ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୋଭିଡ-19 ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ଶେଷରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
Posted On:
13 JAN 2022 7:50PM by PIB Bhubaneshwar
2022 ର ଏହା ହେଉଛି ପ୍ରଥମ ବୈଠକ । ସର୍ବପ୍ରଥମେ ଆପଣ ସମସ୍ତଙ୍କୁ ଲୋହଡ଼ୀ ନିମନ୍ତେ ବହୁତ- ବହୁତ ଶୁଭେଚ୍ଛା । ମକର ସଂକ୍ରାନ୍ତି, ପୋଙ୍ଗଲ, ଭୋଗଲୀ ବିହୁ, ଉତରାୟଣ ଏବଂ ପୌଷ ପର୍ବ ପାଇଁ ମଧ୍ୟ ଆଗୁଆ ଶୁଭକାମନା। 100 ବର୍ଷର ସବୁଠାରୁ ବଡ଼ ମହାମାରୀ ସହିତ ଭାରତର ଲଢ଼େଇ ଏବେ ତୃତୀୟ ବର୍ଷରେ ପ୍ରବେଶ କରି ସାରିଛି। ପରିଶ୍ରମ ହେଉଛି ଆମର ଏକମାତ୍ର ପଥ, ଆଉ ବିଜୟ ହେଉଛି ଆମର ଏକମାତ୍ର ବିକଳ୍ପ। ଆମେ 130 କୋଟି ଭାରତୀୟ ନିଜ- ନିଜ ପ୍ରୟାସ ଦ୍ୱାରା କରୋନା ଠାରୁ ନିଶ୍ଚୟ ଭାବେ ବିଜୟୀ ହୋଇ ବାହାରିବା, ଆଉ ଆପଣ ସମସ୍ତଙ୍କ ଠାରୁ ମୁଁ ଯେଉଁ ସବୁ କଥା ଶୁଣିଛି ସେଥିରେ ମଧ୍ୟ ସେହି ବିଶ୍ୱାସ ପ୍ରକଟ ହେଉଛି। ଏବେ ଓମିକ୍ରନ ରୂପରେ ଯେଉଁ ନୂତନ ଆହ୍ୱାନ ଆସିଛି, ଯେଭଳି ଭାବରେ ସଂକ୍ରମଣର ସଂଖ୍ୟା ବୃଦ୍ଧି ଘଟୁଛି, ସେହି ବିଷୟରେ ସ୍ୱାସ୍ଥ୍ୟ ସଚିବଙ୍କ ତରଫରୁ ବିସ୍ତୃତ ଭାବେ ଆମ୍ଭମାନଙ୍କୁ ସୂଚନା ଦିଆଯାଇଛି। ଅମିତ ଶାହା ମହାଶୟ ମଧ୍ୟ ପ୍ରଥମରୁ ଆମ ସମ୍ମୁଖରେ କିଛି କଥା ରଖିଛନ୍ତି । ଆଜି ଅନେକ ମୁଖ୍ୟମନ୍ତ୍ରୀ ମାନଙ୍କ ତରଫରୁ, ଆଉ ତାହା ମଧ୍ୟ ହିନ୍ଦୁସ୍ତାନର ଭିନ୍ନ-ଭିନ୍ନ କୋଣ ଅନୁକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଆମ ସମସ୍ତଙ୍କ ସମ୍ମୁଖକୁ ଆସିଛି।
ସାଥୀଗଣ,
ଓମିକ୍ରନକୁ ନେଇ ପୂର୍ବରୁ ଯେଉଁ ସଂଶୟର ପରିସ୍ଥିତି ରହିଥିଲା, ଏବେ ତାହା ଧୀରେ- ଧୀରେ ସ୍ପଷ୍ଟ ହେଉଛି। ପୂର୍ବରୁ ଯେଉଁ ପ୍ରଜାତି ଥିଲା, ତାହା ତୁଳନାରେ ଓମିକ୍ରନ ପ୍ରଜାତି ବହୁ ଗୁଣ ଅଧିକ ଦ୍ରୁତ ବେଗରେ ସାଧାରଣ ଜନତାଙ୍କୁ ସଂକ୍ରମିତ କରୁଛି। ଆମେରିକା ଭଳି ଦେଶରେ ଗୋଟିଏ ଦିନରେ 14 ଲକ୍ଷ ପର୍ଯ୍ୟନ୍ତ ନୂତନ ସଂକ୍ରମଣ ସାମ୍ନାକୁ ଆସିଛି । ଭାରତରେ ଆମର ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ, ପ୍ରତ୍ୟେକ ପରିସ୍ଥିତି ଏବଂ ପରିସଂଖ୍ୟାନକୁ କ୍ରମାଗତ ଭାବେ ଅଧ୍ୟୟନ କରୁଛନ୍ତି। ଏହି କଥା ହେଉଛି ସ୍ପଷ୍ଟ ଯେ, ଆମକୁ ସତର୍କ ରହିବାକୁ ପଡ଼ିବ, ସାବଧାନ ରହିବାକୁ ପଡ଼ିବ କିନ୍ତୁ ଭୟାବହ ବା ଆତଙ୍କର ପରିସ୍ଥିତି ନ ଆସୁ, ଏହା ଉପରେ ମଧ୍ୟ ଆମକୁ ଧ୍ୟାନ ରଖିବାକୁ ହିଁ ପଡ଼ିବ। ଆମକୁ ଏହା ଦେଖିବାକୁ ପଡ଼ିବ ଯେ ପାର୍ବଣର ଏହି ଋତୁରେ ଲୋକମାନଙ୍କ ତରଫରୁ ଏବଂ ପ୍ରଶାସନ ତରଫରୁ ଆମର ସଚେତନତା କୌଣସି ପରିସ୍ଥିତିରେ ମଧ୍ୟ କମ୍ ନ ହେଉ। ପୂର୍ବରୁ କେନ୍ଦ୍ର ଏବଂ ରାଜ୍ୟସରକାରମାନେ ଯେଭଳି ଭାବେ ପୂର୍ବ ପ୍ରସ୍ତୁତି, ସକ୍ରିୟତା ଏବଂ ସାମଗ୍ରିକ ଅଭିବ୍ୟକ୍ତି ଆପଣାଇଛନ୍ତି, ତାହା ହିଁ ହେଉଛି ଏହି ସମୟରେ ବିଜୟର ମନ୍ତ୍ର। କରୋନା ସଂକ୍ରମଣକୁ ଆମେ ଯେତେ ପରିମାଣରେ ସୀମିତ ରଖି ପରିବା, ସେତିକି ହିଁ କମ୍ ଅସୁବିଧା ହେବ। ଆମକୁ ଜାଗ୍ରତର ସହିତ ଆଗକୁ ଆସି, ବୈଜ୍ଞାନିକ ଆଧାରିତ ସୂଚନାଗୁଡ଼ିକୁ ଅଧିକ ଗୁରୁତ୍ୱ ଦେବା ସହିତ ହିଁ ଆମର ଡାକ୍ତରୀ ଭିତିଭୂମିକୁ, ଡାକ୍ତରୀ ମାନବ ସମ୍ବଳକୁ ବଢାଇ ଚାଲିବାକୁ ପଡ଼ିବ।
ସାଥୀଗଣ,
ଦୁନିଆର ଅଧିକାଂଶ ବିଶେଷଜ୍ଞମାନଙ୍କର କହିବା କଥା ଏହା ହେଉଛି ଯେ ପ୍ରଜାତି ହୁଏତ ଯାହା କିଛି ହେଉ, କରୋନା ସହିତ ଲଢ଼ିବାର ସବୁଠାରୁ ଉପଯୋଗୀ ଅସ୍ତ୍ର ହିଁ ହେଉଛି –ଟିକା। ଭାରତରେ ନିର୍ମିତ ଟିକା ମଗ୍ର ବିଶ୍ୱରେ ନିଜର ଶ୍ରେଷ୍ଠତା ପ୍ରତିପାଦିତ କରୁଛି। ଏହା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ଯେ ଆଜି ଭାରତ, କ୍ରମାଗତ ଭାବେ 92 ପ୍ରତିଶତ ଯୋଗ୍ୟ ଜନସଂଖ୍ୟାଙ୍କୁ ପ୍ରଥମ ଡୋଜ ଦେଇ ସାରିଛି । ଦେଶରେ ଦ୍ୱିତୀୟ ଡୋଜର ବ୍ୟାପକତା ମଧ୍ୟ 70 ପ୍ରତିଶତର ଆଖପାଖରେ ପହଂଚି ସାରିଛି। ଆଉ ଆମର ଟିକାକରଣ ଅଭିଯାନକୁ ଏକ ବର୍ଷ ପୂରଣ ହେବାରେ ଏବେ ମଧ୍ୟ ତିନି ଦିନ ବାକି ଅଛି । 10 ଦିନ ଭିତରେ ହିଁ ଭାରତ ନିଜର ପ୍ରାୟ 3 କୋଟି କିଶୋରଙ୍କୁ ମଧ୍ୟ ଟିକାକରଣ କରି ସାରିଛି । ଏହା ଭାରତର ସାମର୍ଥ୍ୟକୁ ଦେଖାଉଛି, ଏହି ଆହ୍ୱାନ ଆମକୁ ଲଢ଼ିବା ପାଇଁ ଆମର ପ୍ରସ୍ତୁତିକୁ ଦର୍ଶାଉଛି। ଆଜି ରାଜ୍ୟଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ରହିଛି। ଆଗଧାଡ଼ିର କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ ଯେତେ ଶୀଘ୍ର ଦିଆ ଯିବ, ସେତିକି ହିଁ ଆମର ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାର ସାମର୍ଥ୍ୟକୁ ବୃଦ୍ଧି କରିବ। ଶତ- ପ୍ରତିଶତ ଟିକାକରଣ ପାଇଁ ‘ହର୍ ଘର୍ ଦସ୍ତକ’ ଅଭିଯାନକୁ ଆମ୍ଭମାନଙ୍କୁ ଆହୁରି ଦ୍ରୁତ କରିବାକୁ ପଡ଼ିବ। ମୁଁ ଆଜି ଆମର ସେହି ସ୍ୱାସ୍ଥ୍ୟକର୍ମୀ, ଆମର ଆଶା ଭଉଣୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ଯେଉଁମାନେ ପାଣିପାଗର କଠିନ ପରିସ୍ଥିତି ମଧ୍ୟରେ ଟିକାକରଣ ଅଭିଯାନକୁ ଗତି ପ୍ରଦାନ କରିବାରେ ଲାଗି ପଡ଼ିଛନ୍ତି।
ସାଥୀଗଣ,
ଟିକାକରଣକୁ ନେଇ ବିଭ୍ରାନ୍ତ ସୃଷ୍ଟି କରିବାର କୌଣସି ମଧ୍ୟ ପ୍ରୟାସକୁ ଆମ୍ଭେମାନେ ରହିବାକୁ ଦେବା ନାହିଁ। କେତେ ଥର ଆମକୁ ଏହା ଶୁଣିବାକୁ ମିଳିଥାଏ ଯେ ଟିକା ନେବା ପରେ ମଧ୍ୟ ସଂକ୍ରମଣ ହେଉଛି ତେବେ ଲାଭ କ’ଣ? ମାସ୍କକୁ ନେଇ ମଧ୍ୟ ଏଭଳି ଅପପ୍ରଚାର ହେଉଛି ଯେ ଏହାଦ୍ୱାରା କିଛି ଲାଭ ହୋଇ ନଥାଏ। ଏଭଳି ଅପପ୍ରଚାରକୁ ରୋକିବାର ବହୁତ ଆବଶ୍ୟକତା ରହିଛି।
ସାଥୀଗଣ,
କରୋନା ସହିତ ଏହି ଲଢ଼େଇରେ ଆମ୍ଭମାନଙ୍କୁ ଆଉ ଗୋଟିଏ କଥା ଉପରେ ମଧ୍ୟ ବହୁତ ଧ୍ୟାନ ରଖିବାକୁ ପଡ଼ିବ। ଏବେ ଆମ ପାଖରେ କରୋନା ସହିତ ଦୁଇ ବର୍ଷ ଲଢ଼େଇର ଅନୁଭବ ରହିଛି, ଦେଶବ୍ୟାପୀ ପ୍ରସ୍ତୁତି ମଧ୍ୟ ରହିଛି। ସାଧାରଣ ଲୋକମାନଙ୍କର ଜୀବନ ଜୀବିକା, ଆର୍ଥିକ କାର୍ଯ୍ୟକଳାପକୁ କମ୍ କ୍ଷତି ପହଂଚୁ, ଅର୍ଥବ୍ୟବସ୍ଥାର ଗତି ଜାରି ରହୁ, କୌଣସି ମଧ୍ୟ ରଣନୀତି ପ୍ରସ୍ତୁତ କରିବା ସମୟରେ ଆମକୁ ଏହିସବୁ ବିଷୟଗୁଡ଼ିକୁ ଧ୍ୟାନ ରଖିବାକୁ ପଡ଼ିବ। ଏହା ହେଉଛି ବହୁତ ଆବଶ୍ୟକ। ଆଉ ଏଥିପାଇଁ ସ୍ଥାନୀୟ କଣେଂଟମେଂଟ ବା ଆବଦ୍ଧାଂଚଳ ଉପରେ ଅଧିକ ଦୃଷ୍ଟି ଦେବା ଭଲ ହେବ। ଯେଉଁଠାରୁ ଅଧିକ ସଂକ୍ରମଣ ଆସୁଛି, ସେଠାରେ ଅଧିକରୁ ଅଧିକ ଏବଂ ଦ୍ରୁତ ଗତିରେ ପରୀକ୍ଷଣ ହେଉ, ଏହା ସୁନିଶ୍ଚିତ କରିବା ମଧ୍ୟ ଆବଶ୍ୟକ। ଏହା ବ୍ୟତୀତ ଆମକୁ ମଧ୍ୟ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଗୃହ ଏକାନ୍ତବାସରେ ହିଁ ଅଧିକରୁ ଅଧିକ ଚିକିତ୍ସା ହେଉ, ଏଥିପାଇଁ ଆମକୁ ଗୃହ ଏକାନ୍ତବାସ ସହିତ ଜଡ଼ିତ ମାର୍ଗଦର୍ଶିକାକୁ, ନୀତିନିୟମକୁ ଅନୁସରଣ କରିବା ଏବଂ ପରିସ୍ଥିତି ଅନୁସାରେ ପରିବର୍ତନ କରିବା ମଧ୍ୟ ବହୁତ ଜରୁରୀ। ଗୃହ ଏକାନ୍ତବାସ ସମୟରେ ଚିହ୍ନଟ ଏବଂ ଚିକିତ୍ସାର ବ୍ୟବସ୍ଥା ଯେତେ ଉନ୍ନତ ହେବ, ସେତିକି ହିଁ ଡାକ୍ତରଖାନାକୁ ଯିବାର କମ୍ ଆବଶ୍ୟକତା ହେବ। ସଂକ୍ରମଣ ବିଷୟରେ ଜଣା ପଡ଼ିବା ପରେ ଲୋକମାନେ ସର୍ବପ୍ରଥମେ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରି ଥାଆନ୍ତି। ଏଥିପାଇଁ ଉଚିତ ପରାମର୍ଶ ଏବଂ ରୋଗୀମାନଙ୍କୁ କ୍ରମାଗତ ଭାବେ ଚିହ୍ନଟ କରିବା ନେଇ ବିଶ୍ୱସ୍ତନୀୟତା ବୃଦ୍ଧି କରିବାରେ ସହାୟତା ମିଳିଥାଏ।
ମୁଁ ଖୁସୀ ଯେ ଅନେକ ରାଜ୍ୟ ସରକାର ଏହି ଦିଗରେ ବହୁତ ଭଲ ଭାବରେ ନୂଆ- ନୂଆ ସୃଜନାତ୍ମକ ପ୍ରୟାସ ମଧ୍ୟ କରୁଛନ୍ତି, ପ୍ରୟୋଗ ମଧ୍ୟ କରୁଛନ୍ତି । କେନ୍ଦ୍ର ସରକାର ଟେଲି ମେଡିସିନ ପାଇଁ ମଧ୍ୟ ବହୁତ ସୁବିଧାମାନ ବିକଶିତ କରିଛନ୍ତି । ଏହାର ଅଧିକରୁ ଅଧିକ ଉପଯୋଗ କରୋନା ସଂକ୍ରମିତ ରୋଗୀଙ୍କୁ ବହୁତ ସହାୟତା କରିବ। ଯେଉଁଠି ଜରୁରୀ ଔଷଧ ଏବଂ ଜରୁରୀ ଭିତିଭୂମିର କଥା ଆସେ, ସେତେବେଳେ କେନ୍ଦ୍ର ସରକାର ପ୍ରତ୍ୟେକ ଥର ଭଳି ପ୍ରତ୍ୟେକ ରାଜ୍ୟଙ୍କ ସହିତ ଠିଆ ହୋଇ ଥାଆନ୍ତି। 5-6 ମାସ ପୂର୍ବେ 23 ହଜାର କୋଟି ଟଙ୍କାର ଯେଉଁ ବିଶେଷ ପ୍ୟାକେଜ ଦିଆ ଯାଇଥିଲା, ତାହାର ସଦୂପଯୋଗ କରି ଅନେକ ରାଜ୍ୟ ସ୍ୱାସ୍ଥ୍ୟ ଭିତିଭୂମିକୁ ସଶକ୍ତ କରିଛନ୍ତି। ଏହା ଅଧୀନରେ ସାରା ଦେଶରେ ମେଡିକାଲ କଲେଜ ଏବଂ ଜିଲା ହସ୍ପାତାଳରେ ପିଲାମାନଙ୍କ ପାଇଁ 800ରୁ ଅଧିକ ସ୍ୱତନ୍ତ୍ର ଶିଶୁ ଯତ୍ନ ୟୁନିଟ ମଞ୍ଜୁର ହୋଇଛି, ପ୍ରାୟ ଦେଢ଼ ଲକ୍ଷ ନୂତନ ଅକ୍ସିଜେନ, ଆଇସିୟୁ ଏବଂ ଏଚୟୁଡ଼ି ଶଯ୍ୟା ପ୍ରସ୍ତୁତ କରାଯାଉଛି, 5 ହଜାରରୁ ଅଧିକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଏବଂ ସାଢ଼େ 9 ଶହରୁ ଅଧିକ ତରଳ ମେଡିକାଲ ଅକ୍ସିଜେନ ଷ୍ଟୋରେଜ ଟ୍ୟାଙ୍କର କ୍ଷମତା ଯୋଡ଼ି ହୋଇଛି। ଜରୁରୀ ଭିତିଭୂମିର ଦକ୍ଷତାକୁ ବଢ଼ାଇବା ପାଇଁ ଏଭଳି ଅନେକ ପ୍ରୟାସ ହୋଇଛି କିନ୍ତୁ ଆମକୁ ଏହି ଭିତିଭୂମିର ସମ୍ପ୍ରସାରଣ କରି ଚାଲିବାକୁ ପଡ଼ିବ।
କରୋନାକୁ ହରାଇବା ପାଇଁ ଆମକୁ ନିଜର ପ୍ରସ୍ତୁତିକୁ କରୋନାର ପ୍ରତ୍ୟେକ ପ୍ରଜାତିଠାରୁୁ ଆଗକୁ ରଖିବାକୁ ହେବ। ଓମିକ୍ରନର ମୁକାବିଲା ସହିତ ହିଁ ଆମକୁ ଆସୁଥିବା ଆଉ କିଛି ସମ୍ଭାବ୍ୟ ପ୍ରଜାତି ପାଇଁ ମଧ୍ୟ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେବାକୁ ହେବ। ମୋର ବିଶ୍ୱାସ ଯେ, ଆମ ସମସ୍ତଙ୍କର ପାରସ୍ପରିକ ସହଯୋଗ, ଗୋଟିଏ ସରକାରର ଅନ୍ୟ ସରକାରଙ୍କ ସହିତ ସମନ୍ୱୟ, କରୋନା ସହିତ ଲଢ଼େଇରେ ଦେଶକୁ ଏଭଳି ହିଁ ଶକ୍ତି ଦେଉଥିବ। ଆମେ ଗୋଟିଏ କଥା ଭଲଭାବେ ଜାଣିଛେ ଯେ ଆମ ଦେଶରେ ଗୋଟିଏ ଏବଂ ଘରେ ମଧ୍ୟ ଏହି ପରମ୍ପରା ଅଛି। ଯେଉଁ ଆୟୁର୍ବେଦିକ୍ ଜିନିଷ ଅଛି, ଯେଉଁ କାଢ଼ା ଆଦି ପିଇବାର ପରମ୍ପରା ଅଛି, ଏହି ଋତୁରେ ବେଶ ଉପକାରୀ। ଏହାକୁ କେହି କେହି ଔଷଧ ବୋଲି ମଧ୍ୟ କହୁଛନ୍ତି। କିନ୍ତୁ ତାହାର ଉପଯୋଗ ହେଉ, ଆଉ ମୁଁ ତ ଦେଶବାସୀଙ୍କୁ ଅନୁରୋଧ କରିବି ଯେ ଏ ଯେଉଁ ଆମର ପରମ୍ପରାଗତ ଘର ବଇଦ ଭଳି ଯେଉଁ ଜିନିଷ ଅଛି। ଏଭଳି ସମୟରେ ତାହାଠାରୁ ମଧ୍ୟ ବେଶ ସହାୟତା ମିଳିଥାଏ। ତାହା ଉପରେ ମଧ୍ୟ ଆମକୁ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ।
ସାଥୀଗଣ,
ଆପଣ ସମସ୍ତେ ସମୟ ବାହାର କଲେ, ଆମେ ସମସ୍ତେ ନିଜର ଚିନ୍ତାଧାରା ବ୍ୟକ୍ତ କଲେ। ଆଉ ଆମେ ସମସ୍ତେ ମିଳିମିଶି ସଙ୍କଟ କେତେ ମଧ୍ୟ ବଡ଼ ଆସୁ ନା କାହିଁକି, ଆମ୍ଭମାନଙ୍କର ପ୍ରସ୍ତୁତି, ଆମର ମୁକାବିଲା କରିବାର ବିଶ୍ୱାସ ଏବଂ ବିଜୟୀ ହେବାର ସଂକଳ୍ପ ସହିତ ସମସ୍ତଙ୍କ କଥା ମଧ୍ୟରୁ ଏହା ବାହାରି ଆସୁଛି, ଆଉ ଏହା ହିଁ ସାଧାରଣ ନାଗରିକଙ୍କୁ ବିଶ୍ୱାସ ଦେଇଥାଏ। ଆଉ ସାଧାରଣ ନାଗରିକଙ୍କ ସହଯୋଗ ଦ୍ୱାରା ଆମେ ଏହି ପରିସ୍ଥିତିକୁ ମଧ୍ୟ ସଫଳତାର ସହ ଅତିକ୍ରମ କରି ପାରିବା। ଆପଣ ସମସ୍ତେ ସମୟ ବାହାର କଲେ, ଏଥିପାଇଁ ମୁଁ ହୃଦୟର ସହିତ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞତା ଜଣାଉଛି। ବହୁତ- ବହୁତ ଧନ୍ୟବାଦ।
*****
AH
(Release ID: 1789811)
Visitor Counter : 166
Read this release in:
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam