କ୍ୟାବିନେଟ

ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ସାଉଦି ଆରବ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି

Posted On: 15 DEC 2023 7:36PM by PIB Bhubaneshwar

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଗଣତନ୍ତ୍ରର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସାଉଦି ଆରବ ରାଷ୍ଟ୍ରର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମଧ୍ୟରେ ୧୮ ଅଗଷ୍ଟ, ୨୦୨୩ରେ ସ୍ୱାକ୍ଷରିତ ଏକ ସହଯୋଗ ରାଜିନାମା ବିଷୟରେ ଅବଗତ କରାଯାଇଥିଲା , ଯାହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

ଡିଜିଟାଲୀକରଣ, ଇଲେକ୍ଟ୍ରୋନିକ୍ ଉତ୍ପାଦନ, ଇ - ଗଭର୍ଣ୍ଣାନ୍ସ, ସ୍ମାର୍ଟ ଭିତ୍ତିଭୂମି, ଇ - ସ୍ୱାସ୍ଥ୍ୟ ଏବଂ ଇ - ଶିକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା, ଡିଜିଟାଲ ଉଦ୍ଭାବନ କ୍ଷେତ୍ରରେ ଗବେଷଣାରେ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି), ରୋବଟ୍‌, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ବ୍ଲକଚେନ୍ ଇତ୍ୟାଦି ଉଦୀୟମାନ ଜ୍ଞାନକୌଶଳର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏହି ସହଯୋଗ ରାଜିନାମାର ଉଦ୍ଦେଶ୍ୟ । ଏହି ବୁଝାମଣା ପତ୍ର ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଏକ ଢାଞ୍ଚା ସ୍ଥାପନ କରିବ ଏବଂ ଭାରତ ଏବଂ ସାଉଦି ଆରବ ମଧ୍ୟରେ ଭାଗିଦାରୀ ସ୍ଥାପନ କରିବ ।

ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଇ – ଟିଚିଂ (ଇ – ଶିକ୍ଷା ପ୍ରଦାନ) , ଇ- ଶିକ୍ଷଣ ଏବଂ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନବ ପ୍ରଶିକ୍ଷଣ ଏବଂ ବିକାଶର ଉପାୟକୁ ପ୍ରୋତ୍ସାହିତ କରିବା ଏବଂ ଉଚ୍ଚ ଦକ୍ଷ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରର  ପେସାଦାର ମାନଙ୍କର ଦକ୍ଷତା ବୃଦ୍ଧି ଏବଂ ଉପଲବ୍ଧତା ପାଇଁ ମିଳିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିକଶିତ କରିବା, ବ୍ୟବସାୟ ତ୍ୱରକ, ଭେଞ୍ଚର କ୍ୟାପିଟାଲ ଏବଂ ଟେକ୍ନୋଲୋଜି ଷ୍ଟାର୍ଟଅପ୍‌ର ଇନକ୍ୟୁବେଟର ବିଷୟରେ ସୂଚନା ଆଦାନପ୍ରଦାନ କରି ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି ବୁଝାମଣାପତ୍ରର ଲକ୍ଷ୍ୟ,  ଯାହା ପରୋକ୍ଷରେ ଉଭୟ ପକ୍ଷଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହି ବୁଝାମଣା ପତ୍ର ଅଧୀନରେ ସହଯୋଗ କାର୍ଯ୍ୟକଳାପ ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବ ଯାହା ଆତ୍ମନିର୍ଭର ଭାରତର ପରିକଳ୍ପିତ ଉଦ୍ଦେଶ୍ୟର ଅବିଚ୍ଛେଦ୍ୟ ଅଙ୍ଗ ଅଟେ ।

*****

SS
 



(Release ID: 1986938) Visitor Counter : 64