ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟର ଭଦୋଦରା ଠାରେ ସି-୨୯୫ ବିମାନ ନିର୍ମାଣ କାରଖାନା ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ


‘‘ମେକ୍‌ ଇନ ଇଣ୍ଡିଆ, ମେକ୍‌ ଫର ଗ୍ଲୋବ୍‌ ମନ୍ତ୍ର ନେଇ ଭାରତ ଆଗକୁ ବଢ଼ୁଅଛି’’

‘‘ଭଦୋଦରା ପୂର୍ବରୁ ସଂସ୍କୃତି ଓ ଶିକ୍ଷା କେନ୍ଦ୍ର ଭାବେ ପରିଚିତ ଥିଲା, ଏବେ ଏକ ବିମାନ ନିର୍ମାଣ କେନ୍ଦ୍ର ଭାବେ ନୂଆ ପରିଚୟ ନେଇ ବିକଶିତ ହେବ’’

‘‘ବିମାନ ଚଳାଚଳ ଟ୍ରାଫିକ୍‌ କ୍ଷେତ୍ରରେ ଆମେ ବିଶ୍ୱର ଶ୍ରେଷ୍ଠ ତିନୋଟି ରାଷ୍ଟ୍ର ମଧ୍ୟରେ ସାମିଲ ହେବାକୁ ଯାଉଛୁ’’

‘‘ମହାମାରୀ, ଯୁଦ୍ଧ ଏବଂ ଯୋଗାଣ ଶୃଙ୍ଖଳ ଜନିତ ବାଧା ସତ୍ତ୍ୱେ ଭାରତର ଅଭିବୃଦ୍ଧି ଧାରା ବଜାୟ ରହିପାରିଛି’’

‘‘କମ ଖର୍ଚ୍ଚରେ ଉତ୍ପାଦନ ଏବଂ ଉଚ୍ଚ ଉତ୍ପାଦକତା ସହିତ ଭାରତ ଅପାର ସମ୍ଭାବନା ପ୍ରସ୍ତୁତ କରିଛି’’

‘‘ଆଜି, ଭାରତ ଏକ ନୂଆ ମାନସିକତା, ଏକ ନୂଆ କାର୍ଯ୍ୟ ସଂସ୍କୃତି ନେଇ ଆଗକୁ ବଢ଼ୁଅଛି’’

‘‘ଆଜି ଆମର ନୀତି ସ୍ଥିର, ଆକଳନଯୋଗ୍ୟ ଏବଂ ଭବିଷ୍ୟଉନ୍ମୁଖି ହୋଇପାରିଛି’’

‘‘୨୦୨୫ ସୁଦ୍ଧା ଆମେ ପ୍ରତିରକ୍ଷା ଉତ୍ପାଦନକୁ ୨୫ ବିଲିୟନ ଡଲାରରୁ ଅଧିକରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛୁ । ଆମର ପ୍ରତିରକ୍ଷା ରପ୍ତାନି ମଧ୍ୟ ୫ ବିଲିୟନ ଡଲାରକୁ ବୃଦ୍ଧି ପାଇବ’’

Posted On: 30 OCT 2022 4:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭଦୋଦରା ଠାରେ ସି-୨୯୫ ସାମରିକ ପରିବହନ ବିମାନ ନିର୍ମାଣ କାରଖାନା ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ବିମାନ ବା ଏରୋସ୍ପେସ ଉଦ୍ୟୋଗ କ୍ଷେତ୍ରରେ ପ୍ରଯୁକ୍ତି ଓ ବିନିର୍ମାଣର ପ୍ରଗତିକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଦର୍ଶନୀକୁ ମଧ୍ୟ ସେ ବୁଲି ଦେଖିଥିଲେ ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତକୁ ବିଶ୍ୱର ଏକ ପ୍ରମୁଖ ନିର୍ମାଣ କେନ୍ଦ୍ରରେ ପରିଣତ କରିବା ଦିଗରେ ଆଜି ଆମେ ଏକ ବୃହତ ପଦକ୍ଷେପ ଗ୍ରହଣ କରିଛୁ । ସେ କହିଥିଲେ ଯେ ଭାରତ ଯୁଦ୍ଧ ବିମାନ, ଟ୍ୟାଙ୍କ, ବୁଡ଼ାଜାହାଜ, ଔଷଧ, ଟିକା, ଇଲେକ୍ଟ୍ରୋନିକ୍ସ ଉପକରଣ, ମୋବାଇଲ ଫୋନ ଏବଂ କାର ଆଦି ନିର୍ମାଣ କରୁଛି ଯାହାକି ଅନେକ ଦେଶରେ ଲୋକପ୍ରିୟ ହୋଇପାରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ‘ମେକ୍‌ ଇନ୍‌ ଇଣ୍ଡିଆ ମେକ୍‌ ଫର୍‌ ଗ୍ଲୋବ’ (ବିଶ୍ୱ ପାଇଁ ଭାରତରେ ନିର୍ମାଣ) ମନ୍ତ୍ର ସହିତ ଭାରତ ଆଗକୁ ବଢ଼ୁଛି । ବର୍ତ୍ତମାନ ଭାରତ ବିଶ୍ୱର ସବୁଠୁ ବଡ଼ ପରିବହନ ବିମାନ ନିର୍ମାଣକାରୀ ହେବାକୁ ଯାଉଛି । ସେ କହିଥିଲେ ଯେ, ଭାରତ ଖୁବଶୀଘ୍ର ବଡ଼ ଯାତ୍ରୀବାହୀ ବିମାନ ନିର୍ମାତା ହେବାକୁ ଯାଉଛି । ଏଥିରେ ଏବେ ଗର୍ବର ସହିତ ‘ମେଡ଼ ଇନ୍‌ ଇଣ୍ଡିଆ’ ଶବ୍ଦଗୁଡ଼ିକ ଶୋଭା ପାଇବ ।

ସେ କହିଥିଲେ ଯେ, ଆଜି ଯେଉଁ କାରଖାନା ପାଇଁ ଶିଳାନ୍ୟାସ କରାଯାଇଛି ସେଥିରେ ଭାରତର ପ୍ରତିରକ୍ଷା ଓ ପରିବହନ କ୍ଷେତ୍ରକୁ ବଦଳାଇବାର ସାମର୍ଥ୍ୟ ରହିଛି । ସେ ବିଶେଷ ଭାବେ ଆଲୋକପାତ କରି କହିଥିଲେ ଯେ ପ୍ରଥମ ଥର ପାଇଁ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏତେ ବଡ଼ ନିବେଶ ହେଉଛି । ଏଠାରେ ନିର୍ମାଣ ହେବାକୁ ଥିବା ପରିବହନ ବିମାନ କେବଳ ସେନାବାହିନୀକୁ ସଶକ୍ତ କରିବ ନାହିଁ ବରଂ ଭାରତରେ ବିମାନ ନିର୍ମାଣ ପାଇଁ ଏକ ନୂଆ ଇକୋସିଷ୍ଟମ ବିକଶିତ କରିବାରେ ସହାୟକ ହେବ । ଭଦୋଦରା ପୂର୍ବରୁ ଏକ ସାଂସ୍କୃତିକ ଏବଂ ଶିକ୍ଷା କେନ୍ଦ୍ର ଭାବେ ପରିଚିତ ଥିଲା, ଏବେ ଏକ ବିମାନ ନିର୍ମାଣ କେନ୍ଦ୍ର ଭାବେ ନୂଆ ପରିଚୟ ନେଇ ବିକଶିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ପ୍ରକଳ୍ପ ସହିତ ୧୦୦ରୁ ଅଧିକ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଜଡ଼ିତ ହୋଇ ରହିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଭବିଷ୍ୟତରେ ଅନ୍ୟ ଦେଶକୁ ରପ୍ତାନି କରିବା ଲାଗି ଏହି କାରଖାନା ଅର୍ଡର ଗ୍ରହଣ କରିବ । ଫଳରେ ଭଦୋଦରା ମାଟି ଓ ଏହି ପ୍ରକଳ୍ପ ‘ମେକ୍‌ ଇନ୍‌ ଇଣ୍ଡିଆ ମେକ୍‌ ଫର୍‌ ଗ୍ଲୋବ’ ଲକ୍ଷ୍ୟକୁ ଏକ ନୂତନ ପ୍ରୋତ୍ସାହନ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭାରତରେ ବିମାନ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଉପରେ ମତବ୍ୟକ୍ତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିମାନ ଚଳାଚଳ ଟ୍ରାଫିକ୍‌ କ୍ଷେତ୍ରରେ ଆମେ ବିଶ୍ୱର ଶୀର୍ଷ ତିନୋଟି ରାଷ୍ଟ୍ର ମଧ୍ୟରେ ସାମିଲ ହେବାକୁ ଯାଉଛୁ । ଉଡ଼ାନ ଯୋଜନା ଅନେକ ଯାତ୍ରୀଙ୍କୁ ବିମାନ ଯାତ୍ରା କରିବାର ଶସ୍ତା ଓ ସୁଲଭ ସୁବିଧା ଯୋଗାଇ ଦେଉଛି । ଯାତ୍ରୀବାହୀ ଏବଂ କାର୍ଗୋ ବିମାନର ଚାହିଦା ବୃଦ୍ଧି ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ୧୫ ବର୍ଷ ମଧ୍ୟରେ ଭାରତରେ ୨୦୦୦ରୁ ଅଧିକ ବିମାନର ଆବଶ୍ୟକତା ଦେଖା ଦେବ । ଶ୍ରୀ ମୋଦୀ କହିଥିଲେ, କରୋନା ମହାମାରୀ, ଯୁଦ୍ଧ ଏବଂ ଯୋଗାଣ ଶୃଙ୍ଖଳରେ ବାଧା କାରଣରୁ ସମସ୍ୟାରେ ପଡ଼ିଥିବା ବିଶ୍ୱ ପାଇଁ ଭାରତ ଏବେ ସମ୍ଭାବନାର ଏକ ଦୁନିଆ ନେଇ ଆସିଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ଅଭିବୃଦ୍ଧି ଧାରା ସ୍ଥିର ରହିଛି । ସେ କହିଥିଲେ ଯେ ପରିଚାଳନା ପରିସ୍ଥିତି ନିରନ୍ତର ଭାବେ ସୁଧୁରିବାରେ ଲାଗିଛି ଏବଂ ଭାରତ ଉଚ୍ଚ ଗୁଣବତ୍ତା ସହିତ ଖର୍ଚ୍ଚ ପ୍ରତିଯୋଗିତା ଉପରେ ଜୋର ଦେଉଛି । କମ ଖର୍ଚ୍ଚରେ ଉତ୍ପାଦନ ଏବଂ ଉଚ୍ଚ ଉତ୍ପାଦକତା ସହିତ ଭାରତ ଅପାର ସମ୍ଭାବନା ପ୍ରସ୍ତୁତ କରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେ ଆହୁରି କହିଥିଲେ ଯେ ଭାରତରେ କୁଶଳୀ ମାନବଶକ୍ତିର ବିଶାଳ ପ୍ରତିଭା ଭଣ୍ଡାର ରହିଛି । ଗତ ଆଠ ବର୍ଷ ମଧ୍ୟରେ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ବିନିର୍ମାଣ ପାଇଁ ଭାରତ ଏକ ଅଭୂତପୂର୍ବ ପରିବେଶ ସୃଷ୍ଟି କରୁଛି । ପ୍ରଧାନମନ୍ତ୍ରୀ ଉଦାହଣ ଦେଇ କହିଥିଲେ ଯେ, ଦେଶରେ ଏକ ସରଳ କର୍ପୋରେଟ ଟିକସ ବ୍ୟବସ୍ଥା ସହିତ ଏହାକୁ ବିଶ୍ୱ ସ୍ତର ପାଇଁ ପ୍ରତିଯୋଗିତାମୂଳକ ତଥା ଦକ୍ଷ କରାଯାଇଛି । ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଶତପ୍ରତିଶତ ମାର୍ଗ ଉନ୍ମୋଚନ କରାଯାଇଛି । ଘରେ କମ୍ପାନୀଙ୍କ ନିବେଶ ପାଇଁ ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରାଯାଇଛି । ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନରେ ସଂସ୍କାର ଅଣାଯାଇ ଏହାକୁ ୪ଟି ଶ୍ରମ ସଂହିତାରେ ପରିଣତ କରାଯାଇଛି । ୩୩ରୁ ଅଧିକ ଅନୁପାଳନ ବୋଝ ଉଚ୍ଛେଦ କରାଯିବା ସହିତ ସଂଖ୍ୟାଧିକ ନିକସର ଜାଲକୁ ଉଚ୍ଛେଦ କରାଯାଇ ଗୋଟିଏ ସରଳ ଟିକସ ବ୍ୟବସ୍ଥା- ବସ୍ତୁ ଓ ସେବା କର (ଜିଏସଟି) ଦେଶବ୍ୟାପୀ ଲାଗୁ କରାଯାଇଛି । ସେ କହିଥିଲେ, ‘‘ଆଜି ଭାରତରେ ଆର୍ଥିକ ସଂସ୍କାରର ଏକ ନୂଆ ଇତିହାସ ରଚନା ହେଉଛି ଏବଂ ନିର୍ମାଣ କ୍ଷେତ୍ର ରାଜ୍ୟମାନଙ୍କ ଠାରୁ ମିଳୁଥିବା ଲାଭ ବ୍ୟତୀତ ଏଥିରୁ ସବୁଠୁ ଅଧିକ ଲାଭ ପାଇପାରୁଛି ।’’

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମାନସିକତାରେ ପରିବର୍ତ୍ତନକୁ ଶ୍ରେୟ ଦେଇଥିଲେ । ସେ କହିଥିଲେ ଯେ, ଭାରତ ଆଜି ଏକ ନୂଆ ମାନସିକତା, ଏକ ନୂଆ କାର୍ଯ୍ୟ ସଂସ୍କୃତି ନେଇ ଆଗକୁ ବଢ଼ୁଛି । ସେ ପୂର୍ବ ସମୟ କଥା ମନେ ପକାଇଥିଲେ ଯେତେବେଳେ ଶାସନର ଧାରଣା ଥିଲା ଯେ ସରକାର ସବୁକିଛି ଜାଣନ୍ତି । ସେତେବେଳେ ଏଭଳି ଏକ ମାନସିକତା ଥିଲା ଯାହାକି ଦେଶର ପ୍ରତିଭା ଏବଂ ଘରୋଇ କ୍ଷେତ୍ରର ଶକ୍ତିକୁ ଚାପି ରହିଥିଲା । ସେ କହିଥିଲେ ଯେ, ‘‘ଏବେ ‘ସବକା ପ୍ରୟାସ’ ପରେ, ସରକାର ରାଷ୍ଟ୍ରାୟତ୍ତ ଏବଂ ଘରୋଇ କ୍ଷେତ୍ରକୁ ସମାନ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କ ଅସ୍ଥାୟୀ ଦୃଷ୍ଟିକୋଣକୁ ନେଇ ମଧ୍ୟ ନିରାଶା ବ୍ୟକ୍ତ କରିଥିଲେ, ଯେଉଁଥିରେ ନିର୍ମାଣ କ୍ଷେତ୍ରକୁ ମାତ୍ର ସାଧାରଣ ଭାବେ ସବସିଡି ଜରିଆରେ କାର୍ଯ୍ୟକ୍ଷମ ରଖାଯାଇଥିଲା। ଲଜିଷ୍ଟିକ୍ସ ବା ପରିବହନ, ବିଦ୍ୟୁତ ଯୋଗାଣ କିମ୍ବା ଜଳ ଯୋଗାଣ ଭଳି ମୌଳିକ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ କାମ ଚଳା ନିଷ୍ପତ୍ତି ନେବାର ପଦ୍ଧତି ତ୍ୟାଗ କରିଛୁ ଏବଂ ନିବେଶକମାନଙ୍କ ପାଇଁ ଅନେକ ପ୍ରକାରର ପ୍ରୋତ୍ସାହନ ନେଇ ଆସିଛୁ । ଆମେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ନେଇ ଆସିଛୁ, ଯାହାଦ୍ବାରା ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ଆମର ନୀତି ସ୍ଥିର, ଆକଳନଯୋଗ୍ୟ ଏବଂ ଭବିଷ୍ୟଉନ୍ମୁଖି ହୋଇପାରିଛି ।

ପ୍ରଧାନମନ୍ତ୍ରୀ ସେ ସମୟର ମଧ୍ୟ ସ୍ମରଣ କରିଥିଲେ ଯେତେବେଳେ ସେବା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିବା ସବୁଠୁ ପ୍ରଭାବୀ ବୋଲି ବିଚାର କରାଯାଉଥିଲା, କାରଣ ନିର୍ମାଣ କ୍ଷେତ୍ର ସହ ସମ୍ପର୍କ ସ୍ଥାପନ କରିବା କ୍ଷମତା ଠାରୁ ବାହାରେ ବୋଲି ବିବେଚନା କରାଯାଉଥିଲା। ସେ କହିଥିଲେ ଯେ ଆଜି ଆମେ ସେବା ଏବଂ ନିର୍ମାଣ, ଉଭୟ କ୍ଷେତ୍ରରେ ସୁଧାର କରିଛୁ । ସେ ଏକ ସାମଗ୍ରିକ ଦୃଷ୍ଟିକୋଣର ମହତ୍ବ ଉପରେ ଜୋର ଦେଇଥିଲେ ଯାହାକି ଉଭୟ ସେବା ଏବଂ ବିନିର୍ମାଣ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ସେ କହିଥିଲେ ଯେ, ଆଜି ଭାରତ ମେନ୍ୟୁଫେକ୍ଚରିଂ ବା ନିର୍ମାଣ କ୍ଷେତ୍ରରେ ସବୁଠୁ ଆଗରେ ରହିବା ଲାଗି ଗୁରୁତ୍ବ ଦେଉଛି । ଏଥିପାଇଁ ଅନୁକୂଳ ପରିବେଶ ପ୍ରସ୍ତୁତ କରାଯାଇଛି । ଏସବୁ ପରିବର୍ତ୍ତନକୁ ଗ୍ରହଣ କରି, ଆଜି ନିର୍ମାଣ କ୍ଷେତ୍ରରେ ଭାରତର ବିକାଶ ଯାତ୍ରା ଏହି ସ୍ତରରେ ପହଞ୍ଚିବାର ଉପଲବ୍ଧି ହାସଲ କରିପାରିଛି ।

ସରକାରଙ୍କ ନିବେଶ ଅନୁକୂଳ ନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାର ଲାଭ ଏଫଡିଆରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ସେ କହିଥିଲେ, ‘‘ଗତ ଆଠ ବର୍ଷ ମଧ୍ୟରେ, ୧୬୦ରୁ ଅଧିକ ଦେଶର କମ୍ପାନୀମାନେ ଭାରତରେ ନିବେଶ କରିଛନ୍ତି । ଆଗକୁ ସେ ବିସ୍ତୃତ ଭାବେ କହିଥିଲେ ଯେ ଏପରି ବିଦେଶୀ ନିବେଶ କେବଳ କିଛି ଉଦ୍ୟୋଗ ମଧ୍ୟରେ ସୀମିତ ନାହିଁ, ବରଂ ଅର୍ଥବ୍ୟବସ୍ଥାର ୬୧ଟି କ୍ଷେତ୍ରରେ ପ୍ରସାରିତ ହୋଇଛି ଏବଂ ଭାରତର ୩୧ଟି ରାଜ୍ୟକୁ କଭର କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେବଳ ଏରୋସ୍ପେସ କ୍ଷେତ୍ରରେ ୩ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ନିବେଶ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ପରେ, ଏହି କ୍ଷେତ୍ରରେ ନିବେଶ ପରିମାଣ ୨୦୦୦ ମସିହାରୁ ୨୦୧୪ ମସିହା ମଧ୍ୟରେ ହୋଇଥିବା ନିବେଶ ତୁଳନାରେ ୫ ଗୁଣା ବୃଦ୍ଧି ପାଇଛି । ଶ୍ରୀ ମୋଦୀ ବିଶେଷ ଭାବେ କହିଥିଲେ ଯେ ଆଗାମୀ ଦିନରେ ପ୍ରତିରକ୍ଷା ଏବଂ ବିମାନ ବା ଏରୋସ୍ପେସ କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ ହେବ । ଏହି ଦୁଇଟି କ୍ଷେତ୍ର ଆତ୍ମନିର୍ଭର ଭାରତ ଅଭିଯାନରେ ମହତ୍ବପୂର୍ଣ୍ଣ ଆଧାରରେ ପରିଣତ ହେବ । ୨୦୨୫ ସୁଦ୍ଧା ଆମେ ପ୍ରତିରକ୍ଷା ଉତ୍ପାଦନକୁ ୨୫ ବିଲିୟନ ଡଲାରରୁ ଅଧିକରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛୁ । ଆମର ପ୍ରତିରକ୍ଷା ରପ୍ତାନି ମଧ୍ୟ ୫ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ଉତ୍ତର ପ୍ରଦେଶ ଏବଂ ତାମିଲନାଡ଼ୁରେ ବିକଶିତ ହେଉଥିବା ପ୍ରତିରକ୍ଷା କରିଡର ଏହି କ୍ଷେତ୍ରର ବିକାଶରେ ସହାୟକ ହେବ । ଶ୍ରୀ ମୋଦୀ ଗାନ୍ଧୀନଗରରେ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ପ୍ରତିରକ୍ଷା ପ୍ରଦର୍ଶନୀ ବା ଡିଫେନ୍ସ ଏକ୍ସପୋ ଆୟୋଜନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଗୁଜରାଟ ସରକାରଙ୍କୁ ପ୍ରଶଂସା କରିଥିଲେ । ସେ ଜୋର ଦେଇ କହିଥିଲେ ଯେ ଡିଫେନ୍ସ ଏକ୍ସପୋରେ ପ୍ରଦର୍ଶିତ ସବୁ ଉପକରଣ ଏବଂ ପ୍ରଯୁକ୍ତି ଭାରତରେ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରୋଜେକ୍ଟ ସି-୨୯୫ର ଝଲକ ଆମକୁ ଆଗାମୀ ବର୍ଷର ଡିଫେନ୍ସ ଏକ୍ସପୋରେ ଦେଖିବାକୁ ମିଳିବ ।

ନିଜ ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ କ୍ଷେତ୍ର ସହ ଜଡ଼ିତ ସବୁ ଲୋକମାନଙ୍କୁ ଦେଶରେ ବର୍ତ୍ତମାନ ଅଭୂତପୂର୍ବ ନିବେଶ ପାଇଁ ସୃଷ୍ଟି ହୋଇଥିବା ବିଶ୍ବାସର ସର୍ବାଧିକ ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଦେଶର ଷ୍ଟାର୍ଟଅପକୁ ଆଗକୁ ବଢ଼ାଇବା ଲାଗି ସହାୟତା କରିବା ନିମନ୍ତେ ଆହୁରି ଅଧିକ ବିଚାରବିମର୍ଶ କରାଯିବା ଉଚିତ୍‌ । ପ୍ରଧାନମନ୍ତ୍ରୀ ଗବେଷଣା କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗିଦାରୀକୁ ବଢ଼ାଇବା ଉପରେ ମଧ୍ୟ ଜୋର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ଆମେ ଏ ଦିଗରେ ଆଗକୁ ବଢ଼ିପାରିବା, ତା’ହେଲେ ଆମେ ନବୋନ୍ମେଷ ଓ ମେନ୍ୟୁଫେକ୍ଚରିଂର ଏକ ସୁଦୃଢ଼ ଇକୋସିଷ୍ଟମ ବିକଶିତ କରିବାରେ ସକ୍ଷମ ହେବା । ଆପଣମାନଙ୍କୁ ସବୁବେଳେ ‘ସବକା ପ୍ରୟାସ’ ମନ୍ତ୍ର ମନେ ରଖିବାକୁ ପଡ଼ିବ ବୋଲି ସେ କହିଥିଲେ ।

ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋରିରାଦିତ୍ୟ ସିନ୍ଧିଆ, ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ଏନ. ଚନ୍ଦ୍ରଶେଖରନ ଏବଂ ଏୟାରବସର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଶ୍ରୀ କ୍ରିଶ୍ଚିୟନ ଶେରର ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସି-୨୯୫ ବିମାନ ନିର୍ମାଣ କାରଖାନା ଦେଶରେ ଘରୋଇ କ୍ଷେତ୍ରର ସର୍ବପ୍ରଥମ ବିମାନ ନିର୍ମାଣ ପ୍ଲାଣ୍ଟ ହେବ । ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ ଏବଂ ଏୟାରବସ ଡିଫେନ୍ସ ଏଣ୍ଡ ସ୍ପେସ, ସ୍ପେନ ମଧ୍ୟରେ ସହଯୋଗ ମାଧ୍ୟମରେ ଭାରତୀୟ ବାୟୁସନା ପାଇଁ ୪୦ ସି-୨୯୫ ବିମାନର ନିର୍ମାଣ ପାଇଁ ଏହି କାରଖାନାର ଉପଯୋଗ କରାଯିବ । ଏହି କାରଖାନା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ହେବ ଏବଂ ଏହି କ୍ଷେତ୍ରରେ ଘରୋଇ ଉଦ୍ୟୋଗର କ୍ଷମତାକୁ ସମ୍ପ୍ରସାରଣ କରିବାରେ ସହାୟତା କରିବ ।

 

******

P.S.



(Release ID: 1872114) Visitor Counter : 183