ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ପିଆଜ ବଫର ଷ୍ଟକ୍ ପରିମାଣ ୩ଲକ୍ଷ ମେଟ୍ରିକ ଟନ୍‌ରୁ ୫ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି


ସୋମବାରଠାରୁ ଏନ୍‌ସିସିଏଫ ଖୁଚୁରାରେ କିଲୋ ପ୍ରତି ୨୫ଟଙ୍କା ମୂଲ୍ୟରେ ପିଆଜ ବିକିବ

Posted On: 20 AUG 2023 2:56PM by PIB Bhubaneshwar

ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ପିଆଜର ମହଜୁଦ (ବଫର ଷ୍ଟକ୍‌)ପରିମାଣ ୩ଲକ୍ଷ ମେଟ୍ରିକ ଟନରୁ ୫ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛନ୍ତି । ଚଳିତବର୍ଷ ପ୍ରାରମ୍ଭିକ ଭାବେ ସରକାର ତିନି ଲକ୍ଷ ଟନ୍ ପିଆଜ ବଫର ଷ୍ଟକ ଭାବେ ମହଜୁଦ କରି ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ସେହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ପରେ ଏହାକୁ ହଠାତ୍ ପାଞ୍ଚଲକ୍ଷ ମେଟ୍ରିକ ଟନ୍‌କୁ ବଢାଇ ଦିଆଯାଇଛି । ବଫର ଷ୍ଟକ୍‌ର ଅର୍ଥ ହେଲ କୌଣସି ଏକ ସାମଗ୍ରୀର ମୂଲ୍ୟ ସ୍ଥିର ରଖିବା ପାଇଁ ତାହାକୁ ଆବଶ୍ୟକ ପରିମାଣରେ ମହଜୁଦ୍ କରି ରଖିବା ଏବଂ ମୂଲ୍ୟ ଓ ଚାହିଦା ବୃଦ୍ଧି ସମୟରେ ତାହାକୁ ବଜାରକୁ ଛାଡି ତାହାର ମୂଲ୍ୟକୁ ସ୍ଥିର ରଖିବା ।

 ଏବେ ସରକାର ପିଆଜର ବଫର ଷ୍ଟକ୍ ପରିମାଣ ବୃଦ୍ଧି କରିଥିବାରୁ ଅତିରିକ୍ତ ଦୁଇଲକ୍ଷ ଟନ୍ ପିଆଜ କିଣିବାକୁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଏନ୍‌ସିସିଏଫ ଓ ନାଫେଡକୁ ନିର୍ଦ୍ଦେଶ ଦେଇଛି । ଏହି ଦୁଇ ସଂସ୍ଥା ଏକ ଲକ୍ଷ ଟନ୍ ଲେଖାଏଁ ପିଆଜ ସଂଗ୍ରହ କରି ତାହାକୁ ମହଜୁଦ୍ ରଖିବେ । ଏହା ଛଡା ପିଆଜର ମୂଲ୍ୟକୁ ସ୍ଥିର ରଖିବା ପାଇଁ ମହଜୁଦ୍ ଥିବା ପିଆଜକୁ ଦେଶର ପ୍ରମୁଖ ଖାଉଟି ବଜାରକୁ ସରକାର ଛାଡିବେ ।

 ତଦନୁସାରେ ସରକାରଙ୍କ ପାଖରେ ଯେଉଁ ପିଆଜ ମହଜୁଦ ଥିଲା ତାହାକୁ ବଜାରକୁ ଛଡାଗଲାଣି । ଏବେ ଦେଶର ବିଭିନ୍ନ ଅଞ୍ଚଳରେ ପିଆଜର ମୂଲ୍ୟ ସ୍ୱାଭାବିକ ଠାରୁ ଉପରେ ରହିଛି । ତେଣୁ ମୂଲ୍ୟ ସ୍ଥିର ରଖିବାକୁ ମହଜୁଦ ପିଆଜ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଯୋଗାଇ ଦିଆଯାଉଛି । ଆଜି ତାରିଖ ସୁଦ୍ଧା ବଫର ଷ୍ଟକ୍‌ରୁ ସରକାର ପ୍ରାୟ ୧୪୦୦ ମେଟ୍ରିକ ଟନ୍ ପିଆଜ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇ ସାରିଛନ୍ତି । ଏହି ଯୋଗାଣ ବ୍ୟବସ୍ଥା ପିଆଜ ବଜାରକୁ ସ୍ଥିର ରଖିବା ପର୍ଯ୍ୟନ୍ତ ଅବ୍ୟାହତ ରହିବ ।

 ବଫର ଷ୍ଟକରେ ଥିବା ପିଆଜକୁ ବିଭିନ୍ନ ପ୍ରମୁଖ ବଜାରକୁ ସରକାର ପଠାଇବା ସହିତ ଖୁଚୁରା କ୍ରେତାଙ୍କୁ ରିହାତି ମୂଲ୍ୟରେ କିଲୋପିଛା ୨୫ଟଙ୍କା ଦାମରେ ମଧ୍ୟ ବିକିବେ । ଆସନ୍ତାକାଲି ଅର୍ଥାତ୍ ସୋମବାଠାରୁ ଏନ୍‌ସିସିଏଫ ବିଭିନ୍ନ ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଆଜ କିଲୋପ୍ରତି ୨୫ଟଙ୍କାରେ ବିକିବା କାମ ଆରମ୍ଭ କରିବେ । ମୋବାଇଲ ଭ୍ୟାନରେ ମଧ୍ୟ ବିଭିନ୍ନ ବଜାରରେଏହି ପିଆଜ ୨୫ଟଙ୍କା ମୂଲ୍ୟରେ ଖାଉଟିଙ୍କ ପାଇଁ ଉପଲବ୍ଧ ହେବ। ଆଗାମୀ ଦିନରେ ଅନ୍ୟାନ୍ୟ ସଂସ୍ଥା ଓ ଇ-କମର୍ସ ମାଧ୍ୟମରେ ଖାଉଟିକୁ ମଧ୍ୟ ଶସ୍ତାରେ ପିଆଜ ଯୋଗାଇ ଦେବାକୁ ସରକାର କ୍ରମଶଃ ପ୍ରକ୍ରିୟା ଆରମ୍ଭ କରିବେ । 

 

ସରକାର ପିଆଜର ବଫର ଷ୍ଟକ୍ ପରିମାଣ ବୃଦ୍ଧି କରିଥିବାରୁ ଏହାର ଲାଭ ଉଭୟ ଚାଷୀ ଓ ଖାଉଟି ପାଇବେ । ଯେଉଁ ବ୍ୟବସାୟୀମାନେ ପିଆଜ ରପ୍ତାନୀ କରୁଛନ୍ତି ସେମାନଙ୍କୁ ବହୁ ଅଧିକ ରପ୍ତାନୀ ଟିକସ ଏବେ ଦେବାକୁ ପଡିବ । ସରକାର ପିଆଜ ରପ୍ତାନୀ ଉପରେ ମଧ୍ୟ ପରୋନ କଟକଣା ଜାରି କରିଛନ୍ତି । ଏହା ଫଳରେ ପିଆଜ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାରଙ୍କୁ ନିଜର ଉତ୍ପାଦ ବିକିବେ । ଖାଉଟିମାନେ ମଧ୍ୟ ବଫର ପିଆଜକୁ ରିହାତି ମୂଲ୍ୟରେ ପାଇ ଲାଭବାନ ହେବେ । ପିଆଜ ମୂଲ୍ୟକୁ ସ୍ଥିର ରଖିବା ପାଇଁ ସରକାର ନିଜ ପାଖରେ ମହଜୁଦ ପିଆଜକୁ ନିରନ୍ତର ଶସ୍ତାରେ ଖାଉଟିଙ୍କୁ ଯୋଗାଇବା କାମ ଜାରି ରଖିବେ ।

 

*****

TKM/SLP



(Release ID: 1950656) Visitor Counter : 106