ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ମୁକାବିଲା ପ୍ରସ୍ତୁତି,ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଟିକାଦାନର ପ୍ରଗତି ସମ୍ପର୍କରେ ସମୀକ୍ଷା


“ପୂର୍ବରୁ ଆମେ କୋଭିଡ ବିରୋଧରେ ଶକ୍ତିଶାଳୀ ଲଢେଇ କରିଛୁ ଏବଂ ସେ ଅଭିଜ୍ଞତା ଆମକୁ ‘ଓମିକ୍ରନ’ ସଂକ୍ରମଣ ବିରୋଧରେ ବ୍ୟବହାର କରିବାକୁ ପଡିବ”

ମେଡିକାଲ ଭିତ୍ତିଭୂମିର ଅତି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା ; ଇସିଆର୍‌ପି-୨ରେ ଅନୁମୋଦନ ପାଇଥିବା ପାଣ୍ଠିକୁ ବିନିଯୋଗ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ

କୋୱିନ ମାଧ୍ୟମରେ ଜିଲ୍ଲାୱାରୀ ହିତାଧିକାରୀଙ୍କ ସଂଖ୍ୟା ଆକଳନ କରି ଆବଶ୍ୟକ ଟିକା ଡୋଜ ପରିମାଣ ଜଣାଇବାକୁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦେଲେ କେନ୍ଦ୍ର ସରକାର

କୋଭିଡ-୧୯ ବିରୋଧରେ ଲଢେଇର ମିଳିତ ମନ୍ତ୍ର ହେବ ଟେଷ୍ଟ, ଟ୍ରାକ୍‌, ଭ୍ୟାକ୍ସିନେସନ ଓ କୋଭିଡ୍ ଉପଯୁକ୍ତ ବ୍ୟବହାର

Posted On: 02 JAN 2022 2:46PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ଆଭାସୀ ବ୍ୟବସ୍ଥାରେ ସବୁରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ , ବିଭାଗୀୟ ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟଶାସନ ସଚିବମାନଙ୍କ ସହିତ କୋଭିଡ ମୁକାବିଲାର ପ୍ରସ୍ତୁତି, ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଟିକାଦାନର ପ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏବେ ଦେଶରେ ଓମିକ୍ରନ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାର ଦୃଷ୍ଟିରୁ ୧୫ରୁ ୧୮ବର୍ଷ ବୟସବର୍ଗର ତରୁଣମାନଙ୍କୁ ଟିକାଦାନ ସହିତ ଅଧିକ ବିପଦ ଥିବା ବୟସ୍କ ଲୋକଙ୍କୁ ସୁରକ୍ଷାମୂଳକ ଡୋଜ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଏସବୁ ବ୍ୟବସ୍ଥା କିପରି ରହିଛି ସେ ବିଷୟରେ ଆଜିର ବୈଠକରେ ସମୀକ୍ଷା କରାଯାଇଥିଲା । ବୈଠକର ସଂଯୋଜନା କରିଥିଳେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ।

ଏହି ବୈଠକର ଭାଗ ନେଇଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଥିଲେ ନାଗାଲାଣ୍ଡର ଶ୍ରୀ ଏସ୍ ପାଙ୍ଗନ୍ୟୁ ଫୋମ୍‌, ଓଡିଶାର ଶ୍ରୀ ନବକିଶୋର ଦାସ, ମଧ୍ୟପ୍ରଦେଶର ଡକ୍ଟର ପ୍ରଭୁରାମ ଚୌଧୁରୀ, ତାମିଲନାଡୁଣ ଶ୍ରୀ ମ ସୁବ୍ରମଣିଆନ, ଆସାମର ଶ୍ରୀ କେଶବ ମହନ୍ତ, ହରିୟାଣର ଶ୍ରୀ ଅନିଲ ବିଜ୍‌, ଦିଲ୍ଲୀର ଶ୍ରୀ ସତ୍ୟେନ୍ଦ୍ର ଜୈନ, ଅରୁଣାଚଳ ପ୍ରଦେଶର ଶ୍ରୀ ଅଲୁ ଲିବାଙ୍ଗ, ଝାଡଖଣ୍ଡର ବନ୍ନା ଗୁପ୍ତ, ବିହାରର ଶ୍ରୀ ମଙ୍ଗଲ ପାଣ୍ଡେ, ଛତିଶଗଡର ଶ୍ରୀ ଟିଏସ୍ ସିଂହଦେବ ଏବଂ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ପ୍ରମୁଖ ।

ବୈଠକ ଆରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଥିଲେ ଯେ ଏବେ ବିଶ୍ୱସ୍ତରରେ ଅନେକ ଦେଶରେ କୋଭିଡ ସଂକ୍ରମଣ ପୂର୍ବାପେକ୍ଷା ତିନି ଚାରିଗୁଣ ବଢିଛି । ଓମିକ୍ରନ ଭୂତାଣୁ ଅତି ଦ୍ରୁତଗତିରେ ଲୋକଙ୍କୁ ସଂକ୍ରମିତ କରୁଛି ଏବଂ ଏହାର ସଂକ୍ରମଣ କ୍ଷମତା ଅଧିକ ଯୋଗୁଁ  ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି ହେବାର ଆଶଙ୍କା ଅଧିକ । ତେଣୁ ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ସରକାର ନିଜ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଚିକିତ୍ସା ବ୍ୟବସ୍ଥାକୁ ପ୍ରସ୍ତୁତ କରି ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଆମର ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ଫଳରେ ଓମିକ୍ରନ ସଂକ୍ରମଣକୁ ନିୟନ୍ତ୍ରିତ କରି ହେବ ବୋଲି ସେ ମତପ୍ରକାଶ କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କୋଭିଡ ଭୂତାଣୁର ପ୍ରକାର ଭେଦ  ନିର୍ବିଶେଷରେ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ସମାନ ଏବଂ ଏଥିରେ କୌଣସି ବ୍ୟତିକ୍ରମ ନାହିଁ । ଅତଏବ ରାଜ୍ୟ ସରକାରମାନେ ସଂକ୍ରମଣ ରୋକିବାକୁ ନିଜର ସମ୍ପୂର୍ଣ୍ଣ ଟିମ୍ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପୂରା ଦମ୍‌ରେ କାମରେ ଲଗାଇବାର ଆବଶ୍ୟକତା ରହିଛି । ସଂକ୍ରମିତଙ୍କ ଉପରେ ନଜର ରଖିବା ସହିତ କଣ୍ଟାକ୍ଟ, ଟ୍ରେସିଂ ଓ କଣ୍ଟେନମେଣ୍ଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପଡିବ ।

ଏହା ପରେ ସମୀକ୍ଷା ବୈଠକରେ କୋଭିଡ ପରିଚାଳନାର ବିଭିନ୍ନଦିଗ ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ଏଥିରେ ହସ୍‌ପିଟାଲ ଭିତ୍ତିଭୂମିକୁ ବଢାଇ ତାହାକୁ ପ୍ରସ୍ତୁତ କରି ରଖିବା, ଟେଷ୍ଟିଂ ସଂଖ୍ୟା ବୃଦ୍ଧି,  ସଂକ୍ରମଣ ଜଂଜିର ଭାଙ୍ଗିବାକୁ କଠୋର କଟକଣା ଓ କୋଭିଡ ନିୟମ ପାଳନ ପାଇଁ ଜନସାଧାରଣଙ୍କୁ  ସଚେତନ କରିବା ଉପରେ  ଗୁରୁତ୍ୱ ଦିଆଯାଇଥିଲା । ଏହା ବ୍ୟତୀତ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଯେଉଁ ସବୁ ଜଟିଳ ଓ ଗୁରୁ୍‌ତ୍ୱପୂର୍ଣ୍ଣ ଅଭାବ ଅସୁବିଧା ରହିଛି ତା’ ଉପରେ ମଧ୍ୟ ସବିଶେଷ ଆଲୋଚନା ହୋଇଥିଲା ।

ରାଜ୍ୟ ସରକାରମାନେ କରୋନା ସଂକ୍ରମଣର ପାରୁ ପର୍ଯ୍ୟନ୍ତ ମୁକାବିଲା କରିବା ସହିତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡିକୁ ଉପଯୁକ୍ତଭାବେ ସମ୍ପାଦନ କରିଥିବାରୁ ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ପ୍ରାଦେଶିକ ପ୍ରଶାସନଗୁଡିକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ “ପୂର୍ବରୁ କରୋନା ମହାମାରୀ ବିରୋଧୀ ଲଢେଇରେ ଆମେ ଯେଉଁ ଅଭିଜ୍ଞତା ଅର୍ଜନ କରିଛୁ ତାହାକୁ ଓମିକ୍ରନ ସଂକ୍ରମଣ ବିରୋଧୀ ସଂଗ୍ରାମରେ ବିନିଯୋଗ କରାଯାଇପାରିବ । ଲୋକେ ଯେପରି କୋଭିଡ ନୀତି ନିୟମ ଠିକଣାଭାବେ ପାଳନ କରନ୍ତି ତାହା ସୁନିଶ୍ଚିତ କରିବା ସହିତ ନୂଆ ସଂକ୍ରମଣ ମୁକାବିଲା ପାଇଁ ସମସ୍ତ ‘କଣ୍ଟେଣ୍ଟମେଣ୍ଟ’ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ମନ୍ତ୍ରୀ ଟିକାଦାନ ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ “ଆମକୁ ୧୫ରୁ ୧୮ବର୍ଷ ବୟସବର୍ଗ ଏବଂ ସତର୍କତାମୂଳକ ଟିକା ନେବାକୁ ଥିବା ହିତାଧିକାରୀଙ୍କୁ ଟିକାଦେବା କ୍ଷେତ୍ରରେ ଯୋଜନାବଦ୍ଧ ଭାବେ କାମ କରିବାକୁ ପଡିବ । ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନେ ସବୁଠୁ ବିପଦାପନ୍ନ ସ୍ଥିତିର ସମ୍ମୁଖୀନ ହେଉଥିବାରୁ ସେମାନଙ୍କୁ ପ୍ରଥମେ ପୂର୍ଣ୍ଣାଙ୍ଗ ଟିକା ଡୋଜ ଦେବା ଉପରେ ଡକ୍ଟର ମାଣ୍ଡବୀୟ ଗୁରୁତ୍ୱ ଆରୋପ କରିଛନ୍ତି ।

ଦେଶରେ ଟିକା ନେବାକୁ ଥିବା ସବୁ ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ଏଯାଏ ପ୍ରାୟ ୯୦ଭାଗ ପ୍ରଥମ ଡୋଜ ନେଇସାରିଛନ୍ତି । ଏହି ସଫଳତା ପାଇଁ ଶ୍ରୀ ମାଣ୍ଡବୀୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମୂହର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଟିକାଦାନ କ୍ଷେତ୍ରରେ ଯେଉଁସବୁ ରାଜ୍ୟର ପ୍ରଗତି ଜାତୀୟ ହାରଠାରୁ କମ୍ ରହିଛି ସେମାନେ ନିଜର ଟିକାଦାନ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆହୁରି ମଧ୍ୟ ଟିକାଦାନ ହାର ଜାତୀୟ ହାରର ସମକକ୍ଷ କିମ୍ବା ତାହାକୁ ଟପିବାକୁ ସମ୍ପୃକ୍ତ ରାଜ୍ୟମାନେ ସାପ୍ତାହିକ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ ସେ କହିଛନ୍ତି । ଏହାର ପ୍ରଗତି ରାଜ୍ୟର ସ୍ୱାସ୍ଥ୍ୟସଚିବ/ ଅତିରିକ୍ତ ସ୍ୱାସ୍ଥ୍ୟସଚିବ ସ୍ତରରେ ସମୀକ୍ଷା କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଆଗକୁ ନିର୍ବାଚନ  ହେବାକୁ ଥିବା ପାଂଚ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ସଚିବସ୍ତରୀୟ କମିଟି ଗଠନ କରି ଟିକାଦାନ ପ୍ରକ୍ରି୍ରୟାକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱା ଆରୋପ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନୂଆ ଟିକା ନିର୍ଦ୍ଦେଶାବଳୀକୁ ଉପଯୁକ୍ତଭାବେ କାର୍ଯ୍ୟକାରୀ କରିବାକୁ ସବୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ପନ୍ଦରରୁ ଅଠରବର୍ଷ ବୟସବର୍ଗଙ୍କୁ ଟିକା ଦେବା ପାଇଁ ଟିକାଦାନ କ୍ଷେତ୍ର, ସିଭିସି, ଧାଡି(କ୍ୟୁ) ଓ ସ୍ୱତନ୍ତ୍ର ଟିକାଦାନକାରୀ ଦଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ହେବ । ଆହୁରି ମଧ୍ୟ ରାଜ୍ୟ ସରକାରମାନେ କୋୱିନ ବ୍ୟବସ୍ଥାର ଉପଯୋଗ କରି ଜିଲ୍ଲାୱାରୀ ଆବଶ୍ୟକ ପଡୁଥିବା ଟିକାର ହିସାବ କରି କେନ୍ଦ୍ର ସରକାରଙ୍କୁ  ତାହାର ଆଗୁଆ ବରାଦ ଦେବାକୁ ସେ କହିଛନ୍ତି । ନିଜର ଟିକା ଆବଶ୍ୟକତା ଟିକାଦାନର ୧୫ଦିନ ପୂର୍ବରୁ କେନ୍ଦ୍ରକୁ ଜଣାଇବାକୁ ସେ ରାଜ୍ୟମାନଙ୍କୁ କହିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ଟିକା ଉତ୍ପାଦନ ବୃଦ୍ଧି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଯେଉଁ ରାଜ୍ୟମାନେ ଟିକାଦାନ ଓ କରୋନା ମୁକାବିଲା କ୍ଷେତ୍ରରେ ଶ୍ରେଷ୍ଠ ନୀତି ଅବଲମ୍ବନ କରୁଛନ୍ତି ସେମାନେ ନିଜର ସଫଳତାର ସୂତ୍ର ଅନ୍ୟ ପ୍ରଦେଶମାନଙ୍କୁ ଯୋଗାଇବାକୁ ସେ ପରାମର୍ଶ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ଜରୁରୀ କୋଭିଡ ମୁକାବିଲା ପ୍ୟାକେଜ (ଇସିଆର୍‌ପି-୨) ବାବଦରେ ଯେଉଁ ପାଣ୍ଠି କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି ରାଜ୍ୟମାନେ ତାହାର ମାତ୍ର ୧୭% ବିନିଯୋଗ କରିଛନ୍ତି । ଅତଏବ ସବୁ ରାଜ୍ୟ ସରକାର ଏହି ପାଣ୍ଠିର ବିନିଯୋଗ କରି ଆଇସିୟୁ ବେଡ୍‌, ଅକ୍ସିଜେନ ବେଡ୍‌, ଶିଶୁ ଆଇସିୟୁ/ ଏଚଡିୟୁ ଭଳି ସ୍ୱାସ୍ଥ୍ୟଭିତ୍ତିଭୂମି ସୁବିଧାକୁ ତ୍ୱରାନ୍ୱିତ କରିବା ଆବଶ୍ୟକ । ଟେଲି ମେଡିସିନ୍ ଓ ଟେଲି କନ୍‌ସେଲଟେସନ ସାଧନର ସଫଳ ଉପଯୋଗ ଉପରେ ଗୁରୁତ୍ୱ ଦେଇ ଏ ଦିଗରେ କାମ କରିବାକୁ ରାଜ୍ୟ ସରକାରମାନଙ୍କୁ  ସେ କହିଛନ୍ତି । ଏହାଛଡା ମାନବସମ୍ବଳର  ଦକ୍ଷତା ବୃଦ୍ଧି  ପାଇଁ ତାଲିମ, ପ୍ରଶିକ୍ଷଣ ବ୍ୟବସ୍ଥା, ଠିକ୍ ସମୟରେ ଆମ୍ବୁଲାନ୍ସର ଉପଲବ୍ଧତା, ଆନୁଷ୍ଠାନିକ କ୍ୱାରେଣ୍ଟାଇନ ସୁବିଧା ସୃଷ୍ଟି, ହୋମ ଆଇସୋଲେସନ ସୁବିଧା ଆଦିକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।ଏହାଛଡା ଇସିଆରପି-୨ ପାଣ୍ଠିକୁ ଆଉ କିପରି ଭଲଭାବେ ବ୍ୟବହାର କରାଯାଇପାରିବ, ସେଥିପାଇଁ ସେ ମଧ୍ୟ ରାଜ୍ୟ ସରକାରମାନଙ୍କ ପରାମର୍ଶ ଲୋଡିଛନ୍ତି ।

 ଇସିଆରପି-୨ ପାଣ୍ଠିକୁ ସ୍ୱାସ୍ଥ୍ୟଭିତ୍ତିଭୂମି ତିଆରିରେ କିପରି ବିନିଯୋଗ ୍‌୍‌କରି ହେବ ଏବଂଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିର ସ୍ଥିତି କ’ଣ ସେ ସମ୍ପର୍କରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଶ୍ରୀ ବିକାଶ ଶୀଳ ଏହି ବୈଠକରେ ଏକ ବିବରଣୀ ଉପସ୍ଥାପନ କରିଥିଲେ । ଦେଶର ଟିକାଦାନ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ସଚିବ ମନୋହର ଅଗ୍‌ନାନି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁ୍‌ଗ୍ମସଚିବ ଶ୍ରୀ ଲବ ଅଗ୍ରୱାଲଙ୍କ ଦ୍ୱାରା କୋଭିଡ ସଂକ୍ରମଣ ଗତିବିଧି ଓ ଏହାର ସବିଶେଷ ଅନୁଶୀଳନ ଉପସ୍ଥାପିତ ହୋଇଥିଲା ।  ଓମିକ୍ରନ ସଂକ୍ରମଣର ମୁକାବିଲା ପାଇଁ ସେ ଟେଷ୍ଟିଂ, ତଦାରଖ ଓ କଣ୍ଟେନମେଣ୍ଟ ପଦକ୍ଷେପ ଆଦି ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରମୁଖ ସଚିବ, ରାଜ୍ୟମାନଙ୍କର ଅତିରିକ୍ତ ମୁଖ୍ୟ  ସଚିବ(ସ୍ୱାସ୍ଥ୍ୟ) ଓ ପ୍ରାଦେଶିକ ସର୍ଭେଲାନ୍ସ ଅଧିକାରୀଗଣ, ନିଜ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପିତ କରିଥିଲେ`

*****

TM/ SLP



(Release ID: 1787018) Visitor Counter : 146