କ୍ୟାବିନେଟ

ଖଣି ଏବଂ ଖଣିଜ (ବିକାଶ ଏବଂ ନିୟାମକ) ଆଇନ, ୧୯୫୭ର ଦ୍ଵିତୀୟ ଅନୁସୂଚୀରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


କେତେକ ଖଣିଜ ପଦାର୍ଥ ଉପରେ ରୟାଲିଟି ଦର ନିର୍ଦ୍ଧାରଣରେ ସହାୟକ ହେବ

Posted On: 09 MAR 2022 1:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଖଣି ମନ୍ତ୍ରଣାଳୟର ପ୍ରସ୍ତାବ ଅନୁରୂପ ଖଣି ଓ ଖଣିଜ (ବିକାଶ ଏବଂ ନିୟାମକ) ଆଇନ, ୧୯୫୭ (ଏବେଠାରୁ ଆଇନଭାବେ ପରିଚିତ ହେବ)ର ଦ୍ଵିତୀୟ ଅନୁସୂଚୀରେ ସଂଶୋଧନକୁ ଅନୁମୋଦନ କରାଯାଇଛି । ଏହାଫଳରେ ଗ୍ଲୁକୋନାଇଟ୍‌, ପଟାସ, ଏମରାଲ୍ଡ, ପ୍ଲାଟିନମ ସମୂହ ଧାତୁ (ପିଜିଏମ), ଏଣ୍ଡେଲୁସାଇଟ, ସିଲିମାନାଇଟ ଏବଂ ମାଲିବଡ଼େନମ ଭଳି କେତେକ ଖଣିଜ ପାଇଁ ରୟାଲିଟି ଦର ନିର୍ଦ୍ଧାରିତ ହୋଇପାରିବ ।

ଏହି ମଞ୍ଜୁରି ଫଳରେ ଗ୍ଲୁକୋନାଇଟ୍‌, ପଟାସ, ଏମରାଲ୍ଡ, ପ୍ଲାଟିନମ ସମୂହ ଧାତୁ (ପିଜିଏମ), ଏଣ୍ଡେଲୁସାଇଟ, ସିଲିମାଇଟ ଏବଂ ମାଲିବଡ଼େନମ ଭଳି କେତେକ ଖଣିଜ ଖନନ ପାଇଁ ଖଣି ନିଲାମ ସୁନିଶ୍ଚିତ ହେବ । ଫଳରେ ଏସବୁ ଖଣିଜ ଦ୍ରବ୍ୟ ଆମଦାନୀ ହ୍ରାସ ପାଇବ, ଖଣିଜ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଉତ୍ପାଦନ କ୍ଷେତ୍ର ସମେତ ସମାଜର ଏକ ବୃହତ ବର୍ଗଙ୍କର ସମାବେଶୀ ବିକାଶ ସୁନିଶ୍ଚିତ ହୋଇପାରିବ । ଏଣ୍ଡେଲୁସାଇଟ, ସିଲିମାନାଇଟ ଏବଂ କିୟାନାଇଟ ଭଳି ଖଣିଜ ପଲିମର୍ଫସ୍‌ ନିମନ୍ତେ ରୟାଲିଟି ଦର ସମାନ ସ୍ତରରେ ରଖାଯାଇଥାଏ।

କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ଦେଶର ଅର୍ଥବ୍ୟବସ୍ଥା ପାଇଁ ଅତ୍ୟାବଶ୍ୟକ ଖଣିଜର ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ଏବଂ ଏସବୁ ଖଣିଜ ଲାଗି ବିକଳ୍ପ ପ୍ରସ୍ତୁତ ହୋଇପାରିବ ସେହିପରି ଭାବେ ମୂଲ୍ୟବାନ ବିଦେଶୀ ମୂଦ୍ରା ମଧ୍ୟ ସଞ୍ଚୟ ହୋଇପାରିବ। ଖଣିଜର ସ୍ଥାନୀୟ ଉତ୍ପାଦନ ଜରିଆରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ। ଏହି ମଞ୍ଜୁରି ଫଳରେ ଦେଶରେ ପ୍ରଥମ ଥର ଲାଗି ଗ୍ଲୁକୋନାଇଟ୍‌, ପଟାସ, ଏମରାଲ୍ଡ, ପ୍ଲାଟିନମ ସମୂହର ଧାତୁ, ଏଣ୍ଡେଲୁସାଇଟ ଏବଂ ମଲିବଡେନମ ଭଳି ଖଣିଜ ପାଇଁ ଖଣି ବ୍ଲକ୍‌ ନିଲାମ ସୁନିଶ୍ଚିତ ହୋଇପାରିବ ।

ଖଣିଜ କ୍ଷେତ୍ରରେ ନୂତନ ବ୍ୟବସ୍ଥା ଆରମ୍ଭ କରିବା ଲାଗି ୨୦୧୫ରେ ଏହି ଆଇନରେ ସଂଶୋଧନ କରାଯାଇଥିଲା। ଦେଶର ଖଣିଜ ସମ୍ପତ୍ତି ଆବଣ୍ଟନରେ ପାରଦର୍ଶିତା ଏବଂ ଭେଦଭାବମୁକ୍ତ ପ୍ରକ୍ରିୟା ସୁନିଶ୍ଚିତ କରିବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଥିଲା। ନିଲାମ ପଦ୍ଧତି ସେବେଠାରୁ ବର୍ତ୍ତମାନସୁଦ୍ଧା ଅଧିକ ପରିପକ୍ବ ହୋଇସାରିଲାଣି। ଖଣିଜ କ୍ଷେତ୍ରକୁ ଆହୁରି ଗତିଶୀଳ କରିବା ଲାଗି ଆଇନକୁ ୨୦୨୧ରେ ପୁଣିଥରେ ସଂଶୋଧନ କରାଯାଇଥିଲା। ସରକାର କେତେକ ସଂସ୍କାର ମାଧ୍ୟମରେ ଖଣିଗୁଡ଼ିକୁ ନିଲାମ କରିବା ଉପରେ ଜୋର ଦେଇଥିଲେ । ଫଳରେ ଉତ୍ପାଦନ ବୃଦ୍ଧି ପାଇବା ସହିତ ଦେଶରେ ବ୍ୟବସାୟିକ ସୁଗମତା ବଢ଼ିଥିଲା। ସକଳ ଘରୋଇ ଉତ୍ପାଦ (ଜିଡିପି)ରେ ଖଣିଜ ଉତ୍ପାଦନର ଯୋଗାଦନ ମଧ୍ୟ ବଢ଼ିଥିଲା।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଲାଗି ଖଣି ମନ୍ତ୍ରଣାଳୟ ଦେଶରେ ଖଣିଜ ଅନ୍ବେଷଣକୁ ବଢ଼ାଇବା ଲାଗି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି, ଯାହାପଳରେ ନିଲାମ ପାଇଁ ଅଧିକ ଖଣି ବ୍ଲକ୍‌ ଉପଲବ୍ଧ ହୋଇପାରିଛି ଅନ୍ବେଷଣ ଗତିବିଧି କେବଳ ଲୁହାପଥର, ବକ୍ସାଇଟ, ଚୂନ ପଥର ଭଳି ପାରମ୍ପରିକ ଖଣିଜ ଦ୍ରବ୍ୟ କ୍ଷେତ୍ରରେ ବଢ଼ିନାହିଁ ବରଂ ଅଧିକ ଗଭୀର ସ୍ତରରେ ଉପଲବ୍ଧ ଖଣିଜ, ସାର ଖଣିଜ, ଗୁରୁତ୍ବପୂର୍ଣ୍ଣ ଖଣିଜ ଏବଂ ଆମଦାନୀ କରାଯାଉଥିବା ଖଣିଜ କ୍ଷେତ୍ରରେ ମଧ୍ୟ ବୃଦ୍ଧି ପାଇଛି

ଗତ ଚାରି ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଭୌଗଳିକ ସର୍ବେକ୍ଷଣ ଏବଂ ଖଣିଜ ଅନ୍ବେଷଣ ନିଗମ ଲିମିଟେଡ ଭଳି କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ବ୍ୟାପକ ଅନ୍ବେଷଣ କରାଯାଇ ଦେଶରେ ଖଣିଜର ସେସବୁ ଖଣି ବ୍ଲକ୍‌ ବିଷୟରେ ରାଜ୍ୟ ସରକାରମାନଙ୍କୁ ରିପୋର୍ଟ  ଦିଆଯାଇଛି, ଯେଉଁଠି ବର୍ତ୍ତମାନ ସୁଦ୍ଧା ଖଣିଜ ଖନନ କରାଯାଇପାରିନାହିଁ । ବର୍ତ୍ତମାନ ଗ୍ଲୁକୋନାଇଟ୍‌, ପଟାସ, ଏମରାଲ୍ଡ, ପ୍ଲାଟିନମ ସମୂହର ଧାତୁ (ପିଜିଏମ), ଏଣ୍ଡେଲୁସାଇଟ୍‌ ଏବଂ ମଲିବଡେନମ ଭଳି ଖଣିଜ ପଦାର୍ଥର ଆବଶ୍ୟକତା ପୂରଣ ପାଇଁ ଦେଶ ସମ୍ପୂର୍ଣ୍ଣ ଭାବେ ଆମଦାନୀ ଉପରେ ନିର୍ଭର କରୁଛି ଖଣିଜ ଆତ୍ମନିର୍ଭରଶୀଳତା ପାଇଁ ଅନେକ ରାଜ୍ୟ ସରକାର ନିଲାମୀ ନିମନ୍ତେ ଏପରି ଖଣିଜ ବ୍ଲକ୍‌ ଚିହ୍ନଟ କରିଛନ୍ତି । ବର୍ତ୍ତମାନ, ଏସବୁ ଖଣିଜ ନିମନ୍ତେ ପୃଥକ ଭାବେ ରୟାଲିଟି ଦର ନିର୍ଦ୍ଧାରଣ କରାଯାଇ ନଥିବାରୁ ଏସବୁ ଖଣିଜ ଖନନ କ୍ଷେତ୍ର ଅଭିବୃଦ୍ଧି ହାସଲ କରି ପାରୁନାହିଁ

ତେଣୁ ମନ୍ତ୍ରଣାଳୟ ନିଲାମୀରେ ଉନ୍ନତ ଭାଗିଦାରୀକୁ ପ୍ରୋତ୍ସାହନ ଦେବା ନିମନ୍ତେ ରୟାଲିଟି ଦରକୁ ତର୍କସଙ୍ଗତ କରିବା ଲାଗି ପ୍ରସ୍ତାବ ଦେଇଥିଲା, ଯାହାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ସହିତ ବ୍ୟାପକ ବିଚାରବିମର୍ଶ କରିବା ପରେ ଏହି ଦର ନିର୍ଦ୍ଧାରଣ କରାଯାଇଛି। ଖଣିଜ ମନ୍ତ୍ରଣାଳୟ ଏହି ଖଣିଜର ହାରାହାରୀ ବିକ୍ରି ମୂଲ୍ୟ (ଏଏସପି)ର ଗଣନା ପଦ୍ଧତି ପ୍ରଦାନ କରିବ, ଯାହାକି ଏସବୁ ଖଣିଜ ବ୍ଲକ୍‌ ନିଲାମ ଆରମ୍ଭ କରିବା ଲାଗି ଜରୁରି ।

ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗରେ ଦେଶରେ ୧୪୫ରୁ ଅଧିକ ଖଣିଜ ବ୍ଲକ୍‌ ନିଲାମୀ ସଫଳତାପୂର୍ବକ ସମ୍ପନ୍ନ ହୋଇଛି । ୨୦୨୧ରେ ଅଣାଯାଇଥିବା ସଂସ୍କାର ଫଳରେ ଏହା ଅଧିକ ତ୍ବରାନ୍ବିତ ହୋଇପାରିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୧୪୬ରୁ ଅଧିକ ବ୍ଲକ୍‌ ନିଲାମ ପାଇଁ ରଖାଯାଇଥିଲା। ଏହି ଆର୍ଥିକ ବର୍ଷରେ ଏଥିମଧ୍ୟରୁ ୩୪ଟି ବ୍ଲକ୍‌ର ନିଲାମ ସଫଳତାପୂର୍ବକ ସମ୍ପନ୍ନ ହୋଇଛି । ଗ୍ଲୁକୋନାଇଟ, ପଟାସ, ଏମରାଲ୍ଡ, ପ୍ଲାଟିନମ ସମୂହର ଧାତୁ (ପିଜିଏମ), ଏଣ୍ଡେଲୁସାଇଟ୍‌ ଏବଂ ମଲିବଡେନମ୍‌ ଭଳି ଖଣିଜର ରୟାଲିଟି ଏବଂ ଏଏସପି ଦର ସ୍ପଷ୍ଟ ଭାବେ ନିର୍ଦ୍ଧାରଣ ହୋଇପାରିଲେ ନିଲାମ ପାଇଁ ବ୍ଲକ୍‌ଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇବ ।

ଗ୍ଲୁକୋନାଇଟ ଏବଂ ପଟାସ ଭଳି ଖଣିଜକୁ କୃଷି କ୍ଷେତ୍ରରେ ସାର ଆକାରରେ ଉପଯୋଗ କରାଯାଇଥାଏ । ପ୍ଲାଟିନମ ସମୂହର ଧାତୁ (ପିଜିଏମ) ଉଚ୍ଚ ମୂଲ୍ୟ ବିଶିଷ୍ଟ ଧାତୁ ହୋଇଥିବାରୁ ଏବଂ ଏହାର ଉପଯୋଗ ବିଭିନ୍ନ ଉଦ୍ୟୋଗ ଏବଂ ନୂତନ ନବସୃଜନ ଆପ୍ଲିକେସନରେ କରାଯାଇଥାଏ। ଏଣ୍ଡେଲୁସାଇଟ୍‌ ଏବଂ ମଲିବଡେନମ୍‌ ଭଳି ଖଣିଜ ଗୁରୁତ୍ବପୂର୍ଣ୍ଣ ଖଣିଜ ଦ୍ରବ୍ୟ ଶ୍ରେଣୀରେ ଆସିଥାନ୍ତି ଏବଂ ବିଭିନ୍ନ ଉଦ୍ୟୋଗରେ ଏଗୁଡ଼ିକର ବ୍ୟବହାର କରାଯାଏ।

ଏସବୁ ଖଣିଜର ସ୍ବଦେଶୀ ଖନନକୁ ପ୍ରୋତ୍ସାହିତ କରିବା ରାଷ୍ଟ୍ର ହିତ ପାଇଁ ଜରୁରି, ଯାହାଫଳରେ ପଟାସ ସାର ଏବଂ ଅନ୍ୟ ଖଣିଜ ଆମଦାନୀ ହ୍ରାସ ପାଇବ । ଖଣିଜ ମନ୍ତ୍ରଣାଳୟ ଦ୍ବାରା ଏହି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଖଣି ଖନନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହାଦ୍ବାରା ଦୈନିକ ଉପଯୋଗ ସହ ଜଡ଼ିତ ଉଦ୍ୟୋଗ ପାଇଁ ଖଣିଜର ବର୍ଦ୍ଧିତ ଉପଲବ୍ଧତା ସୁନିଶ୍ଚିତ ହେବ ଏବଂ କୃଷି କ୍ଷେତ୍ରକୁ ସମର୍ଥନ ମିଳିବ ।

 

**********

P.S.



(Release ID: 1804392) Visitor Counter : 200