ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଜାତୀୟ ଯୁବା ସଂସଦ ମହୋତ୍ସବ ୨୦୨୦ର ଜାତୀୟ ରାଉଣ୍ଡ ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ


ଆମେ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ ବେଳେ ଦେଶର ଅବସ୍ଥାନ୍ତର ନିମନ୍ତେ ସମାଧାନର କଳ୍ପନା କରିବା

Posted On: 10 MAR 2022 2:49PM by PIB Bhubaneshwar

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଜାତୀୟ ଯୁବା ସଂସଦ  ଉତ୍ସବ (ଏନ୍‌ୱାଇପିଏଫ) ୨୦୨୦ର ଜାତୀୟ ରାଉଣ୍ଡର ତୃତୀୟ ସଂସ୍କରଣକୁ ଉଦ୍‌ଘାଟନୀ ଅଧିବେଶନରେ ନୂଆଦିଲ୍ଲୀସ୍ଥିତ ସଂସଦର କେନ୍ଦ୍ରୀୟ କକ୍ଷରେ ଉଦ୍‌ବୋଧନ ଦେଇଛନ୍ତି । କ୍ରୀଡା ଓ ଯୁବବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପରମାଣିକ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହାଛଡା ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସଚିବ ଶ୍ରୀମତୀ ସୁଜାତା ଚତୁର୍ବେଦୀ, ରାଜ୍ୟସଭା ମହାସଚିବ ଶ୍ରୀ ପି.ସି ମୋଦୀ, ମନ୍ତ୍ରଣାଳୟ ଓ ସଂସଦର  ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିରଳା ୧୧ ମାର୍ଚ୍ଚ ୨୦୨୨ଦିନ ଏନୱାଇପିଏଫର ସମାବର୍ତ୍ତନ ସମାରୋହରେ ଉଦ୍‌ବୋଧନ ଦେବେ । ଏଥିରେ ଲୋକସଭା ବାଚସ୍ପତିଙ୍କ ସମ୍ମୁଖରେ ପ୍ରଥମ ତିନିଜଣ ଜାତୀୟ ବିଜେତା ମଧ୍ୟ କିଛି କହିବା ପାଇଁ ସୁଯୋଗ ପାଇବେ ।

ନିଜର ଅଭିଭାଷଣରେ ଶ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଚଳିତବର୍ଷର ଜାତୀୟ ଯୁବା ସଂସଦ ଉତ୍ସବର ବାର୍ତ୍ତା ହେଉଛି “ନବ ଭାରତର ସ୍ୱର ହୋଇ ସମାଧାନ ପନ୍ଥା ବାହାର କର ଓ ନୀତିରେ ଭାଗିଦାର ହୁଅ ।” କଠିନ ବର୍ଜ୍ୟବସ୍ତୁ ପରିଚାଳନା, କ୍ଷୁଧା ନିବାରଣ, ଲିଙ୍ଗଗତ ସମାନତା, କମ୍ ବ୍ୟୟ ସାପେକ୍ଷ ସ୍ୱଚ୍ଛଶକ୍ତି, ସ୍ୱଚ୍ଛ ଜଳ ଓ ପରିମଳ ଉପରେ ଧ୍ୟାନ ଦେବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି । ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କଲାବେଳେ ଆପଣମାନେ ଆମେ ହାସଲ କରିଥିବା ପ୍ରଗତି ଉପରେ ତର୍ଜମା କରି ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କଲାବେଳେ ବିଭିନ୍ନ ସମସ୍ୟାର ସମାଧାନ ବାହାର କରିବାକୁ ମୁଁ ନିବେଦନ କରୁଛି । ଯୁବ ସମାଜ କ୍ରୀଡା, ସ୍ୱାସ୍ଥ୍ୟ, ଗଣମାଧ୍ୟମ, ପରିବହନ, ଭିତ୍ତିଭୂମି, ବୈଦେଶିକ ବ୍ୟାପାର ଇତ୍ୟାଦି କ୍ଷେତ୍ରରେ କ’ଣ କରିପାରିବେ ଯାହା ଫଳରେ କୋଟି କୋଟି ଦେଶବାସୀଙ୍କ ଜୀବନରେ ପରିବର୍ତ୍ତନ  ଆସିବ ବୋଲି ସେ ପ୍ରଶ୍ନ କରିଥିଲେ । ମାନବତାର ଭବିଷ୍ୟତ ଓ ବଂଚିବାକୁ ସୁଗମ କରିବା ପାଇଁ ଏକ ବିଲିୟନ ଜନତା କ’ଣ ଦେଇପାରିବେ ।

ଶ୍ରୀ ଠାକୁର ଆହୁରି କହିଥିଲେ ଯେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶକୁ  ଆଗେଇ ନେଇ ଜାତୀୟ ଯୁବା ସଂସଦ  ଯୁବଗୋଷ୍ଠୀ ମଧ୍ୟରେ ନେତୃତ୍ୱ ଗୁଣ ବିକାଶ କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି । ଯୁବଗୋଷ୍ଠୀ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ମନ୍ତ୍ରୀ ନିବେଦନ କରିଥିଲେ ।

ଆତ୍ମନିର୍ଭର ଭାରତ ସମ୍ପର୍କରେ ଶ୍ରୀ ଠାକୁର କହିଥିଲେ ଯେ ଯେତେବେଳେ ସମଗ୍ର ବିଶ୍ୱ  ବୈଶ୍ୱିକ ମହାମାରୀ କାଳରେ ସଂଗ୍ରାମ କରୁଥିଲା, ଭାରତ ଏହାର ମୁକାବିଲା ମିଳିତଭାବେ କରିପାରିଲା । ଆମେ ବିଶ୍ୱକୁ ଦେଖାଇ ଦେଲୁ ଯେ ସଠିକ ଦୂରଦୃଷ୍ଟି ଓ ନେତୃତ୍ୱ ବଳରେ ଆମେ ଯେକୌଣସି ପ୍ରତିବନ୍ଧକର ସାମ୍ନା କରିପାରିବୁ । ଯୁବଗୋଷ୍ଠୀ ଉତ୍ସାହ ଜାଗ୍ରତ କରି ଏକାତ୍ମ ଭାବନା ସହ ଅନେକ ବିସ୍ମୟକର କାର୍ଯ୍ୟ କରିପାରିବୁ।

ମନ୍ତ୍ରୀ ପୁଣି ଦୋହରାଇଲେ ଯେ ଯୁବଗୋଷ୍ଠୀର ଉତ୍ସାହ ଓ ଅଂଶଗ୍ରହଣ ବଳରେ ଏକ ଦେଶର ଭିତ୍ତିପ୍ରସ୍ତର ସ୍ଥାପିତ ହୁଏ । ଯୁବଗୋଷ୍ଠୀ ହିଁ ଆମ ଦେଶକୁ ଏକ ନୂତନ ଶିଖରକୁ ନେଇପାରିବେ । ଯୁଗଗୋଷ୍ଠୀ ଦେଶର ବର୍ତ୍ତମାନ, ଅତୀତ ଓ ଭବିଷ୍ୟତର ସଂଯୋଗର ସେତୁ ସଦୃଶ ।

ଶ୍ରୀ ଠାକୁର ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍କିଲ ଇଣ୍ଡିଆ, ଖୋଲୋ ଇଣ୍ଡିଆ ଏବଂ ଫିଟ୍ ଇଣ୍ଡିଆ ଭଳି ଅନେକ ଯୋଜନା କରିଛନ୍ତି । ଏହା କେବଳ କୋଟି କୋଟି ଯୁବକ ଯୁବତୀଙ୍କୁ କୌଶଳ ବିକାଶ ଦେଇନାହିଁ, ବରଂ ଏକ ମଜବୁତ ଭାରତର ଭିତ୍ତିଭୂମି ସ୍ଥାପନ କହୁଛି । କେନ୍ଦ୍ରମନ୍ତ୍ରୀ ଯୁବ ସଂସଦର ବିଭିନ୍ନ ରାଉଣ୍ଡରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରଶଂସା କରିବା ସହ ଜାତୀୟ  ଯୁବା ସଂସଦ ଉତ୍ସବ -୨୦୨୨ ଫାଇନାଲକୁ ଉତ୍ତୀର୍ଣ୍ଣ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଶ୍ରୀମତୀ ସୁଜାତା ଚତୁର୍ବେଦୀ କହିଥିଲେ ଯେ ଜାତୀୟ ଯୁବ ସଂସଦର ଲକ୍ଷ୍ୟ ହେଉଛି ଯୁବଗୋଷ୍ଠୀଙ୍କୁ ସେମାନଙ୍କ ମତାମତ ପ୍ରଦାନ ପାଇଁ ଏକ ମଂଚ ପ୍ରଦାନ କରିବା । ଏହାଛଡା ଏହି ମତ ବିନିମୟ ମଞ୍ଚରେ ସେମାନେ ଗଣତାନ୍ତ୍ରିକ ମୂଲ୍ୟବୋଧ ଉତ୍ସାହ ଜାଗ୍ରତ କରିପାରିବେ ।

ଜାତୀୟ ଯୁବା ସଂସଦର ଉତ୍ସବ (ଏନୱାଇପିଏଫ) ଯୁବଗୋଷ୍ଠୀର ସ୍ୱର ଶୁଣିବାକୁ ଆୟୋଜିତ ହୋଇଥାଏ, ଯେଉଁମାନେ ସରକାରୀ ଚାକିରି ସମେତ ଅନ୍ୟାନ୍ୟ ବୃତ୍ତି ଗ୍ରହଣ ମଧ୍ୟ କରିପାରିବେ । ପ୍ରଧାନମନ୍ତ୍ରୀ ୩୧ଡିସେମ୍ବର ୨୦୧୭ରେ ତାଙ୍କର ମନ୍ କି ବାତ୍ ଅଭିଭାଷଣରେ ଏନ୍‌ୱାଇପିଏଫର ଏହି ଧାରଣା ଦେଇଥିଲେ । ତାଙ୍କ କଥାରେ ଉତ୍ସାହିତ ହୋଇ ଜାନୁୟାରୀ ୧୨ରୁ ୨୭ ଫେବୃୟାରୀ ୨୦୧୯ ମଧ୍ୟରେ ଏନୱାଇପିଏଫ ଆୟୋଜିତ ହୋଇଥିଲା । ଏହାର ବିଷୟବସ୍ତୁ ଥିଲା “ନବ ଭାରତର ସ୍ୱର ହୋଇ ସମାଧାନ ବାହାର କର  ଓ ନୀତିରେ ନିଜର ଅବଦାନ ଦିଅ ।” ଏହି କାର୍ଯ୍ୟକ୍ରମରେ ୮୮ହଜାର ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ ।

ଏନୱାଇପିଏଫ ଦ୍ୱିତୀୟ ସଂସ୍କରଣ ୨୨ ଡିସେମ୍ବର ୨୦୨୦ରୁ ୧୨ଜାନୁୟାରୀ ୨୦୨୨ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହାର ବିଷୟବସ୍ତୁ ଥିଲା “ଯୁବା ...ଉତ୍ସାହ ନୟେ ଭାରତ କା ।”  ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଥିଲେ ମଧ୍ୟ ଦେଶବ୍ୟାପୀ ଜିଲ୍ଳା, ରାଜ୍ୟ ଓ ଜାତୀୟସ୍ତରରେ ୨୫ଲକ୍ଷ ଯୁବକଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ । 

ଏନୱାଇପିଏଫ ତୃତୀୟ ସଂସ୍କରଣ ଭର୍ଚୁଆଲ ମୋଡରେ ୧୪ଫେବୃୟାରୀ ୨୦୨୨ଠାରୁ ଆରମ୍ଭ ହୋଇଛି । ଏଥିରେ ୨.୪୪ ଲକ୍ଷ ଯୁବକଯୁବତୀ ଦେଶର ବିଭିନ୍ନ ସ୍ଥାନରୁ ଯୋଗ ଦେଇଛନ୍ତି । ରାଜ୍ୟ ଯୁବ ସଂସଦର ଭର୍ଚୁଆଲ ମୋଡରେ ୨୩-୨୭ ଫେବୃୟାରୀ ୨୦୨୨ ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୮୭ଜଣ (୬୨ ମହିଳା ଓ ୨୫ପୁରୁଷ) ବିଜେତା ସଂସଦର  କେନ୍ଦ୍ରୀୟ କକ୍ଷରେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥିଙ୍କ ଗହଣରେ ବସିବାର ସୁଯୋଗ ପାଇଥିଲେ । ୨୯ଜଣ ରାଜ୍ୟ ଯୁବା ସଂସଦ  ବିଜେତା ଲୋକସଭା ସଦସ୍ୟ ଶ୍ରୀ ଭର୍ତ୍ତୃହରି ମହତାବ, ଡକ୍ଟର ସତ୍ୟପାଲ ସିଂ, ଅବସରପ୍ରାପ୍ତ ଆଇଆରଏସ୍ ଅନୁ ଜେ ସିଂହ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶ ଦାତା ଶ୍ରୀ କାଞ୍ଚନ ଗୁପ୍ତାକୁ  ନେଇ ଗଠିତ ବିଚାରକମଣ୍ଡଳୀ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇବେ । ଶ୍ରେଷ୍ଠ ତିନିଜଣ  ଜାତୀୟ ବିଜେତା ମାର୍ଚ୍ଚ ୧୧ତାରିଖର ସମାବର୍ତ୍ତନ ଉତ୍ସବରେ ଲୋକସଭା ବାଚସ୍ପତିଙ୍କ ସହ କଥାବାର୍ତ୍ତାର ସୁଯୋଗ ପାଇବେ । ତିନିଜଣ ଚୂଡାନ୍ତ ଜାତୀୟସ୍ତର ପ୍ରତିଯୋଗୀକୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ରାଶି ଯଥାକ୍ରମେ ୨ଲକ୍ଷ, ୧, ୫୦,୦୦୦ ଓ ୧ଲକ୍ଷ ଟଙ୍କା ଥିବାବେଳେ ୫୦ହଜାର ଟଙ୍କା ଲେଖାଏଁ ଦୁଇଟି ସାନ୍ତ୍ୱନାମୂଳକ ପୁରସ୍କାର ମଧ୍ୟ ପ୍ରଧାନ କରାଯିବାର ସମ୍ଭାବନା ରହିଛି ।

****

SM / SLP



(Release ID: 1804923) Visitor Counter : 184