ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କର୍ଣ୍ଣାଟକର ଶିମୋଗା ଠାରେ ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଏବଂ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳପାଠ୍ୟ

Posted On: 27 FEB 2023 2:51PM by PIB Bhubaneshwar

କର୍ଣ୍ଣାଟକ ଦା,

ଏଲ୍ଲା ସହୋଦରା ସହୋଦରିୟାରିଗେ, ନନ୍ନା ନମସ୍କାରାଗଲୁ !

ସିରିଗନ୍ନଡମ୍ ଗେଲ୍‌ଗେ, ସିରିଗନ୍ନଡମ୍ ବାଲଗେ

ଜୟ ଭାରତ ଜନନୀୟ ତନୁଜାତେ !

ଜୟା  ହେ କର୍ଣ୍ଣାଟକ ମାତେ !

ଏକ ଭାରତ ଶ୍ରେଷ୍ଠ ଭାରତ ନିମନ୍ତେ ଏଭଳି ସମର୍ପଣ ଭାବ ରଖୁଥିବା ରାଷ୍ଟ୍ରକବି କୁଭେମ୍ପୁଙ୍କ ମାଟିକୁ ମୁଁ ଶ୍ରଦ୍ଧାର ସହିତ ପ୍ରଣାମ କରୁଛି । ଆଜି ମୋତେ ପୁଣି ଥରେ କର୍ଣ୍ଣାଟକର ବିକାଶ ସହିତ ଜଡିତ ହଚାର ହଜାର କୋଟି ଟଙ୍କାର ପ୍ରକଳ୍ପ ଗୁଡିକୁ ଲୋକର୍ପଣ କରିବା ନିମନ୍ତେ ଏବଂ ଶିଳାନ୍ୟାସ କରିବା ପାଇଁ ସୌଭାଗ୍ୟ ମିଳିଛି ।

ବର୍ତ୍ତମାନ ମୁଁ  ଶିମୋଗାରେ ଅଛି ଏବଂ ଏହି ଠାରୁ ମୁଁ ବେଲାଗାଭିକୁ ଯାତ୍ରା କରିବି । ଆଜି ଶିମୋଗାକୁ ନିଜର ବିମାନ ବନ୍ଦର ମିଳି ଯାଇଛି । ଦୀର୍ଘ ସମୟ ଧରି ଏଥିପାଇଁ ଦାବି କରା ଯାଉଥିଲା, ଆଜି ତାହା ପୂରଣ ହୋଇ ପାରିଛି । ଶିମୋଗା ବିମାନବନ୍ଦର ବହୁତ ସୁନ୍ଦର ଭାବେ ତିଆରି ହୋଇଛି, ଏହା ବହୁତ ସୁନ୍ଦର । ଏହି ବିମାନ ବନ୍ଦରରେ ମଧ୍ୟ କର୍ଣ୍ଣାଟକର ପରମ୍ପରା ଏବଂ ପ୍ରଯୁକ୍ତିର ଅଦ୍ଭୁତ ସଙ୍ଗମ ଦେଖିବାକୁ ମିଳୁଛି । ଏବଂ ଏହା କେବଳ ଏକ ବିମାନ ବନ୍ଦର ନୁହେଁ, ଏହି କ୍ଷେତ୍ର ଯୁବକ ମାନଙ୍କର ସ୍ୱପ୍ନର ନୂତନ ଉଡାଣର  ଏକ ଅଭିଯାନ ଅଟେ । ଆଜି ସଡକ ଏବଂ ରେଳ ସହିତ ଜଡିତ ଅନେକ ପ୍ରକଳ୍ପ  ଗୁଡିକର ମଧ୍ୟ ଶିଳାନ୍ୟାସ କରାଯାଇଛି । ସମସ୍ତ ଘରକୁ  ପାଇପ୍ ମାଧ୍ୟମରେ ଜଳ ଯୋଗାଣ ପ୍ରକଳ୍ପ ଗୁଡିକ ଉପରେ କାର୍ଯ୍ୟ ଆରମ୍ଭ କରା ଯାଉଛି । ବିକାଶର ଏଭଳି ସମସ୍ତ ପ୍ରକାରର ପ୍ରକଳ୍ପ ଗୁଡିକ ନିମନ୍ତେ ମୁଁ ଶିମୋଗା ଏବଂ ଏହାର ଆଖପାଖର ସମସ୍ତ ଜିଲ୍ଲା ଗୁଡିକର, ସେଠାକାର ସମସ୍ତ ନାଗରିକ ମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ପ୍ରଦାନ କରୁଛି ।

ବନ୍ଧୁଗଣ,

ଆଜିର ଦିନ ଆଉ ଏକ କାରଣରୁ ବହୁତ ସ୍ୱତନ୍ତ୍ର ଅଟେ । ଆଜି କର୍ଣ୍ଣାଟକର ଲୋକପ୍ରିୟ ଜନ ନେତା ବି. ଏସ୍‌, ୟେଦୁରପ୍ପା ଜୀ’ ଙ୍କର ଜନ୍ମଦିନ ଅଟେ । ମୁଁ ତାଙ୍କର ଦୀର୍ଘ ଆୟୁଷ କାମନା କରୁଛି । ସେ ନିଜର ଜୀବନ ଗରିବ ମାନଙ୍କର କଲ୍ୟାଣ ନିମନ୍ତେ, କୃଷକ ମାନଙ୍କର କଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ୟେଦୁରପ୍ପା ଜୀ’ ଅଳ୍ପ କିଛି ଦିନ ତଳେ କର୍ଣ୍ଣାଟକ ବିଧାନସଭାରେ ଯେଉଁ ଭାଷଣ ଦେଇଥିଲେ, ତାହା ସାଧାରଣ ଜୀବନ ଜୀଉଁଥିବା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ପ୍ରେରଣାଦାୟୀ ଅଟେ । ସଫଳତାର ଏହି ଶିଖର ଦେଶରେ ପହଂଚି ମଧ୍ୟ କେଉଁଭଳି ଭାବେ ବ୍ୟବହାରରେ ବିନମ୍ରତା ବଜାୟ ରହିବା ଆବଶ୍ୟକ , ତାହା ଆମ ଭଳି ସବୁ ବ୍ୟକ୍ତି ବିଶେଷଙ୍କୁ, ଆମର ଆଗାମୀ ପିଢ଼ି ମାନଙ୍କ ନିମନ୍ତେ ୟେଦୁରପ୍ପା ଜୀ’ ଙ୍କର ଭାଷଣ, ତାଙ୍କର ଜୀବନ ସବୁବେଳ ପାଇଁ ପ୍ରେରଣାଦାୟକ ଅଟେ ।

ବନ୍ଧୁଗଣ,

ମୋର ଆପଣ ସମସ୍ତଙ୍କୁ ଗୋଟିଏ ଅନୁରୋଧ ଅଛି, ଆପଣ କରିବେ? ଯଦି ଆପଣଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି, ତେବେ ମୋବାଇଲ୍ ଫୋନ୍ ବାହାର କରନ୍ତୁ ଏବଂ ଏହାର ଫ୍ଲାସ୍ ଲାଇଟ୍ ଜଳାନ୍ତୁ ଏବଂ ୟେଦୁରପ୍ପା ଜୀଙ୍କୁ ସମ୍ମାନ ଗ୍ରଦର୍ଶନ କରନ୍ତୁ । ୟେଦୁରପ୍ପା ଜୀ’ଙ୍କ ସମ୍ମାନ ଉଦ୍ଦେଶ୍ୟରେ ସମସ୍ତଙ୍କ ମୋବାଇଲରେ ଫ୍ଲାସ୍ ଲାଇଟ୍ ଜଳି ରହିବା ଉଚିତ୍ । ସେ ୫୦ – ୬୦  ବର୍ଷର ସାର୍ବଜନୀନ ଜୀବନ, ନିଜର ସମ୍ପୂର୍ଣ୍ଣ ଯୁବାବସ୍ଥା ଏକ ବିଚାର ନିମନ୍ତେ ଅତିବାହିତ କରିଛନ୍ତି । ସମସ୍ତେ ନିଜ ମୋବାଇଲ୍ ଫୋନର ଫ୍ଲାସ୍ ଲାଇଟ୍ ଅନ୍ କରି ଶ୍ରଦ୍ଧେୟ ୟେଦୁରପ୍ପା ଜୀଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ । ବହୁତ ଭଲ, ବହୁତ ବଢ଼ିଆ । ଭାରତ ମାତାଙ୍କର ଜୟ ହେଉ । ଯେତେବେଳେ ମୁଁ ବିଜେପି ସରକାର ସମୟରେ କର୍ଣ୍ଣାଟକର ବିକାଶ ଯାତ୍ରାକୁ ଦେଖେ, ସେତେବେଳେ ମୁଁ ଏହା ଦେଖିବାକୁ ପାଇଥାଏ :  କର୍ଣ୍ଣାଟକ, ଅଭିବ୍ରୃଦ୍ଧିୟା ରଥାଦା, ମେଲେ! ଇ ରଥାଭୁ, ପ୍ରଗତିୟା ପଥାଦା ମେଲେ!

ଅର୍ଥାତ୍ ଗତ କିଛି ବର୍ଷ ଭିତରେ କର୍ଣ୍ଣାଟକ ବିକାଶ ଅଭିବୃଦ୍ଧିର ରଥରେ ଚାଲି ସାରିଛି । ଏହି ଅଭିବୃଦ୍ଧି ରଥ, ପ୍ରଗତି ପଥରେ ଦୌଡିବାରେ ଲାଗିଛି । ଏହି ପ୍ରଗତି ପଥ, ରେଳ ପଥ, ସଡକପଥ, ବାୟୁପଥ ଏବଂ ଆଇୱେଜ୍ ଅର୍ଥାତ୍ ଡିଜିଟାଲ୍ ସଂଯୋଗର ଅଟେ ।

ବନ୍ଧୁଗଣ,

ଆମେ ସମସ୍ତେ ଜାଣୁ ଯେ ଏହା ଏକ ଯାନ ହେଉ କିମ୍ବା ସରକାର, ଯେତେବେଳେ ଏଥିରେ ଏକ ଡବଲ୍ ଇଞ୍ଜିନ୍ ବ୍ୟବହାର କରା ଯାଇଥାଏ,  ଏହାର ଗତି ବହୁଗୁଣିତ ହୋଇଥାଏ । କର୍ଣ୍ଣାଟକର ଅଭିବୃଦ୍ଧି ରଥ ଏଭଳି ଏକ ଡବଲ୍ ଇଞ୍ଜିନ ଉପରେ ଚାଲୁଛି, ଅର୍ଥାତ୍  ଏହା ଦ୍ରୁତ ଗତିରେ ଆଗେଇ ଚାଲିଛି । ବିଜେପିର ଡବଲ ଇଞ୍ଜିନ୍ ସରକାର ଆଉ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଏହା ପୂର୍ବରୁ ଯେତେବେଳେ କର୍ଣ୍ଣାଟକର ବିକାଶ ବିଷୟରେ ଆଲୋଚନା କରା ଯାଉଥିଲା, ଏହା କେବଳ ବଡ ବଡ ସହର ଗୁଡ଼ିକ ମଧ୍ୟରେ ସୀମିତ ଥିଲା । କିନ୍ତୁ ଡବଲ୍ ଇଞ୍ଜିନ୍ ସରକାର ଏହି ବିକାଶକୁ କର୍ଣ୍ଣାଟକର ଗ୍ରାମାଂଚଳ ପର୍ଯ୍ୟନ୍ତ, ଟାୟାର - ୨ ସହର ଏବଂ ଟାୟାର - ୩ ସହର ପର୍ଯ୍ୟନ୍ତ ପହଂଚାଇବା ପାଇଁ ନିରନ୍ତର ଭାବେ ପ୍ରଚେଷ୍ଟା କରୁଛନ୍ତି । ଶିମୋଗାର ବିକାଶ ହେଉଛି ଏହି ଚିନ୍ତାଧାରାର ଫଳାଫଳ ।

ଭାଇ ଏବଂ ଭଉଣୀ ମାନେ,

ଶିମୋଗାର ଏହି ବିମାନ ବନ୍ଦର ଏଭଳି ଏକ ସମୟରେ ଆରମ୍ଭ ହେଉଛି, ଯେତେବେଳେ ଭାରତରେ ବିମାନ ଯାତ୍ରାକୁ ନେଇ ବହୁତ ଉତ୍ସାହ ଲାଗି ରହିଛି । ଆପଣମାନେ ଅଳ୍ପଦିନ ତଳେ ନିଶ୍ଚୟ ଦେଖିଥିବେ ଯେ,  ଏୟାର ଇଣ୍ଡିଆ ଦୁନିଆର ସବୁଠୁ ବଡ ବିମାନ କିଣିବା ପାଇଁ ଏକ ଚୁକ୍ତି କରିଛି । ୨୦୧୪ ପୂର୍ବରୁ, ଯେତେବେଳେ ଏୟାର ଇଣ୍ଡିଆ ବିଷୟରେ ଆଲୋଚନା କରା ଯାଉଥିଲା, ଏହା କେବଳ ନକାରାତ୍ମକ ଖବର ପାଇଁ କରା ଯାଉଥିଲା କଂଗ୍ରେସ ଶାସନ କାଳରେ ଏୟାର ଇଣ୍ଡିଆ ସ୍କାମ ପାଇଁ ତଥା କ୍ଷତିଗ୍ରସ୍ତ ବ୍ୟବସାୟ ମଡେଲ ଭାବରେ ଜଣାଶୁଣା ଥିଲା । ଆଜି ଏୟାର ଇଣ୍ଡିଆ, ଭାରତର ନୂତନ ଶକ୍ତି ଭାବରେ, ସାରା ବିଶ୍ୱରେ ନୂଆ ଉଚ୍ଚତା, ନୂତନ ଉଡାନ ସହିତ ଆଗେଇ ଚାଲିଛି ।

ଆଜି ସାରା ବିଶ୍ୱରେ ଭାରତର ବିମାନ ଚଳାଚଳ ବଜାର ସମ୍ପର୍କରେ ଚର୍ଚ୍ଚା ହେଉଛି । ଆଗାମୀ ସମୟରେ ଭାରତରେ ହଜାର ହଜାର ବିମାନର ଆବଶ୍ୟକତା ପଡିବାକୁ ଯାଉଛି । ଏହି ବିମାନ ଗୁଡ଼ିକରେ କାମ କରିବା ପାଇଁ ହଜାର ହଜାର ଯୁବକ ଆବଶ୍ୟକ ହେବେ । ବର୍ତ୍ତମାନ ସୁଦ୍ଧା, ଯଦିଓ ଆମେ ଏହି ବିମାନ ଗୁଡ଼ିକୁ ବିଦେଶରୁ ଆମଦାନୀ କରୁଛୁ, ସେହି ଦିନ ଆଉ ଦୂର ନୁହେଁ , ଯେତେବେଳେ ଭାରତର ନାଗରିକମାନେ ଭାରତରେ ନିର୍ମିତ ଯାତ୍ରୀବାହୀ ବିମାନରେ ଯାତ୍ରା କରିବେ । ଆଗକୁ ବିମାନ ଚଳାଚଳ କ୍ଷେତ୍ରରେ ନିଯୁକ୍ତି ପାଇଁ ଅନେକ ସମ୍ଭାବନା ଖୋଲିବାକୁ ଯାଉଛି ।

ବନ୍ଧୁଗଣ,

ଆଜି ଭାରତରେ ବିମାନ ଭ୍ରମଣର ଯେଉଁ ସମ୍ପ୍ରସାରଣ ହୋଇଛି, ତାହା ବିଜେପି ସରକାରଙ୍କ ନୀତି ଏବଂ ନିଷ୍ପତ୍ତି ଯୋଗୁଁ ହୋଇ ପାରିଛି । ୨୦୧୪ ମସିହା ପୂର୍ବରୁ ଦେଶର କେବଳ ବଡ ବଡ ସହରରେ ବିମାନ ବନ୍ଦର ଉପରେ ଧ୍ୟାନ ଦିଆ ଯାଇଥିଲା । ଛୋଟ ସହର ଗୁଡିକ ମଧ୍ୟ ବାୟୁପଥ ସହିତ ସଂଯୁକ୍ତ ହେବା ଉଚିତ, ଏହା କଂଗ୍ରେସର ଚିନ୍ତାଧାରା ଭିତରେ ନଥିଲା । ଆମେ ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ସ୍ଥିର କଲୁ । ୨୦୧୪ ମସିହାରେ ଦେଶରେ ୭୪ଟି ବିମାନ ବନ୍ଦର ଥିଲା । ଅର୍ଥାତ୍ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଦେଶରେ କେବଳ ୭୪ ବିମାନ ବନ୍ଦର ଥିଲା । ଯେତେବେଳେ କି ବିଜେପି ସରକାର ଏହାର ୯ ବର୍ଷ ଶାସନ ସମୟ ମଧ୍ୟରେ ୭୪ ଟି ନୂଆ ବିମାନ ବନ୍ଦର ନିର୍ମାଣ କରିଛି । ଦେଶର ଅନେକ ଛୋଟ ସହରରେ ମଧ୍ୟ ସେମାନଙ୍କର ନିଜସ୍ୱ ଆଧୁନିକ ବିମାନ ବନ୍ଦର ଅଛି । ଏଥିରୁ ବିଜେପି ସରକାର କେଉଁ ଭଳି ଗତିରେ କାମ କରୁଛନ୍ତି,  ତାହା ଆପଣ କଳ୍ପନା କରିପାରିବେ । ଗରିବ ଲୋକ ମାନଙ୍କ ପାଇଁ କାମ କରୁଥିବା ବିଜେପି ସରକାର ଆଉ ଏକ ବଡ କାମ କରିଛନ୍ତି । ଆମେ ସ୍ଥିର କଲୁ ଯେ ହାୱାଇ ଚପଲ ପିନ୍ଧିଥିବା ବ୍ୟକ୍ତି ମଧ୍ୟ ହାୱାଇ (ବିମାନ) ଯାତ୍ରା କରିବାକୁ ସମର୍ଥ ହେବା ଉଚିତ୍ । ସେଥିପାଇଁ ଆମେ ଖୁବ୍ କମ୍ ମୂଲ୍ୟରେ ବିମାନ ଟିକେଟ ଯୋଗାଇବା ପାଇଁ ଉଡାଣ ଯୋଜନା ଆରମ୍ଭ କରିଥିଲୁ । ଆଜି, ଯେତେବେଳେ ମୁଁ ମୋର ଅନେକ ଗରିବ ଭାଇ ଓ ଭଉଣୀ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଥିବାର ଦେଖେ, ଏହା ମୋତେ ସନ୍ତୋଷ ପ୍ରଦାନ କରିଥାଏ । ଶିମୋଗାର ଏହି ବିମାନ ବନ୍ଦର ମଧ୍ୟ ଏହାର ସାକ୍ଷୀ ହେବ ।

ବନ୍ଧୁଗଣ,

ପ୍ରକୃତି, ସଂସ୍କୃତି ଏବଂ କୃଷି କ୍ଷେତ୍ରର ଭୂମି ଶିମୋଗା ପାଇଁ ଏହି ନୂତନ ବିମାନ ବନ୍ଦର ବିକାଶର ନୂତନ ଦ୍ୱାର ଖୋଲିବାକୁ ଯାଉଛି । ଶିମୋଗା ପଶ୍ଚିମଘାଟ ପାଇଁ ପ୍ରସିଦ୍ଧ ମଲେ - ନାଡୁର ପ୍ରବେଶ ଦ୍ୱାର ଅଟେ । ଯେତେବେଳେ ପ୍ରକୃତିର କଥା ଆସେ, ଏଠାକାର ସବୁଜିମା, ବନ୍ୟଜନ୍ତୁ ଅଭୟାରଣ୍ୟ, ନଦୀ ଓ ପର୍ବତ ଆଶ୍ଚର୍ଯ୍ୟଜନକ ଅଟେ । ଆପଣଙ୍କ ପାଖରେ ମଧ୍ୟ ପ୍ରସିଦ୍ଧ ଜୋଗ୍ ଜଲପାତା ଅଛି । ଏଠାରେ ପ୍ରସିଦ୍ଧ ହାତୀ ଶିବିର, ସିଂହାଧାମ୍ ପରି ସିଂହ ସଫାରି ଅଛି । ଆଗୁମ୍ବେ ପର୍ବତର ସୂର୍ଯ୍ୟାସ୍ତର ଦୃଶ୍ୟକୁ ଉପଭୋଗ କରିବାକୁ କିଏ ଇଚ୍ଛା କରିବ ନାହିଁ? ଏଠାରେ ଏକ କଥା ଅଛି, ଗଙ୍ଗା ସ୍ନାନା, ତୁଙ୍ଗା ପାନା । ଯିଏ ଗଙ୍ଗାରେ ସ୍ନାନ କରିନାହିଁ, ତୁଙ୍ଗା ନଦୀର ଜଳପାନ କରିନାହିଁ, ତା’ ଜୀବନରେ କିଛି ତ ନିଶ୍ଚୟ ବାକି ରହିଛି

ବନ୍ଧୁଗଣ,

ଯେତେବେଳେ ଆମେ ସଂସ୍କୃତି ବିଷୟରେ ଚର୍ଚ୍ଚା କରୁ, ଶିମୋଗାର ମଧୁର ଜଳ ରାଷ୍ଟ୍ରକବି କୁଭେମ୍ପୁଙ୍କ ଶବ୍ଦରେ ମଧୁରତା ଯୋଗ କରିଥାଏ । ଦୁନିଆର ଏକ ମାତ୍ର ସଂସ୍କୃତ ଗ୍ରାମ - ମାତୁରୁ ଏହି ଜିଲ୍ଲାରେ ରହିଛି । ଏବଂ ଏହା ଏଠାରୁ ମଧ୍ୟ ବେଶି ଦୂରରେ ନୁହେଁ । ଦେବୀ ସିଙ୍ଗଧୁରୁ ଚୌଡେଶ୍ୱରୀ, ଶ୍ରୀକୋଟ ଆଞ୍ଜନେୟ, ଶ୍ରୀ ଶ୍ରୀଧର ସ୍ୱାମୀ ଜୀଙ୍କ ଆଶ୍ରମ, ବିଶ୍ୱାସ ଏବଂ ଆଧ୍ୟାତ୍ମିକତା ସହ ଜଡିତ ଏହି ସ୍ଥାନ ଗୁଡିକ ମଧ୍ୟ ଶିମୋଗାରେ ରହିଛି । ଶିମୋଗାର ଇସୁରୁ ଗାଁ, ଯେଉଁଠାରେ "ୟେସୁରୁ ବିଟ୍ଟରୁ - ଇସୁରୁ ବିଡେଭୁ’ ସ୍ଲୋଗାନ ବ୍ରିଟିଶମାନଙ୍କ ବିରୁଦ୍ଧରେ ପ୍ରତିଧ୍ୱନିତ ହୋଇଥିଲା, ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣାସ୍ଥଳୀ ଅଟେ ।

ଭାଇ ଏବଂ ଭଉଣୀମାନେ,

ପ୍ରକୃତି ଏବଂ ସଂସ୍କୃତି ସହିତ ଶିମୋଗାର କୃଷି ମଧ୍ୟ ବିବିଧତାପୂର୍ଣ୍ଣ ଅଟେ । ୟେରିଜନ ହେଉଛି ଦେଶର ସବୁଠାରୁ ଉର୍ବର ଅଞ୍ଚଳ ଗୁଡିକ ମଧ୍ୟରୁ ଗୋଟିଏ ଅଟେ । ଏଠାରେ ମିଳୁଥିବା ବିଭିନ୍ନ ଫସଲ, ଏହି କ୍ଷେତ୍ରକୁ ଏକ କୃଷି କେନ୍ଦ୍ର ଭାବରେ ଉପସ୍ଥାପିତ କରିଥାଏ । ଚା, ସୁପାରୀ, ମସଲା ଠାରୁ ଆରମ୍ଭ କରି ବିଭିନ୍ନ ଫଳ ଏବଂ ପନିପରିବା ଆମ ଶିମୋଗା ଅଞ୍ଚଳରେ ଉପଲବ୍ଧ ହୋଇଥାଏ । ଶିମୋଗାର ପ୍ରକୃତି, ସଂସ୍କୃତି ଏବଂ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଏଠାରେ ବହୁତ ବଡ ଆବଶ୍ୟକତା ଥିଲା । ଏହି ଆବଶ୍ୟକତା ଥିଲା ସଂଯୋଗ, ଉତ୍ତମ ସଂଯୋଗ । ଡବଲ ଇଞ୍ଜିନ୍ ସରକାର ଏହି ଆବଶ୍ୟକତାକୁ ପୂରଣ କରୁଛନ୍ତି ।

ବିମାନ ବନ୍ଦର ନିର୍ମାଣ ସହିତ କେବଳ ସ୍ଥାନୀୟ ଲୋକ ସୁବିଧା ପାଇବେ ନାହିଁ, ଦେଶ ଏବଂ ବିଦେଶରୁ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଆସିବା ସହଜ ହେବ । ଯେତେବେଳେ ପର୍ଯ୍ୟଟକମାନେ ଆସନ୍ତି, ସେମାନେ ସେମାନଙ୍କ ସହିତ ଡଲାର ଏବଂ ପାଉଣ୍ଡ ନେଇ ଆସିଥାନ୍ତି,  ଏବଂ ଏକ ପ୍ରକାରରେ ଦେଖିଲେ,  ଏହି କ୍ଷେତ୍ରରେ ମଧ୍ୟ ଚାକିରିର ସୁଯୋଗ ଅଛି । ଯେତେବେଳେ ରେଳ ସଂଯୋଗ ଉନ୍ନତ ହୋଇଥାଏ, ସୁବିଧା ଏବଂ ପର୍ଯ୍ୟଟନ ସହିତ କୃଷକମାନଙ୍କୁ ମଧ୍ୟ ନୂତନ ବଜାର ଉପଲବ୍ଧ ହୋଇଥାଏ । କୃଷକମାନେ ସେମାନଙ୍କର ଫସଲକୁ କମ୍ ମୂଲ୍ୟରେ ସାରା ଦେଶର ବଜାରକୁ ପଠାଇଥାନ୍ତି ।

ବନ୍ଧୁଗଣ,

ଯେତେବେଳେ ଶିମୋଗା – ଶିକାରୀପୁରା - ରାନୀବେନୁର ନୂତନ ଲାଇନ ସମ୍ପୂର୍ଣ୍ଣ ହେବ, ଶିମୋଗା ବ୍ୟତୀତ ହାଭେରୀ ଏବଂ ଦାୱନ ଗେରେ ଜିଲ୍ଲା ମଧ୍ୟ ଏହା ଯୋଗୁଁ ଉପକୃତ ହେବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଲାଇନରେ କୌଣସି ଲେଭଲ୍ କ୍ରସିଂ ହେବ ନାହିଁ । ଅର୍ଥାତ୍ ଏହା ଏକ ସୁରକ୍ଷିତ ରେଳ ଲାଇନ ହେବ ଏବଂ ଏହା ଉପରେ ଦ୍ରୁତ ଗତି ସମ୍ପନ୍ନ ଟ୍ରେନ୍ ଚଳାଚଳ କରିବ । କୋଟେଗଙ୍ଗୋର ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସ୍ୱଳ୍ପ ରହଣୀ ଷ୍ଟେସନ ଥିଲା । ବର୍ତ୍ତମାନ ଏକ ନୂତନ କୋଚିଂ ଟର୍ମିନାଲ୍ ନିର୍ମାଣ ସହିତ ଏହାର ଗୁରୁତ୍ୱ ବୃଦ୍ଧି ପାଇବ, ଏହାର କ୍ଷମତା ବୃଦ୍ଧି ପାଇବ । ବର୍ତ୍ତମାନ ଏହାକୁ ୪ ଟି ରେଳ ଲାଇନ, ୩ଟି ପ୍ଲାଟଫର୍ମ ଏବଂ ଗୋଟିଏ ରେଳ କୋଚିଂ ଡିପୋ ସହିତ ବିକଶିତ କରାଯାଉଛି । ଏହା ସହିତ ନୂତନ ଟ୍ରେନ୍ ଏଠାରୁ ଦେଶର ଅନ୍ୟାନ୍ୟ ସ୍ଥାନକୁ ଚାଲିପାରିବ । ବାୟୁ ପରିବହନ ଏବଂ ରେଳ ପରିବହନ ସହିତ ବର୍ତ୍ତମାନ ସଡକ ପଥ ମଧ୍ୟ ଉନ୍ନତ ହୋଇଛି, ଏହା ଯୋଗୁଁ ଯୁବକମାନେ ବହୁ ପରିମାଣରେ ଉପକୃତ ହେଉଛନ୍ତି । ଶିମୋଗା ଏକ ଶିକ୍ଷା କେନ୍ଦ୍ର ଅଟେ । ଭଲ ସଂଯୋଗ ସହିତ, ନିକଟସ୍ଥ ଜିଲ୍ଲାର ଯୁବକ ବନ୍ଧୁମାନଙ୍କୁ ଏଠାକୁ ଆସିବା ସହଜ ହେବ । ଏହା ନୂତନ ବ୍ୟବସାୟ ପାଇଁ ଏବଂ ନୂତନ ଶିଳ୍ପ ପାଇଁ ମଧ୍ୟ ରାସ୍ତା ଉନ୍ମୁକ୍ତ କରିବ । ଅର୍ଥାତ୍ ଉନ୍ନତ ସଂଯୋଗ ସହିତ ଜଡିତ ଭିତ୍ତିଭୂମି, ଏହି ସମ୍ପୂର୍ଣ୍ଣ କ୍ଷେତ୍ରରେ ନିଯୁକ୍ତିର ନୂତନ ଅବସର ସୃଷ୍ଟି କରିବାକୁ ଯାଉଛି ।

ଭାଇ ଏବଂ ଭଉଣୀମାନେ,

ଶିମୋଗା ଏବଂ ଏହି ଅଞ୍ଚଳର ମାଆ ଏବଂ ଭଉଣୀ ମାନଙ୍କର ଜୀବନକୁ ସହଜ କରିବାକୁ ମଧ୍ୟ ଏକ ବଡ ଅଭିଯାନ ଚାଲିଛି । ଏହା ହେଉଛି ପ୍ରତ୍ୟେକ ଘରକୁ ପାଇପ୍ ଜଳ ଯୋଗାଣ ପାଇଁ ଅଭିଯାନ । ଶିମୋଗା ଜିଲ୍ଲାରେ ୩ ଲକ୍ଷରୁ ଅଧିକ ପରିବାର ଅଛନ୍ତି । ଜଳ ଜୀବନ ମିଶନ ଆରମ୍ଭ ହେବା ପୂର୍ବରୁ, ଏଠାରେ ପ୍ରାୟ ୯୦,୦୦୦ ପରିବାର ସେମାନଙ୍କ ଘରେ ଟ୍ୟାପ୍ ସଂଯୋଗ ପାଇଥିଲେ । ଡବଲ୍ ଇଞ୍ଜିନ୍ ସରକାର ଏପର୍ଯ୍ୟନ୍ତ ପ୍ରାୟ ଦେଢ଼଼ ଲକ୍ଷ ନୂତନ ପରିବାରକୁ ପାଇପ୍ ଜଳ ସଂଯୋଗ ସୁବିଧା ଯୋଗାଇ ଦେଇଛନ୍ତି । ବାକି ପରିବାରକୁ ଟ୍ୟାପ୍ ଜଳ ଯୋଗାଣ କରିବା ପାଇଁ ଅନେକ ପ୍ରକଳ୍ପ ଗୁଡିକରେ ମଧ୍ୟ କାର୍ଯ୍ୟ ଚାଲିଛି । ଗତ ସାଢ଼େ ୩ ବର୍ଷରେ କର୍ଣ୍ଣାଟକରେ ୪୦ ଲକ୍ଷ ଗ୍ରାମୀଣ ପରିବାର ମାନଙ୍କ ପର୍ଯ୍ୟନ୍ତ ପାଇପ୍ ମାଧ୍ୟମରେ ଜଳ ଯୋଗାଣ କରାଯାଇଛି ।

ବନ୍ଧୁଗଣ,

ବିଜେପି ସରକାର ଗ୍ରାମ, ଗରିବ ଏବଂ କୃଷକ ମାନଙ୍କର ସରକାର, ବିଜେପି ସରକାର ଗରିବଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଥିବା ସରକାର, ବିଜେପି ସରକାର ମାଆ ଓ ଭଉଣୀ ମାନଙ୍କର ଆତ୍ମ ସମ୍ମାନ, ମାଆ ଏବଂ ଭଉଣୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା, ମାଆ ଏବଂ ଭଉଣୀଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଥିବା ସରକାର । ସେଥିପାଇଁ ଆମେ ଭଉଣୀମାନଙ୍କ ସହିତ ଜଡିତ ପ୍ରତ୍ୟେକ ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିଛୁ । ଶୌଚାଳୟ ହେଉ, ରୋଷେଇ ଘରେ ଗ୍ୟାସ୍ ହେଉ କିମ୍ବା ଟ୍ୟାପରୁ ପାଣି ହେଉ, ଏଗୁଡିକର ଅନୁପସ୍ଥିତି ଆମ ଭଉଣୀ ଏବଂ ଝିଅ ମାନଙ୍କୁ ଅଧିକ ଅସୁବିଧାରେ ପକାଉଥିଲା । ଆଜି ଆମେ ଏହାକୁ ଦୂର କରୁଛୁ । ଜଳ ଜୀବନ ମିଶନ ଦ୍ୱାରା ଡବଲ ଇଞ୍ଜିନ୍ ସରକାର ସମସ୍ତଙ୍କ ଘରକୁ ଜଳ ଯୋଗାଣ କରିବା ନିମନ୍ତେ ସଚ୍ଚୋଟତାର ସହିତ ପ୍ରୟାସ ଜାରି ରଖିଛି ।

ବନ୍ଧୁଗଣ,

କର୍ଣ୍ଣାଟକର ଲୋକମାନେ ଭଲ ଭାବରେ ଜାଣନ୍ତି ଯେ, ଏହା ହେଉଛି ଭାରତର ଅମୃତ କାଳ, ଏକ ବିକଶିତ ଭାରତ ତିଆରି କରିବାର ସମୟ । ସ୍ୱାଧୀନତା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସୁଯୋଗ ଆସିଛି । ପ୍ରଥମ ଥର ପାଇଁ ସମଗ୍ର ବିଶ୍ୱରେ ଭାରତ ସମ୍ପର୍କରେ ଏତେ ଚର୍ଚ୍ଚା ହେଉଛି । ସମଗ୍ର ବିଶ୍ୱରୁ ନିବେଶକମାନେ ଭାରତ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଯେତେବେଳେ ପୁଞ୍ଜି ନିବେଶ ଆସେ, ଏହାର ବହୁତ ଲାଭ କର୍ଣ୍ଣାଟକ ପାଇଁ ହୋଇଥାଏ ଏବଂ ଏଠାରେ ଥିବା ଯୁବକମାନଙ୍କ ପାଇଁ ବହୁତ ଲାଭ ପ୍ରଦାନ କରିଥାଏ । ସେଥିପାଇଁ କର୍ଣ୍ଣାଟକ ଡବଲ ଇଞ୍ଜିନ ସରକାରଙ୍କୁ ବାରମ୍ବାର ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଛି ।

ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ କର୍ଣ୍ଣାଟକର ବିକାଶର ଏହି ଅଭିଯାନ ବର୍ତ୍ତମାନ ଆହୁରି ଅଧିକ ଦ୍ରୁତ ହେବାକୁ ଯାଉଛି । ଆମକୁ ଏକାଠି ଆଗକୁ ବଢ଼ିବାକୁ ପଡିବ, ଆମକୁ ଏକାଠି ଚାଲିବାକୁ ପଡିବ । ଆମ କର୍ଣ୍ଣାଟକର ଲୋକ ମାନଙ୍କର, ଶିମୋଗାର ଲୋକ ମାନଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ଆମକୁ ଏକାଠି ଚାଲିବାକୁ ପଡିବ । ପୁଣି ଥରେ, ଏହି ବିକାଶମୂଳକ ପ୍ରକଳ୍ପ ଗୁଡିକ ପାଇଁ ମୁଁ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଜଣାଉଛି । ମୋ ସହିତ କୁହନ୍ତୁ - ଭାରତ ମାତାଙ୍କର ଜୟ ହେଉ । ଭାରତ ମାତାଙ୍କର ଜୟ ହେଉ । ଭାରତ ମାତାଙ୍କର ଜୟ ହେଉ ।

ଧନ୍ୟବାଦ !

***

SSP



 

 



(Release ID: 1903596) Visitor Counter : 85