କ୍ୟାବିନେଟ

ଭାରତ ଏବଂ ସଂଯୁକ୍ତ ଆରବ ଏମିରାତ (ୟୁଏଇ) ମଧ୍ୟରେ ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ପାଇଁ ରାଜିନାମା ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ

Posted On: 08 JUN 2022 5:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଆଜି ଭାରତ ଏବଂ ସଂଯୁକ୍ତ ଆରବ ଏମିରାତ (ୟୁଏଇ) ମଧ୍ୟରେ ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଦ୍ୱିପାକ୍ଷିକ ରାଜିନାମା (ଏମଓୟୁ) ହସ୍ତାକ୍ଷର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । 

ଭାରତ ଏବଂ ସଂଯୁକ୍ତ ଆରବ ଏମିରାତ ମଧ୍ୟରେ ବଢି ଚାଲିଥିବା ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ଉଭୟ ଦେଶର ଦ୍ରୁତ ବଦଳୁଥିବା ତଥା ଗଭୀର ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ ଏବଂ ମଜବୁତ କରିବାରେ ସହାୟକ ହେବ । ଭାରତ- ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ ୧୯୭୦ ଦଶକରେ ବାର୍ଷିକ ୧୮୦ ନିୟୁତ ଆମେରିକୀୟ ଡଲାର (୧୩୭୩ କୋଟି ଟଙ୍କା) ଥିବାବେଳେ ଭାରତ ସଂଯୁକ୍ତ ଆରବ ଏମିରାତକୁ, ଚୀନ ଓ ଆମେରିକା ପରେ ୨୦୧୯-୨୦ ବର୍ଷ ପାଇଁ ତୃତୀୟ ସବୁଠାରୁ ବଡ ବ୍ୟାବସାୟିକ ଭାଗୀଦାର ଭାବେ ଗ୍ରହଣ କରିବା ପରେ ଏହା ୬୦ ବିଲିୟନ ଆମେରିକୀୟ ଡଲାର (୪.୫୭ ଲକ୍ଷ କୋଟି ଟଙ୍କା)କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ୟୁଏଇ ଭାରତର ଦ୍ୱିତୀୟ ସବୁଠାରୁ ବଡ ରପ୍ତାନୀ ଗନ୍ତବ୍ୟ ପାଲଟିଛି (ଯୁକ୍ତରାଷ୍ଟ୍ର ଆମେରିକା ପରେ) । ୨୦୧୯-୨୦ ବର୍ଷରେ ୨୯ ବିଲିୟନ ଆମେରିକୀୟ ଡଲାର (୨.୨୧ ଲକ୍ଷ କୋଟି ଟଙ୍କା)ର ରପ୍ତାନୀ ହୋଇଛି । ଆକଳନ କରା ଯାଉଥିବା ୧୮ ବିଲିୟନ ଆମେରିକୀୟ ଡଲାର (୧.୩୭ ଲକ୍ଷ କୋଟି ଟଙ୍କା) ନିବେଶ ସହ ୟୁଏଇ ଭାରତର ଅଷ୍ଟମ ବୃହତ୍ତମ ନିବେଶକ ହୋଇପାରିଛି । ସେହିପରି ୟୁଏଇରେ ଭାରତୀୟ ପୁଞ୍ଜିନିବେଶ ପ୍ରାୟ ୮୫ ବିଲିୟନ ଆମେରିକୀୟ ଡଲାର (୬.୪୮ ଲକ୍ଷ କୋଟି ଟଙ୍କା) ରହିଛି । । 

ଭାରତ ଓ ୟୁଏଇ ମଧ୍ୟରେ ୧୮/୦୨/୨୦୨୨ରେ ଦ୍ୱିପାକ୍ଷିକ “ବ୍ୟାପକ ଅର୍ଥନୈତିକ ଭାଗିଦାରୀ ରାଜିନାମା” (ସିଇପିଏ) ସ୍ୱାକ୍ଷର ହୋଇଥିଲା । ଏହି ରାଜିନାମା ଦ୍ୱାରା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତ ଓ ୟୁଏଇ ମଧ୍ୟରେ ବାଣିଜ୍ୟ ୬୦ ବିଲିୟନ ଆମେରିକୀୟ ଡଲାର (୪.୫୭ ଲକ୍ଷ କୋଟି ଟଙ୍କା)ରୁ ୧୦୦ ବିଲିୟନ ଆମେରିକୀୟ ଡଲାର (୭.୬୩ ଲକ୍ଷ କୋଟି ଟଙ୍କା) ବୃଦ୍ଧି ପାଇବାର ସମ୍ଭାବନା ଅଛି ।

ଏହି ରାଜିନାମା ପ୍ରସ୍ତାବ ଅନୁଯାୟୀ ପାରସ୍ପରିକ ଲାଭପ୍ରଦ କ୍ଷେତ୍ର ଓ ସହଯୋଗ ପାଇଁ ନିମ୍ନ ପରିକଳ୍ପନାଗୁଡିକ କରାଯାଇଛି:  

ଶିଳ୍ପ କ୍ଷେତ୍ରରେ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାରେ ଥିବା ସ୍ଥିତିସ୍ଥାପକତାକୁ ମଜବୁତ କରିବା

ନବୀକରଣ ଯୋଗ୍ୟ ଓ ଉର୍ଜା ଦକ୍ଷତା ବୃଦ୍ଧି 

ସ୍ୱାସ୍ଥ୍ୟ ଓ ଜୀବ ବିଜ୍ଞାନ

ମହାକାଶ ବ୍ୟବସ୍ଥା

କୃତ୍ରିମ ବୁଦ୍ଧିମତା

ଶିଳ୍ପ ୪.୦ ସହାୟକ ପ୍ରଯୁକ୍ତି

ମାନକୀକରଣ, ମେଟ୍ରୋଲଜି, ସାଦୃଶ୍ୟ ନିର୍ଦ୍ଧାରଣ, ମାନ୍ୟତା ଓ ହଲାଲ ପ୍ରମାଣନ

ଏହି ରାଜିନାମା ପ୍ରସ୍ତାବର ଉଦ୍ଦେଶ୍ୟ ହେଲା ଉଭୟ ଦେଶର ବିକାଶଶୀଳ ଶିଳ୍ପ ସଂସ୍ଥାକୁ ନିବେଶ, ପ୍ରଯୁକ୍ତି ହସ୍ତାନ୍ତରଣ, ଶିଳ୍ପ ସଂସ୍ଥାଗୁଡିକରେ ପ୍ରମୁଖ ପ୍ରଯୁକ୍ତି ସ୍ଥାପନ କରିବା । ଏହାଦ୍ୱାରା ଅର୍ଥବ୍ୟବସ୍ଥାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏହି ରାଜିନାମା ପ୍ରସ୍ତାବ କାର୍ଯ୍ୟାନ୍ୱୟନ ଦ୍ୱାରା ପାରସ୍ପରିକ ସହଯୋଗର ସମସ୍ତ କ୍ଷେତ୍ର ବିଶେଷ କରି ଅକ୍ଷୟ ଶକ୍ତି, କୃତ୍ରିମ ବୁଦ୍ଧିମତା, ଶିଳ୍ପ ଉପଯୋଗୀ ପ୍ରଯୁକ୍ତି ଏବଂ ସ୍ୱାସ୍ଥ୍ୟ ଓ ଜୀବ ବିଜ୍ଞାନ କ୍ଷେତ୍ରରେ ଗବେଷଣା ଓ ନବାଚାରକୁ ପ୍ରୋତ୍ସାହିତ କରିବ । ଏହାଦ୍ୱାରା ଏସବୁ କ୍ଷେତ୍ରର ବିକାଶ ହେବା ସହ ଘରୋଇ ଉତ୍ପାଦନ ବୃଦ୍ଧି, ରପ୍ତାନୀ ବୃଦ୍ଧି ଓ ଆମଦାନୀ ହ୍ରାସ ହୋଇପାରିବ ।

ରାଜିନାମା ପ୍ରସ୍ତାବରେ ସ୍ୱାକ୍ଷର କରିବା ଦ୍ୱାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ହେବା ସହ ଭାରତକୁ ଆତ୍ମନିର୍ଭର ଦେଶ ଭାବେ ଗଢି ତୋଳିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପୂରଣ ହୋଇପାରିବ । 

 

SR



(Release ID: 1832408) Visitor Counter : 172