ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚେନ୍ନାଇସ୍ଥିତ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳପାଠ

Posted On: 29 JUL 2022 12:37PM by PIB Bhubaneshwar

ତାମିଲନାଡୁର ମାନ୍ୟବର ରାଜ୍ୟପାଳ ଶ୍ରୀ ଆର. ଏନ. ରବି ଜୀ, ତାମିଲନାଡୁ ମୁଖ୍ୟମନ୍ତୀ ଶ୍ରୀ ଏମ. କେ. ଷ୍ଟାଲିନ ଜୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଏଲ. ମୁରୁଗାନ ଜୀ, ଅନ୍ୟ ମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଆନ୍ନା ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଆର. ବେଲରାଜ ଜୀ, ମୋର ଯୁବ ସାଥୀଗଣ, ସେମାନଙ୍କର ଅଭିଭାବକ ଏବଂ ଶିକ୍ଷକବୃନ୍ଦ, ଅନେୱରୁକ୍କୁମ ୱଣକ୍କମ!

ସର୍ବପ୍ରଥମେ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ଦୀକ୍ଷାନ୍ତ ସମାରୋହରେ ସ୍ନାତକ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଆପଣମାନେ ନିଜ ମନରେ ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତର ନିର୍ମାଣ କରି ସାରିଥିବେ । ତେଣୁ ଆଜିର ଦିନ କେବଳ ଉପଲବଧିର ଦିନ ନୁହେଁ, ଆକଂକ୍ଷାର ଦିନ ମଧ୍ୟ । ଆପଣମାନଙ୍କ ଯୁବା ମନର ସମସ୍ତ ସ୍ୱପ୍ନ ସାକାର ହେଉ ଏହା ହିଁ ମୋର କାମନା । ଆନ୍ନା ବିଶ୍ୱବିଦ୍ୟାଳୟର ଶିକ୍ଷକ କର୍ମଚାରୀ ଏବଂ ଅଣ ଶିକ୍ଷକ କର୍ମଚାରୀମାନଙ୍କ ପାଇଁ ମଧ୍ୟ ଆଜି ଏକ ବିଶେଷ ମୁହୂର୍ତ । ଆପଣମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାତା ଯେଉଁମାନେ ଆସନ୍ତାକାଲିର ନେତା ତିଆରି କରୁଛନ୍ତି । ଅନେକ ବ୍ୟାଚ୍ ଏଠାରୁ ଶିକ୍ଷା ହାସଲ କରି ଆସୁଥିବାର ଏବଂ ଯାଉଥିବାର ଆପଣମାନେ ଦେଖୁଥିବେ, କିନ୍ତୁ ପ୍ରତ୍ୟେକ ବ୍ୟାଚ୍ ହେଉଛନ୍ତି ଅନନ୍ୟ । ସେମାନେ ନିଜ ନିଜର ସ୍ମୃତିର ପେଡି ଛାଡି ଯାଆନ୍ତି । ଆଜି ସ୍ନାତକ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ମୁଁ ବିଶେଷ ଭାବେ ଧନ୍ୟବାଦ ଦେବି । ପିଲାମାନଙ୍କ ସଫଳତା ପାଇଁ ଆପଣମାନଙ୍କର ତ୍ୟାଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆଜି ଆମେ ଆମ ଯୁବପିଢୀର ସଫଳତା ପାଳନ କରିବା ପାଇଁ ଚଳଚଂଚଳ ସହର ଚେନ୍ନାଇରେ ଏକତ୍ରିତ ହୋଇଛେ । ୧୮୯୭ ମସିହା ଫେବୃଆରୀ ମାସରେ, ୧୨୫ ବର୍ଷ ପୂର୍ବେ, ସ୍ୱାମୀ ବିବେକାନନ୍ଦ ମାଡ୍ରାସ ଟାଇମ ସହ ଏକ ସାକ୍ଷାତକାରରେ କହିଥିଲେ, ଭାରତର ଭବିଷ୍ୟତ ଯୋଜନା ସମ୍ପର୍କରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା । ସେ କହିଥିଲେ: “ ଯୁବ ପିଢୀ, ଆଧୁନିକ ପିଢୀ ଉପରେ ମୋର ପ୍ରଗାଢ ବିଶ୍ୱାସ ରହିଛି, ସେମାନଙ୍କ ଭିତରୁ ହିଁ ମୋର କାର୍ଯ୍ୟକର୍ତାମାନେ ବାହାରିବେ । ସେମାନେ ସିଂହ ଭଳି ସମସ୍ତ ସମସ୍ୟାର ସମାଧାନ କରିବେ ।” ସେହି କଥାର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି । କିନ୍ତୁ ଏଥର, କେବଳ ଭାରତ ଏହାର ଯୁବ ପିଢୀ ଉପରେ ନଜର ରଖିନାହିଁ ବରଂ ସମଗ୍ର ବିଶ୍ୱ ଅନେକ ଆଶାର ସହ ଭାରତର ଯୁବପିଢୀକୁ ଚାହିଁ ରଖିଛି । କାରଣ ଆପଣମାନେ ହେଉଛନ୍ତି ରାଷ୍ଟ୍ରର ଅଭିବୃଦ୍ଧିର ଇଞ୍ଜିନ, ଏବଂ ଭାରତ ହେଉଛି ବିଶ୍ୱର ଅଭିବୃଦ୍ଧିର ଇଞ୍ଜିନ । ଏହା ଏକ ଅତି ଗୌରବର ବିଷୟ । ଏହା ମଧ୍ୟ ଏକ ବଡ ଦାୟିତ୍ୱ, ଏବଂ ମୁଁ ନିଶ୍ଚିତ ଯେ ଆପଣମାନେ ଏଥିରେ ଉତ୍କର୍ଷ ପ୍ରତିପାଦନ କରିବେ ।

ବନ୍ଧୁଗଣ,

ଆମ ଯୁବ ପିଢୀ ଉପରେ ବିଶ୍ୱାସ କଥା କହିବା ସମୟରେ, ଆମେ କିପରି ଭାରତ ରତ୍ନ, ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ କଥା ଭୁଲି ପାରିବା । ମୁଁ ନିଶ୍ଚିତ ଯେ ଆନ୍ନା ବିଶ୍ୱବିଦ୍ୟାଳୟର ସମସ୍ତଙ୍କ ପାଇଁ ଏହା ଗର୍ବର ବିଷୟ ଯେ ଡକ୍ଟର କଲାମ ଏହି ବିଶ୍ୱବିଦ୍ୟାଳୟ ସହ ଖୁବ ଘନିଷ୍ଠ ଭାବେ ଜଡିତ ଥିଲେ । ମୁଁ ଶୁଣିଛି ଯେ ଯେଉଁ ପ୍ରକୋଷ୍ଠରେ ସେ ରହୁଥିଲେ ତାକୁ ଏକ ସ୍ମାରକୀରେ ପରିଣତ କରାଯାଇଛି । ତାଙ୍କ ବିଚାରଧାରା ଓ ମୂଲ୍ୟବୋଧ ଆମ ଯୁବପିଢୀଙ୍କୁ ଅନୁପ୍ରେରିତ କରୁଥାଉ ।

ବନ୍ଧୁଗଣ,

ଆପଣମାନେ ଏକ ଅନନ୍ୟ ସମୟରେ ସ୍ନାତକ ଡିଗ୍ରୀ ହାସଲ କରୁଛନ୍ତି । କେତେକ ଏହାକୁ ବୈଶ୍ୱିକ ଅନିଶ୍ଚିତତାର ସମୟ କହିପାରନ୍ତି । କିନ୍ତୁ ମୁଁ ଏହାକୁ ଏକ ବଡ ସୁଯୋଗର ସମୟ ବୋଲି କହିବି । କୋଭିଡ – ୧୯ ମହାମାରୀ ଏକ ଅଭୂତପୂର୍ବ ଘଟଣା ଥିଲା । ଗୋଟିଏ ଶତାଦ୍ଦୀର କାଳଖଣ୍ଡ ମଧ୍ୟରେ ଏହା ଏକମାତ୍ର ସଙ୍କଟ ଥିଲା, ଯାହାର ମୁକାବିଲା ପାଇଁ କୌଣସି ଉପାୟ ଆବିଷ୍କୃତ ହୋଇ ନଥିଲା । ଏହା ପ୍ରତ୍ୟେକ ଦେଶ ସାମର୍ଥ୍ୟ ପ୍ରତି ଆହ୍ୱାନ ସୃଷ୍ଟି କରିଥିଲା । ଯେପରି ଆପଣମାନେ ଜାଣନ୍ତି, ପ୍ରତିକୂଳ ପରିସ୍ଥିତି ହିଁ ଆମର ଅସଲ ସ୍ୱରୂପକୁ ଚିହ୍ନାଇ ଦେଇଥାଏ । ଭାରତ ବିଶ୍ୱାସର ସହ ଏହି ଅଜ୍ଞାତ ଶତୃର ମୁକାବିଲା କରିଥିଲା, ଏଥିପାଇଁ ଭାରତର ବୈଜ୍ଞାନିକ, ସ୍ୱାସ୍ଥ୍ୟ କର୍ମୀ, ବୃତିଧାରୀ ଓ ସାଧାରଣ ଲୋକଙ୍କୁ ଅନେକ ଅନେକ ଧନ୍ୟବାଦ । ଫଳରେ, ଆଜି ଭାରତର ପ୍ରତ୍ୟେକ କ୍ଷେତ୍ରରେ ନୂତନ ଜୀବନ ସଂଚରିତ ହେଉଛି । ଶିଳ୍ପ ହେଉ, ନବସୃଜନ ହେଉ, ପୁଞ୍ଜିନିବେଶ ହେଉ କିମ୍ବା ଅନ୍ତର୍ଜାତୀୟ ବାଣିଜ୍ୟ ସବୁ କ୍ଷେତ୍ରରେ ଭାରତ ଆଗରେ ରହିଛି । ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ଆମ ଶିଳ୍ପ ମଧ୍ୟ ସହଯୋଗର ହାତ ବଢାଇଛି । ବୈଦ୍ୟୁତିକ ସରଞ୍ଜାମ ନିର୍ମାଣକୁ ଏହାର ଏକ ଉଦାହରଣ ଭାବେ ନିଆଯାଇପାରେ । ଗତ ବର୍ଷ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ଉତ୍ପାଦନକାରୀ ରାଷ୍ଟ୍ର ଥିଲା । ନବସୃଜନ ଏବେ ଜୀବନର ଏକ ମାର୍ଗ ହେବାରେ ଲାଗିଛି । କେବଳ ଗତ ୬ ବର୍ଷ ମଧ୍ୟରେ, ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟ ଅପ ସଂଖ୍ୟା ପନ୍ଦର ହଜାର ପ୍ରତିଶତ ବୃଦ୍ଧି ପାଇଛି! ହଁ, ଆପଣମାନେ ଠିକ୍ ଶୁଣିଛନ୍ତି - ପନ୍ଦର ହଜାର ପ୍ରତିଶତ । ୨୦୧୬ରେ ମାତ୍ର ୪୦୭ରୁ ଏହା ଏବେ ପ୍ରାୟ ୭୩ ହଜାରରେ ପହଂଚିଛି! ଯେତେବେଳେ ଶିଳ୍ପ ଓ ନବସୃଜନର ପ୍ରଦର୍ଶନ ଉନ୍ନତ ରୁହେ, ସେତେବେଳେ ପୁଞ୍ଜିନିବେଶ ପଥ ଉନ୍ମୁକ୍ତ ହୋଇଥାଏ । ଗତ ବର୍ଷ ଭାରତରେ ରେକର୍ଡ ପରିମାଣର ୮୩ ବିଲିଅନ ଡଲାର ବିଦେଶୀ ପୁଞ୍ଜି ନିବେଶ ହୋଇଥିଲା । ଆମ ଷ୍ଟାର୍ଟ ଅପଗୁଡିକ ମଧ୍ୟ ମହାମାରୀ ପରବର୍ତୀ ସମୟରେ ରେକର୍ଡ ପରିମାଣର ପାଣ୍ଠି ହାସଲ କରିଥିଲେ । ଏ ସବୁଠାରୁ ବଡ କଥା ହେଉଛି, ଅନ୍ତର୍ଜାତୀୟ ବାଣିଜ୍ୟ ଗତିବିଧିରେ ଭାରତର ସ୍ଥିତି ଏପର୍ଯ୍ୟନ୍ତ ସର୍ବୋତମ ରହିଛି । ଆମ ଦେଶ ସାମଗ୍ରୀ ଓ ସେବା ରପ୍ତାନୀ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ କରିଛି । ବିଶ୍ୱ ପାଇଁ ଏକ ଘଡିସନ୍ଧି ସମୟରେ ଆମେ ଖାଦ୍ୟ ଶସ୍ୟ ରପ୍ତାନୀ କରିଛୁ । ନିକଟରେ ଆମେ ଆମ ପଶ୍ଚିମ ଦିଗରେ ସଂଯୁକ୍ତ ଆରବ ଏମିରେଟସ ସହ ଏବଂ ପୂର୍ବ ଦିଗରେ ଅଷ୍ଟ୍ରେଲିଆ ସହ ଚୁକ୍ତି ସ୍ୱାକ୍ଷର କରିଛୁ । ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହେବାରେ ଲାଗିିଛି । ପ୍ରତିବନ୍ଧକକୁ ସୁଯୋଗରେ ପରିଣତ କରିପାରୁଥିବାରୁ, ଏବେ ଭାରତ ନିକଟରେ ସର୍ବଶ୍ରେଷ୍ଠ ପ୍ରଭାବ ପକାଇବାର ଅବକାଶ ରହିଛି ।

ବନ୍ଧୁଗଣ,

ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତି ବିଦ୍ୟା ସହ ଜଡିତ ପାଠ୍ୟକ୍ରମ ଅଧ୍ୟୟନ କରିଛନ୍ତି । ପ୍ରଯୁକ୍ତି ପରିଚାଳିତ ବିଘଟନର ଏହି ଯୁଗରେ, ଆପଣଙ୍କ ସପକ୍ଷରେ ତିନିଟି ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି । ପ୍ରଥମ ବିଷୟଟି ହେଉଛି ପ୍ରଯୁକ୍ତି ପାଇଁ ଏବେ ଏକ ରୁଚି ରହିଛି । ପ୍ରଯୁକ୍ତିର ବ୍ୟବହାର ଦ୍ୱାରା ଏକ ସୁଖଦ ମନୋଭାବ ବୃଦ୍ଧି ପାଉଛି । ଏପରିକି ଗରିବରୁ ଅତି ଗରିବ ଲୋକ ଏହାକୁ ଆପଣାଉଛନ୍ତି । କୃଷକମାନେ ବଜାର, ପାଣିପାଗ ଏବଂ ମୂଲ୍ୟ ସମ୍ପର୍କରେ ଜାଣିବା ପାଇଁ ଆପ ବ୍ୟବହାର କରୁଛନ୍ତି । ଗୃହସ୍ଥି ମାନେ ସେମାନଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରଯୁକ୍ତିର ବ୍ୟବହାର କରୁଛନ୍ତି । ପିଲାମାନେ ମଧ୍ୟ ପ୍ରଯୁକ୍ତିର ବ୍ୟବହାର ଶିଖୁଛନ୍ତି । କ୍ଷୁଦ୍ର ବିକ୍ରେତାମାନେ ଡିଜିଟାଲ ନେଣ ଦେଣ ବ୍ୟବସ୍ଥା ବ୍ୟବହାର କରୁଛନ୍ତି । ଯଦି ଆପଣ ସେମାନଙ୍କୁ ନଗଦ ଅର୍ଥ ଦେବେ, ସେମାନଙ୍କ ମଧ୍ୟରୁ କେତେକ ପ୍ରକୃତରେ ଆପଣଙ୍କୁ କହିବେ ଯେ ସେମାନେ ଡିଜିଟାଲ ହିଁ ଚାହାନ୍ତି । ଡିଜିଟାଲ ନେଣ ଦେଣ ଏବଂ ଫିନଟେକରେ ଭାରତ ବିଶ୍ୱରେ ଅଗ୍ରଣୀ ରହିଛି । ଆପଣମାନେ ନିଜର ଚମତ୍କାରିତା ଦେଖାଇବା ପାଇଁ ଏକ ବୈଷୟିକ ନବସୃଜନର ଏକ ବିଶାଳ ବଜାର ଆପଣମାନଙ୍କ ପାଇଁ ଅପେକ୍ଷା କରି ରହିଛି ।

ଦ୍ୱିତୀୟ ବିଷୟଟି ହେଉଛି ସାହସିକ ପଦକ୍ଷେପ ନେଉଥିବା ବ୍ୟକ୍ତିମାନଙ୍କ ଉପରେ ଭରସା । ପୂର୍ବରୁ, କୌଣସି ସାମାଜିକ କାର୍ଯ୍ୟକ୍ରମରେ ଜଣେ ଯୁବକ ବା ଯୁବତୀ ନିଜକୁ ଜଣେ ଉଦ୍ୟମୀ ଭାବେ ପରିଚୟ ଦେବା କଷ୍ଟକର ଥିଲା । ଲୋକମାନେ ସେମାନଙ୍କୁ କହୁଥିଲେ ‘କେଉଁଠାରେ ଲାଗିଯାଅ’, ଅର୍ଥାତ୍ କୌଣସି ବେତନ ଭୋଗୀ ଚାକିରି କରିନିଅ । ବର୍ତମାନ, ପରିସ୍ଥିତି ସମ୍ପୁର୍ଣ୍ଣ ଓଲଟା । ଲୋକମାନେ ପଚାରୁଛନ୍ତି ଆପଣ ନିଜେ କିଛି ଆରମ୍ଭ କରିବା ପାଇଁ ଚେଷ୍ଟା କରିଛନ୍ତି କି! ଏପରିକି ଯଦି ଜଣେ ଚାକିରି କରୁଛନ୍ତି, ତେବେ ମଧ୍ୟ ଷ୍ଟାର୍ଟ ଅପ୍ କରିବା ଅଧିକ ଉତମ ମନେ ହେଉଛି । ସାହସିକ ପଦକ୍ଷେପ ନେଉଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ବୃଦ୍ଧି ହେବାର ଅର୍ଥ ଆପଣମାନଙ୍କ ପାଇଁ ଦୁଇଟି କଥା ହୋଇପାରେ । ଆପଣମାନେ ନିଜେ ଦୁଃସାହିକ ପଦକ୍ଷେପ ନେଇପାରିବେ । କିମ୍ବା ଆପଣମାନେ ଅନ୍ୟମାନଙ୍କ ଦ୍ୱାରା ତିଆରି ହୋଇଥିବା ସୁଯୋକୁ ଆଗକୁ ବଢାଇ ପାରିବେ ।

ତୃତୀୟ ବିଷୟ ହେଉଛି ସଂସ୍କାର ପାଇଁ ମନୋବୃତି ରହିଛି । ପୂର୍ବରୁ, ଏକ ଧାରଣା ଥିଲା ଦୃଢ ସରକାରର ଅର୍ଥ ହେଉଛି ଏହା ସମସ୍ତଙ୍କୁ ଏବଂ ସବୁ ଜିନିଷକୁ ନିଜ ନିୟନ୍ତ୍ରଣରେ ରଖିବା ଉଚିତ୍‌ । କିନ୍ତୁ ଆମେ ଏହାକୁ ବଦଳାଇ ଦେଇଛୁ । ଏକ ଦୃଢ ସରକାର ସମସ୍ତଙ୍କୁ ବା ସବୁ ଜିନିଷକୁ ନିଜ ନିୟନ୍ତ୍ରଣରେ ରଖେ ନାହିଁ । ଏହା ହସ୍ତକ୍ଷେପ ପାଇଁ ବ୍ୟବସ୍ଥାର ସହଜାତ ପ୍ରବୃତିକୁ ନିୟନ୍ତ୍ରଣ କରିଥାଏ । ଏକ ଦୃଢ ସରକାର ପ୍ରତିବନ୍ଧକାତ୍ମକ ନୁହେଁ ବରଂ ଉତରଦାୟୀ । ଏକ ଦୃଢ ସରକାର ପ୍ରତ୍ୟେକ କ୍ଷେତ୍ରକୁ ପ୍ରବେଶ କରେ ନାହିଁ । ଏହା ନିଜକୁ ସିମୀତ ରଖିବା ସହିତ ଜନସାଧାରଣଙ୍କ ପ୍ରତିଭା ପାଇଁ ସ୍ଥାନ ସୃଷ୍ଟି କରିଥାଏ । ଏହା ପ୍ରତ୍ୟେକ ଜିନିଷ କରିପାରିବ ନାହିଁ ବା ଜାଣିପାରିବ ନାହିଁ, ଏହି ବିଷୟକୁ ନମ୍ରତାର ସହ ଗ୍ରହଣ କରିନେବାରେ ହିଁ ଏକ ଦୃଢ ସରକାରଙ୍କ ଶକ୍ତି ନିହିତ ରହିଛି । ଏଥିପାଇଁ ଆପଣମାନେ ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଦେଖୁଛନ୍ତି ଯାହା ଜନସାଧାରଣଙ୍କ ପାଇଁ ଏବଂ ସେମାନଙ୍କ ସ୍ୱାଧୀନତା ପାଇଁ ଅଧିକ ସ୍ଥାନ ସୃଷ୍ଟି କରୁଛି ।

ନୂତନ ଶିକ୍ଷା ନୀତି ଉପୁଜୁଥିବା ପରିସ୍ଥିତି ଅନୁଯାୟୀ ନିଷ୍ପତି ନେବା ସକାଶେ ଅଧିକ ଯୁବପିଢୀକୁ ସ୍ୱାଧୀନତା ସୁନିଶ୍ଚିତ କରୁଛି । ପ୍ରାୟ ୨୫ ହଜାର ଅନୁପାଳନ ରଦ୍ଦ କରିବା ସହଜ ଜୀବନ ଧାରଣକୁ ପ୍ରୋତ୍ସାହିତ କରୁଛି । ଆଞ୍ଜେଲ ଟିକସ ହଟାଇବା, ରେଟ୍ରୋସପେକଟିଭ ଟିକସ ହଟାଇବା, କର୍ପୋରେଟ ଟିକସ ହ୍ରାସ – ଶିଳ୍ପ କ୍ଷେତ୍ର ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରୁଛି । ଡ୍ରୋନ, ମହାକାଶ ଓ ଭୂ ସ୍ଥାନିକ କ୍ଷେତ୍ରଗୁଡିକର ବିକାଶ ନୂତନ ମାର୍ଗ ଉନ୍ମୁକ୍ତ କରୁଛି । ପି ଏମ ଗତି ଶକ୍ତି ମାଷ୍ଟର ପ୍ଲାନ ଜରିଆରେ ମୌଳିକ ଢାଂଚା କ୍ଷେତ୍ରରେ ସଂସ୍କାର ଦୃତ ଗତିରେ ଓ ବୃହତ ଆକାରରେ ବିଶ୍ୱସ୍ତରୀୟ ଭିତିଭୂମୀ ସୃଷ୍ଟି କରୁଛି । ଏବେ ପ୍ରଯୁକ୍ତି ପାଇଁ ରୁଚି, ସାହସିକ ପଦକ୍ଷେପ ନେଉଥିବା ବ୍ୟକ୍ତିମାନଙ୍କ ଉପରେ ଭରସା ଏବଂ ସଂସ୍କାର ପାଇଁ ମନୋବୃତି ରହିଛି । ଏହିସବୁ ବିଷୟଗୁଡିକ ଆପଣମାନଙ୍କ ପାଇଁ ଏକ ମଂଚ ପ୍ରସ୍ତୁତ କରୁଛି ଯେଉଁଠାରେ ସୁଯୋଗ ଗୁଡିକ ସୃଷ୍ଟି ହେଉଛି, ତିଷ୍ଠି ରହୁଛି ଏବଂ ବୃଦ୍ଧି ପାଉଛି ।

ବନ୍ଧୁଗଣ,

ଆଗାମୀ ୨୫ ବର୍ଷ ଆପଣମାନଙ୍କ ପାଇଁ ଓ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ସ୍ୱାଧୀନତାର ଶହେତମ ବର୍ଷ ଆଡକୁ ଅଗ୍ରସର ହେଉଥିବା ଅମୃତ କାଳ ଅଟେ । ଆମେ ଭାଗ୍ୟଶାଳୀ ଯେ ଆପଣମାନଙ୍କ ଭଳି ଅନେକ ଯୁବବନ୍ଧୁ ସେମାନଙ୍କର ନିଜର ଭବିଷ୍ୟତ ଗଠନ କରିବା ସହିତ ଭାରତର ଭବିଷ୍ୟତ ମଧ୍ୟ ଗଢିବେ । ତେଣୁ ଆପଣମାନଙ୍କର ବିକାଶ ହିଁ ଭାରତର ବିକାଶ । ଆପଣମାନଙ୍କ ଶିକ୍ଷା ହିଁ ଭାରତର ଶିକ୍ଷା । ଆପଣମାନଙ୍କ ବିଜୟ ହିିଁ ଭାରତର ବିଜା । ତେଣୁ ଆପଣମାନେ ଯେତେବେଳେ ନିଜ ପାଇଁ ଓ ନିଜ ପରିବାର ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି.. ମନେରଖନ୍ତୁ ଯେ ଆପଣ ଆପେ ଆପେ ଭାରତ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହା ଏକ ଐତିହାସିକ ସୁଯୋଗ ଯାହା କେବେଳ ଆପଣଙ୍କ ପିଢୀ ନିକଟରେ ରହିଛି । ଏହାକୁ ଗ୍ରହଣ କର ଏବଂ ଏହାର ସର୍ବୋତମ ଉପଯୋଗ କର! ଆଉଥରେ, ଅଭିନନ୍ଦନ ଏବଂ ଶୁଭକାମନା!

JP



(Release ID: 1846535) Visitor Counter : 153