ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି-୭ ସମ୍ମିଳନୀର ୭ମ କାର୍ଯ୍ୟକାରୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟର ମୂଳ ପାଠ

Posted On: 20 MAY 2023 5:08PM by PIB Bhubaneshwar

ମାନ୍ୟଗଣ୍ୟ,

ଆଜି ଆମେ ଇତିହାସର ଏକ ମହତ୍ୱପୂର୍ଣ୍ଣ ମୋଡ଼ରେ ଛିଡ଼ା ହୋଇଛୁ । ଅନେକ ସଙ୍କଟରେ ପଡ଼ିଥିବା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା ଏବଂ ଶକ୍ତି ନିରାପତ୍ତା ଆଜିର ସମୟର ସବୁଠାରୁ ବଡ଼ ଆହ୍ୱାନ ମଧ୍ୟରେ ଅନ୍ୟତମ । ଏହି ବଡ଼ ଆହ୍ୱାନର ସମ୍ମୁଖୀନ ହେବାକୁ ଥିବା ଅନ୍ୟତମ ପ୍ରତିବନ୍ଧକ ହେଉଛି ଜଳବାୟୁ ପରିବର୍ତ୍ତନକୁ କେବଳ ଶକ୍ତିର ଦୃଷ୍ଟିକୋଣରୁ ଦେଖିବା । ଆମକୁ ଆମର ଆଲୋଚନାର ପରିସରକୁ ବୃଦ୍ଧି କରିବା ଉଚିତ ।

ଭାରତୀୟ ସଭ୍ୟତାରେ ପୃଥିବୀକୁ ମାଆର ମାନ୍ୟତା ଦିଆଯାଇଛି । ଏବଂ ଏହି ସମସ୍ତ ଆହ୍ୱାନର ସମଧାନ ପାଇଁ ଆମକୁ ପୃଥିବୀର ଡାକ ଶୁଣିବାକୁ ପଡ଼ିବ । ସେହି ଅନୁସାରେ ନିଜକୁ ନିଜର ଆଚରଣ ପରିବର୍ତ୍ତନ କରିବାକୁ ପଡ଼ିବ । ଏହି ଭାବନା ଦ୍ୱାରା ଭାରତ ସମଗ୍ର ବିଶ୍ୱ ପାଇଁ ମିଶନ ଲାଇଫ, ଆନ୍ତର୍ଜାତିକ ସୋଲାର ଆଲାଏନ୍ସ, ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ପାଇଁ ସମନ୍ୱୟ, ମିଶନ ହାଇଡ୍ରୋଜେନ, ଜୈବ ଇନ୍ଧନ ଆଲାଏନ୍ସ, ବିଗ୍ କ୍ୟାଟ୍ ଆଲାଏନ୍ସ ଭଳି ସଂସ୍ଥାଗତ ସମାଧାନ ସୃଷ୍ଟି କରିଛି । ଆଜି ଭାରତରେ କୃଷକମାନେ “ପର ଡ୍ରପ ମୋର କ୍ରପ”ର ମିଶନକୁ ଅନୁସରଣ କରି ଜଳର ପ୍ରତ୍ୟେକ ବୁଂଦାକୁ ବଂଚାଇ ପ୍ରଗତି ଏବଂ ବିକାଶର ପଥରେ ଯାଉଛନ୍ତି । ଆମେ ୨୦୭୦ ସୁଦ୍ଧା ନେଟ୍ ଜିରୋର ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ଯାଉଛୁ ।

ଆମର ବିଶାଳ ରେଳ ନେଟୱର୍କ ୨୦୩୦ ସୁଦ୍ଧା ନେଟ୍ ଜିରୋରେ ପହଂଚିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଭାରତରେ ଅକ୍ଷୟ ଶକ୍ତିର ସ୍ଥାପିତ କ୍ଷମତା ପ୍ରାୟ ୧୭୫ ଗିଗାୱାଟ ଅଟେ । ୨୦୩୦ରେ ଏହା ୫୦୦ ଗିଗାୱାଟରେ ପହଂଚିଯିବ । ଆମର ସମସ୍ତ ପ୍ରୟାସକୁ ଆମେ ପୃଥିବୀ ପ୍ରତି ଆମର ଦାୟିତ୍ୱ ବୋଲି ବିବେଚନା କରୁଛୁ । ଏହି ଅନୁଭବ ଆମର ବିକାଶର ମୂଳଦୁଆ ଏବଂ ଆମର ବିକାଶ ଯାତ୍ରାର ମହତ୍ୱାକାଂକ୍ଷୀ ଲକ୍ଷ୍ୟରେ ନିହିତ ରହିଛି । ପରିବେଶ ପ୍ରତିବଦ୍ଧତା ଏକ ପ୍ରତିବନ୍ଧକ ନୁହେଁ, ବରଂ ଭାରତର ବିକାଶ ଯାତ୍ରାରେ ଏକ ମୁଖ୍ୟ ସ୍ରୋତ

ମାନ୍ୟଗଣ୍ୟ,

ଜଳବାୟୁ କାର୍ଯ୍ୟ ଦିଗରେ ଆଗକୁ ବଢ଼ିବା, ଆମକୁ ସବୁଜ ଏବଂ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳକୁ ସ୍ଥିର କରିବାକୁ ପଡ଼ିବ । ଯଦି ଆମେ ଅଭାବୀ ଦେଶମାନଙ୍କୁ ଟେକ୍ନୋଲୋଜି ସ୍ଥାନାନ୍ତର ଏବଂ ସୁଲଭ ଅର୍ଥ ପ୍ରଦାନ କରିପାରିବୁ ନାହିଁ, ତେବେ ଆମର ଆଲୋଚନା କେବଳ ଆଲୋଚନା ମଧ୍ୟରେ ରହିଯିବ । ପୃଥିବୀରେ କୌଣସି ପରିବର୍ତ୍ତନ ଆସିବ ନାହିଁ ।

ମୁଁ ଗର୍ବର ସହିତ କହୁଛି ଯେ ଭାରତର ଲୋକମାନେ ପରିବେଶ ପ୍ରତି ସଚେତନ ଏବଂ ସେମାନଙ୍କର ଦାୟିତ୍ୱକୁ ବୁଝନ୍ତି । ଶତାବ୍ଦୀ ଧରି ଏହି ଦାୟିତ୍ୱର ଭାବନା ଆମ ଶରୀରରେ ପ୍ରବାହିତ ହେଉଛି । ଭାରତ ସମସ୍ତଙ୍କ ସହ ମିଶି ନିଜର ଯୋଗଦାନ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।

ଧନ୍ୟବାଦ ।

NS/MB



(Release ID: 1926008) Visitor Counter : 93