଆମର ସମ୍ପର୍କକୁ ‘ଉସେନ ବୋଲ୍ଟ’ ଠାରୁ ବି ଅଧିକ ଗତ ଦେବ ଏବଂ ଆମେ ନିରନ୍ତର ଭାବେ ଶୀର୍ଷକୁ ଛୁଉଁଥିବ ।
ମହାମାନ୍ୟ
ପୁଣି ଥରେ ଆପଣଙ୍କୁ ଓ ଆପଣଙ୍କ ପ୍ରତିନିଧିଦଳଙ୍କୁ ଭାରତରେ ବହୁତ ବହୁତ ସ୍ୱାଗତ
ବହୁତ ବହୁତ ଧନ୍ୟବାଦ
SR
(Release ID: 2060955)
Visitor Counter : 36
Read this release in:
Tamil
,
Telugu
,
English
,
Urdu
,
Hindi
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Kannada
,
Malayalam