ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ହିଂସା ପୀଡ଼ିତ ମହିଳାଙ୍କ ପାଇଁ 24 ଘଣ୍ଟିଆ ହେଲ୍ପ ଲାଇନର ଶୁଭାରମ୍ଭ କଲେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ

● ମହିଳାଙ୍କୁ ଦରକାର ବେଳେ ସରକାର ଓ ଆୟୋଗଙ୍କ ସହାୟତା ଯୋଗାଇବାରେ ସହାୟକ ହେବ ଏହି ଡିଜିଟାଲ ହେଲ୍ପଲାଇନ : ଶ୍ରୀମତୀ ଇରାନୀ

Posted On: 27 JUL 2021 3:29PM by PIB Bhubaneshwar

ସାରା ଦେଶରେ ମହିଳାମାନଙ୍କର ସୁରକ୍ଷା ଓ ନିରାପତ୍ତାରେ ଆହୁରି ସୁଧାର ଆଣିବା ଏବଂ ମହିଳାମାନଙ୍କର ସାମଗ୍ରିକ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପ୍ରୟାସ ଦିଗରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ ଆଜି ଜାତୀୟ ମହିଳା ଆୟୋଗଙ୍କର ଏକ 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର -7827170170ର ଶୁଭାରମ୍ଭ କରିଛନ୍ତି। ଏହି ହେଲ୍ପଲାଇନ ହିଂସା ପ୍ରପୀଡ଼ିତ ମହିଳାମାନଙ୍କୁ 24 ଘଣ୍ଟିଆ ସହାୟତା ଯୋଗାଇ ଦେବ। ଏହି ନମ୍ବର ଜରିଆରେ ସେମାନେ ଏକ ସଙ୍ଗେ ପୁଲିସ, ଡାକ୍ତରଖାନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମନସ୍ତାତ୍ତ୍ବିକ ସେବା ଆଦି ବିଭିନ୍ନ କର୍ତ୍ତୃପକ୍ଷଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବାର ସୁବିଧା ପାଇପାରିବେ।

ଭର୍ଚୁଆଲ ମାଧ୍ୟମରେ ହେଲ୍ପଲାଇନର ଉଦଘାଟନ କରି, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ଜାତୀୟ ମହିଳା ଆୟୋଗ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇବା ସହିତ ନୂଆ ହେଲ୍ପଲାଇନକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଏହି ଡିଜିଟାଲ ହେଲ୍ପଲାଇନ ମହିଳାମାନଙ୍କୁ ଏକ ବାର୍ତ୍ତା ଦେଉଛି, ସେମାନଙ୍କର ଆବଶ୍ୟକତା ସମୟରେ ତାଙ୍କର ସରକାର ଏବଂ ଆୟୋଗ ସବୁବେଳେ ସେମାନଙ୍କୁ ସହାୟତା ଯୋଗାଇବା ନିମନ୍ତେ ଆଗେଇ ଆସିବେ। ସେ ବିଶେଷ କରି ମହାମାରୀ ସମୟରେ ମହିଳାଙ୍କ ସହାୟତା କରିବା ଲାଗି “ଚମତ୍କାର” ପ୍ରୟାସ ନିମନ୍ତେ ମହିଳା ଆୟୋଗକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ସଙ୍କଟରେ ଥିବା ମହିଳାମାନଙ୍କୁ ସହାୟତା କରିବା କ୍ଷେତ୍ରରେ ଜାତୀୟ ମହିଳା ଆୟୋଗ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସହଭାଗିତାପୂର୍ଣ୍ଣ ହସ୍ତକ୍ଷେପ ଦୀର୍ଘସୂତ୍ରରେ ସଫଳ ହୋଇଛି।

ଏହି ଅବସରରେ ଏନସିଡବ୍ଲୁ ଅଧ୍ୟକ୍ଷା ସୁଶ୍ରୀ ରେଖା ଶର୍ମା କହିଥିଲେ ଯେ ଏହି ହେଲ୍ପଲାଇନ ବର୍ତ୍ତମାନର ଅଭିଯୋଗ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ ଏବଂ ସହାୟତା ଓ ପରାମର୍ଶ ଆବଶ୍ୟକ କରୁଥିବା ମହିଳାମାନଙ୍କୁ ଠିକ୍ ସମୟରେ ସହାୟତା ପାଇବା ନିମନ୍ତେ ସକ୍ଷମ କରିବ। ସେ କହିଥିଲେ, “ଆମେ ସବୁବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ କାର୍ଯ୍ୟ କରୁଛୁ। ପ୍ରଧାନମନ୍ତ୍ରୀ ମହିଳାମାନଙ୍କର କଲ୍ୟାଣ ନିମନ୍ତେ ବ୍ୟାପକ ପ୍ରୟାସ କରୁଛନ୍ତି। ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି ମହିଳାଙ୍କ ନେତୃତ୍ବରେ ସଶକ୍ତିକରଣ ପର୍ଯ୍ୟନ୍ତ ଆମେ ସମସ୍ତେ ତାଙ୍କର ଦକ୍ଷ ନେତୃତ୍ବରେ ଅନେକ ପରିବର୍ତ୍ତନ ଦେଖିଛୁ ଯାହା ଆମକୁ ଆହୁରି ଭଲ କାମ କରିବା ନିମନ୍ତେ ଅନୁପ୍ରାଣିତ କରିଥାଏ।

ହିଂସା ପୀଡ଼ିତ ମହିଳାମାନଙ୍କୁ ପୁଲିସ, ଡାକ୍ତରଖାନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମନସ୍ତାତ୍ତ୍ବିକ ସେବା ଭଳି ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସହିତ ସିଧାସଳଖ ଯୋଗାଯୋଗ ସେବା ପ୍ରଦାନ କରିବା ନିମନ୍ତେ ସକ୍ଷମ କରିବା ଏହି ହେଲ୍ପଲାଇନର ଉଦ୍ଦେଶ୍ୟ । ଏହି ହେଲ୍ପଲାଇନ ମାଧ୍ୟମରେ ସେମାନେ ଗୋଟିଏ ନମ୍ବରରେ 24 ଘଣ୍ଟିଆ ଅଭିଯୋଗ ଓ ପରାମର୍ଶ ସେବା ପାଇପାରିବେ। ଏହା ମଧ୍ୟ ସାରା ଦେଶରେ ହେଉଥିବା ମହିଳାଙ୍କ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବ। ପ୍ରଶିକ୍ଷିତ ବିଶେଷଜ୍ଞମାନଙ୍କର ଏକ ଟିମ୍ ସହିତ ହେଲ୍ପଲାଇନ କାମ କରିବ। 18 ବର୍ଷ କିମ୍ବା ତତୋଧିକ ବୟସର କୌଣସି ଯୁବତୀ କିମ୍ବା ମହିଳା ନୂଆଦିଲ୍ଲୀରେ ଜାତୀୟ ମହିଳା ଆୟୋଗ ପରିସରରେ ପରିଚାଳିତ ହେଉଥିବା ଏହି ହେଲ୍ପଲାଇନର ସହାୟତା ନେଇପାରିବେ।

ନିଜର ବୈଧାନିକ ବ୍ୟବସ୍ଥା ଅନ୍ତର୍ଗତ ଜାତୀୟ ମହିଳା ଆୟୋଗ ସାରା ଦେଶରେ ମହିଳାଙ୍କ ପ୍ରତି ହେଉଥିବା ହିଂସା/ଅଧିକାର କ୍ଷୁଣ୍ଣ ଭଳି ଅଭିଯୋଗଗୁଡ଼ିକର ସମାଧାନ କରୁଛି। ଆୟୋଗର ୱେବସାଇଟ୍ www.ncw.nic.in ରେ ଲିଖିତ କିମ୍ବା ଅନଲାଇନ ମାଧ୍ୟମରେ ଅଭିଯୋଗ ଗ୍ରହଣ କରାଯାଇଥାଏ। ମହିଳା ମାନଙ୍କୁ ପର୍ଯ୍ୟାପ୍ତ ଏବଂ ଦ୍ରୁତ ନ୍ୟାୟ ପ୍ରଦାନ କରିବାରେ ସୁବିଧା ଲାଗି ଆୟୋଗ ଅଭିଯୋଗର ସମାଧାନ ସୁନିଶ୍ଚିତ କରିବା ସକାଶେ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ଅଭିଯୋଗ ମଞ୍ଚକୁ ମଜବୁତ ଓ ବିସ୍ତାରିତ କରିବା ଲାଗି ଆୟୋଗ ଏହି ଡିଜିଟାଲ ହେଲ୍ପଲାଇନକୁ ଆରମ୍ଭ କରିବା ନିମନ୍ତେ ପ୍ରୟାସ କରିଛି। ଏହି ହେଲ୍ପଲାଇନ ସେବାକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଡିଜିଟାଲ ଇଣ୍ଡିଆ କର୍ପୋରେସନ ସହଯୋଗରେ ବିକଶିତ କରାଯାଇଛି।

ଜାତୀୟ ମହିଳା ଆୟୋଗ ମହିଳାମାନଙ୍କର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥାଏ। ହିଂସା ପୀଡ଼ିତ ମହିଳାମାନଙ୍କ ସୁବିଧା ନିମନ୍ତେ ଆୟୋଗ ଗୋଟିଏ ଛାତ ତଳେ ଏକାଧିକ ସୁବିଧା ଯଥା: ପୁଲିସ ସହାୟତା, ମନସ୍ତାତ୍ତ୍ବିକ – ସାମାଜିକ ପରାମର୍ଶ ଏବଂ ଓ୍ବାନ ଷ୍ଟପ୍ କେନ୍ଦ୍ର ନିକଟରେ ପହଞ୍ଚିବାରେ ସହାୟତା ନିମନ୍ତେ ଏହି ହେଲ୍ପଲାଇନ ନମ୍ବର ଆରମ୍ଭ କରିଛି। ମହିଳାଙ୍କ ବିଭିନ୍ନ ଅଭିଯୋଗ ଶୁଣିବା ଲାଗି ଏହି ହେଲ୍ପଲାଇନ 24 ଘଣ୍ଟା କାର୍ଯ୍ୟ କରିବ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଏହି 24 ଘଣ୍ଟିଆ ହେଲ୍ପଲାଇନ ସେବା ଆରମ୍ଭ କରିବା ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଇନ୍ଦିବର ପାଣ୍ଡେ ଏବଂ ଏନସିଡବ୍ଲୁର ଅଧ୍ୟକ୍ଷା ସୁଶ୍ରୀ ରେଖା ଶର୍ମାଙ୍କ ସମେତ ଡିଜିଟାଲ ଇଣ୍ଡିଆ କର୍ପୋରେସନର ବରିଷ୍ଠ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ବିନୟ ଠାକୁର ଏବଂ ଆୟୋଗର ସଦସ୍ୟମାନେ ଉପସ୍ଥିତ ଥିଲେ।

**********

 

P.S



(Release ID: 1739676) Visitor Counter : 308