ନୀତି ଆୟୋଗ

ଜାତୀୟ ମୂଦ୍ରୀକରଣ ପାଇପଲାଇନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ ସମ୍ପତ୍ତି ମୂଦ୍ରୀକରଣ କାର୍ଯ୍ୟକ୍ରମ ସାକାର ହୋଇଛି : ଅର୍ଥମନ୍ତ୍ରୀ

କେନ୍ଦ୍ର ସରକାରଙ୍କ ମୌଳିକ ସମ୍ପତ୍ତି ଜରିଆରେ ୬ ଲକ୍ଷ କୋଟି ଟଙ୍କାର ଆନୁମାନିକ ସମ୍ପତ୍ତି ମୂଦ୍ରୀକରଣ ପାଇଁ ଏନଏମପିର ଆକଳନ

Posted On: 23 AUG 2021 5:45PM by PIB Bhubaneshwar

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଜାତୀୟ ପରିସମ୍ପତ୍ତି ମୂଦ୍ରୀକରଣ ପାଇପ ଲାଇନ (ଏନଏମପିର ଭଲ୍ୟୁମ ୧ ଏବଂ ୨)ର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗଗୁଡ଼ିକର ମୂଦ୍ରୀକରଣ କରାଯିବ। ବିଭିନ୍ନ ଭିତ୍ତିଭୂମି ଲାଇନ ମନ୍ତ୍ରଣାଳୟ ସହିତ ବିଚାରବିମର୍ଶ କରାଯାଇ ନୀତି ଆୟୋଗ ପକ୍ଷରୁ ଏନଏମପି ବିକଶିତ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ହୋଇଥିବା ଘୋଷଣା ମୁତାବକ ଏହାକୁ ପ୍ରସ୍ତୁତ କରାଯାଇଛି। ୨୦୨୨ ଆର୍ଥିକ ବର୍ଷ ଠାରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ଚାରି ବର୍ଷର ଅବଧି ଲାଗି କେନ୍ଦ୍ର ସରକାରଙ୍କ ମୌଳିକ ସମ୍ପତି ଜରିଆରେ ୬ ଲକ୍ଷ କୋଟି ଟଙ୍କାର ସମ୍ଭାବ୍ୟ ମୂଦ୍ରୀକରଣ ଏନଏମପି ଜରିଆରେ କରାଯିବ ବୋଲି ଆକଳନ କରାଯାଇଛି।

ନୀତି ଆୟୋଗ ଉପାଧ୍ୟକ୍ଷ, ସିଇଓଙ୍କ ସମେତ ବିଭିନ୍ନ ଭିତ୍ତିଭୂମି ଲାଇନ ମନ୍ତ୍ରଣାଳୟ ଯଥା -ସଡ଼କ, ପରିବହନ ଓ ରାଜପଥ, ରେଳବାଇ, ଶକ୍ତି, ପାଇପଲାଇନ ଓ ପ୍ରାକୃତିକ ବାଷ୍ପ, ବେସାମରିକ ବିମାନ ଚଳାଚଳ, ଜାହାଜ ଚଳାଚଳ ଏବଂ ଜଳପଥ, ଟେଲି ଯୋଗାଯୋଗ, ଖାଦ୍ୟ ଓ ସାଧାରଣ ବଣ୍ଟନ, ଖଣି ଓ କୋଇଲା ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ଆଦିର ସଚିବ, ଆର୍ଥିକ ବ୍ୟାପାର, ନିବେଶ ଓ ସାଧାରଣ ସମ୍ପତି ପରିଚାଳନା ମନ୍ତ୍ରଣାଳୟର ସଚିବମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ଅର୍ଥମନ୍ତ୍ରୀ ପାଇପଲାଇନର ଶୁଭାରମ୍ଭ କରି କହିଥିଲେ ଯେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି କାରଣରୁ ପରିସମ୍ପତି ମୂଦ୍ରୀକରଣ କାର୍ଯ୍ୟକ୍ରମ ସାକାର ହୋଇପାରିଛି। ଦେଶର ଜନସାଧାରଣଙ୍କ ପାଇଁ ସବୁବେଳେ ଉଚ୍ଚ ମାନର ଏବଂ ସୁଲଭ ଭିତ୍ତିଭୂମିର ସାର୍ବଜନୀନ ଉପଲବ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି ଆସିଛନ୍ତି। ମୂଦ୍ରୀକରଣ ଜରିଆରେ ସମ୍ପତ୍ତି ସୃଷ୍ଟି ଦର୍ଶନ ଉପରେ ସମ୍ପତି ମୂଦ୍ରୀକରଣ ଆଧାରିତ। ନୂତନ ଭିତ୍ତିଭୂମି ସୃଷ୍ଟି କରିବା କ୍ଷେତ୍ରରେ ଘରୋଇ କ୍ଷେତ୍ରର ନିବେଶ ଆକୃଷ୍ଟ କରିବା ଦିଗରେ ଏହା ସହାୟକ ହୋଇପାରିବ। ନିଯୁକ୍ତି ସୁଯୋଗ ସୃଷ୍ଟି, ଉଚ୍ଚ ଆର୍ଥିକ ଅଭିବୃଦ୍ଧି, ଗ୍ରାମୀଣ ଓ ଉପସହରାଞ୍ଚଳ କ୍ଷେତ୍ରକୁ ବାଧାମୁକ୍ତ ଭାବେ ସାର୍ବଜନୀନ ଜନ କଲ୍ୟାଣ ପାଇଁ ସମନ୍ବିତ କରିବା ଲାଗି ଏହା ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀମତୀ ସୀତାରମଣ କହିଥିଲେ। ଭିତ୍ତିଭୂମି ବିକାଶକୁ ତ୍ବରାନ୍ବିତ କରିବା ଏବଂ ଘରୋଇ କ୍ଷେତ୍ରର ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ବର୍ତ୍ତମାନର ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଶ୍ରୀମତୀ ସୀତାରମଣ ସୂଚନା ଦେଇଥିଲେ।

ନୀତି ଆୟୋଗ ଉପାଧ୍ୟକ୍ଷ କହିଥିଲେ ଯେ, ଏହି କାର୍ଯ୍ୟକ୍ରମର ରଣନୈତିକ ଲକ୍ଷ୍ୟ ହେଉଛି ସଂସ୍ଥାଗତ ଏବଂ ଦୀର୍ଘସ୍ଥାୟୀ ପୁଞ୍ଜି ଜରିଆରେ ବ୍ରାଉନଫିଲ୍ଡ ରାଷ୍ଟ୍ରାୟତ୍ତ କ୍ଷେତ୍ର ସମ୍ପତ୍ତିରେ ନିବେଶର ମୂଲ୍ୟକୁ ଉନ୍ମୁକ୍ତ କରିବା।

ନୀତି ଆୟୋଗ ସିଇଓ କହିଥିଲେ ଯେ ଏନଏମପିର ଲକ୍ଷ୍ୟ ହେଉଛି -ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରରେ ସମ୍ଭାବ୍ୟ ମୂଦ୍ରୀକରଣ ପ୍ରସ୍ତୁତ ପ୍ରକଳ୍ପକୁ ଚିହ୍ନଟ କରିବା ଲାଗି ମଧ୍ୟମ ଅବଧିର ରୋଡମ୍ୟାପ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା କରିବ। ଯୋଜନାର ପ୍ରଦର୍ଶନ ଅନୁଧ୍ୟାନ କରିବା ଏବଂ ଭବିଷ୍ୟତର କାର୍ଯ୍ୟକଳାପ ପାଇଁ ନିବେଶକମାନଙ୍କୁ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଏକ ବ୍ୟବସ୍ଥିତ ଏବଂ ପାରଦର୍ଶୀ ବ୍ୟବସ୍ଥା ସୃଷ୍ଟି କରିବାରେ ଏହା ସହାୟକ ହୋଇପାରିବ ବୋଲି ସେ କହିଥିଲେ।

ଦୀର୍ଘସ୍ଥାୟୀ ଭିତ୍ତିଭୂମି ପାଣ୍ଠି ଯୋଗାଣର ଏକ ପ୍ରମୁଖ ମାଧ୍ୟମ ଭାବେ ସାର୍ବଜନୀନ ଭିତ୍ତିଭୂମି ସମ୍ପତ୍ତିର ମୂଦ୍ରୀକରଣ ପାଇଁ କେନ୍ଦ୍ର ୨୦୨୧-୨୨ ବଜେଟରେ ଚିହ୍ନଟ କରାଯାଇଥିଲା। ଏଥିପାଇଁ ବଜେଟରେ ସମ୍ଭାବ୍ୟ ବ୍ରାଉନଫିଲ୍ଡ ସମ୍ପତ୍ତିଗୁଡ଼ିକର ଜାତୀୟ ମୂଦ୍ରୀକରଣ ପାଇପଲାଇନ ପ୍ରସ୍ତୁତି କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଘରୋଇ କ୍ଷେତ୍ର ପାଇଁ ସମ୍ଭାବ୍ୟ ସମ୍ପତ୍ତି ଦୃଶ୍ୟମାନତା ସହିତ ରାଷ୍ଟ୍ରାୟତ୍ତ ସମ୍ପତ୍ତିର ମାଲିକମାନଙ୍କ ନିମନ୍ତେ ଏକ ମଧ୍ୟମ ଅବଧିର ରୋଡମ୍ୟାପ ଯୋଗାଇ ଦେବାକୁ ଏନଏମପିରେ ଲକ୍ଷ୍ୟ ରଖାଯାଇଛି। ଏନଏମପି ରିପୋର୍ଟର ଦୁଇଟି ଭଲ୍ୟୁମ ପ୍ରସ୍ତୁତ କରାଯାଇଛି। ପ୍ରଥମ ଭଲ୍ୟୁମରେ ଏକ ଢାଞ୍ଚାଗତ ମାର୍ଗଦର୍ଶିକା ପୁସ୍ତିକା ପ୍ରସ୍ତୁତ କରାଯାଇଛି। ଏଥିରେ ସମ୍ପତ୍ତି ମୂଦ୍ରୀକରଣର ବିସ୍ତୃତ ବିଷୟଗତ ବିବରଣୀ ଏବଂ ସମ୍ଭାବ୍ୟ ମଡେଲ ବିଷୟରେ ଉଲ୍ଲେଖ କରାଯାଇଛି। ଦ୍ବିତୀୟ ଭଲ୍ୟୁମ  କେନ୍ଦ୍ର ସରକାରଙ୍କ ମୌଳିକ ଭିତ୍ତିଭୂମି ସମ୍ପତ୍ତିର ପାଇପଲାଇନ ସମେତ ବାସ୍ତବ ମୂଦ୍ରୀକରଣ ରୋଡମ୍ୟାପ ଉଲ୍ଲେଖ କରାଯାଇଛି।

ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ପକ୍ଷରୁ ମିଳିଥିବା ଇନପୁଟ ଓ ପରାମର୍ଶ ଆଧାରରେ ପାଇପଲାଇନକୁ ପ୍ରସ୍ତୁତ କରାଯାଇଛି। ପୁଞ୍ଜି ପ୍ରତ୍ୟାହାର ଏବଂ ନନ କୋର ସମ୍ପତ୍ତିଗୁଡ଼ିକର ମୂଦ୍ରୀକରଣକୁ ଏନଏମପିରେ ସାମିଲ କରାଯାଇନାହିଁ। ଆହୁରି ବର୍ତ୍ତମାନ, କେନ୍ଦ୍ର ସରକାରଙ୍କ ଲାଇନ ମନ୍ତ୍ରଣାଳୟ ଏବଂ ଭିତ୍ତିଭୂମି କ୍ଷେତ୍ରର ସିପିଏସଇଗୁଡ଼ିକର ସମ୍ପତ୍ତିକୁ ଏଥିରେ ସାମିଲ କରାଯାଇଛି। ଜାତୀୟ ଭିତ୍ତିଭୂମି ପାଇପଲାଇନ (ଏନଆଇପି)ର ଅବଧି ସହିତ ଏନଏମପିକୁ କାର୍ଯ୍ୟକାରୀ କରିବା ଲାଗି ଯୋଜନା କରାଯାଇଛି। ମୂଦ୍ରୀକରଣ ସହିତ ଭିତ୍ତିଭୂମି ସୃଷ୍ଟିକୁ ଲକ୍ଷ୍ୟ ରଖି ଏପରି କରାଯାଇଛି। ଏନଆଇପି ଅନ୍ତର୍ଗତ ମୋଟ ୪୩ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ସମ୍ପତ୍ତି ସୃଷ୍ଟି କରାଯିବାକୁ ଥିବା ବେଳେ ପ୍ରସ୍ତାବିତ ଏନଏମପି ଏହାର ୧୪ ପ୍ରତିଶତ ବୋଲି ଆକଳନ କରାଯାଉଛି।  ୧୨ଟି ଲାଇନ ମନ୍ତ୍ରଣାଳୟର ୨୦ରୁ ଅଧିକ ସମ୍ପତ୍ତିକୁ ଏଥିରେ ସାମିଲ କରାଯାଇଛି।

ସାମଗ୍ରୀକ ରଣନୀତି ଭାବେ ସମ୍ପତ୍ତିର ଗୁରୁତ୍ବପୂର୍ଣ୍ଣ ଅଂଶଧନ ସରକାରଙ୍କ ସହିତ ରହିବ। ସରକାର ଆବଶ୍ୟକ ନୀତିଗତ ଏବଂ ନିୟାମକ ହସ୍ତକ୍ଷେପ ଜରିଆରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବେ। ଯାହାଫଳରେ ସମ୍ପତିର ମୂଦ୍ରୀକରଣ ପ୍ରଭାବୀ ଓ ଦକ୍ଷ ପ୍ରକ୍ରିୟାରେ ହୋଇପାରିବ। ‘ମୂଦ୍ରୀକରଣ ଜରିଆରେ ଭିତ୍ତିଭୂମି ସୃଷ୍ଟି’ ଏହି ଯୋଜନାର ଲକ୍ଷ୍ୟ, ଯେଉଁଥିରେ ଘରୋଇ ଓ ସରକାରୀ କ୍ଷେତ୍ରର ସହଭାଗିତା ରହିଥିବ। ଏହା ଦେଶର ନାଗରିକମାନଙ୍କ ପାଇଁ ସାମାଜିକ ଆର୍ଥିକ ଅଭିବୃଦ୍ଧି ଆଣିବା ସହିତ ସେମାନଙ୍କ ଜୀବନଧାରଣ ଗୁଣବତ୍ତାରେ ସୁଧାର ଆଣିପାରିବ।

ସମ୍ପୂର୍ଣ୍ଣ ରିପୋର୍ଟ ପାଇଁ ଦେଖନ୍ତୁ : http://www.niti.gov.in/national-monetisation-pipeline

 

P.S.

 

 



(Release ID: 1748344) Visitor Counter : 330