ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

Posted On: 19 MAR 2022 10:55PM by PIB Bhubaneshwar

ମହାମହିମ ପ୍ରଧାନମନ୍ତ୍ରୀ କିଶିଡା,

ସମ୍ମାନନୀୟ ପ୍ରତିନିଧି ବୃନ୍ଦ, 

ନମସ୍କାର!

ଜାପାନର ପ୍ରଧାନମନ୍ତ୍ରୀଭାବେ ଶ୍ରୀ କିଶିଡାଙ୍କ ପ୍ରଥମ ଭାରତ ଗସ୍ତରେ ମୁଁ ବିଶେଷ ଆନନ୍ଦିତ ଏବଂ ତାଙ୍କୁ ଏହି ଅବସରରେ ସ୍ୱାଗତ ଜଣାଉଛି ।

ମାତ୍ର ଅଳ୍ପଦିନ ତଳେ ଜାପାନରେ ଘଟିଯାଇଥିବା ଭୂମିକମ୍ପରେ ଧନଜୀବନ ହାନୀ ପାଇଁ ମୁଁ ଭାରତବାସୀଙ୍କ ପକ୍ଷରୁ ଶୋକ ପ୍ରକାଶ କରୁଛି ।

 ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ କିଶିଡା ଭାରତର ଜଣେ ପୁରୁଣା ବନ୍ଧୁ । ବୈଦେଶିକ ମନ୍ତ୍ରୀ ଭାବେ ସେ ପୂର୍ବରୁ ଏକାଧିକବାର ଭାରତ ଗସ୍ତରେ ଆସିଛନ୍ତି । ବିଗତ କେତେବର୍ଷ ଧରି ଭାରତ-ଜାପାନ ସ୍ୱତନ୍ତ୍ର ରଣକୌଶଳ ଅଂଶୀଦାରୀ ଓ ବୈଶ୍ୱିକ ସହଯୋଗିତାରେ ଯେଉଁ ଅଭୂତପୂର୍ବ ପ୍ରଗତି ଘଟିଛି ସେଥିରେ ପ୍ରଧାନମନ୍ତ୍ରୀ କିଶିଡାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଆଜିର ଶିଖରବାର୍ତ୍ତା ଏକ ଅତି ଗୁରୁତ୍ୱପୂର୍ଣ୍ଣ ସମୟରେ ଆୟୋଜିତ ହୋଇଛି । ସମଗ୍ର ବିଶ୍ୱ ମଧ୍ୟ ଏହି କୋଭିଡ ମହାମାରୀ ଓ ଏହାର ପ୍ରଭାବ ବିରୋଧରେ ସଂଘର୍ଷ କରୁଛି । ବୈଶ୍ୱିକ ଅର୍ଥନୀତିକ ପୁନରୁଦ୍ଧାର ପ୍ରକ୍ରିୟା ଏବେ ମଧ୍ୟ ବାଧାପ୍ରାପ୍ତ ଅବସ୍ଥାରେ ଅଛି । ଭୂ-ରାଜନୈତିକ ଘଟଣାମାନ ମଧ୍ୟ ନୂଆ ଆହ୍ୱାନ ସୃଷ୍ଟି କରିଛି ।

 ଏହି ପରିପ୍ରେକ୍ଷୀରେ ଭାରତ-ଜାପାନ ସମ୍ପର୍କ ଅଧିକ ନିବିଡ ହେବା ବିଶେଷ ଗୁରୁତ୍ୱ ବହନ କରେ । ଏହା ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ଏହା ଦ୍ୱାରା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶକ୍ତି, ସମୃଦ୍ଧି ଓ ସ୍ଥିରତା ପ୍ରୋତ୍ସାହିତ ହେବ । ସମଗ୍ର ବିଶ୍ୱରେ ମଧ୍ୟ ଏହା ଶାନ୍ତି ଓ ସ୍ଥିରତା ଆଣି ବିକାଶ ପ୍ରକ୍ରି୍ରୟାକୁ ତ୍ୱରାନ୍ୱିତ କରିବ ।

ଆମର ପାରସ୍ପରିକ ବିଶ୍ୱାସ,ଆମର ସମଭାଗୀ ମୂଲ୍ୟବୋଧ, ଆମର ସାଂସ୍କୃତିକ ସମ୍ବନ୍ଧ, ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ ଆଦି ଆମ ଦ୍ୱିପାକ୍ଷିକ ସମ୍ପର୍କର ମୂଳ ଆଧାର । ନିବିଡି ସମ୍ପର୍କ ଏହାକୁ ଅଧିକ ଶକ୍ତିଶାଳୀ କରୁଛି। ଆଜି ହୋଇଥିବା ଆଲୋଚନା ଆମର ପାରସ୍ପରିକ ସହଯୋଗକୁ ନୂଆ ଶିଖରକୁ ଉନ୍ନୀତ କରିବାରେ ବାଟ ଦେଖାଇବ । 

ଆମେ ଦ୍ୱିପକ୍ଷାକ୍ଷିକ ପ୍ରସଙ୍ଗ ବ୍ୟତୀତ ଅନେକ ଆଂଚଳିକ ଓ ଆର୍ନ୍ତଜାତିକ ପ୍ରସଙ୍ଗରେ ମତ ବିନିମୟ କରିଛୁ । ଆମେ ମଧ୍ୟ ମିଳିତ ଜ୍‌ାତିସଂଘ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ମଂଚରେ ଆମର ସମନ୍ୱୟକୁ ବଢାଇବାରେ ନିଷ୍ପତ୍ତି ନେଇଛୁ ।

ବନ୍ଧୁଗଣ, 

ବିଗତ କେତେବର୍ଷ ଧରି ଭାରତ-ଜାପାନ ଅର୍ଥନୀତିକ ଅଂଶୀଦାରୀ ଅଭୂତପୂର୍ବ ପ୍ରଗତି ହାସଲ କରିଛି । ଦୁଇଦେଶର ବାଣିଜ୍ୟ କ୍ଷେତ୍ରରେ ବିପୁଳ ବିଶ୍ୱାସ ଓ ଉତ୍ସାହ ସୃଷ୍ଟି ହୋଇଛି । ଭାରତରେ ସର୍ବାଧିକ ପୁଞ୍ଜିନିବେଶକାରୀ ରାଷ୍ଟ୍ରଙ୍କ ମଧ୍ୟରେ ଜାପାନ ଅନ୍ୟତମ । ଏହା ଭାରତର ଏକ ବିଶ୍ୱସ୍ତରୀୟ ଅଂଶୀଦାର । ଏହି ଅବଦାନ ପାଇଁ ଆମେ ଜାପାନ ନିକଟରେ କୃତଜ୍ଞ । 

ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଲ ପ୍ରୋଜେକ୍ଟର ପ୍ରଗତି ବେଶ୍ ଭଲ ରହିଛି । ଉଭୟ ଦେଶ ଏହି ପ୍ରକଳ୍ପରେ ମିଳିତଭାବେ କାମ କରୁଛନ୍ତି । ଗୋଟିଏ ଟିମ୍ ଗୋଟିଏ ପ୍ରକଳ୍ପର ଆଭିମୁଖ୍ୟ ରଖି ଏଥିରେ କାମ କରାଯାଉଛି । ଏହି ପ୍ରକଳ୍ପ ଭାରତ-ଜାପାନ ଅଂଶୀଦାରୀର ଏକ ବଡ ଉଦାହରଣ ।

 ୨୦୧୪ରେ ପାଞ୍ଚ ଟ୍ରିଲିୟନ ୟେନ ନିବେଶର ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହାକୁ ଆମେ ଅତିକ୍ରମ କରିଥିବାରୁ ମୁଁ ବିଶେଷ ଆନନ୍ଦିତ । ଏବେ ଆମେ ଆମ ଉଚ୍ଚାଭିଳାଷକୁ ନୂଆ ଶିଖରକୁ ନେବାକୁ ନିଷ୍ପତ୍ତି ନେଇଛୁ ଏବଂ ତଦନୁସାରେ ନିବେଶ ପରିମାଣକୁ ପାଞ୍ଚ ଟ୍ରିଲିୟନ ୟେନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ଏହାର ଅର୍ଥ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ତିନିଲକ୍ଷ ୨୫ହଜାର କୋଟି ଟଙ୍କାର ନିବେଶ ହେବ । 

ଆପଣମାନେ ସମସ୍ତେ ଜାଣନ୍ତି ଯେ ବିଗତ କେତେବର୍ଷ ଧରି ଭାରତ ପୂର୍ଣ୍ଣାଙ୍ଗ ଅର୍ଥନୀତିକ ସଂସ୍କାର କାର୍ଯ୍ୟକାରୀ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉଛି । ବେପାର ବଣିଜକୁ ସୁଗମ କରି ଏଥିରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିବାକୁ ଭାରତ ବଡ ପଦକ୍ଷେପ ନେଇଛି । ଆଜି ଭାରତ “ମେକ୍ ଇନ୍ ଇଣ୍ଡିଆ ଫର ଦି ୱାର୍ଲଡ” ପାଇଁ ଅସୀମ ସମ୍ଭାବନା ସୃଷ୍ଟି କରିଛି । 

ଏହି ପରିପ୍ରେକ୍ଷୀରେ ଜାପାନୀ କମ୍ପାନୀମାନେ ଦୀର୍ଘକାଳ ଧରି ଆମର ବ୍ରାଣ୍ଡ ଆମ୍ବାସାଡର ପାଲଟିଛନ୍ତି । ଆମ ଅଂଶୀଦାରୀରେ ଟେକ୍‌ନୋଲୋଜି ଓ ଇନୋଭେସନ କ୍ଷେତ୍ରରେ ନୂଆ ସାମ୍ମୁଖ୍ୟ ସୃଷ୍ଟି ହୋଇଛି । ଜାପାନୀ କମ୍ପାନୀଗୁଡିକ ପାଇଁ ଭାରତର ଅନୁକୂଳ ବାତାବରଣ ସୃଷ୍ଟି ସହିତ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବାକୁ ଆମେ ଅଙ୍ଗୀକାରବଦ୍ଧ । 

ଭାରତ-ଜାପାନ ଔଦ୍ୟୋଗିକ ପ୍ରତିଯୋଗିତାମୂଳକ ଅଂଶୀଦାରୀ ଯୋଜନା ଆଜିଠାରୁ ଆରମ୍ଭ ହୋଇଛି । ଏ କ୍ଷେତ୍ରରେ ଏହା ବେଶ ପ୍ରଭାବଶାଳୀ ଓ ସଫଳ ବ୍ୟବସ୍ଥାଭାବେ ପ୍ରମାଣିତ ହେବ ବୋଲି ଆଶା । 

ବନ୍ଧୁଗଣ, 

ଉଭୟ ଭାରତ ଓ ଜାପାନ ଏକ ବିଶ୍ୱାସଯୋଗ୍ୟ, ନିରାପଦ, ଭରସାଯୋଗ୍ୟ, ସ୍ଥିର ଓ କଳନୀୟ ଊର୍ଜା ଯୋଗାଣର ଗୁରୁତ୍ୱ ବୁଝନ୍ତି । ଏହା ଦ୍ୱାରା ଅର୍ଥନୀତିକ ଅଭିବୃଦ୍ଧି ନିରନ୍ତର ରହିବା ସହିତ ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସଫଳ ମୁକାବିଲା କରିହେବ । 

ଆମର ସ୍ୱଚ୍ଛ ଊର୍ଜା ସହଭାଗିଦା ଏ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ଭାବେ ପ୍ରମାଣିତ ହେବ । ଆଜି ମଧ୍ୟ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏକମତ ହୋଇଛୁ । ସେ ବିଷୟରେ ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ କିଶିଡାଙ୍କର ଏହି ଗସ୍ତ ଭାରତ-ଜାପାନ ସ୍ୱତନ୍ତ୍ର ରଣକୌଶଳାତ୍ମକ ଓ ବୈଶ୍ୱିକ ଅଂଶୀଦାରୀ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡିବାରେ ସଫଳ ହୋଇଛି । 

ପ୍ରଧାନମନ୍ତ୍ରୀ କିଶିଡା ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀର ସଦସ୍ୟମାନଙ୍କୁ ଭାରତଗସ୍ତ ପାଇଁ ମୁଁ ପୁଣିଥରେ ସ୍ୱାଗତ ଜଣାଉଛି ।

ଧନ୍ୟବାଦ ।

 

*****

TM/ SLP



(Release ID: 1807454) Visitor Counter : 159