ପୋଷ୍ଟ କରାଯିବା ଦିନାଙ୍କ:
07 JAN 2022 6:09PM by PIB Bhubaneswar
କରୋନାର ନୂଆ ଭୂତାଣୁ ଓମିକ୍ରନ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସମଗ୍ର ଅକ୍ସିଜେନ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
ଏଥିରେ ଭେଣ୍ଟିଲେଟର, ପିଏସ୍ଏ/ ଅକ୍ସିଜେନ ପ୍ଲାଣ୍ଟ, ଅକ୍ସିଜେନ କନ୍ସେନ୍ଟ୍ରେଟର ଓ ଅକ୍ସିଜେନ ସିଲିଣ୍ଡରର ସମୟୋଚିତ ଓ ସଫଳ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ଶ୍ରୀ ଭୂଷଣ ଏକ ଆଭାସୀ ବ୍ୟବସ୍ଥାରେ ଏସବୁ ଅକ୍ସିଜେନ ଉପକରଣର ସ୍ଥିତି ବିଭିନ୍ନ ରାଜ୍ୟରେ କ’ଣ ତାହାର ସମୀକ୍ଷା କରିଥିଲେ । ଦେଶରେ ଏବେ ନୂଆ କରୋନା ଭୂତାଣୁ ଓମିକ୍ରନ୍ ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ସମସ୍ତ ପ୍ରକାର ଅକ୍ସିଜେନ ଉପକରଣ ପ୍ରସ୍ତୁତ କରି ରଖିବା ସହ ରୋଗୀଙ୍କୁ ଠିକ ସମୟରେ ଯୋଗାଇ ଦେବା ସେମାନଙ୍କର ଦାୟିତ୍ୱ ବୋଲି ଶ୍ରୀ ଭୂଷଣ କହିଛନ୍ତି । ଏହାଛଡା କ୍ଷେତ୍ରସ୍ତରର ସବୁ ସ୍ୱାସ୍ଥ୍ୟାସେବା ଓ ଚିକିତ୍ସା ବ୍ୟବସ୍ଥାକୁ ଜରୁରୀକାଳନୀ ସ୍ଥିତି ପାଇଁ ପ୍ରସ୍ତୁତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକଙ୍କ ପାଖରେ ଏବେ ଯେଉଁ ଇସିଆର୍ପି-୨ପାଣ୍ଠି ଉପଲବ୍ଧ ଅଛି ତାହାର ସର୍ବାଧିକ ବିନିଯୋଗ କରିବାକୁ ସେ ଏହି ଅବସରରେ କହିଛନ୍ତି । ଦୈନିକ ସମୀକ୍ଷା ବୈଠକ କରି ଖର୍ଚ୍ଚର ସବିଶେଷ ତଥ୍ୟ ଉତ୍ସର୍ଗୀକୃତ ଏନ୍ଏଚ୍ଏମ୍ ପିଏମ୍ଏସ୍ ପୋର୍ଟାଲରେ ଏହାକୁ ଅପଲୋଡ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଶ୍ରୀ ଭୂଷଣ କହିଛନ୍ତି ଯେ ରାଜ୍ୟମାନେ ନିଜର ଖର୍ଚ୍ଚର ବିବରଣୀ ଦାଖଲ କଲେ ସେମାନଙ୍କୁ ଅଧିକ ଅର୍ଥ ଯୋଗାଇ ଦିଆଯିବ । ଅର୍ଥ ଖର୍ଚ୍ଚ ଉପରେ ଅଧିକ ପାଣ୍ଠି ଯୋଗାଣ ସତ୍ତ ର୍ ନିର୍ଭର କରୁଛି । ଏହି ଅର୍ଥକୁ ଉପଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକୁ ସୁଦୃଢ କରିବା ପାଇଁ ବିନିଯୋଗ କରି ହେବ ।
ସେ କହିଛନ୍ତି ଯେ ଇସିଆର୍ପି -୨ ପାଣ୍ଠିକୁ ମଧ୍ୟ ରାଜ୍ୟ ସରକାରମାନେ ତରଳ ମେଡିକାଲ ଅକ୍ସିଜେନ (ଏଲ୍ଏମ୍ଓ) ଟ୍ୟାଙ୍କ ଓ ମେଡିକାଲ ଗ୍ୟାସ ପାଇପ ଲାଇନ ବ୍ୟବସ୍ଥା ଦିଗରେ ଖର୍ଚ୍ଚ କରିପାରିବେ । ଏଲ୍ଏମ୍ଓ ଟ୍ୟାଙ୍କ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟମାନେ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ପ୍ରତିଷ୍ଠାନ (ପିଇଏସ୍୍ଓ)ଠାରୁ ଆବଶ୍ୟକ ଅନୁମତି ନେବାକୁ ସେ କହିଛନ୍ତି ।
ସ୍ଥିତିର ଦୈନିକ ସମୀକ୍ଷା କରି ରାଜ୍ୟ ସରକାରମାନେ ନିଜସ୍ୱ ପାଣ୍ଠି ଓ ସିଏସ୍ଆର୍ ପାଣ୍ଠିରେ ନିର୍ମିତ ହେଉଥିବା ପିଏସ୍ଏ ପ୍ଲାଣ୍ଟଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବାକୁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି । ରୋଗୀଙ୍କ ଶଯ୍ୟାକୁ ଅକ୍ସିଜେନ କିପରି ଯାଇ ପହଞ୍ଚୁଛି,ଏହାର ଶୁଦ୍ଧତା ଓ ନିରାପତ୍ତା ଆଦି ଦିଗକୁ ଅନୁଧ୍ୟାନ କରିବାକୁ ହସ୍ପିଟାଲରେ ‘ମକଡ୍ରିଲ’ କରିବାକୁ ସେ କହିଛନ୍ତି ।
ଗ୍ୟାସ ନିର୍ଗତ ଯେପିର ନ ହୁଏ ତାହାକୁ ସୁନିଶ୍ଚିତ କରିବା ସହିତ ଅକ୍ସିଜେନ ଫ୍ଲୋମିଟରକୁ ପରୀକ୍ଷା କରି ଏହାକୁ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ସରକାରୀ ମେଡିକାଲ କଲେଜ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲଗୁଡିକରେ ମଧ୍ୟ ପିଏସ୍ଏ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟକୁ ତଦାରଖ କରିବାକୁ ସେ ସବୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ଯୋଗାଇ ଦିଆଯାଇଥିବା ଭେଣ୍ଟିଲେଟରଗୁଡିକୁ ରାଜ୍ୟ ସରକାରମାନେ ନିର୍ଦ୍ଧାରିତ କ୍ଷେତ୍ରସ୍ତରୀୟ ହସ୍ପିଟାଲରେ ଯଥା ଶୀଘ୍ର ଲଗାଇ ସେସବୁକୁ କାର୍ଯ୍ୟକ୍ଷମ କରିବା ଆବଶ୍ୟକ । ଯୋଗାଇ ଦିଆଯାଇଥିବା ଭେଣ୍ଟିଲେଟର ଓ ସେଗୁଡିକର ଉପଯୋଗ ମଧ୍ୟରେ ପାର୍ଥକ୍ୟ ରହୁଥିବାରୁ ଯଥାଶୀଘ୍ର ସମ୍ଭବ ଏହି ଦୂରତ୍ୱ ହ୍ରାସ କରିବାକୁ ସେ କହିଛନ୍ତି । ସେହିଭଳି ଅଧିକ ହସ୍ପିଟାଲରେ ଭେଣ୍ଟିଲେଟର ଲଗାଇବାର ଆବଶ୍ୟକତା ଥିଲେ ତାହାର ବରାଦ ତୁରନ୍ତ କେନ୍ଦ୍ରକୁ ପଠାଇ ଲଗାଯାଉଥିବା ଭେଣ୍ଟିଲେଟରର ଚୂଡାନ୍ତ ବିନିଯୋଗ ପ୍ରମାଣପତ୍ର ପ୍ରେରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏସବୁ ଭେଣ୍ଟିଲେଟର୍ସ ଓ ଅକ୍ସିଜେନ ଉପକରଣର ରକ୍ଷଣାବେକ୍ଷଣ କାମ ସମ୍ପୃକ୍ତ ନିର୍ମାତାଙ୍କୁ ଦେଇ ତାହା ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ରକ୍ଷଣାବେକ୍ଷଣରେ ତ୍ରୁଟି ପରିଲକ୍ଷିତ ହେଲେ ସେ ବିଷୟରେ ଅନଲାଇନରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିପାଇଁ ୨୦୨୧ ଅଗଷ୍ଟ ୩୦ତାରିଖରୁ ଏକ ଅନଲାଇନ ଅଭିଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ।
ବୈଠକରେ କୁହାଯାଇଥିଲ ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୨୦୨୧ ଡିସେମ୍ବର ୨୨ରେ ଜାତୀୟ ଅକ୍ସିଜେନ ଷ୍ଟିୱାଡସିପ୍ ପ୍ରୋଗ୍ରାମ ଆରମ୍ଭ କରାଯାଇଛି । ଅତଏବ ଅପରେଟରମାନଙ୍କୁ ତାଲିମ ଦେବା କାର୍ଯ୍ୟ ଦେଶସାରା ଯେପରି ଶୀଘ୍ର ସମ୍ପୂର୍ଣ୍ଣ ହୁଏ ରାଜ୍ୟ ସରକାରମାନେ ତାହାକୁ ସୁନିଶ୍ଚିତ କରିବା ଉଚିତ । ଦେଶର ୩୭୮ଜିଲ୍ଲାରୁ ୧୬୦୦ରୁ ଅଧିକ ପ୍ରାର୍ଥୀ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଲିମ ମହାନିର୍ଦ୍ଦେଶକ (ଡିଜିଟି)ଙ୍କ ଦ୍ୱାରା ମଧ୍ୟ ଏକ ଅନଲାଇନ ପିଏସ୍ଏ ତାଲିମ କାର୍ଯ୍ୟକ୍ରମ ୨୪ଟି ଆଂଚଳିକ କେନ୍ଦ୍ର ମାଧ୍ୟମରେ ସାରା ଦେଶରେ ଚାଲିଛି । ଏଥିରେ ୧୮୦ଘଣ୍ଟିଆ ତାଲିମ କାର୍ଯ୍ୟକ୍ରମରେ ଏଯାବତ ୪୬୯୦ ପ୍ରାର୍ଥୀ ପ୍ରଶିକ୍ଷଣ ସମାପ୍ତ କରିସାରିଲେଣି । ଏହାଛଡା ୧୦ଘଣ୍ଟିଆ ତାଲିମ କାର୍ଯ୍ୟକ୍ରମରେ ୬୮୨୫ପ୍ରାର୍ଥୀଙ୍କୁ ତାଲିମ ଦିଆଯାଇଛି।
ବୈଠକରେ ରାଜ୍ୟମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛି ଯେ କରୋନା ଔଷଧପତ୍ର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ସେମାନେ ଉଦ୍ୟମ କରିବା ସହ ଏ କ୍ଷେତ୍ରରେ ତତ୍ପର ରହିବେ । ଏହାଛଡା ଔଷଧ ଓ ଟିକା ପରିଚାଳନା ବ୍ୟବସ୍ଥା ଡିଭିଡିଏମ୍ ଏସ୍ ପୋର୍ଟାଲ ମାଧ୍ୟମରେ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ଔଷଧ ଓ ଟିକା ମହଜୁଦ ସଂକ୍ରାନ୍ତ ସବିଶେଷ ଓ ସର୍ବଶେଷ ତଥ୍ୟ ଦୈନିକ ରଖିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାରଙ୍କୁ ଟିକା ଓ ଔଷଧ ପାଇଁ ପରଚେଜ ଅର୍ଡର ଏହି ପୋର୍ଟାଲ ମାଧ୍ୟମରେ ପଠାଇବାକୁ ପରାମର୍ଶ ଦିଆଯାଇଛି ।
ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗନାନି, ଏନପିପିଏର ଅଧ୍ୟକ୍ଷ ଶ୍ରୀ କମଳେଶ ପନ୍ଥ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର ମନଦୀପ କେ ଭଣ୍ଡାରି ଓ ଶ୍ରୀମତୀ ଭି.ହେକାଲି ଝିମୋସି ଏବଂ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମନ୍ତ୍ରଣାଳୟର ଅଧିକାରୀଗଣ ଉପସ୍ଥିତ ଥିଲେ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟବିଭାଗ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କେନ୍ଦ୍ର କୋଇଲା, ଶକ୍ତି, ରେଲବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ପ୍ରତିନିଧିମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ।
****
TM / SLP