ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ସ୍ୱାଧୀନତା ଦିବସ ୨୦୨୩ ଉପଲକ୍ଷେ ୯୫୪ ପୁଲିସ କର୍ମୀଙ୍କୁ ମିଳିଲା ପୁଲିସ ପଦକ


ବୀରତା ପାଇଁ ଜଣେ ସିଆରପିଏଫ କର୍ମୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ; ୨୨୯ ପୁଲିସ କର୍ମୀଙ୍କୁ ମିଳିଲା ସାହସିକତା ପୁଲିସ ପଦକ; ବିଶିଷ୍ଟ ସେବା ପାଇଁ ୮୨ ଜଣ ପାଇଲେ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୬୬୨ ଜଣଙ୍କୁ ମିଳିଲା ପୁଲିସ ପଦକ

ଓଡ଼ିଶାରୁ ୪ ପୁଲିସ କର୍ମୀଙ୍କୁ ମିଳିଲା ସାହସିକତା ପୁଲିସ ପଦକ; ବିଶିଷ୍ଟ ସେବା ପାଇଁ ୨ ଜଣ ପାଇଲେ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିଲା ପୁଲିସ ପଦକ

Posted On: 14 AUG 2023 10:29AM by PIB Bhubaneshwar

ସ୍ୱାଧୀନତା ଦିବସ, ୨୦୨୩ ଉପଲକ୍ଷେ ଦେଶର ମୋଟ୍‌ ୯୫୪ ଜଣ ପୁଲିସ କର୍ମୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି । ବୀରତା ପାଇଁ ଜଣେ ସିଆରପିଏଫ କର୍ମୀ ରାଷ୍ଟ୍ରପତି ପଦକ ପାଇଛନ୍ତି । ସେ ହେଲେ ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍‌ ଇବୋମଚା ସିଂ । ୨୨୯ ପୁଲିସ କର୍ମୀଙ୍କୁ ସାହସିକତା ପୁଲିସ ପଦକ ମିଳିଛି । ୮୨ ଜଣ ପୁଲିସ କର୍ମଚାରୀ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇଛନ୍ତି । ୬୪୨ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ଦିଆଯାଇଛି ।

ସାହସିକତା ପୁରସ୍କାର ପାଇଥିବା ୨୩୦ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୨୫ ଜଣ ପୁଲିସ କର୍ମୀ ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି। ସେହିପରି ଜାମ୍ମୁ ଓ କାଶ୍ମୀର ପୁଲିସର ୭୧ ଜଣ ପୁଲିସ କର୍ମୀ ଏବଂ ଉତ୍ତରପୂର୍ବାଞ୍ଚଳର ୧୧ ଜଣ ପୁଲିସ କର୍ମୀଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ସାହସିକତା ପୁଲିସ ପଦକ ପ୍ରଦାନ କରାଯାଇଛି । ସାହସିକତା ପୁଲିସ ପଦକ ପାଉଥିବା କର୍ମୀଙ୍କ ମଧ୍ୟରେ ୨୮ ଜଣ ସିଆରପିଏଫ, ୩୩ ଜଣ ମହାରାଷ୍ଟ୍ର ପୁଲିସ କର୍ମୀ, ୫୫ ଜଣ ଜାମ୍ମୁକାଶ୍ମୀର ପୁଲିସ କର୍ମୀ, ୨୪ ଜଣ ଛତିଶଗଡ଼, ୨୨ ଜଣ ତେଲଙ୍ଗାନା, ୧୮ ଜଣ ଆନ୍ଧ୍ରପ୍ରଦେଶ ଏବଂ ଅବଶିଷ୍ଟ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର କର୍ମୀ ରହିଛନ୍ତି ।

ଓଡ଼ିଶାରୁ ସାହସିକତା ପୁଲିସ ପଦକ ପାଇଥିବା ବିଜେତାମାନେ ହେଲେ ସୁବେଦାର ପ୍ରହ୍ଲାଦ ହିମିରକା, ଏସଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ କୁମାର ବରିହା ଏବଂ କନେଷ୍ଟବଳ ସୁଜିତ କୁମାର ରଣା ।

ସେହିପରି ଆମ ରାଜ୍ୟରୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ବିବେଚିତ ହୋଇଥିବା ଅଧିକାରୀ ହେଲେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସଞ୍ଜୟ କୁମାର ଏବଂ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ଅତିରିକ୍ତ ପୁଲିସ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀ।

ଅନ୍ୟପକ୍ଷରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ପୁଲିସ ପଦକ ପାଇଥିବା ୧୧ ଜଣ ପୁଲିସ କର୍ମୀ ହେଲେ : ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରେଞ୍ଜ ପୁଲିସ ଆଇଜି ଡକ୍ଟର ଦୀପକ କୁମାର, ଭୁବନେଶ୍ୱରସ୍ଥିତ ଅତିରିକ୍ତ ପୁଲିସ ଅଧିକ୍ଷକ ଅନନ୍ତ ଚରଣ ପତି, କଟକରେ କାର୍ଯ୍ୟରତ ଅତିରିକ୍ତ ପୁଲିସ ଅଧିକ୍ଷକ ବେଣୁଧର ନାୟକ, ବ୍ରହ୍ମପୁର ସହର ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପୁଲିସ ଉପଅଧିକ୍ଷକ ଶ୍ରୀମତୀ ଅମିତା ତ୍ରିପାଠୀ, ମୟୂରଭଞ୍ଜରେ କାର୍ଯ୍ୟରତ ସିଆଇ ପୁଲିସ ହାବିଲଦାର କୃଷ୍ଣ ଚନ୍ଦ୍ର ମହନ୍ତ, ଦେବଗଡ଼ ପୁଲିସ ରିଜର୍ଭ କାର୍ଯ୍ୟାଳୟର କନେଷ୍ଟବଳ ପିଟର ତିର୍କୀ, ଖୋର୍ଦ୍ଧାରେ କର୍ତ୍ତବ୍ୟରତ ପୁଲିସ ଅତିରିକ୍ତ ଉପ ନିରୀକ୍ଷକ ଗୁପ୍ତ ପ୍ରସାଦ ମହାନ୍ତି, ସମ୍ବଲପୁରରେ ନିୟୋଜିତ ପୁଲିସ ଉପନିରୀକ୍ଷକ (ସଶସ୍ତ୍ର) ଦିଲୀପ କୁମାର ନାୟକ, ଭୁବନେଶ୍ୱରରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ସୁଶାନ୍ତ କୁମାର ମାଝୀ ଏବଂ ଭୁବନେଶ୍ୱରରେ କର୍ତ୍ତବ୍ୟରତ ପୁଲିସ ନିରୀକ୍ଷକ ଉମାକାନ୍ତ ପ୍ରଧାନ।

ଧନଜୀବନ ବଞ୍ଚାଇବା କିମ୍ବା ଅପରାଧ ରୋକିବା ଅଥବା ଅପରାଧୀଙ୍କୁ ଗିରଫ କରିବା କ୍ଷେତ୍ରରେ ବିଶିଷ୍ଟ ବୀରତ୍ୱ ପ୍ରଦର୍ଶନ ଆଧାରରେ ବୀରତା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ସାହସିକତା ପାଇଁ ପୁଲିସ ପଦକ ପ୍ରଦାନ କରାଯାଇଥାଏ। ପୁଲିସ ସେବାରେ ସ୍ୱତନ୍ତ୍ର ବିଶିଷ୍ଟ କାର୍ଯ୍ୟ ରେକର୍ଡ ରହିଥିବା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଥାଏ। ଅନ୍ୟପକ୍ଷରେ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ଥାଇ ମୂଲ୍ୟବାନ ସେବା ଯୋଗାଇ ଦେବା ନିମନ୍ତେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯାଇଥାଏ।

ପୁରସ୍କାର ବିଜେତାଙ୍କ ବିସ୍ତୃତ ତାଲିକା ନିମ୍ନରେ ଦିଆଯାଇଛି :

ତାଲିକା I ଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ 

ତାଲିକା II ଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ

ତାଲିକା III ଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ

ତାଲିକା IV ଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ

ତାଲିକା V ଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ

 www.mha.gov.in ଏବଂ https://awards.gov.in ରେ ବିସ୍ତୃତ ବିବରଣୀ ଉପଲବ୍ଧ।



(Release ID: 1948563) Visitor Counter : 108