ଆୟୁଷ
ମକର ସଂକ୍ରାନ୍ତିରେ ଏକ କୋଟିରୁ ଅଧିକ ଲୋକ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିବେ : ଶ୍ରୀ ସର୍ବାନନ୍ଦ ସୋନୱାଲ
ସୂର୍ଯ୍ୟ ନମସ୍କାର ପାଇଁ ସାରା ବିଶ୍ବରୁ ବହୁସଂଖ୍ୟାରେ ଆଗ୍ରହୀ ପ୍ରତିଯୋଗୀ ପଞ୍ଜୀକରଣ କରୁଛନ୍ତି
Posted On:
12 JAN 2022 4:08PM by PIB Bhubaneshwar
ବିଶ୍ବବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଜାନୁଆରୀ ୧୪, ୨୦୨୨ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୭୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ ୧୯ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଅଧିକ ପ୍ରାସଙ୍ଗିକ ହୋଇଯାଇଛି। ସୂର୍ଯ୍ୟ ନମସ୍କାର ଜୀବନ ଶକ୍ତି ଏବଂ ପ୍ରତିଷେଧକ କ୍ଷମତା ବୃଦ୍ଧି କରିଥାଏ ବୋଲି ପ୍ରମାଣିତ ହୋଇସାରିଛି। ତେଣୁ ଏହା କରୋନା ଠାରୁ ସୁରକ୍ଷା ଦେବାରେ ସକ୍ଷମ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ବୋଲି ଆମେ ଲକ୍ଷ୍ୟ ରଖିଥିଲୁ। କିନ୍ତୁ ପଞ୍ଜୀକରଣ ଏବଂ ଆମର ପ୍ରସ୍ତୁତିକୁ ଦେଖି, ଆମର ଆଶା ରହିଛି ଯେ ଏହି ସଂଖ୍ୟା ଏକ କୋଟି ଅତିକ୍ରମ କରିବ ବୋଲି ସେ କହିଥିଲେ।
ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜାପାରା ମହେନ୍ଦ୍ର ଭାଇ କହିଥିଲେ ଯେ ସୂର୍ଯ୍ୟ ନମସ୍କାର ମନ ଓ ଶରୀରକୁ ସକ୍ରିୟ କରିଥାଏ। ମଲିକ୍ୟୁଲାର ଜେନେଟିକ୍ସ ଉପରେ ଯୋଗର ପ୍ରଭାବ କିଭଳି ପଡ଼ିଥାଏ ତାହାର ଅଧ୍ୟୟନ କରାଯାଉଛି ବୋଲି ସେ କହିଥିଲେ।
ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶବିଶେଷ। ଏହା ହେଉଛି ‘‘ଜୀବନ ଶକ୍ତି ପାଇଁ ସୂର୍ଯ୍ୟ ନମସ୍କାର’’ ବୋଲି ସେ କହିଥିଲେ।
ଭାରତ ତଥା ବିଦେଶର ସମସ୍ତ ଅଗ୍ରଣୀ ଯୋଗ ପ୍ରତିଷ୍ଠାନ, ଜାତୀୟ ଯୋଗ କ୍ରୀଡ଼ା ମହାସଂଘ, ଯୋଗ ପ୍ରାମାଣୀକରଣ ବୋର୍ଡ, ଫିଟ୍ ଇଣ୍ଡିଆ ଏବଂ ଆହୁରି ଅନେକ ସରକାରୀ ଓ ବେସରକାରୀ ସଂଗଠନ ଏହି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଭିଡିଓ ବାର୍ତ୍ତା ଜରିଆରେ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ କ୍ରୀଡ଼ାବିତ୍ମାନେ ସୂର୍ଯ୍ୟ ନମସ୍କାରକୁ ପ୍ରୋତ୍ସାହିତ କରିବେ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଖେଳାଳୀ ଓ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ।
ପ୍ରତିଯୋଗୀ ଏବଂ ଯୋଗ ପ୍ରତି ଆଗ୍ରହୀ ଲୋକମାନେ ସମ୍ପୃକ୍ତ ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇ ପାରିବେ ଏବଂ ୧୪ ଜାନୁଆରୀରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରୁଥିବାର ଭିଡିଓ ଅପଲୋଡ୍ କରିବେ। ସମ୍ପୃକ୍ତ ୱେବସାଇଟରେ ପଞ୍ଜୀକରଣର ଲିଙ୍କ ଉପଲବ୍ଧ ରହିଛି ଏବଂ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଏହାର ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି।
ପ୍ରତିଯୋଗୀ ଏବଂ ଯୋଗ ଆଗ୍ରହୀ ଲୋକମାନେ ନିମ୍ନ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ:
https://yoga.ayush.gov.in/suryanamaskar
https://yogacertificationboard.nic.in/suryanamaskar/
https://www.75suryanamaskar.com
*****
P.S.
(Release ID: 1789539)
Visitor Counter : 225