ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ୱାଗତ ପଦକ୍ଷେପ ଆରମ୍ଭ ହେବାର ୨୦ ବର୍ଷ ପୂରଣ ହେବା ଅବସର ଉପରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ


“ଗୁଜରାଟରେ ସ୍ୱାଗତ ପଦକ୍ଷେପ ଏହା ଦର୍ଶାଏ ଯେ ଲୋକ ମାନଙ୍କ ଅଭିଯୋଗ ଗୁଡିକର ସମାଧାନ ପାଇଁ କିପରି ଟେକ୍ନୋଲୋଜିକୁ ଦକ୍ଷତାର ସହିତ ବ୍ୟବହାର କରା ଯାଇପାରିବ”

“ମୁଁ ସ୍ପଷ୍ଟ କରିଥିଲି ଯେ ମୁଁ ଆସନର ପ୍ରତିବନ୍ଧକର ଦାସ ହେବି ନାହିଁ । ମୁଁ ଲୋକମାନଙ୍କ ମଧ୍ୟରେ ରହିବି ଏବଂ ସେମାନଙ୍କ ପାଇଁ ସେଠାରେ ରହିବି ”

“ସ୍ୱାଗତ ସହଜ ଜୀବନଯାପନ ଏବଂ ଶାସନକୁ ସମସ୍ତଙ୍କ ପାଖରେ ପହଂଚାଇବା ଧାରଣାକୁ ସମର୍ଥନ କରିଥାଏ”

“ମୋ ପାଇଁ , ସବୁଠାରୁ ବଡ ପୁରସ୍କାର ହେଉଛି ଯେ ଆମେ ସ୍ୱାଗତ ମାଧ୍ୟମରେ ଗୁଜରାଟର ଲୋକ ମାନଙ୍କର ସେବା କରି ପାରିବା”

“ଆମେ ପ୍ରମାଣ କରିଛୁ ଯେ ଶାସନ କେବଳ ପୁରୁଣା ନିୟମ ଏବଂ ନିୟମ ମଧ୍ୟରେ ସୀମିତ ନୁହେଁ , କିନ୍ତୁ ନୂତନତ୍ୱ ଏବଂ ନୂତନ ଚିନ୍ତାଧାରାକୁ ନେଇ ଶାସନ ହୋଇଥାଏ” “ସ୍ୱାଗତ ଶାସନର ଅନେକ ସମାଧାନ ପାଇଁ ପ୍ରେରଣା ପାଲଟିଛି । ଅନେକ ରାଜ୍ୟ ଏହି ପ୍ରକାର ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛନ୍ତି ”

“ଗତ ୯ ବର୍ଷ ମଧ୍ୟରେ ଦେଶର ଦ୍ରୁତ ବିକାଶରେ ପ୍ରଗତି ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି । ଏହି ଧାରଣା ସ୍ୱାଗତର ବିଚାର ଉପରେ ଆଧାରିତ ”

Posted On: 27 APR 2023 5:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟ ଠାରେ ପ୍ରଯୁକ୍ତିର ଅନୁପ୍ରୟୋଗ ଦ୍ୱାରା ଅଭିଯୋଗ ଉପରେ ରାଜ୍ୟବ୍ୟାପୀ ଧ୍ୟାନ ଦେବା ସମ୍ପର୍କିତ ପଦକ୍ଷେପ - ସ୍ୱାଗତର ୨୦ ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଗୁଜରାଟ ସରକାର ପ୍ରଥମ ୨୦ ବର୍ଷ ସଫଳତାର ସହ ସମାପ୍ତ କରିବା ଉପରେ ସ୍ୱାଗତ ସପ୍ତାହ ପାଳନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ଯୋଜନାରେ ପୂର୍ବରୁ ରହିଥିବା ହିତାଧିକାରୀ ମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ସ୍ୱାଗତ ଆରମ୍ଭ କରିବା ଉଦ୍ଦେଶ୍ୟ ସଫଳତାର ସହିତ ପ୍ରାପ୍ତ ହୋଇଛି ଯେଉଁଠାରେ ନାଗରିକମାନେ କେବଳ ସେମାନଙ୍କ ସମସ୍ୟାର ସମାଧାନ ଖୋଜି ପାରିବେ ନାହିଁ ବରଂ ସମଗ୍ର ସମ୍ପ୍ରଦାୟର ଶହ ଶହ ପ୍ରସଙ୍ଗକୁ ମଧ୍ୟ ଉଠାଇ ପାରିବେ । ସରକାରଙ୍କ ମନୋଭାବ ବନ୍ଧୁତ୍ୱପୂର୍ଣ୍ଣ ହେବା ଉଚିତ ଏବଂ ସାଧାରଣ ନାଗରିକମାନେ ସେମାନଙ୍କ ସହିତ ସହଜରେ ସେମାନଙ୍କ ସମସ୍ୟା ବଂଟନ କରି ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି ଯେ , ସ୍ୱାଗତ ପଦକ୍ଷେପ ଏହାର ଅସ୍ତିତ୍ୱର ୨୦ ବର୍ଷ ପୂରଣ କରୁଛି ଏବଂ ସେ ହିତାଧିକାରୀ ମାନଙ୍କ ସହ ଯୋଗାଯୋଗ କରିବା ଉପରେ ତାଙ୍କର ଅତୀତର ଅନୁଭୂତିକୁ ମନେ ପକାଇଥିଲେ । ସେ କହିଛନ୍ତି ଯେ ନାଗରିକଙ୍କ ଉଦ୍ୟମ ଏବଂ ନିଷ୍ଠା ହିଁ ସ୍ୱାଗତ ପଦକ୍ଷେପକୁ ଏକ ବଡ଼ ସଫଳତା ଦେଇଛି ଏବଂ ଏହି ଦିଗରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , କୌଣସି ଯୋଜନାର ଭାଗ୍ୟ ସେହି ଯୋଜନାର ଉଦ୍ଦେଶ୍ୟ ଏବଂ ଦୃଷ୍ଟିକୋଣ ଦ୍ୱାରା ନିର୍ଣ୍ଣୟ କରାଯାଏ । ସେ ମନେ ପକାଇ ଦେଇଛନ୍ତି ଯେ ୨୦୦୩ ରେ ଯେତେବେଳେ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ଏବଂ ତାଙ୍କର ବୟସ ଅତ୍ୟଧିକ ନଥିଲା ଏବଂ ତାଙ୍କୁ ମଧ୍ୟ ସାଧାରଣ ପ୍ରତିବନ୍ଧକକୁ ସାମ୍ନା କରିବାକୁ ପଡିଥିଲା ଯେ ପଦବୀ ସମସ୍ତଙ୍କୁ ପରିବର୍ତ୍ତନ କରି ଦେଇଥାଏ । ସେ କହିଛନ୍ତି ଯେ ଆସନ ସମ୍ଭାଳିବା ସହିତ ସେ ଅପରିବର୍ତ୍ତିତ ରହିବେ । ସେ କହିଛନ୍ତି ଯେ, “ମୁଁ ସ୍ପଷ୍ଟ କରିଥିଲି ଯେ ମୁଁ ଆସନକୁ ନେଇ ରହିଥିବା ପ୍ରତିବନ୍ଧକର ଦାସ ହେବି ନାହିଁ । ମୁଁ ଲୋକଙ୍କ ମଧ୍ୟରେ ରହିବି ଏବଂ ସେମାନଙ୍କ ପାଇଁ ସେଠାରେ ରହିବି ” ବୋଲି ସେ କହିଛନ୍ତି । ଏହି ଦୃଢ଼ ସଙ୍କଳ୍ପ ପ୍ରଯୁକ୍ତିର ଅନୁପ୍ରୟୋଗ ଦ୍ୱାରା ଅଭିଯୋଗ ଉପରେ ରାଜ୍ୟବାପୀ ଧ୍ୟାନ ଦେବା ଧାରଣାକୁ ସୃଷ୍ଟି କଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ସ୍ୱାଗତ ପଛରେ ଥିବା ଧାରଣା ହେଉଛି ଗଣତାନ୍ତ୍ରିକ ଅନୁଷ୍ଠାନରେ ସାଧାରଣ ନାଗରିକ ମାନଙ୍କର ମତକୁ ସ୍ୱାଗତ କରିବା, ତାହା ଆଇନ ହେଉ କିମ୍ବା ସମାଧାନ ହେଉ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍‌ାଗତ “ସହଜ ଜୀବନଯାପନ ଏବଂ ଶାସନ ସମସ୍ତଙ୍କ ନିକଟରେ ପହଞ୍ଚିବାର ବିଚାର ସହିତ ଠିଆ ହୋଇଛି ।

ସେ କହିଛନ୍ତି ଯେ , ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ନିଷ୍ଠା ସହିତ ଗୁଜରାଟ ସରକାରଙ୍କ ଦ୍ୱାରା କରାଯାଇଥିବା ଉଦ୍ୟମ ଯୋଗୁଁ ଏହି ରାଜ୍ୟର ଉତ୍ତମ ଶାସନ ମଡେଲ ବିଶ୍ୱ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଦୂର ସଂଚାର ସଂଗଠନ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାକି ସ୍ୱାଗତ ଦ୍ୱାରା ଇ - ସ୍ୱଚ୍ଛତା ଏବଂ ଇ - ଉତ୍ତରଦାୟିତ୍ୱ ଭାବରେ ଉତ୍ତମ ଶାସନର ମୂଳ ଉଦାହରଣ ଉପସ୍ଥାପନ କରିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ସ୍ୱାଗତ ମିଳିତ ଜାତିସଂଘର ବହୁ ପ୍ରଶଂସା ସାଉର୍ଟିଛି ଏବଂ ଏହାକୁ ଜନସେବା ପାଇଁ ସମ୍ମାନଜନକ ପୁରସ୍କାର ମଧ୍ୟ ପ୍ରଦାନ କରା ଯାଇଛି । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୧ ରେ କଂଗ୍ରେସ ଶାସନ ସମୟରେ ସ୍ୱାଗତ ପଦକ୍ଷେପ କାରଣରୁ ଇ - ଶାସନ ପାଇଁ ଗୁଜରାଟ ରାଜ୍ୟକୁ ଭାରତ ସରକାରଙ୍କ ପକ୍ଷରୁ ସ୍ୱର୍ଣ୍ଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୋ ପାଇଁ ସବୁଠାରୁ ବଡ ପୁରସ୍କାର ହେଉଛି ଆମେ ସ୍ୱାଗତ ମାଧ୍ୟମରେ ଗୁଜରାଟର ଲୋକ ମାନଙ୍କର ସେବା କରି ପାରିବା । ସ୍ୱାଗତରେ ଆମେ ଏକ ବ୍ୟାବହାରିକ ବ୍ୟବସ୍ଥା ପ୍ରସ୍ତୁତ କଲୁ । ସ୍ୱାଗତ ଅଧୀନରେ ସର୍ବସାଧାରଣ ଶୁଣାଣିର ପ୍ରଥମ ପ୍ରଣାଳୀ ବ୍ଲକ ଏବଂ ତହସିଲ ସ୍ତରରେ ସୃଷ୍ଟି କରା ଯାଇଥିଲା । ଏହା ପରେ ଜିଲ୍ଲା ସ୍ତରରେ ଜିଲ୍ଲାଧିକାରୀଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । ଏବଂ ରାଜ୍ୟ ସ୍ତରରେ ସେ ଦାୟିତ୍ୱକୁ ନିଜ କାନ୍ଧରେ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ଦ୍ୱାରା ପଦକ୍ଷେପ ଏବଂ ଯୋଜନା ଗୁଡିକର ପ୍ରଭାବ ଏବଂ ଏହା ଲୋକଙ୍କ ନିକଟରେ ପହଞ୍ଚିବା ଏବଂ କାର୍ଯ୍ୟାନ୍ୱୟନ ଏଜେନ୍ସି ଗୁଡିକ ଏବଂ ଶେଷ ହିତାଧିକାରୀ ମାନଙ୍କ ମଧ୍ୟରେ ସମ୍ପର୍କକୁ ବୁଝିବାରେ ତାଙ୍କୁ ବହୁତ ସାହାଯ୍ୟ ମିଳିଛି ବୋଲି ସେ କହିଛନ୍ତି । ସ୍ୱାଗତ ନାଗରିକ ମାନଙ୍କୁ ସଶକ୍ତ କରିଛି ଏବଂ ବିଶ୍ୱସନୀୟତା ହାସଲ କରିଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଯଦିଓ ସ୍ୱାଗତ କାର୍ଯ୍ୟକ୍ରମ ସପ୍ତାହରେ ଥରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ଶହ ଶହ ଅଭିଯୋଗ ଥିବାରୁ ଏହା ସହ ଜଡିତ କାର୍ଯ୍ୟ ମାସ ସାରା କରାଯିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ସେଠାରେ କୌଣସି ନିର୍ଦ୍ଦିଷ୍ଟ ବିଭାଗ, ଅଧିକାରୀ କିମ୍ବା ଅଞ୍ଚଳ ଅଛି ଯାହାର ଅଭିଯୋଗ ଅନ୍ୟମାନଙ୍କ ତୁଳନାରେ ଅଧିକ ପଞ୍ଜୀକୃତ ହୋଇଛି କି ନାହିଁ ତାହା ବୁଝିବା ପାଇଁ ସେ ଏକ ବିଶ୍ଳେଷଣ କରିବେ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଯେ “ଆବଶ୍ୟକ ଅନୁସାରେ ନୀତିରେ ମଧ୍ୟ ସଂଶୋଧନ କରା ଯାଇଥିଲା, ଏହାର ଗଭୀର ବିଷ୍ଲେଷଣ କରା ଯାଇଥିଲା, ଫଳରେ ଏହା ସାଧାରଣ ନାଗରିକଙ୍କ ମଧ୍ୟରେ ବିଶ୍ୱାସର ଭାବନା ସୃଷ୍ଟି କରି ପାରିଛିି” । ସେ କହିଛନ୍ତି ଯେ ସମାଜରେ ଉତ୍ତମ ଶାସନର ମାପ ଜନସାଧାରଣଙ୍କ ଅଭିଯୋଗ ସମାଧାନ ବ୍ୟବସ୍ଥାର ଗୁଣବତ୍ତା ଉପରେ ନିର୍ଭରଶୀଳ ଏବଂ ଏହା ହେଉଛି ଗଣତନ୍ତ୍ରର ପ୍ରକୃତ ପରୀକ୍ଷା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଗତ ସରକାରରେ ପ୍ରତିଷ୍ଠିତ ପଥ ଅନୁସରଣ କରିବାର ପୁରୁଣା ଧାରଣାକୁ ବଦଳାଇ ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପ୍ରମାଣ କରିଛୁ ଯେ ଶାସନ କେବଳ ପୁରୁଣା ନିୟମ ଏବଂ ଆଇନ ମଧ୍ୟରେ ସୀମିତ ନୁହେଁ , ନୂତନତ୍ୱ ଏବଂ ନୂତନ ଚିନ୍ତାଧାରା କାରଣରୁ ଶାସନ ହୋଇଥାଏ । ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ଯେ ୨୦୦୩ ମସିହାରେ ଇ - ଶାସନକୁ ସେହି ସମୟର ସରକାରମାନେ ଅଧିକ ପ୍ରାଥମିକତା ଦେଉ ନଥିଲେ । 

କାଗଜ ମାଧ୍ୟମରେ କାର୍ଯ୍ୟ ଏବଂ ଭୌତିକ ଫାଇଲଗୁଡିକ ଯୋଗୁଁ କାର୍ଯ୍ୟ ସମ୍ପନ୍ନ ହେବାରେ ବହୁତ ବିଳମ୍ବ ହେଉଥିଲା ଏବଂ ଭିଡିଓ କନଫରେନ୍ସିଂ ପ୍ରାୟତଃ ଅଜଣା ଥିଲା । “ଏହି ପରିସ୍ଥିତି ଗୁଡିକରେ ଗୁଜରାଟ ଭବିଷ୍ୟତବାଦୀ ଚିନ୍ତାଧାରା ଉପରେ କାମ କଲା । ଏବଂ ଆଜି, ସ୍ୱାଗତ ପରି ଏକ ବ୍ୟବସ୍ଥା ଶାସନର ଅନେକ ସମାଧାନ ପାଇଁ ପ୍ରେରଣା ପାଲଟି ଯାଇଛି । ଅନେକ ରାଜ୍ୟ ଏହି ପ୍ରକାର ବ୍ୟବସ୍ଥାରେ କାମ କରୁଛନ୍ତି । କେନ୍ଦ୍ରରେ ଆମେ ସରକାରଙ୍କ କାର୍ଯ୍ୟର ସମୀକ୍ଷା କରିବା ପାଇଁ ପ୍ରଗତି ନାମକ ଏକ ସିଷ୍ଟମ ମଧ୍ୟ ପ୍ରସ୍ତୁତ କରିଛୁ । ଗତ ୯ ବର୍ଷରେ ଦେଶର ଦ୍ରୁତ ବିକାଶରେ ପ୍ରଗତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ଧାରଣା ମଧ୍ୟ ସ୍ୱାଗତର ବିଚାର ଉପରେ ଆଧାରିତ । ” ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସେ ପ୍ରଗତି ମାଧ୍ୟମରେ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି ଏବଂ ଏହି କାରଣରୁ ଅନେକ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।

ତାଙ୍କ ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ଶହ ଶହ ଶାଖା ବିଶିଷ୍ଟ ଏକ ବିରାଟ ଗଛରେ ଅଙ୍କୁରିତ ହେବାକୁ ଥିବା ବୀଜ ବୁଣିବାର ଉପମା ପ୍ରଦାନ କରିଥିଲେ ଏବଂ ସ୍ୱାଗତର ଧାରଣା ଶାସନରେ ହଜାର ହଜାର ନୂତନ କାର୍ଯ୍ୟ ପାଇଁ ରାସ୍ତା ସୃଷ୍ଟି କରିବ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ । ସେ ଆନନ୍ଦ ପ୍ରକାଶ କରିଛନ୍ତି ଯେ ଶାସନ ବ୍ୟବସ୍ଥା ଏହିପରି ପାଳନ କରାଯାଉଛି, କାରଣ ଏହା ସେଗୁଡିକ ମଧ୍ୟରେ ନୂତନ ଜୀବନ ଏବଂ ଶକ୍ତି ସଂଚାର କରିଥାଏ । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନ ଶେଷ କରି କହିଛନ୍ତି ଯେ ଏହା ସାଧାରଣ ଜନତାଙ୍କ ଶାସନର ଆଦର୍ଶ ହୋଇ ଜନସାଧାରଣଙ୍କ ସେବା ଜାରି ରଖିବ ।

ପୃଷ୍ଠଭୂମି

ସ୍ୱାଗତ (ପ୍ରଯୁକ୍ତି ବିଦ୍ୟାର ଅନୁପ୍ରୟୋଗ ଦ୍ୱାରା ଅଭିଯୋଗ ଉପରେ ରାଜ୍ୟସ୍ତରୀୟ ଧ୍ୟାନ)ର ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏପ୍ରିଲ୍ ୨୦୦୩ ରେ କରା ଯାଇଥିଲା, ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ଏହି କାର୍ଯ୍ୟକ୍ରମ ତାଙ୍କ ବିଶ୍ୱାସ ଦ୍ୱାରା ପରିଚାଳିତ ହୋଇଥିଲା ଯେ , ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଦାୟିତ୍ୱ ହେଉଛି ରାଜ୍ୟବାସୀଙ୍କ ସମସ୍ୟା ଗୁଡିକର ସମାଧାନ କରିବା । ଏହି ସଂକଳ୍ପ ସହିତ, ଜୀବନର ସହଜତାକୁ ପ୍ରୋତ୍ସାହିତ କରିବା ପାଇଁ ଟେକ୍ନୋଲୋଜିର ସମ୍ଭାବ୍ୟତାକୁ ଶୀଘ୍ର ହୃଦୟଙ୍ଗମ କରିବା ସହିତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋଦୀ ଏହାର ପ୍ରଥମ ପ୍ରକାରର ବୈଷୟିକ ଭିତ୍ତିକ ଅଭିଯୋଗ ସମାଧାନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା, ଦୈନନ୍ଦିନ ଅଭିଯୋଗକୁ ଶୀଘ୍ର, ଦକ୍ଷତା ଭିତ୍ତିରେ ଏବଂ ସମୟ ସୀମା ମଧ୍ୟରେ ସମାଧାନ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରି ନାଗରିକ ଏବଂ ସରକାରଙ୍କ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିବା । ସମୟ ସହିତ, ସ୍ୱାଗତ ଲୋକଙ୍କ ଜୀବନରେ ଏକ ପରିବର୍ତ୍ତନଶୀଳ ପ୍ରଭାବ ଆଣିଲା ଏବଂ କାଗଜବିହୀନ, ସ୍ୱଚ୍ଛ ଏବଂ ଅସୁବିଧାମୁକ୍ତ ଢଙ୍ଗରେ ସମସ୍ୟାର ସମାଧାନ ପାଇଁ ଏକ ପ୍ରଭାବଶାଳୀ ସାଧନ ହେଲା ।

ସ୍ୱାଗତର ସ୍ୱତନ୍ତ୍ରତା ହେଉଛି ଏହା ସାଧାରଣ ନାଗରିକ ମାନଙ୍କୁ ସେମାନଙ୍କର ଅଭିଯୋଗ ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରେ । ଏହା ପ୍ରତ୍ୟେକ ମାସର ଚତୁର୍ଥ ଗୁରୁବାରରେ ଅନୁଷ୍ଠିତ ହୋଇଥାଏ , ଯେଉଁଥିରେ ମୁଖ୍ୟମନ୍ତ୍ରୀ ଲୋକ ମାନଙ୍କର ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ଆଲୋଚନା କରିଥାନ୍ତି । ଅଭିଯୋଗର ତୁରନ୍ତ ସମାଧାନ ମାଧ୍ୟମରେ ଲୋକ ଏବଂ ସରକାରଙ୍କ ମଧ୍ୟରେ ବ୍ୟବଧାନ ଦୂର କରିବାରେ ଏହି କାର୍ଯ୍ୟକ୍ରମ ପ୍ରମୁଖ ଭୂମିକା ଗ୍ରହଣ କରିଛି । କାର୍ଯ୍ୟକ୍ରମ ଅଧୀନରେ ଏହା ନିଶ୍ଚିତ ହୋଇଛି ଯେ ପ୍ରତ୍ୟେକ ଆବେଦନକାରୀଙ୍କୁ ନିଷ୍ପତ୍ତି ବିଷୟରେ ଅବଗତ କରାଯିବ । ସମସ୍ତ ଆବେଦନ ଗୁଡ଼ିକର ପ୍ରକ୍ରିୟା ଅନଲାଇନରେ ଉପଲବ୍ଧ । ଆଜି ପର୍ଯ୍ୟନ୍ତ ଦାଖଲ ହୋଇଥିବା ୯୯% ରୁ ଅଧିକ ଅଭିଯୋଗର ସମାଧାନ ହୋଇ ସାରିଛି ।

ସ୍ୱାଗତ ଅନ୍‌ଲାଇନ୍ କାର୍ଯ୍ୟକ୍ରମରେ ଚାରୋଟି ଉପାଦାନ ଅଛି : ରାଜ୍ୟ ସ୍ୱାଗତ, ଜିଲ୍ଲା ସ୍ୱାଗତ, ତାଲୁକ ସ୍ୱାଗତ ଏବଂ ଗ୍ରାମ ସ୍ୱାଗତ । ରାଜ୍ୟ ସ୍ୱାଗତ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଜନ ଶୁଣାଣିରେ ଯୋଗ ଦିଅନ୍ତି । ଜିଲ୍ଲାପାଳ ଜିଲ୍ଲା ସ୍ୱାଗତର ତଦାରଖ କରୁଥିବାବେଳେ ମାମଲତଦାର ଏବଂ ଜଣେ ପ୍ରଥମ ଶ୍ରେଣୀର ଅଧିକାରୀ ତାଲୁକ ସ୍ୱାଗତର ପ୍ରମୁଖ ହୋଇଥାନ୍ତି । ଗ୍ରାମ ସ୍ୱାଗତରେ, ନାଗରିକମାନେ ପ୍ରତ୍ୟେକ ମାସର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ତଲାଟି / ମାନ୍ତ୍ରୀରେ ଆବେଦନ ଦାଖଲ କରନ୍ତି । ଏହାର ସମାଧାନ ପାଇଁ ତାଲୁକ ସ୍ୱାଗତ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି । ଏଥିସହ, ନାଗରିକ ମାନଙ୍କ ପାଇଁ ଏକ ଲୋକ ଫରିଆଦ୍ କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିଛି, ଯେଉଁଠାରେ ସେମାନେ ସ୍ୱାଗତ ୟୁନିଟରେ ନିଜର ଅଭିଯୋଗ ଦାଖଲ କରନ୍ତି ।

ଜନସାଧାରଣ ସେବାରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ପ୍ରତିକ୍ରିୟାଶୀଳତା ପାଇଁ ୨୦୧୦ ରେ ମିଳିତ ଜାତିସଂଘର ଜନସେବା ପୁରସ୍କାର ସମେତ ବର୍ଷ ବର୍ଷ ଧରି ବିଭିନ୍ନ ପୁରସ୍କାର ସ୍ୱାଗତ ଅନ୍‌ଲାଇନ୍ କାର୍ଯ୍ୟକ୍ରମକୁ ପ୍ରଦାନ କରାଯାଇଛି ।

*****

 

SSP

 

 

 



(Release ID: 1920357) Visitor Counter : 111