ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାନନୀୟ ସ୍କଟ୍‌ ମୋରିସନଙ୍କ ଉପସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜିତ

ପୋଷ୍ଟ କରାଯିବା ଦିନାଙ୍କ: 21 MAR 2022 6:19PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାନନୀୟ ସ୍କଟ୍‌ ମୋରିସନଙ୍କ ଉପସ୍ଥିତିରେ ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଶିଖର ସମ୍ମିଳନୀ ସମୟରେ ସେମାନେ ଦୁଇ ଦେଶ ମଧ୍ୟରେ ରହିଥିବା ବହୁପକ୍ଷୀୟ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ କ୍ଷେତ୍ରୀୟ ତଥା ବିଶ୍ୱସ୍ତରୀୟ ଘଟଣାବଳୀ ସମ୍ପର୍କରେ ବିଚାର ଆଦାନପ୍ରଦାନ କରିଥିଲେ ।

ଶିଖର ସମ୍ମିଳନୀ ପ୍ରାରମ୍ଭରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନ୍ୟୁ ସାଉଥ ୱେଲ୍ସ ଏବଂ କୁଇନ୍ସଲ୍ୟାଣ୍ଡରେ ଭୀଷଣ ବନ୍ୟା କାରଣରୁ ହୋଇଥିବା କ୍ଷୟକ୍ଷତି ଏବଂ ଏହାର ପରିଣାମସ୍ୱରୂପ ହୋଇଥିବା ଧନଜୀବନ ହାନିକୁ ନେଇ ଗଭୀର ଦୁଃଖ ପ୍ରକଟ କରିଥିଲେ ।

ଦୁଇ ନେତା ଜୁନ ୨୦୨୦ରେ ପ୍ରଥମ ଭର୍ଚୁଆଲ ଶିଖର ସମ୍ମିଳନୀ କାଳରେ ପ୍ରତିଷ୍ଠା କରାଯାଇଥିବା ବ୍ୟାପକ ରଣନୈତିକ ଭାଗୀଦାରୀ ଅଧୀନରେ ହୋଇଥିବା ପ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପାରସ୍ପରିକ ସମ୍ପର୍କର ପରିଧିକୁ ବୃଦ୍ଧି ପାଇବାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଦୁଇ ଦେଶର ବର୍ଦ୍ଧିତ ସମ୍ପର୍କ ପରିଧି ମଧ୍ୟରେ ଏବେ ବ୍ୟବସାୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ଶିକ୍ଷା ଏବଂ ନବସୃଜନ, ବିଜ୍ଞାନ ଓ ପ୍ରଯୁକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ, ଜଳ ପରିଚାଳନା, ନୂତନ ଏବଂ ଅକ୍ଷୟ ଶକ୍ତି ପ୍ରଯୁକ୍ତି, କୋଭିଡ-୧୯ ମୁକାବିଲା ସହ ଜଡ଼ିତ ଗବେଷଣା ଆଦି ବିବିଧ କ୍ଷେତରକୁ ସାମିଲ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ମାନନୀୟ ସ୍କଟ୍‌ ମୋରିସନଙ୍କୁ ୨୯ଟି ପ୍ରାଚୀନ କଳାକୃତିକୁ ଭାରତ ଫେରାଇବା ଲାଗି କରାଯାଇଥିବା ବିଶେଷ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି କଳାକୃତିଗୁଡ଼ିକ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ମୂର୍ତ୍ତି, ଚିତ୍ରକଳା ଏବଂ ଫଟୋଚିତ୍ର ସାମିଲ ରହିଛି, ଯେଉଁଥିରେ ନବମ ଏବଂ ଦଶମ ଶତାବ୍ଦୀର କେତେକ କଳାକୃତି ରହିଛି ଏବଂ ଭାରତର ବିଭିନ୍ନ ଅଞ୍ଚଳ ସହ ଏଗୁଡ଼ିକର ସମ୍ପର୍କ ରହିଛି । ଏସବୁ କଳାକୃତି ମଧ୍ୟରେ ଦ୍ଵାଦଶ ଶତାବ୍ଦୀର ଚୋଳ କାଂସ୍ୟ, ରାଜସ୍ଥାନର ଏକାଦଶ ଏବଂ ଦ୍ଵାଦଶ ଶତାବ୍ଦୀର ଜୈନ ମୂର୍ତ୍ତି, ଗୁଜରାଟର ଦ୍ଵାଦଶ-ତ୍ରୟୋଦଶ ଶତାବ୍ଦୀର ବଲୁଆ ପଥର ନିର୍ମିତ ଦେବୀ ମହିଷାସୁରମର୍ଦ୍ଦିନୀ, ଅଷ୍ଟାଦଶ-ଉନବିଂଶ ଶତାବ୍ଦୀର ଚିତ୍ରକଳା ଏବଂ ପୂର୍ବ କାଳର ଜିଲେଟିନ୍‌ ରୌପ୍ୟ ଫଟୋଚିତ୍ର ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ-୧୯ ମହାମାରୀ ସମୟରେ ଅଷ୍ଟ୍ରେଲିଆରେ ଥିବା ଭାରତୀୟ ସମୁଦାୟ, ବିଶେଷ କରି ପାଠ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରତି ଧ୍ୟାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋରିସନଙ୍କୁ ଧନ୍ୟବାଦ ଜଣାଇଥିଲେ । 

ଦୁଇ ନେତାମାନେ ସହଭାଗୀ ମୂଲ୍ୟବୋଧ ଏବଂ ସମାନ ହିତ ଆଧାରିତ ସହଯୋଗୀ ଗଣତନ୍ତ୍ର ଭାବେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ସମ୍ପର୍କକୁ ପ୍ରଶଂସା କରିଥିଲେ, ଯେଉଁଥିରେ ଏକ ସ୍ୱାଧୀନ, ମୁକ୍ତ, ସମାବେଶୀ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସାମିଲ ରହିଛି ।

ଏହି ଅବସରରେ ଗଭୀର ବ୍ୟାପକ ରଣନୈତିକ ଭାଗୀଦାରୀର ବିଭିନ୍ନ ଦିଗକୁ ସାମିଲ କରି ଏକ ମିଳିତ ବକ୍ତବ୍ୟ ଜାରି କରାଯାଇଥିଲା। ଦୁଇ ପକ୍ଷ ବ୍ୟାପକ ରଣନୈତିକ ଭାଗୀଦାରୀ ଅଧୀନରେ ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବାର୍ଷିକ ଶିଖର ବୈଠକ ଆୟୋଜନ କରିବା ଲାଗି ମଧ୍ୟ ସହମତ ହୋଇଥିଲେ ଏବଂ ଏହାସହିତ ଦ୍ଵିପାକ୍ଷିକ ସମ୍ପର୍କରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ଯୋଡ଼ି ହୋଇଥିଲା ।

 

*******

P.S.


(ରିଲିଜ ଆଡି: 1808006) ପରିଦର୍ଶକ କାଉଣ୍ଟର : 201