ରାଷ୍ଟ୍ରପତିଙ୍କ ସଚିବାଳୟ
ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
Posted On:
25 JAN 2024 7:42PM by PIB Bhubaneshwar
ମୋର ପ୍ରିୟ ଦେଶବାସୀ, ନମସ୍କାର !
ପଞ୍ଚସ୍ତରିତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ମୁଁ ଯେତେବେଳେ ପଛକୁ ଚାହେଁ ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆମେ କେତେ ବାଟ ଆଗକୁ ଯାତ୍ରା କରିଛେ, ତାହା ଦେଖେ ସେତେବେଳେ ମୋ ହୃଦୟ ଗର୍ବରେ ପୂରିଉଠେ । ଆମ, ସାଧାରଣତନ୍ତ୍ରକୁ ୭୫ ବର୍ଷ ପୂରିବା ବାସ୍ତବରେ ଏକ ଐତିହାସିକ ଘଟଣା । ଆମ ଦେଶର ବିବିଧ ପ୍ରଗତି ଓ ଯାତ୍ରାପଥରେ ଏହା ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ । ଏହା ଏକ ସ୍ୱତନ୍ତ୍ର ଉତ୍ସବର ଅବକାଶ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆମେ ଆଜାଦିର ଅମୃତ ମହୋତ୍ସବ ପାଳନ କରିଥିଲେ । ଏହା ପରେ ସାଧାରଣତନ୍ତ୍ରର ୭୫ ବର୍ଷ ପାଳନ କରିବା ଏକ ଗୌରବର ବିଷୟ । ବିଭିନ୍ନ ଦୃଷ୍ଟିରୁ ଏହା ଅନୁପମ ଏବଂ ବିବିଧ ସଂସ୍କୃତିରେ ଭରା ଆମ ଦେଶର ମହାନତାକୁ ପ୍ରତିପାଦନ କରେ ।
ଆସନ୍ତାକାଲି ଆମେ ଗଣତନ୍ତ୍ର ଦିବସ ପାଳନ କରିବା । ଏହି ଦିବସଟି ସ୍ୱତନ୍ତ୍ର, କାରଣ ସ୍ୱାଧୀନ ଭାରତରେ ଏହି ଦିବସରୁ ସମ୍ୱିଧାନର ପ୍ରବର୍ତନ ହୋଇଥିଲା ଏବଂ ଦେଶ ଏକ ସାଧାରଣତନ୍ତ୍ରରେ ପରିଣତ ହୋଇ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ହାସଲ କରିଥିଲା । ଆମ ସମ୍ୱିଧାନର ମୁଖବନ୍ଧରେ ଲେଖାଯାଇଛି, ‘ଆମେ ଭାରତବାସୀ’ । ଏଥି ସହିତ ସମ୍ୱିଧାନର ନଥିରେ ସ୍ଥାନ ପାଇଥିବା ବିଷୟବସ୍ତୁର ସାରାଂଶ ଏଥିରେ ସ୍ଥାନିତ । ସେଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଗଣତନ୍ତ୍ର । ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ପାଶ୍ଚାତ୍ୟର ଗଣତାନ୍ତ୍ରିକ ବିଚାରଠାରୁ ଯଥେଷ୍ଟ ପୁରୁଣା । ସେଥିପାଇଁ ଭାରତକୁ ଗଣତନ୍ତ୍ରର ଜନନୀ କୁହାଯାଏ ।
ଏକ ଦୀର୍ଘ ଓ କଷ୍ଟସାଧ୍ୟ ସଂଗ୍ରାମ ପରେ ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ବିଦେଶୀ ଶାସନରୁ ମୁକ୍ତ ହେଲା । ଏହା ସତ୍ୱେ ସେତେବେଳରୁ ଦେଶର ଶାସନ ପରିଚାଳନାର ନୀତି ଓ ବ୍ୟବସ୍ଥା ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା । ନବସ୍ୱାଧୀନ ଦେଶର ଏକ ସଂବିଧାନ ପ୍ରସ୍ତୁତ କରିବାକୁ ସମ୍ବିଧାନ ପ୍ରଣୟନ ସଭା ପ୍ରାୟ ତିନି ବର୍ଷ ସମୟ ନେଇଥିଲା । ଶାସନର ସବୁ ଦିଗ ସମ୍ପର୍କରେ ସର୍ବଶେଷ ତର୍ଜମା ଓ ବିଚାର ବିମର୍ଶ କରାଯାଇ ଏକ ଚମତ୍କାର ନଥି ପ୍ରସ୍ତୁତ କରାଗଲା, ଯାହା ଦେଶର ସମ୍ୱିଧାନ ଭାବେ ଗୃହୀତ ହେଲା । ସେହି ସମ୍ୱିଧାନର ପ୍ରବର୍ତନ ଦିବସ ଅବସରରେ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାରତ କୃତଜ୍ଞତାର ସହ ସମ୍ୱିଧାନ ପ୍ରଣୟନ ସଭାର ନେତୃମଣ୍ଡଳୀ ଓ ଅଧିକାରୀମାନଙ୍କୁ ସ୍ମରଣ କରୁଛି । ସେମାନେ ଭାରତକୁ ଏକ ଚମତ୍କାର ଓ ପ୍ରେରଣାଦାୟୀ ସମ୍ୱିଧାନ ପ୍ରଦାନ କରିଯାଇଛନ୍ତି ।
ଆମ ରାଷ୍ଟ୍ର ଏବେ ଅମୃତ କାଳର ଆଦ୍ୟ ଭାଗରେ । ଏହି ଅମୃତ କାଳ ୨୦୪୭ ପର୍ଯ୍ୟନ୍ତ ଦେଶର ସ୍ୱାଧୀନତାର ଏକ ଶହ ବର୍ଷ ପୂର୍ତ୍ତି ଯାଏ ଚାଲିବ । ସୁତରାଂ, ଏହା ଏକ ଯୁଗ ପରିବର୍ତ୍ତନର କାଳ । ଦେଶକୁ ଏକ ନୂଆ ଶିଖରରେ ପହଞ୍ଚାଇବାକୁ ଆମକୁ ସୁବର୍ଣ୍ଣ ସୁଯୋଗ ମିଳିଛି । ଆମର ଲକ୍ଷ ପୂରଣ ପାଇଁ ପ୍ରତ୍ୟେକ ନାଗରିକଙ୍କର ଅବଦାନ ସ୍ଥାପିତ ହେବ । ଏଥିପାଇଁ ଆମ ସମ୍ୱିଧାନରେ ସ୍ଥାନିତ ମୌଳିକ ଦାୟିତ୍ୱ ପ୍ରତ୍ୟେକ ନିର୍ବାହ କରିବାକୁ ମୁଁ ସବୁ ନାଗରିକଙ୍କୁ ଅନୁରୋଧ କରିବି । ଦେଶର ସ୍ୱାଧୀନତାର ଶତ ବାର୍ଷିକୀ ପୂର୍ତ୍ତି ଅବସରରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଯେଉଁ ଲକ୍ଷ୍ୟ ରଖିଛୁ, ତାହାକୁ ପୂରଣ କରିବାପାଇଁ ପ୍ରତ୍ୟେକ ଭାରତବାସୀଙ୍କୁ ନିଜ ନିଜର କର୍ତ୍ତବ୍ୟ ପାଳନ କରିବାକୁ ପଡିବ । ସେମାନେ ଦେଶ ପାଇଁ ନିଜ କର୍ତ୍ତବ୍ୟ ବିଷୟରେ ସଚେତନ ରହିବାକୁ ମୋର ଅନୁରୋଧ । ମହାତ୍ମା ଗାନ୍ଧୀ ଯଥାର୍ଥରେ କହିଥିଲେ, "ଯେଉଁମାନେ କେବଳ ନିଜର ଅଧିକାର ବିଷୟରେ ଭାବନ୍ତି, ସେମାନଙ୍କର ଉତ୍ଥାନ ହୁଏ ନାହିଁ, ଯେଉଁମାନେ ନିଜ ଦାୟିତ୍ୱ ସମ୍ପର୍କରେ ଅବଗତ ହୋଇ କାମ କରନ୍ତି, ସେମାନଙ୍କର ହିଁ ପ୍ରକୃତ-ବିକାଶ ଘଟିଥାଏ ।
ମୋର ପ୍ରିୟ ଦେଶବାସୀ !
ଗଣତନ୍ତ୍ର ଦିବସ ଆମର ମୌଳିକ ମୂଲ୍ୟବୋଧ ଓ ନୀତି ସ୍ମରଣ କରିବାର ଅବକାଶ ପ୍ରଦାନ କରେ । ଆମେ ସେଥିମଧ୍ୟରୁ ଯେ କୌଣସି ଗୋଟିଏକୁ ଯେତେବେଳେ ବିଚାରକୁ ନେଉ, ସେତେବେଳେ ଅନ୍ୟଗୁଡିକ ଆମ ଚିନ୍ତାଚେତନାରେ ପ୍ରବେଶ କରେ । ଗଣତନ୍ତ୍ର/ସାଂସ୍କୃତିକ ବିବିଧତା, ଧାର୍ମିକ ବିଶ୍ୱାସ ଓ ଉପାସନାକୁ ବୁଝାଏ। ବିବିଧତାର ପାଳନ ଅର୍ଥ ସମାନତାର ପରିପାଳନ । ଏହା ନ୍ୟାୟ ଆଧାରିତ । ମୁକ୍ତପଣ ଓ ସ୍ୱାଧୀନତା ଏ ସବୁକୁ ସମ୍ଭବ କରାଏ । ଏହି ମୂଲ୍ୟବୋଧ ଓ ନୀତି ସବୁର ସାମଗ୍ରୀକତା ହିଁ ଆମକୁ ଭାରତୀୟ କରିଛି । ଡ଼କ୍ଟର ବି.ଆର. ଆମ୍ୱେଦକରଙ୍କ ବୁଦ୍ଧିମତା ଯୋଗୁଁ ଆମ ସମ୍ୱିଧାନର ଚେତନା ଏହି ମୌଳିକ ମୂଲ୍ୟବୋଧ ଓ ନୀତିଦ୍ୱାରା ରଞ୍ଜିତ । ଏହା ଆମକୁ ସାମାଜିକ ନ୍ୟାୟର ମାର୍ଗ ଦେଖାଇ ସମସ୍ତ ପ୍ରକାର ଭେଦଭାବର ଅବସାନ ଘଟାଇବାର ସୁଯୋଗ ଦେଇଛି ।
ଏହି ଅବସରରେ ମୁଁ ଉଲ୍ଲେଖ କରିବାକୁ ଚାହୁଁଚି ଯେ, ସାମାଜିକ ନ୍ୟାୟର ଜଣେ ନିରଳସ ଯୋଦ୍ଧା ଶ୍ରୀ କର୍ପୂରି ଠାକୁରଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ପାଳନ ଗତକାଲି ଉଦ୍ଯାପିତ ହୋଇଛି । କର୍ପୂରିଜୀ ଅନଗ୍ରସର ବର୍ଗଙ୍କର ଜଣେ ମହାନ ପ୍ରବକ୍ତା ଓ ଦିଗଦର୍ଶକ ଥିଲେ । ଏହି ବର୍ଗଙ୍କ କଲ୍ୟାଣ ପାଇଁ ସେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କ ଜୀବନୀ ଥିଲା ଏକ ବାର୍ତ୍ତା । ନିଜର ଯଥାର୍ଥ ଅବଦାନ ଦେଇ ସାଧାରଣ ଜୀବନକୁ ରୁଦ୍ଧିମନ୍ତ କରିଥିବା କର୍ପୂରିଜୀଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।
ଆମ ସାଧାରଣତନ୍ତ୍ରର ଆଚାର, ନୀତି ଓ ତତ୍ତ୍ୱ ଦେଶର ମୋଟ ୧୪୦ କୋଟି ନାଗରିକଙ୍କୁ ଗୋଟିଏ ପରିବାର ଭାବେ ବାସ କରିବାର ସୁଯୋଗ ଦେଇଛି । ବିଶ୍ୱର ଏହି ସର୍ବବୃହତ୍ କୁଟୁମ୍ବ ପାଇଁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏକ ଭୌଗୋଳିକ ବାଧ୍ୟବାଧକତା ନୁହେଁ । ଏହା ବରଂ ଏକ ଆନନ୍ଦର ଉତ୍ସ, ଯାହା ଆମ ଗଣତନ୍ତ୍ର ଦିବସ ଉତ୍ସବରେ ପ୍ରତିଫଳିତ ହେଉଛି ।
ଏଇ କେଇ ଦିନ ପୂର୍ବରୁ ଆମେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନରେ ନବନିର୍ମିତ ଏକ ଭବ୍ୟ ମନ୍ଦିରରେ ତାଙ୍କ ପ୍ରତିମାର ଐତିହାସିକ ପ୍ରାଣପ୍ରତିଷ୍ଠା ଉତ୍ସବ ଦେଖିବାର ସୌଭାଗ୍ୟ ପାଇଥିଲୁ । ଏହି ଘଟଣାକୁ ଯେତେବେଳେ ବୃହତ୍ତର ଦୃଷ୍ଟିକୋଣରୁ ଦେଖାଯିବ ସେତେବେଳେ ଭବିଷ୍ୟତର ଐତିହାସିକମାନେ ଏହାକୁ ଭାରତକୁ ସଭ୍ୟତା, ଐତିହ୍ୟର ପୁନଃ ଆବିଷ୍କାରର ଏକ ଉଲ୍ଲେଖନୀୟ ଘଟଣାଭାବେ ବିଚାର କରିବେ। ଉପଯୁକ୍ତ ନ୍ୟାୟିକ ପ୍ରକ୍ରିୟା ମାଧ୍ୟମରେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିକ୍ରମେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ଏହା ଏକ ଭବ୍ୟ ଭବନ ଭାବେ ଦଣ୍ଡାୟମାନ ହୋଇ ଜନତାଙ୍କ ଧାର୍ମିକ ଭାବନା ଓ ବିଶ୍ୱାସକୁ ଉପଯୁକ୍ତ ଭାବେ ପରିପ୍ରକାଶ କରିବା ସହ ନ୍ୟାୟିକ ପ୍ରକ୍ରିୟା ଉପରେ ଜନତାଙ୍କ ପ୍ରଚଣ୍ଡ ବିଶ୍ୱାସକୁ ପ୍ରତିପାଦିତ କରୁଛି ।
ପ୍ରିୟ ନାଗରିକ
ଆମେ ଯେତେବେଳେ ମିଳିତଭାବେ ଆଗ ପଛକୁ ଦେଖୁ, ସେତେବେଳେ ଆମ ଜାତୀୟ ଉତ୍ସବ ସବୁ ସ୍ମରଣୀୟ ଘଟଣା ପାଲଟିଯାଏ । ଗତ ସାଧାରଣତନ୍ତ୍ର ଦିବସ ପରବର୍ତ୍ତୀ ବର୍ଷ ଟିକକ ଆମେ ଯଦି ଦେଖୁ ସେଥିରୁ ଆମକୁ ଅନେକ ସନ୍ତୋଷ ମିଳେ । ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ଭାରତ ତାହାର ଅଧ୍ୟକ୍ଷତା କାଳରେ କରିପାରିଛି । ଭାରତର ଅଧ୍ୟକ୍ଷତା କାଳରେ ଜି-୨୦କୁ ମଧ୍ୟ ଅଭୂତପୂର୍ବ ସଫଳତା ମିଳିଛି । ସବୁଠୁ ଉଲ୍ଲେଖନୀୟ ହେଲା ଜି-୨୦ । ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କର ବିପୁଳ ଅଂଶଗ୍ରହଣ । ସେମାନେ ଏହାକୁ ସଫଳ କରିବାରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ । ସମସ୍ତ ପ୍ରକାର ବିଚାର ଓ ପରାମର୍ଶ ଉପରୁ ଲଦି ଦିଆଯାଉ ନ ଥିଲା । ଲୋକଙ୍କ ପରାମର୍ଶ ଅନୁସାରେ କାମ ହେଉଥିଲା । ନାଗରିଙ୍କ ଅଂଶଗ୍ରହଣ ଓ ସହାୟତା ଜି-୨୦ କାର୍ଯ୍ୟକ୍ରମକୁ ସଫଳ କରିଥିଲା । ସେମାନେ ମଧ୍ୟ ରଣକୌଶଳାତ୍ମକ ଓ କୂଟନୀତିକ ପ୍ରସଙ୍ଗରେ ଭାଗ ନେଇ ନିର୍ଣ୍ଣାୟକ ନିଷ୍ପତ୍ତି ଗ୍ରହଣରେ ସହାୟକ ହୋଇଥିଲେ । ପରିଶେଷରେ ଭାରତ ଜି-୨୦ରେ ବିଶ୍ୱର ଅଳ୍ପୋନ୍ନତ ଦେଶଙ୍କ ମୁଖପାତ୍ର ପାଲଟି ଯାଇଥିଲା । ବୈଶ୍ୱିକ ସ୍ତରରେ ଅନଗ୍ରସର ଓ ବିକାଶଶୀଳ ରାଷ୍ଟ୍ରଙ୍କ ସ୍ୱାର୍ଥରକ୍ଷା ପାଇଁ ଭାରତ ନେତୃତ୍ୱ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲା ।
ଏହି ସମୟ ମଧ୍ୟରେ ଲିଙ୍ଗଗତ ସମାନତା ପ୍ରତିଷ୍ଠାରେ ଆମେ ମଧ୍ୟ ଯଥେଷ୍ଟ ପ୍ରଗତି କରିଛୁ । ଆମ ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇ ଏହା ଆଇନରେ ପରିଣତ ହୋଇଛି । ମୋର ବିଶ୍ୱାସ ଯେ ‘ନାରୀ ଶକ୍ତି ବନ୍ଦନ ଅଭିଯାନ’ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ବୈପ୍ଳବିକ ଆୟୁଧ ହେବ । ଏହା ମଧ୍ୟ ଆମ ଶାସନ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷତ୍ତି ଗ୍ରହଣରେ ମହିଳାମାନେ ସାମିଲ ହୋଇ ଆବଶ୍ୟକ ଦିଗ୍ଦର୍ଶନ ଓ ପରାମର୍ଶ ଦେଇପାରିବେ । ଯେତେବେଳେ ଶାସନ ସମ୍ବନ୍ଧୀୟ ସମ୍ମିଳିତ ନିଷ୍ପତ୍ତିରେ ଅଧିକ ମହିଳା ଭାଗ ନେବେ ସେତେବେଳେ ଆମ ନୀତି ଓ ନିଷ୍ପତ୍ତି ସେତେ ଲୋକାନୁକୂଳ ହେବ ।
କଥିତ ବର୍ଷରେ ମଧ୍ୟ ଭାରତ ଚନ୍ଦ୍ରରେ ପହଂଚି ଇତିହାସ ରଚିଥିଲା । ଚନ୍ଦ୍ରଯାନ-୩ ଚନ୍ଦ୍ରମାର ଦକ୍ଷିଣ ମେରୁରେ ଅବତରଣ କରିଥିଲା । ଚନ୍ଦ୍ରର ଆହ୍ୱାନମୂଳକ ଦକ୍ଷିଣ ମେରୁରେ ସଫଳତାର ସହ ଯାନ ଅବତରଣ କରାଇବାରେ ଭାରତ ଥିଲା ବିଶ୍ୱର ପ୍ରଥମ ଦେଶ । ଚନ୍ଦ୍ରଯାନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ, ଆଦିତ୍ୟ ଏଲ-୧ ଯାନକୁ ସୌର ମଣ୍ଡଳରେ ପ୍ରବେଶ କରାଇବାରେ ସଫଳ ହୋଇଛି। ନୂଆବର୍ଷରେ ଆମେ ଆମର ପ୍ରଥମ ଏକ୍ସରେ ପୋଲାରିମିଟର ସାଟେଲାଇଟ୍ ଏକ୍ସପୋସାଟ୍କୁ ମହାକାଶକୁ ପ୍ରେରଣ କରିବାରେ ସଫଳ ହୋଇଛୁ । ଏହି ଉପଗ୍ରହକୁ କୃଷ୍ଣ ଗର୍ତ୍ତ ବା ବ୍ଲାକ ହୋଲ ଭଳି ଖଗୋଳୀୟ ରହସ୍ୟକୁ ଉନ୍ମୋଚନ କରିବାକୁ ପଠାଯାଇଛି । ଚଳିତବର୍ଷ ଇସ୍ରୋ ଆହୁରି ଅନେକ ମହାକାଶ ଅଭିଯାନ ଯୋଜନା ଚୂଡାନ୍ତ କରିଛି । ଭାରତର ମହାକାଶ କାର୍ଯ୍ୟକ୍ରମର ସଫଳତା ଦେଖି ମୁଁ ଆନନ୍ଦିତ । ମହାକାଶକୁ ଭାରତର ମାନବବାହୀ ଯାନ ପ୍ରେରଣ ଅଭିଯାନ ପ୍ରଥମ ‘ଗଗନଯାନ’ ପ୍ରୟାସ ସୁରୁଖୁରୁରେ ଚାଲିଛି । ଆମେ ଆମର ବୈଜ୍ଞାନିକ ଓ ପ୍ରଯୁକ୍ତି ବିଶେଷଜ୍ଞକୁ ନେଇ ସର୍ବଦା ଗର୍ବିତ । ଏବେ ସେମାନେ ମହାକାଶ ଅଭିଯାନରେ ପୂର୍ବାପେକ୍ଷା ଅଧିକ ସଫଳତା ହାସଲ ଦିଗରେ କାମ କରୁଛନ୍ତି । ଭାରତର ମହାକାଶ କାର୍ଯ୍ୟକ୍ରମରେ ଲାଭ ସମଗ୍ର ବିଶ୍ୱ ଓ ମାନବଜାତି ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି । ଏଥିରେ ଆମ ବିଜ୍ଞାନ ଓ ପ୍ରଯୁକ୍ତିର ଉଲ୍ଲେଖନୀୟ ଭୂମିକା ରହିଛି । ଇସ୍ରୋର କାର୍ଯ୍ୟକ୍ରମ ଓ ସଫଳତା ଯୁବବର୍ଗଙ୍କୁ ଅନୁପ୍ରାଣିତ କରୁଛି । ମୋର ବିଶ୍ୱାସ ଅଧିକ ଅଧିକରୁ ମହିଳା ଓ ଯୁବବର୍ଗ ବିଜ୍ଞାନ ଅଧ୍ୟୟନ ପ୍ରତି ଆକୃଷ୍ଟ ହେବେ । ସେମାନଙ୍କ ମଧ୍ୟରେ ବିଜ୍ଞାନ ଚେତନା ବୃଦ୍ଧି ପାଇବ ।
ମୋର ପ୍ରିୟ ଦେଶବାସୀ
ଭାରତ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି । ଆମ ଅର୍ଥନୀତିର ସୁଦୃଢ଼ ସ୍ଥିତି ଏଥିପାଇଁ ଶକ୍ତି ଓ ସାମର୍ଥ୍ୟ ଯୋଗାଉଛି । ନିକଟ ଅତୀତରେ ଆମ ଦେଶର ଜିଡିପି ଅଭିବୃଦ୍ଧି ହାର ବିଶ୍ୱର ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ସର୍ବାଧିକ ଥିଲା । ଏହି ଅର୍ଥନୀତିକ ଅଭିବୃଦ୍ଧି ଦ୍ୱାରା ୨୦୨୪ ଓ ତାପରେ ଅବ୍ୟାହତ ରହିବ ବୋଲି ଆମେ ଆଶାବାଦୀ ହେବା ସ୍ୱାଭାବିକ । ମୁଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଲକ୍ଷ୍ୟ କରୁଛି । ଆମ ଅର୍ଥନୀତିକୁ ସୁଦୃଢ଼ ଓ ଗତିଶୀଳ କରିବା ପାଇଁ ଆମର ଯେଉଁ ସବୁ ଯୋଜନା ଓ ରଣନୀତି କାର୍ଯ୍ୟକାରୀ ହେଉଛି ସେହି ସମାନ ନୀତି ଜନତାଙ୍କ କଲ୍ୟାଣ କାର୍ଯ୍ୟକ୍ରମ କ୍ଷେତ୍ରରେ ଦେଖାଯାଉଛି । ଦୂରଦର୍ଶୀ ନୀତି ଓ ଉପଯୁକ୍ତ ପଦକ୍ଷେପ ଫଳରେ ସମାବେଶୀ ବିକାଶ ପ୍ରକିୟା ତ୍ୱରାନ୍ୱିତ ହୋଇଛି ଏବଂ ବିକାଶର ଲାଭ ସମସ୍ତେ ପାଇ ପାରୁଛନ୍ତି । କରୋନା ମହାମାରୀ କାଳରେ ସମାଜର ଦରିଦ୍ର ଓ ଦୁର୍ବଳବର୍ଗଙ୍କ ସୁରକ୍ଷା ପାଇଁ ସରକାର ମାଗଣା ଖାଦ୍ୟ ଯୋଗାଣ ସହିତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ । ତାହାର ପରିସରକୁ ସମୟକ୍ରମେ ଆହୁରି ବଢ଼ାଇ ଦିଆଯାଇଛି । ଏବେ ସମାଜର ଦୁର୍ବଳ ଓ ଦରିଦ୍ରବର୍ଗ ଏସବୁ କଲ୍ୟାଣକାରୀ ଯୋଜନାର ଲାଭ ତଥାପି ପାଉଛନ୍ତି । ପାଞ୍ଚବର୍ଷ ପର୍ଯ୍ୟନ୍ତ ଦେଶର ୮୧ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇ ତାହାକୁ କାର୍ଯ୍ୟକାରୀ କରୁଛନ୍ତି । ଇତିହାସରେ ଏହା ବୋଧହୁଏ ଏ ପ୍ରକାରର ସବୁଠୁ ବଡ଼ ଜନକଲ୍ୟାଣକାରୀ ସରକାରୀ କାର୍ଯ୍ୟକ୍ରମ ।
ଅଧିକନ୍ତୁ ଦେଶରେ ଅନେକ ଯୋଜନା ମିଶନ ମୋଡରେ କାର୍ଯ୍ୟକାରୀ ହେଉଛି । ଏହାର ଉଦ୍ଦେଶ୍ୟ ହେଲା ନାଗରିକଙ୍କ ଜୀବନକୁ ସୁଗମ କରିବା । ପ୍ରତ୍ୟେକ ଘରେ ନିରାପଦ ପାନୀୟ ଜଳର ଉପଲବ୍ଧତାଠାରୁ ଆରମ୍ଭ କରି ସବୁ ବାସହୀନଙ୍କୁ ନିଜର ଖଣ୍ଡିଏ ଘର ଯୋଗାଇବାର ପ୍ରୟାସ ଏବଂ ତା’ ସହିତ ଲୋକଙ୍କୁ ମୌଳିକ ସର୍ବନିମ୍ନ ଆବଶ୍ୟକତା ଯୋଗାଣ ପ୍ରତ୍ୟେକ କ୍ଷେତ୍ରରେ ସରକାର ନିଜର ଉଦ୍ୟମ ଅବ୍ୟାହତ ରଖିଛନ୍ତି । କେହି ଯେପରି ସରକାରୀ ଯୋଜନାରୁ ବଞ୍ଚିତ ନ ହୁଏ ତାହାକୁ ମଧ୍ୟ ଯାଞ୍ଚ କରି ଦେଖାଯାଉଛି । ସରକାର ଦେଶରେ ଜନକଲ୍ୟାଣର ବିଚାରକୁ ବଦଳାଇ ତାହାକୁ ଏକ ନୂଆ ଅର୍ଥପ୍ରଦାନ କରିଛନ୍ତି । ମାନବିକତାକୁ ସବାର୍ଗେ ରଖି ସବୁ ଯୋଜନାକୁ ରାଜନୀତିକ ଓ ଅର୍ଥନୀତିକ ଆଦର୍ଶର ଊର୍ଦ୍ଧ୍ୱରେ ରଖାଯାଇଛି । ଏମିତି ଏକ ଦିନ ଖୁବ୍ ଶୀଘ୍ର ଆସିବ ଯେତେବେଳେ ଭାରତରେ ଜଣେ ବାସହୀନ ଲୋକଙ୍କୁ ଦେଖିବା ବିରଳ ଘଟଣା ପାଲଟିବ । ସେହିଭଳି ନୂତନ ଜାତୀୟ ଶିକ୍ଷାନୀତି ଡିଜିଟାଲ ବିଭାଜନ ହ୍ରାସ ଉପରେ ଗୁରତ୍ୱ ଦେଉଛି । ଅବହେଳିତ ବର୍ଗର ପିଲାଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେଇ ଏହା ଏକକ ଶିକ୍ଷା ଢ଼ାଞ୍ଚା ନିର୍ମାଣର ପଥ ପରିଷ୍କାର କରିଛି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯାଇ ଏହାର ପରିସରକୁ ସରକାର ବଢ଼ାଇ ଦେଇଛନ୍ତି । ଏହା ଫଳରେ ସବୁ ସରକାରୀ ହିତାଧିକାରୀ ଗୋଟିଏ ଛାତତଳେ ବସି ସୁବିଧା ସୁଯୋଗ ପାଉଛନ୍ତି । ଅସହାୟ ଓ ବଂଚିତ ବର୍ଗର ଲୋକେ ଆୟୁଷ୍ମାନ ଯୋଜନା ଦ୍ୱାରା ବିଶେଷ ଉପକୃତ ହୋଇଛନ୍ତି ।
ଆମ କ୍ରୀଡାବିତ୍ମାନେ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତର ମର୍ଯ୍ୟାଦାକୁ ବଢ଼ାଇଛନ୍ତି । ଗତବର୍ଷ ଅନୁଷ୍ଠିତ ଏସୀୟ କ୍ରୀଡା ପ୍ରତିଯୋଗିତାରେ ରେକର୍ଡ ୧୦୭ ପଦକ ଜିଣି ଭାରତୀୟ କ୍ରୀଡାବିତ୍ମାନେ ଇତିହାସ ସୃଷ୍ଟି କରିଥିଲେ । ଏସୀୟ ପାରା ଗେମ୍ସରେ ମଧ୍ୟ ଆମକୁ ୧୧୧ ପଦ ମିଳିଥିଲା । ଆମ ପଦକ ତାଲିକାରେ ମହିଳାଙ୍କ ଅବଦାନ ଆମକୁ ଆନନ୍ଦିତ କରୁଛି । ଆମ କ୍ରୀଡାବିତ୍ମାନଙ୍କ ସଫଳତାରୁ ଆମର ପିଲାମାନେ ପ୍ରେରଣା ଲାଭ କରି ଖେଳକୁଦ ପ୍ରତି ଆକୃଷ୍ଟ ହେଉଛନ୍ତି । ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସରେ ଆମ କ୍ରୀଡାବିତ୍ମାନେ ଆହୁରି ଭଲ ସଫଳତା ଅର୍ଜନ କରିବେ ବୋଲି ଆଶା ଓ ବିଶ୍ୱାସ ।
ପ୍ରିୟ ନାଗରିକ
ସାଂପ୍ରତିକ ସମୟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଦ୍ୱଦ୍ୱ, ବିବାଦ ଓ ଯୁଦ୍ଧର ସୂତ୍ରପାତ ଘଟିଛି । ବିଭିନ୍ନ ଅଂଚଳ ମଧ୍ୟ ହିଂସାଦ୍ୱାରା ପ୍ରଭାବିତ ହୋଇଛି । ପ୍ରତ୍ୟେକ ବିବାଦରତ ପକ୍ଷ ନିଜକୁ ଠିକ୍ ଓ ଅନ୍ୟପକ୍ଷକୁ ଭୁଲ୍ ବୋଲି ଯେପର୍ଯ୍ୟନ୍ତ କହୁଥିବେ ସେ ଯାଏ ବିବାଦର ସମାଧାନ ହୋଇ ପାରିବ ନାହିଁ । ବିଚାରବୁଦ୍ଧି ଖଟାଇ ବିବାଦର ଅବସାନ ଘଟାଇବା ଏକମାତ୍ର ବାଟ । ଦୁର୍ଭାଗ୍ୟର ବିଷୟ ଏହି ସଂଘର୍ଷ, ସଂଘାତ ଓ ବିବାଦରେ ବୁଝାମଣା ଓ ବିଚାରବୁଦ୍ଧି ପରିବର୍ତ୍ତେ ସବୁ ସଂପୃକ୍ତ ପକ୍ଷ ଭୟ, ଘୃଣା ଓ ପ୍ରତିଶୋଧର ମନୋଭାବ ନେଇ ହିଂସାକାଣ୍ଡକୁ ଅଧିକ ବ୍ୟାପକ କରୁଛନ୍ତି । ଫଳସ୍ୱରୂପ ବଡ଼ ଧରଣର ମାନବିକ ବିପର୍ଯ୍ୟୟ ଓ ଦୁର୍ଦ୍ଦଶାମାନ ଘଟୁଛି । ଏଥିରେ ପ୍ରଭାବିତ ମଣିଷର ଦୁଃ ଦୁର୍ଦ୍ଦଶା ଆମକୁ ମ୍ରିୟମାଣ କରୁଛି । ଏଭଳି ସମୟରେ ଭଗବାନ ବୁଦ୍ଧଙ୍କ ବାଣୀ ମନେପଡେ । ସେ କହିଥିଲେ-
ନ ହି ବେରେନ୍ ବେରାନି ସମ୍ମନ୍ତିଧ କୁଦାଚନମ୍
ଅବିରେନ୍ ଚ ସମ୍ମନ୍ତି, ଏସ ଧମ୍ମୋ ସନନ୍ତନୋ ।।”
ଅର୍ଥାତ୍ କୌଣସି ସମୟରେ ଶତ୍ରୁତାକୁ ଶତ୍ରୁତା ଦ୍ୱାରା ଶେଷ କରିହେବ ନାହିଁ । ଅଣଶତ୍ରୁତା ଆଚରଣ ହିଁ ଶତ୍ରୁତାର ଅବସାନ ଘଟାଇଦିଏ ।
ବର୍ଦ୍ଧମାନ ମହାବୀରଠାରୁ ଆରମ୍ଭ କରି, ସମ୍ରାଟ ଅଶୋକ ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ଭାରତ ବାରମ୍ବାର ଦେଖାଇ ଆସିଛି ଯେ ଅହିଂସା ଆଚରଣ, କରିବା ଏକ ଅସାଧ୍ୟ କାର୍ଯ୍ୟ ନୁହେଁ । ଏହା ଗ୍ରହଣୀୟ ଓ ସମ୍ଭବପର । ବାସ୍ତବରେ ଅନେକଙ୍କ ପାଇଁ ଅହିଂସା ଏକ ଜୀବନ୍ତ ବାସ୍ତବତା । ଆସନ୍ତୁ ଆଶା କରିବା ବିବାଦରତ ଦେଶ ଓ ଅଞ୍ଚଳରେ ପକ୍ଷମାନେ ସମସ୍ୟାର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ମାର୍ଗ ବାଛିବେ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାରେ ସଫଳ ହେବେ । ସମଗ୍ର ବିଶ୍ୱରେ ଏବେ ଯେଉଁ ପରିବେଶଗତ ସଂକଟ ଦେଖାଦେଇଛି ତାହାର ସମାଧାନ ମାର୍ଗ ବାହାର କରିବାରେ ଭାରତର ପ୍ରାଚୀନ ଜ୍ଞାନ ଓ ବିଚାର ସହାୟକ ହୋଇପାରେ । ବିଶ୍ୱ ଜଳବାୟୁ ପରିବର୍ତ୍ତନଜନିତ ସ୍ଥିତିର ମୁକାବିଲା ପାଇଁ ଭାରତ ନେତୃତ୍ୱ ନେବା ସହିତ ଅକ୍ଷୟ ଶକ୍ତି ଉତ୍ସ ପ୍ରସ୍ତୁତ କରିବାକୁ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବାରୁ ମୁଁ ଅତ୍ୟନ୍ତ ଖୁସି । ଭାରତ ‘ଲାଇଫ୍’ ଆନ୍ଦୋଳନ ଆରମ୍ଭ କରିଛି । ଏହା ମାଧ୍ୟମରେ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବାର ସଚେତନତା ସୃଷ୍ଟି କରାଯାଉଛି । ବିଶ୍ୱ ସମୁଦାୟ ଆମର ଏହି ପ୍ରସାୟକୁ ପ୍ରଶଂସା କରୁଛି । ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ବ୍ୟବସ୍ଥାର ପରିବର୍ତ୍ତନ ଓ ବ୍ୟକ୍ତିଗତ ଜୀବନଶୈଳୀର ଭୂମିକାକୁ ସମସ୍ତେ ସ୍ୱୀକାର କରୁଛନ୍ତି । ଏହାଦ୍ୱାରା ପରିବେଶ ସୁରକ୍ଷିତ ହୋଇପାରିବ । ପର୍ଯ୍ୟାବରଣର ଯେଉଁ କ୍ଷତି ଘଟିଛି ତାହା ଭରଣା ହେବ । ସୁତରାଂ ଲୋକମାନେ ସର୍ବତ୍ର ନିଜର ଜୀବନଶୈଳୀକୁ ବଦଳାଇ ଏହାକୁ ଧରିତ୍ରୀମାତାର ଅନୁକୂଳ କରିବା ଆବଶ୍ୟକ । ଏଭଳି ପ୍ରୟାସ ଦ୍ୱାରା ଭବିଷ୍ୟତ ବଂଶଧରଙ୍କ ପାଇଁ କେବଳ ଧରିତ୍ରୀ ସୁରକ୍ଷିତ ହେବ ନାହିଁ ଏହା ମଧ୍ୟ ଜୀବନ ଧାରଣର ମାନକୁ ବଢ଼ାଇବ ।
ମୋର ପ୍ରିୟ ଦେଶବାସୀ
ଅମୃତକାଳ ଏକ ଅଭୁତପୂର୍ବ ବୈଷୟିକ ପରିବର୍ତ୍ତନର ସମୟ ହେବାକୁ ଯାଉଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ୍ ଓ ମେସିନ୍ ଲର୍ଣ୍ଣିଂ ଭଳି ନୂଆ ବିକଶିତ ଟେକ୍ନୋଲୋଜୀ ତୀବ୍ର ଗତିରେ ଆମ ଦୈନନ୍ଦିନ ଜୀବନରେ ପ୍ରବେଶ କରୁଛି । ଏହି ନୂଆ ଅତ୍ୟାଧୁନିକ ଟେକ୍ନୋଲୋଜୀର ପ୍ରଭାବ ଓ ଭବିଷ୍ୟତକୁ ନେଇ କେତେକ କ୍ଷେତ୍ରରେ ଚିନ୍ତା ଓ ଉଦ୍ବେଗ ରହିଥିଲେ ମଧ୍ୟ ଏହା ଯେ ଚମତ୍କାରୀ ନୂଆ ସୁଯୋଗ ସୃଷ୍ଟି କରିବ ସେଥିରେ ସନ୍ଦେହ ନାହିଁ । ଆମ ଯୁବବର୍ଗଙ୍କ ପାଇଁ ଏହା ନୂଆ ସୁବିଧା ସୁଯୋଗ ଯୋଗାଇବ । ଆମ ଯୁବବର୍ଗ ନୂଆ ଦିଗନ୍ତ ଉନ୍ମୋଚନ କରୁଛନ୍ତି । ସେଥିରେ ଏହା ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବ । ଆମ ଯୁବବର୍ଗଙ୍କ ବିକାଶ ଓ ସଫଳତା ମାର୍ଗରେ ଥିବା ସମସ୍ତ ପ୍ରତିବନ୍ଧକକୁ ଆମକୁ ଦୂର କରିବାକୁ ହେବ । ସେମାନଙ୍କ ଅନ୍ତର୍ନିହିତ ଶକ୍ତି, ଦକ୍ଷତା ଓ ସାମର୍ଥ୍ୟର ବିକାଶ ପାଇଁ ଆମକୁ ସବୁ ସୁଯୋଗ ସୁବିଧା ଯୋଗାଇବାକୁ ପଡିବ । ସେମାନେ ସମସ୍ତେ ସମାନ, ସୁବିଧା ସୁଯୋଗ ଚାହାନ୍ତି । ସେମାନେ ଆଉ ସେହି ପୁରୁଣା ସମାନତାର ପ୍ରତିଶ୍ରୁତିର ପୁନଃଉଚ୍ଚାରଣ ଓ ଘୋଷାରେ ବିଶ୍ୱାସ କରୁନାହାନ୍ତି । ସେମାନେ ବାସ୍ତବ ସମାନତା ଓ ସାମ୍ୟ ଲୋଡୁଛନ୍ତି ।
ସର୍ବୋପରି ଏହା ଆମ ଯୁବବର୍ଗର ଆତ୍ମବିଶ୍ୱାସ ଯାହା ଭବିଷ୍ୟତରେ ଭାରତ ନିର୍ମାଣ କରୁଛି । ଅଧିକନ୍ତୁ ଆମ ଯୁବବର୍ଗର ମଗଜକୁ ଶିକ୍ଷକସମାଜ ନୂଆ ଆକାର ଦେଉଛି । ଗୁରୁ ହିଁ ରାଷ୍ଟ୍ରରେ ଭବିଷ୍ୟତରେ ବାସ୍ତବ ସ୍ଥପତି । ଆମ ଦେଶର ନିର୍ମାଣ ଓ ଏହାର ଭବିଷ୍ୟତକୁ ସୁରକ୍ଷିତ କରବା କାମରେ ଅନବରତ ଲାଗି ଥିବା ପ୍ରଗତିରେ କୃଷକ ଓ ଶ୍ରମିକମାନଙ୍କୁ ମଧ୍ୟ ମୁଁ ଆଜିର ଏହି ମହାର୍ଘ୍ୟ ଅବସରରେ ଧନ୍ୟବାଦ ଜଣାଉଛି । ଆଜିର ଏହି ଶୁଭ ଦିନରେ ଭାରତ ମଧ୍ୟ ଦେଶର ସୈନ୍ୟବାହିନୀ, ପୁଲିସବଳ, ଓ ଅର୍ଦ୍ଧସାମରିକ ବାହିନୀର ସଦସ୍ୟମାନଙ୍କୁ କୃତଜ୍ଞତା ଭରା ସାଲ୍ୟୁଟ୍ ଜଣାଉଛି । ସେମାନଙ୍କ ସତର୍କତା, ତ୍ୟାଗ ଓ ପରିଶ୍ରମ ବିନା ଆମ ଦେଶ ଆଜି ପ୍ରଗତିର ସୋପାନରେ ପହଞ୍ôଚପାରି ନଥାନ୍ତା ।
ମୁଁ ମୋର ବକ୍ତବ୍ୟ ଶେଷ କରିବା ପୂର୍ବରୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଆମ ନ୍ୟାୟ ପାଳିକା ଓ ସିଭିଲ୍ ସେବାର ସଦସ୍ୟମାନଙ୍କୁ ଜଣାଉଛି । ବିଦେଶରେ ଥିବା ଭାରତୀୟ ଦୂତାବାସର ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜ୍ଞାପନ କରୁଛି । ସାରା ବିଶ୍ୱରେ ଥିବା ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କୁ ମଧ୍ୟ ମୋର ଅଭିନନ୍ଦନ ଜଣାଉଛି । ଆସନ୍ତୁ ଆମେ ସମସ୍ତେ ଆମର ସାଧ୍ୟମତେ ଆମ ଦେଶ ଓ ଏହାର ନାଗରିକ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା । ଏହି ପ୍ରୟାସରେ ଆପଣମାନଙ୍କୁ ମୁଁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।
ଧନ୍ୟବାଦ
ଜୟହିନ୍ଦ୍ ଜୟ ଭାରତ ।
*****
RoW
(Release ID: 1999730)
Visitor Counter : 133
Read this release in:
Marathi
,
Tamil
,
Telugu
,
Malayalam
,
English
,
Urdu
,
Hindi
,
Assamese
,
Manipuri
,
Punjabi
,
Gujarati
,
Kannada