ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଲି ଠାରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 16 NOV 2022 12:58PM by PIB Bhubaneshwar

ମହାମହିମଗଣ,

 

ବନ୍ଧୁଗଣ,

 

ମୁଁ ପୁଣି ଥରେ ନିଜର ବନ୍ଧୁ ରାଷ୍ଟ୍ରପତି ଜୋକୋଭିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ସେ ଏହି କଠିନ ସମୟରେ ଜି-୨୦ ରାଷ୍ଟ୍ର ସମୂହକୁ କୁଶଳୀ ନେତୃତ୍ବ ପ୍ରଦାନ କରିଛନ୍ତି । ଆହୁରି ଆଜି ମୁଁ ଜି-୨୦ ସମୂହକୁ ବାଲି ଘୋଷଣାନାମାର ଅନୁମୋଦନ ପାଇଁ ଅଭିନନ୍ଦନ ଜଣାଉଛି । ଭାରତ ନିଜ ଜି-୨୦ ଅଧ୍ୟକ୍ଷତା ସମୟରେ ଇଣ୍ଡୋନେସିଆର ପ୍ରଶଂସନୀୟ ପଦକ୍ଷେପକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରିବ । ଏହି ପବିତ୍ର ଦ୍ବୀପ ବାଲିରୁ ଆମେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଅତ୍ୟନ୍ତ ଶୁଭ ସଂଯୋଗ। ଭାରତ ଏବଂ ବାଲି ମଧ୍ୟରେ ଅତି ପ୍ରାଚୀନ ସମ୍ପର୍କ ରହିଛି ।

ମହାମହିମଗଣ,

ଭାରତ ଜି-୨୦ର ଦାୟିତ୍ବ ଏଭଳି ଏକ ମୁହୂର୍ତ୍ତରେ ଗ୍ରହଣ କରୁଛି ଯେତେବେଳେ ସାରା ବିଶ୍ବ ଭୂ-ରାଜନୈତିକ ଉତ୍ତେଜନା, ଆର୍ଥିକ ମାନ୍ଦାବସ୍ଥା, ଖାଦ୍ୟଶସ୍ୟ ଏବଂ ଇନ୍ଧନର ବର୍ଦ୍ଧିତ ଦର ଏବଂ ମହାମାରୀର ଦୀର୍ଘକାଳୀନ ଦୁଷ୍ପ୍ରଭାବ ସହ ଏକ ସମୟରେ ସଂଘର୍ଷ କରୁଛି । ଏଭଳି ଏକ ସମୟରେ ବିଶ୍ବ ଜି-୨୦ ଆଡ଼କୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହିଁଛି । ଆଜି ମୁଁ ଏହି ଆଶ୍ବାସନା ଦେବାକୁ ଚାହୁଁଛି ଯେ ଭାରତର ଜି-୨୦ ଅଧ୍ୟକ୍ଷତା ସମାବେଶୀ, ଆକାଂକ୍ଷୀ, ନିର୍ଣ୍ଣାୟକ ଏବଂ କାର୍ଯ୍ୟାନୁଷ୍ଠାନ ଆଧାରିତ ହେବ ।

ମହାମହିମଗଣ,

ଆସନ୍ତା ବର୍ଷ ଆମେ ଏହି ପ୍ରୟାସ କରିବୁ ଯେ ଜି-୨୦ ନୂଆ ବିଚାରର ପରିକଳ୍ପନା ଲାଗି, ଆହୁରି ଅଧିକ ସାମୁହିକ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିବା ଲାଗି, ଏକ ଗ୍ଲୋବାଲ ପ୍ରାଇମ ମୁଭର ଭାବେ କାମ କରିବ । ପ୍ରାକୃତିକ ସମ୍ବଳ ଉପରେ ମାଲିକାନା ମନୋଭାବ ଆଜି ସଂଘର୍ଷକୁ ଜନ୍ମ ଦେଉଛି । ଏହା ହିଁ ପରିବେଶ ଦୁର୍ଦ୍ଦଶାର ମୁଖ୍ୟ କାରଣ ପାଲଟିଛି । ପୃଥିବୀର ସୁରକ୍ଷିତ ଭବିଷ୍ୟତ ଲାଗି, ଟ୍ରଷ୍ଟିଶିପ ବା ସଂରକ୍ଷକ ଭାବନା ରହିବା ଏକମାତ୍ର ସମାଧାନ ଅଟେ। ଏଥିରେ ଲାଇଫ୍‌ ବା ‘ଲାଇଫଷ୍ଟାଇଟ୍‌ ଫର ଏନଭାୟରନମେଣ୍ଟ’ (ପରିବେଶ ପାଇଁ ଜୀବନଶୈଳୀ) ଅଭିଯାନ ଏକ ବଡ଼ ଯୋଗଦାନ ଦେଇପାରିବ । ଏହାର ଉଦ୍ଦେଶ୍ୟ ହେଉଛି ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଏକ ଜନ-ଆନ୍ଦୋଳନରେ ପରିଣତ କରିବା ।

ମହାମହିମଗଣ,

ଆଜିର ଆବଶ୍ୟକତା ହେଉଛି ବିକାଶର ଲାଭ ସର୍ବ-ସ୍ପର୍ଶୀ ଏବଂ ସର୍ବ-ସମାବେଶୀ ହେଉ । ଆମକୁ କରୁଣା ଏବଂ ଏକାତ୍ମତା ଭାବନା ନେଇ ପ୍ରତ୍ୟେକ ଲୋକଙ୍କ ନିକଟରେ ବିକାଶର ଲାଭ ପହଞ୍ଚାଇବାକୁ ହେବ । ବିଶ୍ବର ବିକାଶ ମହିଳାଙ୍କ ଭାଗିଦାରୀ ବିନା ଅସମ୍ଭବ । ଆମକୁ ନିଜ ଜି-୨୦ ଏଜେଣ୍ଟରେ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଉପରେ ପ୍ରାଥମିକତା ବଜାୟ ରଖିବାକୁ ହେବ । ଶାନ୍ତି ଓ ସୁରକ୍ଷା ବିନା ଆମର ଆଗାମୀ ପିଢ଼ି ଆର୍ଥିକ ବିକାଶ କିମ୍ବା ପ୍ରଯୁକ୍ତି ନବୋନ୍ମେଷର ଲାଭ ଗ୍ରହଣ କରିପାରିବ ନାହିଁ । ଜି-୨୦କୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ସପକ୍ଷରେ ଏକ ଦୃଢ଼ ବାର୍ତ୍ତା ଦେବାକୁ ହେବ । ଏ ସବୁ ପ୍ରାଥମିକତା, ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ – ‘‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’’-ରେ ସମ୍ପୂର୍ଣ୍ଣ ଭାବେ ସମାହିତ ହୋଇ ରହିଛି ।

ମହାମହିମଗଣ,

ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଆମେ ଆମ ଦେଶର ବିଭିନ୍ନ ସହର ଏବଂ ରାଜ୍ୟରେ, ଜି-୨୦ର ବୈଠକମାନ ଆୟୋଜନ କରିବୁ । ଆମର ଅତିଥିମାନଙ୍କୁ ଭାରତର ଅଦ୍ଭୂତ ବିବିଧତା, ସମାବେଶୀ ପରମ୍ପରା ଏବଂ ସାଂସ୍କୃତିକ ସମୃଦ୍ଧିର ସମ୍ପୂର୍ଣ୍ଣ ଅନୁଭବ ମିଳିପାରିବ । ଆମେ କାମନା କରୁଛୁ ଯେ ଆପଣମାନେ ସମସ୍ତେ ‘ମଦର ଅଫ୍‌ ଡେମୋକ୍ରେସୀ’ (ଗଣତନ୍ତ୍ରର ଜନ୍ମଦାତ୍ରୀ) ଭାରତରେ ଏହି ଅଦ୍ବିତୀୟ ଉତ୍ସବରେ ସହଭାଗୀ ହେବେ । ଆମେ ସମସ୍ତେ ମିଶି ଜି-୨୦ ସମୂହକୁ ବିଶ୍ବ ପରିବର୍ତ୍ତନର ଏକ ବାହକରେ ପରିଣତ କରିପାରିବା ।

 

ଅନେକ ଅନେକ ଧନ୍ୟବାଦ ।

******

P.S.

 



(Release ID: 1876523) Visitor Counter : 149