ନିର୍ବାଚନ ଆୟୋଗ

ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଅଧ୍ୟକ୍ଷଭାବେ ଭାରତ ନିର୍ବାଚିତ; ୨୦୨୪ ପର୍ଯ୍ୟନ୍ତ ଏହି ପଦରେ ରହିବ

Posted On: 11 MAY 2022 12:19PM by PIB Bhubaneshwar

ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଅଧ୍ୟକ୍ଷଭାବେ ଭାରତ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛି । ଭାରତ ଦୁଇବର୍ଷ (୨୦୨୨-୨୦୨୪) ପାଇଁ ଏହି ପଦରେ ରହିବ । ମେ ସାତ ତାରିଖରେ ଫିଲିପାଇନ୍ସର ମାନିଲାଠାରେ ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘ (ଆସୋସିଏସନ ଅଫ୍ ଏସିଆନ ଇଲେକ୍‌ସନ ଅଥରିଟି-ଏଏଇଏ) କାର୍ଯ୍ୟନିର୍ବାହୀ ପରିଷଦ ଏବଂ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ମହାସଂଘର ନୂଆ ଅଧ୍ୟକ୍ଷଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛି । ଭାରତ ତାହାର ନୂଆ ଦାୟିତ୍ୱ ବର୍ତ୍ତମାନର ଅଧ୍ୟକ୍ଷ ଫିଲିପାଇନ୍ସ ନିର୍ବାଚନ ଆୟୋଗଠାରୁ ଗ୍ରହଣ କରିବ ।

ଏହି ମହାସଂଘର କାର୍ଯ୍ୟନିର୍ବାହୀ ପରିଷଦର ନୂଆ ସଦସ୍ୟଭାବେ ଇତିମଧ୍ୟରେ ରୁଷିଆ, ଉଜ୍‌ବେକିସ୍ଥାନ, ଶ୍ରୀଲଙ୍କା, ମାଳଦ୍ୱୀପ, ତାଇୱାନ ଓ ଫିଲିପାଇନ୍ସ ଯୋଗଦେଇଛନ୍ତି । ମାନିଲାରେ ଅନୁଷ୍ଠିତ ମହାସଂଘର କାର୍ଯ୍ୟକାରୀ କମିଟି ବୈଠକରେ ଭାରତର ଉପନିର୍ବାଚନ କମିଶନର ଶ୍ରୀ ନୀତେଶ ବ୍ୟାସ, ମଣିପୁରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ରାଜେଶ ଅଗ୍ରୱାଲ ଓ ରାଜସ୍ଥାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପ୍ରବୀଣ ଗୁପ୍ତ ଯୋଗଦେଇଥିଲେ । ଭାରତୀୟ ପ୍ରତିନିଧିମାନେ ଏହି ବୈଠକରେ ୨୦୨୨-୨୪ର କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ । ଏଥିରେ ଭାରତ ପକ୍ଷରୁ ନିର୍ବାଚନରେ ଲିଙ୍ଗଗତ ପ୍ରସଙ୍ଗ ଉପରେ ଏକ ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା । ନିର୍ବାଚନ ପ୍ରକ୍ରିୟା ଓ ମତଦାନରେ ଥିବା ବିଭିନ୍ନ ସାମାଜିକ-ରାଜନୀତିକ ପ୍ରତିବନ୍ଧକକୁ ଦୂର କରି ଏହାକୁ ସାର୍ବଜନୀନ ଏବଂ ସମାବେଶୀ କରିବାକୁ ଭାରତ କିପରି ଉଦ୍ୟମ କରୁଛି ଏଥିରେ ତାହାର ଉଲ୍ଲେଖ ରହିଛି ।

 ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଉଦ୍ଦେଶ୍ୟ ହେଲା ଏସିଆ ମହାଦେଶର ବିଭିନ୍ନ ଦେଶରେ ଏକ ନିରପେକ୍ଷ ମଞ୍ଚଭାବେ କାମ କରି ଉତ୍ତମ ନିର୍ବଚାନ ପରିଚାଳନା ପାଇଁ ଶ୍ରେଷ୍ଠ ନୀତି ଓ ପରାମର୍ଶ ଯୋଗାଇବା । ସେଥିପାଇଁ ପ୍ରତ୍ୟେକ ସଭ୍ୟ ରାଷ୍ଟ୍ରର ନିର୍ବାଚନ ଆୟୋଗମାନ ନିଜ ନିଜ ମଧ୍ୟରେ ଆଲୋଚନା କରି ଉତ୍ତମ ନୀତି ଏବଂ ଅଭିଜ୍ଞତା ବଳରେ ବିଭିନ୍ନ ସଭ୍ୟ ରାଷ୍ଟ୍ରରେ ଅବାଧ ନିର୍ବାଚନ, ସୁଶାସନ ଓ ଗଣତନ୍ତ୍ର ନିମନ୍ତେ ସହାୟତା ଯୋଗାଉଛନ୍ତି ।

 ଏଏଇଏର ସଭ୍ୟ ରାଷ୍ଟ୍ରର ଅଧିକାରୀମାନେ ଏହି ମଞ୍ଚ ମାଧ୍ୟମରେ ନିୟମିତ ଭାବେ ବିଭିନ୍ନ ଆନ୍ତର୍ଜାତିକ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତି । ଏହି ତାଲିମ କାର୍ଯ୍ୟକ୍ରମକୁ ଭାରତ ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ପ୍ରତିଷ୍ଠାନ(ଆଇଆଇଆଇଡିଇଏମ୍‌) ବିଭିନ୍ନ ସମୟରେ ଆୟୋଜିତ କରିଥାଏ । ୨୦୧୯ଠାରୁ ୨୫୦ରୁ ଅଧିକ ବିଭିନ୍ନ ସଭ୍ୟ ରାଷ୍ଟ୍ରର ଅଧିକାରୀ ଏହି କାର୍ଯ୍ୟକ୍ରମଗୁଡିକରେ ଭାଗ ନେଇଛନ୍ତି । ୨୦୨୧-୨୨ରେ ବାଂଲାଦେଶ ନିର୍ବାଚନ ଆୟୋଗର ୫୦ ଅଧିକାରୀ ଏହି ପ୍ରତିଷ୍ଠାନ ଦ୍ୱାରା ତାଲିମ ନେଇଥିଲେ । 

ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମରେ ଏଏଇଏର ପ୍ରତିନିଧି ନିୟମିତ ଭାବେ ଯୋଗଦେଇଥାନ୍ତି । ୨୦୨୨ ବିଧାନସଭା ନିର୍ବାଚନ ସମୟରେ ଭାରତର ନିର୍ବାଚନ ଆୟୋଗ ଆଭାସୀ ବ୍ୟବସ୍ଥାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହା ଥିଲା ତୃତୀୟ ଆନ୍ତର୍ଜାତିକ ଆଭାସୀ ପରିଦର୍ଶକ କାର୍ଯ୍ୟକ୍ରମ । ଏଥିରେ ଏଏଇଏର ୧୨ସଦସ୍ୟ ରାଷ୍ଟ୍ରରୁ ୬୨ ଅଧିକାରୀ ଭାଗ ନେଇଥିଲେ। ଏଏଇଏ ମଧ୍ୟ ୧୧୮ ସଦସ୍ୟ ବିଶିଷ୍ଟ ବିଶ୍ୱ ନିର୍ବାଚନ ଆୟୋଗ ମହାସଂଘର ଏକ ସହଯୋଗୀ ସଦସ୍ୟ ।

ସୂଚନାଯୋଗ୍ୟ ଯେ ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘ ୧୯୯୮ରେ ଗଠିତ ହୋଇଥିଲା । ୧୯୯୭ ଜାନୁୟାରୀ ୨୬ରୁ ୨୯ଯାଏ ମାନିଲାରେ ଏସିଆର ବିଭିନ୍ନ ଦେଶର ନିର୍ବଚାନ ଆୟୋଗ ମାନଙ୍କର ଯେଉଁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ଏକ ପ୍ରସ୍ତାବ ଗୃହୀତ ହୋଇ ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଗ ଗଠନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏବେ ଏସିଆର ୨୦ ଦେଶ ଏଏଇଏର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଅଛନ୍ତି । ଭାରତ ଏହି କାର୍ଯ୍ୟନିର୍ବାହୀ ପରିଷଦର ପ୍ରତିଷ୍ଠାତା ସଦସ୍ୟ । ଏହା ପୂର୍ବରୁ ଭାରତ ୨୦୧୧ରୁ ୧୩ ଯାଏ ଏଏଇଏର ଉପାଧ୍ୟକ୍ଷ ଓ ୨୦୧୪-୧୬ଯାଏ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛି ।

 

*****

TM/ SLP



(Release ID: 1824522) Visitor Counter : 158