ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଜାନୁୟାରୀ ୧୨ରେ ତାମିଲନାଡୁରେ ୧୧ ନୂଆ ମେଡିକାଲ କଲେଜ ଓ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ନୂଆ କ୍ୟାମ୍ପସ ଉଦଘାଟନ କରିବେ


୧୪୫୦ ଏମବିବିଏସ ସିଟ୍ ବୃଦ୍ଧି ପାଇଁ ନୂଆ ମେଡିକାଲ କଲେଜ- ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତିକରଣ ଓ ସୁଲଭ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ପ୍ରୟାସର ଅନୁରୂପ

କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ନୂଆ କ୍ୟାମ୍ପସ- ଶାସ୍ତ୍ରୀୟ ତାମିଲ ଭାଷାର ସଂରକ୍ଷଣ ଓ ପ୍ରୋତ୍ସାହନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ

ଭାରତୀୟ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ତଥା ଶାସ୍ତ୍ରୀୟ ଭାଷାଗୁଡିକୁ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ

Posted On: 10 JAN 2022 12:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୨, ୨୦୨୨ ଅପରାହ୍ନ ୪ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ୧୧ଟି ନୂଆ ମେଡିକାଲ କଲେଜ ଓ ଚେନ୍ନାଇ ଠାରେ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ନୂଆ କ୍ୟାମ୍ପସ ଉଦଘାଟନ କରିବେ ।

ପ୍ରାୟ ୪୦୦୦ କୋଟି ଟଙ୍କା ବିନିଯୋଗରେ ଏହି ନୂଆ ମେଡିକାଲ କଲେଜଗୁଡିକ ସ୍ଥାପିତ ହୋଇଛି, ଯେଉଁଥିରୁ କେନ୍ଦ୍ର ସରକାର  ୨୧୪୫ କୋଟି ପ୍ରଦାନ କରିଥିବା ବେଳେ ବାକି ତାମିଲନାଡୁ ସରକାର ପ୍ରଦାନ କରିଛନ୍ତି । ନୂଆ ମେଡିକାଲ କଲେଜ ସ୍ଥାପିତ ହୋଇଥିବା ଜିଲ୍ଲାଗୁଡିକ ହେଲା ବିରୁଧୁନଗର, ନମକ୍କଲ, ନୀଳଗିରି, ତିରୁପୁର, ଥିରୁଭାଲ୍ଲୁର, ନାଗପଟ୍ଟିନମ, ଡିଣ୍ଡିଗୁଲ, କଲ୍ଲାକୁରିଚି, ଆରିୟାଲୁର, ରାମନାଥପୁରମ ଓ କ୍ରିଷ୍ଣଗିରି । ଦେଶର ସମସ୍ତ ସ୍ଥାନରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସୁଲଭ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ପ୍ରୟାସ ଅନୁରୂପ ଏହି ମେଡିକାଲ କଲେଜଗୁଡିକ ସ୍ଥାପିତ ହୋଇଛି । “କେନ୍ଦ୍ର ସରକାର ପ୍ରାୟୋଜିତ ଜିଲ୍ଲା/ରେଫରାଲ ଡାକ୍ତରଖାନା ଅନ୍ତର୍ଗତ ମେଡିକାଲ କଲେଜ ସ୍ଥାପନ ଯୋଜନା” ଅନ୍ତର୍ଗତ ୧୪୫୦ ସିଟ୍ ବିଶିଷ୍ଟ ଏହି ମେଡିକାଲ କଲେଜଗୁଡିକ ସ୍ଥାପିତ ହୋଇଛି । ଏହି ଯୋଜନା ଅନ୍ତର୍ଗତ ସରକାରୀ କିମ୍ବା ବେସରକାରୀ ମେଡିକାଲ କଲେଜ ନଥିବା ଜିଲ୍ଲାଗୁଡିକରେ ମେଡିକାଲ କଲେଜ ସ୍ଥାପନ ହେଉଛି ।

ଭାରତୀୟ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ତଥା ଶାସ୍ତ୍ରୀୟ ଭାଷାଗୁଡିକୁ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନ (ସିଆଇସିଟି), ଚେନ୍ନାଇର ନୂଆ କ୍ୟାମ୍ପସ ସ୍ଥାପନ ହୋଇଛି । ନୂଆ କ୍ୟାମ୍ପସ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ଏହା ୨୪ କୋଟି ଟଙ୍କାରେ ନିର୍ମିତ ହୋଇଛି । ଏପର୍ଯ୍ୟନ୍ତ ଭଡା ଘରୁ ପରିଚାଳିତ ହେଉଥିବା ସିଆଇସିଟି ଏବେ ନୂଆ ତିନି ମହଲା ବିଶିଷ୍ଟ କ୍ୟାମ୍ପସରୁ ପରିଚାଳିତ ହେବ । ନୂଆ କ୍ୟାମ୍ପସରେ ପ୍ରଶସ୍ତ ଲାଇବ୍ରେରି, ଏକ ଇ-ଲାଇବ୍ରେରି, ସେମିନାର ହଲ ଓ ଏକ ମଲ୍ଟିମିଡିଆ ହଲ ରହିଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ସ୍ୱୟଂଶାସିତ ସଂସ୍ଥା ସିଆଇସିଟି, ତାମିଲ ଭାଷାର ପ୍ରାଚୀନତା ଓ ବୈଶିଷ୍ଟ୍ୟତା ପ୍ରତିପାଦନ ପାଇଁ ଗବେଷଣା ମାଧ୍ୟମରେ ଶାସ୍ତ୍ରୀୟ ତାମିଲକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରୁଛି । ସଂସ୍ଥାନର ଲାଇବ୍ରେରିରେ ୪୫ ହଜାରରୁ ଅଧିକ ପ୍ରାଚୀନ ତାମିଲ ପୁସ୍ତକ ସଂଗୃହୀତ ହୋଇରହିଛି । ଶାସ୍ତ୍ରୀୟ ତାମିଲକୁ ପ୍ରୋତ୍ସାହିତ କରିବା ସହ ଏହାର ଛାତ୍ରଛାତ୍ରୀଙ୍କୁ ସମର୍ଥନ ଦେବା ପାଇଁ ସଂସ୍ଥାନ ସେମିନାର ଆୟୋଜନ ଓ ତାଲିମ ପ୍ରଦାନ ଭଳି ଶୈକ୍ଷିକ କାର୍ଯ୍ୟକ୍ରମ ଆୟୋଜିତ କରିବା ସହ ଫେଲୋସିପ ପ୍ରଦାନ କରିଥାଏ । ବିଭିନ୍ନ ଭାରତୀୟ ଭାଷା ସହିତ ୧୦୦ ବିଦେଶୀ ଭାଷାରେ ଥିରୁକ୍କୁରାଲ ଅନୁବାଦ ଓ ପ୍ରକାଶନ ଏହାର ଉଦ୍ଦେଶ୍ୟ ରହିଛି । ସାରା ବିଶ୍ୱରେ ଶାସ୍ତ୍ରୀୟ ତାମିଲକୁ ପ୍ରୋତ୍ସାହିତ କରିବାରେ ଏହି ନୂଆ କ୍ୟାମ୍ପସ ଏକ ଫଳପ୍ରଦ ବାତାବରଣ ପ୍ରଦାନ କରିବ ।

 

SR



(Release ID: 1788929) Visitor Counter : 196