ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବେଙ୍ଗାଲୁରୁରେ ୨୭ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ଏକାଧିକ ରେଳ ଓ ସଡ଼କ ଭିତ୍ତିଭୂମିର ଶିଳାନ୍ୟାସ


ବେଙ୍ଗାଲୁରୁ ସହରତଳି ରେଳ ପ୍ରକଳ୍ପ ଶିଳାନ୍ୟାସ, ବେଙ୍ଗାଲୁରୁ ଛାଉଣି ଓ ଯଶବନ୍ତପୁର ଜଙ୍କସନ ରେଳ ଷ୍ଟେସନର ପୁନର୍ବିନ୍ୟାସ, ବେଙ୍ଗାଲୁରୁ ଘେରି ରାସ୍ତା ରାସ୍ତା ପ୍ରକଳ୍ପର ଦୁଇ ସେକ୍ସନ, ବହୁମୁଖୀ ସଡ଼କ ଉନ୍ନତିକରଣ ପ୍ରକଳ୍ପ ଓ ବେଙ୍ଗାଲୁରୁ ମଲ୍ଟିମଡେଲ ଲଜିଷ୍ଟିକ ଉଦ୍ୟାନର ଶିଳାନ୍ୟାସ

ଦେଶର ପ୍ରଥମ ବାତାନୁକୁଲିତ ରେଳ ଷ୍ଟେସନ ପ୍ରଧାନମନ୍ତ୍ରୀଙ୍କ ଜାତି ଉଦେଶ୍ୟରେ ଉତ୍ସର୍ଗ, କୋଙ୍କଣ ଓ ଅନ୍ୟାନ୍ୟ ରେଳପଥର ଶତପ୍ରତିଶତ ବିଦୁତକରଣ

“ଦେଶର ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କ ନିମନ୍ତେ ବେଙ୍ଗାଲୁରୁ ହେଉଛି ସ୍ୱପ୍ନର ନଗରୀ, ନଗରୀ ଏକ ଭାରତ ଶ୍ରେଷ୍ଠ ଭାରତ ଉତ୍ସହର ପ୍ରତିଫଳନ”

“ବେଙ୍ଗାଲୁରୁ ଜନସାଧାରଣଙ୍କ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆଣିଦେବା ପାଇଁ ଡବଲ ଇଞ୍ଜିନ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି”

“ଗତ ଆଠ ବର୍ଷ ମଧ୍ୟରେ ରେଳ ସଂଯୋଗୀକରଣର ସମ୍ପୂର୍ଣ୍ଣ ଅବସ୍ଥାନ୍ତର ପାଇଁ ସରକାର କାର୍ଯ୍ୟ କରିଛନ୍ତି”
“ଗତ ୪ଠ ବର୍ଷ ଧରି ପଡ଼ିରହିଥିବା ବେଙ୍ଗାଲୁରୁବାସୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଆଗାମୀ ୪ଠ ମାସରେ କଠିନ ପରିଶ୍ରମ କରିବି”

“ଭାରତୀୟ ରେଳବାଇ ଦିନକୁ ଦିନ ଅଧିକ ଦ୍ରୁତ, ପରିସ୍କାର, ଆଧୁନିକ, ନିରାପଦ ଓ ନାଗରିକ ସୁଲଭ ହେଉଛି”

“ଭାରତୀୟ ରେଳବାଇ ବର୍ତ୍ତମାନ ଯେଉଁସବୁ ସୁବିଧା ଓ ପରିବେଷ୍ଟନୀ ଯୋଗାଉଛି ଯାହାକି ଦିନ କେବଳ ବିମାନଘାଟୀ ଓ ବିମାନ ଯାତ୍ରାରେ ମିଳୁଥିଲା”

“ଯଦି ସରକାର ସୁ

Posted On: 20 JUN 2022 4:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁ ଠାରେ ୨୭ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ମସ୍ତିଷ୍କ ଗବେଷଣା କେନ୍ଦ୍ରର ଉଦଘାଟନ ସହ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଆଇଆଇଏସ ବେଙ୍ଗାଲୁରୁରେ ବାଗଚୀ ପାର୍ଥସାରଥୀ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲର ମଧ୍ୟ ଶିଳାନ୍ୟାସ କରିଥିଲେ । ସେ ମଧ୍ୟ ଡକ୍ଟର ବି. ଆର. ଆମ୍ବେଦକର ସ୍କୁଲ ଅଫ ଇକନମିକ୍ସ ନୂତନ କ୍ୟାମ୍ପସର ଉଦଘାଟନ କରିବା ସହ ସେଠାରେ ଭାରତ ରତ୍ନ ଡକ୍ଟର ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ସେ ମଧ୍ୟ ୧୫ଠ ଆଇଟିଆଇର ପ୍ରଯୁକ୍ତିବିଦ୍ୟା ପୁଞ୍ଜକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିଥିଲେ । କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱର ଚାନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମାଇ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପହ୍ଲାଦ ଯୋଶୀ ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ରାଜପଥ ପ୍ରକଳ୍ପ, ସାତଟି ରେଳବାଇ ପ୍ରକଳ୍ପର କର୍ଣ୍ଣାଟକରେ ଶିଳାନ୍ୟାସ ହେବା ସହ କୋଙ୍କଡ଼ ରେଳବାଇର ଶତପ୍ରତିଶତ ବିଦୁତକରଣ କାର୍ଯ୍ୟ ଶେଷ ହେବା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାର ମାଇଲଖୁଣ୍ଟ । ଏହିସବୁ ପ୍ରକଳ୍ପ କର୍ଣ୍ଣାଟକର ଯୁବ ଶକ୍ତି, ମଧ୍ୟବିତ୍ତ, ଚାଷୀ, ଶ୍ରମିକ ଓ ଉଦ୍ୟୋଗୀମାନଙ୍କୁ ଅନେକ ସୁବିଧା ସୁଯୋଗ ଦେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁ ହେଉଛି ଦେଶର ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କ ସ୍ୱପ୍ନର ନଗରୀ, ଏହି ନଗରୀରେ ଏକ ଭାରତ ଶ୍ରେଷ୍ଠ ଭାରତ ଉତ୍ସାହ ପ୍ରତିଫଳିତ । “ବେଙ୍ଗାଲୁରୁର ବିକାଶ ଲକ୍ଷ ଲକ୍ଷ ସ୍ୱପ୍ନକୁ ଉଜ୍ଜୀବୀତ କରୁଛି । ସେଥିପାଇଁ ଗତ ଆଠ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବେଙ୍ଗାଲୁରୁର ସାମର୍ଥ୍ୟ ବୃଦ୍ଧି କରାଇବା ପାଇଁ ଅହରହ ଉଦ୍ୟମ କରୁଛନ୍ତି ।”

ଡବଲ ଇଞ୍ଜିନ ସରକାର ବେଙ୍ଗାଲୁରୁକୁ ଜନଗହଳିରୁ ମୁକ୍ତ କରାଇବା ପାଇଁ ସମସ୍ତ ସମ୍ଭବ ଉପାୟ ଆପଣାଇ ରେଳ, ସଡ଼କ, ମେଟ୍ରୋ, ଭୂତଳ ରାସ୍ତା, ଫ୍ଲାଇ ଓଭର ଭଳି ଭିତ୍ତିଭୂମି ବିକାଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତାଙ୍କ ସରକାର ବେଙ୍ଗାଲୁରୁର ସହର ତଳି ଅଞ୍ଚଳରେ ଉନ୍ନତ ଯୋଗାଯୋଗ ସୁବିଧା ନିମନ୍ତେ ଅଙ୍ଗୀକାରବଦ୍ଧ ବୋଲି ସେ କହିଥିଲେ । ଏ ସମସ୍ତ ସୁବିଧା ନେଇ ଗତ ଚାରି ଦଶନ୍ଧି ଧରି କଳ୍ପନାଜଳ୍ପନା ଚାଲିଥିଲେ ମଧ୍ୟ ଡବଲ ଇଞ୍ଜିନ ସରକାରଙ୍କୁ ଜନସାଧାରଣ ଏ ସମସ୍ତ ପ୍ରକଳ୍ପ ପାଇଁ ସୁଯୋଗ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ପ୍ରକଳ୍ପଗୁଡ଼ିକୁ ଯଥା ସମୟରେ ଶେଷ କରିବା ନେଇ ନିଜର ଅଙ୍ଗୀକାରବଦ୍ଧତା ଦୋହରାଇବା ସହ ଗତ ୪ଠ ବର୍ଷ ଧରି ପଡ଼ି ରହିଥିବା କାର୍ଯ୍ୟ ଆଗାମୀ ୪ଠ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସେ କଠିନ ପରିଶ୍ରମ କରିବେ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁ ସହର ତଳି ଅଞ୍ଚଳ ରେଳ ପ୍ରକଳ୍ପ ଯୋଗୁଁ ନଗରୀରର ଆଖପାଖ ଅଞ୍ଚଳ ଉପଗ୍ରହ ନଗରୀ ସହ ସଂଯୋଗ ହୋଇ ଏହାର ଅନେକ ଭଲ ପ୍ରଭାବ ପଡ଼ିବ । ସେହିପରି ବେଙ୍ଗାଲୁରୁ ଘେରି ସଡ଼କ ପ୍ରକଳ୍ପ ମଧ୍ୟ ନଗରୀର ଜନଗହଳି ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଆଠ ବର୍ଷ ମଧ୍ୟରେ ସରକାର ରେଳ ସଂଯୋଗୀକରଣରେ ସମ୍ପୂର୍ଣ୍ଣ ଅବସ୍ଥାନ୍ତର ଆଣିବାକୁ କାର୍ଯ୍ୟ କରିଛନ୍ତି । ଭାରତୀୟ ରେଳବାଇ ଦ୍ରୁତ, ପରିସ୍କାର, ଆଧୁନିକ, ନିରାପଦ ଓ ନାଗରିକ ସୁଲଭ ହେଉଛି ବୋଲି ସେ କହିଥିଲେ । “ଆମେ ଦେଶର ବିଭନ୍ନ ସ୍ଥାନରେ ଭାରତୀୟ ରେଳ ସେବା ଏପରି ପହଞ୍ଚାଇଛୁ ଯାହା ଦିନେ କଳ୍ପନାତୀତ ପ୍ରତୀୟମାନ ହେଉଥିଲା । ଭାରତୀୟ ରେଳ ବର୍ତ୍ତମାନ ଏପରି ସୁବିଧା ଓ ପରିବେଷ୍ଟନୀ ଦେଇଛି ଯାହା ଦିନେ କେବଳ ବିମାନବନ୍ଦର ବା ବିମାନ ଯାତ୍ରା ପାଇଁ କେବଳ ଉପଲବ୍ଧ ହେଉଥିଲା । ଭାରତ ରତ୍ନ ସାର ଏମ. ବିଶ୍ୱେସରାୟଙ୍କ ନାମରେ ନାମିତ ବେଙ୍ଗାଲୁରୁ ରେଳ ଷ୍ଟେସନ ଏହାର ପ୍ରତ୍ୟକ୍ଷ ପ୍ରମାଣ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ସମନ୍ୱିତ ମଲ୍ଟି ମଡେଲ ସଂଯୋଗୀକରଣର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଥିଲେ । ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଯୋଗୁଁ ଏହି ମଲ୍ଟି ମଡେଲ ସଂଯୋଗୀକରଣ ନୂତନ ଜୀବନ୍ୟାସ ପାଇଛି ବୋଲି ସେ କହିଥିଲେ । ମଲ୍ଟି ମଡେଲ ବ୍ୟବସ୍ଥା ଏହାର ଏକ ଅଂଶ । ଗତିଶକ୍ତି ସହାୟତାରେ ଏହି ପ୍ରକାର ପ୍ରକଳ୍ପ ଯୋଗୁ ଯୁବଶକ୍ତିକୁ ଅଧିକ ନିଯୁକ୍ତି ସୁଯୋଗ ମିଳିବା ସହ ଏହା ଆତ୍ମନିର୍ଭର ଭାରତ ଅଭିଯାନକୁ ଅଭିଯାନକୁ ଅଧିକ ସଶକ୍ତ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁର ସଫଳତାର କାହାଣୀ ଏକବିଂଶ ଶତାବ୍ଦୀର ଭାରତବର୍ଷକୁ ଆତ୍ମନିର୍ଭର କରି ଗଢ଼ିତୋଳିବ । ବେଙ୍ଗାଲୁରୁ ପ୍ରମାଣ କରି ଦେଖାଇ ଦେଇଛି ଯେ ଭାରତରେ ଯୁବାଶକ୍ତି ସରକାର ସୁବିଧା ସୁଯୋଗ ଯୋଗାଇବା ସହ ନାଗରିକ ଜୀବନରେ ସର୍ବନିମ୍ନ ହସ୍ତକ୍ଷେପ କଲେ ସେମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇପାରିବେ । ବେଙ୍ଗାଲୁରୁ ଦେଶର ଯୁବକ ଯୁବତୀମାନଙ୍କ ନିମନ୍ତେ ଏକ ସ୍ୱପ୍ନ ନଗରୀ ଓ ଏହା ପଛରେ େଔଦ୍ୟୋଗିକତା, ନବୋନ୍ମେଷ, ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରର ଉପଯୋଗିତା ରଖିଛି । ବେଙ୍ଗାଲୁରୁରୁ ଯେଉଁମାନେ ଦେଶର ଘରୋଇ ଉଦ୍ୟୋଗକୁ ଅସମ୍ମାନ କରନ୍ତି ସେମାନଙ୍କ ପାଇଁ ଏକ ଶିକ୍ଷା ବୋଲି ସେ କହିଥିଲେ । ଏକବିଂଶ ଶତାବ୍ଦୀର ଭାରତ ଏକ ସମ୍ପଦ ସୃଷ୍ଟିକାରୀ, କର୍ମନିଯୁକ୍ତି ସୃଷ୍ଟିକାରୀ ଓ ନବୋନ୍ମେଷର ଭାରତ ବୋଲି ସେ କହିଥିଲେ । ବିଶ୍ୱର ତରୁଣତମ ଦେଶ ଭାବେ ଏହା ଭାରତର ସମ୍ପଦ ଓ ଶକ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଏମଏସଏମଇ ମହତ୍ୱ ଉପରେ ଆଲୋକପାତ କରି ଏସଏମଇ ସଜ୍ଞା ପରିବର୍ତ୍ତନ ସହ ଅଭିବୃଦ୍ଧିର ନୂତନ ଦିଗ ଉନ୍ମୋଚିତ ହୋଇଛି ବୋଲି କହିଥିଲେ । ଆତ୍ମନିର୍ଭର ଭାରତର ବିଶ୍ୱାସକୁ ଉପାଦାନ କରି ଭାରତ ୨ଠଠ କୋଟି ଟଙ୍କା ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ଅଂଶଗ୍ରହଣକୁ ଛାଡ଼ିପାରିଛି । କେନ୍ଦ୍ର ସରକାରୀ ବିଭାଗଗୁଡ଼ିକୁ ଶତକଡ଼ା ୨୫ ଜଣ ପର୍ଯ୍ୟନ୍ତ କ୍ରୟ ଏମଏସଏମଇ ଜରିଆରେ କରିବାକୁ ନିର୍ଦେଶ ଦିଆଯାଇଛି । ଜିଇଏମ ପୋର୍ଟାଲ ଏମଏସଏମ ଅଧିକ ସାମର୍ଥ୍ୟ ପ୍ରଦାନ କରାଇଛି ।

ଷ୍ଟାର୍ଟଅପ କ୍ଷେତ୍ରରେ ହୋଇଥିବା ବିରାଟ ଅଗ୍ରଗତି ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ ପୂର୍ବ ଦଶନ୍ଧିରେ କେତେ ବିଲିଅନ ଡଲାରର କମ୍ପାନି ସୃଷ୍ଟି ହୋଇଥିଲେ ତାହା ଜଣେ ଆଙ୍ଗୁଠିରେ ଗଣିପାରିବ ବୋଲି କହିଥିଲେ । ମାତ୍ର ଗତ ଆଠ ବର୍ଷ ମଧ୍ୟରେ ଶହେ ବିଲିଅନ ଡଲାରରୁ ଅଧିକ ମୂଲ୍ୟର କମ୍ପାନି ସୃଷ୍ଟି ହୋଇଛନ୍ତି ଓ ପ୍ରତି ମାସରେ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ପ୍ରଥମ ଦଶ ହଜାର ଷ୍ଟାର୍ଟଅପ ସୃଷ୍ଟି ପାଇଁ ୮ଠଠ ଦିନ ଲାଗିଥିଲା, ୨ଠ୧୪ ମସିହା ପରଠାରୁ ଏହି ସଂଖ୍ୟକ ଷ୍ଟାର୍ଟଅପ ମାତ୍ର ୨ଠଠ ଦିନରେ ସୃଷ୍ଟି ହେଉଛି । ଗତ ଆଠ ବର୍ଷରେ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ୟୁନିକର୍ଣ୍ଣ ସୃଷ୍ଟି ହୋଇଛନ୍ତି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ହେଉଛି ଉଦ୍ୟୋଗ ସରକାରୀ ହେଉ ବା ବେସରକାରୀ ହେଉ ଉଭୟ ଦେଶର ସମ୍ପଦ ଓ ବାସ୍ତବିକ କ୍ଷେତ୍ରରେ ସେମାନଙ୍କ ସମାନ ବିବେଚନା କରାଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଦେଶର ଯୁବାଶକ୍ତିକୁ ବିଶ୍ୱସ୍ତରୀୟ ସୁବିଧା ଯାହା ସରକାର ଦେଉଛନ୍ତି ତା’ ଉପରେ ଦୃଷ୍ଟି ନିବନ୍ଧ କରାଇବାକୁ ପରାମର୍ଶ ଦେଇଥିଲେ । ଯେଉଁମାନେ କଠିନ ପରିଶ୍ରମ କରୁଛନ୍ତି ସରକାର ସେମାନଙ୍କୁ ମଞ୍ଚ ପ୍ରଦାନ କରୁଛନ୍ତି । ଏପରିକି ସରକାରୀ କମ୍ପାନୀମାନେ ମଧ୍ୟ ପ୍ରତିଯୋଗିତା କ୍ଷେତ୍ରରେ ଅବତୀର୍ଣ୍ଣ ହେଉଛନ୍ତି ବୋଲି ସେ କହିଥିଲେ ।

ପ୍ରକଳ୍ପ ସମ୍ପର୍କରେ ସବିଶେଷ ବିବରଣୀ

ବେଙ୍ଗାଲୁରୁ ସହର ତଳି ରେଳ ପ୍ରକଳ୍ପ (ବିଏସଆରପି) ବେଙ୍ଗାଲୁରୁ ନଗରୀ ସହ ଏହାର ସହର ତଳି ଅଞ୍ଚଳ ଓ ଉପଗ୍ରହ ଟାଉନସିପକୁ ସଂଯୋଗ କରିବ । ୧୫ ହଜାର ୭ଠଠ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରେ ଚାରିଟି କରିଡ଼ର ଥିବା ବେଳେ ଏହାର ଦୈର୍ଘ୍ୟ ୧୪୮ କିଲୋମିଟର ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟ ବେଙ୍ଗାଲୁରୁ ଛାଉଣି ଓ ଯଶବନ୍ତପୁର ରେଳ ଷ୍ଟେସନ ପୁନର୍ବିନ୍ୟାସ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଥିରେ ଯଥାକ୍ରମେ ୫୦୦ ଓ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତର ପ୍ରଥମ ବାତାନୁକୁଳିତ ରେଳ ଷ୍ଟେସନ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଥିଲେ । ନୈୟପାନହାଲୀ ଠାରେ ନିର୍ମିତ ସାର ଏମ. ବିଶ୍ୱେସରାୟ ରେଳ ଷ୍ଟେସନ ପ୍ରାୟ ୩୧୫ କୋଟି ଟଙ୍କା ବ୍ୟୟରେ ଆଧୁନିକ ବିମାନ ବନ୍ଦର ଢାଞ୍ଚାରେ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ ମଧ୍ୟ କୋଙ୍କଣ ରେଳପଥର (ପ୍ରାୟ ୭୪ଠ କିଲୋମିଟର) ଦୀର୍ଘ ରେଳପଥର ସମ୍ପୂର୍ଣ୍ଣ ବିଦୁତକରଣ ପ୍ରକଳ୍ପକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିଥିଲେ । ମହାରାଷ୍ଟ୍ରର ରୋହା ଠାରୁ କର୍ଣ୍ଣାଟକର ଠୋକୁର ପର୍ଯ୍ୟନ୍ତ ଏହି ଦୀର୍ଘ ରେଳପଥରେ ଇଲେକଟ୍ରିକ ଟ୍ରେନକୁ ଉତୁପ୍ପି, ମାଡ଼ଗାଓଁ ଓ ରତ୍ନଗିରି ଠାରେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ୧୨୮ଠ କୋଟି ଟଙ୍କା ବ୍ୟୟରେ ଏହି କୋଙ୍କଣ ରେଳପଥ ବିସ୍ତାର କରାଯାଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ରେଳପଥର ଦୋହରୀକରଣକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏଗୁଡ଼ିକ ମଧ୍ୟରେ ଆସିକେରେରୁ ଟୁମକୁର (ପ୍ରାୟ ୯୬ କିମି) ହେଲାହାଙ୍କାରୁ ପେନୁକୋଣ୍ଡା (ପ୍ରାୟ ୧୨ଠ କିଲୋମିଟର)କୁ ପତାକା ଦେଖାଇ ଯାତ୍ରୀବାହୀ ଓ ମେମୁ ସେବାର ଶୁଭାରମ୍ଭ କରିଥିଲେ । ଦୁଇଟି ପ୍ରକଳ୍ପ ବାବଦ ଯଥାକ୍ରମେ ୭୫ଠ ଓ ୧୧ଠଠ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଘେରି ରାସ୍ତା ପ୍ରକଳ୍ପ ଦୁଇଟି ସେକ୍ସନର ଶିଳାନ୍ୟାସ କରିଥବଲେ । ପ୍ରାୟ ୨୨୮ଠ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ନଗରୀର କୋଳାହଳ ହ୍ରାସ ପାଇବ। ପ୍ରଧାନମନ୍ତ୍ରୀ ମଧ୍ୟ ଆଉ କେତେକ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେଗୁଡ଼ିକ ମଧ୍ୟରେ ଏନଏଚ-୪୮ର ନୀଳମଙ୍ଗଳା - ଟୁମକୁର ଛଅଥାକିଆ ରାସ୍ତା, ଏନଏଚ-୭୩ର ପୁଞ୍ଜଲକାଟେ - ଚାର୍ମାଡ଼ି ସେକ୍ସନର ପ୍ରଶସ୍ତିକରଣ । ଏହି ପ୍ରକଳ୍ପ ବାବଦ ପ୍ରାୟ ୩୧୫ଠ କୋଟି ଟଙ୍କା ଖର୍ଚ୍ଚ ହେବ । ବେଙ୍ଗାଲୁରୁର ୪ଠ କିଲୋମିଟର ଦୂର ମୁଡ଼ାଲିଙ୍ଗନାହାଲୀ ମଲ୍ଟି ମଡେଲ ଲଜିଷ୍ଟିକ ପାର୍କର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ପ୍ରାୟ ୧୮ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ଅନେକ ସୁବିଧା ଉପଲବ୍ଧ ହେବ ।

 

SM/MB



(Release ID: 1835997) Visitor Counter : 131