ଅର୍ଥ ମନ୍ତ୍ରଣାଳୟ

ଉତ୍ପାଦକତା ବୃଦ୍ଧି ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ବିକାଶ ପାଇଁ କୃଷି ଗବେଷଣା ବ୍ୟବସ୍ଥା ଉପରେ ଧ୍ୟାନ ପ୍ରଦାନ


ନୂତନ ୧୦୯ ଟି ଉଚ୍ଚ ଉତ୍ପାଦନକାରୀ ଏବଂ ୩୨ ଟି ଜଳବାୟୁ ସହନଶୀଳ ଫସଲ ପ୍ରଜାତିର ଶୁଭାରମ୍ଭ ଘୋଷଣା

ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ

ଗ୍ରାମୀଣ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଏବଂ ବୃହତ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି ନୀତିର ଲକ୍ଷ୍ୟ ହେବ

Posted On: 23 JUL 2024 12:58PM by PIB Bhubaneshwar

 କୃଷିକ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା ବୃଦ୍ଧି ପାଇଁ କେନ୍ଦ୍ର ବଜେଟ୍ ୨୦୨୪-୨୫ରେ କୃଷି ଗବେଷଣା, ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଏବଂ ଜାତୀୟ ସମବାୟ ନୀତି ସମେତ ଅନେକ ପଦକ୍ଷେପ ଘୋଷଣା କରାଯାଇଛି।

କୃଷି ଗବେଷଣାରେ ପରିବର୍ତ୍ତନ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଉତ୍ପାଦକତା ବୃଦ୍ଧି ଏବଂ ଜଳବାୟୁ ସହନଶୀଳ ପ୍ରଜାତି ବିକାଶ ଉପରେ ଧ୍ୟାନ ଦେବା ପାଇଁ ସରକାର କୃଷି ଗବେଷଣା ବ୍ୟବସ୍ଥାର ଏକ ବ୍ୟାପକ ସମୀକ୍ଷା କରିବେ । ଆଜି ସଂସଦରେ ୨୦୨୪-୨୦୨୫ ବଜେଟ୍ ଉପସ୍ଥାପନ କରି ସେ କହିଛନ୍ତି ଯେ କୃଷି ଗବେଷଣାକୁ ପ୍ରୋତ୍ସାହନ ପାଇଁ ଘରୋଇ କ୍ଷେତ୍ର ସମେତ ଚ୍ୟାଲେଞ୍ଜ ମୋଡରେ ପାଣ୍ଠି ଯୋଗାଇ ଦିଆଯିବ। କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ସରକାରୀ ଏବଂ ବାହାରୁ ବିଶେଷଜ୍ଞମାନଙ୍କୁ ଅଣାଯାଇ ଏଭଳି ଗବେଷଣାର ତଦାରଖ କରାଯିବ। ବଜେଟରେ ଏହା ମଧ୍ୟ ଘୋଷଣା କରାଯାଇଛି ଯେ ୩୨ଟି କ୍ଷେତ ଏବଂ ଉଦ୍ୟାନ କୃଷି ଫସଲର ନୂତନ ୧୦୯ ଟି ଉଚ୍ଚ ଉତ୍ପାଦନକାରୀ ଏବଂ ଜଳବାୟୁ ସହନଶୀଳ ପ୍ରଜାତି ଚାଷ ପାଇଁ ପ୍ରଦାନ କରାଯିବ।

ପ୍ରାକୃତିକ ଚାଷ

ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାର୍ଟିଫିକେସନ୍ ଏବଂ ବ୍ରାଣ୍ଡିଂ ସହାୟତାରେ ସାରା ଦେଶରେ ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ବୈଜ୍ଞାନିକ ଅନୁଷ୍ଠାନ ଓ ଇଚ୍ଛୁକ ଗ୍ରାମ ପଞ୍ଚାୟତ ଜରିଆରେ ଏହାର କାର୍ଯ୍ୟକାରିତା କରାଯିବ ଏବଂ ଏଥିପାଇଁ ୧୦ ହଜାର ଆବଶ୍ୟକତା ଭିତ୍ତିକ ବାୟୋ ଇନପୁଟ୍ ରିସୋର୍ସ ସେଣ୍ଟର ପ୍ରତିଷ୍ଠା କରାଯିବ।

ଜାତୀୟ ସମବାୟ ନୀତି

ସମବାୟ କ୍ଷେତ୍ରର ଶୃଙ୍ଖଳିତ, ବ୍ୟବସ୍ଥିତ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଏକ ଜାତୀୟ ସମବାୟ ନୀତି ପ୍ରଣୟନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଗ୍ରାମୀଣ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଏବଂ ବୃହତ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି।

 

BS



(Release ID: 2035840) Visitor Counter : 4