ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩କୁ ଉଦ୍ଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର
Posted On:
10 DEC 2023 6:48PM by PIB Bhubaneshwar
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆସନ୍ତାକାଲି ନୂଆଦିଲ୍ଲୀରେ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩କୁ ଉଦ୍ଘାଟନ କରିବେ ।
ଡିସେମ୍ବର ୧୦ ରୁ ୧୭ ତାରିଖ ମଧ୍ୟରେ ନୂଆଦିଲ୍ଲୀର ତିନୋଟି ସ୍ଥାନରେ ହେବାକୁ ଥିବା ଏହି କ୍ରୀଡ଼ାରେ ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସର୍ଭିସେସ୍ ସ୍ପୋର୍ଟ୍ସ ବୋର୍ଡର ୧୪୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି ।
ଉଦ୍ଘାଟନୀ ଉତ୍ସବ ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପେ୍ଲକ୍ସସ୍ଥିତ କେଡି ଯାଦବ ଇଣ୍ଡୋର ହଲ୍ରେ ଅନୁଷ୍ଠିତ ହେବ । ଏହି ସମାରୋହରେ ଦିଲ୍ଲୀ ପୁଲିସ ବ୍ୟାଣ୍ଡ୍ ଭବ୍ୟ ପରିବେଷଣ କରିବା ପରେ 'ୱି ଆର୍ ୱାନ୍' ଗ୍ରୁପ୍ର ନୃତ୍ୟ କଳାକାରମାନେ 'ମିଟି ମେଁ ମିଲ୍ ଜାୱା' ଏବଂ 'ବନ୍ଦେ ମାତରମ୍' କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବେ ।
ଉଦ୍ଘାଟନୀ ସମାରୋହରେ କ୍ରୀଡା ସଙ୍ଗୀତ ଟ୍ରାକ୍ରେ ଦର୍ଶକ ମାନେ ଝୁମିବେ ଏବଂ 'ଇଭୋଲ୍ୟୁସନ୍ ଅଫ୍ ପାରା ଗେମ୍ସ' (ପାରା କ୍ରୀଡାର ବିକାଶ) ବିଷୟବସ୍ତୁ ଉପରେ ଏକ ଏଲ୍ଇଡି ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିବ । ଉଦ୍ଘାଟନୀ ସମାରୋହରେ ସାଇ ଅଧିକାରୀ ମାନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ପ୍ରଦର୍ଶନ ମଧ୍ୟ କରାଯିବ ।
ସାଂସ୍କୃତିକ କାର୍ଯ୍ୟକ୍ରମ 'ୟୁନାଇଟେଡ୍ ବାଇ ସ୍ପୋର୍ଟସ' (କ୍ରୀଡା ମାଧ୍ୟମରେ ଏକଠି ହେବା) ପରିବେଷଣ ସହିତ ଶେଷ ହେବ ଏବଂ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ରହିବ ।
ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନ କରିବା ପଛରେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ହେଉଛି ସମସ୍ତ ପାରା ଆଥଲେଟ୍ (ଶାରୀରିକ ଭିନ୍ନକ୍ଷମ କ୍ରୀଡାବିତ୍) ମାନଙ୍କୁ ସଶକ୍ତ କରିବା । ଶାରୀରିକ ଭିନ୍ନକ୍ଷମ ମାନଙ୍କର କଲ୍ୟାଣ ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ, ଜବାହରଲାଲ ନେହରୁ ଷ୍ଟାଡିୟମ ଏବଂ କର୍ଣ୍ଣି ସିଂହ ସୁଟିଂ ରେଞ୍ଜ ଭଳି ତିନୋଟି ସ୍ଥାନରେ ଉଦ୍ଘାଟନୀ ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନ କରାଯାଉଛି । ଆଥଲେଟିକ୍ସ, ସୁଟିଂ, ତୀରନ୍ଦାଜି, ଫୁଟବଲ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଓ ଭାରୋତ୍ତୋଳନ ଭଳି ୭ଟି ପାରା କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଶୀତଲ ଦେବୀ, ଭାବିନା ପଟେଲ, ଅଶୋକ, ପ୍ରମୋଦ ଭଗତଙ୍କ ଭଳି ଭାରତର ଅନେକ ଶୀର୍ଷ ସ୍ତରର ଅନ୍ତର୍ଜାତୀୟ ପାରା ତାରକା କ୍ରୀଡାବିତ୍ ଏଥିରେ ଅଂଶଗ୍ରହଣ କରିବେ ।
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଓ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବିପୁଳ ସଫଳତା ପରେ ଏବେ ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନ କରାଯାଉଛି ଏବଂ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନକୁ ନେଇ ରାଜଧାନୀରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି । ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବ ସମନ୍ୱିତକରଣର ପ୍ରତୀକ ହେବା ସହ ମାନବୀୟ ମର୍ଯ୍ୟାଦାକୁ ପାଳନ କରିବ ।
***
SSP
(Release ID: 1984802)
Visitor Counter : 94