ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀ ମାନଙ୍କର ଏକ ପ୍ରତିନିଧି ଦଳ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ


'ୱତନ କୋ ଜାନୋ - ଯୁବ ବିନିମୟ କାର୍ଯ୍ୟକ୍ରମ ୨୦୨୩' ଅଧୀନରେ ଛାତ୍ରଛାତ୍ରୀମାନେ ଦିଲ୍ଲୀ ଗସ୍ତ କରିଛନ୍ତି

ଜାମ୍ମୁ ଏବଂ କାଶ୍ମୀରର ଯୁବପିଢ଼ି ଯେକୌଣସି କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାର ସାମର୍ଥ୍ୟ ରଖିଛନ୍ତି : ପ୍ରଧାନମନ୍ତ୍ରୀ

ଦେଶର ବିକାଶ ଦିଗରେ ଯୋଗଦାନ ଦିଅନ୍ତୁ ଏବଂ ବିକଶିତ ଭାରତ @୨୦୪୭ର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରନ୍ତୁ: ପ୍ରଧାନମନ୍ତ୍ରୀ

ଜାମ୍ମୁ ଏବଂ କାଶ୍ମୀରରେ ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ନିର୍ମାଣ ହେଲେ ଏହି ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆସିବ: ପ୍ରଧାନମନ୍ତ୍ରୀ

Posted On: 24 DEC 2023 7:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଜାମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀ ମାନଙ୍କର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି । ଏହି ଅନୌପଚାରିକ ଆଲୋଚନାରେ ଜାମ୍ମୁ ଏବଂ କାଶ୍ମୀରର ସମସ୍ତ ଜିଲ୍ଲାରୁ ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଭାରତ ସରକାରଙ୍କ 'ୱତନ କୋ ଜାନୋ - ଯୁବ ବିନିମୟ କାର୍ଯ୍ୟକ୍ରମ - ୨୦୨୩' ଅଧୀନରେ ଏହି ଛାତ୍ରଛାତ୍ରୀମାନେ ଜୟପୁର, ଆଜମେର ଓ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି । ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାରେ ଦେଶର ସାଂସ୍କୃତିକ ଓ ସାମାଜିକ ବିବିଧତାକୁ ଜାମ୍ମୁ ଏବଂ କାଶ୍ମୀରର ଯୁବକ ମାନଙ୍କ ନିକଟରେ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ ଏହି ଗସ୍ତ କରାଯାଇଛି ।

ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଯାତ୍ରା ଅନୁଭୂତି ଏବଂ ସେମାନେ ପରିଦର୍ଶନ କରିଥିବା ପ୍ରସିଦ୍ଧ ସ୍ଥାନ ବିଷୟରେ ପଚାରିଥିଲେ । ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ସମୃଦ୍ଧ କ୍ରୀଡ଼ା ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ ଏବଂ କ୍ରିକେଟ, ଫୁଟବଲ ଇତ୍ୟାଦି କ୍ରୀଡ଼ାରେ ସେମାନଙ୍କ ଅଂଶଗ୍ରହଣ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ହାଙ୍ଗଜୋ ଠାରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସରେ ତିନୋଟି ପଦକ ଜିତିଥିବା ଜାମ୍ମୁ ଓ କାଶ୍ମୀରର ଯୁବ ତୀରନ୍ଦାଜ ଶୀତଲ ଦେବୀଙ୍କ ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ଯୁବକ ମାନଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ ସେମାନେ ଯେକୌଣସି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିବାର ସାମର୍ଥ୍ୟ ରଖିଛନ୍ତି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ଦେଶର ବିକାଶ ଦିଗରେ କାର୍ଯ୍ୟ କରିବା ଏବଂ ଯୋଗଦାନ କରିବା ଏବଂ ବିକଶିତ ଭାରତ @୨୦୪୭ର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଜାମ୍ମୁ ଓ କାଶ୍ମୀରରେ ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ନିର୍ମାଣ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏହି ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବ ।

ପ୍ରଧାନମନ୍ତ୍ରୀ ଚନ୍ଦ୍ରାୟନ - ୩ ଏବଂ ଆଦିତ୍ୟ – ଏଲ୍‌୧ ମିଶନର ସଫଳତା ବିଷୟରେ ଆଲୋଚନା କରି କହିଥିଲେ ଯେ ଏହି ବୈଜ୍ଞାନିକ ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ।

ଚଳିତ ବର୍ଷ ଜାମ୍ମୁ ଏବଂ କାଶ୍ମୀରକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାମ୍ମୁ ଏବଂ କାଶ୍ମୀରରେ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଚୁର ସୁଯୋଗ ରହିଛି । ପ୍ରଧାନମନ୍ତ୍ରୀ ଯୋଗର ଉପକାରିତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଦିନ ଏହାକୁ ଅଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ । କାଶ୍ମୀରରେ ଜି - ୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ଏବଂ ଦେଶକୁ ସ୍ୱଚ୍ଛ କରିବାର ପ୍ରୟାସ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ ।

***

SSP



(Release ID: 1990188) Visitor Counter : 59