ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାତୃଭୂମିର ଶତବାର୍ଷିକୀ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


‘‘ଅମୃତ କାଳ ଆମକୁ ଏକ ଦୃଢ଼, ବିକଶିତ ଏବଂ ସମାବେଶୀ ଭାରତ ନିର୍ମାଣ ପାଇଁ ସୁଯୋଗ ଦେଇଛି’’

‘‘ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥା ସ୍ୱଚ୍ଛ ଭାରତ ମିଶନକୁ ଅତ୍ୟନ୍ତ ନିଷ୍ଠାପରତା ସହ ଗ୍ରହଣ କରିଥିଲେ’’

‘‘ଯୋଗ, ଫିଟନେସ, ବେଟୀ ବଚାଓ ବେଟୀ ପଢ଼ାଓକୁ ଲୋକପ୍ରିୟ କରାଇବାରେ ଗଣମାଧ୍ୟମ ଅତି ଉତ୍ସାହପୂର୍ଣ୍ଣ ଭୂମିକା ନିର୍ବାହ କରିଛି’’

‘‘ଭାରତର ପ୍ରତିଭାସମ୍ପନ୍ନ ଯୁବପିଢ଼ିଙ୍କ ଶକ୍ତିରେ ପରିଚାଳିତ ହୋଇ ଆମ ଦେଶ ଆତ୍ମନିର୍ଭରଶୀଳତା ଦିଗରେ ଅଗ୍ରସର ହେଉଛି’’

‘‘ବର୍ତ୍ତମାନ ପିଢ଼ି ତୁଳନାରେ ଭବିଷ୍ୟତ ପିଢ଼ି ପାଇଁ ଏକ ଉନ୍ନତ ଜୀବନଶୈଳୀ ସୁନିଶ୍ଚିତ କରିବାର ମାର୍ଗଦର୍ଶୀ ସିଦ୍ଧାନ୍ତ ଆମ ପ୍ରୟାସରେ ନୀହିତ ରହିଛି’’

Posted On: 18 MAR 2022 12:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମାତୃଭୂମିର ଶତବାର୍ଷିକୀ ସମାରୋହକୁ ଉଦଘାଟନ କରିଛନ୍ତି ।

ସମ୍ବାଦପତ୍ରର ଯାତ୍ରାରେ ଯୋଗଦାନ ଦେଇଥିବା ସମସ୍ତ ଅଗ୍ରଣୀ ବ୍ୟକ୍ତିବିଶେଷଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମ୍ମାନ ଜଣାଇଥିଲେ । ସେ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ସୁଦୃଢ଼ କରିବା ଲାଗି ମାତୃଭୂମିର ଜନ୍ମ ହୋଇଥିଲା । ଉପନିବେଶବାଦୀ ଶାସକମାନଙ୍କ ବିରୋଧରେ ଆମ ଦେଶର ଜନସାଧାରଣଙ୍କୁ ସଂଗଠିତ କରିବା ଲାଗି ସାରା ଭାରତରେ ପ୍ରତିଷ୍ଠିତ ହୋଇଥିବା ସମ୍ବାଦପତ୍ର ଏବଂ ପତ୍ରିକାର ଗୌରବଶାଳୀ ପରମ୍ପରାର ଅଂଶବିଶେଷ ଭାବେ ମାତୃଭୂମି ସମ୍ବାଦପତ୍ରର ପ୍ରକାଶନ ଆରମ୍ଭ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତର ସ୍ୱାଧୀନତା ଆନ୍ଦୋଳନରେ ସମ୍ବାଦପତ୍ରକୁ ଅସ୍ତ୍ର ଭାବେ ବ୍ୟବହାର କରିଥିବା ଲୋକମାନ୍ୟ ତିଲକ, ମହାତ୍ମା ଗାନ୍ଧୀ, ଗୋପାଳ କୃଷ୍ଣ ଗୋଖଲେ, ଶ୍ୟାମଜୀ କୃଷ୍ଣ ବର୍ମା ଏବଂ ଅନ୍ୟ ମହାପୁରୁଷଙ୍କ ସମ୍ପର୍କରେ ସେ ଅବତାରଣା କରିଥିଲେ । ବିଶେଷ କରି, ଜରୁରି ପରିସ୍ଥିତି ସମୟରେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ଲାଗି ଶ୍ରୀ ଏମ.ପି. ବୀରେନ୍ଦ୍ର କୁମାରଙ୍କ ପ୍ରୟାସକୁ ସେ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ଆନ୍ଦୋଳନ ସମୟରେ ସ୍ୱରାଜ୍ୟ ପାଇଁ ପ୍ରାଣବଳୀ ଦେବା ପାଇଁ ଆମକୁ ସୁଯୋଗ ମିଳିନଥିଲା, ତେବେ ଏହି ଅମୃତ କାଳ ଆମକୁ ଏକ ଦୃଢ଼, ବିକଶିତ ତଥା ସମାବେଶୀ ଭାରତ ନିର୍ମାଣ ପାଇଁ ସୁଯୋଗ ଦେଇଛି । ନ୍ୟୁ ଇଣ୍ଡିଆ ଅଭିଯାନ ଉପରେ ଗଣମାଧ୍ୟମର ସକାରାତ୍ମକ ପ୍ରଭାବ ସମ୍ପର୍କରେ ସେ ବିସ୍ତୃତ ଭାବେ କହିଥିଲେ । ସେ ସ୍ୱଚ୍ଛ ଭାରତ ଅଭିଯାନର ଉଦାହରଣ ଦେଇଥିଲେ, ଯାହାକୁ ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥା ନିଷ୍ଠାପରତାର ସହ ଗ୍ରହଣ କରିଥିଲେ । ଅନୁରୂପ ଭାବେ, ଯୋଗ, ଫିଟନେସ ଏବଂ ବେଟୀ ବଚାଓ ବେଟୀ ପଢ଼ାଓକୁ ଲୋକପ୍ରିୟ କରାଇବାରେ ଗଣମାଧ୍ୟମ ଅତ୍ୟନ୍ତ ଉତ୍ସାହଜନକ ଭୂମିକା ନିର୍ବାହ କରିଥିବା ସେ କହିଥିଲେ । ଏସବୁ ବିଷୟ ରାଜନୀତି ଏବଂ ରାଜନୈତିକ ଦଳର ପରିଦୃଶ୍ୟ ଠାରୁ ଉର୍ଦ୍ଧ୍ୱରେ । ଏଗୁଡ଼ିକ ଆଗାମୀ ଦିନରେ ଏକ ଉନ୍ନତ ରାଷ୍ଟ୍ର ନିର୍ମାଣ ସହ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସ୍ୱାଧୀନତା ଆନ୍ଦୋଳନର ଅନାଲୋଚିତ ଘଟଣାବଳୀ ଏବଂ ଅପରିଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ତଥ୍ୟ ଉଜାଗର କରିବା ଦିଗରେ ଗଣମାଧ୍ୟମ ଅଧିକ ପ୍ରୟାସ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଣ-ଗଣମାଧ୍ୟମ ପୃଷ୍ଠଭୂମିରୁ ଆସିଥିବା ଲେଖକମାନଙ୍କୁ ମଞ୍ଚ ଯୋଗାଇ ଦେବା ଏବଂ ଆଞ୍ଚଳିକ ଭାଷାର ପ୍ରଚାରପ୍ରସାର କ୍ଷେତ୍ରରେ ସମ୍ବାଦପତ୍ରଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ।

ଆଜିର ଦିନରେ ଏବଂ ବର୍ତ୍ତମାନର ଯୁଗରେ ଭାରତ ଠାରୁ ବିଶ୍ୱ କ’ଣ ଆଶା କରୁଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ମହାମାରୀ ମୁକାବିଲାରେ ବିଫଳ ହେବ ବୋଲି ଯେଉଁ ପ୍ରାରମ୍ଭିକ ଆକଳନ କରାଯାଉଥିଲା ତା’କୁ ଭୁଲ ସାବ୍ୟସ୍ତ କରିବାରେ ଦେଶ ସଫଳ ହୋଇଛି । ଗତ ଦୁଇ ବର୍ଷ ଧରି ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଇଛି । ଏବେ ସୁଦ୍ଧା ୧୮୦ କୋଟି ଡୋଜ୍‌ ଟିକା ଦିଆଯାଇଥିବା ସେ ସୂଚନା ଦେଇଥିଲେ । ଭାରତର ପ୍ରତିଭାବାନ ଯୁବପିଢ଼ିଙ୍କ ଶକ୍ତିରେ ସଶକ୍ତ ହୋଇ ଆମ ଦେଶ ଆତ୍ମନିର୍ଭରଶୀଳତା ଦିଗରେ ଅଗ୍ରସର ହେଉଛି । ଭାରତକୁ ଘରୋଇ ଏବଂ ବିଶ୍ୱ ଆବଶ୍ୟକତା ପୂରଣ କରୁଥିବା ଏକ ଆର୍ଥିକ ଶକ୍ତିରେ ପରିଣତ କରିବା ଏହି ସିଦ୍ଧାନ୍ତର ମୂଳ ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଗତ କିଛିଦିନ ମଧ୍ୟରେ ଅଭୂତପୂର୍ବ ସଂସ୍କାର କାର୍ଯ୍ୟକାରୀ କରାଯାଇଛି, ଯାହାକି ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହିତ କରିବ । ସ୍ଥାନୀୟ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଲାଗି ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରାଯାଇଛି । ସେ କହିଥିଲେ ଯେ ଭାରତ ଷ୍ଟାର୍ଟଅପ୍ସ ଇକୋ-ସିଷ୍ଟମ ପୂର୍ବରୁ କେବେବି ଏତେ ପ୍ରଗତିଶୀଳ ନଥିଲା । ମାତ୍ର ୪ ବର୍ଷ ମଧ୍ୟରେ ୟୁପିଆଇ କାରବାର ସଂଖ୍ୟା ୭୦ ଗୁଣା ବୃଦ୍ଧି ପାଇଛି । ଜାତୀୟ ଭିତ୍ତିଭୂମି ପାଇପଲାଇନ ଯୋଜନା ଅଧୀନରେ ୧୧୦ ଲକ୍ଷ କୋଟି ଟଙ୍କା ନିବେଶ କରାଯାଉଛି । ପିଏମ ଗତି ଶକ୍ତି ଯୋଜନା ଭିତ୍ତିଭୂମି ନିର୍ମାଣ କରିବା ସହିତ ପ୍ରଶାସନକୁ ଆହୁରି ସୁଗମ କରିବ ବୋଲି ଶ୍ରୀ ମୋଦୀ କହିଥିଲେ । ସେ ଆହୁରି କହିଥିଲେ ଯେ, ଭାରତର ସବୁ ଗାଁରେ ଯେପରି ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସଂଯୋଗ ରହିବ ତାହା ସୁନିଶ୍ଚିତ କରିବା ଲାଗି ଆମେ ସକ୍ରିୟ ଭାବେ କାମ କରୁଛୁ । ‘‘ବର୍ତ୍ତମାନ ପିଢ଼ି ତୁଳନାରେ ଭବିଷ୍ୟତ ପିଢ଼ିକୁ ଏକ ଉନ୍ନତ ଜୀବନଶୈଳୀ ପ୍ରଦାନ ସୁନିଶ୍ଚିତ କରିବାର ମାର୍ଗଦର୍ଶୀ ସିଦ୍ଧାନ୍ତ ଆମ ପ୍ରୟାସରେ ନୀହିତ ରହିଛି’’  

 




*******

 

P.S.



(Release ID: 1807155) Visitor Counter : 175