ରାଷ୍ଟ୍ରପତିଙ୍କ ସଚିବାଳୟ

ସଂସଦର ଉଭୟ ଗୃହର ମିଳିତ ବୈଠକରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ

Posted On: 31 JAN 2022 12:14PM by PIB Bhubaneshwar

ମାନନୀୟ ସଦସ୍ୟଗଣ

 

  1. ଆମ୍ଭେମାନେ କରୋନା-ଭାଇରସ୍ ଦ୍ୱାରା ସୃଷ୍ଟ ମହାମାରୀର ତୃତୀୟ ବର୍ଷରେ ଅଛୁ । ଏହି ବର୍ଷଗୁଡିକରେ, ଭାରତର ଲୋକମାନେ ଗଣତାନ୍ତ୍ରିକ ମୂଲ୍ୟବୋଧ, ଶୃଙ୍ଖଳା ଏବଂ ଦାୟିତ୍ୱର ଭାବନା ଉପରେ ଗଭୀର ବିଶ୍ୱାସ ପ୍ରଦର୍ଶନ କରିଛନ୍ତି । ଏକ ସମୟରେ, ଯେତେବେଳେ ଭାରତ ସ୍ୱାଧୀନତାର 75 ତମ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କର ଏହି ଇଚ୍ଛାଶକ୍ତି ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅପାର ଆତ୍ମବିଶ୍ୱାସ ସୃଷ୍ଟି କରେ ।  ଏହି ଆତ୍ମବିଶ୍ୱାସ ସହିତ ମୁଁ ସଂସଦର ଏହି ଐତିହାସିକ ସେଣ୍ଟ୍ରାଲ ହଲରୁ ପ୍ରତ୍ୟେକ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।

 

  1. ଆଜି ଏକତ୍ରିତ ହୋଇଥିବା ସଂସଦର ଉଭୟ ଗୃହକୁ ସମ୍ବୋଧିତ କରି ମୁଁ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ସଲାମ କରୁଛି, ଯେଉଁମାନେ ସେମାନଙ୍କର କର୍ତ୍ତବ୍ୟକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ଏବଂ ଭାରତର ଅଧିକାର ସୁରକ୍ଷିତ କରିଛନ୍ତି । ସ୍ୱାଧୀନତାର ଏହି 75 ବର୍ଷରେ ଆମ ଦେଶର ବିକାଶ-ଯାତ୍ରାରେ ସେମାନଙ୍କର ଅବଦାନ ପାଇଁ ମୁଁ ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସଲାମ କରୁଛି ।

 

 

  1. ଅମୃତ ମହୋତ୍ସବର ଏହି ସମୟରେ ଦେଶର ମହାନ ବ୍ୟକ୍ତିତ୍ୱଙ୍କ ସହ ଜଡିତ ବିଶେଷ ଘଟଣା ମଧ୍ୟ ଆମକୁ ପ୍ରେରଣା ଯୋଗାଉଛି । ମୋ ସରକାର ଗୁରୁ ତେଗ ବାହାଦୂର ଜୀ ଙ୍କର 400 ତମ ପ୍ରକାଶ ପର୍ବ, ଶ୍ରୀ ଅରବିନ୍ଦଙ୍କ 150 ତମ ଜନ୍ମ ବାର୍ଷିକୀ, ଭି.ଓ.ଚିଦାମ୍ବରମ ପିଲାଇଙ୍କ 150 ତମ ଜନ୍ମ ବାର୍ଷିକୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀ ମହାମାରୋହରେ ପାଳନ କରୁଛି । ଏହି ବର୍ଷ ଠାରୁ, ସରକାର ନେତାଜୀଙ୍କ ଜନ୍ମ ବାର୍ଷିକୀ ଜାନୁୟାରୀ 23 ରୁ ଗଣତନ୍ତ୍ର ଦିବସ ପର୍ଯ୍ୟନ୍ତ ପାଳନ ଆରମ୍ଭ କରିଛନ୍ତି ।

 

  1. ମୋ ସରକାର ବିଶ୍ୱାସ କରନ୍ତି ଯେ ଦେଶର ସୁରକ୍ଷିତ ଭବିଷ୍ୟତ ପାଇଁ ଅତୀତକୁ ମନେ ରଖିବା ଏବଂ ଏଥିରୁ ଶିଖିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ଅଟେ । ସାହିବଜାଦାସଙ୍କ ବଳିଦାନ ଏବଂ ସ୍ମୃତିରେ 26 ଡିସେମ୍ବରରେ ‘ବୀର୍ ବାଲ୍ ଦିବସ୍‌' ପାଳନ ଏବଂ ଅଗଷ୍ଟ 14 ତାରିଖରେ ‘ବିଭାଜନ ବିଭିଷିକା ସ୍ମୃତି ଦିବସ’ ପାଳନ ଏହି ଚିନ୍ତାଧାରାର ପ୍ରତିଫଳନ । 15 ନଭେମ୍ବରରେ ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ଯାହା ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ।

 

ମାନନୀୟ ସଦସ୍ୟଗଣ

  1. ଆଗାମୀ 25 ବର୍ଷ ପାଇଁ ସଂକଳ୍ପକୁ ମଝବୁତ କରିବାପାଇଁ ସମସ୍ତ ଭାରତୀୟଙ୍କ ଆଜାଦି କା ଅମୃତ ମହୋତ୍ସବ ଏକ ପବିତ୍ର ଉତ୍ସବ । ‘ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ' ମନ୍ତ୍ର ଅନୁସରଣ କରି ମୋ ସରକାର ଆସନ୍ତା 25 ବର୍ଷ ପାଇଁ ଏକ ଦୃଢ ଭିତ୍ତିଭୂମି ର୍ନିମାଣରେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ଏହି ମୂଳଦୁଆ ସହିତ ଜଡିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଙ୍କଳ୍ପ ହେଉଛି ଏକ ଭାରତର ସୃଷ୍ଟି ଯେଉଁଥିରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରେ, ସମସ୍ତଙ୍କୁ ଲାଭ ଦିଏ, ଯାହା ଦୃଢ ଏବଂ ଆତ୍ମର୍ନିଭରଶୀଳ ।  କରୋନାର ଆହ୍ୱାନ ଆମକୁ ଦ୍ରୁତ ଗତିରେ ଆମର ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଦେଇଛି ।

 

ମାନନୀୟ ସଦସ୍ୟଗଣ

  1. କୋଭିଡ ମହାମାରୀ ସମଗ୍ର ବିଶ୍ୱ ଏବଂ ଭାରତକୁ ପ୍ରଭାବିତ କରିଥିଲା, ଏହା ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଛଡାଇ ନେଇଥିଲା । ଏହି ପରିସ୍ଥିତିରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ଥାନୀୟ ସରକାର ଏବଂ ପ୍ରଶାସନ, ଆମର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀ, ଆମର ବୈଜ୍ଞାନିକ ଏବଂ ଉଦ୍ୟୋଗୀମାନେ ଏକ ଦଳଗତ ଭାବରେ କାର୍ଯ୍ୟ କରିଛନ୍ତି । ସରକାର ଏବଂ ନାଗରିକଙ୍କ ମଧ୍ୟରେ ଏହି ପାରସ୍ପରିକ ବିଶ୍ୱାସ, ସମନ୍ୱୟ ଏବଂ ସହଯୋଗ ଆମର ଗଣତନ୍ତ୍ରର ଶକ୍ତିର ଏକ ଅଦ୍ୱିତୀୟ ଉଦାହରଣ । ଏଥିପାଇଁ ମୁଁ ପ୍ରତ୍ୟେକ ସ୍ୱାସ୍ଥ୍ୟ ଏବଂ ସମ୍ମୁଖରେ ରହି କାର୍ଯ୍ୟ କରୁଥିବା କର୍ମୀ ଏବଂ ପ୍ରତ୍ୟେକ ନାଗରିକଙ୍କୁ ପ୍ରଶଂସା କରେ ।

 

  1. କୋଭିଡ ଟୀକାକରଣ କାର୍ଯ୍ୟକ୍ରମରେ କୋଭିଡ -19 ବିରୋଧରେ ଚାଲିଥିବା ଲଢେଇରେ ଭାରତର ସାମର୍ଥ୍ୟର ଏକ ଉଦାହରଣ ବୋଲି ସ୍ପଷ୍ଟ ହୋଇଛି । ଆମେ ଏକ ବର୍ଷରୁ କମ୍ ସମୟ ମଧ୍ୟରେ 150 କୋଟିରୁ ଅଧିକ ଟିକା ଦେବା ରେକର୍ଡକୁ ଅତିକ୍ରମ କରିଛୁ । ଆଜି ଆମେ ସର୍ବାଧିକ ଟିକା ଦେଇ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ରହିଛୁ । ଏହି ଅଭିଯାନର ସଫଳତା ଦେଶକୁ ଏକ ନିରାପତ୍ତା ଦେଇଛି ଯାହା ଆମ ନାଗରିକଙ୍କୁ ବର୍ଦ୍ଧିତ ସୁରକ୍ଷା ପ୍ରଦାନ କରିବା ସହିତ ସେମାନଙ୍କ ମନୋବଳକୁ ମଧ୍ୟ ବଢାଇଛି ।

 

 

  1. ଆଜି ଦେଶର 90 ପ୍ରତିଶତରୁ ଅଧିକ ବୟସ୍କ ନାଗରିକ ଏହି ଟୀକାକରଣର ପ୍ରଥମ ମାତ୍ରା ଗ୍ରହଣ କରିଥିବାବେଳେ 70 ପ୍ରତିଶତରୁ ଅଧିକ ଉଭୟ ଡୋଜ ନେଇଛନ୍ତି । ‘ହର ଘର ଦସ୍ତକ' ଅଭିଯାନ ମାଧ୍ୟମରେ ସରକାର ଅବଶିଷ୍ଟ ଜନସଂଖ୍ୟା ନିକଟରେ ମଧ୍ୟ ଏହି ଅଭିଯାନକୁ ପହଞ୍ଚାଉଛନ୍ତି । 15 ରୁ 18 ବର୍ଷ ବୟସର କିଶୋରମାନେ ମଧ୍ୟ ଏହି ମାସରୁ ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ସମ୍ମୁଖଭାଗରେ ରହି କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ଏକାଧିକ ରୋଗରେ ପୀଡିତ ଥିବା ବରିଷ୍ଠ ନାଗରିକଙ୍କ ପାଇଁ ସତର୍କତାମୂଳକ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି ।

 

  1. ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଏପର୍ଯ୍ୟନ୍ତ ଆଠଟି ଟିକା ଅନୁମୋଦନ କରାଯାଇଛି । ଭାରତରେ ଉତ୍ପାଦିତ ହେଉଥିବା ତିନୋଟି ଟିକା ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ଲାଭ କରିଛି । ଭାରତରେ ଉତ୍ପାଦିତ ଏହି ଟିକା ସମଗ୍ର ବିଶ୍ୱକୁ ମହାମାରୀରୁ ମୁକ୍ତ କରିବାରେ ଏବଂ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

 

ମାନନୀୟ ସଦସ୍ୟଗଣ

 

  1. କୋଭିଡ ମହାମାରୀ ବିରୋଧରେ ଲଢେଇରେ ତୁରନ୍ତ ଆହ୍ୱାନର ମୁକାବିଲା ପାଇଁ ଦେଶର ପ୍ରୟାସ ସୀମିତ ନୁହେଁ । ମୋ ସରକାର ସୁଦୂରପ୍ରସାରୀ ସମାଧାନର ବିକାଶ କରୁଛି ଯାହା ଭବିଷ୍ୟତରେ ମଧ୍ୟ ପ୍ରଭାବଶାଳୀ ଏବଂ ଉପଯୋଗୀ ହେବ । ପ୍ରଧାନ ମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ଶୁଭାରମ୍ଭ 64,000 କୋଟି ଟଙ୍କା ସହିତ ଏକ ପ୍ରଶଂସନୀୟ ଉଦାହରଣ । ଏହା କେବଳ ବର୍ତ୍ତମାନର ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ ନାହିଁ, ବରଂ ଭବିଷ୍ୟତର ସଙ୍କଟ ପାଇଁ ଦେଶକୁ ମଧ୍ୟ ପ୍ରସ୍ତୁତ କରିବ ।

 

  1. ମୋ ସରକାରଙ୍କ ଦାୟିତ୍ୱସମ୍ପନ୍ନ ନୀତି ହେତୁ ସ୍ୱାସ୍ଥ୍ୟ ସୁବିଧା ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହେଉଛି । 80,000 ରୁ ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଏବଂ ଆୟୁଷ୍ମାନ ଭାରତ କାର୍ଡ କୋଟି ଟଙ୍କା ଗରିବ ଲୋକଙ୍କୁ ଚିକିତ୍ସା କରିବାରେ ବହୁତ ସାହାଯ୍ୟ କରିଛି । 8000 ରୁ ଅଧିକ ଜନ ଔଷଧି କେନ୍ଦ୍ର ମାଧ୍ୟମରେ ସୁଲଭ ଔଷଧ ଯୋଗାଇ ସରକାର ଚିକିତ୍ସା ଖର୍ଚ୍ଚ ହ୍ରାସ କରିଛନ୍ତି । ସହଜ ଏବଂ ସୁଗମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ‘ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍‌' ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

 

ମାନନୀୟ ସଦସ୍ୟଗଣ

 

  1. ଭାରତୀୟ ଔଷଧ କ୍ଷେତ୍ର ମଧ୍ୟ କରୋନା ସମୟରେ ଏହାର ପାରଦର୍ଶିତା ପ୍ରମାଣ କରିଛି । ବର୍ତ୍ତମାନ, ଭାରତୀୟ ଔଷଧ କମ୍ପାନୀଗୁଡିକର ଉତ୍ପାଦଗୁଡିକ 180 ରୁ ଅଧିକ ଦେଶରେ ପହଞ୍ଚୁଛି । ତେବେ ଏହି କ୍ଷେତ୍ରରେ ଭାରତ ପାଇଁ ବିଭିନ୍ନ ପ୍ରକାରର ସୁଯୋଗ ଅଛି । ଔଷଧ ଶିଳ୍ପ ପାଇଁ ମୋ ସରକାର ଘୋଷଣା କରିଥିବା ପିଏଲ୍‍ଆଇ ଯୋଜନା ସୁଯୋଗକୁ ଆହୁରି ବିସ୍ତାର କରିବ ଏବଂ ଗବେଷଣା ପାଇଁ ପ୍ରେରଣା ଯୋଗାଇବ ।

 

  1. ଯୋଗ, ଆୟୁର୍ବେଦ ଏବଂ ପାରମ୍ପାରିକ ଚିକିତ୍ସା ଅଭ୍ୟାସ ମଧ୍ୟ ସରକାରଙ୍କ ଉଦ୍ୟମ ହେତୁ ଅଧିକ ଲୋକପ୍ରିୟ ହେଉଛି । ଦେଶ 2014 ରେ 6600 କୋଟି ଟଙ୍କା ମୂଲ୍ୟର ଆୟୁଷ ଉତ୍ପାଦ ରପ୍ତାନି କରିଥିଲା । ଏହି ରପ୍ତାନି ବର୍ତ୍ତମାନ 11,000 କୋଟିରୁ ଅଧିକ ହୋଇଛି । ଭାରତ ବିଶ୍ୱର ପ୍ରଥମ ‘ଡବ୍ଲ୍ୟୁଏଚ୍‍ଓ ଆର୍ନ୍ତଜାତୀୟ ପାରମ୍ପରିକ ଔଷଧ କେନ୍ଦ୍ର' ପ୍ରତିଷ୍ଠା କରିବାକୁ ଯାଉଛି ।

 

ମାନନୀୟ ସଦସ୍ୟଗଣ

 

ଆମ ସମ୍ବିଧାନର ମୁଖ୍ୟ ସ୍ଥପତି ବାବା ସାହେବ ଡାକ୍ତର ଭୀମରାଓ ଆମ୍ବେଦକର କହିଛନ୍ତି:

“ମୋର ଆଦର୍ଶର ସମାଜ ହେଉଛି ମୁକ୍ତ, ସମାନତା ଏବଂ ଭାତୃତ୍ୱ ଉପରେ ଆଧାରିତ ଏକ ସମାଜ ... ଗଣତନ୍ତ୍ର କେବଳ ସରକାରଙ୍କ ଏକ ରୂପ ନୁହେଁ ... ଏହା ମୂଳତଃ ଜଣେ ବ୍ୟକ୍ତିଙ୍କ ପ୍ରତି ସମ୍ମାନର ମନୋଭାବ ଅଟେ ।”

 

  1. ମୋ ସରକାର ବାବା ସାହେବଙ୍କ ଏହି ଆଦର୍ଶକୁ ଏହାର ନୀତି ବୋଲି ବିବେଚନା କରେ । ସାମାଜିକ ନ୍ୟାୟ, ସମାନତା, ସମ୍ମାନ ଏବଂ ସମାନ ସୁଯୋଗକୁ ଅନ୍ତର୍ଭୁକ୍ତ କରୁଥିବା ଅନ୍ତ୍ୟୋଦୟ ମନ୍ତ୍ରରେ ମୋ ସରକାର ବିଶ୍ୱାସ କରନ୍ତି । ତେଣୁ ସରକାରଙ୍କ ନୀତିରେ ଗ୍ରାମ, ଗରିବ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ତଥା ପଛୁଆ ବର୍ଗଙ୍କୁ ପ୍ରାଥମିକତା ଦିଆଯାଉଛି । ନିକଟ ଅତୀତରେ ପଦ୍ମ ପୁରସ୍କାର ଚୟନରେ ଭାରତର ଏହି ଆବେଗ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି । ଭାରତ ପରି ଏକ ବିବିଧ ଦେଶରେ ସମଗ୍ର ଦେଶର ଉତ୍ସର୍ଗୀକୃତ ବ୍ୟକ୍ତିମାନେ ଦେଶର ସେବାରେ ନିୟୋଜିତ ଅଟନ୍ତି । ସେମାନେ ଭାରତର ଶକ୍ତିକୁ ପ୍ରତିଫଳିତ କରନ୍ତି ।

 

ମାନନୀୟ ସଦସ୍ୟଗଣ

  1. ଅନେକ ପ୍ରମୁଖ ଦେଶ ଖାଦ୍ୟ-ଶସ୍ୟର ଅଭାବ ଅନୁଭବ କରିଛନ୍ତି ଏବଂ କରୋନା ସଙ୍କଟ ସମୟରେ ଅନାହାରର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ମୋ ସମ୍ବେଦନଶୀଳ ସରକାର ନିଶ୍ଚିତ କରିଛନ୍ତି ଯେ 100 ବର୍ଷ ମଧ୍ୟରେ ଭୟଙ୍କର ମହାମାରୀ ସମୟରେ କେହି ଭୋକିଲା ରହିବେ ନାହିଁ । ମୋ ସରକାର ପ୍ରତ୍ୟେକ ଗରିବ ପରିବାରକୁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ରାସନ ଯୋଗାଉଛନ୍ତି । ଏହା ହେଉଛି ବିଶ୍ୱର ସର୍ବ ବୃହତ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ  ଯାହାକି ଦୁଇ ଲକ୍ଷ ଷାଠିଏ ହଜାର କୋଟି ଟଙ୍କା ବିନିମୟରେ 19 ମାସ ପାଇଁ 80 କୋଟି ହିତାଧିକାରୀଙ୍କ ନିକଟରେ ପହଞ୍ଚିଛି । ବର୍ତ୍ତମାନର ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନଶୀଳ ହୋଇ ସରକାର ଏହି ଯୋଜନାକୁ ମାର୍ଚ୍ଚ 2022ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

 

  1. କରୋନା ଅବଧିରେ ଗରିବଙ୍କ ଆତ୍ମ ସମ୍ମାନ ବଢାଇବା ଏବଂ ସେମାନଙ୍କ ଜୀବିକାର ସୁରକ୍ଷା ପାଇଁ ସରକାର ପିଏମ୍‍-ଏସ୍‍ଭିଏ-ନିଧି ଯୋଜନା ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନା ରାସ୍ତାପାଶ୍ୱର୍ ବିକ୍ରେତାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ ହେଉଛି । ଏହି ଯୋଜନା ଅଧୀନରେ 28 ଲକ୍ଷ ରାସ୍ତା ପାଶ୍ୱର୍ ବିକ୍ରେତାଙ୍କୁ 2900 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ସରକାର ଏହି ରାସ୍ତାକଡ ବିକ୍ରେତାମାନଙ୍କୁ ଅନଲାଇନ୍‍ ଖାଦ୍ୟ ବିତରଣ କମ୍ପାନୀ ସହିତ ସଂଯୋଗ କରୁଛନ୍ତି । ଅଧିକନ୍ତୁ, ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ଇ-ଶ୍ରମ ପୋର୍ଟାଲ ଆରମ୍ଭ କରିଛନ୍ତି ଏବଂ ଏପର୍ଯ୍ୟନ୍ତ 23 କୋଟିରୁ ଅଧିକ ଶ୍ରମିକ ଏଥିରେ ଯୋଗ ଦେଇଛନ୍ତି ।

 

  1. ଜନ ଧନ-ଆଧାର-ମୋବାଇଲ୍ କିମ୍ବା ଜେଏଏମ୍‍ ତ୍ରିମୂର୍ତ୍ତିର ପ୍ରଭାବ ଆମେ ଦେଖିପାରୁ ଯାହା ନାଗରିକଙ୍କ ସଶକ୍ତିକରଣ ପାଇଁ ମୋ ସରକାର ବ୍ୟବହାର କରିଛନ୍ତି । 44 କୋଟିରୁ ଅଧିକ ଗରିବ ଲୋକ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଯୋଗଦେବା ସହିତ ମହାମାରୀ ସମୟରେ ସିଧାସଳଖ ନଗଦ ସ୍ଥାନାନ୍ତର ଦ୍ୱାରା କୋଟି କୋଟି ଲୋକ ଉପକୃତ ହୋଇଥିଲେ ।

 

  1. ଡିଜିଟାଲ୍ ଇଣ୍ଡିଆ ଏବଂ ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଅଗ୍ରଗତି ମଧ୍ୟରେ ମୁଁ ଦେଶର ୟୁପିଆଇ ପ୍ଲାଟଫର୍ମର ସଫଳତା ପାଇଁ ସରକାରଙ୍କ ଦୃଷ୍ଟିକୁ ମଧ୍ୟ ପ୍ରଶଂସା କରୁଛି । ଡିସେମ୍ବର 2021 ରେ ୟୁପିଏ ମାଧ୍ୟମରେ ଦେଶରେ 8 ଲକ୍ଷ କୋଟିରୁ ଅଧିକ ମୂଲ୍ୟର କାରବାର ହୋଇଛି । ଆମ ଲୋକେ ଜ୍ଞାନକୌଶଳ ଏବଂ ଦ୍ରୁତ ପରିବର୍ତ୍ତନକୁ କେତେ ଶୀଘ୍ର ଗ୍ରହଣ କରୁଛି ଏହା ତାହାର ଏକ ସ୍ପଷ୍ଟ ଉଦାହରଣ ।

 

ମାନନୀୟ ସଦସ୍ୟଗଣ

  1. ମୋ ସରକାର ଗରିବ ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ସମ୍ମାନ ବୃଦ୍ଧି କରିବାର ଏକ ମାଧ୍ୟମ ଭାବରେ ମୌଳିକ ସୁବିଧା ଯୋଗାଇଦେବାକୁ ବିବେଚନା କରେ । ଗତ କିଛି ବର୍ଷ ମଧ୍ୟରେ ପ୍ରୟାସ ହେତୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ଦୁଇ କୋଟିରୁ ଅଧିକ ପକ୍କା ଘର ଯୋଗାଇ ଦିଆଯାଇଛି । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ ଅଧୀନରେ ଗତ ତିନିବର୍ଷ ମଧ୍ୟରେ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କା ବ୍ୟୟରେ 1କୋଟି 17 ଲକ୍ଷ ଘରକୁ ଅନୁମୋଦନ କରାଯାଇଛି ।
  2. ‘ହର ଘର ଜଲ'ର ଲକ୍ଷ୍ୟ ସହିତ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ଲୋକଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ମହାମାରୀର ପ୍ରତିବନ୍ଧକ ସତ୍ତ୍ୱେ ପାଖାପାଖି ଛଅ କୋଟି ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ଯୋଗାଇ ଦିଆଯାଇଛି । ଆମ ଗାଁର ମହିଳା, ଭଉଣୀ ଏବଂ ଝିଅମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ହୋଇଛି ।

 

  1. ଗ୍ରାମାଞ୍ଚଳର ଲୋକଙ୍କୁ ସମ୍ପତ୍ତି ଦଲିଲ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ସ୍ୱାମୀତ୍ୱ ଯୋଜନା ମଧ୍ୟ ଏକ ଅସାଧାରଣ ପଦକ୍ଷେପ । ଏହି ଯୋଜନା ଅନ୍ତର୍ଗତ 27,000 ଗାଁରେ ଏପର୍ଯ୍ୟନ୍ତ 40 ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ଜାରି କରାଯାଇଛି । ଏହି ସମ୍ପତ୍ତି କାର୍ଡ କେବଳ ବିବାଦକୁ ରୋକି ନଥାଏ ବରଂ ଗ୍ରାମୀଣ ଜନସଂଖ୍ୟାକୁ ବ୍ୟାଙ୍କିଙ୍ଗ୍ ସହାୟତା ପାଇବାରେ ସାହାଯ୍ୟ କରୁଛି ।

 

 ମାନନୀୟ ସଦସ୍ୟଗଣ,

୨୨. ମୋ ସରକାର ଦେଶର କୃଷକ ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ସଶକ୍ତ କରିବା ନିମନ୍ତେ ନିରନ୍ତର ଭାବେ କାମ କରି ଚାଲୁଛି । ମହାମାରୀ ହେବା ସତ୍ୱେ, ଆମର କୃଷକମାନେ ୨୦୨୦- ୨୧ରେ ୩୦ କୋଟି ଟନ୍‌ରୁ ଅଧିକ ଖାଦ୍ୟଶସ୍ୟ ଏବଂ ୩୩ କୋଟି ଟନ୍ ଉଦ୍ୟାନ କୃଷି ଉତ୍ପାଦ ଉତ୍ପାଦନ କରିଛନ୍ତି । ସରକାର ରେକର୍ଡ ଉତ୍ପାଦନ ସହିତ ସମକକ୍ଷ ହେବା ନିମନ୍ତେ ରେକର୍ଡ ପରିମାଣରେ କ୍ରୟ କରିଛନ୍ତି । ସରକାର ରବି ଋତୁ ସମୟରେ ୪୩୩ ଲକ୍ଷ ମେଟ୍ରିକ୍ ଟନ୍ ଗହମ କ୍ରୟ କରିଛନ୍ତି, ଯେଉଁଥିରେ ପାଖାପାଖି ୫୦ ଲକ୍ଷ କୃଷକ ଲାଭାନ୍ୱିତ  ହୋଇଛନ୍ତି । ଖରିଫ୍ ଋତୁରେ ରେକର୍ଡ ମାତ୍ରାରେ ପାଖାପାଖି ୯୦୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି, ଯେଉଁଥିରେ ୧ କୋଟି ୩୦ ଲକ୍ଷ କୃଷକମାନଙ୍କୁ ଲାଭ ହୋଇଛି ।

୨୩. ସରକାରଙ୍କର ପ୍ରୟାସ ଗୁଡିକ ଦ୍ୱାରା ଆମର କୃଷି ରପ୍ତାନି ରେକର୍ଡ ସ୍ତରରେ ପହଂଚି ଯାଇଛି । ୨୦୨୦ -୨୧ ରେ କୃଷି ରପ୍ତାନିରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ଏବଂ ପାଖାପାଖି ୩ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚି ଯାଇଛି ।

୨୪. ଉଦ୍ୟାନ କୃଷି ଏବଂ ମହୁ ଉତ୍ପାଦନ କୃଷକ ମାନଙ୍କ ନିମନ୍ତେ ଆୟର ନୂଆ ସ୍ରୋତ ସୃଷ୍ଟି କରିବା ସହିତ ସେସବୁକୁ ବଜାରରେ ଭଲ ଭାବରେ ପହଂଚାଇବା ନିମନ୍ତେ ମହତ୍ୱପୂର୍ଣ୍ଣ ଉତ୍ସ ଅଟେ । ମହୁ ଉତ୍ପାଦନକୁ ପ୍ରୋତ୍ସାହିତ କରିବା କାରଣରୁ ୨୦୨୦- ୨୧ରେ ମହୁର ଘରୋଇ ଉତ୍ପାଦନ ୧ ଲକ୍ଷ ୨୫ ହଜାର ମେଟ୍ରିକ୍ ଟନ୍‌ରେ ପହଂଚି ଯାଇଛି, ଯାହା ୨୦୧୪ -୧୫ ତୁଳନାରେ ପାଖାପାଖି ୫୫ ପ୍ରତିଶତ ଅଧିକ ଅଟେ । ମହୁ ରପ୍ତାନିର ମାତ୍ରା ୨୦୧୪ -୧୫ ତୁଳନାରେ ୧୦୨ ପ୍ରତିଶତକୁ ଅଧିକ ବଢ଼ିଯାଇଛି ।

୨୫. କୃଷକମାନଙ୍କୁ ସେମାନଙ୍କର ଫସଲ ଗୁଡିକର ଲାଭକାରୀ ମୂଲ୍ୟ ସୁନିଶ୍ଚିତ କରିବା ନିମନ୍ତେ ଏହା ଆବଶ୍ୟକ ଅଟେ ଯେ, ସେମାନଙ୍କର ଉତ୍ପାଦ ଉଚିତ୍ ବଜାରରେ ପହଂଚିବା । ଏହି ଦିଗରେ ସରକାର କିଷାନ ରେଳ ସେବା ଆରମ୍ଭ କରି କୃଷକ ମାନଙ୍କ ନିମନ୍ତେ ସମୃଦ୍ଧିର ନୂତନ ମାର୍ଗ ଖୋଲିବା ନିମନ୍ତେ ପ୍ରୟାସ କରି ଚାଲିଛି । କରୋନା ସମୟରେ, ଭାରତୀୟ ରେଳ ପନିପରିବା, ଫଳ ଏବଂ କ୍ଷୀର ଭଳି ଶୀଘ୍ର ଖରାପ ହୋଇ ଯାଉଥିବା ଖାଦ୍ୟ ପଦାର୍ଥ ଗୁଡିକର ପରିବହନ ନିମନ୍ତେ ୧୫୦ରୁ ଅଧିକ ମାର୍ଗରେ ୧,୯୦୦ରୁ ଅଧିକ କିଷାନ ରେଳର ସଂଚାଳନ କରିଛି, ଯେଉଁଥିରେ ପାଖାପାଖି ୬ ଲକ୍ଷ ମେଟ୍ରିକ୍ ଟନ୍ କୃଷି ଉତ୍ପାଦନର ପରିବହନ ହୋଇଛି । ଏହା ଏହି କଥାର ଉଦାହରଣ ଯେ, ଯଦି ଚିନ୍ତାଧାରା ନୂତନ, ତେବେ ଉପଲବ୍ଧ ସମ୍ବଳକୁ ନେଇ ନୂତନ ରାସ୍ତା ପ୍ରସ୍ତୁତ କରାଯାଇ ପାରିବ ।

ମାନନୀୟ ସଦସ୍ୟଗଣ,

 ୨୬. ମୁଁ ଦେଶର କ୍ଷୁଦ୍ର କୃଷକ ମାନଙ୍କୁ ଏହି ନିରନ୍ତର ସଫଳତା ଏବଂ କୃଷି କ୍ଷେତ୍ରକୁ ମଜବୁଜ  କରିବା ନିମନ୍ତେ ଅଧିକରୁ ଅଧିକ ଶ୍ରେୟ ଦେବାକୁ ଚାହିଁବି । କ୍ଷୁଦ୍ର କୃଷକ, ଯେଉଁମାନେ କୃଷକ ସମୁଦାୟର ୮୦ ପ୍ରତିଶତ ଅଂଶ ଅଟନ୍ତି, ସେମାନଙ୍କର ହିତ ନିମନ୍ତେ ଆମ ସରକାର ସର୍ବଦା ଗୁରତ୍ୱ ଦେଇ ଆସିଛି । ପିଏମ୍ – କିଷାନ ସମ୍ମାନ ନିଧି ଅଧୀନରେ ୧୧ କୋଟି ଟଙ୍କାରୁ ଅଧିକ କୃଷକ ପରିବାର ଗୁଡିକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ସହାୟତା ଦିଆଯାଇଛି, ଏହି ନିବେଶରୁ ଆଜି କୃଷି କ୍ଷେତ୍ରରେ ବହୁତ ବଡ ପରିବର୍ତନ ଦେଖିବାକୁ ମିଳିଛି । ଫସଲ ବୀମା ଯୋଜନାରେ ହୋଇଥିବା ନୂତନ ପରିବର୍ତନ ଯୋଗୁଁ କ୍ଷୁଦ୍ର କୃଷକମାନଙ୍କୁ ମଧ୍ୟ ବହୁତ ଲାଭ ହୋଇଛି । ଏହି ପରିବର୍ତନ ଆରମ୍ଭ ହେବା ପରେ ପାଖାପାଖି ୮ କୋଟି କୃଷକମାନଙ୍କୁ କ୍ଷତିପୂରଣ ଭାବରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଦିଆଯାଇଛି ।

 ୨୭. ସରକାର କୃଷି କ୍ଷେତ୍ର ନିକଟରେ ଆବଶ୍ୟକ ଭିତିଭୂମିର ବିକାଶ ନିମନ୍ତେ ଅଭୂତପୂର୍ବ ଭାବରେ ନିବେଶ ମଧ୍ୟ କରୁଛି । କୃଷି ଭିତିଭୂମି ପାଣ୍ଠି ଅନୁସାରେ ଏକ ଲକ୍ଷ କୋଟି ଟଙ୍କାର ହଜାର ହଜାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ସୁନିଶ୍ଚିତ କରିବା ନିମନ୍ତେ, ମୋ ସରକାର ୧୧,୦୦୦ କୋଟି ଟଙ୍କାର ପରିବ୍ୟୟ ସହିତ ଖାଇବା ତେଲ ଉପରେ ରାଷ୍ଟ୍ରୀୟ ମିଶନ - ଅୟେଲ୍ ପାମ୍ ମଧ୍ୟ ଆରମ୍ଭ କରିଛି ।  ସରକାର ଜୈବିକ କୃଷି, ପ୍ରାକୃତିକ  ଉପାୟରେ କୃଷି ଏବଂ ଫସଲ ବିବିଧକରଣ ଭଳି ବିଶେଷ ପ୍ରୟାସ ମଧ୍ୟ କରୁଛି ।

 ୨୮. ଆପଣ ସମସ୍ତେ ଏହି କଥା ସହିତ ଅବଗତ ଯେ, ଜାତିସଂଘ  ୨୦୨୩କୁ ଅନ୍ତରାଷ୍ଟ୍ରୀୟ ବାଜରା ବର୍ଷ ରୂପରେ ଘୋଷିତ କରିଛି ।  ମୋ ସରକାର କୃଷକମାନଙ୍କୁ, ସ୍ୱୟଂ ସହାୟିକା ଗୋଷ୍ଠୀ, ଏଫ୍‌ପିଓ ସମୂହ, ଖାଦ୍ୟ ଉଦ୍ୟୋଗ ଏବଂ ସାଧାରଣ ନାଗରିକମାନଙ୍କ ସହିତ ବଡ ଆକାରରେ ଅନ୍ତରାଷ୍ଟ୍ରୟ ବାଜରା ବର୍ଷ ପାଳନ କରିବ ।

୨୯. ମୋ ସରକାର ମଧ୍ୟ ବର୍ଷା ଜଳ ସଂରକ୍ଷଣ ନିମନ୍ତେ ଆନ୍ତରିକତାର ସହିତ କାମ କରୁଛି । ଦେଶରେ ବର୍ଷା ଜଳ ସଂଚୟ ନିମନ୍ତେ ଭିତିଭୂମିର ନିର୍ମାଣ ଏବଂ ପାରମ୍ପରିକ ଜଳ ସଂରକ୍ଷଣ  ନିମନ୍ତେ ବିଶେଷ ଅଭିଯାନ ଚାଲୁ ରହିଛି । ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା ଏବଂ ଅଟଳ ଭୂ- ଜଳ ଯୋଜନା ଅନୁସାରେ ବିଭିନ୍ନ ପ୍ରକଳ୍ପର ସହାୟତାରେ ଦେଶରେ ଚଉଷଠି ଲକ୍ଷ ହେକ୍ଟର ଭମିକୁ ସିଂଚନ ସୁବିଧା ସହିତ ବିକଶିତ କରାଯାଇଛି । ସରକାର ନଦୀ ଗୁଡିକୁ ପରସ୍ପର ସହିତ ଯୋଡିବାର ଯୋଜନାକୁ ମଧ୍ୟ ଆଗକୁ ବଢ଼ାଇଛନ୍ତି । ବର୍ତମାନ ୪୫,୦୦୦ କୋଟି ଟଙ୍କା ବିନିଯୋଗରେ ସମ୍ପୂର୍ଣ୍ଣ ହୋଇଥିବା କେନ୍ – ବେଟୱା ସଂଯୋଗ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି । ଏହି ପ୍ରକଳ୍ପ ବୁନ୍ଦେଲଖଣ୍ଡରେ ଜଳ ସଙ୍କଟକୁ ସମାପ୍ତ କରିବା ନିମନ୍ତେ ସହାୟକ ହେବ ।

ମାନନୀୟ ସଦସ୍ୟଗଣ,

୩୦. ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଦ୍ରୁତ କରିବା ନିମନ୍ତେ ମହିଳାମାନେ ଦ୍ରୁତଗତିରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ବ୍ୟାଙ୍କ ଗୁଡିକ ୨୦୨୧- ୨୨ରେ ୨୮ ଲକ୍ଷରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ୬୫,୦୦୦ କୋଟି ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଏହା ୨୦୧୪- ୧୫ରେ ବୃଦ୍ଧିି କରାଯାଇଥିବା ଅର୍ଥରାଶିର ଚାରି ଗୁଣା ଅଟେ । ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକର ହଜାର ହଜାର ସଦସ୍ୟ ମାନଙ୍କୁ ପ୍ରଶିକ୍ଷଶ ପ୍ରଦାନ କରିଛନ୍ତି ଏବଂ ସେମାନଙ୍କୁ ‘ବ୍ୟାଙ୍କିଂ ସଖୀ’ ରୂପରେ ଅଂଶୀଦାର କରିଛନ୍ତି । ଏହି ମହିଳାମାନେ ଗ୍ରାମୀଣ ଘର ଗୁଡିକୁ ଘରକୁ ଘର ଯାଇ ବ୍ୟାଙ୍କିଂ ସେବା ପହଂଚାଉଛନ୍ତି ।

୩୧. ମହିଳା ସଶକ୍ତିକରଣ ମୋ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ଗୁଡିକ ମଧ୍ୟରୁ ଗୋଟିଏ । ଉଜ୍ଜ୍ୱଳା ଯୋଜନାର ସଫଳତାର ଆମେ ସମସ୍ତେ ସାକ୍ଷୀ ଅଟନ୍ତି । ମୁଦ୍ରା’ ଯୋଜନା ମାଧ୍ୟମରେ ଆମ ଦେଶର ମାଆ ଏବଂ ଭଉଣୀ ମାନଙ୍କର ଉଦ୍ୟୋଗୀ  ଏବଂ କୌଶଳକୁ ପ୍ରୋତ୍ସାହିତ କରାଯାଇଛି । “ବେଟୀ ବଚାଓ, ବେଟୀ ପଢ଼ାଓ” ଭଳି କିଛି ପଦକ୍ଷେପର ସକାରାତ୍ମକ ପରିଣାମ ମଧ୍ୟ ମିଳିଛି, ଏବଂ ସ୍କୁଲ୍ ଗୁଡିକରେ ନାମ ଲେଖାଇଥିବା ବାଳିକା ମାନଙ୍କର ସଂଖ୍ୟାରେ ଉତ୍ସାହଜନକ ପରିବର୍ତନ ହୋଇଛି ।  ମୋ ସରକାର ପୁଅ - ଝିଅମାନଙ୍କୁ ସମାନ ଭାବେ ଦେଖିବା ସହିତ ମହିଳା ମାନଙ୍କର ବିବାହର ନିମ୍ନତମ ବର୍ଷ ୧୮ ବର୍ଷରୁ ୨୧ ବର୍ଷକୁ  ବୃଦ୍ଧି କରିବା ନିମନ୍ତେ ବିଧେୟକ ଆଣିଛି ।

୩୨. ସରକାର ତିନ୍ ତଲାକକୁ ଖୋଲାଖୋଲି ଭାବେ ପାଳନ କରାଯାଉଥିବାର ପ୍ରଥାକୁ ଅପରାଧିକ ମାମଲା ବୋଲି ମାନି ଏଥିରୁ ସମାଜକୁ ମୁକ୍ତ କରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଛି । ମୁସଲିମ୍ ମହିଳା ମାନେ କେବଳ ମେହରମ୍ ସହିତ ହଜ୍ କରିବାକୁ ଯିବେ, ଉପରେ ଲାଗିଥିବା ପ୍ରତିବନ୍ଧକୁ ମଧ୍ୟ ଉଠେଇ ଦିଆଯାଇଛି । ଯେତେବେଳେ କି ୨୦୧୪ ପୂର୍ବରୁ ଅଳ୍ପ ସଂଖ୍ୟକ ସମୁଦାୟ ଗୁଡିକ ନିମନ୍ତେ ତିନି କୋଟି ଛାତ୍ରଙ୍କୁ ଛାତ୍ରବୃତି ପ୍ରଦାନ କରା ଯାଇଥିଲା, ମୋ ସରକାର ୨୦୧୪ ପରଠାରୁ ୪.୫ କୋଟି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତି ପ୍ରଦାନ କରିଛି । ଏଥିରେ ମୁସଲିମ୍ ଛାତ୍ରୀ ମାନଙ୍କର ସ୍କୁଲ୍ ଛାଡିବାର ହାରରେ ଉଲ୍ଲେଖନୀୟ ହ୍ରାସ ଦେଖା ଦେଇଛି ଏବଂ ସେମାନଙ୍କର ନାମାଙ୍କନରେ ମଧ୍ୟ ବୃଦ୍ଧି ହୋଇଛି ।

୩୩. ଆମ ଝିଅମାନଙ୍କ ଭିତରେ ଶିଖିବାର କ୍ଷମତାକୁ ବୃଦ୍ଧି କରିବା ନିମନ୍ତେ ଜାତୀୟ ଶିକ୍ଷା ନୀତିରେ ଜେଣ୍ଡର ଇନ୍‌କ୍ଲୁଜନ୍ ଫଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ଖୁସିର କଥା ଯେ, ସମସ୍ତ ଉପଲବ୍ଧ ୩୩ ସୈନିକ ସ୍ୱୁଲ୍ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କର ପ୍ରବେଶ ଆରମ୍ଭ ହୋଇଯାଇଛି । ସରକାର ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀରେ ମହିଳା କ୍ୟାଡେଟ୍ ମାନଙ୍କ ପ୍ରବେଶ ନିମନ୍ତେ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।  ମହିଳା କ୍ୟାଡେଟ୍ ମାନଙ୍କର ପ୍ରଥମ ବ୍ୟାଚ୍ ଜୁନ୍ ୨୦୨୨ରେ ଏନ୍‌ଡିଏରେ ପ୍ରବେଶ କରିବ । ମୋ ସରକାରର ନୀତିପୂର୍ଣ୍ଣ ନିଷ୍ପତି ଏବଂ ପ୍ରୋତ୍ସାହନ ଯୋଗୁଁ, ବିଭିନ୍ନ ପୁଲିସ୍ ବଳରେ ମହିଳା କର୍ମୀ ମାନଙ୍କର ସଂଖ୍ୟା ୨୦୧୪ ତୁନାରେ ଦୁଇ ଗୁଣା ବୃଦ୍ଧି ପାଇଛି ।

ମାନନୀୟ ସଦସ୍ୟଗଣ,

୩୪. ମହାନ ସନ୍ଥ ତିରୁବଲ୍ଲୁଭର କହିଛନ୍ତି ଯେ,

କାରକା କସଦ୍ଦର କାରପାୱି କତ୍ରପି,

ନିରକା ଆଦରକା ତାଗା ।

ଅର୍ଥାତ୍ ଜଣେ ବ୍ୟକ୍ତି ଯାହା ଶିଖିଥାଏ, ତାହା ତା’ର ଆଚରଣରେ ପରିଲକ୍ଷିତ ହୋଇଥାଏ ।

ଆତ୍ମନିର୍ଭର ଭାରତର ସଙ୍କଳ୍ପ ଏବଂ କ୍ଷମତାକୁ ରୂପ ଦେବା ପାଇଁ ମୋ ସରକାର ସାରା ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରୁଛି । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ସ୍ଥାନୀୟ ଭାଷା ଗୁଡିମରେ ମଧ୍ୟ ସ୍ନାତକ ପାଠ୍ୟକ୍ରମ ନିମନ୍ତେ ମହତ୍ୱପୂର୍ଣ୍ଣ ପ୍ରବେଶ ପରୀକ୍ଷା ଆୟୋଜିତ କରିବା ଉପରେ ଜୋର ଦିଆ ଯାଉଛି । ଏହି ବର୍ଷ ୧୦ ଟି ରାଜ୍ୟର ୧୯ଟି ଇଞ୍ଜିନିୟରିଂ କଲେଜ୍ ଛଅଟି ଭାରତୀୟ ଭାଷାରେ ପଢ଼େଇବା ଆରମ୍ଭ କରିବେ ।

୩୫. ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ସାରା ଦେଶରେ ୨ କୋଟି ୨୫ ଲକ୍ଷରୁ ଅଧିକ ଯୁବକମାନଙ୍କୁ ଆଇଟିଆଇ, ଜନ ଶିକ୍ଷଣ ସଂସ୍ଥାନ ଏବଂ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ମାଧ୍ୟମରେ କୁଶଳୀ କରାଯାଉଛି । କୌଶଳକୁ ଉଚ୍ଚ ଶିକ୍ଷା ସହିତ ଯୋଡିବା ନିମନ୍ତେ ୟୁଜିସିର ନିୟମ ଗୁଡିକରେ ମଧ୍ୟ କେତେକ ପରିବର୍ତନ କରାଯାଇଛି ।

୩୬. କରୋନା ବିରୁଦ୍ଧରେ ଲଢ଼େଇରେ ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ସ୍ୱାସ୍ଥ୍ର‌୍ୟ ଯତ୍ନ ସହିତ ଯୋଡି ହୋଇଥିବା ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ସ୍ୱାସ୍ଥ୍ର‌୍ୟ ଯତ୍ନ କ୍ଷେତ୍ରରେ ସହାୟତା କରୁଛି ।

୩୭.  ଆଦିବାସୀ  ଯୁବକଯୁବତୀ  ମାନଙ୍କର ଶିକ୍ଷା ନିମନ୍ତେ ପ୍ରତ୍ୟେକ ଆଦିବାସୀ ବହୁଳ ବ୍ଲକ୍‌ରେ ଏକଲବ୍ୟ ଆବାସିକ ମଡେଲ୍ ସ୍କୁଲ୍ ଗୁଡିକର ବିସ୍ତାର କରାଯାଉଛି । ଏହି ସ୍କୁଲ୍ ପାଖାପାଖି ସାଢ଼େ ତିନି ଲକ୍ଷ ଆଦିବାସୀ ଯୁବକଯୁବତୀଙ୍କୁ ସଶକ୍ତ କରିବ ।

ମାନନୀୟ ସଦସ୍ୟଗଣ,

ଆମେ ସମସ୍ତେ ଟୋକିଓ ଅଲମ୍ପିକ୍ ସମୟରେ ଭାରତର ଯୁବା ଶକ୍ତିର କ୍ଷମତାକୁ ଦେଖିଛେ । ଏହି ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଖେଳାଳୀମାନେ ଏବେ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସାତଟି ପଦକ ଜିତିଛନ୍ତି । ଟୋକିଓ ପାରା - ଅଲମ୍ପିକ୍ ଏବଂ ଖେଳ ଗୁଡିକରେ ଭାରତର ପ୍ରଦର୍ଶନକୁ ଉନ୍ନତ କରିବା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କ ସହିତ ମିଶି ଦେଶରେ ଶହ ଶହ ଖେଳୋ ଇଣ୍ଡିଆ କେନ୍ଦ୍ର ସ୍ଥାପିତ କରୁଛନ୍ତି । ସରକାର ଦିବ୍ୟାଙ୍ଗ ଯୁବକଯୁବତୀ ମାନଙ୍କୁ ପାରା ଖେଳରେ ପ୍ରଶିକ୍ଷଣ ପ୍ରଦାନ କରିବା ନିମନ୍ତେ ଗ୍ୱାଲିୟରରେ ଆଧୁନିକ ସୁବିଧା ରହିଥିବା ଦିବ୍ୟାଙ୍ଗ ଖେଳ କେନ୍ଦ୍ର ସ୍ଥାପିତ କରିଛନ୍ତି ।

ମାନନୀୟ ସଦସ୍ୟଗଣ,

୩୯. ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସୁଲଭତା, ସମାନତା ଏବଂ ସମ୍ମାନଜନକ ଜୀବନ ଏକ ସମାଜ ରୂପରେ ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ଅଟେ । ଏହି ଦିଗରେ ସୁଗନ୍ଧ ଭାରତ ଅଭିଯାନ ଆମର ରାଷ୍ଟ୍ରୀୟ ସମ୍ବେଦନଶୀଳତାର ପ୍ରତୀକ ଅଟେ । ଦିବ୍ୟାଙ୍ଗ ଲୋକ ମାନଙ୍କର ଜୀବନକୁ ବଦଳେଇବା ପାଇଁ ଦେଶ ଅନେକ କାର୍ଯ୍ୟର୍କମ ଚାଲୁ ରଖିଛି ।  ମୁକ୍ତ ସହାୟକ ଉପକରଣ ପ୍ରଦାନ କରିବା ଠାରୁ ଆରମ୍ଭ କରି କୋଲେର ଇମ୍ପ୍ଲାଂଟ ସର୍ଜରୀ ପର୍ଯ୍ୟନ୍ତ । ଏହି କାର୍ଯ୍ୟକ୍ରମ ଅଧୀନରେ ଏବେ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଲୋକମାନଙ୍କୁ ବର୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ସହାୟକ ଉପକରଣ ପ୍ରଦାନ କରାଯାଇସାରିଛି ଏବଂ ଏବଂ ପାଖାପାଖି ୪,୦୦୦ ସଫଳ ଇମ୍ପ୍ଲାଂଟ ସର୍ଜରୀ  କରାଯାଇ ସାରିଛି । ଏହି ପ୍ରୟାସ ଗୁଡିକୁ ଆଗକୁ ବଢ଼େଇ ସରକାର ମଧ୍ୟପ୍ରଦେଶରେ ରାଷ୍ଟ୍ରୀୟ ମାନସିକ ସ୍ୱାସ୍ଥ୍ୟ ପୁନର୍ବାସ ସଂସ୍ଥାନର ସ୍ଥାପନା କରିଛନ୍ତି । ଦିବ୍ୟାଙ୍ଗ ଯୁବକ ଯୁବତୀ ମାନଙ୍କର ଭବିଷ୍ୟତ ନିମନ୍ତେ ୧୦,୦୦୦ ଶବ୍ଦ ଗୁଡିକର ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ୍ ମଧ୍ୟ ବିକଶିତ କରାଯାଇଛି ।

ମାନନୀୟ ସଦସ୍ୟଗଣ,

୪୦. ଆମର ଷ୍ଟାର୍ଟ- ଅପ୍ ଉଦ୍ୟୋଗ ମଧ୍ୟ ଅଗଣିତ ନୂତନ ସମ୍ଭାବନାର ଏକ ଉଦାହରଣ ଅଟେ, ଯାହା ଆମର ଯୁବକ ମାନଙ୍କର ନେତୃତ୍ୱରେ ଦ୍ରୁତ ଗତିରେ ଆକାର ନେଉଛି । ୨୦୧୬ରେ, ଆମ ଦେଶରେ ୫୬ଟି ବିଭିନ୍ନ କ୍ଷେତ୍ରରେ ଷାଠିଏ ହଜାର ନୂଆ ଷ୍ଟାର୍ଟ ଅପ୍ ସ୍ଥାପିତ କରାଯାଇଛି । ଏହି ଷ୍ଟାର୍ଟ - ଅପ୍ ଗୁଡିକ ଛଅ - ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି ।  ୨୦୨୧ରେ, କରୋନା ସମୟରେ , ଭାରତରେ ୪୦ ରୁ ଅଧିକ ୟୁନିକର୍ଣ୍ଣ ଷ୍ଟାର୍ଟ - ଅପ୍ ମୁଣ୍ଡ ଟେକିଛି, ଯେଉଁଥିରେ ପ୍ରତ୍ୟେକର ବଜାର ମୂଲ୍ୟାଙ୍କନ ୭୪୦୦ କୋଟି ଟଙ୍କା ଅଟେ ।

୪୧. ମୋ ସରକାରର ନୀତି ଗୁଡିକ କାରଣରୁ ଆଜି ଭାରତରେ ଇଂଟରନେଟ୍ ସଂଯୋଗର ମୂଲ୍ୟ ଏବଂ ସ୍ମାର୍ଟଫୋନ୍‌ର ମୂଲ୍ୟ ଦୁନିଆରେ ସବୁଠାରୁ ଶସ୍ତା ଅଟେ । ଏହା ଆମର ଯୁବଗୋଷ୍ଠୀଙ୍କୁ ଲାଗବାନ୍ କରିବ । ଭାରତ ୫ଜି କ୍ଷେତ୍ରରେ କାର୍ଯ୍ୟ କରୁଛି, ଯେଉଁଥିରେ ନୂତନ ଅବସରର ଦ୍ୱାର ଉନ୍ମୁକ୍ତ ହୋଇଯିବ । ସେମି – କଣ୍ଡକ୍ଟର୍ସ ଉପରେ ଭାରତର ପ୍ରୟାସ ଗୁଡିକରେ ଆମର ଷ୍ଟାର୍ଟ- ଅପ୍ ଇକୋସିଷ୍ଟମ୍ ବହୁତ ଲାଭବାନ୍ ହେବ । ସରକାର ଅନେକ ନୀତିଗତ ନିଷ୍ପତି ନେଇଛନ୍ତି ଏବଂ ଅନେକ ନୂତନ କ୍ଷେତ୍ର ଖୋଲିଛି, ଯାହା ଫଳରେ ଆମର ଯୁବଯୋଷ୍ଠୀ ଦ୍ରୁତ ଗତିରେ ବଦଳୁଥିବା ପ୍ରଯୁକ୍ତିରୁ ଲାଭାନ୍ୱିତ ହୋଇପାରିବେ । ଷ୍ଟାର୍ଟ - ଅପ୍ ବୌଦ୍ଧିକ ସମ୍ପଦ ସଂରକ୍ଷଣ କାର୍ଯ୍ୟକ୍ରମର ମାଧ୍ୟମ ଦ୍ୱାରା , ସରକାର ପେଟେଂଟ ଏବଂ ଟ୍ରେଡ୍‌ମାର୍କ ସହିତ ସମ୍ବନ୍ଧିତ ପ୍ରକ୍ରିୟା ଗୁଡିକୁ ସରଳ ଏବଂ ଦ୍ରୁତ କରିଛନ୍ତି । ଏହି ଆର୍ôଥକ ବର୍ଷରେ ପାଖାପାଖି ୬ ହଜାର ପେଟେଂଟ ଏବଂ ୨୦ ହଜାରରୁ ଅଧିକ ଟ୍ରେଡମାର୍କ ନିମନ୍ତେ ଆବେଦନ କରାଯାଇଛି ।

ମାନନୀୟ ସଦସ୍ୟଗଣ,

୪୨. ମୋ ସରକାରର ନିରନ୍ତର ପ୍ରୟାସ କାରଣରୁ, ଭାରତ ପୁଣି ଥରେ ଦୁନିଆରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥ ବ୍ୟବସ୍ଥା ଗୁଡିକ ମଧ୍ୟରୁ ଗୋଟିଏ ରୂପରେ ମୁଣ୍ଡ ଟେକିଛି । ଗତ କିଛି ମାସ ମଧ୍ୟରେ ଜିଏସ୍‌ଟି ସଂଗ୍ରହ ଲଗାତାର ଭାବେ ଏକ ଲକ୍ଷ କୋଟି ଟଙ୍କାରୁ ଉପରକୁ ରହିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସ ଗୁଡିକରେ ୪୮ ବିଲିୟନ୍ ଡଲାରର ବିଦେଶୀ ନିବେଶ  ଭାରତର ବିକାଶ ଗାଥାକୁ ପ୍ରମାଣିତ କରିଛି । ବିଶ୍ୱ ନିବେଶକ ସମୁଦାୟର ଭାରତ ପ୍ରତି ଏହା ବିଶ୍ୱାସର ପ୍ରମାଣ ଅଟେ । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଆଜି ୬୩୦ ବିଲିଅନ୍ ଡଲାରରୁ ଅଧିକ ଅଟେ । ଆମର ରପ୍ତାନି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଯାହା ପୂର୍ବରୁ ରହିଥିବା ଅନେକ ରେକର୍ଡକୁ ଭାଙ୍ଗି ଦେଇଛି । ଏପ୍ରିଲ୍‌ରୁ ଡିସେମ୍ବର ୨୦୨୧ ମଧ୍ୟରେ, ଆମର ମାଲ୍ – ରପ୍ତାନି ୩୦୦ ବିଲିୟନ୍ ଡଲାର କିମ୍ବା ୨୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି, ଯାହା ୨୦୨୦ର ଏହି ଅବଧି ସମୟରୁ ଦେଢ଼ ଗୁଣ ଅଧିକ ଅଟେ ।  

୪୩. ମୋ ସରକାର ଭିତିଭୂମି କ୍ଷେତ୍ରର କ୍ଷମତାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ଏବଂ ଯୁବଗୋଷ୍ଠୀ ନିମନ୍ତେ ଏକ ନୂତନ ଅବସର ସୃଷ୍ଟି କରିବା ନିମନ୍ତେ ୧ ଲକ୍ଷ ୯୭ ହଜାର କୋଟି ଟଙ୍କାରୁ ଅଧିକ ପରିବ୍ୟୟ ସହିତ ୧୪ଟି ପ୍ରମୁଖ ପିଏଲ୍ ଆଇ ଯୋଜନା ଗୁଡିକ ଆରମ୍ଭ କରିଛି । ଏହି ପିଏଲ୍‌ଆଇ ଯୋଜନା କେବଳ ଭାରତକୁ ବିଶ୍ୱ ଭିତିଭୂମି କେନ୍ଦ୍ର ରୂପେ ବଦଳାଇବାରେ ସହାୟତା କରିିବା ସହିତ ଏହା ମାଧ୍ୟମରେ ୬୦ ଲକ୍ଷରୁ ଅଧିକ ନିଯୁକ୍ତ ସୃଷ୍ଟି କରିବ । ଘରୋଇ ମୋବାଇଲ୍ ନିର୍ମାଣ କ୍ଷେତ୍ର ପିଏଲ୍‌ଆଇ ଯୋଜନା ସଫଳତାର ଏକ ଚମତ୍କାର ଉଦାହରଣ ଅଟେ । ଆଜି ଭାରତ ଦୁନିଆରେ ଦ୍ୱିତୀୟ ବୃହତମ ମୋବାଇଲ୍ ଫୋନ୍ ନିର୍ମାତା ରୂପରେ ମୁଣ୍ଡ ଟେକିଛି, ଯାହା ହଜାର ହଜାର ଯୁବକ ମାନଙ୍କ ନିମନ୍ତେ ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି କରୁଛି ।

୪୪. ଆମ ଦେଶକୁ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ହାର୍ଡୱେର କ୍ଷେତ୍ରରେ ଏକ ବିଶ୍ୱ ନେତୃତ୍ୱ ରୂପରେ ବିକଶିତ କରିବା ନିମନ୍ତେ, ସରକାର ବର୍ତମାନ ସିଲିକନ୍ ଏବଂ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫାବ୍ରିକେସନ୍‌, ଡିସ୍‌ପ୍ଲେ ଫାବ୍‌, ଚିପ୍ ଡିଜାଇନ୍ ଏବଂ ସମ୍ବନ୍ଧିତ ଉଦ୍ୟମ ଗୁଡିକ ନିମନ୍ତେ ୭୬,୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ।

୪୫. ନୂତନ କ୍ଷେତ୍ରକୁ ବିକଶିତ କରିବା ସହିତ, ମୋ ସରକାର ସେହି କ୍ଷେତ୍ରରେ ଆମର ପାରମ୍ପରିକ ଶକ୍ତିକୁ ପ୍ରଦର୍ଶନ କରୁଛି ଯେଉଁଥିରେ ଆମର ଯୁଗ ଯୁଗର ଅନୁଭବ ରହିଛି । ଏହି ଦିଗରେ, ମୋ ସରକାର ପାଖାପାଖି ୪,୫୦୦ କୋଟି ଟଙ୍କାର ନିବେଶ ମାଧ୍ୟମରେ ସାତଟି ବୃହତ୍ ଇଂଟିଗ୍ରେଟେଡ୍ ଟେକ୍ସଟାଇଲ୍ସ ରିଜନ୍ ଏବଂ ଆପାରେଲ୍ ପାର୍କକୁ ମଞ୍ଜୁରୀ ପ୍ରଦାନ କରିଛି । ଏଥିରେ ଟେକ୍ସଟାଇଲ୍ସ ଭାଲ୍ୟୁ ଚେନ୍‌କୁ ପ୍ରୋତ୍ସାହନ ମିଳିବ । ଏହି ବୃହତ୍ ବୟନ ପାର୍କ ଭାରତୀୟ ଏବଂ ବିଦେଶୀ, ଦୁଇ ପ୍ରକାରର ନିବେଶକମାନଙ୍କୁ ଆକର୍ଷିତ କରିବ ଏବଂ ଲକ୍ଷ ଲକ୍ଷ ନୂତନ ରୋଜଗାରର ଅବସର ସୃଷ୍ଟି କରିବ ।

ମାନନୀୟ ସଦସ୍ୟଗଣ,

୪୬. ଭାରତର ସମୃଦ୍ଧିରେ ବଡ କମ୍ପାନୀ ଗୁଡିକ ସହିତ ଆମର ଛୋଟ ଛୋଟ ଏବଂ ମଧ୍ୟମ ଧରଣର ଉଦ୍ୟୋଗ ଗୁଡିକର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମର ଏସ୍‌ଏସ୍‌ଏମ୍‌ଇ ଆମର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଅଟେ, ଏବଂ ଆତ୍ମନିର୍ଭର ଭାରତର ଚାଳକ ଅଟେ । ଏମ୍‌ଏସ୍‌ଏମ୍‌ଇ ଗୁଡିକୁ ସଙ୍କଟରୁ ବଂଚାଇବା ଏବଂ କରୋନା ସମୟରେ ଋଣର ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ନିମନ୍ତେ, ସରକାର ୩ ଲକ୍ଷ କୋଟି ଟଙ୍କାର ଗ୍ୟାରେଂଟିଯୁକ୍ତ କୋଲାଟେରାଲ୍ ମୁକ୍ତ ଋଣର ଯୋଜନା ଆରମ୍ଭ କରିଛନ୍ତି । ବର୍ତମାନର ଅଧ୍ୟୟନରୁ ଏହା ସ୍ପଷ୍ଟ ଯେ, ଏହି ଯୋଜନା ୧୩ ଲକ୍ଷ ୫୦ ହଜାର ଏମ୍‌ଏସ୍‌ଏମ୍‌ଇ ୟୁନିଟ୍ କୁ ନୂତନ ଜୀବନ ଦେଇଛି ଏବଂ ୧ କୋଟି ୫୦ ଲକ୍ଷ ନିଯୁକ୍ତି ମଧ୍ୟ ହାସଲ କରିଛି । ଜୁନ୍ ୨୦୨୧ରେ, ସରକାର କ୍ରେଡିଟ୍ ଗ୍ୟାରେଂଟିକୁ ୩ ଲକ୍ଷରୁ ବୃଦ୍ଧି କରି ୪.୫ ଲକ୍ଷ କୋଟି ଟଙ୍କା କରି ଦେଇଛନ୍ତି ।

୪୭. ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ସୀମା ଏବଂ ସୁଯୋଗର ବିସ୍ତାର କରିବା ନିମନ୍ତେ ନୀତିଗତ ନିର୍ଣ୍ଣୟ ମଧ୍ୟ ନିଆଯାଇଛି । ଏମ୍‌ଏସ୍‌ଏମ୍‌ଇ ଗୁଡିକର ନୂତନ ପରିଭାଷା ଛୋଟ ଉଦ୍ୟୋଗ ଗୁଡିକୁ ବିସ୍ତାର କରିବାରେ ସାହାଯ୍ୟ କରୁଛି । ସରକାର ଛୋଟ ଏବଂ ଖୁଚୁରା ବ୍ୟବସାୟୀଙ୍କ ସହିତ ରେହଡି – ଠେଲାବାଲାଙ୍କୁ ମଧ୍ୟ ଉଦ୍ୟମ ପୋର୍ଟାଲ୍‌ରେ ପଞ୍ଜୀକରଣ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି, ଯାହା ଫଳରେ ସେମାନେ ପ୍ରାଥମିତତା କ୍ଷେତ୍ର  ଉଧାର (ପ୍ରାୟରିଟି ସେକ୍ଟର ଲେଣ୍ଡିଂ)ର ଲାଭ ଉଠାଇପାରିବେ । 

୪୮. ଖଦିର ସଫଳତା ମଧ୍ୟ ବିଶେଷ ଉଲ୍ଲେଖର ପାତ୍ର ଅଟେ । ବାପୁଙ୍କ ନେତୃତ୍ୱରେ ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ଦେଶର ଚେତନାର ପ୍ରତୀକ ରହିଥିବା ଖଦି ପୁଣି ଥରେ ଛୋଟ ଉଦ୍ୟମୀ ମାନଙ୍କର ଆଧାର ହେବାରେ ଲାଗିଛି । ସରକାରଙ୍କର ପ୍ରୟାସ ଗୁଡିକ ଯୋଗୁ ୨୦୧୪ରୁ ଖଦି ଉତ୍ପାଦ ଗୁଡିକର ବିକ୍ରି ଦେଶରେ ତିନି ଗୁଣା ହୋଇ ଯାଇଛି ।

୪୯. ଯେ କୌଣସି ଦେଶରେ ବିକାଶ ପାଇଁ ଭିତିଭୂମି ହେଉଛି ମୂଳଦୁଆ । ମୋ ସରକାର ସାମାଜିକ ଅସମାନତାକୁ ସମାପ୍ତ କରିବା ନିମନ୍ତେ ମଧ୍ୟ ଭିତିଭୂମିକୁ ଏକ ସେତୁ ଭାବରେ ଦେଖେ । ଭିତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ କେବଳ ଲକ୍ଷ ଲକ୍ଷ ନୂଆ ଚାକିରି ସୃଷ୍ଟି କରି ନଥାଏ, ବରଂ ବ୍ୟବସାୟକୁ ସୁଗମ କରାଇବା କାର୍ଯ୍ୟକୁ ବୃଦ୍ଧି କରାଇ, ଦ୍ରୁତ ପରିବହନକୁ ସୁଗମ କରାଇ ଏବଂ ବିଭିନ୍ନ ଉଦ୍ୟୋଗରେ ଅର୍ଥନୀତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରି ଏକ ଗୁଣାତ୍ମକ ପ୍ରଭାବ ପକାଇ ଥାଏ ।

୫୦. ଭିତିଭୂମି ବିକାଶକୁ ଦ୍ରୁତ ଗତିସମ୍ପନ୍ନ କରାଇବା ନିମନ୍ତେ ମୋ ସରକାର ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର ପ୍ଲାନ୍ ଅଧୀନରେ ବିଭିନ୍ନ ମନ୍ତ୍ରଣାଳୟକୁ ଏକ ସମାଯୋଜନ ଶୈଳୀରେ ଏକତ୍ରିତ କରାଇଛି । ଏହି ଯୋଜନା ଭାରତରେ ବହୁ-ପାକ୍ଷିକ ପରିବହନର ଏକ ନୂତନ ଯୁଗ ଆରମ୍ଭ କରିବାକୁ ଯାଉଛି । ଭବିଷ୍ୟତରେ ଭାରତରେ ରେଳବାଇ, ରାଜପଥ ସମୂହ ଏବଂ ବିମାନ ସେବାଗୁଡ଼ିକ ଅଲଗା ଅଲଗା ଏବଂ ପୃଥକ୍ ଭିତିଭୂମି ହୋଇ ରହିବ ନାହିଁ, ବରଂ ଦେଶ ପାଇଁ ଏକ ସମନ୍ୱିତ ସମ୍ବଳରେ ପରିଣତ ହେବ ।

୫୧.  ଗ୍ରାମାଂଚଳ ଗୁଡ଼ିକରେ ସଡ଼କ, ସମ୍ବଳ ଏବଂ ଭିତିଭୂମି ନିର୍ମାଣ ଦେଶ ପାଇଁ ନୂତନ ସମ୍ଭାବନା ଗୁଡ଼ିକ ଉନ୍ମୋଚନ କରିଛି, ଯେଉଁଗୁଡ଼ିକ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ହୋଇ ଆସୁଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ସଫଳତା ଗର୍ବ ଅନୁଭବ କରିବା ଭଳି । ୨୦୨୦-୨୧ରେ ଦିନକୁ ୧୦୦ କିଲୋମିଟରରୁ ଅଧିକ ବେଗରେ ଗ୍ରାମାଂଚଳ ଗୁଡ଼ିକରେ ୩୬ ହଜାର ୫ ଶହ କିଲୋମିଟର ସଡ଼କ ନିର୍ମାଣ ହୋଇ ସାରିଛି ଏବଂ ହଜାର ହଜାର ସଂଖ୍ୟକ ଘରକୁ/ ଗ୍ରାମକୁ ସବୁ-ପାଗରେ ଯାତାୟାତ କରିହେବା ଭଳି ସଡ଼କ ସଂଯୋଗ କରାଯାଇ ସାରିଛି ।

୫୨. ଆଜିକା ଦିନରେ ଜାତୀୟ ରାଜପଥ ଗୁଡ଼ିକ ପୂର୍ବରୁ ପଶ୍ଚିମ ଏବଂ ଉତରରୁ ଦକ୍ଷିଣ ପର୍ଯ୍ୟନ୍ତ ଦେଶର ଲମ୍ବ ପ୍ରସ୍ତକୁ ସଂଯୋଗ କରୁଛି । ୨୦୧୪ରେ ମାତ୍ର ୯୦ ହଜାର କିଲୋମିଟରର ଜାତୀୟ ରାଜପଥ ତୁଳନାରେ ଆଜି ଆମ ନିକଟରେ ୧ ଲକ୍ଷ ୪୦ ହଜାର କିଲୋମିଟରର ଜାତୀୟ ରାଜପଥ ରହିଛି । ଭାରତମାଳା ପ୍ରକଳ୍ପ ଅଧୀନରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳରେ ୨୩ଟି ସବୁଜ ଏକ୍ସପ୍ରେସ୍ ୱେ ଏବଂ ଗ୍ରୀନ୍‌-ଫିଲ୍ଡ୍ କରିଡରକୁ ମିଶାଇ ୨୦,୦୦୦ରୁ ଅଧିକ କିଲୋମିଟରର ରାଜପଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ।

୫୩. ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ ମଧ୍ୟ ଶେଷ ହେବା ଉପରେ; ଏହା ଭାରତରେ ସର୍ବାଧିକ ଦୀର୍ଘ ଏବଂ ଦ୍ରୁତତମ ଏକ୍ସପ୍ରେସ୍ ୱେ ହେବ । ପଣ୍ଢାରପୁର ମନ୍ଦିରକୁ ସଂଯୋଗ କରୁଥିବା ସନ୍ଥ ଧ୍ୟାନେଶ୍ୱର ମାର୍ଗ ଏବଂ ସନ୍ଥ ତୁକାରାମ ପାଲ୍‌କି ମାର୍ଗର ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ କରିବା ମଧ୍ୟ ମୋ ସରକାର ନିମନ୍ତେ ଏକ ମର୍ଯ୍ୟାଦାର କଥା ।

୫୪. ଆଜି, ଗୋଟିଏ ପକ୍ଷରେ ଯେତେବେଳେ ଦେଶର ଆଧୁନିକ ଭିତିଭୂମି ବିକାଶ ନିମନ୍ତେ ପଥ ଉନ୍ମୋଚନ କରୁଛି, ଅପର ପକ୍ଷରେ ଏହା ମଧ୍ୟ ଦେଶର ସୁରକ୍ଷାକୁ ନୂତନ ଶକ୍ତି ପ୍ରଦାନ କରୁଛି । ସୀମା ସଡ଼କ ସଂଗଠନ ଲଦାଖ୍‌ର ଉମ୍‌ଲିଙ୍ଗ୍ ଲା ପାସ୍‌ଠାରେ ୧୯ ହଜାର ଫୁଟ ଉଚ୍ଚତାରେ, ଏଭଳି ଏକ ସଡ଼କ ନିମନ୍ତେ ସର୍ବାଧିକ ଉଚ୍ଚତାରେ, ଏକ ପରିବହନ-ଯୋଗ୍ୟ ସଡ଼କ ନିର୍ମାଣ କରିଛି । ଏମିତିକି ଲଦାଖ୍‌ର ଦେମ୍‌ଚୋକ୍ ଭଳି, ଉତରାଖଣ୍ଡରେ ଜୋଲିଂ କଙ୍ଗ୍ ଭଳି ସର୍ବାଧିକ ଦୂର ଦୂରାନ୍ତ ଗ୍ରାମମାନଙ୍କୁ ମଧ୍ୟ ଏହା ଦ୍ୱାରା ସଡ଼କ ସଂଯୋଗ ହୋଇ ପାରିଛି ।

୫୫. ମୋ ସରକାର ମଧ୍ୟ ଭାରତୀୟ ରେଳବାଇକୁ ଦ୍ରୁତ ଗତିରେ ଆଧୁନିକୀକରଣ କରୁଛି । ନୂଆ ବନ୍ଦେ ଭାରତ ଟ୍ରେନ୍ ସମୂହ ଏବଂ ନୂଆ ଭିଷ୍ଟାଡୋମ୍ କୋଚ୍‌ଗୁଡ଼ିକ ଭାରତୀୟ ରେଳବାଇରେ ନୂତନ ବ୍ୟବସ୍ଥାର ଯୋଗ କରିଛି । ଗତ ସାତ ବର୍ଷ ମଧ୍ୟରେ ୨୪,୦୦୦ କିଲୋମିଟରର ରେଳ ପଥକୁ ବିଦ୍ୟୁତୀକରଣ କରାଯାଇ ଅଛି । ରେଳ ଧାରଣାଗୁଡ଼ିକ ବିଛାଇବା ଏବଂ ଦୋହରୀକରଣ/ ଡବଲ ଲେନିଂ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଗୁଜରାଟର ଗାନ୍ଧିନଗର ରେଳ ଷ୍ଟେସନ୍ ଏବଂ ମଧ୍ୟପ୍ରଦେଶର ରାଣୀ କମଳାପତି ରେଳ ଷ୍ଟେସନ୍ ଆଧୁନିକ ଭାରତର ନୂଆ ଝଲକ ପ୍ରଦାନ କରୁଛନ୍ତି । କାଶ୍ମୀରରେ ଚେନାବ ନଦୀରେ ନିର୍ମାଣ ହୋଇଥିବା ରେଳ ତୋରଣାକୃତି ପୋଲ (ରେଲ୍‌ୱେ ଆର୍କ୍ ବ୍ରିଜ୍‌) ମଧ୍ୟ ଆକର୍ଷଣର ଏକ କେନ୍ଦ୍ର ପାଲଟୁଛି ।

୫୬. ମୋ ସରକାର ମଧ୍ୟ ଗରିବ ଏବଂ ମଧ୍ୟବିତ ଶ୍ରେଣୀଙ୍କ ନିମନ୍ତେ ବଂଚିବାକୁ ସହଜ କରାଇବାର ପଥ ବୃଦ୍ଧି କରି ଗଣ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି । ପ୍ରତିଦିନ ୮ ଗୋଟି ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଉପକୃତ କରାଇ ଏଗାରଟି ନୂଆ ମେଟ୍ରୋ ରୁଟ୍ ଆରମ୍ଭ ହୋଇଛି । ଭାରତ ମଧ୍ୟ ବର୍ତମାନ ଚାଳକବିହୀନ ଟ୍ରେନ୍ ନେଟ୍‌ୱର୍କ୍ କ୍ଷେତ୍ରରେ ବିଶ୍ୱର ଚାରିଗୋଟି ଦେଶଙ୍କ ମଧ୍ୟରେ ସ୍ଥାନ ପାଇଛି । ଆମେ ମଧ୍ୟ ଦେଶରେ ସ୍ୱଦେଶୀ ସ୍ୱୟଂଚାଳିତ ଟ୍ରେନ୍ ବ୍ୟବସ୍ଥାର ବିକାଶ କରିଛୁ ଯାହା ମେକ୍ ଇନ୍ ଇଣ୍ଡିଆର ବର୍ଦ୍ଧିତ ସାମର୍ଥ୍ୟର ପ୍ରତୀକ ଭାବରେ ଉଭା ହୋଇଛି । ସରକାର ମଧ୍ୟ ଦେଶରେ ୨୧ଟି ଗ୍ରୀନ୍‌ଫିଲ୍ଡ୍ ବିମାନ ବନ୍ଦର ନିର୍ମାଣର ଅନୁମୋଦନ ନିମନ୍ତେ ସ୍ୱୀକୃତି ପ୍ରଦାନ କରିଛନ୍ତି, ଯାହା ମଧ୍ୟରେ  ରହିଛି ଉତରପ୍ରଦେଶରେ ଗୌତମ ବୁଦ୍ଧ ନଗର ଜିଲ୍ଳାରେ ନିର୍ମିତ ହେବାକୁ ଯାଉଥିବା ଦେଶର ସର୍ବବୃହତ୍ ବିମାନ ବନ୍ଦର ।

୫୭. ବନ୍ଦର ସହିତ ରହିଥିବା ଦେଶର ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ପେଣ୍ଠଗୁଡ଼ିକୁ ସଂଯୋଗ କରିବା ନିମନ୍ତେ ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ୮୦ରୁ ଅଧିକ ସଂଖ୍ୟକ ସଂଯୋଗକାରୀ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ବର୍ତମାନ ସୁଦ୍ଧା ୨୪ଟି ରାଜ୍ୟରେ ୫ଟି ବିଦ୍ୟମାନ ଜାତୀୟ ଜଳପଥ ଏବଂ ୧୦୬ଟି ନୂତନ ଜଳପଥକୁ ଜାତୀୟ ଜଳପଥ ଘୋଷଣା କରାଯାଇ ସାରିଛି, ଯାହା ଜାତୀୟ ଜଳପଥର ମୋଟ ସଂଖ୍ୟାକୁ ୧୧୧କୁ ନେଇଯାଇଛି । ଏସବୁ ମଧ୍ୟରୁ ୨୩ଟି ଜଳପଥ ମାଲ ପରିବହନ ନିମନ୍ତେ ଯୋଗ୍ୟ । ଭିତିଭୂମିର ଆଧୁନିକୀକରଣର ଉଦ୍ଦେଶ୍ୟ ନେଇ ୨୭ ହଜାରରୁ ଅଧିକ ସର୍କିଟ୍ କିଲୋମିଟରର ପରିବହନ ଲାଇନ୍ ମଧ୍ୟ ସରକାରଙ୍କ ଦ୍ୱାରା ବିଛାଯାଇଛି ।

ମାନନୀୟ ସଦସ୍ୟଗଣ

58. ସାମ୍ପ୍ରତିକ ସମୟରେ, ଆମେ ଦେଶରେ ଆତ୍ମନିର୍ଭର ଭାରତର ଏକ ନୂତନ ସଂକଳ୍ପ  ଦେଖିବାକୁ ପାଇଛୁ।  ସଂସ୍କାରର ବହୁଳ ଶକ୍ତିରୁ ଉତ୍ପନ୍ନ ଶକ୍ତି ଦ୍ୱାରା ଏହି ସଂକଳ୍ପ ଅଧିକ ଶକ୍ତିଶାଳୀ ହେଉଛି | ଶ୍ରମ ଆଇନରେ ନୂତନ ସଂସ୍କାର ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର, ଏବଂ ଅସମର୍ଥତା ଏବଂ ଦେବାଳିଆ ସଂକେତ ପର୍ଯ୍ୟନ୍ତ, ଏହି କ୍ରମରେ ସଂସ୍କାର ନିରବଚ୍ଛିନ୍ନ ଭାବରେ ଚାଲିଛି। ଗତ ବର୍ଷ କେନ୍ଦ୍ର ଏବଂ ରାଜ୍ୟର ବିଭିନ୍ନ ବିଭାଗ ଦ୍ୱାରା 26 ହଜାରରୁ ଅଧିକ ଅନୁପାଳନ ଆବଶ୍ୟକତା ହ୍ରାସ କରାଯାଇଛି।  ଘରୋଇ କ୍ଷେତ୍ର ପାଇଁ ସ୍ପେସ୍ ସେକ୍ଟର ବର୍ତ୍ତମାନ ଖୋଲା ଯାଇଛି, ଯାହା ଅସୀମ ସମ୍ଭାବନା ସୃଷ୍ଟି କରିଛି। ଗତ ବର୍ଷ ଇନ-ସ୍ପେସ ଗଠନ ଭାରତର ମହାକାଶ କ୍ଷମତାକୁ ବଢ଼ାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।

59. ଦ୍ରୁତ ଗତିରେ ବିକାଶ ହେଉଥିବା ଡ୍ରୋନ୍ ଟେକ୍ନୋଲୋଜି ଏବଂ ଆନୁଷଙ୍ଗିକ ସୁଯୋଗ ବିଷୟରେ ମୋ ସରକାର ମଧ୍ୟ ସଚେତନ ଏବଂ ସକ୍ରିୟ | ଏହି ଦିଗରେ ସରକାର ସରଳୀକୃତ ଡ୍ରୋନ୍ ନିୟମ 2021 କୁ ସୂଚିତ କରିଛନ୍ତି ଏବଂ ଦେଶରେ ଡ୍ରୋନ୍ ଏବଂ ଡ୍ରୋନ୍ ପାର୍ଟସ୍ ଉତ୍ପାଦନ ପାଇଁ ଏକ ପିଏଲଆଇ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି। ଭବିଷ୍ୟତର ଏହି ଜଟିଳ ଟେକ୍ନୋଲୋଜିରେ ଏହା ଭାରତକୁ ନିଜର ସ୍ଥିତି ସୁରକ୍ଷିତ କରିବାରେ ସାହାଯ୍ୟ କରିବ |

ମାନନୀୟ ସଦସ୍ୟଗଣ

60. ଏକ ସୁରକ୍ଷିତ ଏବଂ ନିରାପଦ ଭାରତକୁ ସୁନିଶ୍ଚିତ କରିବା ପାଇଁ ମୋ ସରକାର ଅତ୍ୟନ୍ତ ନିଷ୍ଠା ସହିତ କାର୍ଯ୍ୟ କରୁଛନ୍ତି| ପ୍ରତିରକ୍ଷା କ୍ଷେତ୍ରରେ, ବିଶେଷକରି ପ୍ରତିରକ୍ଷା ଉତ୍ପାଦନରେ ସରକାରଙ୍କ ନୀତି ଯୋଗୁଁ ଦେଶ ଅଧିକ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି।

 61. 2020-21 ମସିହାରେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ପାଇଁ ଦିଆଯାଇଥିବା ସମସ୍ତ ଅନୁମୋଦନ ମଧ୍ୟରୁ 87 ପ୍ରତିଶତ ‘ମେକ୍ ଇନ୍ ଇଣ୍ଡିଆ’ବର୍ଗର ସାମିଲ୍ ରହିଥିଲା। ସେହିଭଳି, 2020-21 ମସିହାରେ 98 ପ୍ରତିଶତ ଉପକରଣ ସମ୍ବନ୍ଧୀୟ ଚୁକ୍ତିରେ ‘ମେକ୍ ଇନ୍ ଇଣ୍ଡିଆ’ବର୍ଗକୁ ଅଗ୍ରାଧିକାର ଦିଆଯାଇଥିଲା | ଆମର ସଶସ୍ତ୍ର ବାହିନୀ ମଧ୍ୟ 209 ସାମରିକ ଉପକରଣର ଏକ ତାଲିକା ଜାରି କରିଛି, ଯାହା ବିଦେଶରୁ କିଣାଯିବ ନାହିଁ | ପ୍ରତିରକ୍ଷା ବିଭାଗ ଦ୍ବାରା 2,800 ରୁ ଅଧିକ ପ୍ରତିରକ୍ଷା ଉପକରଣର ଏକ ତାଲିକା ମଧ୍ୟ ଜାରି କରାଯାଇଛି ଯାହା ଘରୋଇ ଭାବରେ ଉତ୍ପାଦିତ ହେବ |

62. 83 ଏଲସିଏ ତେଜସ ଯୁଦ୍ଧ ବିମାନ ଉତ୍ପାଦନ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। 7 ଟି ପ୍ରତିରକ୍ଷା ପିଏସୟୁ ରେ ଅର୍ଡାନ୍ସ କାରଖାନାର ପୁନର୍ଗଠନ ପାଇଁ ସରକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି | ଏହା ବ୍ୟତୀତ ବେସରକାରୀ କ୍ଷେତ୍ର ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟ ଅପକୁ ଶୀଘ୍ର ପ୍ରୋତ୍ସାହିତ କରିବାକୁ ସରକାର ମଧ୍ୟ ପ୍ରତିବଦ୍ଧ। ଆମର ଉଦ୍ଦେଶ୍ୟ ହେଉଛି ଆମର ଫୋର୍ସ ଦ୍ୱାରା ଆବଶ୍ୟକ ଦ୍ରବ୍ୟ ଭାରତରେ ବିକଶିତ ହେବା ଉଚିତ ଏବଂ ଭାରତରେ ମଧ୍ୟ ଉତ୍ପାଦିତ ହେବା ଆବଶ୍ୟକ।

ମାନନୀୟ ସଦସ୍ୟଗଣ

63. କୂଟନୈତିକ ସମ୍ପର୍କରେ ଉନ୍ନତି ମାଧ୍ୟମରେ ଭାରତ ଦ୍ରୁତ ଗତିରେ ବଢ଼ୁଥିବା ବିଶ୍ବ ପରିବେଶରେ ନିଜର ସ୍ଥିତିକୁ ଦୃଢ଼ କରିଛି। ଅଗଷ୍ଟ 2021 ରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଭାପତିତ୍ବ କରିଥିଲା ​​ଏବଂ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା।  ଭାରତର ସଭାପତିତ୍ବରେ ଥମ ଥର ପାଇଁ ସୁରକ୍ଷା ପରିଷଦ ସାମୁଦ୍ରିକ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ବିତର୍କ କରିଥିଲା। ସୁରକ୍ଷା ପରିଷଦ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ସଭାପତିଙ୍କର ବିବୃତ୍ତି ଗ୍ରହଣ କରିଛି ଏବଂ ସର୍ବସମ୍ମତି କ୍ରମେ ଏହା ଗ୍ରହଣ କରାଯାଇଛି।

 

64. ଆମ ପଡୋଶୀ ଦେଶ ଆଫଗାନିସ୍ତାନରେ ଆମେ ଅସ୍ଥିରତା ଏବଂ ଅସନ୍ତୁଳନତା ଦେଖିବାକୁ ପାଉଛୁ।  ମାନବିକତା ପଦକ୍ଷେପ କ୍ରମେ ବିଦ୍ୟମାନ ଥିବା ପରିସ୍ଥିତି ସତ୍ତ୍ବେ ଭାରତ ଅପରେସନ୍ ଦେବୀ ଶକ୍ତି ଆରମ୍ଭ କରିଥିଲା। ଏପରି ଆହ୍ବାନମୂଳକ ପରିସ୍ଥିତି ସତ୍ତ୍ବେ, ଆମେ ସଫଳତାର ସହ ଆମର ଅନେକ ନାଗରିକ ଏବଂ ବହୁ ଆଫଗାନିସ୍ତାନ ହିନ୍ଦୁ ଏବଂ ଶିଖ୍ ସଂଖ୍ୟାଲଘୁଙ୍କୁ କାବୁଲରୁ ବିମାନରେ ଆଣିଥିଲୁ। କଠିନ ପରିସ୍ଥିତି ମଧ୍ୟରେ ଆମେ ନିରାପଦରେ ପବିତ୍ର ଗୁରୁ ଗ୍ରନ୍ଥ ସାହିବଙ୍କ ଦୁଇଟି ସ୍ୱରୁପ୍ ମଧ୍ୟ ଫେରାଇ ଆଣିଛୁ। ମାନବିକତା ଦୃଷ୍ଟିରୁ ଭାରତ ଆଫଗାନିସ୍ତାନକୁ ଚିକିତ୍ସା ସାମଗ୍ରୀ ଏବଂ ଖାଦ୍ୟ-ଶସ୍ୟ ଯୋଗାଇ ସାହାଯ୍ୟ କରୁଛି।

ମାନନୀୟ ସଦସ୍ୟଗଣ

65. ବର୍ତ୍ତମାନ ସମଗ୍ର ବିଶ୍ୱ ସାମ୍ନା କରୁଥିବା ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ ଆହ୍ବାନ। ଏହି ପ୍ରସଙ୍ଗରେ ଭାରତ ଏକ ଦାୟିତ୍ବପୂର୍ଣ୍ଣ ବିଶ୍ୱ ସ୍ୱର ଭାବରେ ଉଭା ହୋଇଛି। ସିଓପି-26 ଶିଖର ସମ୍ମିଳନୀରେ ମୋ ସରକାର ଘୋଷଣା କରିଛନ୍ତି ଯେ 2030 ସୁଦ୍ଧା ଭାରତ କାର୍ବନ ନିର୍ଗମନକୁ 1 ବିଲିୟନ ଟନ୍ ପର୍ଯ୍ୟନ୍ତ ହ୍ରାସ କରିବ। 2070 ସୁଦ୍ଧା ନେଟ୍ ଶୂନ ନିର୍ଗମନ ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ନେଇ ଭାରତ ମଧ୍ୟ ପ୍ରତିଶ୍ରୁତି ଦେଇଛି। ବିଶ୍ବ ସମୁଦାୟ ସହିତ ଭାରତ ମଧ୍ୟ “ଗ୍ରୀନ୍ ଗ୍ରୀଡ୍ ଇନିସିଏଟିଭ୍: ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ୍”ପଦକ୍ଷେପ ନେଇଛି। ବିଶ୍ବ ସ୍ତରରେ ପରସ୍ପର ସହ ସଂଯୁକ୍ତ ସୌର ବିଦ୍ୟୁତ୍ ଗ୍ରୀଡର ଏହା ହେଉଛି ପ୍ରଥମ ଆନ୍ତର୍ଜାତୀୟ ନେଟୱାର୍କ।  ଆମର ଆକାଂକ୍ଷା ଏବଂ ପରିବେଶ ପ୍ରତି ସଂକଳ୍ପ ହେଉଛି ପ୍ରକୃତି ପ୍ରତି ଆମର ସମ୍ବେଦନଶୀଳତାର ପ୍ରମାଣ।

ମାନନୀୟ ସଦସ୍ୟଗଣ

66. ମୋର ସରକାର ଭାରତର ପ୍ରାଚୀନ ଐତିହ୍ୟର ସଂରକ୍ଷଣ, ସମୃଦ୍ଧ ତଥା ସଶକ୍ତିକରଣ କରିବା ଏକ ଦାୟିତ୍ବ ବୋଲି ବିବେଚନା କରନ୍ତି | ଏହା ଏକ ଗର୍ବର ବିଷୟ ଯେ ଧୋଲାଭିରାର ହରପାନ୍ ସ୍ଥାନ ଏବଂ ତେଲେଙ୍ଗାନାର 13 ତମ ଶତାବ୍ଦୀର କାକତିୟ ରୁଦ୍ରେଶ୍ବର ରାମପ୍ପା ମନ୍ଦିରକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ଘୋଷଣା କରାଯାଇଛି। ପ୍ରୟାଗରାଜର କୁମ୍ବ ମେଳା ପରେ କୋଲକାତାର ଆଇକନିକ ଦୁର୍ଗା ପୂଜା ମଧ୍ୟ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି।

67. ଭାରତର ଅମୂଲ୍ୟ ଐତିହ୍ୟକୁ ଦେଶକୁ ଫେରାଇ ଆଣିବା ମଧ୍ୟ ସରକାରଙ୍କ ପ୍ରାଥମିକତା ଅଟେ। ଶହେ ବର୍ଷ ପୂର୍ବେ ଭାରତରୁ ଚୋରି ହୋଇଥିବା ମା ଅନ୍ନପୂର୍ଣ୍ଣା ଦେବୀଙ୍କ ପ୍ରତିମାକୁ କାଶୀ ବିଶ୍ୱନାଥ ମନ୍ଦିରରେ ଫେରାଇ ରଖାଯାଇଛି। ଏହିପରି ଅନେକ ଐତିହାସିକ କଳାକୃତି ବିଭିନ୍ନ ଦେଶରୁ ଭାରତକୁ ଫେରାଇ ଅଣାଯାଇଛି।

 

68. ଆମେ ସମସ୍ତେ ସଚେତନ ଯେ ଐତିହ୍ୟ ଏବଂ ପର୍ଯ୍ୟଟନ ପରସ୍ପର ସହିତ ନିବିଡ ଭାବରେ ଜଡିତ। ସେଥିପାଇଁ ଭାରତର ଆଧ୍ୟାତ୍ମିକ ଐତିହ୍ୟକୁ ନବୀକରଣ କରାଯାଉଥିବାବେଳେ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଆଧୁନିକ ସୁବିଧା ଏବଂ ଭିତ୍ତିଭୂମି ମଧ୍ୟ ବିକାଶ କରାଯାଉଛି। ମୋ ସରକାର ଆରମ୍ଭ କରିଥିବା ସ୍ବଦେଶ ଦର୍ଶନ ଏବଂ ପ୍ରସାଦ ଯୋଜନା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି |

 

69. ଗୋଆର 60 ତମ ମୁକ୍ତି ଦିବସ ଅବସରରେ ଫୋର୍ଟ ଆଗୁଆଡା ଜେଲ କମ୍ପ୍ଲେକ୍ସର ନବୀକରଣ ଏବଂ ଉଦଘାଟନ କରାଯାଇଛି। ଗୋଆକୁ ମୁକ୍ତ କରିବା ପାଇଁ ସଂଗ୍ରାମରେ ସାମିଲ୍ ହୋଇଥିବା ଯୋଦ୍ଧାମାନଙ୍କ ପାଇଁ ଏହା ଏକ ସ୍ମାରକ ଅଟେ।

ମାନନୀୟ ସଦସ୍ୟଗଣ

70. ଆଜି, ସ୍ୱାଧୀନତାର ଅମୃତ କାଳରେ, 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଆମର ସଂକଳ୍ପ ଆମକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ ବିକାଶର ଏକ ନୂତନ ଅଧ୍ୟାୟ ଲେଖିବାରେ ସକ୍ଷମ କରୁଛି। ଆଜି ପର୍ଯ୍ୟନ୍ତ ଅବହେଳିତ ରାଜ୍ୟ ତଥା ଅଞ୍ଚଳ ପାଇଁ ଦେଶ ବିଶେଷ ଉଦ୍ୟମ କରୁଛି।

 

71. ଜାମ୍ମୁ କାଶ୍ମୀର ଏବଂ ଲଦାଖ ଅଞ୍ଚଳରେ ବିକାଶର ଏକ ନୂତନ ଯୁଗର ଆରମ୍ଭ ଏହାର ଏକ ଉତ୍ତମ ଉଦାହରଣ | ମୋ ସରକାର ଜାମ୍ମୁ କାଶ୍ମୀରର ଶିଳ୍ପ ବିକାଶ ପାଇଁ ପ୍ରାୟ 28,000 କୋଟି ଟଙ୍କା ବ୍ୟୟରେ ଏକ ନୂତନ ସେଣ୍ଟ୍ରାଲ ସେକ୍ଟର ଯୋଜନା ଆରମ୍ଭ କରିଛନ୍ତି। ଗତ ବର୍ଷ ଚଳାଚଳ ପାଇଁ କାଜିଗୁଣ୍ଡ-ବନିହାଲ୍‌ ଟନେଲ ଖୋଲା ଯାଇଥିଲା | ଶ୍ରୀନଗର ଏବଂ ଶାରଜା ମଧ୍ୟରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି।

 72. ଜାମ୍ମୁ କାଶ୍ମୀରର ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାର ପାଇଁ ଉତ୍ତମ ସୁଯୋଗ ଯୋଗାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ନିଆଯାଇଛି | ବର୍ତ୍ତମାନ ସାତଟି ମେଡିକାଲ କଲେଜ ଏବଂ ଦୁଇଟି ଏମ୍‌ସ ଉପରେ କାମ ଚାଲିଛି, ଗୋଟିଏ ଜାମ୍ମୁରେ ଏବଂ ଅନ୍ୟଟି କାଶ୍ମୀରରେ। ଆଇଆଇଟି ଜାମ୍ମୁ ଏବଂ ଆଇଆଇଏମ୍ ଜାମ୍ମୁର ନିର୍ମାଣ ମଧ୍ୟ ଜୋରସୋରରେ ଚାଲିଛି।

73. ଲଦାଖର କେନ୍ଦ୍ରଶାସିତ ଅଞ୍ଚଳରେ ଭିତ୍ତିଭୂମି ତଥା ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସିନ୍ଧୁ ଭିତ୍ତିଭୂମି ବିକାଶ ନିଗମ ଗଠନ କରାଯାଇଛି | ଲଦାଖର ଏହି ବିକାଶ ଯାତ୍ରାର ଆଉ ଏକ ଅଧ୍ୟାୟ ସିନ୍ଧୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆକାରରେ ସାମିଲ୍ ହେଉଛି।

ମାନନୀୟ ସଦସ୍ୟଗଣ

74. ମୋର ସରକାର ଉତ୍ତର ପୂର୍ବର ସମସ୍ତ ରାଜ୍ୟ - ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍ ଏବଂ ତ୍ରିପୁରାର ନିରନ୍ତର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ରାଜ୍ୟଗୁଡିକରେ ମୌଳିକ ସୁବିଧା ଏବଂ ଅର୍ଥନୈତିକ ସୁଯୋଗ ପ୍ରତ୍ୟେକ ସ୍ତରରେ ବିକଶିତ ହେଉଛି। ଉତ୍ତର ପୂର୍ବର ଲୋକଙ୍କ ପାଇଁ ରେଳ ଏବଂ ବାୟୁ ସଂଯୋଗ ଆଉ ସ୍ୱପ୍ନ ନୁହେଁ, ଏହା ସେମାନଙ୍କ ପାଇଁ ବର୍ତ୍ତମାନ ବାସ୍ତବତାରେ ପରିଣତ ହେଇଛି। ଏହା ମୋ ପାଇଁ ଗର୍ବର ବିଷୟ ଯେ ଉତ୍ତର-ପୂର୍ବାଞ୍ଚଳର ସମସ୍ତ ରାଜଧାନୀ ବର୍ତ୍ତମାନ ମୋ ସରକାରଙ୍କ ଉଦ୍ୟମରେ ରେଳ ମାନଚିତ୍ରରେ ସାମିଲ୍ କରାଯାଇପାରିଛି।

75. ଇଟାନାଗରର ହୋଲୋଙ୍ଗି ଠାରେ ଏକ ନୂତନ ବିମାନବନ୍ଦର ସ୍ଥାପନ କରାଯାଉଛି।  ତ୍ରିପୁରାର ମହାରାଜା ବୀର ବିକ୍ରମ ବିମାନବନ୍ଦରରେ ନିକଟରେ ଏକ ଆଧୁନିକ ନୂତନ ଟର୍ମିନାଲ ଖୋଲାଯାଇଛି। ଉତ୍ତର ପୂର୍ବର ଏହି ବିକାଶ ଭାରତର ଅଭିବୃଦ୍ଧି କାହାଣୀରେ ଏକ ସୁବର୍ଣ୍ଣ ଅଧ୍ୟାୟ ବୋଲି ପ୍ରମାଣିତ ହେବ। କିଛି ଦିନ ପୂର୍ବରୁ, ଜାନୁଆରୀ 21 ରେ ମେଘାଳୟ, ମଣିପୁର ଏବଂ ତ୍ରିପୁରା ସୃଷ୍ଟି ହେବାର 50 ତମ ବାର୍ଷିକୀ ପାଳନ କରିଥିଲା ​​| ସ୍ୱାଧୀନତାର 75 ବର୍ଷର ସମକକ୍ଷ ହୋଇ ଏହି ରାଜ୍ୟଗୁଡିକର ଯାତ୍ରା ଆମକୁ ସେମାନଙ୍କ ବିକାଶ ପାଇଁ ନୂତନ ସଂକଳ୍ପ ପାଇଁ ପ୍ରେରଣା ଯୋଗାଉଛି |

 

76. ଉତ୍ତର ପୂର୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋ ସରକାରର ପ୍ରୟାସ ଐତିହାସିକ ସଫଳତା ହାସଲ କରିଛି | କିଛି ମାସ ପୂର୍ବେ କରବି ଆଙ୍ଗ୍ଲୋଙ୍ଗରେ ଦଶନ୍ଧି ଧରି ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ କେନ୍ଦ୍ର ସରକାର, ଆସାମ ରାଜ୍ୟ ସରକାର ଏବଂ କାର୍ବି ଗୋଷ୍ଠୀ ମଧ୍ୟରେ ଏକ ସମାଧାନ ହୋଇଥିଲା। ଏହା ଏହି ଅଞ୍ଚଳରେ ଶାନ୍ତି ଏବଂ ସମୃଦ୍ଧିର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି | ମୋ ସରକାରଙ୍କ ମିଳିତ ପ୍ରୟାସ ହେତୁ ଦେଶର ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ 126 ରୁ 70 କୁ ହ୍ରାସ ପାଇଛି।

ମାନନୀୟ ସଦସ୍ୟଗଣ

77. ନାଗରିକଙ୍କ ପ୍ରତି ସରକାରୀ ବିଭାଗର ଉତ୍ତରଦାୟିତ୍ୱ ବୃଦ୍ଧି କରିବାକୁ ମୋର ସରକାର ପ୍ରତିଶ୍ରୁତିବଦ୍ଧ | ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ସ୍ୱଚ୍ଛତା ଏବଂ ବିଚାରାଧୀନ ରେଫରେନ୍ସଗୁଡିକର ସମାପ୍ତି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି | ମିଶନ୍ କର୍ମଯୋଗୀ  ଅଧୀନରେ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଦକ୍ଷତା ବିକାଶ ଆୟୋଗ ଗଠନ କରିଛନ୍ତି। ମିଶନ୍ କର୍ମଯୋଗୀ ପ୍ରଶାସନିକ ସେବାରେ ଥିବା କର୍ମଚାରୀଙ୍କ କ୍ୟାରିଅର୍ ପାଇଁ ସହାୟକ ହେବ ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣର ନୂତନ ଦାୟିତ୍ବ ପାଇଁ ମଧ୍ୟ ପ୍ରସ୍ତୁତ କରିବ |

78. ନ୍ୟାୟ ପ୍ରଦାନକୁ ସହଜ ଏବଂ ସୁଗମ କରିବା ପାଇଁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ନିଆଯାଉଛି | ଟେଲି-ଲ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରି-ଲିଟିଗେସନ ପରାମର୍ଶ ପାଇଁ ଏକ ପ୍ଲାଟଫର୍ମ ସ୍ଥାପନ କରାଯାଇଛି। ବିବାଦର ସମାଧାନକୁ ତ୍ୱରାନ୍ୱିତ କରିବା ପାଇଁ ମୋ ସରକାର ରାଜ୍ୟସଭାରେ ମଧ୍ୟସ୍ଥତା ବିଲ୍, 2021 କୁ ଉପସ୍ଥାପନ କରିଛନ୍ତି |

ମାନନୀୟ ସଦସ୍ୟଗଣ

79. ଆଜି ଦେଶର ସଫଳତା ଏବଂ ସଫଳ କାର୍ଯ୍ୟ  ଦେଶର ସାମର୍ଥ୍ୟ ଏବଂ ସମ୍ଭାବନା ପରି ଅସୀମ | ଏହି ସଫଳତା ଗୋଟିଏ ଅନୁଷ୍ଠାନ କିମ୍ବା ପ୍ରତିଷ୍ଠାନର ନୁହେଁ; ଏଗୁଡ଼ିକ ହେଉଛି ଆମ ଦେଶର ଶହେ କୋଟିରୁ ଅଧିକ ନାଗରିକଙ୍କ ସାମୂହିକ ସଫଳତା। ଏଗୁଡ଼ିକ ହେଉଛି ଶ୍ରମର ଫଳ ଏବଂ ଶହେ କୋଟିରୁ ଅଧିକ ଲୋକମାନଙ୍କର ସଫଳତା  ଆମର ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିବା ପାଇଁ ଏହି ସଫଳତା ଦୀର୍ଘ ଯାତ୍ରାରେ ମାଇଲଖୁଣ୍ଟ ଅଟେ, ଏବଂ ଆଗକୁ ବଢ଼ିବା ପାଇଁ ଆମକୁ ପ୍ରେରଣା ଯୋଗାଇବ।

 80. 2047 ମସିହାରେ, ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ | ସେହି ସମୟର ଏକ ବିଶାଳ, ଆଧୁନିକ ଏବଂ ବିକଶିତ ଭାରତ ନିର୍ମାଣ ପାଇଁ ଆମକୁ ବର୍ତ୍ତମାନ କଠିନ ପରିଶ୍ରମ କରିବାକୁ ପଡିବ | ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଆମର କଠିନ ପରିଶ୍ରମ ଶେଷରେ ଉପଯୁକ୍ତ  ଫଳାଫଳ ପ୍ରଦାନ କରିବ। ଏହି ଯାତ୍ରାରେ ଆମ ସମସ୍ତଙ୍କର ଏକ ଅଂଶ ଏବଂ ସମାନ ଅଂଶ ଅଛି।

 

81. ସଂସଦର ସମସ୍ତ ସଦସ୍ୟ ଯେଉଁ ଦାୟିତ୍ବ ତୁଲାଇଛନ୍ତି, ମୁଁ ସେହି ପଦ୍ଧତିକୁ ପ୍ରଶଂସା କରୁଛି ଏବଂ କରୋନାର ଏହି ଆହ୍ବାନମୂଳକ ସମୟରେ ଦୁଇଟି ଗୃହ ସମସ୍ତ ସତର୍କତା ସହିତ କାର୍ଯ୍ୟ କରିଛି। ଆପଣ ଆମ ଲୋକଙ୍କ କୋଟି କୋଟି ଆଶା ଏବଂ ଆକାଂକ୍ଷାର ପରିଚାଳକ ଅଟନ୍ତି । ଏକ ମନ ​​ସହିତ ଭବିଷ୍ୟତରେ ଆମକୁ କାର୍ଯ୍ୟ ଜାରି ରଖିବାକୁ ପଡିବ |

82. ମୋର ଦୃଢ଼ ବିଶ୍ୱାସ ଅଛି ଯେ ଆମେ ଏକତ୍ର ଆମର ମହାନ ଭାରତ ବର୍ଷକୁ ଏହାର ଗୌରବର ଶିଖରକୁ ନେଇଯିବ। ସମାନ ଉତ୍ସାହ ​​ସହିତ ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି !

ଜୟ ହିନ୍ଦ୍ !

HS/BS/SSP

 

 



(Release ID: 1797395) Visitor Counter : 237