କ୍ୟାବିନେଟ

 ଇଣ୍ଡିଆ ପୋଷ୍ଟ ପେମେଣ୍ଟେସ୍ ବ୍ୟାଙ୍କ ଗଠନ ସଂକ୍ରାନ୍ତ ସଂଶୋଧିକ ଖର୍ଚ୍ଚ ଅଟକଳକୁ କ୍ୟାବିନେଟର ଅନୁମୋଦନ


୨୦୨୦-୨୧ରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ଅତିରିକ୍ତ ୮୨୦ କୋଟି ଟଙ୍କା ସରକାର ଯୋଗାଇଦେବେ

ଏବେ ମୋଟ ବ୍ୟୟବରାଦ ୨୨୫୫ କୋଟି ଟଙ୍କାରେ ପହଞ୍ଚିଲା

Posted On: 27 APR 2022 4:51PM by PIB Bhubaneshwar


ନୂଆଦିଲ୍ଲୀ, ୨୭ା୪(ପିଆଇବି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟେସ୍ ବ୍ୟାଙ୍କ (ଆଇପିପିବି)ପ୍ରତିଷ୍ଠା ସଂକ୍ରାନ୍ତ ପ୍ରକଳ୍ପ ବ୍ୟୟ ଅଟକଳକୁ ସଂଶୋଧିତ କରାଯାଇଛି । ଏବେ ଏହି ପ୍ରକଳ୍ପର ଖର୍ଚ୍ଚ ୧୪୩୫ କୋଟିରୁ ୨୨୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ପ୍ରକଳ୍ପ ପାଇଁ ଇକ୍ୟୁଇଟି ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ଯେଉଁ ନିୟାମକ  ବ୍ୟବସ୍ଥା ରହିଛି ତାହାକୁ ପୂରଣ କରିବା ପାଇଁ ବ୍ୟୟ ଅଟକଳ ବୁଦ୍ଧିର ଆବଶ୍ୟକତା ରହିଥିଲା ।

ଆଜି କ୍ୟାବିନେଟ ବୈଠକରେ ମଧ୍ୟ ଟେକ୍ନୋଲୋଜିର ବିକାଶ ଓ ନିୟାମକ ଆବଶ୍ୟକତା ପୂରଣ ପାଇଁ ଏହି ପ୍ରକଳ୍ପରେ ୫୦୦କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ସୁଯୋଗ ସୃଷ୍ଟିକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି ।

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶର ସାଧାରଣ ଜନତାଙ୍କ ପାଇଁ ଏକ ସହଜ, ସୁଗ. ବିଶ୍ୱାସଯୋଗ୍ୟ ଓ ସ୍ୱଳ୍ପ ବ୍ୟୟର ବ୍ୟାଙ୍କ ବ୍ୟବସ୍ଥା ସୃଷ୍ଟି କରିବ । ବ୍ୟାଙ୍କ ସେବା ନ ଥିବା ଦେଶର ଅଗମ୍ୟ, ଅପହଞ୍ଚ ଓ ଅନୁନ୍ନତ ଅଂଞ୍ଚଳରେ ଲୋକଙ୍କୁ ସେମାନଙ୍କ ଘରପାଖରେ ସହଜରେ ବ୍ୟାଙ୍କ ସେବା ଓ ଆର୍ଥିକ କାରବାର ସୁବିଧା ଯୋଗାଇ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସମାବେଶୀ କରିବାକୁ ସରକାର  ଯେଉଁ ଲକ୍ଷ୍ୟ ରଖିଛନ୍ତି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ତାହାର ଏକ ପ୍ରମୁଖ ଅଂଶ । ଏହି ପ୍ରକଳ୍ପ  ମଧ୍ୟ ଭାରତ ସରକାରଙ୍କ “ସ୍ୱଳ୍ପ ନଗଦ” (ଲେସ୍ କ୍ୟାସ୍‌) ଅର୍ଥନୀତି  ଲକ୍ଷ୍ୟକୁ ପୂରଣ କରିବା ସହିତ ଉଭୟ ଅର୍ଥନୀତିକ ଅଭିବୃଦ୍ଧି ଓ ଆର୍ଥିକ ସମାବେଶୀକରଣ ପ୍ରୟାସକୁ ସାକାର କରିବାରେ ସହାୟକ ହେବ ।

୨୦୧୮ ସେପ୍ଟେମ୍ବର ପହିଲାରେ ଭାରତରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଆରମ୍ଭ ହୋଇଥିଲା । ଏଥିରେ ୬୫୦ଶାଖା ଓ ନିୟନ୍ତ୍ରଣ ଅଫିସ ଖୋଲାଯାଇଥିଲା ।  ଆଇପିପିବି ବ୍ୟବସ୍ଥାରେ ଦେଶର ୧. ୩୬ ଲକ୍ଷ ଡାକଘର ଲୋକଙ୍କୁ ଏବେ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି । ଏଥିରେ ପ୍ରାୟ ୧. ୮୯ ଲକ୍ଷ ପୋଷ୍ଟମ୍ୟାନ ଓ ଗ୍ରାମୀଣ ଡାକସେବକ ସ୍କାର୍ଟଫୋନ ଓ ବାୟୋମେଟ୍ରିକ ଡିଭାଇସ୍ ମାଧ୍ୟମରେ ଲୋକଙ୍କୁ ଘର ପାଖରେ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ।

 ଆଇପିପିବି ଆରମ୍ଭ ହେବା ପରଠାରୁ ୫. ୨୫କୋଟିରୁ ଅଧିକ ଆକାଉଣ୍ଟ ଖୋଲିଛି ଏବଂ ଏହା ମାଧ୍ୟମରେ ୫୨କୋଟି କାରବାର ହୋଇଛି । କାରବାର ହୋଇଥିବା ମୋଟ  ଅର୍ଥ ପରିମାଣ ୧. ୬୧, ୮୧୧ କୋଟି ଟଙ୍କା। ସମ୍ପୃକ୍ତ ପାଞ୍ଚ କୋଟି ଆକାଉଣ୍ଟ ମଧ୍ୟରୁ ୭୭ ଶତାଂଶ ଗ୍ରାମାଞ୍ଚଳରେ ଖୋଲିଛି । ଆହୁରି ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ୪୮ଶତାଂଶ ମହିଳା ଯେଉଁମାନେ ମୋଟ ପ୍ରାୟ ୧୦୦୦କୋଟି ଟଙ୍କା ଜମା ରଖିଛନ୍ତି । ପ୍ରାୟ ୪୦ ଲକ୍ଷ ମହିଳା ଗ୍ରାହକ ଡିବିଟି ବ୍ୟବସ୍ଥାରେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଲାଭ ଓ ଆର୍ଥିକ ସହାୟତା ପାଉଛନ୍ତି । ସେ ବାବଦ ମୋଟ ପ୍ରାମୟ ୨୫୦୦କୋଟି ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଯାଉଛି । ଏହା ବ୍ୟତୀତ ଏହି ବ୍ୟବସ୍ଥାରେ ୭.୮ ଲକ୍ଷରୁ ଅଧିକ ସ୍କୁଲପିଲାଙ୍କ ଆକାଉଣ୍ଟ ଖୋଲାଯାଇଛି ।

ଦେଶର ଆକାଂକ୍ଷୀ ଜିଲ୍ଲାଗୁଡିକରେ ଆଇପିପିବି ପ୍ରାୟ ୯୫.୭୧ କୋଟି ଆକାଉଣ୍ଟ ଖୋଲିଛି । ଏହା ମାଧ୍ୟମରେ ମୋଟ ୧୯,୪୮୭ କୋଟି ଟଙ୍କାର କାରବାର ୬୯୨ଥର ହୋଇଛି । ସେହିଭଳି ବାମ ଉଗ୍ରପନ୍ଥୀ ପ୍ରଭାବିତ ଜିଲ୍ଲାଗୁଡିକରେ ୬୭.୨୦ ଲକ୍ଷ ଆକାଉଣ୍ଟ ଖୋଲାଯାଇ ୧୩,୪୦୦ କୋଟିି ଟଙ୍କା କାରବାର ହୋଇଛି ।

ଏବେ ଏହି ଆଇପିପିବି ବ୍ୟବସ୍ଥାରେ ମୋଟ ଖର୍ଚ୍ଚ ୮୨୦ କୋଟି ଟଙ୍କାରେ ପହଞ୍ଚିଛି । ଆଜିର କ୍ୟାବିନେଟ ନିଷ୍ପତ୍ତି ଫଳରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ  ଡାକବିଭାଗର ଦାୟିତ୍ୱ ଓ କାର୍ଯ୍ୟ ବଢାଇବା ସହିତ ଦେଶର ଆର୍ଥିକ ସମାବେଶୀ ପ୍ରକ୍ରିୟାକୁ ବଢାଇବାରେ ସହାୟକ ହେବ ।

****

TKM/SLP

 

 



(Release ID: 1820716) Visitor Counter : 173