ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୋଭିଡ୍ ପରିସ୍ଥିତିକୁ ନେଇ ଓଡ଼ିଶା ସମେତ 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ସହଯୋଗ, ମିଳିତ ପ୍ରୟାସ ଓ ସହଭାଗିତା ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ମହାରାଷ୍ଟ୍ର ଓ କେରଳରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ : ପ୍ରଧାନମନ୍ତ୍ରୀ
ଟେଷ୍ଟ ଟ୍ରାକ୍, ଟ୍ରିଟ୍ ଓ ଟିକା ହେଉଛି ପରିକ୍ଷିତ ଏବଂ ପ୍ରମାଣିତ ରଣନୀତି : ପ୍ରଧାନମନ୍ତ୍ରୀ
ସମ୍ଭାବ୍ୟ ତୃତୀୟ ଲହର ନିରାକରଣ ପାଇଁ ଆମକୁ ତତ୍ପରତା ପୂର୍ବକ ପଦକ୍ଷେପ ନେବାକୁ ପଡ଼ିବ : ପ୍ରଧାନମନ୍ତ୍ରୀ
ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ ଥିବା ଭିତ୍ତିଭୂମି ଅଭାବ ଦୂର କରାଯିବା ଉଚିତ୍ : ପ୍ରଧାନମନ୍ତ୍ରୀ
କରୋନା ଏବେ ବି ଯାଇନାହିଁ, ଅନଲକିଂ ପରବର୍ତ୍ତୀ ବ୍ୟବହାର ଚିନ୍ତାର ବିଷୟ : ପ୍ରଧାନମନ୍ତ୍ରୀ
Posted On:
16 JUL 2021 1:44PM by PIB Bhubaneshwar
କୋଭିଡ୍ ଜନିତ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । କୋଭିଡ ମୁକାବିଲା ନିମନ୍ତେ ଯଥାସମ୍ଭବ ସହାୟତା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନେ ଟିକାକରଣର ଅଗ୍ରଗତି ଏବଂ ସେମାନଙ୍କ ରାଜ୍ୟରେ ଭୂତାଣୁ ସଂକ୍ରମଣ ହ୍ରାସ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଟିକାକରଣ ରଣନୀତି ସମ୍ପର୍କରେ ମଧ୍ୟ ସେମାନେ ନିଜ ନିଜ ମତାମତ ଦେଇଥିଲେ ।
ମୁଖ୍ୟମନ୍ତ୍ରୀମାନେ ଚିକିତ୍ସା ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଭବିଷ୍ୟତରେ ଯଦି ସଂକ୍ରମଣରେ ସମ୍ଭାବ୍ୟ ବୃଦ୍ଧି ଦେଖାଦିଏ ତାହାର କିପରି ଭାବେ ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ମତାମତ ଦେଇଥିଲେ । ସେମାନେ ମଧ୍ୟ ରୋଗୀଙ୍କ ଠାରେ ଦେଖାଦେଉଥିବା କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏପରି ମାମଲାରେ ସହାୟତା ଯୋଗାଇ ଦେବା ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସେମାନେ ଆଶ୍ୱାସନା ଦେଇ କହିଥିଲେ ଯେ ସଂକ୍ରମଣ ହାରକୁ ନିୟନ୍ତ୍ରଣ କରିବା ଲାଗି ସେମାନେ ଶ୍ରେଷ୍ଠ ପଦକ୍ଷେପ ଗ୍ରହଣ କରୁଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି 6ଟି ରାଜ୍ୟରେ ଜୁଲାଇ ମାସରେ 80 ପ୍ରତିଶତରୁ ଅଧିକ ସଂକ୍ରମଣ ଦେଖାଦେଇଥିଲା । ଆହୁରି ଏସବୁ ମଧ୍ୟରୁ କେତେକ ରାଜ୍ୟରେ ପଜିଟିଭିଟି ହାର ମଧ୍ୟ ଅଧିକ ରହିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ ଦେଖାଦେଇଥିବା କୋଭିଡ ସଂକ୍ରମଣ ସଂଖ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଅଧିକ ସଂକ୍ରମଣ ଦେଖାଦେଉଥିବା ଜିଲ୍ଲା ଗୁଡ଼ିକରେ କୋଭିଡ ଉପଯୁକ୍ତ ବ୍ୟବହାର ଏବଂ କଣ୍ଟେନମେଣ୍ଟ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ମଧ୍ୟ ପରାମର୍ଶ ଦେଇଥିଲେ ଯେ ଏହିସବୁ ଜିଲ୍ଲାରେ ଅନଲକ୍ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ତଥା ସୁଚିନ୍ତିତ ଭାବେ ହେବା ଉଚିତ୍ ।
ଉଦଯାପନୀ ବିବୃତି ଦେଇ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରମାନଙ୍କୁ ମହାମାରୀ ବିରୋଧୀ ଲଢ଼େଇରେ ସେମାନଙ୍କର ଆପୋସ ସହଯୋଗ ଏବଂ ଶିଖିବାର ଆଗ୍ରହ ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ଏପରି ଏକ ପରିସ୍ଥିତିରେ ଅଛୁ ଯେତେବେଳେ ତୃତୀୟ ଲହରୀ ଆସିବା ନେଇ ଲଗାତାର ଆଶଙ୍କା ବ୍ୟକ୍ତ କରାଯାଉଛି । ବିଶେଷଜ୍ଞମାନେ ହ୍ରାସ ପାଉଥିବା ସଂକ୍ରମଣ ସ୍ଥିତି ନେଇ ସକାରାତ୍ମକ ସଙ୍କେତ ଦେଉଥିବା ସତ୍ତ୍ବେ କେତେକ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ । ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଆଜି ଯେଉଁସବୁ ରାଜ୍ୟ ବୈଠକରେ ଯୋଗ ଦେଇଛନ୍ତି, ସେସବୁ ରାଜ୍ୟରୁ ଗତ ସପ୍ତାହରେ 80 ପ୍ରତିଶତ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ 84 ପ୍ରତିଶତ ମୃତ୍ୟୁ ଦେଖିବାକୁ ମିଳିଥିଲା । ପ୍ରାରମ୍ଭରେ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ଯେ ଦ୍ୱିତୀୟ ଲହରୀ ପ୍ରଥମେ ଯେଉଁ ରାଜ୍ୟରୁ ଆରମ୍ଭ ହୋଇଥିଲା ସେଠାରେ ପ୍ରଥମେ ସ୍ଥିତି ସ୍ୱାଭାବିକ ହେବ । କିନ୍ତୁ, କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଦ୍ୱିତୀୟ ଲହରୀ ପୂର୍ବରୁ ଜାନୁଆରୀ-ଫେବୃଆରୀରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା ବୋଲି କହି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ଏହି କାରଣରୁ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଯେଉଁସବୁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ସେଠାରେ ତୃତୀୟ ଲହରୀକୁ ରୋକିବା ଲାଗି ଆମକୁ ତତ୍ପରତା ପୂର୍ବକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।
ପ୍ରଧାନମନ୍ତ୍ରୀ ବିଶେଷଜ୍ଞମାନଙ୍କ ମତକୁ ଉଦ୍ଧୃତ କରି କହିଥିଲେ ଯେ ଦୀର୍ଘ ଦିନ ପର୍ଯ୍ୟନ୍ତ ସଂକ୍ରମଣ ବୃଦ୍ଧି ପାଇଲେ, କରୋନା ଭୂତାଣରୁ ମ୍ୟୁଟେସନ ମଧ୍ୟ ବୃଦ୍ଧି ପାଇବ ଏବଂ ନୂଆ ଭାରିଆଣ୍ଟର ବିପଦ ସୃଷ୍ଟି ହେବ । ତେଣୁ, ପ୍ରଧାନମନ୍ତ୍ରୀ କହିଥିଲେ, ଆମକୁ ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଓ ଟିକା (ପରୀକ୍ଷା, ଚିହ୍ନଟ, ଚିକିତ୍ସା ଓ ଟିକାକରଣ) ରଣନୀତିକୁ ନେଇ ଲଗତାର ଭାବେ କାମ କରିବାକୁ ହେବ । ପ୍ରଧାନମନ୍ତ୍ରୀ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱାରୋପ କରାଯିବା ଉଚିତ୍ । ସବୁ ରାଜ୍ୟରେ ନମୁନା ପରୀକ୍ଷା ବୃଦ୍ଧି କରିବା ଉପରେ ଶ୍ରୀ ମୋଦୀ ଜୋର ଦେଇଥିଲେ । ଅଧିକ ସଂକ୍ରାମକ କ୍ଷେତ୍ରରେ ଟିକାକୁ ଏକ ରଣନୈତିକ ଉପକରଣ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ପ୍ରଭାବୀ ଟିକାକରଣ ଉପରେ ଜୋର ଦେଇଥିଲେ । ଆରଟି-ପିସିଆର ପରୀକ୍ଷା କ୍ଷମତାରେ ସୁଧାର ଆଣିବା ଲାଗି ଚେଷ୍ଟା କରୁଥିବା ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
ଆଇସିୟୁ ଶଯ୍ୟା ଏବଂ ପରୀକ୍ଷା କ୍ଷମତା ଭଳି ଚିକିତ୍ସା ଭିତ୍ତିଭୂମି ବୃଦ୍ଧି କରିବା ଲାଗି ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ନିକଟରେ ଜାରି କରାଯାଇଥିବା 23,00 କୋଟି ଟଙ୍କାର କୋଭିଡ ମୁକାବିଲା ପ୍ୟାକେଜ୍ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଚିକିତ୍ସା ଭିତ୍ତିଭୂମିରେ ସୁଧାର ଆଣିବା ନିମନ୍ତେ ଏହି ପାଣ୍ଠିର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ଅଭାବ, ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ, ଦୂର କରିବା ଲାଗି ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଆଇଟି ସିଷ୍ଟମ, କଣ୍ଟ୍ରୋଲ ରୁମ ଏବଂ କଲ ସେଣ୍ଟର ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ମଧ୍ୟ ସେ କହିଥିଲେ ଯାହାଫଳରେ ନାଗରିକମାନେ ପାରଦର୍ଶୀ ଢଙ୍ଗରେ ସମ୍ବଳ ଓ ତଥ୍ୟ ପାଇପାରିବେ ଏବଂ ରୋଗୀମାନଙ୍କର ସମସ୍ୟା ଦୂର ହୋଇପାରିବ । ଶ୍ରୀ ମୋଦୀ କହିଥିଲେ ଯେ ବୈଠକରେ ଯୋଗ ଦେଇଥିବା ରାଜ୍ୟଗୁଡ଼ଇକୁ 332ଟି ପିଏସଏ ପ୍ଲାଣ୍ଟ ଆବଣ୍ଟନ କରାଯାଇଛି ଏବଂ ସେଥିମଧ୍ୟରୁ 53ଟି କାର୍ଯ୍ୟକ୍ଷମ ହୋଇସାରିଲାଣି । ଏହି ପ୍ଲାଣ୍ଟଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ସେ ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିଶୁମାନଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ ଏବଂ ଏ ଦିଗରେ ସମସ୍ତ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ।
ୟୁରୋପ, ଆମେରିକା, ବାଂଲାଦେଶ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହା ଆମ ପାଇଁ ଓ ସାରା ବିଶ୍ୱ ପାଇଁ ଏକ ସତର୍କ ଘଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ପୁଣି ଦୋହରାଇଥିଲେ ଯେ କରୋନା ଏବେ ସୁଦ୍ଧା ଦୂରେଇ ଯାଇନାହିଁ ଏବଂ ଲକଡାଉନ ପରେ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ । ସେ କୋଭିଡ ନିୟମ ମାନିବା ଉପରେ ଜୋର ଦେଇଥିଲେ ଏବଂ ଆଜିର ବୈଠକରେ ଥିବା ଅଧିକାଂଶ ରାଜ୍ୟରେ ଜନସଂଖ୍ୟା ବହୁଳ ମହାନଗର ଥିବା କାରଣରୁ ଭିଡ଼ ଏଡ଼ାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସେ ରାଜନୈତିକ ଦଳ, ସାମାଜିକ ସଂଗଠନ ଏବଂ ଏନଜିଓଗୁଡ଼ିକୁ ସେ ଆହ୍ୱାନ କରିଥିଲେ ।
********
P.S
(Release ID: 1736181)
Visitor Counter : 209
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam