ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ

ଆଜାଦି କା ଅମ୍ରିତ ମହୋତ୍ସବ ଅନ୍ତର୍ଗତ “କିସାନ ଭାଗିଦାରୀ ପ୍ରାଥମିକତା ହମାରି” ଅଭିଯାନ ଆୟୋଜିତ


ଦେଶର ପ୍ରାୟ ୨୦୦୦ ସ୍ଥାନରୁ ଏକ ଲକ୍ଷରୁ ଅଧିକ ଚାଷୀ ଯୋଗ ଦେଲେ

Posted On: 29 APR 2022 11:36AM by PIB Bhubaneshwar

ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରାଳୟ ଆଜାଦି କେ ଅମ୍ରିତ ମହୋତ୍ସବର ଅଂଶ ସ୍ୱରୂପ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ସହଯୋଗରେ ଏପ୍ରିଲ ୨୫ରୁ ୩୦ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ “କିସାନ ଭାଗିଦାରୀ ପ୍ରାଥମିକତା ହମାରି” ଅଭିଯାନ ଆୟୋଜନ କରିଛନ୍ତି । ଏହି ଅଭିଯାନର ଚତୁର୍ଥ ଦିନ, ଏପ୍ରିଲ ୨୮, ୨୦୨୨ରେ ମତ୍ସ୍ୟ ବିଭାଗ ପକ୍ଷରୁ ପଶୁପାଳନ ତଥା ଦୁଗ୍ଧ ଉତ୍ପାଦନ ବିଭାଗ ସହଯୋଗରେ ଭର୍ଚ୍ୟୁଆଲ ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା । ଏହି ସଚେତନତା ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା ମତ୍ସ୍ୟ ଚାଷୀ, ଗୋପାଳକ, ଦୁଗ୍ଧ ଚାଷୀ ଓ ଅନ୍ୟ ହିତାଧିକାରୀଙ୍କ ମଧ୍ୟରେ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରାଳୟ ଦ୍ୱାରା ପ୍ରଣୀତ ଯୋଜନାଗୁଡିକ ସମ୍ପର୍କରେ ସଚେତନତା ସୃଷ୍ଟି ତଥା ଏହି ଯୋଜନାଗୁଡିକର ଫାଇଦା ନେବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ।   

ଏହି ଅବସରରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୁପାଲା ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ନିଯୁକ୍ତି ତଥା ରୋଜଗାର ସୃଷ୍ଟିରେ ମତ୍ସ୍ୟ ପାଳନ ଓ ପଶୁଧନ କ୍ଷେତ୍ରର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସେ ବିଭିନ୍ନ ରାଜ୍ୟର କୃଷକମାନଙ୍କ ସହ କଥାବାର୍ତ୍ତା କରିଥିଲେ ଓ ସେମାନଙ୍କୁ ମନ୍ତ୍ରାଳୟର ବିଭିନ୍ନ ଯୋଜନାର ଫାଇଦା ନେବାକୁ ପ୍ରୋତ୍ସାହିତ କରିଥିଲେ । ଏହି ଅବସରରେ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡଃ ଏଲ. ମୁରୁଗାନ ଏବଂ ଶ୍ରୀ ସଂଜୀବ କୁମାର ବାଲ୍ୟାନ ଉପସ୍ଥିତ ଥିଲେ ।

ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ଯୁଗ୍ମ ସଚିବ ଡଃ ଓ.ପି. ଚୌଧୁରୀ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ ଏହି ଆୟୋଜନ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଅଧିବେଶନରେ ଏନଏଲଏମ/ଆରଜିଏମ/ଏଏଚଆଇଡିଏଫର ବିଭିନ୍ନ ଉଦ୍ୟୋଗୀ ଯୋଜନା ସହିତ ମତ୍ସ୍ୟ ବିଭାଗର ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା (ପିଏମଏମଏସଓ୍ୱାଇ), ମତ୍ସ୍ୟ ଭିତ୍ତିଭୂମି ବିକାଶ ପାଣ୍ଠି (ଏଫଆଇଡିଏଫ) ଓ କିସାନ କ୍ରେଡିଟ କାର୍ଡ (କେସିସି) ସହ କୃଷି, ମତ୍ସ୍ୟପାଳନ ସାଙ୍ଗକୁ ଆନୁଷଙ୍ଗିକ ଗତିବିଧି ସହ ଜଡିତ କୃଷକ ଓ ସଂଗଠନଗୁଡିକ ସମ୍ପର୍କରେ ଆଲୋକପାତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମତ୍ସ୍ୟ ପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ଫେସବୁକ ପେଜରେ ଲାଇଭ ଷ୍ଟ୍ରିମ କରାଯାଇଥିଲା, ଯେଉଁଥିରେ ବହୁ ଲୋକ ଅନଲାଇନରେ ସାମିଲ ହୋଇଥିଲେ । ଭାରତର ପ୍ରାୟ ୨୦୦୦ ସ୍ଥାନରୁ ଏକ ଲକ୍ଷରୁ ଅଧିକ ଚାଷୀ ଏହି ଅଧିବେଶନରେ ସାମିଲ ହୋଇଥିଲେ ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ଅନ୍ତର୍ଦ୍ଦେଶୀୟ ମତ୍ସ୍ୟ ପାଳନ ଯୁଗ୍ମ ସଚିବ ଶ୍ରୀ ସାଗର ମେହେରା ଉପସ୍ଥିତ ବ୍ୟକ୍ତି ବିଶେଷ କରି ଚାଷୀମାନଙ୍କୁ ସେମାନଙ୍କ ଉତ୍ସାହ ଓ ସକ୍ରିୟ ଭାଗିଦାରୀ ପାଇଁ ଧନ୍ୟବାଦ ଜଣାଇଥିଲେ । ମତ୍ସ୍ୟ ପାଳନ ଉଦ୍ୟୋଗରେ ଉଦ୍ୟମିତାର ସୁଯୋଗକୁ ପ୍ରୋତ୍ସାହିତ କରିବା ଓ ଉପସ୍ଥିତ କୃଷକମାନଙ୍କୁ ପ୍ରେରଣା ଦେବା ପାଇଁ ଉଦ୍ୟୋଗୀ ମତ୍ସ୍ୟ ଚାଷୀମାନଙ୍କ ସଫଳତା କାହାଣୀ ପ୍ରଦର୍ଶିତ ହୋଇଥିଲା ।

 

 

SR



(Release ID: 1821430) Visitor Counter : 198