ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ – ମଧ୍ୟ ଏସିଆ ଶିଖର ସମ୍ମିଳନୀର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନୀ ଅଭିଭାଷଣ

Posted On: 27 JAN 2022 6:31PM by PIB Bhubaneshwar

ମହାମାନ୍ୟ,

ପ୍ରଥମ ଭାରତ – ମଧ୍ୟ ଏସିଆ ଶିଖର ସମ୍ମିଳନୀରେ ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି । ଭାରତ ଏବଂ କେନ୍ଦ୍ର ଏସୀୟ ଦେଶ ଗୁଡିକ ମଧ୍ୟରେ କୂଟନୈତିକ ସମ୍ପର୍କ ସଫଳତାର ସହିତ ୩୦ ବର୍ଷ ପୂରଣ କରିଛି । ବିଗତ ତିନି ଦଶନ୍ଧି ମଧ୍ୟରେ ଆମର ସହଯୋଗ ଯୋଗୁଁ ଅନେକ ସଫଳତା ହାସଲ ହୋଇ ପାରିଛି । ଏବଂ ଏବେ, ଏହି ମହତ୍ୱପୂର୍ଣ୍ଣ ସମୟରେ, ଆମକୁ ଆଗାମୀ ବର୍ଷ ଗୁଡିକ ନିମନ୍ତେ ଏକ ମହତ୍ୱାକାଂକ୍ଷୀ ଭିଜନ୍‌/ ଦୃଷ୍ଟିକୋଣ ସ୍ଥିର କରିବା ଉଚିତ୍ । ଏମିତି ଭିଜନ୍‌/ ଦୃଷ୍ଟିକୋଣ ଯାହା ପରିବର୍ତିତ ବିଶ୍ୱରେ ଆମ ଲୋକମାନଙ୍କୁ ବିଶେଷତଃ ଯୁବପିଢ଼ିଙ୍କର ଆଶାକୁ ପୂରଣ କରି ପାରିବ ।

ମହାମାନ୍ୟ,

ଦ୍ୱିପାକ୍ଷିକ ସ୍ତରରେ ଭାରତର ସମସ୍ତ ମଧ୍ୟ – ଏସୀୟ ଦେଶଗୁଡିକ ସହିତ ଘନିଷ୍ଠ ସମ୍ପର୍କ ରହିଛି ।

ମହାମାନ୍ୟ,

କାଜାଖସ୍ତାନ ଭାରତର ଶକ୍ତି ସୁରକ୍ଷା ନିମନ୍ତେ ଏକ ମହପୂର୍ଣ୍ଣ ଅଂଶୀଦାର ହୋଇଯାଇଛି । ମୁଁ କାଜାଖସ୍ତାନରେ ଅଳ୍ପ କିଛି ଦିନ ଭିତରେ ହୋଇଥିବା ଜନ - ଧନର କ୍ଷୟକ୍ଷତି ନିମନ୍ତେ ସମ୍ବେଦନା ପ୍ରକାଶ କରୁଛି ।

ଉଜବେକିସ୍ତାନ ସହିତ ଆମର ବୃଦ୍ଧି ପାଉଥିବା ସହଯୋଗରେ ଆମ ରାଜ୍ୟ ସରକାରମାନେ ମଧ୍ୟ ସକ୍ରିୟ ଭାଗୀଦାର ଅଟନ୍ତି । ଏଥିରେ ମୋର ନିଜ ରାଜ୍ୟ ଗୁଜୁରାଟ ମଧ୍ୟ ସାମିଲ୍ ଅଟେ ।

କିରଗିଜ୍‌ସ୍ତାନ ସହିତ ଆମର ଶିକ୍ଷା ଏବଂ ଉଚ୍ଚସ୍ତରୀୟ ଗବେଷଣା କ୍ଷେତ୍ରରେ ସକ୍ରିୟ ଭାଗୀଦାରୀ ରହିଛି । ହଜାର ହଜାର ଭାରତୀୟ ଛାତ୍ର ସେଠାରେ ପଢ଼ୁଛନ୍ତି ।

ତାଜିକିସ୍ତାନ ସହିତ ଆମର ସୁରକ୍ଷା କ୍ଷେତ୍ରରେ ଦୀର୍ଘ ଦିନରୁ ସହଯୋଗ ରହିଛି । ଏବଂ ଆମେ ଏହାକୁ ନିରନ୍ତର ଭାବେ ଅଧିକ ସୁଦୃଢ଼ କରୁଛୁ ।

ତୁର୍କମେନିସ୍ତାନ ଆଂଚଳିକ ସଂଯୋଗ କ୍ଷେତ୍ରରେ ଭାରତୀୟ ଦୃଷ୍ଟିକୋଣର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ, ଯାହା ଅସଗାବାତ ଚୁକ୍ତିରେ ଆମର ଭାଗୀଦାରୀତାକୁ ସ୍ପଷ୍ଟ କରେ ।

ମହାମାନ୍ୟ,

କ୍ଷେତ୍ରୀୟ ସୁରକ୍ଷା ନିମନ୍ତେ ଆମ ସମସ୍ତଙ୍କ ଚିନ୍ତା ଏବଂ ଉଦ୍ଦେଶ୍ୟ ସମାନ ଅଟେ । ଆଫଗାନିସ୍ତାନର ଘଟଣାକ୍ରମକୁ ନେଇ ଆମେ ସମସ୍ତେ ଚିନ୍ତିତ ।

ଏହି ପରିପ୍ରେକ୍ଷୀରେ ମଧ୍ୟ, କ୍ଷେତ୍ରୀୟ ସୁରକ୍ଷା ଏବଂ ସ୍ଥିରତା ନିମନ୍ତେ ଆମର ପାରସ୍ପରିକ ସହଯୋଗ ଆହୁରି ମହତ୍ୱପୂର୍ଣ୍ଣ ହୋଇଯାଇଛି ।

ମହାମାନ୍ୟ,

ଆଜିର ସମ୍ମିଳନୀର ତିନିଗୋଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି ।

ପ୍ରଥମତଃ, ଏହା ସ୍ପଷ୍ଟ କରିବା ଯେ ଭାରତ ଏବଂ କେନ୍ଦ୍ର – ଏସିଆ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ କ୍ଷେତ୍ରୀୟ ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ଆନିବାର୍ଯ୍ୟ ଅଟେ ।

ଭାରତର ଆଭିମୁଖ୍ୟରୁ, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏକ ସମନ୍ୱିତ ଏବଂ  ସ୍ଥିର ବିସ୍ତାରିତ ପଡୋଶୀ ଦେଶ ପାଇଁ ଭାରତର ଦୃଷ୍ଟିକୋଣରେ କେନ୍ଦ୍ର ଏସିଆ ପ୍ରମୁଖ ଅଟେ ।

ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି, ଆମର ସହଯୋଗକୁ ଏକ ପ୍ରଭାବଶାଳୀ ରୂପ/ ଆକାର ଦେବାର ଅଛି । ଏଥିରେ ବିଭିନ୍ନ ସ୍ତରରେ ଏବଂ ବିଭିନ୍ନ ଅଂଶଧାରକମାନଙ୍କ ମଧ୍ୟରେ, ନିୟମିତ ଯୋଗାଯୋଗ/ ଭାବ ବିନିମୟର ଏକ ଢାଂଚା ସ୍ଥାପିତ ହେବ ।

ଏବଂ ତୃତୀୟ ଉଦ୍ଦେଶ୍ୟ ହେଉଛି, ଆମର ସହଯୋଗ ନିମନ୍ତେ ଏକ ମହତ୍ୱାକାଂକ୍ଷୀ ରୋଡମ୍ୟାପ୍ ପ୍ରସ୍ତୁତ କରିବାର ଅଛି ।

ଏହା ମାଧ୍ୟମରେ ଆମେ ଆଗାମୀ ତିରିଶ ବର୍ଷ ମଧ୍ୟରେ ଆଂଚଳିକ ସଂଯୋଗୀକରଣ ଏବଂ ସହଯୋଗ ନିମନ୍ତେ ଏକ ସମନ୍ୱିତ ଆଭିମୁଖ୍ୟ ଆପଣେଇ ପାରିବା ।

ମାହାମାନ୍ୟ,

ମୁଁ ପୁଣି ଥରେ ଭାରତ – ମଧ୍ୟ ଏସିଆ ଶିଖର ସମ୍ମିଳନୀର ପ୍ରଥମ ବୈଠକରେ ଆପଣ ସମସ୍ତଙ୍କର ହାର୍ଦ୍ଦିକ ସ୍ୱାଗତ କରୁଛି ।

***

SSP



(Release ID: 1793103) Visitor Counter : 187