ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ପିଏମ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ

ଟୋକନରୁ ଟୋଟାଲ’ ଦୃଷ୍ଟିକୋଣ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମକୁ ଏକ ବ୍ୟାପକ ସ୍ୱାସ୍ଥ୍ୟ ସେବାର ସଂକଳ୍ପ ପ୍ରଦାନ କରିଛନ୍ତି : ଡ. ମନସୁଖ ମାଣ୍ଡଭୀୟ

“ଆମେ ଏକ ‘ସନ୍ତୃପ୍ତି ଦୃଷ୍ଟିକୋଣ’ ସହିତ କାମ କରୁଛୁ, ଏଥିରେ ବ୍ଲକ, ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଶସ୍ତା ଏବଂ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଲାଗି ମୌଳିକ ପ୍ରୟାସ କରାଯାଉଛି”

“ସୁସ୍ଥ ଦେଶ ସମୃଦ୍ଧ ଦେଶ : ଏକ ସୁସ୍ଥ ରାଷ୍ଟ୍ର ହିଁ ଏକ ଉତ୍ପାଦକ ରାଷ୍ଟ୍ର ହୋଇପାରିବ”

“ବ୍ୟାପକ ଆୟୁଷ୍ମାନ ଭାରତ ଯୋଜନା ସାରା ଦେଶରେ ପ୍ରାଥମିକ, ମାଧ୍ୟମିକ, ତୃତୀୟକ, ଡିଜିଟାଲ ଏବଂ ମଜବୁତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରଦାନ କରିବ”

“ଭାରତ ଏସିଆର ପ୍ରଥମ ଦେଶ ଯାହା ପାଖରେ କଣ୍ଟେନର ଆଧାରିତ ଦୁଇଟି ଡାକ୍ତରଖାନା ରହିଛି”

Posted On: 26 OCT 2021 3:39PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମକୁ “ଫ୍ରମ ଟୋକନ ଟୁ ଟୋଟାଲ” (ଭିନ୍ନତା ଠାରୁ ସମ୍ପୂର୍ଣ୍ଣତା ପର୍ଯ୍ୟନ୍ତ) ଦୃଷ୍ଟିକୋଣ ଅନ୍ତର୍ଗତ ବ୍ୟାପକ ସେବାର ସଂକଳ୍ପ ପ୍ରଦାନ କରିଛନ୍ତି। ଆମେ ଏକ ସନ୍ତୃପ୍ତି ଦୃଷ୍ଟିକୋଣ ସହିତ ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ କାମ କରୁଛୁ। ଏହା ଶସ୍ତା ଏବଂ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ମୌଳିକ ଭାବେ ଯୋଡ଼ି ହୋଇ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉତ୍ତର ପ୍ରଦେଶର ବାରାଣସୀରେ ପିଏମ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ଶୁଭାରମ୍ଭ କରିବା ପରିପ୍ରେକ୍ଷୀରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ମାଣ୍ଡଭୀୟ ଏହା କହିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର ମଧ୍ୟ ଉପସ୍ଥିତ ଥିଲେ।

୬୪,୧୮୦ କୋଟି ଟଙ୍କାର ବ୍ୟୟ ଅଟକଳ ସହିତ ୨୦୨୧-୨୨ ବଜେଟରେ ଘୋଷଣା କରାଯାଇଥିବା ପିଏମ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ସବୁଠୁ ବଡ଼ ସର୍ବଭାରତୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଜନା। ଏହାର ଉଦ୍ଦେଶ୍ୟ ହେଉଛି ଉଦୀୟମାନ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗ ପ୍ରତି ଧ୍ୟାନ ଦେବା ଲାଗି ଭାରତର କ୍ଷମତାକୁ ଅତ୍ୟାବଶ୍ୟକ ପ୍ରୋତ୍ସାହନ ପ୍ରଦାନ କରିବା। ଏହା ଭାରତର ସ୍ୱାସ୍ଥ୍ୟ ସେବାର ମୌଳିକ ଢାଞ୍ଚାରେ ଏକ ଆଦର୍ଶଗତ ପରିବର୍ତ୍ତନ ଆଣିବ ଏବଂ ଏହାକୁ ଆହୁରି ଅଧିକ ମଜବୁତ କରିବ।

ବିକାଶ ଓ ସ୍ୱାସ୍ଥ୍ୟ ସେବାକୁ ପରସ୍ପର ସହିତ କିଭଳି ଯୋଡ଼ା ଯାଇଥାଏ, ସେଥିପ୍ରତି ଜୋର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, “କୌଣସି ରାଷ୍ଟ୍ର ସୁସ୍ଥ ହୋଇପାରିଲେ ଯାଇ ସମୃଦ୍ଧ ହୋଇପାରିବ।” ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ରେଖାଙ୍କିତ କରିଥିଲେ। ସେ କହିଥିଲେ ଯେ, ଏହି ଦୃଷ୍ଟିକୋଣ କାରଣରୁ ସ୍ୱଚ୍ଛ ଭାରତ ଅଭିଯାନ, ଫିଟ ଇଣ୍ଡିଆ, ଖେଲୋ ଇଣ୍ଡିଆ ଏବଂ ଯୋଗ ଭଳି ଯୋଜନା ପ୍ରସ୍ତୁତ ହୋଇଛି। ଏସବୁ ନିରାକରଣଯୋଗ୍ୟ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ। ସମସ୍ତ ପ୍ରସଙ୍ଗ ପ୍ରତି ସାମଗ୍ରିକ ଭାବେ ଧ୍ୟାନ ଦିଆଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ଏକ ସୁସ୍ଥ ରାଷ୍ଟ୍ର ହିଁ ଉତ୍ପାଦକ ରାଷ୍ଟ୍ର ହୋଇପାରିବ। ସୁସ୍ଥ ଦେଶ ହିଁ ସମୃଦ୍ଧ ଦେଶ ହୋଇପାରିବ। ସର୍ବଭାରତୀୟ ଆୟୁଷ୍ମାନ ଭାରତ ଯୋଜନା ପ୍ରାଥମିକ, ମାଧ୍ୟମିକ, ତୃତୀୟକ, ଡିଜିଟାଲ ଏବଂ ସୁଦୃଢ଼ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରଦାନ କରିବ। ଏହା ଦେଶକୁ ଭବିଷ୍ୟତର ମହାମାରୀ ଯୋଜନା ପାଇଁ ପ୍ରସ୍ତୁତ କରିବ। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଏପ୍ରିଲ ୨୦୧୮ରୁ ଆରମ୍ଭ କରାଯାଇଥିଲା। ଏହାପରେ ସେପ୍ଟ‍େମ୍ବର ୨୦୧୮ରେ ଆୟୁଷ୍ମାନ ଭାରତ-ପିଏମଜେଏୱାଇ (ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା)ର ଶୁଭାରମ୍ଭ କରାଯାଇଥିଲା। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଆରମ୍ଭ କରାଯାଇଥିଲା। ଅନ୍ୟପକ୍ଷରେ ସର୍ବଭାରତୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଢାଞ୍ଚାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଗତକାଲି ପିଏମ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ଶୁଭାରମ୍ଭ କରାଯାଇଛି। ସେ କହିଥିଲେ ଯେ, ଏହି ସବୁ ପ୍ରୟାସ ସମସ୍ତ ନାଗରିକମାନଙ୍କୁ ଶସ୍ତା, ଗୁଣବତ୍ତାପୂର୍ଣ୍ଣ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ କରିବ। ନାଗରିକମାନଙ୍କୁ ମୌଳିକ ଚିକିତ୍ସା ଏବଂ ଉପଚାର ସେବା ଉପଲବ୍ଧ ହୋଇପାରିବ। ଗ୍ରାମୀଣ ଏବଂ ସହରାଞ୍ଚଳ ଉଭୟ କ୍ଷେତ୍ରରେ ଲୋକମାନଙ୍କୁ ସେମାନଙ୍କ ଘର ପାଖରେ ସ୍ୱାସ୍ଥ୍ୟସେବା ମିଳିପାରିବ। ଶ୍ରୀ ମାଣ୍ଡଭୀୟ କହିଥିଲେ ଯେ ଆୟୁଷ୍ମାନ ଭାରତ ପିଏମଜେଏୱାଇ ମାଧ୍ୟମରେ ଆଜି ସବୁଠୁ ଗରିବ ଲୋକମାନଙ୍କୁ ପ୍ରିମିୟମ ଡାକ୍ତରଖାନାରେ ଅନ୍ୟ ଲୋକମାନଙ୍କ ଭଳି ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ମିଳିପାରୁଛି।

ଏ ଦିଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟାପକ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି ଡ. ମାଣ୍ଡଭୀୟ କହିଥିଲେ ଯେ, ଉନ୍ନତ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏଥିମଧ୍ୟରୁ ପାଖାପାଖି ୭୯,୦୦୦ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଛି। ପ୍ରତ୍ୟେକ ଜିଲ୍ଲାରେ ଅତିକମରେ ଗୋଟିଏ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବାର ଲକ୍ଷ୍ୟ ନେଇ ୧୫୭ଟି ମେଡ଼ିକାଲ କଲେଜକୁ ମଞ୍ଜୁରି ଦିଆଯାଇପାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ, “କୌଣସି ପ୍ରକାରର ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ଏକ ପ୍ରଶିକ୍ଷିତ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କାର୍ଯ୍ୟବଳ ନିର୍ମାଣ ମଧ୍ୟ କରାଯିବ। ସୁରକ୍ଷିତ, ବ୍ୟାପକ, ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଦୃଷ୍ଟିକୋଣ ସହିତ ୭ଟିରୁ ୨୨ଟି ଏମ୍ସ ହସ୍ପିଟାଲ ସ୍ଥାପନ କରିବା ଲାଗି ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଥିବା ସେ କହିଥିଲେ।

ସଙ୍କଟକୁ ସୁଯୋଗରେ ପରିବର୍ତ୍ତନ କରିବା ଲାଗି ଭାରତର ରଣନୀତି ଉପରେ ଗୁରୁତ୍ବାରୋପ କରି ସେ କହିଥିଲେ ଯେ, କୋଭିଡ-୧୯ ଆମକୁ ପରୀକ୍ଷାଗାର, ଡାକ୍ତରଖାନା, ନିଦାନ ସୁବିଧା ସହିତ ସ୍ୱାସ୍ଥ୍ୟ ଯତ୍ନର ସମସ୍ତ ସ୍ତରରେ ସ୍ୱାସ୍ଥ୍ୟ ସୁବିଧାକୁ ବଢ଼ାଇବା ଲାଗି ଅବସର ପ୍ରଦାନ କରିଛି।

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର କେତେକ ପ୍ରମୁଖ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରକାରର ୧୩୪ଟି ପରୀକ୍ଷା ମାଗଣାରେ କରାଯିବ। ଏହା ଗରିବ ଲୋକଙ୍କ ଖର୍ଚ୍ଚ ବଞ୍ଚାଇବା ସହିତ ଅନାବଶ୍ୟକ ଅସୁବିଧାକୁ ମଧ୍ୟ ଦୂର କରିବ। ଅନ୍ୟପଟେ ଏସିଆରେ ପ୍ରଥମ ଥର, ବ୍ୟାପକ ଚିକିତ୍ସା ସୁବିଧା ଥିବା କଣ୍ଟେନର ଆଧାରିତ ଦୁଇଟି ଡାକ୍ତରଖାନା ସବୁବେଳେ ପ୍ରସ୍ତୁତ ରଖାଯିବ। ଯାହାକୁ ଦେଶର ଯେକୌଣସି ସ୍ଥାନରେ ଜରୁରିକାଳୀନ ବିପତ୍ତିର ମୁକାବିଲା ପାଇଁ ରେଳ କିମ୍ବା ବିମାନ ମାର୍ଗରେ ନେଇ ଉପଯୋଗ କରାଯାଇପାରିବ।

ପିଏମ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଦୃଢ଼ ପରିଣାମ ପ୍ରଦାନ କରିବା ଏବଂ ଭାରତକୁ ସାର୍ବଜନୀନ ରୋଗ ନିୟନ୍ତ୍ରଣ  କ୍ଷେତ୍ରରେ ବିଶ୍ୱର ସବୁଠୁ ଉନ୍ନତ ଦେଶଗୁଡ଼ିକ ମଧ୍ୟରେ ସାମିଲ କରିବା। ସ୍ୱାସ୍ଥ୍ୟ ପାଇଁ ଏକ ଜାତୀୟ ମଞ୍ଚ ପ୍ରତିଷ୍ଠା କରାଯିବ। ଜାତୀୟ ଏଡ୍ସ ଗବେଷଣା ସଂସ୍ଥାନର ସାଟେଲାଇନ ସେଣ୍ଟର ଭାବେ ରୋଗ ଉନ୍ମୁଳନ ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ଗବେଷଣା ଲାଗି ଏକ ପ୍ରଭାଗ ପ୍ରତିଷ୍ଠା କରାଯିବ। କ୍ଷେତ୍ରୀୟ ଏନଆଇଭି ପ୍ରତିଷ୍ଠା, ବର୍ତ୍ତମାନର ଜାତୀୟ ଗବେଷଣା ସଂସ୍ଥାନକୁ ଆହୁରି ମଜବୁତ କରିବା, ଏନସିଡିସି ଏବଂ ବର୍ତ୍ତମାନର ପରୀକ୍ଷାଗାର ଭିତ୍ତିଭୂମି, ପରୀକ୍ଷାଗାରର ଉନ୍ନତି ଏବଂ ଆଇସିଏମଆର ଏବଂ ଏନସିଡିସି ଅଧୀନରେ ଅତିରିକ୍ତ ବିଏସଏଲ-୩ ପ୍ରତିଷ୍ଠାନ ନିର୍ମାଣ ଆଦି ପଦକ୍ଷେପ ଗ୍ରହଣ କରାଯିବା ଫଳରେ ନୂତନ ସଂକ୍ରମଣକୁ ଚିହ୍ନଟ ଏବଂ ନିଦାନ ଦିଗରେ ଦେଶର କ୍ଷମତାକୁ ଆହୁରି ସୁଦୃଢ଼ ହେବ।

ସୁନିୟୋଜିତ ହସ୍ତକ୍ଷେପ ଫଳରେ ପର୍ଯ୍ୟାପ୍ତ ରୂପରେ ପ୍ରଶିକ୍ଷିତ କାର୍ଯ୍ୟବଳ ଉପଲବ୍ଧ ହୋଇପାରିବେ। ଏହା ରୋଗାଣୁ ଏବଂ ଜୈବିକ ବିପତ୍ତିର ନିଦାନ ଏବଂ ଗବେଷଣାରେ ଯୋଗଦାନ କରିପାରିବ। ଏଥିରେ ବିଦେଶୀ ଅଂଶୀଦାର ଓ ପରୀକ୍ଷାଗାର ଉପରେ ନିର୍ଭରଶୀଳତା ହ୍ରାସ ପାଇବ।

ଯୋଜନା ଅଧୀନରେ ୬୦୨ଟି ଜିଲ୍ଲାରେ କ୍ରିଟିକାଲ କେୟାର ହସ୍ପିଟାଲ ବିକଶିତ କରିବାର ପ୍ରସ୍ତାବ ରହିଛି। ଫଳରେ ଏସବୁ ଜିଲ୍ଲାରେ ଆବଶ୍ୟକ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇପାରିବ ଯାହାକି ବିନା ବାଧାରେ ସଂକ୍ରାମକ ରୋଗ ନିୟନ୍ତ୍ରଣ କ୍ଷମତା ବୃଦ୍ଧି କରିବ।

ପଏଣ୍ଟ ଅଫ ଏଣ୍ଟ୍ରିକୁ ସୁଦୃଢ଼ କରିବା ଭଳି ପଦକ୍ଷେପ ଦେଶ ଭିତରକୁ ସଂକ୍ରାମକ ରୋଗ ଏବଂ ରୋଗାଣୁର ପ୍ରବେଶକୁ ଅଟକାଇବ। ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ପରିଚାଳନା କେନ୍ଦ୍ର ଏବଂ କଣ୍ଟେନର ଆଧାରିତ ମୋବାଇଲ ଡାକ୍ତରଖାନା ଏପରି ସମୟରେ ଜରୁରିକାଳୀନ ସ୍ୱାସ୍ଥ୍ୟ ହସ୍ତକ୍ଷେପ କ୍ଷମତା ବୃଦ୍ଧି କରିବ।

ଜାତୀୟ, ଆଞ୍ଚଳିକ, ଜିଲ୍ଲା ଏବଂ ବ୍ଲକସ୍ତରୀୟ ପରୀକ୍ଷାଗାର ପ୍ରତିଷ୍ଠା କରାଯିବା ଫଳରେ ରୋଗର ପ୍ରକୋପକୁ ଚିହ୍ନଟ, ନିରାକରଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ବଢ଼ାଇବ। ଏସବୁ ପରୀକ୍ଷାଗାରକୁ ନିରୀକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଗୋଟିଏ ନେଟର୍କ ସହିତ ଯୋଡ଼ାଯିବ। ଏହି ନେଟର୍କ ସମନ୍ବିତ ସ୍ୱାସ୍ଥ୍ୟ ସୂଚନା ମଞ୍ଚ (ଆଇଏଚଆଇପି) ମାଧ୍ୟମରେ ସୂଚନା ପ୍ରଯୁକ୍ତି ଆଧାରିତ ଏକ ସୁଦୃଢ଼ ରିପୋର୍ଟିଂ ବ୍ୟବସ୍ଥା ସହିତ ସମର୍ପିତ ରହିବ।

 

*******

P.S.



(Release ID: 1766765) Visitor Counter : 128