ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାଭାଗଡ଼ ପାହାଡ଼ରେ ପୁନଃନିର୍ମିତ ଶ୍ରୀ କାଳିକା ମାତାଙ୍କ ମନ୍ଦିର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 18 JUN 2022 3:00PM by PIB Bhubaneshwar

କାର୍ଯ୍ୟକ୍ରମରେ ଉପସ୍ଥିତ ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ ପଟେଲ ମହାଶୟ, ଶ୍ରୀ କାଳିକା ମାତାଜୀ ମନ୍ଦିର ଟ୍ରଷ୍ଟର ସଭାପତି ଶ୍ରୀ ସୁରେନ୍ଦ୍ର ଭାଇ ପଟେଲ ମହାଶୟ, ରାଜ୍ୟ ସରକାରଙ୍କର ମନ୍ତ୍ରୀ ଭାଇ ପୂର୍ଣ୍ଣେଶ ମୋଦୀ ମହାଶୟ, ଏଠାରେ ଉପସ୍ଥିତ ସମସ୍ତ ବରିଷ୍ଠ ପୂଜ୍ୟ ସନ୍ଥଗଣ, ସମସ୍ତ ଶ୍ରଦ୍ଧାଳୁ ସାଥୀ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ। ଆଜି ଅନେକ ବର୍ଷ ପରେ ପାଭାଗଡ଼ ମା କାଳୀଙ୍କ ଚରଣ ତଳକୁ ଆସି କିଛି ସମୟ ଅତିବାହିତ କରିବାର, ଆଶୀର୍ବାଦ ପ୍ରାପ୍ତ କରିବାର ସୌଭାଗ୍ୟ ମିଳିଲା, ଏହା ହେଉଛି ମୋ ପାଇଁ ମୋ ଜୀବନର ସବୁଠାରୁ ଧନ୍ୟ କ୍ଷଣ। ଯେତେବେଳେ ସ୍ୱପ୍ନ ସଂକଳ୍ପ ହୋଇ ଯାଇଥାଏ ଆଉ ସଂକଳ୍ପ ଯେତେବେଳେ ସିଦ୍ଧି ରୂପରେ ଦୃଷ୍ଟି ସମ୍ମୁଖରେ ରହିଥାଏ, ତେବେ ତାହାର ଆନନ୍ଦ କେତେ ପରିମାଣରେ ହୋଇପାରେ ଏହାର କଳ୍ପନା ଆପଣମାନେ କରି ପାରୁଥିବେ। ଆଜିକାର ଏହି କ୍ଷଣ ମୋ ଅନ୍ତର୍ମନକୁ ବିଶେଷ ଭାବେ ଆନନ୍ଦରେ ଭରି ଦେଇଛି। କଳ୍ପନା କରି ପାରୁଥିବେ 5 ଶତାବ୍ଦୀ ପରେ ଆଉ ସ୍ୱାଧୀନତାର 75 ବର୍ଷ ଅତିବାହିତ ହେବା ପରେ, 5 ଶତାବ୍ଦୀ ପର୍ଯ୍ୟନ୍ତ ମା କାଳୀଙ୍କ ଶୀଖରରେ ଧ୍ୱଜା ଉଡାଯାଇ ନ ଥିଲା। ଆଜି ମା କାଳୀଙ୍କ ଶୀଖରରେ ଧ୍ୱଜା ରହିଛି। ଏହି କ୍ଷଣ ଆମକୁ ପ୍ରେରଣା ଦେଉଛି, ଉର୍ଜ୍ଜା ପ୍ରଦାନ କରୁଛି, ଆଉ ଆମର ମହାନ ପରମ୍ପରା ଏବଂ ସଂସ୍କୃତି ପ୍ରତି ସମର୍ପିତ ଭାବନା ଦ୍ୱାରା ବଂଚିବା ପାଇଁ ଆମକୁ ପ୍ରେରଣା ପ୍ରଦାନ କରୁଛି। ଆଜିଠାରୁ ହିଁ କିଛି ଦିନ ପରେ ଏହି ମାସର ଶେଷ ସୁଦ୍ଧା ଗୁପ୍ତ ନବରାତ୍ରୀ ଆରମ୍ଭ ହେଉଛି। ଗୁପ୍ତ ନବରାତ୍ରୀର ଠିକ୍ ପୂର୍ବରୁ ପାଭାଗଡ଼଼ରେ ମା କାଳୀଙ୍କର ଏହି ଶକ୍ତିପୀଠ ମହାକାଳୀ ମନ୍ଦିର ନିଜର ଭବ୍ୟ ଏବଂ ଦିବ୍ୟ ସ୍ୱରୂପରେ ଆମ ସମ୍ମୁଖକୁ ଆସିଛି। ଶକ୍ତି ଏବଂ ସାଧନାର ଏହି ବିଶେଷତା ହୋଇଥାଏ। ଗୁପ୍ତ ନବରାତ୍ରୀ ହେଉଛି କିନ୍ତୁ ଶକ୍ତି ସୁପ୍ତ ହୋଇ ନ ଥାଏ, ଶକ୍ତି କେବେ ହେଲେ ମଧ୍ୟ ଲୁପ୍ତ ହୋଇ ନ ଥାଏ। ଯେତେବେଳେ ଶ୍ରଦ୍ଧା, ସାଧନା ଏବଂ ତପସ୍ୟା ଫଳ ସ୍ୱରୂପ ପ୍ରକଟ ହୋଇଥାଏ, ସେତେବେଳେ ଶକ୍ତି ନିଜର ପୂର୍ଣ୍ଣ ବୈଭବ ସହିତ ପ୍ରକଟ ହୋଇ ଯାଇଥାଏ। ପାଭାଗଡ଼ରେ ମହାକାଳୀଙ୍କ ଆଶୀର୍ବାଦରେ ଆମେ ଗୁଜରାଟ ଏବଂ ଭାରତର ସେହି ଶକ୍ତିର ପ୍ରକାଟ୍ୟକୁ ଦେଖିପାରୁଛେ। ଆଜି ଶତାବ୍ଦୀ- ଶତାବ୍ଦୀ ପରେ ମହାକାଳୀଙ୍କର ଏହି ମନ୍ଦିର ନିଜର ବିଶାଳ ସ୍ୱରୂପରେ ଆମ ସାମ୍ନାରେ ଆମ ମସ୍ତକକୁ ମଧ୍ୟ ଉଚ୍ଚା କରି ଦେଉଛି। ଆଜି ଶତାବ୍ଦୀ- ଶତାବ୍ଦୀ ପରେ ପାଭାଗଡ଼ ମନ୍ଦିର ଶୀଖରରେ ପୁଣିଥରେ ଧ୍ୱଜା ଉଡ଼ୁଛି। ଏହି ଶୀଖର ଧ୍ୱଜା କେବଳ ଆମ ଆସ୍ଥା ଏବଂ ଆଧ୍ୟାତ୍ମର ହିଁ ପ୍ରତୀକ ନୁହେଁ! ବରଂ ଏହି ଶୀଖର ଧ୍ୱଜ ଏହି କଥାର ମଧ୍ୟ ପ୍ରତୀକ ଯେ ଶତାବ୍ଦୀର ପରିବର୍ତନ ହୋଇଥାଏ, ଯୁଗ ବଦଳି ଯାଇଥାଏ, କିନ୍ତୁ ଆସ୍ଥାର ଶୀଖର ଶାଶ୍ୱତ ରହିଥାଏ।

ଭାଇ ଓ ଭଉଣୀମାନେ,

ଅଯୋଧ୍ୟାକୁ ଆସି ଆପଣମାନେ ଦେଖିଥିବେ, ଭବ୍ୟ ରାମ ମନ୍ଦିର ଆକାର ନେଉଛି, କାଶୀରେ ବିଶ୍ୱନାଥ ଧାମ ହେଉ ଅବା ପୁଣି ମୋର କେଦାର ବାବାଙ୍କ ଧାମ ହେଉ, ଆଜି ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଗୌରବ ପୁନଃ ସ୍ଥାପିତ ହେଉଛି। ଆଜି ନୂତନ ଭାରତ ନିଜର ଆଧୁନିକ ଆକାଂକ୍ଷାଗୁଡ଼ିକ ସହିତ ନିଜର ପ୍ରାଚୀନ ପରମ୍ପରା ଓ ଐତିହ୍ୟକୁ ମଧ୍ୟ ସେହି ଉଦ୍ଦୀପନା ଏବଂ ଉତ୍ସାହ ସହିତ ବଂଚୁଛନ୍ତି, ପ୍ରତ୍ୟେକ ଭାରତୀୟ ଏହାକୁ ନେଇ ଗର୍ବ କରୁଛନ୍ତି। ଆମର ଏହି ଆଧ୍ୟାତ୍ମିକ ସ୍ଥଳ, ଆମର ଶ୍ରଦ୍ଧା ସହିତ ନୂତନ ସମ୍ଭାବନାଗୁଡ଼ିକର ମଧ୍ୟ ସ୍ରୋତ ପାଲଟି ଯାଉଛି। ପାଭାଗଡରେ ମା କାଳିକା ମନ୍ଦିରର ପୁନଃନିର୍ମାଣ ଆମର ଏହି ଗୌରବ ଯାତ୍ରାର ହେଉଛି ଅଂଶ। ମୁଁ ଏହି ଅବସରରେ ମାଆ ମହାକାଳୀଙ୍କ ଚରଣରେ ପ୍ରଣାମ କରି ଆପଣ ସମସ୍ତଙ୍କୁ ହୃଦୟର ସହିତ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି। ଆଜିର ଏହି ଅବସର ସମସ୍ତଙ୍କ ସହିତ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସର ମଧ୍ୟ ହେଉଛି ପ୍ରତୀକ।

ସାଥୀଗଣ,

ଏବେ ମୋତେ ମା କାଳିକା ମନ୍ଦିରରେ ଧ୍ୱଜାରୋହଣ ଏବଂ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ମିଳିଛି। ମା କାଳୀଙ୍କ ଦର୍ଶନ କରିବା ସମୟରେ ମୁଁ ଚିନ୍ତା କରୁଥିଲି ଯେ ଆଜି ମା କାଳୀଙ୍କ ଚରଣରେ କ’ଣ ଭିକ୍ଷା କରିବି? ମା କାଳୀଙ୍କ ଆଶୀର୍ବାଦ ନେଇ ଇତିହାସ ସାକ୍ଷୀ ଅଛି, ସ୍ୱାମୀ ବିବେକାନନ୍ଦ ମହୋଦୟ ମା କାଳୀଙ୍କ ଆଶୀର୍ବାଦ ନେଇ ଜନସେବାରୁ ପ୍ରଭୂ ସେବାରେ ଲୀନ ହୋଇ ଯାଇଥିଲେ। ମା, ମୋତେ ମଧ୍ୟ ଆଶୀର୍ବାଦ ଦିଅନ୍ତୁ ଯେ ମୁଁ ଆହୁରି ଅଧିକ ଉର୍ଜ୍ଜାର ସହିତ, ଏବଂ ଅଧିକ ତ୍ୟାଗ ଏବଂ ସମର୍ପଣ ସହିତ ଦେଶର ଜନ-ସାଧାରଣଙ୍କ ସେବକ ହୋଇ ସେବା କରି ଚାଲିବି। ଯାହା ମଧ୍ୟ ମୋର ସାମର୍ଥ୍ୟ ରହିଛି, ମୋ ଜୀବନରେ ଯାହାକିଛି ମଧ୍ୟ ପୂଣ୍ୟ ରହିଛି, ତାହା ମୁଁ ଦେଶର ମାତା-ଭଉଣୀମାନଙ୍କର କଲ୍ୟାଣ ପାଇଁ, ଦେଶ ପାଇଁ ସମର୍ପିତ କରି ଚାଲିବି।

ଏହି ସମୟରେ, ଏହି ଗୌରବଶାଳୀ ଗୁଜରାଟର ଧରଣୀରେ ମା କାଳୀଙ୍କ ଚରଣରେ, ମୁଁ ମଧ୍ୟ ଆଜି ଦେଶର ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣ କରୁଛି।

ସାଥୀଗଣ,

ଦେଶର ସ୍ୱାଧୀନତା ସଂଗ୍ରାମରେ ଗୁଜରାଟ ଯେତେ ଯୋଗଦାନ ଦେଇଛି, ସେତିକି ମଧ୍ୟ ଦେଶର ବିକାଶରେ ଯୋଗଦାନ ଦେଇଛି। ଗୌରବଶାଳୀ ଗୁଜରାଟ ଭାରତର ଗର୍ବ ଏବଂ ଗୌରବର ପ୍ରତୀକ। ଗୁଜରାଟ ଭାରତର ବ୍ୟବସାୟର ମଧ୍ୟ ନେତୃତ୍ୱ ନେଇଛି, ଏବଂ ଭାରତର ଆଧ୍ୟାତ୍ମିକତାକୁ ମଧ୍ୟ ସେ ସଂରକ୍ଷିତ କରିବାରେ ସମ୍ପୂର୍ଣ୍ଣ ପ୍ରୟାସ କରିଛି।

ଶତାବ୍ଦୀ- ଶତାବ୍ଦୀର ସଂଘର୍ଷ ପରେ ଭାରତ ଯେତେବେଳେ ସ୍ୱାଧୀନ ହେଲା ଆଉ ଆମେ ପରାଧୀନତା ଏବଂ ଅତ୍ୟାଚାରର ଆଘାତରେ ଭରି ରହିଥିଲେ। ସେହି ସମୟରେ ଆମ ସାମ୍ନାରେ ନିଜ ଅସ୍ତିତ୍ୱକୁ ପୁଣିଥରେ ଦଣ୍ଡାୟମାନ କରିବାର ଆହ୍ୱାନ, ତାକୁ ନେଇ ଆମେ ଠିଆ ହୋଇଥିଲେ, ଲଢ଼ୁଥିଲେ। ଭାରତର ଏହି ସାଂସ୍କୃତିକ ସ୍ୱାଧୀନତାର ଶୁଭାରମ୍ଭ ମଧ୍ୟ ସର୍ଦ୍ଦାର ସାହେବଙ୍କ ନେତୃତ୍ୱରେ ଗୁଜରାଟରୁ ହିଁ ହୋଇଥିଲା। ସେମାନାଥ ମନ୍ଦିରର ପୁନଃନିର୍ମାଣ ରାଷ୍ଟ୍ରର ପୁନଃନିର୍ମାଣର ସଂକଳ୍ପ ସହିତ ଆମ ସାମ୍ନାକୁ ଆସିଥିଲା।

ପାଭାଗଡ଼ ଏବଂ ପଂଚମହଲ ଆଜି ସୋମନାଥ ମନ୍ଦିରର ସେହି ପରମ୍ପରାକୁ ଆଗକୁ ବଢ଼ାଉଛି ଯାହା ଗୁଜରାଟକୁ ସମଗ୍ର ଦେଶରେ ପରିଚୟ ଦେଇଥିଲା। ଆଜି ଯେଉଁ ଧ୍ୱଜା ଉଡାଗଲା, ତାହା କେବଳ ମହାକାଳୀ ମନ୍ଦିରର ଧ୍ୱଜା ନୁହେଁ, ବରଂ ହେଉଛି ଗୁଜରାଟ ଏବଂ ଦେଶର ସାଂସ୍କୃତିକ ଗୌରବର ଧ୍ୱଜା ମଧ୍ୟ। ପଂଚମହାଲ ଏବଂ ଗୁଜରାଟର ଲୋକମାନେ ଶତାବ୍ଦୀ ଶତାବ୍ଦୀ ଧରି ଏହି ମନ୍ଦିରର ଭବ୍ୟତା ପାଇଁ ପ୍ରୟାସ କଲେ। ଏବେ ସୁନାରେ ନିର୍ମିତ କଳସ ସହିତ ଏହି ମନ୍ଦିର ସହିତ ଜଡ଼ିତ ସେହି ସ୍ୱପ୍ନ ପୂରଣ ହୋଇଛି। ଆଜି ପାଭାଗଡ଼ ଏବଂ ପଂଚମହଲର ତପସ୍ୟା ସିଦ୍ଧି ହୋଇଛି।

ପଂଚମହାଲ ଏବଂ ଏହି କ୍ଷେତ୍ରରେ, ପୁରୁଣା ସମୟ ତ ମୋର ମନେଅଛି, ଆଜିର ପରମ୍ପରା ସେତେ ଅଧିକ ଜଣାନାହିଁ। କିନ୍ତୁ ଯେଉଁ ପୁରୁଣା ସମୟର ଲୋକ ଅଛନ୍ତି, ଯେତେବେଳେ କୌଣସି ବିବାହ ହେଉଥିଲା, ସେତେବେଳେ ଭକ୍ତ ପ୍ରଥମେ ଏହି ମନ୍ଦିରକୁ ଆସି ମାତାଙ୍କ ଚରଣରେ ନିମନ୍ତ୍ରଣ ପତ୍ର ରଖି ଦେଉଥିଲେ। ଆଉ ମୋତେ ଜଣାଅଛି ସେହି ସମୟରେ ମନ୍ଦିରରେ ଯେଉଁ ପୂଜାରୀ ଏବଂ ପଣ୍ଡିତମାନେ ଥିଲେ, ସେମାନେ ସନ୍ଧ୍ୟା ଆରତୀ ସମୟରେ ଦିନସାରା ଯେତେ ସବୁ ନିମନ୍ତ୍ରଣ ଆସିଥାଏ, ତାହାକୁ ପଢ଼ି ମାଙ୍କୁ ଶୁଣାଇ ଥାଆନ୍ତି, ସୁରେନ୍ଦ୍ର କାକାଙ୍କ ସମୟରୁ ସେହି ପ୍ରଥା ଆଜି ମଧ୍ୟ ଚାଲିଛି।

ପରେ ମାତାଙ୍କ ଆଶୀର୍ବାଦ ଭାବେ ମନ୍ଦିରକୁ ଯେଉଁମାନେ ନିମନ୍ତ୍ରଣ ପତ୍ର ପଠାଇଥାଆନ୍ତି, ସେମାନଙ୍କ ପାଖକୁ ଉପହାର ମଧ୍ୟ ପଠାଯାଇଥାଏ। କେତେ ବଡ଼ ସୌଭାଗ୍ୟର କଥା। ଆଉ ଏହି ପରମ୍ପରା ଦୀର୍ଘ ସମୟ ଧରି ଚାଲି ଆସୁଛି। କିନ୍ତୁ ମାତା ଚଳିତ ଥର ଆମ ସମସ୍ତଙ୍କୁ, ଆଜି ସବୁଠାରୁ ବଡ଼ ଉପହାର ଦେଇଛନ୍ତି। ମାତାଙ୍କ ଦରବାରର ଏହି କାୟାକଳ୍ପ, ଆଉ ଧ୍ୱଜାରୋହଣ ମୁଁ ବୁଝିପାରୁଛି ଆମ ଭକ୍ତି ପାଇଁ ଶକ୍ତି ଉପାସକମାନଙ୍କ ପାଇଁ ଏହାଠାରୁ ବଡ଼ ଉପହାର କ’ଣ ହୋଇପାରେ ଆଉ ମାତାଙ୍କ ଆଶୀର୍ବାଦ ବିନା ଏହା କ’ଣ ସମ୍ଭବ ହୋଇ ପାରି ଥାଆନ୍ତା।

ଏଠାରେ ଶ୍ରୀକାଳିକା ମନ୍ଦିରକୁ ନେଇ ଯେଉଁ କାର୍ଯ୍ୟ ହୋଇଛି, ସେଥିରେ ଆଉ ଏକ ସ୍ୱତନ୍ତ୍ର କଥା ହେଉଛି। ମହାକାଳୀ ମନ୍ଦିରକୁ ଏତେ ଭବ୍ୟ ସ୍ୱରୂପ ଦିଆଗଲା, କିନ୍ତୁ ଏହି ସମ୍ପୂର୍ଣ୍ଣ କାର୍ଯ୍ୟରେ ଗର୍ଭଗୃହର ମୂଳ ସ୍ୱରୂପକୁ ଅକ୍ଷୁର୍ଣ୍ଣ ରଖାଯାଇଛି। ଏହି ସେବା ଯଜ୍ଞରେ ଗୁଜରାଟ ସରକାର, ପବିତ୍ର ତୀର୍ଥଯାତ୍ରା ବିକାଶ ବୋର୍ଡ ଏବଂ ଟ୍ରଷ୍ଟର ଲୋକମାନେ ମିଳିମିଶି କାର୍ଯ୍ୟ କରିଛନ୍ତି। ମୋତେ ଅବଗତ କରାଯାଇଛି ଯେ ମନ୍ଦିର ପରିସରର ସମ୍ପୂର୍ଣ୍ଣ ପରିକ୍ରମା ପାଇଁ ଏବେ ସୁରେନ୍ଦ୍ର ଭାଇ କହୁଥିଲେ, ଦୁଧିଆ ପୁଷ୍କରିଣୀ ଏବଂ ଝାସିୟା ପୁଷ୍କରିଣୀକୁ ଯୋଡ଼ିବା ପାଇଁ ମଧ୍ୟ ଏକ ପରିକ୍ରମା ପଥ ମଧ୍ୟ ପ୍ରସ୍ତୁତ କରାଯିବ। ଯଜ୍ଞଶାଳା, ଭୋଜନଶାଳା, ପର୍ଯ୍ୟଟକମାନଙ୍କ ପାଇଁ ଭକ୍ତନିବାସ ଏବଂ ଛସିଆ ଝରଣାରୁ ମାତାଜୀଙ୍କ ମନ୍ଦିର ପର୍ଯ୍ୟନ୍ତ ଲିଫ୍ଟ ଭଳି ସୁବିଧାମାନ ମଧ୍ୟ ନିର୍ମାଣ କରାଯିବ। ଏହା ସହିତ ମାଂଚି ନିକଟରେ ଅତିଥିଗୃହ ଏବଂ ମଲ୍ଟିଲେବୁଲ ପାର୍କିଂର ମଧ୍ୟ ନିର୍ମାଣ ହେବ।

ପ୍ରଥମେ ଏଠାରେ ପହଂଚିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ଅନେକ ଘଂଟା ଲାଗି ଯାଉଥିଲା। ସିଢ଼ିଗୁଡ଼ିକ ଚଢ଼ିବା, ଯାତ୍ରାର ଥକାପଣ, ଅସୁବିଧା ମଧ୍ୟ ଦେଇ ଆସିବାକୁ ପଡ଼ୁଥିଲା। ପ୍ରଥମେ ସିଢ଼ିଗୁଡ଼ିକ କିଭଳି ଥିଲା, ଯେଉଁମାନେ ପୂର୍ବରୁ ଆସିଛନ୍ତି ସେମାନଙ୍କୁ ଜଣାଥିବ। ତାକୁ କ’ଣ ସିଢ଼ି କହିବା ଏଭଳି ଅବସ୍ଥା ଥିଲା। କିନ୍ତୁ ଆଜି ଯାହା ମଧ୍ୟ ନିର୍ମାଣ ହୋଇଛି, ସବୁ ଭଲ ହୋଇ ଯାଇଛି। ଆଜି ମନ୍ଦିରରେ ପହଂଚିବା ପାଇଁ ଭଲ ପଥରରେ ଭଲ ସିଢ଼ିମାନ ନିର୍ମାଣ କରାଯାଇଛି। ସିଢ଼ିଗୁଡ଼ିକର ଉଚ୍ଚତା ମଧ୍ୟ ଅଧିକ ନାହିଁ। ସମାନ ହିସାବ ରଖାଯାଇ ସିଢ଼ି ନିର୍ମାଣ କରାଯାଇଛି ଫଳରେ ସିଢ଼ି ଚଢ଼ୁଥିବା ଲୋକଙ୍କୁ କୌଣସି ଅସୁବିଧା ନ ହେଉ। ପୂର୍ବରୁ ମନ୍ଦିର ପରିସରରେ ଏକ ସମୟରେ ଦୁଇ ଡଜନ ଲୋକ ମଧ୍ୟ ପହଂଚି ପାରୁ ନ ଥିଲେ, କିନ୍ତୁ ଆଜି ଶହେରୁ ମଧ୍ୟ ଅଧିକ ଲୋକ ଏକ ସଙ୍ଗରେ ଏଠାକୁ ଆସି ପାରିବେ, ପୂଜାର୍ଚ୍ଚନା କରି ପାରିବେ। ଭିଡ଼ର ଚାପ ହ୍ରାସ ପାଇଛି, ଏହିପରି ଯାତ୍ରୀମାନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି ପାଇଛି। ମନ୍ଦିର ପରିସରର ସମ୍ପ୍ରସାରଣ ଦ୍ୱାରା ଦଳାଚକଟା ଭଳି ଘଟଣାରୁ ମଧ୍ୟ ରକ୍ଷା ପାଇ ପାରିବା ଏବଂ ଆମକୁ ନିରନ୍ତର ସଚେତନ ରହିବାକୁ ପଡ଼ିବ କାରଣ ଏହି ସ୍ଥାନରେ ଏବେ ବୋଧହୁଏ ଆହୁରି ଅଧିକ ଯାତ୍ରୀଙ୍କ ସଂଖ୍ୟା ବଢ଼ିଯିବ। ଆମକୁ ଏହି ସମସ୍ତ ବ୍ୟବସ୍ଥାଗୁଡ଼ିକର ଚିନ୍ତା କରିବାକୁ ପଡ଼ିବ। ଆଉ ମୁଁ ଏବେଠାରୁ ସମସ୍ତ କାଳୀ ଭକ୍ତମାନଙ୍କୁ ପ୍ରାର୍ଥନା କରୁଛି ଯେ ଅନୁଶାସନର ପାଳନ କରିବାକୁ ହେବ କାରଣ ଏହା ହେଉଛି ଏକ କଠିନ ସ୍ଥାନ। ପୂର୍ବରୁ ଅନେକ ଥର ଅଘଟଣ ଘଟୁଥିଲା, ବହୁତ ଚିନ୍ତା ରହୁଥିଲା କିନ୍ତୁ ମାଙ୍କ ଆଶୀର୍ବାଦରୁ ପୁଣି ବ୍ୟବସ୍ଥା ଚାଲୁ ରହିଲା, ମୁଁ ଚାହିଁବି ଆମେ ସମସ୍ତେ ଅନୁଶାସନର ମଧ୍ୟ ପାଳନ କରିବା, କାରଣ ଏହା ହେଉଛି କଠିନ ସ୍ଥାନ, ହେଉଛି ଉଚ୍ଚା ସ୍ଥାନ। ଅସୁବିଧା ମଧ୍ୟରେ କାର୍ଯ୍ୟ କରିବାକୁ ପଡ଼ିଥାଏ। ତେଣୁ ଆମେ ଯେତେ ଅନୁଶାସନ ପାଳନ କରିବା, ଯାତ୍ରା ମଧ୍ୟ ଭଲ ରହିବ ଏବଂ ମାଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ। ପାହାଡ଼ ଉପରେ ଯେଉଁ ଦୁଧିଆ ପୁଷ୍କରିଣୀ ଅଛି ତାହାର ମଧ୍ୟ ଉନ୍ନତିକରଣ କରାଯାଉଛି। ଏହି ପୁଷ୍କରିଣୀର ଚାରିପଟେ ଏକ ପରିକ୍ରମା, ବୃତାକାର ପଥ ନିର୍ମାଣ କରାଯାଇଛି। ଏହାଦ୍ୱାରା ମଧ୍ୟ ଲୋକମାନଙ୍କୁ ବହୁତ ସହଜ ହୋଇଛି।

ମା କାଳୀଙ୍କ ଚରଣକୁ ଆସି ଆମେ ବାରମ୍ବାର ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ସ୍ୱାଭାବିକ ଭାବେ ଆମର ମନ ହୋଇଥାଏ। କିନ୍ତୁ ପୂର୍ବରୁ ପାଭାଗଡ଼ର ଯାତ୍ରା ଏତେ ସମସ୍ୟାଜନକ ଥିଲା ଯେ ଲୋକ କହୁଥିଲେ ଜୀବନରେ ଅତି କମ୍ରେ ଥରେ ମାତାଙ୍କ ଦର୍ଶନ ହୋଇଯାଉ। ଆଜି ଏଠାରେ ବୃଦ୍ଧି ପାଉଥିବା ସୁବିଧାଗୁଡ଼ିକ କଷ୍ଟକର ଦର୍ଶନକୁ ସୁଲଭ କରି ଦେଇଛି। ମାଆ ଭଉଣୀ ବୟସ୍କ ପିଲାମାନେ ଯୁବକ, ଦିବ୍ୟାଙ୍ଗ ପ୍ରତ୍ୟେକ ଏବେ ସହଜରେ ମାତାଙ୍କ ଚରଣ ସେବାରେ ଆସି ନିଜ ଭକ୍ତିକୁ, ମାଆଙ୍କ ପ୍ରସାଦର ସହଜ ଲାଭ ନେଇ ପାରିବ।

ଆଜି ମୁଁ ମଧ୍ୟ ସ୍ୱୟଂ ଏଠାରେ ପହଂଚିବା ପାଇଁ ଟେକ୍ନୋଲୋଜି ମାଧ୍ୟମରେ ଆସିଲି, ରୋପ୍ ୱେ ମାଧ୍ୟମରେ ଆସିଲି। ରୋପ୍ ୱେ ନା କେବଳ ଏହି ଯାତ୍ରାକୁ ସହଜ କରି ଦେଇଛି, ବରଂ ରୋପ୍ ୱେ ଦ୍ୱାରା ପାଭାଗଡ଼ର ଯେଉଁ ଅଦ୍ଭୁତ ସୌନ୍ଦର୍ଯ୍ୟ ଅଛି, ତାହାର ଆନନ୍ଦ ମଧ୍ୟ ମିଳୁଛି। ଆଜି ଗୁଜରାଟରେ ଅନେକ ତୀର୍ଥ ଏବଂ ପର୍ଯ୍ୟଟନ ସ୍ଥଳ ରୋପ୍ ୱେ ମାଧ୍ୟମରେ ଯୋଡ଼ି ହେଉଛି। ପାଭାଗଡ଼, ସପୁତାରା, ଅମ୍ବାଜୀ ଏବଂ ଗିରିନାରରେ ରୋପ୍ ୱେ ନିର୍ମାଣ ହେବା ଦ୍ୱାରା ଲୋକଙ୍କୁ ବହୁତ ଆରାମ ମିଳୁଛି।

ପାଭାଗଡ଼, ମା ଅମ୍ବା ଏବଂ ସୋମନାଥ, ଦ୍ୱାରକେଶଙ୍କ ଆଶୀର୍ବାଦରୁ ହିଁ ଗୁଜରାଟ ଗୌରବଶାଳୀ ଗୁଜରାଟ ପାଲଟିଛି। ଗୁଜରାଟର ମହାନ କବି ନର୍ମଦ ଗୁଜରାଟର ସାଂସ୍କୃତିକ ମହିମାର ବର୍ଣ୍ଣନା କରି ଲେଖିଛନ୍ତି-

ଉତରମାଁ ଅମ୍ବା ମାତ, ପୂରବମାଁ କାଲୀ ମାତ। ଛେ ଦକ୍ଷିଣ ଦିଶାମାଁ କରତା ରକ୍ଷା, କୁନ୍ତେଶ୍ୱର ମହାଦେବ। ନେ ସୋମନାଥ ନେ ଦ୍ୱାରକେଶ ଏ, ପଶ୍ଚିମ କେରା ଦେବ ଛେ ସହାୟମାଁ ସାକ୍ଷାତ, ଜୟ ଜୟ ଗରବୀ ଗୁଜରାତ।

(ଉତରରେ ମାତା ଅମ୍ବା ମା, ପୂର୍ବରେ କାଳୀ ମା, ହେ ଦକ୍ଷିଣ ଦିଗରେ ରକ୍ଷା କରୁଛନ୍ତି କୁନ୍ତେଶ୍ୱର ମହାଦେବ, ସୋମନାଥ ଏବଂ ଦ୍ୱାରକେଶ ହେଉଛନ୍ତି ପଶ୍ଚିମର ଦେବ, ସହାୟ ହେଉଛନ୍ତି ସାକ୍ଷାତ ଜୟ- ଜୟ ଗୌରବଶାଳୀ ଗୁଜରାଟ ...)

ଆଜି ଗୁଜରାଟର ଏହି ପରିଚୟ ନଭଶ୍ଚୁମ୍ଭୀ ପାଲଟି ଯାଇଛି।

କବି ନର୍ମଦ ଗୌରବଶାଳୀ ଗୁଜରାଟର ପରିଚୟ ଭାବେ ଯେଉଁ ସାଂସ୍କୃତିକ କେନ୍ଦ୍ରଗୁଡ଼ିକର ନାମ ନେଇଛନ୍ତି ଆଜି ଏହି ସମସ୍ତ ତୀର୍ଥ ଏକ ନୂତନ ବିକାଶ ଯାତ୍ରାରେ ଆଗକୁ ବଢ଼ୁଛନ୍ତି। ଆସ୍ଥାର ସହିତ ତୀର୍ଥ ଏବଂ ମନ୍ଦିରଗୁଡ଼ିକର ବିକାଶରେ ଯେଉଁ ଆଧୁନିକ କୌଶଳର ବିକାଶ କରାଯାଉଛି। ସମସ୍ତ ତୀର୍ଥସ୍ଥାନରେ ଯାତ୍ରୀମାନଙ୍କର ସୁବିଧାଗୁଡ଼ିକର ବିକାଶ କରାଯାଉଛି। ଗୁଜରାଟର ତୀର୍ଥସ୍ଥାନଗୁଡ଼ିକରେ ଏବେ ଦିବ୍ୟତା ମଧ୍ୟ ରହିଛି, ଶାନ୍ତି ମଧ୍ୟ ରହିଛି, ସମାଧାନ ମଧ୍ୟ ରହିଛି, ସନ୍ତୋଷ ମଧ୍ୟ ରହିଛି ଆଉ ଏହାଠାରୁ ବଡ଼ ସୁଖ କ’ଣ ମଧ୍ୟ ହୋଇପାରେ।

ଯଦି ମାତାଙ୍କ ହିଁ ମନ୍ଦିର ବିଷୟରେ କହିବା, ଶକ୍ତିର ସାମର୍ଥ୍ୟ ବିଷୟରେ କହିବା, ତେବେ ଆମେ ଗୁଜରାଟର ଲୋକ ଏତେ ଭାଗ୍ୟବାନ ଅଛେ ଆଉ ମାଆଙ୍କ ଶକ୍ତିର ପୂଜା କରୁଥିବା ଭକ୍ତ ପାଇଁ ଗୁଜରାଟରେ ସମ୍ପୂର୍ଣ୍ଣ ଏକ ଶକ୍ତିଚକ୍ର ଅଛି। ଏକ ଶକ୍ତି ରକ୍ଷା ଚକ୍ର ଅଛି, ଗୁଜରାଟର ରକ୍ଷା କବଚ ଭାବେ ସେହି କାର୍ଯ୍ୟ କରୁଛି। ଗୁଜରାଟର ଭିନ୍ନ ଭିନ୍ନ କ୍ଷେତ୍ରରେ ବିରାଜମାନ ଶକ୍ତି ରୂପୀ ମାଆ ଗୁଜରାଟକୁ ନିରନ୍ତର ଆଶୀର୍ବାଦ ଦେଉଛନ୍ତି ଆଉ ଗୁଜରାଟର ରକ୍ଷା କରୁଛନ୍ତି। ବନସକାଂଟାରେ ମାଆ ଅମ୍ବାଜୀ ଅଛନ୍ତି, ପାଭାଗଡ଼ରେ ମା କାଳୀ, ଶୀଖରରେ ମାଆ ଚାମୁଣ୍ଡା, ଉନ୍ଝାରେ ଉମିଁୟା ମା, କଚ୍ଛର ମାତା ନୌମଢ଼ରେ ଆଶାପୂରା ମାତାଜୀ ଅଛନ୍ତି, ନବସାରୀ ପାଖରେ ଉନ୍ନାୟୀ ମାତା ଅଛନ୍ତି, ଡେଡୀୟାପାଡା ପାଖରେ ଦେବ ମୋଗରା ମାତା ଅଛନ୍ତି। ଭାବନଗର ପାଖରେ ମାଟେଲରେ ଖୋଡିୟାର ମାଆ ଅଛନ୍ତି, ମେହସାଣାରେ ବହୁଚରା ମାତା ଅଛନ୍ତି। ସେଠାରେ ଆମର ଖୋଦଲଧାମ, ସେଠାରେ ଉନୀୟାଧାମ, ଗିରନାରରେ ଉପର ଅମ୍ବା ମାଆ, ଅନେକ ମାଆମାନେ ପ୍ରତ୍ୟେକ କୋଣରେ ରହିଛନ୍ତି। ଆମକୁ ନିରନ୍ତର ଆଶୀର୍ବାଦ ମିଳୁଛି, ଅର୍ଥାତ ଆମେ କହି ପାରିବା କି ଆମ ଉପରେ ଏକ ଶକ୍ତିର ଆଶୀର୍ବାଦ ରହିଛି।

ଅମ୍ବାଜୀରେ ଗବ୍ବର ଫୁଟ ହିଲ୍ସ, ଏବେ ଆମର ଭୂପେନ୍ଦ୍ର ଭାଇ ବର୍ଣ୍ଣନା କରୁଥିଲେ, ଥ୍ରୀ ଡି ଭିଡିଓ ପ୍ରୋଜେକସନ ମ୍ୟାପିଂ ଶୋ’ର ମଧ୍ୟ ଶୁଭାରମ୍ଭ କରାଯାଇଛି, ଏହା ସହିତ ମହା ଆରତି ମଧ୍ୟ ଆରମ୍ଭ କରାଯାଇଛି। କେନ୍ଦ୍ର ସରକାରଙ୍କର ପ୍ରସାଦ ଯୋଜନା ଅଧୀନରେ ଗବ୍ବର ତୀର୍ଥର ପୁନରୁଦ୍ଧାର ମଧ୍ୟ କରାଯାଉଛି। ଅମ୍ବାଜୀ ମନ୍ଦିର ପରିସରର ବିକାଶ ଯୋଜନା ଉପରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି। କୋଟେଶ୍ୱର ମହାଦେବ ମନ୍ଦିର, ରିନଛଡିୟା ମହାଦେବ ମନ୍ଦିର ଭଳି ପୂଣ୍ୟ ସ୍ଥାନଗୁଡ଼ିକର ମଧ୍ୟ ବିକାଶ କରାଯାଉଛି।

ଏବେ କିଛି ସମୟ ପୂର୍ବେ ହିଁ ମୋତେ ସୋମନାଥ ମନ୍ଦିରରେ ମଧ୍ୟ ଅନେକ ବିକାଶ କାର୍ଯ୍ୟର ଲୋକାର୍ପଣର ସୁଯୋଗ ମଧ୍ୟ ମିଳିଥିଲା। ଦ୍ୱାରିକାରେ ମଧ୍ୟ ଘାଟ, ଯାତ୍ରୀମାନଙ୍କର ସୁବିଧା ଏବଂ ମନ୍ଦିରଗୁଡ଼ିକର ମଧ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯାଇଛି। ପଂଚମହାଲର ଲୋକମାନଙ୍କୁ ମୁଁ ଅନୁରୋଧ କରିବି କହିବି, ବାହାରରୁ ଯେଉଁ ଶ୍ରଦ୍ଧାଳୁ ଏଠାକୁ ଦର୍ଶନ କରିବା ପାଇଁ ଆସୁଛନ୍ତି, ସେମାନଙ୍କୁ ଆପଣ ନିଜ ରାଜ୍ୟର ଏହି ସମସ୍ତ ସ୍ଥାନକୁ ଯିବାପାଇଁ ନିଶ୍ଚିତ କହିବେ। ମାଧବପୁରରେ ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ ଏବଂ ମାଆ ରୁକ୍ମଣୀଙ୍କର ବିବାହ ହୋଇଥିଲା, ସେଠାରେ ରୁକ୍ମଣୀ ମନ୍ଦିରର ମଧ୍ୟ ପୁନଃନିର୍ମାଣ କରାଯିବ। ଏବେ ଅପ୍ରେଲ ମାସରେ ଯାହା ଭୂପେନ୍ଦ୍ର ଭାଇ କହୁଥିଲେ, ଆମର ରାଷ୍ଟ୍ରପତି ମହୋଦୟ ମାଧବପୁରଘେଡ ମେଳାର ଉଦଘାଟନ କରିବା ପାଇଁ ସ୍ୱୟଂ ସେଠାକୁ ଯାଇଥିଲେ। ତୀର୍ଥଗୁଡ଼ିକର ଏହି ବିକାଶ କେବଳ ଆସ୍ଥାର ବିକାଶ ମଧ୍ୟରେ ସୀମିତ ନୁହେଁ, ବରଂ ଆମର ତୀର୍ଥ ସମାଜର ଗତିଶୀଳତା ଏବଂ ରାଷ୍ଟ୍ରର ଏକଜୁଟତାକୁ ମଧ୍ୟ ଏକ ବଡ଼ ମହତ୍ୱପୂର୍ଣ୍ଣ ଜୀବନ୍ତ ପ୍ରତୀକ। ଏହି ତୀର୍ଥ ଏବଂ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ନିଜ ସହିତ ଅନେକ ନୂତନ ଅବସର ମଧ୍ୟ ନେଇକରି ଆସିଥାଆନ୍ତି। କୌଣସି ମଧ୍ୟ କ୍ଷେତ୍ରରେ ପର୍ଯ୍ୟଟନ ବୃଦ୍ଧି ପାଇଥାଏ, ତେବେ ରୋଜଗାର ମଧ୍ୟ ବଢିଥାଏ, ଭିତିଭୂମିର ମଧ୍ୟ ବିକାଶ ହୋଇଥାଏ। ଆମର ତୀର୍ଥଯାତ୍ରୀମାନଙ୍କୁ ସ୍ଥାନୀୟ ସଂସ୍କୃତି ସହିତ ପରିଚିତ କରାଇଥାଏ, ସ୍ଥାନୀୟ କଳା କୌଶଳ ଏବଂ ଶିଳ୍ପର ମଧ୍ୟ ପ୍ରଚାର ପ୍ରସାର ହୋଇଥାଏ। ଆମେ ସମସ୍ତେ ମଧ୍ୟ ଏହି କଥାର ସାକ୍ଷୀ ଯେ ଆମର କେବାଡ଼ିୟା, ସେଠାକାର ଆମର ଏକତାନଗର, ଏକତାର ପ୍ରତିମୂର୍ତି ଏହାପରେ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯେଉଁ ବୃଦ୍ଧି ହୋଇଛି। ଆଜି ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ମଧ୍ୟରୁ ଏହାକୁ ଏକ ସ୍ଥଳ ଭାବେ ବିଚାର କରାଯାଉଛି। ତାହା ସାରା ବିଶ୍ୱରେ ନିଜ ସ୍ଥାନ ସୃଷ୍ଟି କରି ପାରିଛି। ସେହିଭଳି ସୁବିଧାଗୁଡ଼ିକ ବଢ଼ିବା ଦ୍ୱାରା କାଶୀ ବିଶ୍ୱନାଥ ଧାମ ଏବଂ ଚାରିଧାମ ଯାତ୍ରାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ନୂଆ- ନୂଆ ରେକର୍ଡ ସୃଷ୍ଟି କରୁଛି। ଚଳିତ ଥର କେଦାରନାଥରେ ମଧ୍ୟ ଏବେ କିଛି ସପ୍ତାହ ହୋଇଛି ସମସ୍ତ ରେକର୍ଡ ଭାଙ୍ଗି ଦେଇଛି, ଏତେ ଯାତ୍ରୀ ସେଠାରେ ପହଂଚିଛନ୍ତି। ପାଭାଗଡ଼ର ବିକାଶ ଦ୍ୱାରା ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କର ସଂଖ୍ୟା ବୃଦ୍ଧି ପାଇବ। ତେବେ ଏହାର ଲାଭ ବଡୋଦରା ହେଉ, ପଂଚମହାଲ ହେଉ ଏଇ ସମସ୍ତ ଆମର ବନବାସୀ ଅଂଚଳ ହେଉ, ଆମର ଆଦିବାସୀ ଭାଇ ଭଉଣୀ ହୁଅନ୍ତୁ, ସମସ୍ତଙ୍କ ଜୀବନରେ ବହୁତ ବଡ଼ ଶକ୍ତି ଭରି ଦେବାକୁ ଯାଉଛି। ଯେଉଁ ଶ୍ରଦ୍ଧାଳୁ ମନ୍ଦିରକୁ ଆସିବେ, ସେମାନେ ଏଠାରୁ ବିରାସତବନ ମଧ୍ୟ ଯିବେ। ବିରାସତବନ ପ୍ରକୃତି, ପର୍ଯ୍ୟାବରଣ, ପରମ୍ପରା, ଏବଂ ଆୟୁର୍ବେଦ ଭଳି ବିଷୟକୁ ଦିଗ ଦେବାଭଳି ଏକ ବଡ଼ ଆକର୍ଷକ ଏବଂ ପ୍ରେରଣାର କେନ୍ଦ୍ର ହୋଇ ପାରିବ। ସେହିଭଳି ପୁରାତତ୍ୱ ପାର୍କ ଏବଂ ପାଭାଗଡ଼ ଦୁର୍ଗ ପାଇଁ ମଧ୍ୟ ଆକର୍ଷଣ ବୃଦ୍ଧି ପାଇବ। ବିକାଶର ଏହି କାର୍ଯ୍ୟ ପଂଚମହାଲକୁ ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ରୂପେ ବିକଶିତ ହେବାରେ ସାହାଯ୍ୟ କରିବ।

ପାଭାଗଡରେ ଆଧ୍ୟାତ୍ମ ମଧ୍ୟ ଅଛି, ଇତିହାସ ମଧ୍ୟ ଅଛି, ପ୍ରକୃତି ମଧ୍ୟ ଅଛି, କଳା- ସଂସ୍କୃତି ମଧ୍ୟ ଅଛି। ଏଠାରେ ଗୋଟିଏ ପଟେ  ମା ମହାକାଳୀଙ୍କର ଶକ୍ତିପୀଠ ଅଛି, ସେତେବେଳେ ଅନ୍ୟପଟେ ଜୈନ ମନ୍ଦିରର ପରମ୍ପରା ମଧ୍ୟ ଅଛି। ଅର୍ଥାତ ପାବାଗଡ ଗୋଟିଏ ପଟେ ଭାରତର ଐତିହାସିକ ବିବିଧତା ସହିତ ସର୍ବଧର୍ମ ସମଭାବର କେନ୍ଦ୍ର ରହିଛି। ୟୁନେସ୍କୋ ଚମ୍ପାନେରର ପୁରାତତ୍ୱ ସ୍ଥଳକୁ ବିଶ୍ୱ ଐତିହ୍ୟ ୱାର୍ଲ୍ଡ ହେରିଟେଜ ଭାବେ ଏହି ସ୍ଥଳକୁ ଏକ ମାନ୍ୟତା ପ୍ରଦାନ କରୁଛି। ସେଠାରେ ବୃଦ୍ଧି ପାଉଥିବା ପର୍ଯ୍ୟଟନ, ସେଠାର ପରିଚୟକୁ ମଧ୍ୟ ଆହୁରି ସୁଦୃଢ କରିବ।

ପଂଚମହାଲରେ ପର୍ଯ୍ୟଟନର ସମ୍ଭାବନାଗୁଡିକର ସହିତ ଏଠାକାର ଯୁବକମାନଙ୍କ ପାଇଁ ବ୍ୟାପକ ସଂଖ୍ୟାରେ ନୂତନ ସୁଯୋଗ ସୃଷ୍ଟି ହେବାକୁ ଯାଉଛି।

ଆଉ ଆମର ପଂଚମହାଲ ତ ବୈଜୁ ବାୱରାଙ୍କ ଭଳି ମହାନ ଗାୟକଙ୍କ ଜନ୍ମ ମାଟି ହୋଇ ରହିଛି। ସେହି ପ୍ରତିଭା ଆଜି ମଧ୍ୟ ଏଠାକାର ମାଟିରେ ରହିଛି। ଯେଉଁଠାରେ- ଯେଉଁଠି ପରମ୍ପରା, ବନ ଏବଂ ସଂସ୍କୃତି ସୁଦୃଢ ହୋଇଥାଏ, ସେଠାରେ କଳା ଏବଂ ପ୍ରତିଭା ମଧ୍ୟ ପଲ୍ଲବିତ ହୋଇଥାଏ। ଆମକୁ ମଧ୍ୟ ସେହି ପ୍ରତିଭାଙ୍କୁ ବିକଶିତ କରିବାର ଅଛି, ନୂତନ ପରିଚୟ ଦେବାର ଅଛି।

ଚମ୍ପାନେର ହେଉଛି ସେହି ସ୍ଥାନ ଯେଉଁଠାରେ 2006 ରେ ଗୁଜରାଟର ଗୌରବ ବୃଦ୍ଧି କରିବା ଭଳି ଜ୍ୟୋତିର୍ଗ୍ରାମ ଯୋଜନାର ଶୁଭାରମ୍ଭ ହୋଇଥିଲା। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ଲୋକ ମୋତେ କହୁଥିଲେ ସାହାବ ଅତି କମରେ ସନ୍ଧ୍ୟା ସମୟରେ ଖାଦ୍ୟ ଖାଇବା ବେଳେ ବିଜୁଳି ମିଳୁ, ଏହି ବ୍ୟବସ୍ଥା କରାନ୍ତୁ, ଏଠାରେ ମା କାଳୀଙ୍କ ପାଦତଳେ ବସି ଆମେ ଜ୍ୟୋତିର୍ଗ୍ରାମ ଯୋଜନା ଦ୍ୱାରା ଗୁଜରାଟରେ ଆଉ ଦେଶରେ ପ୍ରଥମଥର ଚବିଶ ଘଂଟା ଘରେ ବିଜୁଳି ପହଂଚାଇବାରେ ସଫଳତା ପ୍ରାପ୍ତ କରିଥିଲୁ ଆଉ ସେତେବେଳେ ଆମର ରାଷ୍ଟ୍ରପତି ଶ୍ରୀ ଏପିଜେ ଅବ୍ଦୁଲ କଲାମ ମହୋଦୟ ସେହି କାର୍ଯ୍ୟକ୍ରମକୁ ଆସିଥିଲେ ଏବଂ ତାଙ୍କର କରମକଳରେ ଆମେ ତାହାର ଶୁଭାରମ୍ଭ କରିଥିଲୁ। ଜ୍ୟେତିର୍ଗ୍ରାମ ଯୋଜନା ଗୁଜରାଟର ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡିଲା। ଏହି ଯୋଜନା ଯୋଗୁଁ ଗୁଜରାଟର ଲୋକଙ୍କୁ ଚବିଶ ଘଂଟା ବିଜୁଳି ମିଳିବା ଆରମ୍ଭ ହେଲା।

ପାବାଗଡର ନାମ ହିଁ ହେଉଛି ଏକ ପ୍ରକାରରେ ପବନର ଗଡ। ଏଠାରେ ବାୟୁଦେବଙ୍କର ବିଶେଷ କୃପା ରହିଛି।ମୋର ବିଶ୍ୱାସ ଯେ ଆମର ସାଂସ୍କୃତିକ ପୁନରୁଥାନ ଏବଂ ବିକାଶର ଯେଉଁ ହାୱା ପାବାଗଡରେ ବହୁଛି, ଏହାର ମହକ ମଧ୍ୟ ସଂମ୍ପୂର୍ଣ୍ଣ ଗୁଜରାଟ ଏବଂ ଦେଶରେ ପହଂଚୁ। ଏହି ଭାବ ସହିତ, ମୁଁ ମା ମହାକାଳୀଙ୍କ ଚରଣରେ ପୁଣିଥରେ ମୋର ପ୍ରଣାମ ଜଣାଉଛି। ଆପଣ ସମସ୍ତଙ୍କୁ ମଧ୍ୟ ପୁଣି ଥରେ ବହୁତ ବହୁତ ଶୁଭକାମନା ଜଣାଉଛି। ଆଜି ଯେତେବେଳେ ମାତା କଳୀଙ୍କ ପାଦତଳକୁ ଆସିଛି, ସେତେବେଳେ ଗୁଜରାଟର ବିଶାଳ ଫଳକ ଏବଂ ଅନ୍ୟ ରାଜ୍ୟଗୁଡିକ ଉପରେ ମଧ୍ୟ ମାତା କାଳୀଙ୍କ ଅଗଣିତ ଭକ୍ତଙ୍କ ସଂଖ୍ୟା, ଖୁବ ଶ୍ରଦ୍ଧାର ସହିତ ଏଠାକୁ ଆସିଛନ୍ତି। ସେହି ସମସ୍ତ ଭକ୍ତମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। କାରଣ ସେମାନେ ଯେଉଁ ସ୍ୱପ୍ନ ଦେଖିଥିବେ, ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ସ୍ୱପ୍ନ ଦେଖିଥିବେ, ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ଆଶାର ସହିତ ଆସୁଥିଲେ, ଆଉ ନିରାଶ ହୋଇ ଫେରିଯାଉଥିଲେ। ଆଜି ସେମାନଙ୍କର ସନ୍ତାନ ତାଙ୍କର ପୂର୍ବପୁରୁଷମନଙ୍କୁ କହି ପାରିବେ, ଆପଣ ଯଦିଓ କଷ୍ଟ ସହିଥିଲେ, କିନ୍ତୁ ଏବେ ଯୁଗ ବଦଳି ଯାଇଛି। ଏବେ ମାତା କାଳୀ ସଂମ୍ପୂର୍ଣ୍ଣ ଗୌରବର ସହିତ ଆମକୁ ଆଶୀର୍ବାଦ ଦେଉଛନ୍ତି। ଏହି ଗୋଟିଏ ଭାବନା ସହିତ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା। ସମସ୍ତ ଟ୍ରଷ୍ଟି ମଣ୍ଡଳଙ୍କୁ, ଗୁଜରାଟ ସରକାରଙ୍କୁ, ଭୂପେନ୍ଦ୍ର ଭାଇଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକୁ ହୃଦୟର ସହିତ ପ୍ରଶଂସା କରୁଛି। ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା।

*****

AH


(Release ID: 1835212) Visitor Counter : 158