ପୋଷ୍ଟ କରାଯିବା ଦିନାଙ୍କ:
09 MAR 2022 6:57PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡିଆଇପିଏଏମର ଘୋଷଣା ସଂକ୍ରାନ୍ତ ବଜେଟ୍ ଆଲୋଚନା ପାଇଁ ଆୟୋଜିତ ୱେବିନାରରେ ଉଦବୋଧନ ଦେଇଛନ୍ତି । ଏହାକୁ ମିଶାଇ ପ୍ରଧାନମନ୍ତ୍ରୀ ୧୧ଟି ବଜେଟ୍ ସଂକ୍ରାନ୍ତ ୱେବିନାରକୁ ସମ୍ବୋଧିତ କରିସାରିଛନ୍ତି । ଉଚ୍ଚ ଶିକ୍ଷା, ଗ୍ରାମୀଣ ବିକାଶ, କୃଷି, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଡିପିଆଇଆଇଟି, ପିଏସଏ, ଏମଏନଆରଇ, ଡିଇଏ ଏବଂ ଡିଆଇପିଏଏମ ମନ୍ତ୍ରଣାଳୟ/ବିଭାଗ ସହ ଜଡ଼ିତ ବଜେଟ୍ ୱେବିନାରରେ ଅଂଶଗ୍ରହଣ କରିଛନ୍ତି । ଦେଶର ଆର୍ଥିକ ଅଭିବୃଦ୍ଧି ଏବଂ ଆମ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ବଜେଟ୍ -୨୦୨୨ରେ ଅନେକଗୁଡ଼ିଏ ଘୋଷଣା କରାଯାଇଛି । ବଜେଟର ଗତିଶୀଳତାକୁ ବଜାୟ ରଖିବା ସହିତ ଏହାର କାର୍ଯ୍ୟକାରିତାରେ ସମସ୍ତ ଅଂଶୀଦାରମାନଙ୍କ ମଧ୍ୟରେ ଏକ ମାଲିକାନା ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏସବୁ ୱେବିନାର ଆୟୋଜନ କରାଯାଇଥିଲା । ସ୍ମାର୍ଟ କୃଷି, ପିଏମ ଗତିଶକ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା, ଡିଜିଟାଲ ଶିକ୍ଷା ଏବଂ ପ୍ରଗତିଶୀଳ କୌଶଳ ବିକାଶ, ସମାବେଶୀ ଏବଂ ସମାନତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା, ମେକ୍ ଇନ୍ ଇଣ୍ଡିଆ ଏବଂ ଆକାଂକ୍ଷୀ ଅର୍ଥବ୍ୟବସ୍ଥା ପାଇଁ ପାଣ୍ଠି ଯୋଗାଣ ଆଦି ବିବିଧ କ୍ଷେତ୍ରର ବିଷୟବସ୍ତୁ ଉପରେ ଏସବୁ ୱେବିନାର ଆୟୋଜନ କରାଯାଇଥିଲା।
ଏସବୁ ୱେବିନାର ଆୟୋଜନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ବଜେଟ୍ ପାଇଁ ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ ଏକ ମାଲିକାନା ଭାବନା ସୃଷ୍ଟି କରିବା। ଏପରି ପଦକ୍ଷେପ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗକୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା କ୍ଷଣି କାର୍ଯ୍ୟ ଆରମ୍ଭ କରିବା ଏବଂ ବଜେଟ୍ର ସମୟବଦ୍ଧ କାର୍ଯ୍ୟକାରିତା କ୍ଷେତ୍ରରେ ସହାୟକ ହେବ । ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯିବା ଦ୍ବାରା ସେମାନଙ୍କ ବାସ୍ତବ/ବିଶ୍ୱସ୍ତରୀୟ ବିଶେଷଜ୍ଞତା ଏବଂ ଅଭିଜ୍ଞତାକୁ ବିନିଯୋଗ କରିବା ତଥା ଅଭାବ ଅସୁବିଧାକୁ ଚିହ୍ନଟ କରିବାରେ ସହାୟକ ହେବ । ଫେବୃଆରୀ ପହିଲାରେ ବଜେଟ୍ ଉପସ୍ଥାପନ କରାଯିବା ଏବଂ ଏପରି ୱେବିନାର ଆଲୋଚନା କରାଯିବା ଦ୍ଵାରା ରାଜ୍ୟ ସରକାରମାନଙ୍କୁ ସେମାନଙ୍କର ବଜେଟ ପାଇଁ ପ୍ରାଥମିକତା ନିର୍ଦ୍ଧାରଣ ଏବଂ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ ।
ଏସବୁ ୱେବିନାରରେ ଉଦ୍ୟମୀ, ଏମଏସଏମଇ, ରପ୍ତାନିକାରୀ, ବିଶ୍ୱ ନିବେଶକ, ଷ୍ଟାର୍ଟଅପ୍ସ ଜଗତର ଯୁବବର୍ଗ ପ୍ରମୁଖଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ୱେବିନାରରେ ବିସ୍ତୃତ ପାନେଲ ଆଲୋଚନା ଏବଂ ବିଷୟବସ୍ତୁ ଆଧାରିତ ଅଧିବେଶନ ଆୟୋଜନ କରାଯାଇଥିଲା। ଏସବୁ ୱେବିନାର ସମୟରେ ସରକାର ସଂଖ୍ୟାଧିକ ମୂଲ୍ୟବାନ ପରାମର୍ଶ ଗ୍ରହଣ କରିଛନ୍ତି, ଯାହାକି ବଜେଟ୍ ଘୋଷଣାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ସହାୟକ ହୋଇପାରିବ ।
********
P.S.