ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

5ଜି ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


ଇଣ୍ଡିଆ ମୋବାଇଲ କଂଗ୍ରେସର ଷଷ୍ଠ ସଂସ୍କରଣକୁ କଲେ ଉଦଘାଟନ

‘‘5ଜି ଦେଶରେ ଏକ ନୂଆ ଯୁଗର ଆରମ୍ଭ କରିଛି । 5ଜି ସହିତ ଏକ ଅପାର ସମ୍ଭାବନା ଆରମ୍ଭ ହୋଇଛି’’

‘‘ନୂତନ ଭାରତ କେବଳ ପ୍ରଯୁକ୍ତିର ଏକ ସାଧାରଣ ଦର୍ଶକ ହୋଇ ରହିବ ନାହିଁ, ବରଂ ଭାରତ ପ୍ରଯୁକ୍ତି ବିକାଶ ଓ କାର୍ଯ୍ୟକାରିତାରେ ସକ୍ରିୟ ଭୂମିକା ଗ୍ରହଣ କରିବ’’

‘‘5ଜି ସହିତ ଭାରତ ଦୂରସଞ୍ଚାର ପ୍ରଯୁକ୍ତି କ୍ଷେତ୍ରରେ ପ୍ରଥମ ଥର ପାଇଁ ଏକ ବିଶ୍ବ ମାନକ ପ୍ରତିଷ୍ଠା କରିଛି’’

‘‘୨୦୧୪ରେ ଆଦୌ ମୋବାଇଲ ରପ୍ତାନି କରୁନଥିବା ଭାରତ, ଆଜି ବିଦେଶକୁ ହଜାର ହଜାର କୋଟି ଟଙ୍କାର ମୋବାଇଲ ଫୋନ ରପ୍ତାନି କରୁଛି’’

‘‘ଦେଶର ସାଧାରଣ ନାଗରିକଙ୍କ ବୁଝିବା ଶକ୍ତି, ଜ୍ଞାନ ଓ ଜିଜ୍ଞାସୁ ମାନସିକତା ଉପରେ ମୋର ସବୁବେଳେ ସମ୍ପୂର୍ଣ୍ଣ ବିଶ୍ବାସ ରହିଥିଲା’’

‘‘ଡିଜିଟାଲ ଇଣ୍ଡିଆ କ୍ଷୁଦ୍ର ବ୍ୟବସାୟୀ, କ୍ଷୁଦ୍ର ଉଦ୍ୟମୀ, ସ୍ଥାନୀୟ କଳାକାର ଓ ଶିଳ୍ପୀମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇ ଦେଇଛି’’

‘‘5ଜି ପ୍ରଯୁକ୍ତି କେବଳ ଦ୍ରୁତ ଇଣ୍ଟରନେଟ୍‌ ସଂଯୋଗରେ ସୀମିତ ରହିବ ନାହିଁ, ବରଂ ଏଥିରେ ଜୀବନ ବଦଳାଇବାର ସାମର୍ଥ୍ୟ ରହିଛି’’

Posted On: 01 OCT 2022 1:08PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଯୁକ୍ତି କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ କରିଛନ୍ତି । ଶନିବାର ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ 5ଜି ସେବାର ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ଇଣ୍ଡିଆ ମୋବାଇଲ କଂଗ୍ରେସର ଷଷ୍ଠ ସଂସ୍କରଣକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ଆଇଏମସି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ ।

ଏହି ଐତିହାସିକ ଅବସରରେ ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ସେମାନଙ୍କର ମତବ୍ୟକ୍ତ କରିଥିଲେ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟରେ ପରିଣତ କରିବା ଲାଗି ଅନୁପ୍ରାଣିତ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ରିଲାଏନ୍ସର ଅଧ୍ୟକ୍ଷ ଶ୍ରୀ ମୁକେଶ ଅମ୍ବାନୀ । ସେ କହିଥିଲେ ଯେ ସରକାରଙ୍କ ସବୁ କାର୍ଯ୍ୟ ଏବଂ ନୀତି ବେଶ କୁଶଳ ଭାବେ ପ୍ରସ୍ତୁତ ହେଉଛି । ଭାରତକୁ 5ଜି ଯୁଗକୁ ନେଇଯିବା ଲାଗି ଗ୍ରହଣ କରାଯାଇଥିବା ତ୍ବରିତ ପଦକ୍ଷେପ ଆମ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ପ୍ରମାଣ ବୋଲି ସେ କହିଥିଲେ । ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ 5ଜିରେ ରହିଥିବା ସମ୍ଭାବନା ବିଷୟରେ ସେ ବର୍ଣ୍ଣନା କରିଥିଲେ । ଶ୍ରୀ ଅମ୍ବାନୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି କହିଥିଲେ ଯେ ଶ୍ରୀ ମୋଦୀଙ୍କ ନେତୃତ୍ବ ପୂର୍ବାପେକ୍ଷା ଭାରତର ସମ୍ମାନ, ପରିଚୟ ଏବଂ ସାମର୍ଥ୍ୟକୁ ବିଶ୍ବସ୍ତରରେ ବଢ଼ାଇଛି । ଆଜିର ପରିବର୍ତ୍ତିତ ବିଶ୍ବରେ ପ୍ରଗତିଶୀଳ ଭାରତକୁ ଶୀର୍ଷକୁ ଯିବା ଲାଗି କେହି ଅଟକାଇ ପାରିବେ ନାହିଁ ବୋଲି ସେ କହିଥିଲେ । 

ଭାରତୀ ଏଣ୍ଟରପ୍ରାଇଜର ଅଧ୍ୟକ୍ଷ ଶ୍ରୀ ସୁନୀଲ ଭାରତୀ ମିତ୍ତଲ କହିଥିଲେ ଯେ, 5ଜି ସେବା ଶୁଭାରମ୍ଭ ହେବା ସହିତ ଦେଶରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ସ୍ବାଧୀନତାର ଅମୃତ ମହୋତ୍ସବ ସମୟରେ ଆରମ୍ଭ ହୋଇଥିବାରୁ ଏହା ବିଶେଷ ଗୁରୁତ୍ବ ବହନ କରୁଛି । ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ସହିତ ଏହା ଦେଶରେ ଏକ ନୂଆ ଊର୍ଜା ନେଇ ଆସିବ । ଏଭଳି ଜଣେ ପ୍ରଧାନମନ୍ତ୍ରୀଙ୍କୁ ପାଇବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର ବିଷୟ, ଯିଏକି ପ୍ରଯୁକ୍ତିକୁ ଅତି ନିଖୁଣ ଭାବେ ବୁଝିବା ସହିତ ଦେଶର ବିକାଶରେ ଏହାକୁ କିଭଳି ଅତୁଳନୀୟ ଢଙ୍ଗରେ କାର୍ଯ୍ୟକାରୀ କରାଯାଇପାରିବ ତାହା ଭଲ ଭାବେ ଜାଣିଛନ୍ତି । ଶ୍ରୀ ମିତ୍ତଲ ଆହୁରି କହିଥିଲେ ଯେ ଏହା ଦେଶର ନାଗରିକଙ୍କ ପାଇଁ ବିଶେଷ କରି ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଅପାର ସମ୍ଭାବନାର ମାର୍ଗ ପ୍ରଶସ୍ତ କରିବ । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଭିତ୍ତିଭୂମି ଏବଂ ପ୍ରଯୁକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନେଇଥିବା ପଦକ୍ଷେପ ବିଷୟରେ ଶ୍ରୀ ମିତ୍ତଲ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ମହାମାରୀ ସମୟରେ ଅଧିକାଂଶ ଲୋକ ସହରରୁ ଗ୍ରାମାଞ୍ଚଳକୁ ଚାଲି ଯାଇଥିଲେ । କିନ୍ତୁ ଗୋଟିଏ ସେକେଣ୍ଡ ପାଇଁ ସୁଦ୍ଧା ଦେଶ ଅଟକି ଯାଇନଥିଲା। ଏହାର ଶ୍ରେୟ ଦେଶର ଡିଜିଟାଲ ସଂକଳ୍ପକୁ ଦିଆଯିବା ଉଚିତ୍‌ । ମେକ ଇନ୍‌ ଇଣ୍ଡିଆ ସଂକଳ୍ପର ଦୃଢ଼ତା ଓ ଉପଲବ୍ଧିକୁ ସେ ପ୍ରଶଂସା କରିଥିଲେ । ଡିଜିଟାଲ ଇଣ୍ଡିଆ ସହିତ ପ୍ରଧାନମନ୍ତ୍ରୀ ଷ୍ଟାର୍ଟ ଅପ ଇଣ୍ଡିଆ ଦିଗରେ ପଦକ୍ଷେପ ନେଇଥିଲେ । ଏହାର ପରିଣାମ ସ୍ବରୂପ ଖୁବ୍‌ ଶୀଘ୍ର ଭାରତରେ ୟୁନିକର୍ଣ୍ଣ ସୃଷ୍ଟି ହୋଇଥିଲେ । 5ଜି ସେବା ଆରମ୍ଭ ହେବା ସହିତ ଦେଶରେ ଅଧିକରୁ ଅଧିକ ସଂଖ୍ୟକ ୟୁନିକର୍ଣ୍ଣ ସୃଷ୍ଟି ହେବେ ବୋଲି ଶ୍ରୀ ମିତ୍ତଲ କହିଥିଲେ ।

ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଲମ ବିର୍ଲା 5ଜି ସେବା ଆରମ୍ଭ ହେବାକୁ ଏକ ଯୁଗାନ୍ତକାରୀ ଘଟଣା ବୋଲି ଅଭିହିତ କରିବା ସହିତ ଏହାଦ୍ବାରା ବିଶ୍ବସ୍ତରରେ ଭାରତର ସାମର୍ଥ୍ୟ ପ୍ରତିପାଦିତ ହୋଇଛି ବୋଲି କହିଥିଲେ । ଭାରତର ବିକାଶରେ ଦୂରସଞ୍ଚାର ପ୍ରଯୁକ୍ତିର ଭୂମିକା ଉପରେ ସେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଏବଂ ନେତୃତ୍ବକୁ ସେ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଭାରତ ଆଜି ବିଶ୍ବସ୍ତରରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବିଶ୍ବ ସ୍ତରରେ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ଲମ୍ବ ଡିଆଁ କେବଳ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ କାରଣରୁ ହୋଇପାରିଛି ବୋଲି ସେ କହିଥିଲେ । ମହାମାରୀ ସମୟରେ ଦୂରସଞ୍ଚାର କ୍ଷେତ୍ରକୁ ସମର୍ଥନ ଯୋଗାଇ ଦେବା ପାଇଁ ପ୍ରେରଣାଦାୟୀ ଭୂମିକା ନିର୍ବାହ କରିଥିବାରୁ ଶ୍ରୀ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶରେ ଦୂରସଂଚାର କ୍ଷେତ୍ରରେ ଅନେକ ସଂସ୍କାର କାର୍ଯ୍ୟକାରୀ କରାଯାଇଛି । 5ଜି ଆରମ୍ଭ ହେବା ସହିତ ଦେଶରେ ଏକ ଉତ୍ସାହଜନକ ଯାତ୍ରା ଆରମ୍ଭ ହୋଇଛି । 5ଜି ବିକାଶରେ ଆମେ ଏକ ସୀମାହିନ ସମ୍ଭାବନା ଦେଖିପାରୁଛୁ ଏବଂ ଆଗାମୀ ବର୍ଷରେ ଏହାକୁ ଅନୁକରଣୀୟ ଉଦାହରଣ ଭାବେ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।

ଭାରତରେ 5ଜି ଟେକ୍ନୋଲୋଜିର ସମ୍ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଆଗରେ ଦର୍ଶାଇବା ଲାଗି ଦେଶର ତିନୋଟି ବଡ଼ ଦୂରସଞ୍ଚାର ସେବା ପରିଚାଳନାକାରୀ କମ୍ପାନୀ ଗୋଟିଏ ଲେଖାଏଁ ଉଦାହରଣ ପ୍ରଦର୍ଶିତ କରିଥିଲେ ।

ରିଲାଏନ୍ସ ଜିଓ ମୁମ୍ବାଇର ଜଣେ ଶିକ୍ଷକଙ୍କ ସହିତ ମହାରାଷ୍ଟ୍ର, ଗୁଜରାଟ ଏବଂ ଓଡ଼ିଶା ଆଦି ତିନୋଟି ସ୍ଥାନରେ ଥିବା ଛାତ୍ରଛାତ୍ରୀଙ୍କୁ 5ଜି ପ୍ରଯୁକ୍ତି ଜରିଆରେ ଯୋଡ଼ିଥିଲା । ଶାରୀରିକ ଦୂରତା ସତ୍ତ୍ବେ 5ଜି ପ୍ରଯୁକ୍ତି କିଭଳି ଭାବେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନିକଟତର କରିପାରିବ ତାହା ଏଥିରେ ଦର୍ଶାଯାଇଥିଲା । ଏହା ମଧ୍ୟ ଅଗମେଣ୍ଟେଡ୍‌ ରିଅଲିଟି (ଏଆର)ର କ୍ଷମତାକୁ ଅନ ସ୍କ୍ରିନରେ ପ୍ରଦର୍ଶିତ କରିଥିଲା । ବିନା ଏଆର ଡିଭାଇସରେ ଏହା ମାଧ୍ୟମରେ ଦେଶର ଉପାନ୍ତ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷାଦାନ କରାଯାଇପାରିବ ତାହା ଏହି ଅବସରରେ ପ୍ରଦର୍ଶିତ କରାଯାଇଥିଲା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ରାଇଗଡ଼ ସ୍ଥିତ ଧ୍ୟାନଜ୍ୟୋତି ସାବିତ୍ରୀବାଇ ଫୁଲେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କ ଉପସ୍ଥିତିରେ ଗୁଜରାଟ ଗାନ୍ଧୀନଗରସ୍ଥିତ ରୋପଦା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟର ମୟୂରଭଞ୍ଜ ଜିଲ୍ଲା ଏସଏଲଏସ ସ୍ମାରକୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ମୁମ୍ବାଇର ଧିରୁଭାଇ ଅମ୍ବାନୀ ଇଣ୍ଟର ନେସନାଲ ସ୍କୁଲର ଛାତ୍ର ଶ୍ରୀ ଅଭିମନ୍ୟୁ ବସୁ 5ଜି ପ୍ରଯୁକ୍ତିର ବ୍ୟବହାର ପ୍ରଦର୍ଶନ କରିଥିଲେ । ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟବହାରକୁ ନେଇ ଛାତ୍ରଛାତ୍ରୀଙ୍କ ଉତ୍ସାହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ଅଧିବେଶନ ସମ୍ପର୍କରେ ଲେଖକ ଅମୀଶ ତ୍ରିପାଠୀ ପରିଚୟ ପ୍ରଦାନ କରିଥିଲେ ।

ମଞ୍ଚ ଉପରେ ସୁଡ଼ଙ୍ଗର ଏକ ଡିଜିଟାଲ ଟୁଇନ୍‌ ସୃଷ୍ଟି କରି ନିର୍ମାଣାଧୀନ ଦିଲ୍ଲୀ ମେଟ୍ରୋ ସୁଡ଼ଙ୍ଗରେ ଶ୍ରମିକମାନଙ୍କ ସୁରକ୍ଷା ସମ୍ପର୍କରେ ଭୋଡୋଫୋନ ଆଇଡିଆ ପକ୍ଷରୁ ଏକ ଟେଷ୍ଟ କେସ ପ୍ରଦର୍ଶନ କରାଯାଇଥିଲା । ଉପାନ୍ତ ଅଞ୍ଚଳରେ କାମ କରୁଥିବା ଶ୍ରମିକମାନଙ୍କୁ ସୁରକ୍ଷା ସତର୍କ ସୂଚନା ଦେବା କ୍ଷେତ୍ରରେ ଡିଜିଟାଲ ଟୁଇନ୍‌ ସହାୟକ ହୋଇପାରିବ । ଭିଆର ଏବଂ ଆର୍ଟିଫିସିଆଲ ଇଣ୍ଟେଲଜିଜେନ୍ସ ବ୍ୟବସ୍ଥାର ବ୍ୟବହାର କରି ବାସ୍ତବ ସମୟରେ କାର୍ଯ୍ୟ ପ୍ରଗତି ଅନୁଧ୍ୟାନ କରିବାର ଲାଇଭ ଡେମୋକୁ ପ୍ରଧାନମନ୍ତ୍ରୀ ଅବଲୋକନ କରିଥିଲେ । ଦିଲ୍ଲୀ ଉପରାଜ୍ୟପାଳ ଶ୍ରୀ ଭିନାଇ ସାକ୍ସେନାଙ୍କ ଉପସ୍ଥିତିରେ ଦ୍ବାରକା ସ୍ଥିତ ଦିଲ୍ଲୀ ମେଟ୍ରୋ ଟନେଲରେ କାମ କରୁଥିବା ଜଣେ ଶ୍ରମିକଙ୍କ ସହିତ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ୟୁଜରଙ୍କ ଅନୁଭୂତି ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଟେକ୍ନୋଲୋଜିକୁ ଗ୍ରହଣ କରିବା ଲାଗି ଶିଖିବାର ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ସେ କହିଥିଲେ ଯେ, ସୁରକ୍ଷା ପ୍ରତି ଶ୍ରମିକଙ୍କ ବିଶ୍ବାସ ବୃଦ୍ଧି ପାଇବା ନୂଆ ପ୍ରଯୁକ୍ତିର ଶ୍ରେଷ୍ଠ ଯୋଗଦାନ ହେବ । ଦେଶର ବିକାଶରେ ଭାରତର ଶ୍ରମିକମାନଙ୍କର ଯୋଗଦାନକୁ ସେ ପ୍ରଶଂସା କରିଥିଲେ।

ଏୟାରଟେଲ ଡେମୋରେ, ଉତ୍ତର ପ୍ରଦେଶର ଦନକୌରର ଛାତ୍ରଛାତ୍ରୀ ଭର୍ଚୁଆଲ ରିଅଲିଟି ଏବଂ ଅଗମେଣ୍ଟେଡ ରିୟଲିଟି ସହାୟତାରେ ସୌରମଣ୍ଡଳ ବିଷୟରେ ଜାରିବା ଲାଗି ଏକ ଜୀବନ୍ତ ଏବଂ ଇମର୍ସିଭ ଶିକ୍ଷଣ ପ୍ରଦର୍ଶନ କରିଥିଲେ । ଖୁସି ନାମ୍ନୀ ଜଣେ ଛାତ୍ରୀ ହୋଲୋଗ୍ରାମ ମାଧ୍ୟମରେ ମଞ୍ଚରେ ଉପସ୍ଥିତ ହୋଇ ଶିକ୍ଷଣ ସମ୍ପର୍କରେ ନିଜର ଅନୁଭବକୁ ପ୍ରଧାନମନ୍ତ୍ରୀଙ୍କ ଆଗରେ କହିଥିଲେ । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ରୁଦ୍ରାକ୍ଷ କନଭେନ୍ସନ ସେଣ୍ଟର, ବାରାଣାସୀରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ, ଭିଆର ଶିକ୍ଷଣର ଅନୁଭବ ତାଙ୍କ ଅବଧାରଣାକୁ ବ୍ୟାପକ ଭାବେ ବୁଝିବା ଲାଗି ସହାୟକ ହୋଇଛି । ଛାତ୍ରୀ ଜଣଙ୍କ କହିଥିଲେ ଯେ ଏହି ଅନୁଭବ ପରେ ନୂଆ କଥା ଜାଣିବା ଲାଗି ତାଙ୍କର ଆଗ୍ରହ ଆହୁରି ବୃଦ୍ଧି ପାଇଛି ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଶିଖର ସମ୍ମିଳନୀ ହୁଏତ’ ବିଶ୍ବସ୍ତରୀୟ ହୋଇପାରେ, କିନ୍ତୁ ଏହାର ପ୍ରଭାବ ଏବଂ ନିର୍ଦ୍ଦେଶ ସ୍ଥାନୀୟ । ସେ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଦ୍ରୁତ ଗତିରେ ବିକଶିତ ହେଉଥିବା ଭାରତ ପାଇଁ ଆଜିର ଦିନ ବିଶେଷ ଗୁରୁତ୍ବ ବହନ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଦେଶ ପକ୍ଷରୁ, ଦେଶର ଦୂରସଞ୍ଚାର ଉଦ୍ୟୋଗ ପକ୍ଷରୁ, ୧୩୦ କୋଟି ଭାରତବାସୀଙ୍କୁ 5ଜି ରୂପରେ ଏକ ଚମତ୍କାର ଉପହାର ମିଳୁଛି । 5ଜି, ଦେଶ ପାଇଁ ଏକ ନୂଆ ଯୁଗରେ ପ୍ରବେଶ କରିବା ଲାଗି ମାର୍ଗ ପ୍ରଶସ୍ତ କରିଛି । 5ଜି ଠାରୁ ଅସୀମ ସମ୍ଭାବନାର ଆକାଶ ଉନ୍ମୋଚନ ହୋଇଛି । ମୁଁ ପ୍ରତ୍ୟେକ ଭାରତବାସୀଙ୍କୁ ଏଥିପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ସେ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ 5ଜିର ଏହି ଶୁଭାରମ୍ଭ ଏବଂ ପ୍ରଯୁକ୍ତିର ପ୍ରାରମ୍ଭରେ, ଗ୍ରାମୀଣ କ୍ଷେତ୍ର ଏବଂ ଶ୍ରମିକ ସମାନ ଭାବେ ଭାଗିଦାର ଅଟନ୍ତି ।

5ଜିର ଶୁଭାରମ୍ଭ ଅବସରରେ ଆଉ ଏକ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂତନ ଭାରତ କେବଳ ପ୍ରଯୁକ୍ତିର ଏକ ସାଧାରଣ ଦର୍ଶକ ହୋଇ ରହିବ ନାହିଁ, ବରଂ ଭାରତ ପ୍ରଯୁକ୍ତି ବିକାଶ ଓ କାର୍ଯ୍ୟକାରିତାରେ ସକ୍ରିୟ ଭୂମିକା ଗ୍ରହଣ କରିବ । ଭବିଷ୍ୟତର ୱେରଲେସ ଟେକ୍ନୋଲୋଜିକୁ ଡିଜାଇନ କରିବା, ଏହା ସହ ଜଡ଼ିତ ସାମଗ୍ରୀ ନିର୍ମାଣ କରିବା କ୍ଷେତ୍ରରେ ଭାରତ ବଡ଼ ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, 2ଜି, 3ଜି, 4ଜି ସମୟରେ ଭାରତ ଟେକ୍ନୋଲୋଜି ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲା । କିନ୍ତୁ 5ଜି ସହିତ ଭାରତ ଏକ ନୂଆ ଇତିହାସ ରଚିଛି । 5ଜି ସହିତ ଭାରତ ପ୍ରଥମ ଥର ପାଇଁ ଦୂରସଞ୍ଚାର ପ୍ରଯୁକ୍ତି ବା ଟେଲିକମ ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ବ ମାନକ ପ୍ରତିଷ୍ଠା କରିଛି ।

ଡିଜିଟାଲ ଇଣ୍ଡିଆ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଡିଜିଟାଲ ଇଣ୍ଡିଆ କଥା କହିଲେ କିଛି ଲୋକ ଏହାକୁ କେବଳ ଏକ ସରକାରୀ ଯୋଜନା ବୋଲି ଭାବିଥାନ୍ତି । କିନ୍ତୁ ଡିଜିଟାଲ ଇଣ୍ଡିଆ କେବଳ ଏକ ନାମ ନୁହେଁ । ଦେଶର ବିକାଶ ପାଇଁ ଏହା ଏକ ବଡ଼ ସଂକଳ୍ପ । ଏହି ସଂକଳ୍ପର ଲକ୍ଷ୍ୟ ହେଉଛି ସେହି ପ୍ରଯୁକ୍ତିକୁ ଦେଶର ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଯାହା ଲୋକମାନଙ୍କ ପାଇଁ, ଲୋକମାନଙ୍କ ସହ ଯୋଡ଼ି ହୋଇ କାମ କରିପାରିବ।

ଡିଜିଟାଲ ଇଣ୍ଡିଆ ପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ ଆବଶ୍ୟକତା ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ ଯେ, ଆମେ ୪ଟି ସ୍ତମ୍ଭ ଉପରେ, ଚାରି ଦିଗରୁ ଏକ ସଙ୍ଗେ ଧ୍ୟାନ ଦେଇଛୁ । ପ୍ରଥମ – ଡିଭାଇସର ମୂଲ୍ୟ, ଦ୍ବିତୀୟ – ଡିଜିଟାଲ କନେକ୍ଟିଭିଟୀ, ତୃତୀୟ- ଡେଟାର ମୂଲ୍ୟ, ଚତୁର୍ଥ ଏବଂ ସବୁଠୁ ଜରୁରି – ‘ଡିଜିଟାଲ ଫର୍ଷ୍ଟ’ର ଅବଧାରଣା।

ପ୍ରଥମ ସ୍ତମ୍ଭ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭରଶୀଳତା ମାଧ୍ୟମରେ ହିଁ ଉପକରଣର ବ୍ୟୟ କମାଇବା ସମ୍ଭବ ହୋଇପାରିବ । ପ୍ରଧାନମନ୍ତ୍ରୀ ପୂର୍ବ କଥା ମନେ ପକାଇ କହିଥିଲେ ଯେ, ଆଠ ବର୍ଷ ପୂର୍ବରୁ ଭାରତରେ ମାତ୍ର ଦୁଇଟି ମୋବାଇଲ ନିର୍ମାଣ ୟୁନିଟ୍‌ ଥିଲା । ଏବେ ଏହି ସଂଖ୍ୟା ୨୦୦ରେ ପହଞ୍ଚିଛି ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ଜିରୋ ମୋବାଇଲ ଫୋନ ରପ୍ତାନି ଠାରୁ ଆରମ୍ଭ କରି ଆଜି ଆମେ ହଜାର ହଜାର କୋଟି ଟଙ୍କାର ମୋବଇଲ ଫୋନ ରପ୍ତାନି କରୁଥିବା ଦେଶ ହୋଇପାରିଛୁ । ସେ କହିଥିଲେ ଯେ, ଏସବୁ ପ୍ରୟାସର ପ୍ରଭାବ ସ୍ବାଭାବିକ ଭାବେ ଡିଭାଇସର ମୂଲ୍ୟ ଉପରେ ପଡ଼ିଛି । ଏବେ କମ ଦରରେ ଆମକୁ ଅଧିକ ଫିଚର୍ସ ମିଳିପାରୁଛି ।

ଦ୍ବିତୀୟ ସ୍ତମ୍ଭ, ଡିଜିଟାଲ କନେକ୍ଟିଭିଟୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ମାତ୍ର ୬ କୋଟି ଇଣ୍ଟରନେଟ ବ୍ୟବହାରକାରୀ ଥିଲେ, ଏବେ ଏମାନଙ୍କ ସଂଖ୍ୟା ବଢ଼ି ୮୦ କୋଟି ହୋଇସାରିଛି । ୨୦୧୪ରେ ୧୦୦ରୁ ସୁଦ୍ଧା କମ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ସଂଯୋଗ ହୋଇଥିଲା, କିନ୍ତୁ ଏବେ ଏହି ପଞ୍ଚାୟତଗୁଡ଼ିକର ସଂଖ୍ୟା ୧.୭ ଲକ୍ଷରେ ପହଞ୍ଚିଛି । ସେ କହିଥିଲେ ଯେ, ସରକାର ପ୍ରତି ଘରେ ବିଦ୍ୟୁତ ସଂଯୋଗ ପହଞ୍ଚାଇବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । ହର ଘର ଜଲ ଅଭିଯାନ ଜରିଆରେ ସବୁ ଘର ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ପାନୀୟ ଜଳ ପହଞ୍ଚାଇବା ନିମନ୍ତେ ପଦକ୍ଷେପ ନିଆଯାଇଛି । ଉଜ୍ଜ୍ବଳା ଯୋଜନା ଜରିଆରେ ଗରିବରୁ ଗରିବତମ ଲୋକଙ୍କ ଘରେ ଗ୍ୟାସ ସିଲିଣ୍ଡର ପହଞ୍ଚିଛି । ଠିକ୍‌ ସେହିପରି ସରକାର ଇଣ୍ଟରନେଟ୍‌ ଫର ଅଲ (ସମସ୍ତଙ୍କ ପାଇଁ ଇଣ୍ଟରନେଟ) ଲକ୍ଷ୍ୟ ନେଇ କାମ କରୁଛନ୍ତି।

ତୃତୀୟ ସ୍ତମ୍ଭ, ଡେଟା ବ୍ୟୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉଦ୍ୟୋଗଗୁଡ଼ିକୁ ଅନେକ ପ୍ରୋତ୍ସାହନ ଦିଆଯାଇଥିଲା । 4ଜି ଭଳି ଜ୍ଞାନକୌଶଳକୁ ନୀତିଗତ ସମର୍ଥନ ମିଳିଥିଲା । ଏହାଦ୍ବାରା ଡେଟାର ମୂଲ୍ୟ ହ୍ରାସ ପାଇଥିଲା ଏବଂ ଡେଟା କ୍ରାନ୍ତିର ଆରମ୍ଭ ହୋଇଥିଲା । ସେ କହିଥିଲେ ଯେ ଏହି ତିନୋଟି ସ୍ତମ୍ଭ ପ୍ରତ୍ୟେକ ସ୍ଥାନରେ ନିଜର ବହୁଗୁଣିତ ପ୍ରଭାବ ଦେଖାଇବା ଆରମ୍ଭ କରିଛି ।

ଚତୁର୍ଥ ସ୍ତମ୍ଭ ଅର୍ଥାତ୍‌ ‘ଡିଜିଟାଲ ଫର୍ଷ୍ଟ’ ଚିନ୍ତାଧାରା ବିଷୟରେ ପ୍ରଧାନମନ୍ତ୍ରୀ ସେହି ସମୟକୁ ସ୍ମରଣ କରି କହିଥିଲେ ଯେ, ଏଭଳି ଏକ ସମୟ ଥିଲା ଯେତେବେଳେ ଉଚ୍ଚଶ୍ରେଣୀର ହାତଗଣତି ଲୋକ ଗରିବ ଲୋକମାନଙ୍କର କ୍ଷମତା ଉପରେ ସନ୍ଦେହ କରୁଥିଲେ । ସେମାନଙ୍କର ସନ୍ଦେହ ରହିଥିଲା ଯେ ଗରିବ ଲୋକ ଡିଜିଟାଲର ଅର୍ଥ ବୁଝିପାରିବେ ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ସାଧାରଣ ଲୋକଙ୍କ ବୁଝିବା ଶକ୍ତି, ବିବେକ ଏବଂ ଜିଜ୍ଞାସୁ ମନ ଉପରେ ତାଙ୍କର ସବୁବେଳେ ଭରସା ରହିଆସିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ସବୁବେଳେ ଦେଶର ଗରିବମାନଙ୍କ ମଧ୍ୟରେ ନୂଆ ପ୍ରଯୁକ୍ତି ଆପଣାଇବାର ଆଗ୍ରହ ଦେଖିଛନ୍ତି ।

ଡିଜିଟାଲ ଅର୍ଥ ପଇଠ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ନିଜେ ଆଗକୁ ଆସି ଡିଜିଟାଲ ପେମେଣ୍ଟର ମାର୍ଗକୁ ସହଜ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ସରକାର ନିଜ ଆଡ଼ୁ ଆପ୍‌ ଜରିଆରେ ନାଗରିକ କୈନ୍ଦ୍ରିକ ସେବାକୁ ପ୍ରୋତ୍ସାହନ ଦେଇଥିଲେ । ଚାଷୀ, କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଆପ୍‌ ଜରିଆରେ ଦୈନିକ ଆବଶ୍ୟକତା ପୂରଣ କରିବା ଲାଗି ଆମେ ମାର୍ଗ ଦେଖାଇଲୁ । ମହାମାରୀ ସମୟରେ ଡିବିଟି, ଶିକ୍ଷା, ଟିକାକରଣ, ସ୍ବାସ୍ଥ୍ୟ ସେବା ଏବଂ ୱାର୍କ ଫ୍ରମ ହୋମ୍‌ର ବାଧାମୁକ୍ତ ନିରନ୍ତରତାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଭାରତ ଏ କ୍ଷେତ୍ରରେ ସଫଳ ହୋଇଥିବା ବେଳେ ଅନେକ ଦେଶ ଏହି ସେବା ଯୋଗାଇ ଦେବା କ୍ଷେତ୍ରରେ ସଂଘର୍ଷ କରିଥିଲେ ।

ଡିଜିଟାଲ ଇଣ୍ଡିଆ ଏକ ମଞ୍ଚ ଯୋଗାଇ ଦେଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆମର କ୍ଷୁଦ୍ର ବ୍ୟବସାୟୀ ହୁଅନ୍ତୁ, କ୍ଷୁଦ୍ର ଉଦ୍ୟମୀ, ସ୍ଥାନୀୟ କଳାକାର ଏବଂ କାରିଗର ହୁଅନ୍ତୁ, ଡିଜିଟାଲ ଇଣ୍ଡିଆ ସମସ୍ତଙ୍କୁ ମଞ୍ଚ ଯୋଗାଇ ଦେଉଛି । ଶ୍ରୀ ମୋଦୀ କହିଥିଲେ ଯେ ଆଜି ଆପଣମାନେ କୌଣସି ସ୍ଥାନୀୟ ବଜାରରେ କିମ୍ବା ପରିବା ମଣ୍ଡିକୁ ଯାଇ ଦେଖନ୍ତୁ, ଉଠା ଦୋକାନୀ ମଧ୍ୟ ଆପଣଙ୍କୁ କହିବ ଯେ କ୍ୟାଶ ନୁହେଁ ୟୁପିଆଇ କରି ଦିଅନ୍ତୁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସରକାର ସଚ୍ଚୋଟ ମନ ନେଇ କାମ କରିଥାନ୍ତି ନାଗରିକମାନଙ୍କର ଉଦ୍ଦେଶ୍ୟ ବଦଳି ଯାଇଥାଏ । ସେ କହିଥିଲେ ଯେ, 2ଜି ଏବଂ 5ଜିର ଉଦ୍ଦେଶ୍ୟ (ମନୋବୃତ୍ତି)ରେ ଏହି ଗୁରୁତ୍ବପୂର୍ଣ୍ଣ ପାର୍ଥକ୍ୟ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଦେଶରେ ଡେଟା ଦର ସାରା ବିଶ୍ବରେ ସବୁଠୁ କମ । ଏକଦା ଗୋଟିଏ ଜିବି ଡେଟା ପାଇଁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା ଏବେ ଏହା ହ୍ରାସ ପାଇ ମାତ୍ର ୧୦ଟଙ୍କାରେ ୧ ଜିବି ମିଳିପାରୁଛି । ସରକାରଙ୍କ ଉପଭୋକ୍ତା କୈନ୍ଦ୍ରିକ ପ୍ରୟାସ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସରକାରଙ୍କ ପ୍ରୟାସ ବଳରେ ଭାରତରେ ଡେଟା ମୂଲ୍ୟ ଖୁବ୍‌ କମ ରହିଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, ଆମେ ଏଥିପାଇଁ ସେତେ ପ୍ରଚାରପ୍ରସାର କରିନାହୁଁ । ବଡ଼ ବଡ଼ ବିଜ୍ଞାପନ ଦେଇନାହୁଁ । ଦେଶବାସୀଙ୍କ ସୁବିଧା, ସେମାନଙ୍କ ଜୀବନ ଧାରଣକୁ ସହଜ କରିବା ପ୍ରତି ଆମେ ଗୁରୁତ୍ବ ଦେଇଛୁ । ସେ କହିଥିଲେ ଯେ, ଭାରତ ପ୍ରଥମ ତିନୋଟି ଶିଳ୍ପ ବିପ୍ଳବର କୌଣସି ଲାଭ ହୁଏତ’ ପାଇ ନାହିଁ, କିନ୍ତୁ ମୋର ବିଶ୍ବାସ ରହିଛି ଯେ ଭାରତ ଚତୁର୍ଥ ଶିଳ୍ପ ବିପ୍ଳବର ଭରପୂର ଲାଭ ଉଠାଇବ ଏବଂ ବାସ୍ତବରେ ଏହାର ନେତୃତ୍ବ ନେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫ ଜି ଜ୍ଞାନକୌଶଳର ବ୍ୟବହାର କେବଳ ଦ୍ରୁତ ଇଣ୍ଟରନେଟ ସଂଯୋଗ ସହ ସୀମିତ ନୁହେଁ , ବରଂ ଏଥିରେ ଲୋକମାନଙ୍କ ଜୀବନ ବଦଳାଇବାର କ୍ଷମତା ରହିଛି । ସେ କହିଥିଲେ ଯେ ଆମେ ନିଜ ଜୀବନକାଳ ମଧ୍ୟରେ ପ୍ରଯୁକ୍ତିର ପ୍ରତିଶ୍ରୁତିକୁ ସାକାର ହେଉଥିବା ଦେଖିବୁ । ଶ୍ରୀ ମୋଦୀ ଦୂରସଞ୍ଚାର ଉଦ୍ୟୋଗ ସଂଘର ବରିଷ୍ଠ ନେତୃବର୍ଗମାନଙ୍କୁ ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିଦର୍ଶନ କରିବା ଏବଂ ନୂଆ ଜ୍ଞାନକୌଶଳର ପ୍ରତ୍ୟେକ ବର୍ଗକୁ ଉଜାଗର କରିବା ନିମନ୍ତେ ଆହ୍ବାନ କରିଥିଲେ । ସେ ସେମାନଙ୍କୁ ଇଲେକ୍ଟ୍ରୋନିକ ବିନିର୍ମାଣ ପାଇଁ ସ୍ପେୟର ପାର୍ଟସ ପ୍ରସ୍ତୁତ କରିବା ଲାଗି ଏମଏସଏମଇ ପାଇଁ ଏକ ସକ୍ଷମ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଦେଶରେ ବିପ୍ଳବ ଆଣିବା ଲାଗି 5ଜି ଜ୍ଞାନକୌଶଳ ଉପଯୋଗ କରାଯିବା ଉଚିତ୍‌ । ପ୍ରଧାନମନ୍ତ୍ରୀ ଡ୍ରୋନ ପ୍ରଯୁକ୍ତିର ଉପଯୋଗ ଉପରେ ଆଲୋକପାତ କରିଥିଲେ ଯାହା କି ନୂଆ କରି ଆରମ୍ଭ ହୋଇଥିବା ଡ୍ରୋନ ନୀତି କାରଣରୁ ସମ୍ଭବ ହୋଇ ପାରିଛି । ସେ କହିଥିଲେ ଯେ ଅନେକ ଚାଷୀ ଡ୍ରୋନ ଉଡ଼ାଇବା ଶିଖି ସାରିଛନ୍ତି ଏବଂ ଜମିରେ କୀଟନାଶକ ସିଞ୍ଚନ କରିବା ଲାଗି ଏହାକୁ ବ୍ୟବହାର କରୁଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆଶ୍ବାସନା ଦେଇ କହିଥିଲେ ଯେ, ଭବିଷ୍ୟତର ଭାରତ ଆଗାମୀ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ବର ମାର୍ଗଦର୍ଶନ କରିବ ଏବଂ ଭାରତକୁ ବିଶ୍ବଗୁରୁ ଭାବେ ପ୍ରତିଷ୍ଠିତ କରିବ ।

କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ସଞ୍ଚାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦେବୁ ସିଂ ଚୌହାନ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀ ମୁକେଶ ଅମ୍ବାନୀ, ଭାରତ ଏଣ୍ଟରପ୍ରାଇଜେସର ଅଧ୍ୟକ୍ଷ ଶ୍ରୀ ସୁନୀଲ ମିତ୍ତଲ, ଆଦିତ୍ୟ ବିରଲା ସମୂହର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଏବଂ ଦୂରସଞ୍ଚାର ବିଭାଗର ସଚିବ ଶ୍ରୀ କେ ରାଜାରମନ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

5ଜି ପ୍ରଯୁକ୍ତି ସାଧାରଣ ଲୋକଙ୍କୁ ବ୍ୟାପକ ଲାଭ ପ୍ରଦାନ କରିବ । ଏହା ବାଧାମୁକ୍ତ କଭରେଜ, ଉଚ୍ଚ ଡେଟା ଦର, କମ ବିଳମ୍ବତା ଏବଂ ଅତ୍ୟଧିକ ବିଶ୍ବସନୀୟ ଯୋଗାଯୋଗ ବା କନେକ୍ଟିଭିଟୀ ପ୍ରଦାନ କରିବାରେ ସହାୟକ ହେବ । ଏଥିସହିତ ଏହା ଇନ୍ଧନ ସଞ୍ଚୟ ମଧ୍ୟ କରିବ । ସ୍ପେକ୍ଟ୍ରମ ଦକ୍ଷତା ଏବଂ ନେଟୱର୍କ ଦକ୍ଷତା ବଢ଼ାଇବ । 5ଜି ଜ୍ଞାନକୌଶଳ କୋଟି କୋଟି ସଂଖ୍ୟାରେ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ ଭଳି ଉପକରଣକୁ ଯୋଡ଼ିବାରେ ସହାୟତା କରିବ । ଉଚ୍ଚ ବେଗରେ ଗତିଶୀଳତା ସହିତ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଭିଡ଼ିଓ ସେବା ପାଇଁ ମଧ୍ୟ ଅନୁମତି ଦେବ ଏବଂ ଅନ୍ୟ ସେବାଗୁଡ଼ିକ ମଧ୍ୟରେ ଟେଲିସର୍ଜରୀ ଏବଂ ଅଟୋମେଟିକ କାର ଭଳି ଗୁରୁତ୍ବପୂର୍ଣ୍ଣ ସେବାର ବିତରଣ ମଧ୍ୟ କରିବ । 5ଜି ବିପଦର ତ୍ବରିତ ଅନୁଧ୍ୟାନ, ସଠିକ କୃଷି, ଗଭୀର ଖଣି ଭଳି ବିପଜ୍ଜନକ ଶିଳ୍ପ କାର୍ଯ୍ୟ, ସମୁଦ୍ର ଉପକୂଳ ଠାରୁ ଦୂରବର୍ତ୍ତୀ ଅପତଟୀୟ ଗତିବିଧି ଆଦିରେ ମଣିଷଙ୍କ ଭୂମିକାକୁ ହ୍ରାସ କରିବାରେ ସହାୟକ ହେବ । ବର୍ତ୍ତମାନର ମୋବାଇଲ ଯୋଗାଯୋଗ ନେଟୱର୍କ ଠାରୁ 5 ଜି ନେଟୱର୍କର ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ଗୋଟିଏ ନେଟୱର୍କ ଭିତରେ ଭିନ୍ନ ଭିନ୍ନ ଉପଯୋଗ ସନ୍ଦର୍ଭରେ ପ୍ରତ୍ୟେକ ପାଇଁ ରହିଥିବା ଆବଶ୍ୟକତାକୁ ସହଜରେ ପୂରଣ କରିବାର ବ୍ୟବସ୍ଥା ରହିଛି ।

‘‘ନ୍ୟୁ ଡିଜିଟାଲ ୟୁନିଭର୍ସ’’ ବିଷୟବସ୍ତୁ ସହିତ, ୧ରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୨ ଆୟୋଜନ କରାଯାଉଛି । ଏଥିରେ ପ୍ରମୁଖ ବିଚାରକ, ଉଦ୍ୟୋଗୀ, ନବୋନ୍ମେଷକାରୀ ଏବଂ ସରକାରୀ ଅଧିକାରୀମାନଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବ । ଡିଜିଟାଲ ପ୍ରଯୁକ୍ତିକୁ ଦ୍ରୁତ ଗତିରେ ଆପଣାଇବା ଏବଂ ଏହାର ପ୍ରସାର ବଳରେ ଉତ୍ପନ୍ନ ହେବାକୁ ଥିବା ଅପାର ସମ୍ଭାବନା ଉପରେ ଆଲୋଚନା କରିବା ତଥା ଏହାକୁ ପ୍ରଦର୍ଶିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

 

*****

P.S.



(Release ID: 1864275) Visitor Counter : 735