ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅରୁଣାଚଳପ୍ରଦେଶର ୩୬ତମ ସ୍ଥାପନା ଦିବସ ଏବଂ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳପାଠ

Posted On: 20 FEB 2022 12:12PM by PIB Bhubaneshwar

ଅରୁଣାଚଳପ୍ରଦେଶର ମୋର ଭାଇ ଓ ଭଉଣୀମାନେ !

ଜୟ ହିନ୍ଦ୍‌! 

ଆପଣ ସମସ୍ତଙ୍କୁ ଅରୁଣାଚଳ ପ୍ରଦେଶର ୩୬ତମ ରାଜ୍ୟ ସ୍ଥାପନା ଦିବସର ଅନେକ ଅନେକ ଶୁଭେଚ୍ଛା । ୫୦ବର୍ଷ ପୂର୍ବେ ନେଫାକୁ ଅରୁଣାଚଳ ପ୍ରଦେଶ ରୂପରେ ନୂଆ ନାମ, ନୂଆ ପରିଚୟ ମିଳିଥିଲା । ଉଦୀୟମାନ ସୂର୍ଯ୍ୟର ଏହି ପରିଚୟକୁ, ଏହି ନୂଆ ଶକ୍ତିକୁ ଏହି ୫୦ବର୍ଷରେ ଆପଣ ସମସ୍ତ ପରିଶ୍ରମୀ, ରାଷ୍ଟ୍ରଭକ୍ତ, ଭାଇଭଉଣୀମାନେ ନିରନ୍ତରଭାବେ ସଶକ୍ତ କରିଛନ୍ତି । ଅରୁଣାଚଳର ଏହି ଭବ୍ୟତାକୁ ଦେଖି ପାଞ୍ଚ ଦଶକ ପୂବେ ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଜୀ(ଅରୁଣାଚଳ ହମରା) ନାମରେ ଗୋଟିଏ ଗୀତ ଲେଖିଥିଲେ । ମୁଁ ଜାଣିଛି ଏହି ଗୀତ ପ୍ରତ୍ୟେକ ଅରୁଣାଚଳବାସୀଙ୍କର ବେଶ୍ ପସନ୍ଦର ଅଟେ, କୌଣସି ସମାରୋହ ଏହି ଗୀତ ବିନା ସମ୍ପୂର୍ଣ୍ଣ ହୁଏ ନାହିଁ । ଏଥିପାଇଁ ମୁଁ ମଧ୍ୟ ଆପଣଙ୍କ ସହିତ କଥା ହେବା ବେଳେ ଏହି ଗୀତର କିଛି ପଦ ନିଶ୍ଚୟ ଗାଇବାକୁ ଚାହୁଁଛି ।

ଅରୁଣ କିରଣ ଶିଶ ଭୂଷଣ,

ଅରୁଣ କିରଣ ଶିଶ ଭୂଷଣ,

କଣ୍ଠ ହିମ କି ଧାରା, 

ପ୍ରଭାତ ସୁରଜ ଚୁମ୍ବିତ ଦେଶ,

ଅରୁଣାଚଳ ହମାରା, 

ଅରୁଣାଚଳ ହମାରା

ଭାରତ ମା କା ରାଜଦୁଲାରା

ଅରୁଣାଚଳ ହମାରା !

ବନ୍ଧୁଗଣ, 

ରାଷ୍ଟ୍ରଭକ୍ତି ଏବଂ ସାମାଜିକ ସୌହାର୍ଦ୍ଦ୍ୟର ଯେଉଁ ଭାବନାକୁ ଅରୁଣାଚଳ ପ୍ରଦେଶ ନୂତନ ଶିଖର ଦେଇଛି, ନିଜର ସାଂସ୍କୃତିକ ଐତିହ୍ୟକୁ ଯେଉଁ ଭାବରେ ଆପଣମାନେ ଗୁନି୍ଥଛନ୍ତି-ସଜାଇଛନ୍ତି, ପରମ୍ପରା ଏବଂ ପ୍ରଗତିକୁ ଯେଉଁଭଳି ଆପଣମାନେ ସାଥିରେ ଧରି ବାଟ ଚାଲୁଛନ୍ତି ତାହା ସମଗ୍ର ଦେଶ ପାଇଁ ପ୍ରେରଣା ଅଟେ । 

ବନ୍ଧୁଗଣ, 

ଆଜାଦି କା ଅମ୍ରିତ ମହୋତ୍ସବ କାଳରେ ଦେଶ, ଅରୁଣାଚଳ ପ୍ରଦେଶର ସେହିସବୁ ଶହୀଦମାନଙ୍କୁ ମଧ୍ୟ ମନେ ପକାଉଛି, ଯେଉଁମାନେ ନିଜକୁ ରାଷ୍ଟ୍ର ପାଇଁ ସମର୍ପିତ କରିଦେଇଥିଲେ । ଆଙ୍ଗ୍‌ଲ-ଆବର ଯୁଦ୍ଧ ହେଉ ଅବା ପୁଣି ସ୍ୱାଧୀନତା ପରେ ସୀମାର ସୁରକ୍ଷା, ଅରୁଣାଚଳବାସୀଙ୍କ ବୀରତ୍ୱର ଗାଥା ପ୍ରତ୍ୟେକ ଭାରତବାସୀ ପାଇଁ ଅମୂଲ୍ୟ ଐତିହ୍ୟ ଅଟେ । ଏହା ମୋର ସୌଭାଗ୍ୟ ଯେ ମୋତେ ଅନେକ ଥର ଆପଣମାନଙ୍କ ଗ୍ରହଣକୁ ଆସିବାର ସୁଯୋଗ ମିଳିଛି । ମୋତେ ଏକଥା ପାଇଁ ମଧ୍ୟ ବହୁ ଖୁସି ଯେ ଆମ ମୁଖ୍ୟମନ୍ତ୍ରୀ ଏବଂ ଯୁବା ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଜୀଙ୍କ ନେତୃତ୍ୱ ଉପରେ ଯେଉଁ ଆକାଂକ୍ଷା ସହିତ ଆପଣମାନେ ଭରସା ରଖିଥିଲେ, ତାହା ଉପରେ ସରକାର ସଫଳଭାବେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ଆପଣମାନଙ୍କ ବିଶ୍ୱାସ ଡବଲ ଇଞ୍ଜିନର ସରକାରଙ୍କୁ ଆହୁରି ଅଧିକ କାର୍ଯ୍ୟ କରିବା ନିମନ୍ତେ ପ୍ରୋତ୍ସାହିତ କରୁଛି । ଆହୁରି ଅଧିକ ପ୍ରୟାସ କରିବା ପାଇଁ ଶକ୍ତି ପ୍ରଦାନ କରୁଛି । ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସର ଏହି ମାର୍ଗ ଅରୁଣାଚଳ ପ୍ରଦେଶର ସୁନ୍ଦର ଭବିଷ୍ୟତକୁ ସୁନିଶ୍ଚିତ କରିବାକୁ ଯାଉଛି । 

ବନ୍ଧୁଗଣ, 

ମୋର ଏହି ଦୃଢ ବିଶ୍ୱାସ ରହିଛି ଯେ, ପୂର୍ବ ଭାରତ ଏବଂ ବିଶେଷକରି ପୂର୍ବୋତ୍ତର ଭାରତ ଏକବିଂଶ ଶତାଦ୍ଦୀରେ ଦେଶର ବିକାଶର ଇଞ୍ଜିନରେ ପରିଣତ ହେବ । ଏହି ଭାବନା ସହିତ ଅରୁଣାଚଳ ପ୍ରଦେଶର ବିକାଶକୁ ଗତି ଦେବା ପାଇଁ ଗତ ସାତବର୍ଷ ମଧ୍ୟରେ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି । ଯୋଗାଯୋଗ ଏବଂ ଶକ୍ତି ଶହ ଜଡିତ ଭିତ୍ତିଭୂମି ଉପରେ ବ୍ୟାପକ କାର୍ଯ୍ୟ, ଆଜି ଅରୁଣାଚଳରେ ଜୀବନ ଏବଂ ବ୍ୟବସାୟ-କାରବାରକୁ ସହଜ କରୁଛି । ଇଟାନଗର ସମେତ ଉତ୍ତରପୂର୍ବର ସବୁ ରାଜଧାନୀକୁ ରେଳପଥ ସହ ସଂଯୋଗ କରିବା ଆମର ପ୍ରାଥମିକତା ହୋଇ ରହିଛି । ଆମେ ଅରୁଣାଚଳକୁ ପୂର୍ବ ଏସିଆର ଏକ ପ୍ରମୁଖ ପ୍ରବେଶ ପଥରେ ପରିଣତ କରିବାରେ ଆମେ ସମସ୍ତ ଶକ୍ତି ଲଗାଇ ଦେଇଛୁ । ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଅରୁଣାଚଳର ଭୂମିକାକୁ ଦେଖି ଆଧୁନିକ ଭିତ୍ତିଭୂମିର ନିର୍ମାଣ କରାଯାଉଛି ।

ବନ୍ଧୁଗଣ,

ଆମେ ଅରୁଣାଚଳରେ ପ୍ରଗତି, ପ୍ରକୃତି, ପରିବେଶ ଏବଂ ସଂସ୍କୃତିର ସମନ୍ୱୟ ରଖି ନିରନ୍ତର ଅଗ୍ରସର ହେଉଛୁ । ଆପଣ ସମସ୍ତଙ୍କ ପ୍ରୟାସ ଯୋଗୁଁ ଏହି ଅଞ୍ଚଳ ଆଜି ଦେଶର ସବୁଠାରୁ ପ୍ରମୁଖ ଜୈବ ବିବିଧତା କ୍ଷେତ୍ର ମଧ୍ୟରୁ ଅନ୍ୟତମ ହୋଇପାରିଛି । ମୋତେ ସେତେବେଳ ବହୁତ ଆନନ୍ଦ ମିଳିଥାଏ ଯେତେବେଳେ ପ୍ରେମା ଖାଣ୍ଡୁଜୀ ନିରନ୍ତରଭାବେ ଅରୁଣାଚଳର ବିକାଶ ନିମନ୍ତେ ପ୍ରୟାସ କରୁଥିବାର ମୁଁ ଦେଖେ । ସ୍ୱାସ୍ଥ୍ୟ, ଶିକ୍ଷା, କୌଶଳବିକାଶ, ମହିଳା ସଶକ୍ତିକରଣ, ସ୍ୱୟଂ ସହାୟକ ଗୋଷ୍ଠୀ ଏଭଳି ପ୍ରତ୍ୟେକ ବିଷୟ ଉପରେ ସେ ସକ୍ରିୟ ରହିଥାନ୍ତି । ଦେଶର ଆଇନମନ୍ତ୍ରୀ ଶ୍ରୀମାନ କିରଣ ରିଜ୍ଜିଜୁ ଜୀ, ତାଙ୍କ ସହିତ ମୋର ଯେତେବେଳେ କଥାବାର୍ତ୍ତା ହୁଏ, ସେତେବେଳେ ତାଙ୍କ ପାଖରେ ଅରୁଣାଚଳକୁ ଆଗକୁ ବଢାଇବା ନିମନ୍ତେ ନୂଆ ନୂଆ ଚିନ୍ତାଧାରା ରହିଥାଏ, ଅନେକ ପରାମର୍ଶ ମଧ୍ୟ ମିଳିଥାଏ । ପ୍ରତ୍ୟେକଥର କିଛି ନା କିଛି ନୂଆ କରିବାର ସ୍ପୃହା ମନରେ ଥାଏ । 

ବନ୍ଧୁଗଣ, 

ଅରୁଣାଚଳକୁ ପ୍ରକୃତି ନିଜ ଭଣ୍ଡାରରୁ ଅନେକ କିଛି ଦେଇଛି । ଆପଣମାନେ ପ୍ରକୃତିକୁ ଜୀବନର ଅଙ୍ଗ କରିଦେଇଛନ୍ତି । ଅରୁଣାଚଳର ଏହି ପର୍ଯ୍ୟଟନ ସାମର୍ଥ୍ୟକୁ ସାରା ବିଶ୍ୱରେ ପହଞ୍ଚାଇବା ନିମନ୍ତେ ଆମେ ପ୍ରୟାସରତ ଅଛୁ । ଆଜିର ଏହି ଅବସରରେ ମୁଁ ଆପଣମାନଙ୍କୁ ପୁଣି ଥରେ ଆଶ୍ୱସ୍ତ କରିବି ଯେ ଡବଲ ଇଞ୍ଜିନର ସରକାର ଅରୁଣାଚଳ ପ୍ରଦେଶର ସ୍ୱପ୍ନକୁ ସାକାର କରିବା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିବେ । ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ଥାପନା ଦିବସର ଏବଂ ଅରୁଣାଚଳ ପ୍ରଦେଶ ନାମକରଣର ୫୦ବର୍ଷ ପୂର୍ତ୍ତି ନିମନ୍ତେ ଅନେକ ଅନେକ ଶୁଭେଚ୍ଛା । 

ଅଶେଷ ଅଶେଷ ଧନ୍ୟବାଦ । 

****

JPM / SLP



(Release ID: 1799915) Visitor Counter : 172