ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ଏମ୍‌ଜିନରେଗା ଯୋଜନାରେ ମଜୁରି ଓ ସାମଗ୍ରୀ କ୍ରୟ ବାବଦ ଦେୟ ପ୍ରଦାନ କରିବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାର ଅଙ୍ଗୀକାର ଦୋହରାଇଲେ କେନ୍ଦ୍ରସରକାର

Posted On: 25 NOV 2021 4:04PM by PIB Bhubaneshwar

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଯୁକ୍ତି ଗ୍ୟାରେଣ୍ଟି ଆଇନ(ଏମ୍‌ଜିନରେଗା) ଅନୁସାରେ ଏହି ଯୋଜନାରେ ସମ୍ପୃକ୍ତ ଶ୍ରମିକଙ୍କ ମଜୁରୀ ଓ ସାମଗ୍ରୀ କ୍ରୟ ବାବଦ ଦେୟ ରାଜ୍ୟମାନଙ୍କୁ ପ୍ରଦାନ କରିବାକୁ କେନ୍ଦ୍ର ସରକାର ତାଙ୍କର ଅଙ୍ଗୀକାରକୁ ଦୋହରାଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶର ଗ୍ରାମାଞ୍ଚଳର ଲୋକଙ୍କୁ ଏହି ଯୋଜନାରେ ବର୍ଷକୁ ଅତିକମ୍‌ରେ ୧୦୦ଦିନର ନିଶ୍ଚିତ ରୋଜଗାର ପରିବାର ପିଛା ଯୋଗାଇ ଦେବାକୁ ଯେଉଁ ଦାବି କରାଯାଉଛି ତାହାକୁ ପୂରଣ କରାଯିବ ।

ସରକାରୀ ସୂଚନା ଅନୁସାରେ, ଏମ୍‌ଜିନରେଗା ଏକ ଚାହିଦାଭିତ୍ତିକ ଯୋଜନା । ଚଳିତ ଆର୍ଥିକ ବର୍ଷରେ ହିତାଧିକାରୀଙ୍କ ଦାବି ଓ ଚାହିଦା ଅନୁସାରେ ଏପର୍ଯ୍ୟନ୍ତ ୨୪୦କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି ।

ଏହି ଯୋଜନାରେ ସମ୍ପୃକ୍ତ ଶ୍ରମିକଙ୍କ ମଜୁରି ଓ ସାମଗ୍ରୀ କ୍ରୟ ବାବଦରେ କେନ୍ଦ୍ର ସରକାର ଯେଉଁ ପାଣ୍ଠି ଯୋଗାଇ ଦିଅନ୍ତି ତାହା ଏକ ନିରନ୍ତର ପ୍ରକ୍ରିୟା । ଗତ ଚଳିତ ଆର୍ଥିକ ବର୍ଷର ବଜେଟ ଆକଳନ ତୁଳନାରେ ଆର୍ଥିକ ବର୍ଷରେ ଏ ବାବଦରେ ୧୮ଶତାଂଶ ଅଧିକ ପାଣ୍ଠି ବ୍ୟୟବରାଦ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଏଯାଏ ମୋଟ ୬୮,୫୬୮କୋଟି ଟଙ୍କା ଏମ୍‌ଜିନରେଗାର କାର୍ଯ୍ୟକାରିତା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି ।

ଯେତେବେଳେ ଅତିରିକ୍ତ ସମ୍ବଳ / ଅର୍ଥର ଆବଶ୍ୟକତା ପଡୁଛି, ସେତେବେଳେ ଅର୍ଥମନ୍ତ୍ରଣାଳୟକୁ ଅନୁରୋଧ କରାଯାଉଛି । ଗତ ଆର୍ଥିକ ବର୍ଷରେ ଅର୍ଥ ମନ୍ତ୍ରଣାଳୟ ଏହି ଯୋଜନା ବାବଦରେ ବଜେଟ୍ ଆକଳନ ବାହାରେ ୫୦ହଜାର କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଯୋଗାଇ ଦେଇଥିଲା ।

ନିକଟରେ ଏମ୍‌ଜିନରେଗା ଯୋଜନା ପାଇଁ ଅର୍ଥମନ୍ତ୍ରଣାଳୟ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥାରେ ୧୦ହଜାର କୋଟି ଟଙ୍କା ଅତିରିକ୍ତ ପାଣ୍ଠି ଯୋଗାଇ ଦେଇଛି । ଆହୁରି ମଧ୍ୟ ଆଗକୁ ସଂଶୋଧିତ ଆକଳନ ପର୍ଯ୍ୟାୟରେ ଅର୍ଥ ଚାହିଦାର ଆକଳନ କରାଯାଇ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ।

ଭାରତ ସରକାର ଏମ୍‌ଜିନରେଗା ଯୋଜନାରେ ମଜୁରି ଓ ସାମଗ୍ରୀ କ୍ରୟ ବାବଦ ଦେୟ ପ୍ରଦାନ କରିବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବା ନିମନ୍ତେ ଅଙ୍ଗୀକୃତ । ଏହି ଯୋଜନାର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିମନ୍ତେ ଯେଉଁ ନିର୍ଦ୍ଦେଶାବଳୀ ରହିଛି ଭାରତ ସରକାର ତାହାକୁ ପାଳନ କରୁଛନ୍ତି ।

****

TM /SLP



(Release ID: 1775187) Visitor Counter : 208