ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସହିତ ‘‘ହର୍ ଘର ଦସ୍ତକ୍’’ ଅଭିଯାନର ସ୍ଥିତି ଓ ପ୍ରଗତିର ସମୀକ୍ଷା କରିଛନ୍ତି
ଏହି ଅଭିଯାନ ସମୟରେ (30 ନଭେମ୍ବର ପର୍ଯ୍ୟନ୍ତ) କୋଭିଡ୍ -19 ଟିକାକରଣର ଦ୍ବିତୀୟ ମାତ୍ରା କଭରେଜରେ 11.7 ପ୍ରତିଶତ ବୃଦ୍ଧି ହୋଇଛି
ସରକାରୀ ଏବଂ ଘରୋଇ, ଉଭୟ ସୁବିଧା କେନ୍ଦ୍ରରେ କୌଣସି ଟିକା ନଷ୍ଟ ହେବା ଉଚିତ୍ ନୁହେଁ; ଉପଲବ୍ଧ ଟିକାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟବହାର କରିବା ଉଚିତ୍
ରାଜ୍ୟମାନଙ୍କୁ ଟିକାର ଶୂନ ନଷ୍ଟ ର ଲକ୍ଷ୍ୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି
Posted On:
02 DEC 2021 1:52PM by PIB Bhubaneshwar
ଦେଶବ୍ୟାପୀ କୋଭିଡ୍-19 ଟିକାକରଣ ଅଭିଯାନ ‘‘ହର୍ ଘର ଦସ୍ତକ’’ ର ପରିଣାମସ୍ବରୂପ ପ୍ରଥମ ଟିକା କଭରେଜ୍ (30 ନଭେମ୍ବର ପର୍ଯ୍ୟନ୍ତ) ରେ 5.9% ବୃଦ୍ଧି ହୋଇଛି। ଏହା ସହିତ, ଏହି ଅଭିଯାନ ସମୟରେ କୋଭିଡ୍ -19 ଟିକାର ଦ୍ବିତୀୟ ମାତ୍ରା କଭରେଜ୍ ରେ 11.7% ର ଉଲ୍ଲେଖନୀୟ ବୃଦ୍ଧି ଦେଖା ଯାଇଛି। ଏହାର ସୂଚନା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଆଜି ଭିଡିଓ କନ୍ଫରେନ୍ସିଂ (ଭିସି) ମାଧ୍ୟମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନଏଚଏମ୍) ର ଏମଡିଙ୍କ ସହିତ ‘‘ହର୍ ଘର ଦସ୍ତକ’’ ଅଭିଯାନର ସ୍ଥିତି ଏବଂ ପ୍ରଗତିର ସମୀକ୍ଷା ସମୟରେ ସୂଚନା ଦେଇଛନ୍ତି।
3 ନଭେମ୍ବର, 2021 ରେ କୋଭିଡ୍ -19 ଟିକାକରଣ ଅଭିଯାନ ‘ହର୍ ଘର ଦସ୍ତକ’ ର ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ ଘରକୁ ଘର ଯାଇ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କୋଭିଡ୍ – 19 ଟିକାର ପ୍ରଥମ ମାତ୍ରା ଓ ଯାହାଙ୍କର ଦ୍ବିତୀୟ ମାତ୍ରା ନେବା ବାକି ରହିଛି ସେହି ସବୁ ହିତାଧିକାରୀମାନଙ୍କୁ ଏହି ମାତ୍ରା ଦେବା ସହିତ ଲୋକମାନଙ୍କୁ ସଚେତନ କରିବା, ତାଙ୍କୁ ଏହି ବିଷୟରେ ଏକତ୍ରିତ କରିବା ଏବଂ ଟିକାକରଣ କରିବା ଅଟେ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଏହି ଅଭିଯାନ ସମୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକର ପ୍ରଦର୍ଶନ ଏବଂ ତାଙ୍କର ସଫଳତାର ପ୍ରଶଂସା କରିଛନ୍ତି। ସେ ମଧ୍ୟ କହିଥିଲେ ଯେ ଯଦିଓ ଟିକାକରଣ ଅଭିଯାନ ଦ୍ବାରା ଟିକାକରଣର ଗତିକୁ ତ୍ବରାନ୍ବିତ କରାଯାଇ ପାରିଛି, ଏହା ଧ୍ୟାନ ରଖିବା ଗୁରୁତ୍ବପୂର୍ଣ୍ଣ ଯେ ସାରା ଦେଶରେ 12 କୋଟି ହିତାଧିକାରୀ ଏବେ ମଧ୍ୟ 2ୟ ମାତ୍ରା ନେବା ବାକି ରହିଛି।
ନିମ୍ନରେ ଦିଆଯାଇଥିବା ଗ୍ରାଫ୍ କୋଭିଡ୍ -19 ଟିକାର ପ୍ରଥମ ଓ ଦ୍ବିତୀୟ ମାତ୍ରା ପାଇଁ ‘ହର ଘର ଦସ୍ତକ’ ଅଭିଯାନର ପ୍ରଗତିକୁ ଦର୍ଶାଉଛି।
ଏ ପର୍ଯ୍ୟନ୍ତ ଦେଶରେ କୋଭିଡ୍-19 ଟିକାର ମାତ୍ରାର ସମୁଦାୟ ସଂଖ୍ୟା 125 କୋଟି ଅତିକ୍ରମ କରିଛି। ଅସ୍ଥାୟୀ ରିପୋର୍ଟ ମୁତାବକ ଏଥିରେ 79.13 କୋଟି(84.3%) ହିତାଧିକାରୀ ଟିକାର ପ୍ରଥମ ମାତ୍ରା ଓ 45.82 କୋଟି (49%) ଙ୍କୁ ଦ୍ବିତୀୟ ମାତ୍ରା ପ୍ରଦାନ କରାଯାଇଛି।
ରାଜ୍ୟମାନଙ୍କୁ ନିମ୍ନଲିଖିତ ପରାମର୍ଶ ଦିଆଯାଇଛି :
1. ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଟିକାର ପ୍ରଥମ ମାତ୍ରା ପ୍ରଦାନ କରାଯିବ।
2. ଅଗଷ୍ଟ ଓ ସେପ୍ଟେମ୍ବର 2021 ରେ ଦିଆ ଯାଇଥିବା ମାତ୍ରାକୁ ଧ୍ୟାନରେ ରଖି ଟିକାକରଣର ଗତିକୁ ତ୍ବରାନ୍ବିତ କରି ହିତାଧିକାରୀମାନଙ୍କୁ ଦ୍ବିତୀୟ ମାତ୍ରାର କଭରେଜକୁ ସୁନିଶ୍ଚିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ।
3. ଏହା ସୁନିଶ୍ଚିତ କରିବେ ଯେ ରାଜ୍ୟରେ ଉପଲବ୍ଧ ଟିକାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଦାନ କରାଯାଉଛି ଓ ସରକାରୀ ତଥା ଘରୋଇ, ଉଭୟ ସୁବିଧା କେନ୍ଦ୍ରରେ କୌଣସି ଟିକା ଯେପରି ନଷ୍ଟ ନହେବ ତାହାକୁ ସୁନିଶ୍ଚିତ କରାଯିବ।
4. ସାତଟି ରାଜ୍ୟ (ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ) ଯେଉଁଠାରେ ପ୍ରାରମ୍ଭିକ ସମୟରେ ଜେଡ୍ୱାଇକୋଭ୍ –ଡି ଟିକା ପ୍ରଦାନ କରାଯିବ, ସେମାନେ ଏହି ଟିକାର ଆରମ୍ଭ ପାଇଁ ଏପରି ଜିଲ୍ଲାର ଚିହ୍ନଟ କରିପାରିବେ, ଯେଉଁଠାରେ ଅଧିକ ସଂଖ୍ୟାରେ ପ୍ରଥମ ଟିକା ଦିଆଯାଇ ନାହିଁ।
5. ଜେଡ୍ୱାଇକୋଭ୍ –ଡି ପାଇଁ ଜାତୀୟ ତାଲିମ୍ ସମାପ୍ତ ହୋଇଛି। ବଛା ଯାଇଥିବା ରାଜ୍ୟ ଗୁଡ଼ିକୁ ଫାର୍ମାଜେଟ୍ ଇଞ୍ଜେକଟରରେ ଆଧାରିତ ସେସନର ଯୋଜନା କରିବା ଆବଶ୍ୟକ ଏବଂ ଟିକାକରଣରେ ଏହାର ଉପଯୋଗ କରିବା ସମ୍ବନ୍ଧରେ ପ୍ରଶିକ୍ଷଣ ଦେବା ପାଇଁ ଟିକା ଦେଉଥିବା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଚିହ୍ନଟ କରାଯିବା ଆବଶ୍ୟକ।
ରାଜ୍ୟ ଗୁଡ଼ିକ ସୁଦୂର ଏବଂ ଦୁର୍ଗମ କ୍ଷେତ୍ରରେ କଭରେଜର ସଂପ୍ରସାରଣ ସମ୍ପର୍କରେ ନିଜର ଅନୁଭବ ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଟିକା ନେବା ପାଇଁ, ବିଶେଷ କରି ଯେଉଁମାନଙ୍କର ଦ୍ବିତୀୟ ଟିକା ବାକି ରହିଛି, ଗୋଷ୍ଠୀ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଓ ନେତାମାନଙ୍କର ସହଯୋଗ ନେବା ଆବଶ୍ୟକ।
BS
(Release ID: 1777484)